Unknown

 

 

 

 

 

 

 

 

୧୨୪ତମ ସଂଖ୍ୟା କୋଣାର୍କ ୨୦୦୨

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଶ୍ରୀ ଉମାଶଙ୍କର ପଣ୍ଡା

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସମ୍ପାଦକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର - ୭୫୧୦୧୪

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀକର୍ତ୍ତୃପକ୍ଷଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱମତ ।

 

ସଂପାଦକୀୟ

ବିଷୟ ସୂଚୀ

ପ୍ରବନ୍ଧ ସାହିତ୍ୟ

ଯୁଗସ୍ରଷ୍ଟା ରାଧାନାଥ

:

ବିଚିତ୍ରାନନ୍ଦ ମହାନ୍ତି

ସାହିଯାତ୍ରାର ସ୍ୱରୂପ ବୈଶିଷ୍ଟ୍ୟ

:

ନୀଳାଦ୍ରିଭୂଷଣ ହରିଚନ୍ଦନ

ମୁକ୍ତାଗଡ଼ର କ୍ଷୁଧା : ଏକ ବିଚାର ବିଶ୍ଳେଷଣ

:

ତୀର୍ଥାନନ୍ଦ ମିଶ୍ର

ଓଡ଼ିଆ ଯାତ୍ରାର ମଞ୍ଚ ସଂରଚନା

:

ଅଜୟ କୁମାର ମିଶ୍ର

ଦିଗ୍‍ବଳୟ ଦିଶାରୀ : ମନୋଜ ଦାସ

:

ଅରବିନ୍ଦ ଗିରି

କବିତାରେ ରୂପତତ୍ତ୍ଵ

:

ପ୍ରଭାତୀ ରଥ

ଉତ୍ତର ଆଧୁନିକତାର ପ୍ରସ୍ଥ ଓ ପରିଚୟ

:

ଅନୀଲ୍ କୁମାର ଦାସ

ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟ-ବଳୟ

:

ରଶ୍ମିତା ତ୍ରିପାଠୀ

ଅନୁବାଦ ସାହିତ୍ୟ

ହୀରୋସୀମା ପେନେଲ୍‍ସ୍ :

:

ତୋଷି ଓ ଇରୀ ମାରୁକୀ

ଅନୁବାଦ :

:

ସେହ୍ନ ମିଶ୍ର

ପୁସ୍ତକ ସମୀକ୍ଷା

ଆକାଶ ଖୋଜା :

:

ଭାଗୀରଥି ମିଶ୍ର

ସମୀକ୍ଷା :

:

ସନ୍ତୋଷ କୁମାର ରଥ

ସାହିତ୍ୟ ସମାଚାର

 

 

ଏକାଡେମୀ ସମାଚାର

 

 

 

ସଂପାଦକୀୟ

ବହିମେଳା

 

ଗତ ଫେବୃୟାରୀ ୨୬ ତାରିଖ ଠାରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଦଶଦିନବ୍ୟାପୀ ଅଷ୍ଟାଦଶ ଭୁବନେଶ୍ଵର ପୁସ୍ତକ ମେଳା ଶେଷ ହୋଇଛି । ବର୍ତ୍ତମାନ ବହିମେଳାର ବିଶାଳ ଆୟୋଜନ ଓ ଜନ ସମାଗମ ଦେଖିଲେ କଳ୍ପନା ବି କରାଯାଇ ପାରିବ ନାହିଁ ଯେ ଏହି ମେଳାର ବୟସ ମାତ୍ର ଅଠର ବର୍ଷ ।

 

କେବଳ ବହି ନେଇ ଗୋଟାଏ ମେଳା, ତାହା ପୁଣି ବେସରକାରୀ ଉଦ୍ୟମରେ । କେବଳ ଭୁବନେଶ୍ୱର ଅଥବା ରାଜଧାନୀ ପୁସ୍ତକ ମେଳା ନୁହେଁ, ଛୋଟ ବଡ଼ ବହୁ ପୁସ୍ତକ ମେଳା ଓଡ଼ିଶାର ବହୁ ସ୍ଥାନରେ ବର୍ଷସାରା ଆୟୋଜିତ ହେଉଛି । ଓଡ଼ିଶାର ପୁସ୍ତକ ବିପଣୀ କହିଲେ ବିନୋଦ ବିହାରୀକୁ ହିଁ ବୁଝାଏ ଏବଂ ଏଠାରେ ହିଁ ସମସ୍ତ ଅଭିଜାତ ପୁସ୍ତକ ପ୍ରକାଶନ ସଂସ୍ଥା କେନ୍ଦ୍ରିଭୂତ । ବୃହତ୍ ପରିସର ମଧ୍ୟରେ ଖୋଲାମେଲା ବହି ଦୋକାନ ପୃଥିବୀର ଅନେକ ସହରରେ ହିଁ ଅଛି ଓଡ଼ିଶା ବ୍ୟତୀତ । ପୁସ୍ତକ ମେଳାମାନଙ୍କରେ ଜନଗହଳିକୁ ଲକ୍ଷ୍ୟ କଲେ ପୁସ୍ତକ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାର ପ୍ରତୀୟମାନ ହୁଏ । ପରିସଂଖ୍ୟାନରୁ ଅନୁମାନ କରାଯାଇପାରେ ପୁସ୍ତକ ମେଳାମାନଙ୍କରେ ବିକ୍ରିବଟା ବି ବେଶ୍ ଉତ୍ସାହ ଜନକ । ପୂର୍ବେ ପ୍ରକାଶକମାନେ ଦୁର୍ଗାପୂଜା ବେଳକୁ ସାଧାରଣତଃ ନୂତନ ବହି ପ୍ରକାଶ କରୁଥିଲେ । ବର୍ତ୍ତମାନ ନୂତନ ବହି ପ୍ରକାଶନ ପୁସ୍ତକ ମେଳା ବେଳକୁହିଁ ହେଉଛି । ମେଳାର ମଣ୍ଡପରେ ନୂତନ ପୁସ୍ତକ ଉନ୍ମୋଚନ ହେଉଛି । ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ ସମ୍ବର୍ଦ୍ଧନା ସଭା, ପୁରସ୍କାର ବିତରଣ ସଭା ବି ଅନୁଷ୍ଠିତ ହେଉଛି ଚିରାଚରିତ ରୀତିରେ ।

 

ବହିମେଳାମାନଙ୍କରେ ବ୍ୟବସାୟ ଭଲ ହେଉଛି ସତ ତେବେ କେଉଁ ପରିମାଣରେ ସାହିତ୍ୟ ସଂପର୍କିତ ବହି ବିକ୍ରି ହେଉଛି ତା’ର ସ୍ୱତନ୍ତ୍ର ପରିସଂଖ୍ୟାନ ନାହିଁ । ପାଠ୍ୟ ପୁସ୍ତକ ତଥା ସହାୟକ ଗ୍ରନ୍ଥ, ବିଜ୍ଞାନ ସଂପର୍କିତ ପୁସ୍ତକ ବହୁପରିମାଣରେ ଏହି ବହିମେଳାରେ ବିକ୍ରି ହେବା ପରିଲକ୍ଷିତ ହୁଏ । ତାହାରି ତୁଳନାରେ ଗଳ୍ପ ଉପନ୍ୟାସ କବିତା ଅନୁବାଦ ପ୍ରଭୃତି ସାହିତ୍ୟ ଗ୍ରନ୍ଥର ବିକ୍ରିର ପରିମାଣ ତୁଳନାତ୍ମକ ଭାବରେ ଯେ କମ୍ ଏକଥା ସ୍ୱୀକାର କରିବାରେ ଦ୍ୱିଧା ନାହିଁ । ତେଣୁ ଏହି ପୁସ୍ତକମେଳାମାନ ସାହିତ୍ୟିକ ଅଭିବୃଦ୍ଧିରେ ସହାୟକ ସେ ସଂପର୍କରେ ସନ୍ଦେହର ଅବକାଶ ରହିଛି । ଆଗେ ପ୍ରକାଶକମାନେ ଗ୍ରନ୍ଥର ପ୍ରକାଶ କାଳରେ ଏକ ହଜାର କପି ମୁଦ୍ରଣ କରୁଥିଲେ । ବର୍ତ୍ତମାନ ରାଜା ରାମମୋହନ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଲାଇବେରୀ ବହି ଖରିଦ୍ କରାଯାଉଥିଲେହେଁ ପ୍ରଥମ ମୁଦ୍ରଣ କପି ସଂଖ୍ୟା ୧୦୦୦ ରୁ ପାଞ୍ଚଶହକୁ ଖସି ଆସିଛି । ଏହାର କାରଣ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ସମୟ ଆସିଛି ବୋଲି ମନେହୁଏ । କେବଳ ପୁସ୍ତକମେଳା ନୁହେଁ ଏହା ସହିତ ପାଠାଗାର ଆନ୍ଦୋଳନ ଏବଂ ପ୍ରକାଶନ କ୍ଷେତ୍ର, ଜାତୀୟ ପୁସ୍ତକ ନ୍ୟାସ (ଏନ୍.ବି.ଟି) ଓ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସାହିତ୍ୟ ଓ ସଂସ୍କୃତି ରୁଦ୍ଧିମନ୍ତ ନହେଲେ କୌଣସି ଜାତିର ନବ ଅଭ୍ୟୁତ୍ଥାନ ଯେ ସମ୍ଭବ ନୁହେଁ ଏହା ଅନସ୍ୱୀକାର୍ଯ୍ୟ ।

 

ଓଡ଼ିଶାର ବୁଦ୍ଧିଜୀବୀ ପାଠକ, ଲେଖକ, ପ୍ରକାଶକ ସର୍ବୋପରି ସରକାରଙ୍କ ସାଂସ୍କୃତିକ ବିଭାଗ ଏ ଦିଗରେ ଗଭୀର ଚିନ୍ତା କରିବାର ବେଳ ଆସିଛି ।

 

ଗତ ଭୁବନେଶ୍ୱର ପୁସ୍ତକ ମେଳାରେ ଜାତୀୟ ପୁସ୍ତକ ନ୍ୟାସ (ଏନ୍.ବି.ଟି)ର ଅଧ୍ୟକ୍ଷ ଡ : ସୀତାକାନ୍ତ ମହାପାତ୍ର ପ୍ରତି ବ୍ଲକ ସ୍ତରରେ ପାଠାଗାର ମାନ ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଥିବାର ପ୍ରକାଶ କରିଛନ୍ତି । ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ପାଇଁ ଏଭଳି ଯୋଜନା ଆଦୌ ନୂଆ ନୁହେଁ । କିଛି ବର୍ଷ ତଳେ କବି ରାଜେନ୍ଦ୍ର କିଶୋର ପଣ୍ଡା। ସଂସ୍କୃତି ବିଭାଗ ସଚିବ ଥିଲାବେଳେ ଗାନ୍ଧୀ ପାଠାଗାର ଓ ଗ୍ରନ୍ଥାୟନ ଯୋଜନା ପ୍ରସ୍ତୁତ କରିଥିଲେ କିନ୍ତୁ ସେ ଯୋଜନା କ୍ରିୟାନ୍ୱୟନ ହୋଇପାରିଲା ନାହିଁ । ଏହାର କାରଣ ହୁଏତ ଅର୍ଥାଭାବ, ସରକାରୀ ଉଦାସୀନତା ଅଥବା ଅମଲାତନ୍ତ୍ର ଶିଥିଳତା ହୋଇପାରେ ତେଣୁ ଏହି ସବୁ ଆନ୍ଦୋଳନର ସଠିକ୍ ରୂପାୟନ ପାଇଁ ଜନ ସଚେତନତା ଯେ ଏକାନ୍ତ ଆବଶ୍ୟକ ଭୁଲିଗଲେ ଚଳିବ ନାହିଁ ।

 

ଅନୁବାଦ ସାହିତ୍ୟ ଓ ଏକାଡେମୀ ପୁରସ୍କାର

 

ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ଭାରତୀୟ ଭାଷାରେ ଅନ୍ୟ ଏକ ପ୍ରତିବେଶୀ ଭାଷାରୁ ଅନୁଦିତ ଗ୍ରନ୍ଥକୁ ପୁରସ୍କାର ପ୍ରଦାନ କରିଥାଆନ୍ତି । ଅନ୍ୟାନ୍ୟ ଆନ୍ତର୍ଜାତୀୟ ସାହିତ୍ୟ ପୁସ୍ତକ ଯେତେ ନାମୀ ଦାମୀ ଏପରିକି ନୋବେଲ ପୁରସ୍କାର ପ୍ରାପ୍ତ ପୁସ୍ତକର ଅନୁବାଦ ମଧ୍ୟ ପୁରସ୍କାରର ପରିଧି ଭିତରକୁ ଆସିପାରେ ନାହିଁ । ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏଭଳି ଏକ ନିୟମ ପ୍ରଣିତ ହୋଇଥିଲା ତାହା ବାସ୍ତବକ୍ଷେତ୍ରରେ ବିଶେଷତଃ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେ ବିଫଳ ପ୍ରତିପାଦିତ ହୋଇଛି ଏକଥା ଉଲ୍ଲେଖ କରିବା ଆବଶ୍ୟକତା ନାହିଁ ।

 

ନିୟମ ପ୍ରଣେତା ମାନେ ହୁଏତ ଆଶା କରିଥିଲେ ଯେ ବିଭିନ୍ନ ଭାରତୀୟ ଭାଷାର ଉତ୍‍କୃଷ୍ଟ ଗ୍ରନ୍ଥରାଜି ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଅନୁଦିତ ହୋଇ ସେହି ଭାଷା ସାହିତ୍ୟରେ ଶ୍ରୀ ବୃଦ୍ଧି କରିବ । କିନ୍ତୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏହା ବସ୍ତୁତଃ ସଫଳ ହୋଇନାହିଁ । ଓଡ଼ିଆ ସାହିତ୍ୟରେ ଏ ଯାବତ୍ ଅନୁବାଦ ସାହିତ୍ୟରେ କେନ୍ଦ୍ର ବା ରାଜ୍ୟ ଏକାଡେମୀର ପୁସ୍ତକର ଶତକଡ଼ା ଅଶି ଭାଗ ବଙ୍ଗଳା ପୁସ୍ତକର ଅନୁବାଦ । ଅନ୍ୟାନ୍ୟ ଭାରତୀୟ ଭାଷାରୁ ପୁରସ୍କୃତ ଅନୁବାଦ କୃତି ଅତି ନଗଣ୍ୟ । ଏପରିକି ଶୂନ କହିଲେ ଚଳେ ।

 

ଅପରପକ୍ଷରେ ପୁରସ୍କାର ମନସ୍କ ଅନୁବାଦକଗଣ ଯେଉଁ ପୁସ୍ତକମାନ ଅନୁବାଦ କରୁଛନ୍ତି ସେହି ପୁସ୍ତକର ମାନ, ଉପଯୋଗିତା ଓ ଜନପ୍ରିୟତା ଅଥବା ଉକୃଷ୍ଟତା ପ୍ରତି ଧ୍ୟାନ ଦେଉଥିବା ଭଳି ମନେହୁଏ ନାହିଁ । ଅନୁବାଦ କର୍ମ ଆଦୌ ଏକ ସହଜ ସାଧ୍ୟ କାମ ନୁହେଁ । ଉଭୟ ଭାଷାରେ ଦଖଲ ନଥିଲେ ଅନୁବାଦ ସାବଲୀଳ ଓ ସୁନ୍ଦର ହୁଏ ନାହିଁ ।

 

ତେଣୁ ଅନୁବାଦ ପାଇଁ ପୁରସ୍କାର କେବଳ ଭାରତୀୟ ତେଣୁ ଅନୁବାଦ ପାଇଁ ପୁରସ୍କାର ଉପରେ ସୀମିତ ନରଖି ଅନୁବାଦର ପରିଧୀକୁ ସଂପ୍ରସାରିତ କଲେ ଓଡ଼ିଆ ସାହିତ୍ୟ ଆହୁରି ରୁଦ୍ଧିମନ୍ତ ଓ ପରିପୁଷ୍ଟ ହୁଅନ୍ତା ବୋଲି ମନେହୁଏ ।

 

ଭାରତୀୟ ଭାଷା ସାହିତ୍ୟ ଓ ତା’ର ଅନୁବାଦ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଏନ୍.ବି.ଟି.ର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରତ୍ୟେକ ଭାଷାର କିଛି ନିର୍ବାଚିତ କୃତି ଅନ୍ୟ ଭାଷାରେ ରୂପାନ୍ତରିତ ହେଲେ ଏନ୍.ବି.ଟି ଜରିଆରେ ପ୍ରତ୍ୟେକ ସାହିତ୍ୟର ସମତୁଲ ବିକାଶ ଘଟିବ ବୋଲି ବିଶ୍ଵାସ ।

ଉମା ଶଙ୍କର ପଣ୍ଡା

 

ପ୍ରବନ୍ଧ ସାହିତ୍ୟ

Unknown

ଯୁଗସ୍ରଷ୍ଟା ରାଧାନାଥ

ବିଚିତ୍ରାନନ୍ଦ ମହାନ୍ତି

 

ସୋର ଗର୍ବଯାର କରଇ ପ୍ରସାର

ପଶ୍ଚିମେ ପର୍ବତ ପୂର୍ବେ ପାରାବାର” (ନନ୍ଦିକେଶ୍ଵରୀ)

 

ସେହି ଶୂର ଭୂମି ସୋରୋର କେଦାରପୁର ଗ୍ରାମର ସୁନ୍ଦରନାରାୟଣଙ୍କ ପୁଅ ରାଧାନାଥ । ମାତା ତାରିଣୀ ଦେବୀ ରୁଗ୍‍ଣ ଶିଶୁପୁତ୍ରକୁ ଛାଡ଼ି ବାଲ୍ୟକାଳରୁ ବିଦାୟ ନେଇଥିଲେ । ସେଇ ରୋଗଣା ଧଡ଼ିଆ ପୁଅଟିର ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କରିଥିବା ଫଳ ବାହାରିବା ଦିନ ବାଲେଶ୍ୱର କଚେରିଠାରେ ଚହଳ ପଡ଼ିଯାଇଥିଲା ବୋଲି ବ୍ୟାସକବି ଫକୀରମୋହନ ଆତ୍ମଚରିତରେ ଉଲ୍ଲେଖ କରିଛନ୍ତି । ବହୁବାଧାବିଘ୍ନ ଅତିକ୍ରମ କରି ରାଧାନାଥ କଲିକତାରେ ପାଠ ପଢ଼ି ବାଲେଶ୍ୱର ଆସି ତୃତୀୟ ଶିକ୍ଷକ ପରେ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକ ପଦୋନ୍ନତି ପାଇ ଡେପୁଟୀ ଇନ୍ସପେକ୍ଟର ଏବଂ ଜଏଣ୍ଟ ଇନ୍ସପେକ୍ଟର ହୋଇଥିଲେ । ବଙ୍ଗଳାରେ କବିତାବଳୀ ୧ମ ଓ ୨ୟ ଭାଗ ଲେଖିଥବାରୁ ସେ ପୁସ୍ତକ ଦୁଇଟି ପାଠକରି ମୁଗ୍ଧ ହେଲେ ସ୍କୁଲ ବିଭାଗର ଇନ୍ସପେକ୍ଟର ଭୂଦେବ ମୁଖୋପାଧ୍ୟାୟ । ଭୂଦେବ ବାବୁ ପ୍ରେରଣା ଦେଲେ ଓଡ଼ିଆରେ କାବ୍ୟ କବିତା ସୃଷ୍ଟି ପାଇଁ ।

 

ଭୂଦେବ ବାବୁଙ୍କ ଉତ୍ସାହ ପାଇ ରାଧାନାଥ ୧୮୭୩ରେ ‘ଉତ୍କଳ ଦର୍ପଣ’ରେ ପ୍ରକାଶ କଲେ ‘ମେଘଦୂତ', ଇତାଲୀୟ ଯୁଗ ଓ ବିବେକୀ । ୧୮୭୬ରେ ‘କବିତାବଳୀ’ରେ ପ୍ରକାଶିତ ‘ପବନ’ ଓ ‘ବେଣୀସଂହାର’ । ବାମଣ୍ଡାରୁ ପ୍ରକାଶିତ ‘ଉତ୍କଳ ହିତୈଷିଣୀ’ ସାପ୍ତାହିକ ପତ୍ରିକାରେ ଧାରାବାହିକଭାବେ ପ୍ରକାଶ ପାଇଲା ଯଯାତିକେଶରୀ ଓ ପାର୍ବତୀ । ୧୮୮୫ରେ କେଦାର ଗୌରୀ, ୧୮୮୬ରେ ଚନ୍ଦ୍ରଭାଗା, ୧୮୮୭ରେ ଉଷା ଓ ନନ୍ଦିକେଶ୍ୱରୀ, ୧୮୯୧ ରେ ପାର୍ବତୀ’ ଏବଂ ୧୮୯୨ରେ ବାରିପଦାରୁ ପ୍ରକାଶ ପାଉଥିବା ‘ଉତ୍କଳପ୍ରଭା' ପତ୍ରିକାରେ ‘ଚିଲିକା’ ଓ ‘ମହାଯାତ୍ରା’ ମୟୁରଭଞ୍ଜର ଗୁଣଗ୍ରାହୀ ମହାରାଜା ଶ୍ରୀରାମଚନ୍ଦ୍ର ଏହି ପୁସ୍ତକ ଦୁଇଟି ପାଇଁ ରାଧାନାଥଙ୍କୁ ଦୁଇଶତ ଟଙ୍କା ପୁରସ୍କାର ଦେଇଥିଲେ । ୧୮୯୪ ‘ଦରବାର’ ୧୮୯୫ରେ ଉର୍ବଶୀ ୧୮୯୮ରେ ତିନିବନ୍ଧୁ ଓ ଯଯାତିକେଶରୀର ପୁସ୍ତକ ରୂପ, ୧୯୦୦ ଦଶରଥଙ୍କ ମୃଗୟା, ୧୯୦୧ରେ ଦଶରଥ ବିୟୋଗ, ୧୯୦୪ରେ ‘ବାଣ ହରଣ’ ଓ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ, ୧୯୦୬ରେ ସାବିତ୍ରୀ ଚରିତ ଓ ୧୯୦୮ରେ ଭାରତ ଗୀତିକା ପ୍ରକାଶ ପାଇଲା ।

 

୧୮୭୯ରେ ଭୂଦେବ ବାବୁ ରାଧାନାଥଙ୍କୁ ପ୍ରଶଂସା କରି ‘ଓଡ଼ିଶାର ଗୌରବ କେତନ’ ସମ୍ବୋଧନ କରି ଲେଖିଥିବା କବିତାଟି ୪.୬.୧୮୭୯ରେ ଏଜୁକେଶନ୍ ଗେଜେଟ୍‌ରେ ପ୍ରକାଶ କରିଥିଲେ ଏବଂ ଏହା ଅଳ୍ପଦିନ ପରେ ବାଲେଶ୍ୱର ସମ୍ବାଦବାହିକାରେ ପ୍ରକାଶ ପାଇଥିଲା । ଭୂଦେବ ବାବୁଙ୍କ ଉପଦେଶ ଥିଲା ପୁରୁଣା ବିଷୟରେ ଶକ୍ତ ଶ୍ରମ ନକରି ପୁରୁଣା ବିଷୟବସ୍ତୁକୁ ଉପଜୀବ୍ୟ କରି ତା’ ଉପରେ ନୂତନ ଗଠନର ପ୍ରୟାସ କରିବାକୁ । ସେହି ଉପଦେଶର ଫଳ ହେଲା, ସେକାଳରେ ପ୍ରଚଳିତ ଥିବା ଦର୍ପଣୀ ରାଜଜେମା ଉତ୍କଳ ଯୁବରାଜଙ୍କୁ ପ୍ରେମଭିକ୍ଷା କରି ପ୍ରତ୍ୟାଖ୍ୟାତା ହେବାରୁ କରିଥିବା ଆତ୍ମହତ୍ୟା କାହାଣୀର ନୂତନ ରୂପ ହେଲା ନନ୍ଦିକେଶ୍ଵରୀ । ଋଗ୍‍ବେଦରେ ବର୍ଣ୍ଣିତ ଉଷାଙ୍କ ପଛରେ ସୂର୍ଯ୍ୟଙ୍କ ଅନୁଗମନ ଚନ୍ଦ୍ରଭାଗା କାବ୍ୟରେ ଚନ୍ଦ୍ରଭାଗା ପଛରେ ସୂର୍ଯ୍ୟଙ୍କ ପଶ୍ଚାଦ୍ଧାବନରେ ରୂପାୟିତ । ରାଧାନାଥଙ୍କ ଲିଖିତ ପ୍ରଥମ ପାଞ୍ଚଟି କାବ୍ୟ କେଦାରଗୌରୀ (୧୮୮୫), ଚନ୍ଦ୍ରଭାଗା (୧୮୮୬), ନନ୍ଦିକେଶ୍ଵରୀ (୧୮୮୭), ଉଷା, (୧୮୮୮) ଓ ପାର୍ବତୀ (୧୮୯୧) ତଦାନୀନ୍ତନ ଓଡ଼ିଶାର ୫ଟି ସ୍ଥାନ ଯଥାକ୍ରମେ ଭୁବନେଶ୍ୱର, କୋଣାର୍କ, କଟକ, ବାଲେଶ୍ୱର ଓ ପୁରୀର ପୃଷ୍ଠଭୂମି ଉପରେ ଲିଖିତ । କବି ଗଙ୍ଗାଧର ମେହେରଙ୍କ “କୀଚକବଧ” (୧୯୦୩) କାବ୍ୟରେ ମନ୍ତବ୍ୟ ଦେଇ ରାଧାନାଥ ଲେଖିଥଲେ, “ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବା ପ୍ରତିଭାର ବିଧି ପ୍ରତିପାଦିତ ଅଧିକାର ଅଟେ” । ଏହାହିଁ କବିବର ରାଧାନାଥଙ୍କ ମର୍ମବାଣୀ । ରାଧାନାଥଙ୍କୁ ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ସଂସ୍କୃତ ଭାଷାର ଲେଖାମାନ ପ୍ରଭାବିତ କରିଥିଲା । ତେଣୁ କେଉଁଠାରେ ବିଷୟବସ୍ତୁ, ଛନ୍ଦ ଓ ଉପମାଦି ସେ ବ୍ୟବହାର କରିଛନ୍ତି । ଓଭିଡ଼୍‍ଙ୍କର ମେଟାମରଫୋସିସ୍ କାବ୍ୟରେ ବିରାଗ ବିକ୍ଷୁବ୍ଧ ନାୟିକା ଡାୟନା ନାୟକ ଆପୋଲୋର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ପାଶ୍ଚାତ୍ୟ ଜଗତରେ ଶୋକର ପ୍ରତୀକ ଲରେଲ୍ ବୃକ୍ଷରେ ରୂପାନ୍ତରିତ ହୋଇଛି । ରାଧାନାଥଙ୍କ ସୃଷ୍ଟ ନାୟିକା ଚନ୍ଦ୍ରଭାଗା ମଦନ ଦେବତାର ଓଲଟା ଫୁଲଶର ପ୍ରୟୋଗ ଯୋଗୁଁ ନାୟକ ସୂର୍ଯ୍ୟଦେବଙ୍କ ପ୍ରଣୟକୁ ପ୍ରତ୍ୟାଖ୍ୟାନ କରି ନୀଳ ଜଳଦ ଅଙ୍ଗରେ ଚପଳା ମିଶିଲା ପରି ସାଗରର ନୀଳତରଙ୍ଗ ଭିତରେ ମିଶିଗଲା ମୁନି ସୁମନ୍ୟୁ ଓ ଲକ୍ଷ୍ମୀ ଦେବୀଙ୍କ ସହଚରୀ ତଥା ସାଗର ଅପ୍‍ସରାର କନ୍ୟା ଚନ୍ଦ୍ରଭାଗା ନନ୍ଦିକେଶ୍ୱରୀର କଥାବସ୍ତୁରେ ସେକ୍ସପିୟରଙ୍କ ସିମ୍ବେଲାଇନ୍ ଓ ବାଇରାନଙ୍କ ସିଜ୍ ଅଫ୍ କରିନ୍ଥର ଛାୟାପାତ ହୋଇଛି । କବିବରଙ୍କ ଶ୍ରେଷ୍ଠ କୃତି ‘ମହାଯାତ୍ରା’ର ଅମିତ୍ରାକ୍ଷର ଛନ୍ଦ ବଙ୍ଗବକି ମାଇକେଲ୍ ମଧୁସୂଦନ ଦତ୍ତଙ୍କ ‘ମେଘନାଦ ବଧ’ର ବିଷୟବସ୍ତୁରେ ମିଲ୍‍ଟନ୍‍ଙ୍କ ‘ପାରାଡାଇଜ୍ ଲଷ୍ଟ’ର ପ୍ରଭାବ ଅନୁଭୂତ ହୁଏ । କବିଙ୍କୁ ସଂସ୍କୃତ ମହାଭାରତ ଓ ଓଡ଼ିଆରେ ସାରଳା ଦାସଙ୍କ ରଚିତ ମହାଭାରତ ମଧ୍ୟ ପ୍ରଭାବିତ କରିଥିବା ପରିଲକ୍ଷିତ ହୁଏ । ଉଇଲିୟମ୍ ମରିସ୍‍୍ଙ୍କ ‘ଆଟ୍‍ଲାଣ୍ଟାସ୍ ରେସ୍’ ତଥା ଟ’ ଡ୍‍ଙ୍କ ରାଜସ୍ଥାନର ପ୍ରଭାବ ‘ଉଷା’ କାବ୍ୟରେ ଦେଖାଯାଏ । ଡ୍ରାଇଡେନ୍‌ଙ୍କ ବ୍ୟଙ୍ଗାତ୍ମକ କବିତାର ପ୍ରଭାବ ପ୍ରସୂତ ବହୁଚର୍ଚ୍ଚିତ ଦରବାର ଓ ସ୍କଟ କବିଙ୍କ ‘ଲେଡ଼ି ଅଫ୍ ଦି ଲେକ୍’ ଚିଲିକା କାବ୍ୟର ପ୍ରେରଣାର ଉତ୍ସ । କବି ସ୍କଟ୍ ହ୍ରଦବାସିନୀ ସୁନ୍ଦରୀ ବିଷୟରେ ଲେଖିଥିଲେ ହେଁ କବିବର ରାଧାନାଥ ସ୍ୱୟଂ ଚିଲିକା ହ୍ରଦକୁ ହିଁ ନାୟିକା କରି ଆପଣା କଳ୍ପନାଚାତୁରୀର ପରିଚୟ ଦେଇଛନ୍ତି । ‘କେଦାର ଗୌରୀ’ ସେକ୍ସପିଅର୍‍ଙ୍କ ପିରାମସ୍ ଓ ଥିସ୍‍ବେ, ଏବଂ ରୋମିଓ ଓ ଜୁଲିଏଟ୍‍ର ମଣ୍ଟେରୁ ଓ କାଫୁଲେଟ୍ ସଂଜ୍ଞକ ଦୁଇ ଅଭିଜାତ ପରିବାରଙ୍କ କଳହରୁ ସଂଗୃହୀତ । ଗ୍ରୀକ୍ କବି ଏସ୍‍କ୍ୟୁଲସ୍‍ଙ୍କ ଆଗାମେନନ୍‍ର ଅବଲମ୍ବନରେ ପିତା ଓ ପୁତ୍ରୀଙ୍କ ମଧ୍ୟରେ କାୟିକ ମିଳନ ସେକ୍ସପିଅରଙ୍କ ନାଟକ ମାନଙ୍କରେ ବର୍ଣ୍ଣିତ ଡାଆଣୀ ଓ ପ୍ରେତର ଆଗମନ ଆଦି ବିଷୟ ‘ପାର୍ବତୀ’ କାବ୍ୟରେ ଚିତ୍ରିତ । ଏହି କାବ୍ୟର ନାୟକ ‘ଗଙ୍ଗେଶ୍ଵର’ ଐତିହାସିକ ଚରିତ୍ର ନୁହନ୍ତି, କବିଙ୍କ କଳ୍ପନାପ୍ରସୂତ ହେଲେହେଁ ମାଦଳାପାଞ୍ଜିରେ ଏପରି ଏକ ଘଟଣା ଲିଖିତ ଅଛି । ଏହି ବର୍ଣ୍ଣନାର ଅସାରତା ସଂପର୍କରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହନ୍ତି, “ମାଦଳାପାଞ୍ଜିରେ ଗଙ୍ଗେଶ୍ଵରଙ୍କ ପାପର ଯେଉଁ ବିଜ୍ଞପ୍ତି ଅଛି ତାହା ଗୋଟିଏ ସମ୍ପୂର୍ଣ୍ଣ ଅବାସ୍ତବ କଥା । ଲୋକଲୋଚନ ଅଗୋଚରରେ କିମ୍ବଦନ୍ତୀ ବର୍ଣ୍ଣିତ ବହୁ ପାପ ହୁଏତ ଘଟିଯାଇଛି ବା ଯାଉଛି, କିନ୍ତୁ କୌଣସି ପାପୀ ସ୍ୱତଃପ୍ରବୃତ୍ତ ହୋଇ ଲୋକ ସମାଜରେ ତାହା ପ୍ରକାଶ କରେ ନାହିଁ । ଗଙ୍ଗାଧିଶ୍ୱର ଗଙ୍ଗେଶ୍ଵରଙ୍କ ପ୍ରେମ ପାଇଁ କଅଣ ପତ୍ନୀର ଅଭାବ ଥିଲା ଯେ ସେ ତାଙ୍କ ନିଜ କନ୍ୟା ସହିତ ପାପ ପ୍ରଣୟ କରୁଥିଲେ ? ଯଦି ଯୁକ୍ତି ଛଳରେ ଧରାଯାଏ ଯେ ସେ ତାହା କରିଥଲେ, ତାହା ହେଲେ ସେ ଡିଣ୍ଡିମ ବଜାଇ, ବ୍ରାହ୍ମଣ ଡକାଇ, କନ୍ୟାକୁ ଚଲାଇ, ତାଙ୍କ ପାପର ବିସ୍ତୃତ ବିଜ୍ଞପ୍ତି ଦେଇଥିଲେ କାହିଁକି ?” (ଇତିହାସ ଓ କିମ୍ବଦନ୍ତୀ ପୃ ୧୨୮)

 

ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବ (ଖ୍ରୀ ୧୦୭୮-୧୧୪୮) ଶ୍ରୀକ୍ଷେତ୍ରରେ ମନ୍ଦିର ନିର୍ମାଣ କରିବା ଐତିହାସିକ ସତ୍ୟ । କେନ୍ଦୁଲି ତାମ୍ରଶାସନରେ କୁହାଯାଇଛି, “ଶ୍ରୀପୁରୁଷୋତ୍ତମଙ୍କ ଏପରି ମନ୍ଦିର ନିର୍ମାଣ କରିବାକୁ କିଏ ବା ସମର୍ଥ ଥିଲେ ? ତେଣୁ ତାହାଙ୍କ ଆଗରୁ ଥିବା ନୃପତିମାନେ ଯେଉଁ କାର୍ଯ୍ୟ ଉପେକ୍ଷା କରିଥିଲେ, ତାହା ଗଙ୍ଗେଶ୍ଵର ଦେବଙ୍କ ଦ୍ୱାରା ନିର୍ମିତ ହେଲା-।’’

 

ପ୍ରାସାଦଂ ପୁରୁଷୋତ୍ତମସ୍ୟ ନୃପତି କୋନାମ କର୍ତ୍ତୃକ୍ଷମ ସ୍ତସ୍ୟୈତ୍ୟାଦ୍ୟ ନୃପୈରୂପେକ୍ଷିତ ମୟଂ ଚକ୍ରୋଧ ଗଙ୍ଗେଶ୍ଵର” (ପଣ୍ଡିତ ବିନାୟକ ମିଶ୍ର - Indian Historical Quarterly Vol.13 P606) ତେଣୁ ଐତିହାସିକ ଦୃଷ୍ଟି କୋଣରୁ ଚୋଡ଼ଗଙ୍ଗ ଓ ଗଙ୍ଗେଶ୍ଵର ଜଣେ । ରାଜା ଚୋଡ଼ଗଙ୍ଗ ୧୧୩୨ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ ଧାମରେ ୨୦ଟି ଅଖଣ୍ଡ ଦୀପ ଜାଳିବା ପାଇଁ ମାଲୁଦ ଗ୍ରାମ ଦାନ କରିଥିବା କଥା ମୁକ୍ତି ମଣ୍ଡପ ନିକଟବର୍ତ୍ତୀ ମୁକ୍ତ ନୃସିଂହ ମନ୍ଦିର ଦ୍ୱାର ଦେଶରେ ଥିବା ଶିଳାଲେଖରେ ଅଛି । (Inscription of Orissa Vol. III Pt p. 137.) କବିବର ରାଧାନାଥ ନନ୍ଦିକେଶ୍ଵରୀ କାବ୍ୟରେ ବିଡ଼ାନାସୀ ଗଡ଼ରେ ସୁବର୍ଣ୍ଣକେଶରୀ ଗଡ଼ ଦ୍ଵାର ଋଦ୍ଧ କରି ଚଣ୍ଡୀ ମନ୍ଦିରରେ ଅଧ୍ୟା ପଡ଼ିଥିବାବେଳେ ବେଦୀ ସ୍ୱପ୍ନରେ ଉଭାହୋଇ ଆଜ୍ଞାଦେଲେ, ଶତ୍ରୁତୋର ଦେବ ବଳରେ ବଳିଆର, ସମ୍ମୁଖ ସଂଗ୍ରାମରେ ଦୁର୍ନିବାର ଅଟେ ।

 

ଦେବୀ ଚନ୍ଦ୍ରଚଡ଼-ମୌଳି ନିବାସିନୀ

ସହୟ ତାହାର ସୁର ତରଙ୍ଗୀଣୀ ।

 

ଦେବ ଦେବ ମହାଦେବ ଶିରୋଦେଶରେ ଅବସ୍ଥାନ କରୁଥିବା ଗଙ୍ଗା ଦେବୀଙ୍କ ବରରେ ଚୋର ବୀର ବଳୀୟାନ ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ତାକୁ “ଉତ୍କଳେ ମହୁଡ଼” କରିବାକୁ ଇଚ୍ଛା କରନ୍ତି । ତେଣୁ ତାକୁ ଅଟକାଇବା ଅସମ୍ଭବ ।

 

ଶକ୍ତି ନାହିଁ ବତ୍ସ କହାରି ଜଗତେ,

ନିୟତିକି ନେବ ଇଚ୍ଛା ମତେ ।”

 

ତଥାପି ଭକ୍ତର ମନ ରକ୍ଷାପାଇଁ ଶତ୍ରୁଦର୍ପହାରୀ ଜୈତ୍ରମଣିଦେଇ ତାକୁ ଶିରୋଭୂଷଣ କରିବାକୁ ରୂପ ଓ ଗୁଣ ତଥା ଶୌର୍ଯ୍ୟବୀର୍ଯ୍ୟ ଶ୍ରବଣରେ ଚକିତାଜେମା ନନ୍ଦିକା” ।

 

ଆଜ ଜଗତୀରେ ଜଗତ ମୋହିନୀ

କିଭାବନା ଭାବୁଅଛି ଏକାକିନୀ

ମନେ ଉଠୁଅଛି ଶତ ମନୋରଥ

ଲୋକ ଲଜ୍ଜା ପୁଣି ରୋଧୁଅଛି ପଥ ।

ଆର୍ତ୍ତେ ଭ୍ରମୁଅଛି ଏତେ ତେଣେ ମନ ।

ମଶାରି ଭିତରେ ମଶକ ଯେସନ ।”

 

ଉପେନ୍ଦ୍ର ଭଞ୍ଜଙ୍କ ନାୟକ ଚନ୍ଦ୍ରଭାନୁ ଲାବଣ୍ୟବତୀ କାବ୍ୟର ୪୨ଛାନ୍ଦରେ ବିରହୋକ୍ତି କରିଛି ।

 

“ମନମୋହର ଭ୍ରମୁଛି ନିରତେ । ମଶା ମଶାରିରେ ପଡ଼ି ଯେମନ୍ତେ” । ଉପମା ଦେଇଥିବାରୁ ଉତ୍କଳୀୟ କବିଙ୍କ ଦୋଷଦର୍ଶୀ ସମାଲୋଚକ ବିଜୟ ଚନ୍ଦ୍ର ମଜୁମଦାର ଏହାକୁ ନାୟକର ନାୟିକା ପ୍ରତି ପ୍ରୀତିକୁ ରକ୍ତ ପିପାସୁର ରକ୍ତପିପାସା ଚରିତାର୍ଥ କରିବା ସଦୃଶ ବୋଲି କଦର୍ଥ କରିଛନ୍ତି । ଏହାର ଯଥାର୍ଥ ଉତ୍ତର ଦେଇ ଲାବଣ୍ୟବତୀ ମୁଖବନ୍ଧରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି କହିଛନ୍ତି, ଏହାର ପ୍ରକୃତ ଅର୍ଥ ମଶା ମଶାରିରେ ବନ୍ଦି ହୋଇ ଯେପରି ଅନ୍ୟତ୍ର ଯାଇପାରେ ନାହିଁ, ସେହିପରି ନାୟକର ମନ ନାୟିକାଠାରେ ଆସକ୍ତ, ଅନ୍ୟ କୌଣସି ବିଷୟ ପ୍ରତି ପ୍ରବର୍ତ୍ତେ ନାହିଁ । ନାୟିକା ନନ୍ଦିକାର ମନ ଚୋଡ଼ଗଙ୍ଗଦେବଙ୍କଠାରେ ଅସକ୍ତି ବୋଲି ରାଧାନାଥ ମଧ୍ୟ ଉପମା ଦେଇଛନ୍ତି ।

 

ସୁପ୍ତ ନୃପତିଙ୍କ ମସ୍ତକରୁ ମଣି ଚୋରାଇ ଦକ୍ଷିଣରେ ଥିବା ସୁଡ଼ଙ୍ଗ ଦ୍ଵାର ଖୋଲି ବିଡ଼ାନାସୀ ଦୁର୍ଗରୁ ବାହାରି ପୂର୍ବମୁଖୀ ହୋଇ ଚୋଡ଼ଗଙ୍ଗଙ୍କ ସାକ୍ଷାତ ପାଇଁ ତାଙ୍କ ଶିବିରରୁ ଦୌଡ଼ିଲା ନନ୍ଦିକା । କଟକର ସତୀଚୌରା ମଶାଣିର ଅଦୂରରେ ବାଇମୁଣ୍ଡିର ଅନୁରୋଧ କ୍ରମେ ମର୍କତ କେଶରୀଙ୍କ ଦ୍ଵାରା ନିର୍ମିତ ପଥର ବନ୍ଧରେ ଗୋଟିଏ ଦେବୀ ମନ୍ଦିର ଅଦ୍ୟାବଧି ରହିଛି । ତହିଁରେ ଦୁର୍ଗା, କାଳୀ ଓ ଲକ୍ଷ୍ମୀ ମୂର୍ତ୍ତି ପୂଜା ପାଆନ୍ତି । ସେହି ସୁଡ଼ଙ୍ଗର ଦ୍ଵାର ଏହି ଦେବୀ ମନ୍ଦିରକୁ ଥିଲା ବୋଲି ଜନଶ୍ରୁତି ଅଛି । ବିଡ଼ାନାସୀ ଗଡ଼ ସୁଡ଼ଙ୍ଗ ଦ୍ଵାର, ନନ୍ଦିକେଶ୍ୱରୀ ପଠା ଓ ସୁବର୍ଣ୍ଣକେଶରୀ ଶେଷଜୀବନ କଟାଇଥିବା ଅଂଶୁପା ହ୍ରଦ ନିକଟବର୍ତ୍ତୀ ସରଣ୍ଡା ପାହାଡ଼ ପାଖରେ ସୁବର୍ଣ୍ଣପୁର ନାମଗୁଡ଼ିକୁ ରାଧାନାଥ ଉପଯୁକ୍ତ ଭାବରେ ବ୍ୟବହାର କରି ଏହି କାଳ୍ପନିକ କାବ୍ୟକୁ ଜୀବନ୍ତ କରିଛନ୍ତି ।

 

ନାୟିକା ନନ୍ଦିକା ଚୋଡ଼ଗଙ୍ଗଙ୍କ ପାଖରେ ଉପସ୍ଥିତ ହେବାବେଳର ରୂପଶୋଭା ବର୍ଣ୍ଣନା କରି କବି ଲେଖିଛନ୍ତି -

ସରଳ ଶରୀର ଶାଳଲତା ଭଳି

ସୁକୁମାର ଅଙ୍ଗ, ଶରଦିନ୍ଦୁ ଜିଣା ବଦନ କମଳ

ଦର୍ପକ-ଦର୍ପଣ କପୋଳ-ଫଳକ ।

 

ସୁଧାକର- କରେ କରେ ଜକମକ ।

ରତ୍ନଛଳେ ଆହା ରସିକର ଚିତ୍ତ

ନିତମ୍ବେ ରସନାଗୁଣେ କି ଗ୍ରଥିତ ?

 

ମାତ୍ର ସଂଯମୀ ଚୋଡ଼ଗଙ୍ଗ ସେହି ଜୈତ୍ରମଣିକୁ ଗ୍ରହଣ କରିବା ପରିବର୍ତ୍ତେ ନନ୍ଦିକାକୁ ଭର୍ସନା କରିଛନ୍ତି,

 

“ପବିତ୍ର କେଶରୀ ବଂଶେ ଜାତ ହୋଇ

ଦେଶ ଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ

ତିନି ମହାପାପ ଏକ କରଣୀରେ

ଅଭୂତ ସାଧନା ତୋର ଧରଣୀରେ ।”

 

ନନ୍ଦିକାଙ୍କୁ ଶିବିକାରେ ବସାଇ ଫେରାଇ ଦେଇଛନ୍ତି ବିଡ଼ାନାସୀ ଗଡ଼କୁ ସସମ୍ମାନେ ଦୂତ ଓ ରକ୍ଷୀଙ୍କ ଗହଣରେ । ପିତାଙ୍କ ନିକଟକୁ ପତ୍ରଟିଏ ଲେଖି ମଣି ଚୁମ୍ବନ କରି ଆତ୍ମହତ୍ୟା କରିଥିଲା ନନ୍ଦିକା । ଚୋଡ଼ଗଙ୍ଗଙ୍କ ଚାରିତ୍ରିକ ଉତ୍କର୍ଷ ଏଥିରେ ପ୍ରତିଫଳିତ ।

 

ପାର୍ବତୀ କାବ୍ୟରେ କଞ୍ଚୁକୀ ମୁଖରେ ଗଙ୍ଗେଶ୍ଵରଙ୍କ ପରିଚୟ ଦେଇ କହିଛନ୍ତି,

 

“ପୁଣ୍ୟଶ୍ଳୋକ ଚୋଡ଼ଗଙ୍ଗର ଅଙ୍ଗଜ ।

ହୋଇ ହେଲେ ଏତେ କ୍ରୁର,

ମଦେ ମତ୍ତ ହୋଇ ନିତ୍ୟ ମଣନ୍ତି ଯା

ସ୍ୱଭାବେ କ୍ଷଣ ଭଙ୍ଗୁର ।

କେହି ରହିନାହିଁ ରହିବ ନାହିଁଟି

ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳବଳେ”

 

ଏହିପରି ଏକ ଶାଶ୍ୱତ ପଦ ରାଧାନାଥଙ୍କ ଅମର ଲେଖନୀ ନିଃସ୍ରୁତ ।

 

‘ଚନ୍ଦ୍ରଭାଗା’ର ଆରମ୍ଭ ଶ୍ରୀକ୍ଷେତ୍ରରେ ପୁଷ୍ୟାଭିଷେକ ଉତ୍ସବରୁ । ପାର୍ବତୀ କାବ୍ୟର ଆରମ୍ଭ ନୀଳାଚଳର ଦୋଳ ମହୋତ୍ସବ ବର୍ଣ୍ଣନାରୁ । ଉଷା କାବ୍ୟର ଶେଷରେ ଦେବୀ କାଳିକାଙ୍କ ମୁହଁରେ ବର୍ଣ୍ଣିତ ପଞ୍ଚଲିଙ୍ଗେଶ୍ୱରରେ ପାଳିତ ଶିବ ଚତୁର୍ଦ୍ଦଶୀ ଉତ୍ସବ ଓ ତହିଁରେ ଚିତ୍ରରଥ ଓ ତିଳୋତ୍ତମାଙ୍କ ଶିବ ଓ ଶିବା ଭୂମିକାରେ ଅଭିନୟର ବର୍ଣ୍ଣନା ।

 

ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କର କାମଦେବଙ୍କୁ ବତାଇ ଛଡ଼ାଇନେବା ଭର୍ତ୍ସନା ଓ ସୂର୍ଯ୍ୟଙ୍କ ପ୍ରତି କାମଙ୍କ ପୁଷ୍ପଶର ପ୍ରୟୋଗ ଓ ଉଷାରେ ଦେବୀ କାଳିକାଙ୍କ ଅଭିଶାପ ଫଳରେ ଚିତ୍ରରଥ ତିଳୋତ୍ତମାଙ୍କର ମର୍ତ୍ତ୍ୟପୁରରେ ଜୟନ୍ତି ଓ ଉଷା ନାମରେ ଜନ୍ମଗ୍ରହଣ ଆଦି ବିଷୟ କବିଙ୍କ କଳ୍ପନା ପ୍ରସୂତ ।

 

ନୁରୁ ନୃପ ନନ୍ଦିନୀ ଉଷାର ତେଜୋମୟୀ ଦୃପ୍ତ ରୂପ ଶୋଭା କବିଙ୍କ ଲେଖନୀରେ ରୂପାୟିତ ।

 

“ଆନିତମ୍ବ-ଲମ୍ବି କେଶ ଗୁଚ୍ଛେ ଶୋଭୁଥାଇ ଚରମ,

ଦର୍ଶକ ହୃଦୟେ ଉପୁଜାଇ ନୀଳ ଭୁଜଙ୍ଗୀ ଭ୍ରମ ।

ସ୍ଵର୍ଣ୍ଣ ସାରସନେ କୃଶୋଦରୀ କୃଶ କଟୀ ଜଡ଼ିତ,

କବଚେ ଆବୃତ ସଞ୍ଚ ଘଞ୍ଚ ସ୍ତନ-କଳି ଲଳିତ’

ଆକର୍ଣ୍ଣ ବିସ୍ତାରୀ ନେତ୍ରେ ଉଠୁଥାଇ ଭାବତରଙ୍ଗ

ତୂଳିରେ ବିଚିତ୍ର ପ୍ରାୟେ ଚାରୁଭୁରୁ କାମ ଶାରଙ୍ଗ ।

ହେଳେ ନେଉଥାଇ ଦେଖଣାହାରୀଙ୍କ ହୃଦୟ ହରି

ଜଗତ ଯୋଷାଙ୍କ ଖୋଷାଭୂଷା ସେହି ଉଷା ସୁନ୍ଦରୀ ।

ଯୁବତୀ ସୁଲଭ ସୌନ୍ଦର୍ଯ୍ୟ ମିଶିଲା ଶୌର୍ଯ୍ୟ ପ୍ରଖର,

ବେନି ଗୁଣ ମିଳି କଲେ ରମଣୀକି ରୁଦ୍ର-ସୁନ୍ଦର ।”

ଚନ୍ଦ୍ରଭାଗାର ରୂପ ବର୍ଣ୍ଣନା ମଧ୍ୟ ଅତୀବ ମନୋହର ।

ନେତ୍ର ଯୁଗେ ଯୁବା ପିଅନ୍ତି ଯେଉଁ ରୂପ ଅମୃତ,

ସେ ଅମୃତେ କଲା ଯୌବନ ବାଳା ତଳୁ ଧଉତ ।

ସ୍ୱଭାବେ ସୁବର୍ଣ୍ଣ, ଯୌବନ ହେଲା ଯୋଗ୍ୟ ରସାଣ

ରୂପାସ୍ତ୍ରର ହେଲା ରୂପସୀ ଷଷ୍ଠ ଅମୋଘ ବାଣ ।”

 

ଚିଲିକା କାବ୍ୟରେ ଗଜଦନ୍ତର ତରୀରେ ବସି ଆସୁଥିବା ପଦ୍ମାବତୀ,

 

“ତହିଁ ସିଂହାସନେ ସୁନ୍ଦରୀ ଆସୀନା,

ଜଗତେ ତୁଳନା ସେହି ତା’ର ସିନା,

ପାରିଜାତ କୁଞ୍ଜେ ଇନ୍ଦିରା ସୁନ୍ଦରୀ

ସମୁଦ୍ର ମନ୍ଥନୁ ବାହାରିଲା ପରି ।

“ବରଭୁଜେ ଚାଳି ଲୀଳା-ଅରବିନ୍ଦ

ସଂମ୍ଭ୍ରମେ ସୁନ୍ଦରୀ ତଡ଼ଇ ମିଳିନ୍ଦ ”

“ଦେବୀ ବୀଣାପାଣି ! କେଉଁ ପାପଫଳେ,

କରୁଣା ତୋହର ଊଣା ଏ ଉତ୍କଳେ ?

ସ୍ୱଭାବେ ଉତ୍କଳ ଶୋଭାର ବିଧାନ

ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ-

ବିନୁ ସିନା ମାତା ହୋଇଛ ବିବଶା

ଭଜିଛି ଅରଣ୍ୟ ପ୍ରସୂନର ଦଶା ।

କ୍ଷୁଦ୍ର ଶିକ୍ଷାସ୍ରୋତ ବିଖ୍ୟାତ ଜଗତେ

ମହାନଦୀ ନାମ ରହିଲା ଗୁପତେ ।”

 

ସରସ୍ୱତୀଙ୍କ କରୁଣା ଅଭାବରୁ ଉତ୍କଳ ରାଜ୍ୟ ଶୋଭାର ଭଣ୍ଡାର ହୋଇଥିଲେ ବି ବଣମଲ୍ଲୀ ପରି ବଣରେ ଫୁଟି ମଉଳି ଝଡ଼ିପଡୁଛି । ଉଜ୍ଜୟିନୀ ନିକଟବର୍ତ୍ତୀ ଛୋଟିଆ ନଈଟିଏ ଶିପ୍ରା-। କାଳିଦାସଙ୍କ ରଚନାରେ ସ୍ଥାନପାଇ ବିଶ୍ୱବିଖ୍ୟାତ; ମାତ୍ର ଓଡ଼ିଶାରେ ପ୍ରବାହିତ ମହାନଦୀ, ତା’ର ପ୍ରତ୍ୟେକ ବାଙ୍କରେ ଦେବ ଦେବୀ ମନ୍ଦିର ଓ ସେହି ନଦୀ ଏ ରାଜ୍ୟକୁ ସୁଜଳା ସୁଫଳା କରୁଥିଲେ ବି ତା’ର ନାମ ଗୁପ୍ତ । ଏଥିରେ କବିଙ୍କର ଜାତୀୟତା ବୋଧ ସ୍ପଷ୍ଟ । ପୁଣି ଏ ପ୍ରକାର ରଚନା ମଧ୍ୟରେ ପଦ ଶେଷରେ ଫଳେ, ଉତ୍କଳେ, ନିଧାନ, ଅଧିଷ୍ଠାନ, ବିବଶା, ଦଶା, ଜଗତେ, ଗୁପତେ – ଏହିପରି ଶେଷ ଅକ୍ଷର ଦୁଇଟି ମିଳନ ଘଟାଇଛନ୍ତି । ଏହି ଉପଧା ମିଳନ ମଧ୍ୟ ରାଧାନାଥର ନୂତନ ସୃଷ୍ଟି ।

 

ପ୍ରାଚୀନ ଓଡ଼ିଆ କାବ୍ୟରେ ରାଧାକୃଷ୍ଣ, ସୀତାରାମ ଆଦି ଠାକୁର ଭାବେ ପୂଜା ପାଉଥିବା ନାୟକ ନାୟିକା କିମ୍ବା ଲାବଣ୍ୟବତୀ ଚନ୍ଦ୍ରଭାନୁ ଭଳି ରାଜକନ୍ୟା ଓ ରାଜପୁତ୍ର କାବ୍ୟମାନଙ୍କରେ ସ୍ଥାନ ପାଉଥିଲେ । କବିବର ଉଷା ଜୟନ୍ତ ନନ୍ଦିକା ଗଙ୍ଗେଶ୍ୱର ଆଦି ରାଜନ୍ତଃପୁରବାସୀଙ୍କୁ କାବ୍ୟରେ ସ୍ଥାନ ଦେବା ସହିତ କେଦାର ଓ ଗୌରୀ ପରି ଗ୍ରାମ୍ୟ ଚରିତ୍ରମାନଙ୍କୁ ସ୍ଥାନ ଦେଲେ । ପ୍ରାଚୀନ କାବ୍ୟ ଗୁଡ଼ିକ ମିଳନାନ୍ତକ ଥିବା ବେଳେ ରାଧାନାଥଙ୍କ କାବ୍ୟ ଉଷା, ଚନ୍ଦ୍ରଭାଗା, ପାର୍ବତୀ, କେଦାରଗୌରୀ, ନନ୍ଦିକେଶ୍ଵରୀ ଆଦି କାବ୍ୟ ଗୁଡ଼ିକ କରୁଣ ତଥା ବିୟୋଗାନ୍ତକ କରି ପାଠକ ହୃଦୟରେ ସେମାନଙ୍କ ପ୍ରତି ସମବେଦନା ଜାଗ୍ରତ କଲେ ।

 

ମହାଯାତ୍ରା ପରି ମହାକାବ୍ୟ, ଚିଲିକା ପରି ଖଣ୍ଡକାବ୍ୟ, ଉଷା, ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ ପରି କାବ୍ୟମାନ ସୃଷ୍ଟିକରି ବିଭାଗୀକରଣ କରିଦେଲେ ।

 

“ଏହି କି ସେ ଆର୍ଯ୍ୟଭୂମି ? ଏ ଭୂମିର ସୁତ

ତୁମ୍ଭେ ଟିକି ଆର୍ଯ୍ୟନାମ ଦାୟାଦ ଜଗତେ ?

ବିନା ଯୁଦ୍ଧେ ନ ଦେବାର ସୂଚ୍ୟଗ୍ରେମେଦିନୀ

ପଣ ଯେଉଁ ଆର୍ଯ୍ୟଙ୍କର, ତାଙ୍କରି ଶୋଣିତ

ବହୁଛ କି ଆହେ ଯୋଦ୍ଧେ, ତୁମ୍ଭ ଧମନୀରେ ?”

 

ଦିଲ୍ଲୀଶ୍ୱର ପୃଥ୍ୱୀରାଜଙ୍କ ସେନାପତି ଅମର୍ଷୀ ଆପଣାର ସେନାମାନଙ୍କୁ ଦେଇଥିବା ଉଦ୍‌ବୋଧନ କବିବର ରାଧାନାଥଙ୍କ ଜନନୀ ଜନ୍ମଭୂମି ପାଇଁ ଦେଶବାସୀଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିବା ନିମନ୍ତେ ମଧ୍ୟ ଉକ୍ତ ବାଣୀ ଉଦ୍ଦିଷ୍ଟ । ଅମିତ୍ରାକ୍ଷର ଛନ୍ଦ ମାଧ୍ୟମରେ ବ୍ୟକ୍ତ କରିଥିବାରୁ ବୀରୋଚିତ ବୋଧ ହେଉଅଛି । ଓଡ଼ିଆରେ ଅମିତ୍ରାକ୍ଷର ଛନ୍ଦ ପ୍ରୟୋଗ କରିବାରେ ମଧ୍ୟ ସେ ପ୍ରଥମ ବ୍ୟକ୍ତି । ସମଗ୍ର ମହାଯାତ୍ରା ମହାକାବ୍ୟ ଏହି ରୀତି ଅନୁସୃତ । ଯଯାତି କେଶରୀ କାବ୍ୟରେ ପ୍ରେମ ପାଇଁ ଯଯାତିର ନାରୀବେଶଧାରଣ ଓ ଲଳିତା ସହ ପ୍ରେମ କରି ଧରାପଡ଼ିବା ଓଡ଼ିଆ କାବ୍ୟ ଜଗତରେ ଅଭିନବ ଘଟଣା । ରାଧାନାଥ ଗଦ୍ୟରଚନା କ୍ଷେତ୍ରରେ ଇତାଲୀୟ ଯୁବା (ଅନୁବାଦ) ଓ ବିବେକୀ ପରି ଚିନ୍ତାଶୀଳ ମୌଳିକ ସୃଷ୍ଟିପାଇଁ ଅବିସ୍ମରଣୀୟ । ଏତଦ୍‍ବ୍ୟତୀତ ପାର୍ବତୀକାବ୍ୟର ଉପସଂହାର, ଭ୍ରମଣ ଡାଏରୀର କିୟଦଂଶ ଆଦି ଲିଖିତ ଗଦ୍ୟାଂଶ ରାଧାନାଥଙ୍କ ଗଦ୍ୟଶୈଳୀର ପରିଚାୟକ ।

 

ପ୍ରକୃତି କବି ଭାବରେ ଦୁର୍ଗ, ନଦୀ, ବନ୍ଧ, ହ୍ରଦ ପର୍ବତ, ବନ ଗିରି ରାଧାନାଥଙ୍କ ରଚନାରେ ସ୍ଥାନ ପାଇଛି । ଓଡ଼ିଶାର ଭୌଗୋଳିକ ସ୍ଥାନଗୁଡ଼ିକ ଓ ସେଠାକାର ବୈଶିଷ୍ଟ୍ୟ ଏ ସମସ୍ତ ରୂପାୟନରେ ରାଧାନାଥଙ୍କ ଲେଖନୀ ବଳିଷ୍ଠ । ଦରବାର ପରି ବ୍ୟଙ୍ଗାତ୍ମକ ରଚନା ସୃଷ୍ଟିରେ ରାଧାନାଥ ଅଦ୍ୱିତୀୟ । ସ୍ଥାନେ ସ୍ଥାନେ କିମ୍ବଦନ୍ତୀଗୁଡ଼ିକୁ ଜୀବନ୍ତ ଭାବେ ଚିତ୍ରଣ କରି ସେଗୁଡ଼ିକୁ ବିଶ୍ୱାସ ଓ ସତ୍ୟରେ ପରିଣତ କରିଛନ୍ତି । ଉଷା କାବ୍ୟର ପୋଢୁଅଁ ପଦା ବା ପ୍ରଥମାପଦା, ଶୋଣିତ ପୁର ଆଦି ପ୍ରକୃଷ୍ଟ ଦୃଷ୍ଟାନ୍ତ । ‘ଚିଲିକା’ ହ୍ରଦ ରାଧାନାଥଙ୍କ ସୃଷ୍ଟି ନୁହେଁ, ମାତ୍ର ‘ଚିଲିକା’କୁ ଉତ୍କଳ କମଳାଙ୍କ ବିଳାସ ଦୀର୍ଘିକା ବା କ୍ରୀଡ଼ାସରୋବର କରି ବର୍ଣ୍ଣନା ତାଙ୍କର ଆବିଷ୍କାର । ଧବଳେଶ୍ୱର ସ୍ରୋତ୍ର, ଶ୍ରୀ କାଳିକା ସ୍ତୂତିଃ, ସତ୍ୟବାଦୀ, ଭାରତ ଗୀତିକା ଆଦି ତାଙ୍କର ସଂସ୍କୃତ ରଚନା ଗୁଡ଼ିକ ପ୍ରାଚୀନ ରଚନା ସଦୃଶ ଓ ଜନପ୍ରିୟ ।

 

ଲୋକମାନ୍ୟ ବାଳଗଙ୍ଗାଧର ତିଳକ ‘ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର’ ବୋଲି ଆନ୍ଦୋଳନ କଲେ ଏବଂ ମହାରାଷ୍ଟ୍ରରେ ଜାତୀୟତାବାଦର ଉଦ୍ରେକ କରିବାପାଇଁ ଗଣପତିଙ୍କର ପୂଜା ଓ ଶିବାଜୀ ମହାରାଜଙ୍କ ରାଷ୍ଟ୍ରୀୟତାର ପ୍ରଚାର କରି ଦେଶବାସୀଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କଲେ । କବିବର ରାଧାନାଥ ଉତ୍କଳୀୟମାନଙ୍କୁ ‘ସ୍ଵରାଜ୍ୟ’ ସଂପର୍କରେ ସଚେତନ କରାଇବା ପାଇଁ ଲେଖିଲେ ଶିବାଜୀଙ୍କର ଉତ୍ସାହବାଣୀ । ସରକାରୀ କର୍ମଚାରୀ ଥିଲେ ହେଁ ଦେଶପ୍ରେମରେ ଦେଶବାସୀଙ୍କୁ ଉଜ୍ଜୀବିତ କରିବାପାଇଁ ପରୋକ୍ଷଭାବରେ ପ୍ରେରଣା ଦେଉଥିଲେ ।

 

“ଉଠ ଉଠ ଆହେ ସମଯୋଧଗଣ

କରେ କରବାଳ ପଶ ସମରେ”

 

ଏବଂ ମହାଯାତ୍ରାରେ ଅମର୍ଷିଙ୍କ ମୁଖରେ ମଧ୍ୟ ଅନୁରୂପ ପ୍ରତିଧ୍ୱନି ।

 

“ହାଧିକ ! ଏ ରଙ୍କପ୍ରାଣ ଆତଙ୍କେ ବଞ୍ଚାଇ

ଆଶୁ ମୃତ୍ୟୁପ୍ରଦ ରଣୁ, ଅରପି ଯବନେ

ନିଜର ଏ ସ୍ୱର୍ଣ୍ଣପ୍ରସୂ ଭୂମି ସନାତନୀ

ଯାପିବ କି ଦିନଟିର ଅନଶନବ୍ରତେ

କଳ୍ପଲତା ମୂଳେ ବସି ଚିର ଉପବାସୀ !

ତୃଷାର୍ତ୍ତ ନିରତେ ରହି ସୁରଧୁନି-ତୀରେ !

ଦିଗ୍‍ବିଜୟୀ-ଆର୍ଯ୍ୟସିଂହ-ଔରସେ ଜନମି

ହେଲ କି ଅକ୍ଷମ, ଆହା ନିଜସ୍ୱର କ୍ଷଣେ ।

 

ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ବା ପୁଲକବାଦୀ ଚେତନା ଜାଗ୍ରତ କରିବାରେ ରାଧାନାଥ ହେଉଛନ୍ତି ପ୍ରଥମ । ଧରାବନ୍ଧା ବା ଗତାନୁଗତିକତା ପରାଙ୍ମୁଖ, ବୟକ୍ତିକତା-ପ୍ରାଧାନ୍ୟ ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱାରୋପ, ସାହସ, ବୀରତ୍ୱ, ପ୍ରକୃତିର ବିପୁଳ ବୈଚିତ୍ର୍ୟ ପ୍ରଦର୍ଶନ, ମାନବିକତା, ଚିତ୍ତ ମୁକ୍ତି ଓ ଚିନ୍ତା ନିଷ୍କୃତି, ଆଧ୍ୟାତ୍ମିକତା, କୌତୁହଳତା, କ୍ଷୁବ୍ଧତା, ଦୁଃସାହସିକତା, ଚମକ ସୃଷ୍ଟିକାରୀ ଓ ଉତ୍ତେଜନାମୟୀ ଘଟଣା ବର୍ଣ୍ଣନା ରୋମାଣ୍ଟିକ୍ ସାହିତ୍ୟର ବୈଶିଷ୍ଟ୍ୟ । ଏତଦ୍‌ବ୍ୟତୀତ ପ୍ରେମ ଓ ସୌନ୍ଦର୍ଯ୍ୟବୋଧ, ଅତୀତ ବା ପରଂପରା ପ୍ରତି ଆସକ୍ତି ବିଷାଦବାଦ, ରୂପକଳ୍ପ, ରହସ୍ୟବୋଧ ଓ ସାଙ୍ଗୀତିକତା ଆଦି ପ୍ରତ୍ୟେକ ବିଭାଗରେ ରାଧାନାଥଙ୍କ ସୃଷ୍ଟି ସଂପଦ ପରିପୂର୍ଣ୍ଣ ।

 

ସର୍ବଶୋଭା ସୀମନ୍ତର ଟୀକା ପ୍ରଭୃତିର ଚାରୁ ଆଲେଖ୍ୟ-ଶାଳିକା, ଚିଲିକାକୁ ସୁଖୀପ୍ରାୟ ମଣି ତା’ଠାରୁ ବିଦାୟ ନେବା ଅବସରରେ ଏ ସୁଖର ଭାଜନ ନହୋଇଥିବାରୁ ପୁନଶ୍ଚ ଦାରୁଣ ସଂସାରକୁ ଫେରିଯିବାର ମାନସିକ ଯାତନା ପ୍ରକାଶ କରି କବି କହିଛନ୍ତି,-

 

ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହଇ, ଜୀବନ୍ତ ମରଣ !

ଚିରଦିନ ଦୁଃଖ ପ୍ରହାରେ ଜର୍ଜର

ପଟ୍ଟଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର ।”

 

ଏହି ବିଷାଦବାଦ କବିଙ୍କର ରଚନାରେ ବହୁଳ ପରିମାଣରେ ଦୃଷ୍ଟହୁଏ ।

 

ରାଧାନାଥଙ୍କ ସୃଷ୍ଟିରେ ପ୍ରକୃତିପ୍ରୀତି, ପ୍ରେମ ଓ ପ୍ରଣୟ, ଜାତୀୟତା ତଥା ଦେଶାତ୍ମବୋଧ ଆଦି ସଂପର୍କରେ ଭୂରି ଭୂରି ଦୃଷ୍ଟାନ୍ତ ମଳିଥାଏ ।

 

ମହାଯାତ୍ରାରେ ନୈମିଷାରଣ୍ୟ ବର୍ଣ୍ଣନାରେ ରୂପକଳ୍ପ ପରିଷ୍ଫୁଟ ।

 

“ଯତୀନ୍ଦ୍ରେ ଆଧ୍ୟାତ୍ମବାଦ ଅବିରତେ ରତ,

ଯହିଁ ଆଧ୍ୟାତ୍ମିକ ଯାଗେ ହୃଦବେଦୀ ଯହିଁ

ଆତ୍ମା ଯଜମାନ, ଶ୍ରଦ୍ଧା ପତ୍ନୀ ସ୍ୱରୂପିଣୀ,

ତପବହ୍ନି, କାମ ଆଦ୍ୟ କ୍ରୋଧ ଯଜ୍ଞ ପଶୁ

ଧୈର୍ଯ୍ୟ ଯୂପ, ତ୍ୟାଗ ହୋତା, ବଚନ ଉଦ୍‌ଗାତା,

ସୋମରସ ସୁମଧୁର ଉକ୍ତି ଅଧୋକ୍ଷଯେ ।”

 

‘ଚିଲିକା’ରେ ସନ୍ଧ୍ୟାକାଳରେ ନାବିକମାନେ ମାଛ- ମାନଙ୍କୁ ଧରିବାପାଇଁ ନାବମାନଙ୍କରେ ଆଲୋକ ଜାଳିବା ପ୍ରସଙ୍ଗ ମଧ୍ୟ ଏହିପରି ରୂପକଳ୍ପର ପରିପ୍ରକାଶ ।

 

“ମୀନ ଆକର୍ଷଣ ଆଖେ ପୋତପାଳ,

ତରଣୀରେ ଜାଳି ଦେଲାଣି ମଶାଲ ।

ଭବେ ପାପମୂର୍ତ୍ତି ପରି ଅଟଇ ସେ ;

ସ୍ୱର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ ।

ପାପ ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,

ତାରାଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ’ I”

 

ଜଗତ ଓ ଜୀବନ ସଂପର୍କରେ ରହସ୍ୟବାଦୀ ଦୃଷ୍ଟିଭଙ୍ଗୀ ଦରବାର, ଚିଲିକା ଓ ମହାଯାତ୍ରାରେ ବିଦ୍ୟମାନ । ସଂସ୍କୃତ ଭୈରବୀ ରାଗର ରଚନାଠାରୁ ଓଡ଼ିଆରେ ବଙ୍ଗଳାଶ୍ରୀ, ରାମକେରୀ, କାଳୀ, ଖଣ୍ଡ କୁମ୍ଭକାମୋଦୀ, କଳହଂସ କେଦାର, ନଟବାଣୀ ବୃତ୍ତ , ଓ ଅମିତ୍ରାକ୍ଷର ଛନ୍ଦ ଆଦି ପ୍ରାଚୀନ ଓ ଆଧୁନିକ କାଳରେ ସାଙ୍ଗୀତିକତାରେ ପୂର୍ଣ୍ଣ କରିଛନ୍ତି ରାଧାନାଥ । ପ୍ରାଚୀନତା ସହିତ ଆଧୁନିକତାର ଅପୂର୍ବ ସମନ୍ୱୟରେ ରାଧାନାଥ ଏକ ଅଭିନବ ଯୁଗ ସୃଷ୍ଟି କରି ଯୁଗସ୍ରଷ୍ଟା ଭାବରେ ଓଡ଼ିଆ ସାହିତ୍ୟରେ ଅକ୍ଷୟ ଯଶର ଅଧିକାରୀ ।

 

ନିର୍ମଳ କୁଟୀର,

କଟକ- ୯

 

***

 

ସାହିଯାତ୍ରାର ସ୍ଵରୂପ ବୈଶିଷ୍ଟ୍ୟ

ନୀଳାଦ୍ରିଭୂଷଣ ହରିଚନ୍ଦନ

 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାରାବର୍ଷ ବହୁ ପର୍ବ ପର୍ବାଣି ଅନୁଷ୍ଠିତ ହୁଏ । କେତେକ ଗୁରୁତ୍ୱପୂର୍ଣ୍ଣ ପର୍ବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ମେଳଣ (ମିଳନ ଉତ୍ସବ) ହୋଇଥାଏ । ଏହି ମେଳଣ ହେଉଛି ବିଭିନ୍ନ ଗ୍ରାମର ଦେବଦେବୀମାନଙ୍କର ମିଳନ । ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରା ସହ ସୁସଜ୍ଜିତ ବିମାନରେ ଦେବଦେବୀମାନଙ୍କର ଚଳନ୍ତି ପ୍ରତିମାନଙ୍କୁ ଆଣି ଗ୍ରାମବାସୀମାନେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିତ ହୁଅନ୍ତି । ବହୁଲୋକ ସମାଗମ ହେତୁ ଏଠାରେ ଦର୍ଶକମାନଙ୍କ ମନୋରଞ୍ଜନ ଲାଗି ସଙ୍ଗୀତାନୁଷ୍ଠାନ ଓ ଯାତ୍ରାନୁଷ୍ଠାନମାନ କରାଯାଇଥାଏ । ନୃତ୍ୟ, ନାଟ୍ୟ, ସଂଗୀତର ସମାବେଶରେ ମେଳଣୀ ପଡ଼ିଆ ବା ମିଳନ ପ୍ରାନ୍ତରଟି ଅଧିକ ଉତ୍ସବମୟ ହୋଇଉଠେ-। ଏହି ମିଳନ ବା ମେଳଣ ପୁରପଲ୍ଲୀରେ ‘ଯାତ୍ରା’ ଭାବରେ ପରିଚିତ । ପ୍ରତ୍ୟେକ ଗ୍ରାମର ଶୋଭାଯାତ୍ରା ନୃତ୍ୟ, ଗୀତ ଓ ନାଟ୍ୟାଭିନୟ ସମନ୍ୱିତ ହୋଇ ଆଗେଇ ଚାଲେ । ଏହା ଏକ ଏକ ଶୋଭାଯାତ୍ରା ମୂଳକ ନାଟ୍ୟାନୁଷ୍ଠାନ ।

 

ସମଗ୍ର ଓଡ଼ିଶାରେ ବହୁ ଶୋଭାଯାତ୍ରାମୂଳକ ନାଟ୍ୟାନୁଷ୍ଠାନ ରହିଥିଲେ ମଧ୍ୟ ପୁରୀ ସାହିଯାତ୍ରାର ଏକ ସ୍ଵତନ୍ତ୍ର ଐତିହ୍ୟ ରହିଛି । ପ୍ରାଚୀନତା, ପାରଂପରିକତା, ବିଶାଳତା ଓ ସମୃଦ୍ଧି ଦୃଷ୍ଟିରୁ ଏହା ଅନନ୍ୟ ।

 

ନାଟ୍ୟଧର୍ମୀ ଶୋଭାଯାତ୍ରା ବା ଶୋଭାଯାତ୍ରାରେ ପ୍ରଦର୍ଶିତ ସଂକ୍ଷିପ୍ତ ନାଟ୍ୟାଭିନୟକୁ ପ୍ରାଚୀନତମ ଲୋକନାଟ୍ୟର ପରିସରଭୁକ୍ତ କରାଯାଇପାରେ । ଲୋକନାଟ୍ୟର ସୃଷ୍ଟି ପୂର୍ବରୁ ତୀର୍ଥଯାତ୍ରା ସମୟରେ ଦେବ ମହିମା ପ୍ରଚାର ଲାଗି ଉଦ୍ଦିଷ୍ଟ ଯେଉଁ ସଂକ୍ଷିପ୍ତ ନାଟ୍ୟମାନ ପ୍ରଦର୍ଶନ କରାଯାଉଥିଲା, ତାହା ପରବର୍ତ୍ତୀ କାଳରେ ବିଧିବଦ୍ଧ ଲୋକନାଟ୍ୟ ସୃଷ୍ଟି କରିବା ଦିଗରେ ସହାୟକ ହୋଇଥିଲା । ତୀର୍ଥଯାତ୍ରାର ମଧ୍ୟାନ୍ତର ବିରତି କାଳରେ ଅନୁଷ୍ଠିତ ଏହି ନାଟ୍ୟାଭିୟନମାନ ହେଉଛି ଶୋଭାଯାତ୍ରାମୂଳକ ନାଟ୍ୟାନୁଷ୍ଠାନର ପୂର୍ବାବସ୍ଥା । ଦେବ ଦେବୀମାନଙ୍କ ମହିମା ସଂବଳିତ କୌଣସି ସଂକ୍ଷିପ୍ତ ବିଷୟ ତୀର୍ଥଯାତ୍ରୀମାନଙ୍କଦ୍ଵାର ସ୍ଵତଃସ୍ଫୁର୍ତ୍ତ ଭାବେ ଅଭିନୀତ ହେଉଥିଲା । ଏହାଥିଲା ସ୍ୱାଭାବିକ ଅଭିନୟ । ଏଥିରେ ବେଶସଜ୍ଜା ବା ରୂପସଜ୍ଜା କିମ୍ବା ମଂଚ ନିର୍ମାଣର ଆବଶ୍ୟକତା ନଥିଲା । ଏଥିରୁ ପରବର୍ତ୍ତୀ ସମୟରେ ଶୋଭାଯାତ୍ରା ମୂଳକ ନାଟକର ସୃଷ୍ଟି । ଧର୍ମୀୟ ମିଳନ ଉପଲକ୍ଷେ ହିଁ ଏହି ପ୍ରକାର ନାଟକ ଅଭିନୀତ ହେଉଥିଲା ।

 

ଓଡ଼ିଶାରେ ଶୋଭାଯାତ୍ରାମୂଳକ ନାଟ୍ୟାନୁଷ୍ଠାନ ଖ୍ରୀଷ୍ଟପୂର୍ବ ସମୟରୁ ପ୍ରଚଳିତ ଥିଲା । ବିଧିବଦ୍ଧ ଲୋକନାଟ୍ୟର ପ୍ରବର୍ତ୍ତନ ପୂର୍ବରୁ ଏପରି ଲୋକନାଟ୍ୟ ରହିଥିବା କଥା ଅନୁମାନ କରିବା ସ୍ୱାଭାବିକ । ଖାରବେଳଙ୍କ ରାଜତ୍ୱକାଳରେ ବିଭିନ୍ନ ସମୟରେ ଶୋଭାଯାତ୍ରାମୂଳକ ନାଟ୍ୟାନୁଷ୍ଠାନ କରାଯାଉଥିବାର ସୂଚନା ହାତୀଗୁମ୍ଫା ଶିଳାଲେଖରୁ ପ୍ରାପ୍ତ ହୋଇଥାଏ । ଏହି ଶିଳାଲେଖଟିରେ ଖାରବେଳଙ୍କ ରାଜତ୍ୱକାଳର ବର୍ଷାନୁକ୍ରମିକ ସଂକ୍ଷିପ୍ତ ବିବରଣୀ ପାଲିଭାଷାରେ ଖୋଦିତ ହୋଇଛି । ଶୋଭାଯାତ୍ରା ଓ ନାଟ୍ୟାନୁଷ୍ଠାନର ସ୍ଥିତି ସଂପର୍କିତ ସୂଚନାଗୁଡ଼ିକର ସଂସ୍କୃତ ଓ ଓଡ଼ିଆ ଅନୁବାଦ ନିମ୍ନରେ ପ୍ରଦାନ କରାଯାଉଛି ।

 

୪.

ତୃତୀୟେ ପୁନର୍ବର୍ଷେ ଗନ୍ଧର୍ବ ବେଦବୁଧଃ ଦର୍ପ-ନୃତ-ଗୀତ-ବାଦିତ୍ର ସଂଦର୍ଶ-ବୈରୁତ୍ସବଃ ସମାଜ କାରଣାଭିଶ୍ଚ କ୍ରୀଡ଼ାପୟତି ନଗରୀମ୍ II

 

(ପୁଣି ତୃତୀୟ ବର୍ଷରେ ଗନ୍ଧର୍ବ ବିଦ୍ୟାନିପୁଣ ମହାରାଜା ଦର୍ପ ନୃତ୍ୟ ଗୀତ ବାଦିତ୍ରର ସମାରୋହରେ ଶୋଭାଯାତ୍ରା ସଂଦର୍ଶନ କରାଇ ଓ ନାନା ସମାଜ (ନାଟ୍ୟାଭିନୟ) ଉତ୍ସବର ଆୟୋଜନ କରି ନଗରୀକୁ ଆନନ୍ଦ ଦାନ କରିଥିଲେ ।

 

ସପ୍ତମେଚ ବର୍ଷେ ଅସିଛତ୍ର ଧ୍ୱଜ ରଥ ରକ୍ଷୀ ତୁରଙ୍ଗ ଶତଘଟାନାଂ ସର୍ବତ୍ର ସନ୍ଦର୍ଶନଂ ସର୍ବମଙ୍ଗଳାନିଚ କାରାପୟତି ଶତ ସହସ୍ରୈଃ ।।

 

(ରାଜତ୍ଵର ୭ମ ବର୍ଷରେ ମହାରାଜା ଶତ ସହସ୍ର ମୁଦ୍ରା ବ୍ୟୟକରି ଅସିଛତ୍ର ଧ୍ୱଜ ରଥ ରକ୍ଷୀ ତୁରଙ୍ଗ ସମାରୋହ ପୂର୍ଣ୍ଣ ଶୋଭାଯାତ୍ରା ପ୍ରଦର୍ଶନ କରାଇ ବିଜୟୋତ୍ସବ ପାଳନ କରିଥିଲେ) ।

 

୯ .

ଅଷ୍ଟମେଚ ବର୍ଷେ... କଳିଙ୍ଗ ଯାତି ପଲ୍ଲବଭାର କଳ୍ପବୃକ୍ଷ ହୟଗଜନର ରଥୈଃ ସହ ଯାତି ।

 

(ଅଷ୍ଟମ ବର୍ଷରେ ସେ ପଲ୍ଲବମୟ କଳ୍ପବୃକ୍ଷକୁ ନେଇ ହୟ, ଗଜ, ନର ଓ ରଥ ପରିପୂର୍ଣ୍ଣ ଶୋଭାଯାତ୍ରା ସହିତ କଳିଙ୍ଗ ପ୍ରତ୍ୟାବର୍ତ୍ତନ କରିଥିଲେ)

 

୧୩ .

ଦ୍ଵାଦଶଚ ବର୍ଷେ..... ନନ୍ଦରାଜନୀତଂ କଳିଙ୍ଗ ଜିନାସନଂ ଅଂଗମଗଧେଭ୍ୟଃ କଲିଂଗମାନୟତି ହୟଗଜ ସେନା ବାହାନ ସହସ୍ରୈଃ ।

 

(ଦ୍ଵାଦଶ ବର୍ଷରେ ନନ୍ଦରାଜା ନେଇ ଯାଇଥିବା କଳିଙ୍ଗ ଜିନାସନକୁ ସହସ୍ର ସହସ୍ର ହୟ, ଗଜ, ସେନାବାହନ ସମଭିବ୍ୟାହାରରେ କଳିଙ୍ଗକୁ ଅଣାଇଥିଲେ) ।

 

ଏହି ଉଦ୍ଧୃତିଗୁଡ଼ିକରୁ ସ୍ୱଷ୍ଟ ପ୍ରତିପାଦିତ ହୁଏ ଯେ ଦିଗ୍‌ବିଜୟୀ ଖାରବେଳ ବିଭିନ୍ନ ରାଜ୍ୟ ଜୟକରିବା ପରେ କଳିଙ୍ଗ ନଗରୀ ବା ରାଜଧାନୀରେ ବିଜୟ ଉତ୍ସବ ପାଳନ କରୁଥିଲେ । ଏହି ବିଜୟ ଉତ୍ସବରେ ଯେଉଁ ଶୋଭାଯାତ୍ରା କରାଯାଉଥିଲା, ସେଥିରେ ଛତ୍ର, ଧ୍ୱଜ, ରଥ, ଖଡ଼୍‍ଗାଦି ଅସ୍ତ୍ରଶସ୍ତ୍ର, ଘଟ, ଯୁଦ୍ଧାଶ୍ୱ ଓ ଯୁଦ୍ଧହସ୍ତୀ, ସୈନ୍ୟବାହିନୀ ପ୍ରଭୃତି ପ୍ରଦର୍ଶିତ ହେଉଥିଲା । ଏହା ପ୍ରଜାମାନଙ୍କ ମନରେ ଗୌରବବୋଧ ସୃଷ୍ଟି କରିବା ସଂଗେ ସଂଗେ ମନୋରଂଜନର ଏକ ମାଧ୍ୟମ ଭାବେ ଗୃହୀତ ହେଉଥିଲା । ଶୋଭାଯାତ୍ରା ସହିତ ସଂକ୍ଷିପ୍ତ ନାଟ୍ୟାଭିନୟ, ନୃତ୍ୟ ଓ ସଂଗୀତ ପ୍ରଭୃତି ସ୍ୱାଭାବିକଭାବେ ସଂପୃକ୍ତଥିଲା । ଏହା ଶିଳାଲେଖରେ ପ୍ରତ୍ୟକ୍ଷଭାବେ ଉଲ୍ଲିଖିତ ନହେଲେ ମଧ୍ୟ ଏଭଳି କାର୍ଯ୍ୟକ୍ରମର ସ୍ଥିତି ଅନୁମେୟ । ସ୍ୱତନ୍ତ୍ରଭାବେ ପ୍ରଜାମାନଙ୍କର ଚିତ୍ତବିନୋଦନ କରିବାଲାଗି ଗାନ୍ଧର୍ବ ବିଦ୍ୟାନିପୁଣ ମହାରାଜ ଖାରବେଳ ପଶୁଯୁଦ୍ଧ, ନୃତ୍ୟ, ଗୀତ, ବାଦ୍ୟ, ଏବଂ ନାଟ୍ୟାଭିନୟର ବ୍ୟବସ୍ଥା କରାଉଥିଲେ । ବିଭିନ୍ନ ନାଟ୍ୟକଳାର ସମାରୋହରେ ସମଗ୍ର ନଗରୀ ଆମୋଦିତ ହୋଇ ଉଠୁଥିଲା । ଏହି ସମାରୋହ ନଗର ପରିକ୍ରମା କରୁଥିଲା । ଖାରବେଳଙ୍କ ସମୟରୁହିଁ ଶୋଭାଯାତ୍ରାମୂଳକ ନାଟ୍ୟପ୍ରଦର୍ଶନ ଆରମ୍ଭ ହୋଇଥିବା କଥା ପ୍ରମାଣ ସିଦ୍ଧ । ଏହିପରି ବିଜୟ ଉତ୍ସବ ପାଳନ ଓ ପ୍ରଜାମାନଙ୍କର ଚିତ୍ତବିନୋଦନ ଉପରେ ଓଡ଼ିଶାର ପ୍ରତ୍ୟେକ ରାଜା ଗୁରୁତ୍ୱ ଦେଉଥିଲେ ଏବଂ ଏହା ଏକ ପରଂମ୍ପରାଭାବେ ଗୃହୀତ ହୋଇଯାଇଥିଲା । ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ନାଟ୍ୟକଳାର ଉତ୍କର୍ଷ ସାଧିତ ହୋଇଥିବା କଥା ସୁବିଦିତ । ତାଙ୍କ ସମୟରେ ବହୁ ସଂସ୍କୃତ କବି ଓ ନାଟ୍ୟକାରଙ୍କର ବିକାଶ ଘଟିଥିଲା । ପୁଣି ସେ ନିଜେ ଜଣେ, ନାଟ୍ୟକାର ଥିଲେ । ତାଙ୍କର ପୁତ୍ର ପୁରୁଷୋତ୍ତମ ମଧ୍ୟ ନାଟ୍ୟକାରଥିଲେ । ପର୍ଶୁରାମ ବିଜୟ ବ୍ୟାୟୋଗ କପିଳେନ୍ଦ୍ରଙ୍କ ନାଟ୍ୟ ପ୍ରୀତିର ସ୍ମାରକୀ । ଏହି ସଂସ୍କୃତ ନାଟକଟିରେ ସେ ଏକ ଓଡ଼ିଆ ଗୀତର ସଂଯୋଜନା କରି ଆପଣା ଉତ୍କଳୀୟ ପ୍ରୀତିର ପ୍ରମାଣ ଦେଇଛନ୍ତି ।

 

କପିଳେନ୍ଦ୍ରଙ୍କ ସମସାମୟିକ ମହାକବି ସାରଳାଦାସ ମହାଭାରତର ବହୁସ୍ଥଳରେ ଯୁଦ୍ଧଯାତ୍ରା ଓ ବିଜୟ ଉତ୍ସବର ବର୍ଣ୍ଣନା ଦେଇଛନ୍ତି । ମୂଳରୁ ଯୁଦ୍ଧଯାତ୍ରା ଗୁଡ଼ିକ ସହିତ ନୃତ୍ୟ, ଗୀତ, ବାଦ୍ୟ ଓ ନାଟ୍ୟ ସଂପୃକ୍ତ । ଏଗୁଡ଼ିକର କଳାତ୍ମକ ଦିଗକୁ ଅସ୍ୱୀକାର କରି ହେବନାହିଁ । ଏହି ଶୋଭାଯାତ୍ରାଗୁଡ଼ିକ ପ୍ରଜାମାନଙ୍କ ମନରେ ଆନନ୍ଦ ଉତ୍ସାହ ଓ ଗୌରବବୋଧ ସୃଷ୍ଟି କରୁଥିଲା । ବିଭିନ୍ନ ସମୟରେ ପାଣ୍ଡବମାନଙ୍କର ବିଜୟ ଉତ୍ସବ ପାଳନ ବର୍ଣ୍ଣନା କରିବା ଭିତରେ ସାରଳାଦାସ ପ୍ରକୃତ ପକ୍ଷେ କପିଳେନ୍ଦ୍ରଙ୍କ ବିଜୟ ଉତ୍ସବ ପାଳନର ଚିତ୍ର ଦେଇଛନ୍ତି । କୁରୁକ୍ଷେତ୍ର ଯୁଦ୍ଧକୁ ବା ରାଜସୂୟ ଯୁଦ୍ଧକୁ ବିଭିନ୍ନ ରାଜ୍ୟର ରାଜାମାନେ ବିରାଟ ସୈନ୍ୟ ସମାରୋହ ସହିତ ଆସୁଛନ୍ତି; ପ୍ରତ୍ୟେକ ଶୋଭାଯାତ୍ରା ସହିତ ନୃତ୍ୟ, ଗୀତ ଆଦି କଳାତ୍ମକ ଅନୁଷ୍ଠାନମାନ ସମନ୍ୱିତ ହୋଇଛି । ଗୌରବାବହ ଯୁଦ୍ଧର ଅବସାନ ପରେ ପ୍ରତ୍ୟେକ ଥର ବିଜୟ ଉତ୍ସବ ପାଳନ ଅବସରରେ ନୃତ୍ୟଗୀତାଦି ଅନୁଷ୍ଠାନ ସହ ସମାଜ ବା ନାଟ୍ୟାଭିନୟ କରାଯାଉଛି । ଏହିପରି ଭାବେ ଶୋଭାଯାତ୍ରା ସହ ନାଟ୍ୟକଳା ପ୍ରଦର୍ଶନ ପ୍ରାଚୀନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଆସିଛି ।

 

ପୁରାତନ କାଳରୁ ପ୍ରଚଳିତ ଶୋଭାଯାତ୍ରା ମୂଳକ ନାଟ୍ୟର ସ୍ଥିତି ଦୃଷ୍ଟିରୁ ସାହିଯାତ୍ରାର ପ୍ରାଚୀନତା ଅନୁମେୟ । ସାହିଯାତ୍ରାର ଉତ୍ପତ୍ତି କାଳ ସଂପର୍କରେ କୌଣସି ବୈଜ୍ଞାନିକ ପ୍ରମାଣ ନଥିଲେ ମଧ୍ୟ ନାଟ୍ୟଧର୍ମୀ ଶୋଭାଯାତ୍ରା ବିଧିବଦ୍ଧ ଲୋକନାଟ୍ୟର ପୂର୍ବରୂପ ହୋଇଥିବା ହେତୁ ଏପରି ଅନୁମାନ ଅଯଯାର୍ଥ ନୁହେଁ । ଏହା ପୁରୁଷୋତ୍ତମ ଜଗନ୍ନାଥଙ୍କର ଯାତ୍ରା ବା ତାଙ୍କର ଚିତ୍ତ ବିନୋଦନ ନିମିତ୍ତ ଉଦ୍ଦିଷ୍ଟ ଯାତ୍ରା । ସାହିଯାତ୍ରା ଜଗନ୍ନାଥଙ୍କର ଏକ ସେବା ଭାବେ ଗୃହୀତ । ବହୁପୁରାତନ କାଳରୁ ଏହା ପ୍ରଚଳିତ ହୋଇଆସୁଛି । ସାହିଯାତ୍ରାର ମୁଖ୍ୟ ଚରିତ୍ରଗୁଡ଼ିକ ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଏବଂ ତାଙ୍କଠାରୁ ଆଜ୍ଞାମାଳ ଲାଭକରିବା ପରେ ଯାତ୍ରାରେ ବାହାରନ୍ତି । ମନ୍ଦିରଠାରୁ ପ୍ରଥମଯାତ୍ରାରମ୍ଭ ହୁଏ । ପରମ୍ପରାନୁକ୍ରମେ ଜଗନ୍ନାଙ୍କର ପ୍ରଥମ ପ୍ରଧାନ ସେବକ ଗଜପତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସାହିରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାତ୍ରା କରିବା ପାଇଁ ବିଭିନ୍ନ ସାହି ଜଗନ୍ନାଥ ମନ୍ଦିରରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ପ୍ରସ୍ତୁତ ଖର୍ଚ୍ଚ ବା ସାହାଯ୍ୟ ପାଇଥାନ୍ତି । ତାହାକୁ ମନ୍ଦିର ତରଫରୁ ‘ଖେଇ’ ବୋଲି ସ୍ଥାନୀୟ ଲୋକମାନେ କହିଥାନ୍ତି । ଜଗନ୍ନାଥଙ୍କର ଚିତ୍ତବିନୋଦନ ମୂଳକ ସେବା ଭାବରେ ସାହିଯାତ୍ରା ବାଲିସାହି, ଦୋଳମଣ୍ଡପ ସାହି, ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ୱର ସାହି, କୁଣ୍ଢାଇବେଣ୍ଟ ସାହିପ୍ରଭୃତି ସାହିଗୁଡ଼ିକ ଦ୍ଵାରା ପ୍ରଯୋଜିତ ହୁଏ । ଦୀର୍ଘ ସାହିଦାଣ୍ଡ ମଧ୍ୟରେ ଏହି ଶୋଭାଯାତ୍ରାମୂଳକ ଯାତ୍ରା ଅନୁଷ୍ଠିତ ହୁଏ ବୋଲି ବୋଧହୁଏ ଏହାକୁ ସାହିଯାତ୍ରା କୁହାଯାଏ ।

 

ଶୋଭାଯାତ୍ରାରେ ସମସ୍ତ ସାହିବାସୀ ଆଗ୍ରହର ସହିତ ଯୋଗଦେଇଥାନ୍ତି । ଶୋଭାଯାତ୍ରା ଯେତିକି ଦୂର ଅଗ୍ରସର ହେଉଥାଏ, ରାସ୍ତାରେ ଅଧିକ ଅଧିକ ଦର୍ଶକ ସେଥିରେ ସମ୍ମିଳିତ ହେଉଥାନ୍ତି-। ଫଳରେ ଏହା ଦୀର୍ଘରୁ ଦୀର୍ଘତର ହୋଇଚାଲିଥାଏ । ଏହି ଦୀର୍ଘ ଶୋଭାଯାତ୍ରା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବେଶଧାରୀ ଚରିତ୍ରଗୁଡ଼ିକ ଅଭିନୟ ପ୍ରଦର୍ଶନ କରୁଥାନ୍ତି । ଶୋଭାଯାତ୍ରାରେ ଅଭିନେତାମାନଙ୍କ ବ୍ୟତୀତ ବାଦ୍ୟକାର, ସଂଗୀତ ଶିଳ୍ପୀ, ନୃତ୍ୟଶିଳ୍ପୀ ପ୍ରଭୃତି ରହି ଯାତ୍ରାର ଆକର୍ଷଣ ବୃଦ୍ଧି କରାଉଥାନ୍ତି । ବହୁ ଦର୍ଶକ ହାତତାଳି ଦେଇ, ଗୀତଗାଇ ନାଚି ନାଚି ଶୋଭାଯାତ୍ରାରେ ଚାଲିଥାନ୍ତି । ଅନ୍ୟମାନେ ଶୋଭାଯାତ୍ରା ସହିତ ମିଶି ଆନନ୍ଦ ଉପଭୋଗ କରୁଥାନ୍ତି । ଏହିପରି ଭାବେ ଅଧିକାଂଶ ଲୋକ ସାହିନାଟର କ୍ରମବର୍ଦ୍ଧମାନ ଶୋଭାଯାତ୍ରାର ଅଂଶୀଭୂତ ହୋଇଥାନ୍ତି । ଏହି ଆନନ୍ଦମୁଖରିତ ସମାରୋହରେ ଯେଉଁମାନେ ଯୋଗଦେଇଥାନ୍ତି, ସେମାନଙ୍କ ମଧ୍ୟରେ କୌଣସି ବାଳ, ବୃଦ୍ଧ, ଧନୀ, ନିର୍ଧନ, ଅଭିଜାତ, ସାଧାରଣ, ଉଚ୍ଚଜାତି, ନିମ୍ନଜାତିର ଭେଦଭାବ ନଥାଏ । ଜଣାପଡ଼େ ସମସ୍ତେ ଏକ ଓ ଅଭିନ୍ନ, ସମସ୍ତଙ୍କର ଲକ୍ଷ୍ୟ ଏକ । ଗୋଟିଏ ସାଂସ୍କୃତିକ ପରିମଣ୍ଡଳ ସମସ୍ତଙ୍କୁ ସମଭାବାପନ୍ନ କରି ମୈତ୍ରୀବଂଧନରେ ଆବଦ୍ଧ କରିଥାଏ । ସମସ୍ତେ ହୋଇଯାନ୍ତି ଏହି ବିରାଟ କଳାନୁଷ୍ଠାନର ଜଣେ ଜଣେ ଅଂଶ ଗ୍ରହଣକାରୀ ।

 

ମୁଖ୍ୟତଃ ରାମ, ଲକ୍ଷ୍ମଣ, ରାବଣ, ହନୁମାନ, ଅଂଗଦ, ନବଶିରା, ସପ୍ତଶିରା, ପର୍ଶୁରାମ ପ୍ରଭୃତି ରାମାୟଣ-ଚରିତ୍ରମାନେ ଶୋଭାଯାତ୍ରାରେ ବାହାରନ୍ତି । ରାମନବମୀ ପରଦିନଠାରୁ ଅର୍ଥାତ୍ ଦଶମୀଠାରୁ ଆରମ୍ଭ କରି ଯେଉଁ ସାହିନାଟ ଅନୁଷ୍ଠିତ ହୁଏ, ତାହା ଏକ ଶୋଭାଯାତ୍ରାମୂଳକ ରାମଲୀଳା ନାଟ୍ୟାଭିନୟ । ବିଭିନ୍ନ ଦିନରେ ବିଭିନ୍ନ ସାହି ପକ୍ଷରୁ କ୍ରମାନ୍ୱୟରେ ରାମାୟଣର ବିଭିନ୍ନ ପ୍ରସଙ୍ଗର ଅଭିନୟ ଆୟୋଜନ କରାଯାଇଥାଏ । ଗୋଟିଏ ପ୍ରସଙ୍ଗ ସମ୍ବଳିତ ନାଟକକୁ ପ୍ରସ୍ତାବ କୁହାଯାଏ । ଜଗନ୍ନାଥବଲ୍ଲଭ ମଠରେ ଗୋଟିଏ ପ୍ରସ୍ତବ ଅଭିନୟପରେ ଶୋଭାଯାତ୍ରା ବିଭିନ୍ନ ସାହି ପରିକ୍ରମା କରିଥାଏ ।

 

ଜଗନ୍ନାଥବଲ୍ଲଭ ମଠର ନାଟ୍ୟାଭିନୟ ପରମ୍ପରା ଅତ୍ୟନ୍ତ ପୁରାତନ । ସଂସ୍କୃତ ସାହିତ୍ୟର ପ୍ରାଧାନ୍ୟକାଳରେ ବିଶେତଃ ପ୍ରତାପରୁଦ୍ରଙ୍କ ରାଜତ୍ୱ ସମୟରେ ସଂସ୍କୃତ ନାଟକ ଗୁଡ଼ିକର ଅଭିନୟ ଜଗନ୍ନାଥବଲ୍ଲଭ ରଂଗମଞ୍ଚରେ ହେଉଥିବାର ଅନୁମାନ କରାଯାଏ । ରାୟ ରାମାନନ୍ଦ ତାଙ୍କର ଜଗନ୍ନାଥ ବଲ୍ଲଭ ନାଟକକୁ ଏହି ମଞ୍ଚରେ ଅଭିନୟ କରାଇଥିବା କଥା ସୁବିଦିତ । ଜଗନ୍ନାଥ ଦାସ ମଧ୍ୟ ଦେବଦାସୀମାନଙ୍କ ସହ ଏହି ମଞ୍ଚରେ ଅଭିନୟ କରିଛନ୍ତି । ଏହି ମଞ୍ଚରେ ମୁରାରି ମିଶ୍ରଙ୍କର ‘ଅନର୍ଘରାଘବ’ ଅଭିନୀତ ହୋଇଥିବାର ଅନୁମାନ କରାଯାଏ । ଖ୍ରୀ. ୮୫୦ରେ ଲିଖିତ ‘ଅନର୍ଘରାଘବ’ ନାଟକର ସୂତ୍ରଧାର ମୁଖରେ ପ୍ରବତ୍ତ ସଂବୋଧନ “ଭାଗବତଃ ପୁରୁଷୋତ୍ତମସ୍ୟ ସାହିଯାତ୍ରାୟାଂ ଉପସ୍ଥାପନୀୟା ସଭାସଦଃ”ରୁ ସାହିଯାତ୍ରା ସହିତ ସଂସ୍କୃତ ନାଟକର ସଂପର୍କ ତଥା ପ୍ରାଚୀନତା ଅନୁମେୟ । ଓଡ଼ିଶାର ପୁରାତନ ସାଂସ୍କୃତିକ ପୀଠ ପୁରୀରେ ଉତ୍କଳୀୟ ସଂସ୍କୃତ ନାଟ୍ୟ ସ୍ରଷ୍ଟାମାନଙ୍କର ପ୍ରସିଦ୍ଧ ନାଟକମାନ, ଯଥା - ମୁରାରି ମିଶ୍ରଙ୍କ ‘ଅନର୍ଘରାଘବ’ ନାଟକ, କୃଷ୍ଣ ମିଶ୍ରଙ୍କ ‘ପ୍ରବୋଧ ଚନ୍ଦ୍ରୋଦୟ’ ନାଟକ, ବିଶ୍ୱନାଥ କବିରାଜଙ୍କ ‘ନରସିଂହ ବିଜୟ’ ନାଟକ, ‘ଚନ୍ଦ୍ରକଳା ନାଟିକା’, କପିଳେନ୍ଦ୍ର ଦେବଙ୍କ ‘ପରଶୁରାମବିଜୟ ବ୍ୟାଯୋଗ’, ପୁରୁଷୋତ୍ତମ ଦେବଙ୍କ ‘ଅଭିନବ ବେଣୀସଂହାର’ ନାଟକ, ପ୍ରତାପରୁଦ୍ର ଦେବଙ୍କ ‘ଭକ୍ତିବୈଭବ’ ନାଟକ, ଜୟଦେବଙ୍କ ‘ପୀୟୁଷ ଲହରୀ ବ୍ୟାଯୋଗ’ ଅଭିନୀତ ହୋଇଥିବା ଏକ ସ୍ୱାଭାବିକ ଘଟଣା । ତେବେ ପୁରୀର ଜଗନ୍ନାଥବଲ୍ଲଭ ମଠ ରଙ୍ଗମଞ୍ଚ ବ୍ୟତୀତ ଅନ୍ୟକୌଣସି ମଞ୍ଚକଥା କୁତ୍ରାପି ଉଲ୍ଲେଖ ନଥିବାରୁ ଏହିଠାରେ ହିଁ ସଂସ୍କୃତ ନାଟକଗୁଡ଼ିକ ଅଭିନୀତ ହେଉଥିବ ବୋଲି ଭାବିବା ଅଯୌକ୍ତିକ ନୁହେଁ । ଅନୁଧ୍ୟାନକଲେ ଜଣାପଡ଼େ ଯେ ଜଗନ୍ନାଥ ବଲ୍ଲଭ ହିଁ ଉତ୍କଳର ସର୍ବପ୍ରାଚୀନ ରଂଗମଂଚ । ଏହି ରଂଗମଂଚ ପ୍ରାଚୀନ ଲୋକନାଟ୍ୟ ସାହିଯାତ୍ରା ଅଭିନୟର ପୀଠସ୍ଥଳୀ ଭାବେ ମୂଳରୁ ଗୃହୀତ ହୋଇ ଆସିଛି । ସଂସ୍କୃତ ଯୁଗର ଏକ ପ୍ରାଚୀନ ରଂଗପୀଠରେ ସାହିଯାତ୍ରା ଅଭିନୀତ ହୋଇ ଆସୁଥିବା ଘଟଣା ଏହାର ଏକ ପ୍ରାଚୀନତାର ପ୍ରମାଣ । ନାଟ୍ୟାଭିନୟ ନାମରେ ସଂଯୋଜିତ ପ୍ରସ୍ତାବ ଶବ୍ଦ (ପର୍ଶୁରାମ ପ୍ରସ୍ତାବ, ବନବାସ ପ୍ରସ୍ତାବ, ମାୟାମୃଗ ପ୍ରସ୍ତାବ, ସେତୁବଂଧ ପ୍ରସ୍ତାବ ପ୍ରଭୃତି) ଏକ ପ୍ରାଚୀନ ସଂସ୍କୃତ ଶବ୍ଦ । ଏହି ଶବ୍ଦ ଯାତ୍ରା ଅର୍ଥରେ ଆଧୁନିକ ଯୁଗରେ ବ୍ୟବହୃତ ହୁଏ ନାହିଁ । ଅନୁମାନ କରାଯାଇପାରେ ଯେ ସାହିଯାତ୍ରାର ଚରିତ୍ରଗୁଡ଼ିକର ସଂଳାପ ମୂଳତଃ ସଂସ୍କୃତ ଥିଲା । ବର୍ତ୍ତମାନ ଚରିତ୍ରଗୁଡ଼ିକ ନୃତ୍ୟ ଓ ପଦବିକ୍ଷେପ ସହିତ ମୂକ ଅଭିନୟ କରନ୍ତି । କେବଳ ରାବଣ ପହିଜ କଲା ବେଳେ ଉଚ୍ଚ ସ୍ୱରରେ ଏକ ସଂଳାପ ଉଚ୍ଚାରଣ କରେ । ଏହାକୁ ରାବଣ କୁହାଟ କୁହାଯାଏ । ଏହାର ଭାଷା ସଂସ୍କୃତ । +++

 

ଭ୍ରାତା ମେ କୁମ୍ଭକର୍ଣ୍ଣ ସକଳ ରୂପୀବଳ

ଧ୍ୱଂସକାରୀ ବଳୀୟାନ୍

ପୁତ୍ର ମେ ମେଘନାଦ ପ୍ରହସିତ ବଦନା

ଯେହ୍ନେ ବଳେ ସୁରେନ୍ଦ୍ର

ଖଡ୍‍ଗମେ ଚନ୍ଦ୍ରହାସ ରଣମୁଖୀ ଚପଳା

ରାକ୍ଷସ ମେ ସହାୟକ

ସ୍ୱୟଂ ଗୀର୍ବାଣ ଶତ୍ରୁ ତ୍ରିଭୁବନ ବିଜୟୀ xxx

ରାବଣ ନାମେ ରାଜା ।’’

 

ସାହିଯାତ୍ରା ପାରମ୍ପରିକ ଭାବେ ପ୍ରତିବର୍ଷ ରାମନବମୀ (ଚୈତ୍ରମାସ ଶୁକ୍ଳପକ୍ଷ ନବମୀ) ଠାରୁ ଆରମ୍ଭ ହୁଏ । ଏହା ରାମାଭିଷେକ ପର୍ଯ୍ୟନ୍ତ ଅର୍ଥାତ୍ ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ଚାଲେ । ବିଭିନ୍ନ ସାହିରୁ ଏହି ଶୋଭାଯାତ୍ରା ମୂଳକ ନାଟ୍ୟ ବାହାରୁ ଥିବାରୁ ଏହାର ସାହିନାଟ ନାମ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରତ୍ୟେକ ସାହିରେ ଏକାଧିକ ଜାଗା-ଆଖଡ଼ା ଘର ଥାଏ । ଜାଗାଘରଗୁଡ଼ିକ ଯାତ୍ରା ଆୟୋଜନ କରିଥାନ୍ତି । ସାହିଯାତ୍ରାରେ ମୁଖ୍ୟତଃ ବାଲିସାହି, ଦୋଳମଣ୍ଡପ ସାହି, ହରଚଣ୍ଡୀସାହି ଓ କୁଣ୍ଢାଇବେଣ୍ଟ ସାହି ଗୁରୁତ୍ୱପୂର୍ଣ । କାଳିକା ଦେବୀ ସାହି, ମାର୍କଣ୍ଡେଶ୍ୱର ସାହି ଓ ଗୌଡ଼ବାଡ଼ ସାହି ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥାନ୍ତି । ସାହିଯାତ ସଂଧ୍ୟା ବେଳେ ସାହିରୁ ବାହାରି ଜଗନ୍ନାଥ ମନ୍ଦିରକୁ ଆସେ, ସେଠାରେ ରାବଣ ଆଜ୍ଞାମାଳ ନେବାପରେ ଶୋଭାଯାତ୍ରା ଜଗନ୍ନାଥବଲ୍ଲଭ ମଠକୁ ଯାଏ । ସେଠାରେ ଏକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ବା ନାଟକ ଅଭିନୟ ହୋଇସାରିବା ପରେ ବିଭିନ୍ନ ସାହି ପରିକ୍ରମା କରେ । ସାରାରାତି ଏହି ଶୋଭାଯାତ୍ରାମୂଳକ ନାଟ୍ୟାନୁଷ୍ଠାନ ଚାଲିଥାଏ । ଏଥିରେ ନାଟ୍ୟ, ନୃତ୍ୟ ,ଗୀତ, ବାଦ୍ୟ ସମନ୍ୱିତ ହୋଇଥାଏ । ଅଭିନୟ ପ୍ରାୟତଃ ମୂକାଭିନୟ । ଏଥିରେ ସଂଳାପର କ୍ୱଚିତ୍ ବ୍ୟବହାର ହୁଏ । ରାବଣ କେବଳ ଗୋଟିଏ ମାତ୍ର ସଂସ୍କୃତ ସଂଳାପ ଉଚ୍ଚାରଣ କରେ । ରାବଣ, ନାଗା, ପରଶୁରାମ, ଦୁର୍ଗା, ହନୁମାନ ପ୍ରଭୃତି ବିଚିତ୍ର ବେଶ ପୋଷାକଧାରୀ ଚରିତ୍ରର ନୃତ୍ୟ ଓ ନୃତ୍ୟଭଂଗୀ ସମ୍ବଳିତ ଚାଲି ହିଁ ଏହାର ବିଶେଷ ଆକର୍ଷଣ ।

 

ସାହିନାଟର କଥାବସ୍ତୁ ମୁଖ୍ୟତଃ ରାମାୟଣରୁ ଗୃହୀତ । ଏହା ଏକ ଶୋଭାଯାତ୍ରାମୂଳକ ରାମଲୀଳା । ବାରାଣସୀର ରାମପୁରରେ ଅଭିନୀତ ଶୋଭାଯାତ୍ରାମୂଳକ ରାମଲୀଳା ସହିତ ଏହାର କେତେକ ସାମଞ୍ଜସ୍ୟ ଅଛି । ବାରାଣସୀରେ ରାମାୟଣର ବିଭିନ୍ନ ପ୍ରସଂଗ ଏକ ଏକ ପୂର୍ଣ୍ଣାଙ୍ଗ ନାଟକଭାବରେ ବିଭିନ୍ନ ଅଞ୍ଚଳରେ କ୍ରମାନ୍ୱୟରେ ଅଭିନୀତ ହୁଏ । ପ୍ରତ୍ୟେକ ଅଭିନୟର ପୂର୍ବବିଧାନ ରୂପେ ଶୋଭାଯାତ୍ରା ସଂଯୁକ୍ତ । ସାହିଯାତ୍ରାର ଅଭିନୟ କିନ୍ତୁ ସଂକ୍ଷିପ୍ତ । ପ୍ରସ୍ତାବ ବା ଲୀଳାଟି ଜଗନ୍ନାଥବଲ୍ଲଭ ମଠରେ ଅଭିନୀତ ହୋଇସାରିବା ପରେ ସାହିବୁଲା ଆରମ୍ଭ ହୁଏ । ଓଡ଼ିଶାର ବିଭିନ୍ନ ପୂରପଲ୍ଲୀରେ ଅନୁଷ୍ଠିତ ହେଉଥିବା ରାମଲୀଳାରେ ମଧ୍ୟ ଶୋଭାଯାତ୍ରା ଅଂଶ ସଂଯୁକ୍ତ । ନାଟ୍ୟସ୍ଥଳକୁ ଶୋଭାଯାତ୍ରା ସହ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଆସନ୍ତି । ରାମାଭିଷେକ ଦିନ ଏହି ଚରିତ୍ରମାନେ ବିରାଟ ଶୋଭାଯାତ୍ରା ସହ ନିକଟସ୍ଥ ବିଭିନ୍ନ ଗ୍ରାମ ପରିକ୍ରମା କରନ୍ତି ।

 

ଜଗନ୍ନାଥବଲ୍ଲଭ ମଠରେ ଅନୁଷ୍ଠିତ ସଂକ୍ଷିପ୍ତ ଅଭିନୟ ଦେଖିଲେ ମନେହୁଏ ଯେ ପୂର୍ବରୁ ବୋଧହୁଏ ପୂର୍ଣ୍ଣାଙ୍ଗ ଅଭିନୟ ହେଉଥିଲା । ବର୍ତ୍ତମାନ ଏହାକୁ ସଂକ୍ଷିପ୍ତ କରି ସାହିପରିକ୍ରମା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ପ୍ରସ୍ତାବର ଅର୍ଥ ପୂର୍ଣ୍ଣାଙ୍ଗ ନାଟ୍ୟାଭିନୟ । କିନ୍ତୁ ଏଠାରେ ବିଭିନ୍ନ ପ୍ରସ୍ତାବ କେବଳ ସଂକ୍ଷିପ୍ତ ଭାବେ ଅଭିନୀତ ହୁଏ । ତେବେ ସମଗ୍ର ରାମାୟଣଟି ବିଭିନ୍ନ ସାହିଦ୍ଵାରା କ୍ରମାନ୍ୱୟରେ ଅଭିନୀତ ହୁଏ । ରାମନବମୀ ଲୀଳା ପ୍ରକୃତ ପକ୍ଷେ ଚୈତ୍ରମାସ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହୁଏ । ଏହିଦିନ ବାଲିସାହି, ଦୋଳମଣ୍ଡପ ସାହି ଓ କୁଣ୍ଢାଇବେଣ୍ଟ ସାହିରୁ ରାବଣ ବାହାରେ-। ଏକାଦଶୀଦିନ ହରଚଣ୍ଡୀ ସାହି ‘ପରଶୁରାମ ପ୍ରସ୍ତାବ’ ଅଭିନୟ କରେ । ଦ୍ଵାଦଶୀଦିନ ମାର୍କଣ୍ଡେଶ୍ୱର ସାହି ‘ବନବାସ ପ୍ରସ୍ତାବ’ କରେ । ତ୍ରୟୋଦଶୀ ଦିନ “ଦମନକ ଚୋରି ଲୀଳା” ଅଭିନୀତ ହୁଏ । ଏହି ଲୀଳାଟି କେବଳ ମହାଭାରତ କଥାବସ୍ତୁ ଅବଲମ୍ବନରେ ରଚିତ । ଚତୁର୍ଦ୍ଦଶୀରେ କୁଣ୍ଢେଇବେଣ୍ଟ ସାହିଦ୍ୱାରା ମାୟାମୃଗ ପ୍ରସ୍ତାବ, ପୂର୍ଣ୍ଣମୀ ଦିନ ଦୋଳମଣ୍ଡପ ସାହିଦ୍ଵାରା ଲଙ୍କା ପୋଡ଼ି ପ୍ରସ୍ତାବ, କୃଷ୍ଣ ପ୍ରତିପଦାରେ ବାଲିସାହିଦ୍ୱାରା ସେତୁବନ୍ଧ ପ୍ରସ୍ତାବ ଓ ଦ୍ଵିତୀୟା ତିଥିରେ ରାବଣବଧ ପ୍ରସ୍ତାବ ଅଭିନୀତ ହୁଏ । ସେତୁବନ୍ଧ ପ୍ରସ୍ତାବ ଓ ରାବଣବଧ ପ୍ରସ୍ତାବରେ ରାମ, ଲକ୍ଷ୍ମଣ ଓ ହନୁମାନଙ୍କର ଏବଂ ଲଙ୍କାପୋଡ଼ି ପ୍ରସ୍ତାବରେ ହନୁମାନଙ୍କର ବିଶେଷ ଭୂମିକା ରହିଥାଏ । ପ୍ରତ୍ୟେକ ଦିନ ଜଗନ୍ନାଥବଲ୍ଲଭ ମଠରେ ଯାତ୍ରା ଭିଆଣ ହେବା ବିଧି । ବେଳେ ବେଳେ ସାହିଯାତ୍ରା ସାହି ପରିକ୍ରମା ମଧ୍ୟ ଜଗନ୍ନାଥବଲ୍ଲଭ ମଠକୁ ଆସେ ।

 

ସାହିଯାତ୍ରାର ମୁଖ୍ୟ ଚରିତ୍ରଗୁଡ଼ିକ ହେଉଛି ରାବଣ, ନାଗା, ପରଶୁରାମ ଓ ଦୁର୍ଗା । ରାମାୟଣର ମୁଖ୍ୟ ଚରିତ୍ରଭାବେ ରାବଣ ଚରିତ୍ର ଗୁରୁତ୍ୱ ଲାଭ କଲେ ମଧ୍ୟ ନାଗା ରଚିତ୍ର କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯାତ୍ରାର ସଫଳତା ଏହି ଚରିତ୍ର ଦୁଇଟି ଉପରେ ନିର୍ଭରଶୀଳ । ଏମାନଙ୍କର ଉଦଣ୍ଡ ନୃତ୍ୟ ହିଁ ଦର୍ଶକମାନଙ୍କ ଲାଗି ସବୁଠାରୁ ବେଶୀ ଆକର୍ଷଣୀୟ । ଏହି ଚରିତ୍ର ଦୁଇଟି ପାଇଁ ଅତ୍ୟନ୍ତ ବଳବାନ୍ ଓ ଦୀର୍ଘକାୟ ବ୍ୟକ୍ତିଙ୍କର ଆବଶ୍ୟକତା ପଡ଼େ । ଯଥେଷ୍ଟ ଶକ୍ତି ନଥିଲେ ବେଶ ପୋଷାକ ସହିତ ବ୍ୟବହୃତ ଭାରୀ ଉପକରଣ ଗୁଡ଼ିକ ବୋହିନାଚିବା ସମ୍ଭବ ନୁହେଁ । ରାବଣ ଚରିତ୍ରକୁ ବେଶ ପିନ୍ଧିବାକୁ ପ୍ରାୟ ତିନିଘଣ୍ଟା ସମୟ ଲାଗେ । ରାବଣ ମୁହଁରେ ମୁଖା ପିନ୍ଧା ଯାଏନି ମୁଣ୍ଡ ଉପରେ ବିରାଟ ମୁକୁଟ ଥାଏ । ତା’ର କାନ୍ଧରେ ନଅଟି ମୁଣ୍ଡ ବିଶିଷ୍ଟ ଏକ ତାଟ ବନ୍ଧାଯାଏ । ତାଟର ଗୋଟିଏ ପଟେ ପାଞ୍ଚଟି ମୁଣ୍ଡ, ଅନ୍ୟପଟେ ଚାରିଟି ମୁଣ୍ଡ ରହିଥାଏ । ନିଜ ମୁଣ୍ଡ ସହିତ ଆଉ ନଅଟି ମୁଣ୍ଡ ମିଶି ଦଶଟି ମୁଣ୍ଡ ହୋଇଯାଏ । ଅତ୍ୟୁଜ୍ଜ୍ୱଳ କରି ପୋଷାକ ଓ ବଳା, ଖଡ଼ୁପରି ବିଭିନ୍ନ ଓଜନଦାର ଅଳଙ୍କାର ସହିତ ଭୟଙ୍କର ମୁଖାଗୁଡ଼ିକ ଏକ ପ୍ରଚଣ୍ଡ ରାକ୍ଷସର ପ୍ରତୀତି ଆଣେ । ତା’ଛଡ଼ା ରାବଣର ଉଦ୍ଦାତ୍ତ କଣ୍ଠର କୁହାଟ ଏବଂ ପ୍ରଚଣ୍ଡ ବାଦ୍ୟନାଦ ସହ ତା’ର ଉଦ୍ଦାମ ଭଂଗୀର ନୃତ୍ୟ ପରିବେଷଣକୁ ଗୁରୁଗମ୍ଭୀର କରିତୋଳେ । ରାବଣର କାନ୍ଧଉପରେ ରହୁଥିବା ତାଟଟିର ଓଜନ ପ୍ରାୟ ପଚାଶ କିଲୋଗ୍ରାମ ଠାରୁ ଆରମ୍ଭ କରି ଅଶୀ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ବାଲିସାହିର ରାବଣ ତାଟ ଅଶୀ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ । ଏହା ବର୍ଷସାରା ପୂଜାପାଏ-। ବେଶହେବା ପରେ ରାବଣ ଶ୍ରୀମନ୍ଦିରକୁ ଆସି ଜଗମୋହନ ଅର୍ଗଳି ପାଖରେ ଠିଆହୁଏ । ଜଗନ୍ନାଥଙ୍କ ଆଜ୍ଞାମାଳ ଗଳାରେ ଲମ୍ବାଇ ପଟୁଆର ସହିତ ନୃତ୍ୟ କରି କରି ସାହି ବୁଲେ । ହାତରେ ଦୁଇଟି ବଜ୍ରଧରି ମୁରାଟି ଚାହିଁବା ସହିତ ହାତକୁ ବୁଲାଇ ବୁଲାଇ ନାଚେ । ଜଗନ୍ନାଥବଲ୍ଲଭ ମଠରେ ପହଞ୍ଚିବା ପରେ ରାବଣ ବଧ ପ୍ରସ୍ତାବ ଅନୁଷ୍ଠିତ ହୁଏ । ଏହି ପ୍ରସ୍ତାବ ଶେଷ ହେବା ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ରାମ, ଲକ୍ଷ୍ମଣ, ସୀତା ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି । ରାବଣର ଅଭିନୟ ଓ ନୃତ୍ୟ ଏହିଠାରେ ସମାପ୍ତ ହୁଏ ।

 

ନାଗା ଚରିତ୍ର ନାଗାର୍ଜୁନ ବେଶୀ ଜଗନ୍ନାଥଙ୍କର ପ୍ରତୀକ । ନାଗାର ବେଶ ସବୁଠାରୁ ଆଡ଼ମ୍ବର ପୂର୍ଣ୍ଣ । ନାଗାର ମୁଖା ନାହିଁ । ସେ ଏକ କାରୁକାର୍ଯ୍ୟ ପୂର୍ଣ୍ଣ ବିରାଟ ଭାରୀ ମୁକୁଟ ପିନ୍ଧେ । ଏହାକୁ ହାଣ୍ଡିଆ କହନ୍ତି । ଅତ୍ୟୁଜ୍ଜଳ କରି ପୋଷାକ, ଲମ୍ବା ଦାଢ଼ି ନିଶ, ଖଡ଼ୁ ବଳା, କଂକଣ ଆଦି ଭାରୀ ଅଳଙ୍କାର ସହ ବହୁ ଅସ୍ତ୍ରଶସ୍ତ୍ର ଦ୍ଵାରା ସଜ୍ଜିତ ହୋଇ ସେ ଅତି ଭୟଂଙ୍କର ଦେଖାଯାଏ । ନାଗାର ସାଜରେ ଥାଏ ଖଡ୍‍ଗ, ଢାଲ, କୁନ୍ତ, ବର୍ଚ୍ଛା, ଧନୁଶର, କଟାରି, ଛୁରି, ବାଙ୍କଛୁରି, ଚକ୍ର, ମୁଦ୍‍ଗର, ତେଣ୍ଟା, ବନ୍ଧୁକ, ଲୁହାଶିକୁଳି, ନିଝାମ (ଘଣ୍ଟିମାଳା), ରଞ୍ଜକ ଦାନି ବାଘଛାଲର ହୋଦା, ବାହୁଟି, ଢେଣୁ ବା ତାଟି, ଧାନମେଣ୍ଟା, ଏରାପକ୍ଷୀ ପର ଇତ୍ୟାଦି । ନାଗାର ବେଶ ଓଡ଼ିଶାର ଗୌରବାବହ ସାମରିକ ଐତିହ୍ୟକୁ ସ୍ମରଣ କରାଇଦିଏ । କହ୍ନେଇ ଚମ୍ପତିରାୟଙ୍କ ପାଇକ ଖେଦାରେ ବର୍ଣ୍ଣିତ ଗାଲମୋଛାଧାରୀ ପାଇକ ବେଶ ସହିତ ନାଗାବେଶର ବହୁ ସାମଞ୍ଜସ୍ୟ ଲକ୍ଷିତ ହୁଏ । ଅତୀତର ପାଇକ ବେଶର ଅନ୍ତର୍ଗତ ଥିଲା - ହାତ-ଭରାଖଣ୍ଡା, ଓଲଟଧାର ଖଣ୍ଡା, ଢାଲ, କଟିଢାଲ, ଧନୁ, କାଣ୍ଡ, ନଳି, ବାରୁଦ, କୁମ୍ପା, ଠୁଙ୍କା, ଶଗଡ଼ିଆ ନଳି, ଝଲକଣ, ଛତି, କାଚିମାଳ, ବଳା, ଘାଗୁଡ଼ି, ଘଣ୍ଟିମାଳ, ହୋଦା, ଝୋବା, ପ୍ରଭୃତି । ନାଗରା ଓ ଚାଂଗୁର ତାଳେ ତାଳେ ନାଗା ବୀରତ୍ଵପୂର୍ଣ୍ଣ ଭଙ୍ଗୀରେ ପାଦଗତି କରେ । ଉଦ୍ଦଣ୍ଡ ପାହୁଲ ସହିତ ମୁରାଟ ଚାହାଁଣି ମନରେ ଭୀତି ସଂଚାର କରେ-। ନାଗାର ଉଦ୍ଦାମ ନୃତ୍ୟ ଓଡ଼ିଶାର ପରମ୍ପରିକ ସାମରିକ ନୃତ୍ୟ ପାଇକ ନୃତ୍ୟ ସହ ସମାନ । ରାବଣ, ପରଶୁରାମ ଓ କାଳିକା ବା ଦୁର୍ଗା ଚରିତ୍ରର ନୃତ୍ୟଗୁଡ଼ିକ ମଧ୍ୟ ସାମରିକ ନୃତ୍ୟ । ଆମର ମୌଳିକ ଲୋକନୃତ୍ୟମାନ ଯେ ସାମରିକ ନୃତ୍ୟର ଉଦ୍ଦାମ ପଦ ବିକ୍ଷେପ ରୀତି, ହସ୍ତ ଚାଳନା ଓ ଅଙ୍ଗଭଙ୍ଗୀକୁ ଅନୁସରଣ କରିଛି, ଏଥିରେ ସନ୍ଦେହ ନାହିଁ । ପ୍ରଚଣ୍ଡ ବାଦ୍ୟନାଦ ସହିତ ଭୟଙ୍କର ନ୍ୟତ୍ୟ ଯୁଦ୍ଧଯାତ୍ରାର ଗୁରୁଗମ୍ଭୀର ପରିବେଶ ସୃଷ୍ଟି କରେ-। ଛଉ ନାଟରେ ସାହିନାଟ ପରି ମୂକ ଅଭିନୟ ସହିତ ପ୍ରଚଣ୍ଡ ବାଦ୍ୟତାଳରେ ଉଦ୍ଦାମ ନୃତ୍ୟ କରାଯାଏ ।

 

ସଠରା ଚରିତ୍ରର କାନ୍ଧରେ ଏରାପକ୍ଷୀ ବନ୍ଧାଯାଏ । ଖଡ଼ୁ, ବଳା, ଘାଗଡ଼ି, ମାଳା ଆଦି ତା’ର ଅଳଙ୍କାର, କାଛା ଓ ଟୋପି ତା’ର ପୋଷାକ । ହାତରେ ବାଡ଼ିଧରି ସେ ନାଚିନାଚି ଯାଏ । ପରଶୁରାମ ଚରିତ୍ର ଲମ୍ବା ନିଶ ଦାଢ଼ି ରଖିଥାଏ । ତା’ର ବେଶ ପୋଷାକରେ ନାଗା ଚରିତ୍ରର ସାମଞ୍ଜସ୍ୟ ଥିଲେ ମଧ୍ୟ ମୁଣ୍ଡରେ ନାଗାଭଳି ହାଣ୍ଡିଆ ନଥାଏ । ସେ ପରଶୁ ଓ ଧନୁ ଧାରଣ କରିଥାଏ । ରାବଣର ଭାଇ ଭାବେ ସପ୍ତଶିରା ଓ ନବଶିରା ମଧ୍ୟ ଶୋଭାଯାତ୍ରାରେ ବାହାରନ୍ତି । ସେମାନଙ୍କ କାନ୍ଧରେ ଯଥାକ୍ରମେ ଛଅଟି ଓ ଆଠଟି ମୁଣ୍ଡ ବନ୍ଧା ହୋଇଥାଏ । ହନୁମାନ ଚରିତ୍ର ବୀରବେଶ ହୋଇ ପାଞ୍ଚଟି ମୁଣ୍ଡ ଥିବା ମୁଖା ପରିଧାନ କରେ । ଏହାକୁ ପଞ୍ଚମୁଖୀ ହନୁମାନ କହନ୍ତି-। ମୂଳ ମୁଖାଟି ହନୁମାନ ମୁଖା । ଅନ୍ୟ ଚାରିଟି ମହିଷ, ସିଂହ, ବରାହ ଓ ଗରୁଡ଼ ମୁଖା । ଦଶ ଭୁଜା ଦୁର୍ଗା ଓ ଅଷ୍ଟଭୁଜା ଦୁର୍ଗା ଚରିତ୍ରମାନେ ଯଥାକ୍ରମେ ଦଶଟି ଓ ଆଠଟି ହାତ ବାନ୍ଧିଥାନ୍ତି । ଏମାନେ ମୁଖା ପରିଧାନ କରିଥାନ୍ତି । କାଳୀ ଚରିତ୍ରପାଇଁ ବାରଟି ହାତ ଓ ମୁଖା ବ୍ୟବହୃତ ହୁଏ । ଏତଦ୍‌ବ୍ୟତୀତ କେତେକ ପ୍ରଜ୍ଞାପନ ମେଢ଼ରେ ସମସାମୟିକ ସମାଜ-ରାଜନୈତିକ ଚିତ୍ରକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରାଯାଇଥାଏ । ଏହି ମେଢ଼ଗୁଡ଼ିକ ଦର୍ଶକମାନଙ୍କ ପାଇଁ ଅଧିକ ମନୋରଞ୍ଜକ ହୋଇଥାଏ । ଏଗୁଡ଼ିକରେ କ୍ଷୁଦ୍ର ସୁଆଙ୍ଗ ମାନ ଅଭିନୀତ ହୋଇଥାଏ । ସମସାମୟିକ ଅବକ୍ଷୟମାଣ ସମାଜ ଚିତ୍ରର ଉପସ୍ଥାପନ ଲାଗି କୌନ ବନେଗା କାଙ୍ଗାଲ ପତି (ମଦ୍ୟପ ମାନଙ୍କ ପ୍ରତି ବ୍ୟଙ୍ଗ), ଲାଲୁପ୍ରସାଦ ଯାଦବ, କ୍ରିକେଟ ରାବଣ, ଚରସ୍ ନିଶା, ଲଟେରୀ ଖେଳ, ବୁଢ଼ାବୁଢ଼ୀ, କାଳିଶି, ପାଳଭୂତ, ନାକକାନ ପ୍ରଭୃତି କେତେକ ବ୍ୟଙ୍ଗାତ୍ମକ ସୁଆଙ୍ଗ ମେଢ଼ ମାଧ୍ୟମରେ ଉପସ୍ଥାପିତ ହୋଇଥାଏ । ସାଂପ୍ରତିକ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ବୈଷମ୍ୟ, ନୀତିହୀନତାର ଚିତ୍ର ଦର୍ଶକ ମନରେ ସଚେତନତା ସୃଷ୍ଟି କରିବାକୁ ସମର୍ଥ ହୋଇଥାଏ । ଶବର ଶବରୁଣୀ ନୃତ୍ୟଗୁଡ଼ିକ ଏକପ୍ରକାର ଦାୟିକା (ଉକ୍ତି ପ୍ରତ୍ୟୁକ୍ତି ମୂଳକ,ସଂଗୀତ ବଚନିକା ଯୁକ୍ତ ଦ୍ୱୈତ ନୃତ୍ୟ) ଏହି ନୃତ୍ୟ ବିଶେଷ ଆକର୍ଷଣୀୟ । ତଲୁଆର ଖେଳ, ବନାଟି ଖେଳ, ବାଡ଼ିଖେଳ ଏବଂ ବାଙ୍କଛୁରି ଖେଳ ପ୍ରଭୃତି ସାମରିକ କ୍ରୀଡ଼ା ପ୍ରଦର୍ଶନ ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ । ଏଥିସହିତ ମୁଖାନାଟ ମଧ୍ୟ ସଂଯୁକ୍ତ । ମୁଖାନାଟରେ ଘୋଡ଼ାନାଟ, ଷଣ୍ଢ ଲଢ଼େଇ ଦୁଇଟି ଗୁରୁତ୍ୱ ପୂର୍ଣ୍ଣ କୌତୁକପ୍ରଦ ନୃତ୍ୟ ।

 

ପ୍ରାଚୀନ ଓଡ଼ିଶାର ଯୁଦ୍ଧଯାତ୍ରା ସମୟରେ ବିଭିନ୍ନ ସାମରିକ କ୍ରୀଡ଼ା ପ୍ରଦର୍ଶନ ସହିତ ନୃତ୍ୟ, ଗୀତ, ବାଦ୍ୟ ଅଭିନୟ ପରି କେତେକ ଚିତ୍ତ ବିନୋଦନ ଧର୍ମୀ କାର୍ଯ୍ୟକ୍ରମ ସଂଯୁକ୍ତ ହେଉଥିଲା । ଏହି ଯାତ୍ରାର ସ୍ମାରକୀ ହିଁ ସାହିଯାତ୍ରା । ସାହିଯାତ୍ରାରେ ବାହାରୁଥିବା ଚରିତ୍ରଗୁଡ଼ିକର ବେଶ ପୋଷାକର ବର୍ଣ୍ଣାଢ଼୍ୟତା, ହସ୍ତ ଓ ପଦ ଚାଳନ ଭଙ୍ଗୀର ଉଦ୍ଦାମତା ଏକ ଯୁଦ୍ଧଯାତ୍ରାର ପରିବେଶ ସୃଷ୍ଟି କରିଥାଏ । ସମସ୍ତ ନୃତ୍ୟ ମଧ୍ୟ ତାଣ୍ଡବ ଧର୍ମୀ ।

 

ଆଧୁନିକ ଗଣମାଧ୍ୟମର ବ୍ୟାପକତା ସତ୍ତ୍ୱେ ସାରାରାତି ବ୍ୟାପୀ ଅଭିନୀତ ସାହିନାଟ ପ୍ରତି ଲୋକଙ୍କର ଉତ୍ସାହ ହ୍ରାସ ପାଇନାହିଁ । ସାଧାରଣ ସାହି ବାସିନ୍ଦା, ବୁଦ୍ଧିଜୀବୀ, ଶ୍ରମଜୀବୀ, ଚାକିରିଆ, ବ୍ୟବସାୟୀଙ୍କ ସମେତ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାହି ନାଟରେ ପ୍ରବଳ ଉନ୍ମାଦନାରେ ମାତିଥିବାର ଲକ୍ଷିତ ହୁଏ । ଶିକ୍ଷିତ ଅଶିକ୍ଷିତ, ଉଚ୍ଚ ନୀଚ, ଧନୀ ନିର୍ଦ୍ଧନ ସମସ୍ତ ସ୍ତରର ଲୋକମାନଙ୍କ ସମନ୍ୱୟରେ ଏହି ମହାସମାରୋହ ଆଗେଇ ଚାଲିଥିବା ବେଳେ ମନେହୁଏ ଯେପରି ମାନବ ଜାତିର ଶୋଭାଯାତ୍ରା ଅପ୍ରତିହତ ଭାବେ ଏକ ସମୂହ ଲକ୍ଷ୍ୟରେ ଅଗ୍ରସର ହେଉଛି । ଆଜି ଦର୍ଶକମାନଙ୍କ ସହିତ ନାଟ୍ୟମଞ୍ଚର ଅଧିକ ସଂଯୋଗ ସ୍ଥାପନର ଆବଶ୍ୟକତା ଅନୁଭୂତ ହେଉଥିବା ବେଳେ ସାହିନାଟକକୁ ସଂଯୋଗ ସ୍ଥାପନର ଏକ ପାରମ୍ପରିକ ସୁଦୀର୍ଘ ସେତୁ ଭାବେ ସ୍ୱୀକାର କରିବାକୁ ପଡ଼ିବ । ଗୋଟିଏ ଦିଗରେ ପୌରାଣିକ ଜଗତର ଅନୁଭବ ଆଣିବା ସଙ୍ଗେ ସଙ୍ଗେ ଅନ୍ୟଦିଗରେ ସାଂପ୍ରତିକ ସମାଜ ସଂପର୍କରେ ସଚେତନତା ସୃଷ୍ଟିକରି ଏହା ଚିତ୍ତବିନୋଦନ ଓ ଜନଶିକ୍ଷା ଉଭୟ ଉଦ୍ଦେଶ୍ୟ ସାଧନ କରିଥାଏ । ସାହିଯାତ୍ରାରେ ନାଟ୍ୟ ପରିବେଷଣ ସ୍ଥିର ନହୋଇ ଗତିଶୀଳ ହୋଇଥିବା ହେତୁ ଏହା ଅଧିକ ଜୀବନ୍ତ ଓ ଲୋକଙ୍କର ଅଧିକ ନିକଟବର୍ତ୍ତୀ । ସେ ଦୃଷ୍ଟିରୁ ଏହାର ପ୍ରଯୋଜନା କ୍ଷେତ୍ରରେ ବ୍ୟାପକ ବିକାଶର ସୁଯୋଗ ରହିଛି । ସାହିଯାତ୍ରାରେ ଯଦି ସଂକ୍ଷିପ୍ତ ପୂର୍ଣ୍ଣାଙ୍ଗ ନାଟକ ସହିତ ପ୍ରଚୁର ଲୋକନୃତ୍ୟ, ଲୋକ ସଂଗୀତ ଓ ଲୋକବାଦ୍ୟ ସମନ୍ୱିତ କରାଯାଇପାରନ୍ତା, ତେବେ ଏହା ଅଧିକ ଆକର୍ଷଣୀୟ ହୁଅନ୍ତା । ଦ୍ଵିତୀୟତଃ ଷ୍ଟ୍ରିଟ୍‍‍ପ୍ଲେ ପରି ଏହା ସହିତ ଜନଚେତନାମୂଳକ କାର୍ଯ୍ୟକ୍ରମ ମଧ୍ୟ ସଂଯୁକ୍ତ ହୋଇପାରନ୍ତା । ସାମାନ୍ୟ ପରିବର୍ତ୍ତନ ଦ୍ୱାରା ଏକ ବୃହତ୍ତର ପ୍ରେକ୍ଷାପଟରେ ସମାଜର ବାସ୍ତବ ସ୍ୱରୂପ ଉଦ୍‌ଘାଟନ ଦିଗରେ ଏହା ଯେ ବିଶେଷ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

 

 

ପ୍ରଫେସର, ଉପାଧ୍ୟୁଉର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ,

ପଶ୍ଚିମବଙ୍ଗ ।

 

***

 

Unknown

ମୁକ୍ତାଗଡ଼ର କ୍ଷୁଧା: ଏକ ବିଚାର ବିଶ୍ଳେଷଣ

ତୀର୍ଥାନନ୍ଦ ମିଶ୍ର

 

ଉପୋଦ୍‌ଘାତ : କାଳିନ୍ଦୀଚରଣ ପାଣିଗ୍ରାହୀ (୧୯୦୧-୧୯୯୧) ପ୍ରଥମତଃ କବି, ପରେ ଗଦ୍ୟକାର । ୧୯୨୦ ରୁ ୧୯୪୫ ମସିହା ପର୍ଯ୍ୟନ୍ତ ମୁଖ୍ୟତଃ କାଳିନ୍ଦୀଚରଣ କବିତା ରାଜ୍ୟରେ ହିଁ ବିଚରଣ କରନ୍ତି । ସବୁଜଗୋଷ୍ଠୀ ମଧ୍ୟରେ ସେହିଁ ଆଧୁନିକ ଚେତନା ପ୍ରତି ଅତ୍ୟନ୍ତ ଉନ୍ମୁଖ (୧) ପଲ୍ଲୀ ଜୀବନର ପାରମ୍ପରିକ ଚେତନା ଭିତରେ ତାଙ୍କ କାବ୍ୟ ସାଧନାର ଆରମ୍ଭ ହୋଇଥିଲେ ମଧ୍ୟ ପରେ ସେ ବେଶ୍ ସଚେତନତାର ସହିତ ଆପଣାର କାୟା ପରିବର୍ତ୍ତନ କରିଛନ୍ତି । ସବୁଜ ଯୁଗର ସେ ଜଣେ ବିଶିଷ୍ଟ କବି । ରବୀନ୍ଦ୍ରନାଥ ତଥା ପ୍ରମଥ ଚୌଧୁରୀଙ୍କ ଦ୍ୱାରା ବହୁଳଭାବେ ବ୍ୟବହୃତ ‘ସବୁଜ’ ଶବ୍ଦକୁ କାଳିନ୍ଦୀଚରଣ ଏବଂ ତାଙ୍କ ସତୀର୍ଥଗଣ ଓଡ଼ିଆ ସାହିତ୍ୟରେ ବ୍ୟବହାର କରିଥିଲେ ଏବଂ ସେହି ଭାବଚେତନାର କବିଭାବେ ଆପଣାକୁ ପ୍ରତିଷ୍ଠିତ କରିଥିଲେ । ରବୀନ୍ଦ୍ରନାଥ ତଥା ପ୍ରମଥ ଏହି ‘ସବୁଜ’ ଶବ୍ଦକୁ କେବଳ ଆଭିଧାନିକ ଅର୍ଥରେ ସ୍ୱୀକାର କରୁନଥିଲେ; ଏହା ତାଙ୍କ ପାଇଁ ଥିଲା ଜୀବନର ଗଭୀର ଦାର୍ଶନିକ ଅନୁଭବ ତଥା ଜାତୀୟ ଆଦର୍ଶର ପ୍ରତୀକ । ସେମାନେ ଜୀବନାବଧି ସଂଗ୍ରହ କରିଥିବା ଅନୁଭୂତିରୁ ଏତିକି ଶିକ୍ଷା କରିଥିଲେ ଯେ ସମସାମୟିକ ସମାଜରେ ଦେଖାଦେଉଥିବା ଦାରିଦ୍ର୍ୟ ତଥା ବେଦନାବୋଧ ପ୍ରକୃତରେ ଇଂରେଜ ଶାସନ ଯୋଗୁ ନୁହେଁ, ମଣିଷର ମାନସିକ ଜଡ଼ତା ଓ ଆଳସ୍ୟପରାୟଣତା ଯୋଗୁହିଁ ଏହାର ସୃଷ୍ଟି । ତେଣୁ ସେମାନେ ଏହି ମାନସିକ ବାର୍ଦ୍ଧକ୍ୟକୁ ଏକ ନବୀନ ଉତ୍ସାହରେ ଦୂରକରିବା ପାଇଁ ଅଗ୍ରସର ହେଲେ ଏବଂ କୈଶୋର ତଥା ତାରୁଣ୍ୟର ପ୍ରତୀକ ‘ସବୁଜ’ ଶବ୍ଦକୁ ସମଗ୍ର ଜାତି ଉଦ୍ଦେଶ୍ୟରେ ଏକ ପ୍ରତୀକ କରି ଉପସ୍ଥାପନ କଲେ (୨) ଓଡ଼ିଆ ସାହିତ୍ୟରେ ଏହି ସବୁଜ ଚେତନାକୁ ସ୍ୱୀକାର କରିଥିଲେ ପାଞ୍ଚଜଣ ସମବୟସ୍କ ଯୁବକ ଛାତ୍ର ଅନ୍ନଦାଶଙ୍କର, ବୈକୁଣ୍ଠନାଥ, କାଳିନ୍ଦୀଚରଣ, ହରିହର, ଏବଂ ଶରତ । ପ୍ରାଥମିକ ଅବସ୍ଥାରେ କାଳୀନ୍ଦିଚରଣ କବିତାରେ ମନୋନିବେଶ କରିଥିଲେ ମଧ୍ୟ ତାହା ମୁଖ୍ୟତଃ ଏକ ସ୍ୱପ୍ନାଚ୍ଛନ୍ନ ଚେତନା ମଧ୍ୟରେ ଆବଦ୍ଧ ଥିଲା । ତାରୁଣ୍ୟର ନିରାଜନା ଏବଂ ଉଦ୍ଦାମ ପ୍ରେମପ୍ରବଣତା ହିଁ ଥିଲା ସେ ସମୟର ପ୍ରମୁଖ ସ୍ୱର କାଳିନ୍ଦୀଚରଣଙ୍କ କବିତାମାନଙ୍କରେ । ପରବର୍ତ୍ତୀକାଳରେ କାଳିନ୍ଦୀଚରଣଙ୍କ କାବ୍ୟସ୍ୱର ବାସ୍ତବ ଅଭିମୁଖୀ ହୋଇ ଉଠିଥିଲା । ‘ଆଗାମୀ’ (୧୯୪୨) ଏବଂ ‘କିଏ ଶଳା ସଇତାନ’ (୧୯୪୪) ଆଦି କବିତାରେ ବାସ୍ତବତାର ଏହିସ୍ୱର ଅନୁରଣିତ । ପରାଧୀନତାର ନିଗଡ଼ ଏବଂ ମାନସିକ ଜଡ଼ତାରୁ ମାନବାତ୍ମାର ମୁକ୍ତିପାଇଁ କାଳିନ୍ଦୀ ଚରଣ ଏତେବେଳକୁ ଅଣ୍ଟାଭିଡ଼ି ବାହାରି ଆସିଛନ୍ତି ଏବଂ ସେ ଏପରି ଏକ ସମାଜର ପରିକଳ୍ପନା କରିଛନ୍ତି, ଯେଉଁଠାରେ ସମସ୍ତଙ୍କର ସମାନ ଅଧିକାର ଅଛି ଏବଂ ସମାଜରେ ମଣିଷ ପରି ମଣିଷ ହୋଇ ବଞ୍ଚିବାର ସକଳ ସାଧନ ମହଜୁଦ୍ ଅଛି । (୩) ।

 

ଏକାଧାରରେ କବି, ପ୍ରାବନ୍ଧିକ, ଗଳ୍ପକାର ଏବଂ ଔପନ୍ୟାସିକ କାଳିନ୍ଦୀଚରଣ କବିତା ପରେ ଉପନ୍ୟାସ ରଚନାରେ ହିଁ ବେଶୀ କୃତିତ୍ୱ ଅର୍ଜନ କରିଛନ୍ତି । “ମାଟିର ମଣିଷ” ତାଙ୍କର ଏକ ବହୁପଠିତ ଲୋକପ୍ରିୟ ଉପନ୍ୟାସ । ଏତଦ୍‍ବ୍ୟତୀତ ‘ଲୁହାର ମଣିଷ', ‘ଆଜିର ମଣିଷ', ‘ମୁକ୍ତାଗଡ଼ର କ୍ଷୁଧା’ ଏବଂ ‘ଅମର ଚିତା’ ଆଦି ରଚନା କରି ସେ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଆପଣର ଅମର ବଳିଷ୍ଠ ମୁଦ୍ରାଙ୍କ ସ୍ୱଷ୍ଟ କରିଛନ୍ତି । କାଳିନ୍ଦୀଚରଣଙ୍କ ପ୍ରତ୍ୟେକ ଉପନ୍ୟାସ ମୁଖ୍ୟତଃ ଜାତୀୟ ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ । ଯଦିଓ ସେ ପ୍ରତ୍ୟକ୍ଷଭାବରେ ଜାତୀୟ ଆନ୍ଦୋଳନ ସହ ସଂପୃକ୍ତ ନଥିଲେ ତଥାପି ଏହି ଆନ୍ଦୋଳନର ପ୍ରତିଟି ମୁହୂର୍ତ୍ତକୁ ସତର୍କତାର ସହ ନିରୀକ୍ଷଣ କରି ପରବର୍ତ୍ତୀ ମୁହୂର୍ତ୍ତରେ ତାହାକୁ ଆପଣାର ଉପନ୍ୟାସମାନଙ୍କରେ ରୂପାୟନ କରିଥିଲେ । ଆଖ୍ୟାନଭାଗ ଦୃଷ୍ଟିରୁ ‘ମୁକ୍ତାଗଡ଼ର କ୍ଷୁଧା’ (୪) ଏବଂ ‘ଅମରଚିତା’ ଗୋଟିଏ ଉପନ୍ୟାସର ଦୁଇଟି ରୂପ । ପ୍ରଥମଟିରେ ଆଖ୍ୟାନଭାଗର ପ୍ରଥମାର୍ଦ୍ଧ ବର୍ଣ୍ଣିତ ହୋଇଥିବା ବେଳେ ଦ୍ୱିତୀୟଟିରେ ଆଖ୍ୟାନଭାଗର ଶେଷାଂଶ ବର୍ଣ୍ଣିତ । ଉପନ୍ୟାସ ଦୁଇଟିର ଶୁଭକାନ୍ତ ଚରିତ୍ର କାଳିନ୍ଦୀଚରଣଙ୍କ ଏକ ସଫଳ ସୃଷ୍ଟି । ତ୍ୟାଗ, ସେବା ତଥା ଅହିଂସା ଧର୍ମରେ ଦୀକ୍ଷିତ ଏହି ଚରିତ୍ରଟି ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଆପଣାର ସିଦ୍ଧାନ୍ତକୁ ପ୍ରତିଷ୍ଠା କରିବାପାଇଁ ସଂଗ୍ରାମ ଜାରି ରଖିଛି ଏବଂ ଏକ ସୀମିତ ଭୋଗ ତଥା ବିଳାସର ଆସ୍ପୃହା ମଧ୍ୟରୁ ଆପଣାକୁ ମୁକ୍ତ କରି ଏକ ଉଦାର ବିଶ୍ଵମାନବତାର ଧରାତଳରେ ଆପଣାକୁ ପ୍ରତିଷ୍ଠିତ କରିପାରିଛି ।

 

ଆଖ୍ୟାନଭାଗ :-

ମୁକ୍ତାଗଡ଼ ଭୁବନେଶ୍ୱର ନିକଟବର୍ତ୍ତୀ ଆଠକୋଶ ପରିମିତ ଏକ କ୍ଷୁଦ୍ରରାଜ୍ୟ । ଏହାର ପଶ୍ଚିମରେ ପୁରାଣ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର, ପୂର୍ବରେ ପ୍ରବହମାନା ଦୟା ଏବଂ ଭାର୍ଗବୀ, ଉତ୍ତରରେ ଖଣ୍ଡଗିରି ଏବଂ ଦକ୍ଷିଣରେ ଧଉଳି ପାହାଡ଼ ଅବସ୍ଥିତ । ଏହାର ଶାସକ ଚନ୍ଦ୍ରକାନ୍ତ ପଟ୍ଟଦେବ ଥିଲେ ନିଃସନ୍ତାନ । ଷାଠିଏ ବର୍ଷର ପରିଣତ ବୟସରେ ଚନ୍ଦ୍ରକାନ୍ତ ଆପଣାର ସାଧନା ଉଦ୍ୟାନରେ ବାଲ୍ୟସଙ୍ଗନୀ ବ୍ରାହ୍ମଣ କନ୍ୟା ବିଧବା ସୁନନ୍ଦା ସହ ସମ୍ପର୍କ ସ୍ଥାପନ କରି ଏକ ପୁତ୍ର ସନ୍ତାନ ଜାତ କରନ୍ତି ଏବଂ ଅପବାଦ ତଥା ନିନ୍ଦା ଭୟରେ ସାଧନା ଉଦ୍ୟାନରେ ଫୁଲବାଇ ଗୌରୀ ସ୍ନାନ କରୁଥିବା ଅବସରରେ ଶିଶୁଟିକୁ ଥୋଇ ଦେଇଛନ୍ତି । ଗୌରୀର ସେବା ଓ ଯତ୍ନରେ ପାଳିତ ହୋଇ ସେ ଶିଶୁ ଲଣ୍ଡାବାବୁ ନାମରେ ପରିଚିତ ହୋଇଛି ଏବଂ ଦୁଷ୍ଟାମିର ଶେଷ ସୀମାରେ ପହଞ୍ଚିଯାଇଛି କୈଶୋର ଅବସ୍ଥାରେ । ବୃଦ୍ଧା ଗୌରୀର ମୃତ୍ୟୁପରେ ସେ ରାଜପ୍ରାସାଦକୁ ଆସିଛି ଏବଂ ରାଜ ଅନୁଗ୍ରହ ଲାଭକରିବା ପରେ ତାର ଦୁଷ୍ଟାମି ପ୍ରଶମିତ ନହୋଇ ଅଧିକ ବଢ଼ିଛି । ଅଶୀବର୍ଷ ବୟସରେ ବୃଦ୍ଧ ଚନ୍ଦ୍ରକାନ୍ତ ଆପଣାର ‘ଆତ୍ମଲିପି’ରେ ସକଳ କଥା ରାଜ୍ୟବାସୀଙ୍କ ନିକଟରେ ଘୋଷଣା କରିଛନ୍ତି ଏବଂ ତାଙ୍କର ଦେହାନ୍ତ ପରେ ଲଣ୍ଡାବାବୁ ଶୁଭକାନ୍ତ ପଟ୍ଟଦେବ ନାମରେ ସିଂହାସନରେ ଅଭିଷିକ୍ତ ହେବେ ବୋଲି ଘୋଷଣା କରିଛନ୍ତି । ଯଦି ଚନ୍ଦ୍ରକାନ୍ତ ଅଶୀ ବର୍ଷ ବୟସରେ ପରଲୋକ ଗମନ କରିଥାନ୍ତି ତେବେ ଶୁଭକାନ୍ତ କୋଡ଼ିଏ ବର୍ଷ ବୟସରେ (କାରଣ ଷାଠିଏ ବର୍ଷ ଚନ୍ଦ୍ରକାନ୍ତଙ୍କୁ ହେବାବେଳେ ଶୁଭକାନ୍ତଙ୍କ ଜନ୍ମ) ସିଂହାସନ ଆରୋହଣ କରିଛନ୍ତି । ଅପରପକ୍ଷରେ ବଳିଆର ସିଂହ ସହିତ କଥୋପକଥନରେ (ପୃ-୧୨୨) ଶୁଭକାନ୍ତ ୧୮୧୭ ମସିହାରେ ତିନିବର୍ଷପରେ ଅର୍ଥାତ୍ ୧୮୨୦ରେ ଭୂମିଷ୍ଠ ହେବା କଥା ଔପନ୍ୟାସିକ ସ୍ୱୀକାର କରିଥିବାବେଳେ ତାଙ୍କ ସିଂହାସନ ଆରୋହଣ ୧୮୫୦ ଅର୍ଦ୍ଦରେ ହୋଇସାରିଥିଲା ବୋଲି ଲେଖିଛନ୍ତି । (ପୃ-୬୪) ଏହି ପ୍ରମାଣରୁ ସ୍ପଷ୍ଟ ହୁଏ ଯେ ଶୁଭକାନ୍ତ କୋଡ଼ିଏ ନୁହେଁ ତିରିଶ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିବେ । ସମ୍ଭବତଃ ‘ଆତ୍ମଲିପି’ ଅଶୀବର୍ଷ ବୟସରେ ଲେଖିବାପରେ ଚନ୍ଦ୍ରକାନ୍ତ ଆଉ ଦଶବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ । ଫଳରେ ଶୁଭକାନ୍ତଙ୍କ ତିରିଶବର୍ଷ ବୟସରେ ରାଜ ସିଂହାସନ ଆରୋହଣ ଅପ୍ରାସଙ୍ଗିକ ତଥା ଅଯୌକ୍ତିକର ପରି ମନେହୁଏ ନାହିଁ ।

 

ବାଲ୍ୟକାଳରୁ ଅଭିଭାବକ ବିହୀନ ଭାବେ ବିଚରଣ କରୁଥିବା ଶୁଭକାନ୍ତ ସିଂହାସନ ଆରୋହଣର ପ୍ରାଥମିକ ପର୍ଯ୍ୟାୟରେ ଯୌବନ, ଧନସମ୍ପତ୍ତି, ପ୍ରଭୁତ୍ୱ ଓ ଅବିବେକିତା ଏହି ଚାରିଗୋଟି ବିଶେଷ ଉପାଦାନ ଦ୍ୱାରା ସଂପୃକ୍ତ ହୋଇ ସ୍ୱୈରାଚାରୀ ହୋଇପଡ଼ିଛନ୍ତି । ଏକ ଭୋଗସର୍ବସ୍ୱ ଦୃଷ୍ଟିକୋଣରୁ ଜୀବନକୁ ଗ୍ରହଣ କରିନେବାକୁ ସେ ଚାହିଁଛନ୍ତି ଏବଂ ତାଙ୍କର ଏହି ବିଚାରଧାରାକୁ ସମର୍ଥନ ତଥା ପ୍ରୋତ୍ସାହନ ଦେଇଛନ୍ତି ନବବିବାହିତା ସୁନ୍ଦରୀ ରାଜମହିଷୀ ଚିତ୍ରା । ଭୋଗବିଳାସମୟ ଜୀବନ ପ୍ରତି କ୍ରମୋନ୍ମୁଖ ଶୁଭକାନ୍ତଙ୍କ ସହାୟକ ହୋଇଛି ତାଙ୍କ ବିଶ୍ୱସ୍ତ ଧୂର୍ତ୍ତ ଅମାତ୍ୟ ପ୍ରଜାପୀଡ଼କ ବଳରାମ ପଟ୍ଟନାୟକ । ମହାରାଣୀ ଚିତ୍ରାଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ସିଂହାସନ ଆରୋହଣର ତିନିବର୍ଷ ପରେ ଅର୍ଥାତ୍ ୧୮୫୩ ମସିହାରେ ତୋଳାଇଛି ମହାରାଣୀଙ୍କ ପାଇଁ ସାଧନା ଉଦ୍ୟାନରେ ଏକ ନୂତନ ପ୍ରାସାଦ, ଯାହା ଦ୍ଵାରା ପିତା ଚନ୍ଦ୍ରକାନ୍ତଙ୍କ ଦ୍ଵାରା ବର୍ଦ୍ଧିତ ସାଧନା ଉଦ୍ୟାନର ଅନେକ ବୃକ୍ଷଙ୍କୁ ତାଙ୍କୁ କାଟିବାକୁ ପଡ଼ିଛି । ଏହି ନୂତନ ରାଜପ୍ରାସାଦକୁ ନିର୍ମାଣ କରିବା ପାଇଁ ବର୍ଷାଧିକ କାଳ ମୁକ୍ତାଗଡ଼ର ପ୍ରଜାଗଣ ବେଠି ଖଟିଛନ୍ତି ଏବଂ ଅର୍ଥଦାନ ମଧ୍ୟ କରିଛନ୍ତି-। ୧୯୬୫ ଖ୍ରୀଷ୍ଟାବ୍ଦରେ ଦୁର୍ଭିକ୍ଷର ପ୍ରଥମ ସୂଚନା ମିଳିଲାବେଳକୁ ଶୁଭକାନ୍ତ ସେହି ଅଶୁଭ ସମୟକୁ ବିଳାସ ବ୍ୟସନ ମଧ୍ୟରେ ଅନୁଭବ କରିପାରିନାହାନ୍ତି । ଧୂର୍ତ୍ତ ବଳରାମଙ୍କ କୁମନ୍ତ୍ରଣା ଏବଂ ରାଜରାଣୀ ଚିତ୍ରାଙ୍କ ସୌନ୍ଦର୍ଯ୍ୟ ମଦରେ ଅନ୍ଧ ଶୁଭକାନ୍ତ ସମଗ୍ର ରାଜ୍ୟରେ କ୍ରମବିସ୍ତାରିତ ହେଉଥିବା ଦୁର୍ଭିକ୍ଷର କରାଳ ଛାୟାପ୍ରତି ସମ୍ପୂର୍ଣ୍ଣ ନିର୍ବିକାର ରହିଛନ୍ତି ।

 

ତାଙ୍କର ଚୈତନ୍ୟୋଦୟ ହୋଇଛି ବ୍ରାହ୍ମଣ ପୁତ୍ର ସନାତନର ଆଗ୍ନେୟ ଆହ୍ୱାନରେ । ଦୁର୍ଭିକ୍ଷ ପ୍ରପୀଡ଼ିତ ପ୍ରଜାବର୍ଗ ଯେତେବେଳେ ବଳରାମଙ୍କ ଦ୍ଵାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କରପୀଡ଼ାରେ ଅତିଷ୍ଠ ହୋଇ ଉଠିଛନ୍ତି ସେତେବେଳେ ସନାତନ ସେମାନଙ୍କ ଭିତରେ ପ୍ରତିବାଦର ସ୍ଵର ସୃଷ୍ଟି କରିବା ପାଇଁ ପ୍ରୟାସ କରିଛି । ଏହାର ପରିଣତି ହୋଇଛି ପ୍ରଥମ କରି ଶୁଭକାନ୍ତଙ୍କ ନିକଟକୁ କିଛି ପ୍ରଜା ସଂଘବଦ୍ଧ ଭାବରେ ସନାତନ ସହ ଆପଣାର ଦୁଃଖ ଜଣାଇବାପାଇଁ ଆସିବା । ମାତ୍ର ବଳରାମଙ୍କ ତର୍ଜନ ଗର୍ଜନରେ ନିରୀହ ପ୍ରଜାବର୍ଗ ମୁକ ପାଲଟି ଯାଇଛନ୍ତି ଏବଂ କେବଳ ସନାତନକୁ ଛାଡ଼ିଦେଲେ କେହି ଆପଣାର ଦୁଃଖ ଶୁଭକାନ୍ତଙ୍କ ଆଗରେ ପ୍ରକାଶ କରିପାରି ନାହାନ୍ତି-। ବଳରାମଙ୍କ ପ୍ରରୋଚନାର ସନାତନକୁ ଶୁଭକାନ୍ତ ଦେଶାନ୍ତର ଦଣ୍ଡ ଦେଇଛନ୍ତି । ମାତ୍ର ଯିବାପୂର୍ବରୁ ସନାତନର ଅନ୍ତିମବାଣୀ ଏବଂ ଦଣ୍ଡାଦେଶ ଶୁଣିବାମାତ୍ରେ ତା ଓଠରୁ ମୁରୁକି ଉଠିଥିବା ବିଦ୍ରୁପର କ୍ଷୀଣ ହସରେଖା ହିଁ ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନର ସହାୟକ ହୋଇଛି । ଧର୍ମାଶୋକଙ୍କ ସେହି ମହତ୍‍ବାଣୀ ‘କତୟନ ମତେହି ମେ ସବ୍‍ଲୋକ ହିତମ୍’ ତାଙ୍କୁ ଅହରହ ଅନୁପ୍ରେରିତ କରିଛି । ଶେଷରେ ବାଲ୍ୟକାଳରେ ତାଙ୍କୁ ସ୍ତନପାନ କରାଇଥିବା କୃଷକ ବଧୂ ସୁନାର ମୃତ୍ୟୁ ଶୁଭକାନ୍ତଙ୍କୁ ସିଂହାସନ ତଥା ଅଳିକ ବିଳାସବ୍ୟସନ ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ କରିଦେଇଛି ଏବଂ ପ୍ରଜାବର୍ଗଙ୍କ ସେବା ପାଇଁ ସେ ରାଜନବର ତ୍ୟାଗ କରି ଜନସାଧାରଣଙ୍କ ସେବାପାଇଁ ନିଜକୁ ସମର୍ପଣ କରିଛନ୍ତି-

 

ଚରିତ୍ରାୟନ :-

ଉପନ୍ୟାସର ମୁଖ୍ୟ ଚରିତ୍ର ଶୁଭକାନ୍ତକୁ ଛାଡ଼ିଦେଲେ ପ୍ରାୟ ତେରଟି ଚରିତ୍ରର ରୂପାୟନ ଅତ୍ୟନ୍ତ ସଫଳତାର ସହ କାଳିନ୍ଦୀଚରଣ ଏଥିରେ କରିଛନ୍ତି । ଏମାନେ ସମସ୍ତେ ଏହି ମୁଖ୍ୟ ଚରିତ୍ରଟିକୁ ବିଭିନ୍ନ ଦିଗରୁ ପ୍ରତିଫଳିତ କରିଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଚରିତ୍ରକୁ ବାଦ୍‍ଦେଇ ହୁଏ ନାହିଁ । ନିଜର ସ୍ୱଳ୍ପ ତଥା ଅସୀମ ସ୍ଥିତିରେ ଏମାନେ ପ୍ରତ୍ୟେକ ଆପଣାର ପରିଚିତିରେ ମହୀୟାନ । ରାଜା ଚନ୍ଦ୍ରକାନ୍ତ, ରାଣୀ ଫୁଲବାଇ ଗୌରୀ, ବଳରାମ ପଟ୍ଟନାୟକ, ସନାତନ, ରାଜରାଣୀ ଚିତ୍ରା, ସୁନା, ଅଳକା, ବଳିଆର ସିଂହ, ସୁନନ୍ଦା, ଶୋଭା, କୃପାନାଥ ଓ ଅନନ୍ତବାବୁ ଦାରୋଗା ଏମାନେ ସମସ୍ତେ ଆପଣା ଆପଣା ବଳୟ ମଧ୍ୟରେ ଅବସ୍ଥିତ ରହି ମୁଖ୍ୟଚରିତ୍ର ଶୁଭକାନ୍ତକୁ ଅଧିକ ପ୍ରତିଫଳିତ କରିଛନ୍ତି । ଏଣୁ ଉପନ୍ୟାସରେ ଏହି ଚରିତ୍ରମାନେ କେତେବେଳେ ହେଲେବି ଅଦରକାରୀ ହୋଇନାହାନ୍ତି । ଏପରିକି ଅତୀତରେ ଧନର ମାଲିକ ହୋଇଥିବା ମାତ୍ର ପରେ ସବୁକିଛି ହରାଇ ବସିଥିବା ଚିନ୍ତାମଣି ଛୋଟରାୟ, ନଦିଆର ପ୍ରେମ ତତ୍ତ୍ୱର ବ୍ୟାଖ୍ୟାକାର ନବୀନଚନ୍ଦ୍ର, ଗ୍ରାମ୍ୟ ବାଳିକା ରାଧା, ସେବତୀ ଓ ମାଳତୀ, ଚନ୍ଦ୍ରକାନ୍ତଙ୍କ ରାଜ୍ୟର ଦାରୋଗା ବାବୁ ଏବଂ ଲଣ୍ଡାବାବୁ ପାଠପଢ଼ୁଥିବା ଚାଟଶାଳୀର ଅବଧାନ ଏମାନେ କେହି ହେଲେ ବି ଗୁରୁତ୍ୱହୀନ ନୁହନ୍ତି । ଶୁଭକାନ୍ତଙ୍କ ଚରିତ୍ରର ସାମଗ୍ରିକ ବିକାଶ କ୍ରମରେ ଏମାନଙ୍କର କିଛି ନା କିଛି ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭୂମିକା ଅଛି ।

 

ରାଜା ଚନ୍ଦ୍ରକାନ୍ତ :-

ମୁକ୍ତାଗଡ଼ର ରାଜା ଚନ୍ଦ୍ରକାନ୍ତ ପଟ୍ଟଦେବ ଶୁଭକାନ୍ତଙ୍କର ପିତା । ମାତ୍ର ଜୀବିତାବସ୍ଥାରେ ସେ କେତେବେଳେ ହେଲେବି ପ୍ରକାଶ୍ୟରେ ଶୁଭକାନ୍ତଙ୍କୁ ନିଜର ଆପତ୍ୟ ସ୍ନେହ ପ୍ରଦାନ କରିପାରି ନାହାନ୍ତି । ଆଠକୋଶ ପରିମିତ ମୁକ୍ତାଗଡ଼ର ରାଜା ହେଲେ ମଧ୍ୟ ଅପୁତ୍ରିକ ହେବାର ଦୁଖ ତାଙ୍କୁ ପ୍ରତି ମୁହୂର୍ତ୍ତରେ ସନ୍ତପ୍ତ କରିଛି । ଜଣେ ପ୍ରକାନୁରକ୍ତ ଶାସକଭାବରେ ଚନ୍ଦ୍ରକାନ୍ତଙ୍କର ପ୍ରଶସ୍ତି ରହିଛି ଏବଂ ପ୍ରତିଦିନ ପ୍ରଭାତର ମୁକ୍ତାଗଡ଼ର ପ୍ରତିଟି ପ୍ରଜା ରାଜା ଚନ୍ଦ୍ରକାନ୍ତଙ୍କ ନାମ ପ୍ରଥମେ ଆପଣାର ପାପକ୍ଷାଳନ ପାଇଁ ଉଚ୍ଚାରଣ କରନ୍ତି ବୋଲି ଔପନ୍ୟାସିକ ସ୍ପଷ୍ଟ କହିଛନ୍ତି । ବିଚାରକ ଭାବରେ ତାଙ୍କର ଅସୀମ ଖ୍ୟାତି ଥିଲା ଏବଂ ରାଜ୍ୟର ଆବାଳବୃଦ୍ଧବନିତାଙ୍କୁ ସେ ଆପଣାର ସ୍ନେହଡୋରିରେ ବାନ୍ଧି ରଖିପାରିଥିଲେ । ବିପଦ କାଳରେ ତାଙ୍କ ନିକଟରେ ଥିଲା ଅସୀମ ସାହସ ଓ ଧୈର୍ଯ୍ୟ । ଶରଣାଗତଙ୍କୁ ସହାୟତା ତଥା ଅତିଥିମାନଙ୍କୁ ଦାନ ତାଙ୍କ ଚରିତ୍ରର ଅନ୍ୟତମ ଭୁଷଣ ଥିଲା । କେବେହେଲେବି ରାଜ ସମ୍ପଦକୁ ସେ ଭୋଗର ସାମଗ୍ରୀ ବୋଲି ବିଚାର କରୁ ନଥିଲେ । କାଳିନ୍ଦୀଚରଣଙ୍କ ଭାଷାରେ, ‘ରାଜ ଐଶ୍ଵର୍ଯ୍ୟ ରାଜାର ଭୋଗବିଳାସ ପାଇଁ ସୃଷ୍ଟି ନୁହେଁ - ପ୍ରଜାର ସମ୍ପତ୍ତି ସେ । ଏକତ୍ରିତ କରି ପ୍ରଜା ତାହା ରାଜା ନିକଟରେ ଗଚ୍ଛିତ ରଖେ ତା’ର ଅଭାବ କିମ୍ବା ବିପଦ ଆପଦ ସମୟରେ ସାହାଯ୍ୟ ପାଇଁ - ରୋଗ, ଦୁଃଖ ଓ ଶତ୍ରୁ କବଳରୁ ରକ୍ଷା ପାଇବା ଲାଗି । (ପ୍ରଥମ ପରିଚ୍ଛେଦ)

 

ସୁଶାସକ ହୋଇ ମଧ୍ୟ ସନ୍ତାନହୀନତାର ଦୁଃଖରେ ସେ ଅହରହ ପୀଡ଼ିତ । ମନୋହାରିଣୀ ସୁନ୍ଦରୀ ପତ୍ନୀ ଲାଭ କରିଥିଲେ ମଧ୍ୟ ସେ ଅଗତ୍ୟହୀନ ହୋଇଥିବାରୁ କେତେବେଳେ ହେଲେବି ଶାନ୍ତି ପାଇପାରିନାହାନ୍ତି । ପ୍ରଜାବର୍ଗ, ରାଣୀ ଓ ଶୁଭେଚ୍ଛୁ ଗଣଙ୍କ ଦ୍ଵାରା ଗୃହୀତ ପୁନଃବିବାହ ଅଥବା ପୋଷ୍ୟପୁତ୍ର ପ୍ରସ୍ତାବକୁ ସେ ଅନ୍ତରର ସହିତ ସମର୍ଥନ କରିପାରିନାହାନ୍ତି । ରାଜକାର୍ଯ୍ୟରୁ ନିବୃତ ହେବାବେଳେ ସାଧନା ଉଦ୍ୟାନରେ ଏକା ଏକା ଧ୍ୟାନ, ଜପ ତଥା ଆରାଧନାରେ ମଗ୍ନ ରହିଛନ୍ତି ସେ । ରାଣୀଙ୍କ ପାଖରୁ ଅପୁତ୍ରିକର ଦୁଃଖରେ ଦୂରେଇ ଯିବାପରେ ଏହି ସାଧନା ଉଦ୍ୟାନହିଁ ତାଙ୍କ ବିହାର କ୍ଷେତ୍ର ହୋଇଯାଏ । ପରିଣତ ବୟସରେ ଷାଠିଏ ବର୍ଷର ବାର୍ଦ୍ଧକ୍ୟଶୀତଳ ଦେହରେ ଚନ୍ଦ୍ରକାନ୍ତଙ୍କର ଥରେ ଆକସ୍ମିକ ପରିବର୍ତ୍ତନ ଆସେ । ଅବିବାହିତ ଜୀବନରେ ତାଙ୍କୁ ବାରମ୍ବାର ଏକ ଶୁଦ୍ଧ ତଥା ପବିତ୍ର ପ୍ରଲୋଭନରେ ପ୍ରଲୋଭିତ କରିଥିବା ବ୍ରାହ୍ମଣ କନ୍ୟା ସୁନନ୍ଦାର ଦୁଇଟି ଆୟତ୍ତ ଆଖି ପରିଣତ ବୟସରେ ତାଙ୍କୁ ଆକର୍ଷିତ କରିଛି । ବିବାହ ପରେ ବୈଧବ୍ୟ ଭାଗ୍ୟକୁ ନେଇ ପିତାଙ୍କ ଘରେ ଏକାକିନୀ ତପସ୍ୱିନୀ ଭାବରେ ଜୀବନ ଅତିବାହିତ କରୁଥିବା ସୁନନ୍ଦାଙ୍କ ପୌଢ଼ ଶରୀର ତାଙ୍କୁ ଷାଠିଏ ବର୍ଷ ବୟସରେ ଆକର୍ଷିତ କରିଛି ଏବଂ ଉଭୟଙ୍କ ମିଳନର ଅଙ୍କୁର ଭାବେ ସୃଷ୍ଟିହୋଇଛି ଏକ ନବଜାତକ ଯାହାର ଥଇଥାନ ପାଇଁ ସୁନନ୍ଦା ଅଥବା ଚନ୍ଦ୍ରକାନ୍ତ କାହାର ହେଲେ ମଧ୍ୟ ସାମାଜିକ ସ୍ୱୀକୃତି ନାହିଁ । ଶେଷରେ ବସନ୍ତପଞ୍ଚମୀର ରାତ୍ରିର ଶେଷଭାଗରେ ସାଧନା ଉଦ୍ୟାନରେ ଥିବା ପୁଷ୍କରିଣୀ ତଟରେ ସନ୍ତାନକୁ ଶୁଆଇଦେଇ ସେ ସୁନନ୍ଦାଙ୍କ ସହ ଅପେକ୍ଷା କରିଛନ୍ତି ଏବଂ ଫୁଲବାଇ ଗୌରୀ ସ୍ନାନପରେ ସନ୍ତାନ ପାଇ ପାଳନକରିବାକୁ ନେଇ ଯିବାପରେ ଆପଣାର ପ୍ରାଥମିକ ଦାୟିତ୍ୱ ପରିସମାପ୍ତ ହୋଇଛି ବୋଲି ଚନ୍ଦ୍ରକାନ୍ତ ଅନୁଭବ କରିଛନ୍ତି ।

 

ଗୌରୀର ଆଦରଯତ୍ନରେ ପ୍ରତିପାଳିତ ହେଉଥିବା ଶିଶୁଟି ପ୍ରତି ରାଣୀଙ୍କ ଦୁର୍ବଳତା ଏବଂ ସ୍ନେହଭାବ ଚନ୍ଦ୍ରକାନ୍ତଙ୍କୁ ଅଡ଼ୁଆରେ ପକାଇଛି । ପ୍ରାଥମିକ ପର୍ଯ୍ୟାୟରେ ସେ ରାଣୀଙ୍କୁ ଏକଥା ସମ୍ପର୍କରେ କିଛି ନଜଣାଇବାକୁ ଇଚ୍ଛା କରିଥିଲେ ମଧ୍ୟ ପରେ ଗୌରୀର ମୃତ୍ୟୁପରେ ସେ ସନ୍ତାନକୁ ଉଆସକୁ ନେଇ ଆସିବା ପାଇଁ ସମସ୍ତ ଘଟଣା ସେ ରାଣୀଙ୍କ ପାଖରେ ଖୋଲି କହିବାର ପ୍ରବଣତା ନିଜ ଭିତରେ ଅନୁଭବ କରିଛନ୍ତି ସେ । ରାଣୀଙ୍କ ଜୀବନ ଦୀପ ଲିଭିବା ଆଗରୁ ଅନୁତପ୍ତ ସ୍ଵାମୀଭାବେ ଚନ୍ଦ୍ରକାନ୍ତ ସବୁକଥା ତାଙ୍କ ପାଖରେ ଖୋଲି କହିବାର ପ୍ରୟାସ କରିଛନ୍ତି ଏବଂ ରାଣୀ ଏହା ଜାଣନ୍ତି ବୋଲି କହିବା ପରେ କଲ୍ୟାଣୀ ନାରୀଟି ପ୍ରତି ଚନ୍ଦ୍ରକାନ୍ତଙ୍କ ମଥା ଅବନତ ହୋଇ ଯାଇଛି । ପରିଣତ ବୟସରେ ଆପଣାର ଦେହାନ୍ତ ପରେ ଚନ୍ଦ୍ରକାନ୍ତ ତାଙ୍କ ସନ୍ତାନ ଲଣ୍ଡାବାବୁ ଶୁଭକାନ୍ତ ପଟ୍ଟଦେବ ନାମରେ ସେ ମୁକ୍ତାଗଡ଼ର ସିଂହାସନରେ ବସିବେ ବୋଲି ତାହା ‘ଆତ୍ମଲିପି’ରେ ପତ୍ରସ୍ଥ କରି ପ୍ରଜାପୁଞ୍ଜଙ୍କ ନିକଟରେ ଆପଣାର କୃତକର୍ମର ପରିଚୟ ଦେଇ ଚିରଦିନ ପାଇଁ ଆଖିବୁଜି ଦେଇଛନ୍ତି । ଅନ୍ତିମ ମୁହୂର୍ତ୍ତରେ ନିଜ ସନ୍ତାନ ପ୍ରତି ଚନ୍ଦ୍ରକାନ୍ତଙ୍କ ଅଛି ପ୍ରବଳ ଆସ୍ଥା । ଗୌରୀର ସ୍ନେହାତିଶଯ୍ୟରେ ଚପଳ ହୋଇ ଉଠିଥିବା ଲଣ୍ଡାବାବୁ ଯେ ଭବିଷ୍ୟତରେ ମୁକ୍ତାଗଡ଼ର ଜଣେ ସୁଶାସକ ହେବେ ଏବିଶ୍ଵାସ ତାଙ୍କର ଅଛି । ଏ ବିଶ୍ୱାସ ମୂଳରେ ରହିଛି ସନ୍ତାନର ଜନନୀର ଆଦର୍ଶ ଚରିତ୍ରବତ୍ତା ତଥା ଶୃଙ୍ଖଳିତ ଦିନଚର୍ଯ୍ୟା ‘ଆତ୍ମଲିପି’ର ଭାଷାରେ, ‘ସେ ଯେଉଁ ଜନନୀର ଗର୍ଭରୁ ଜାତ ହୋଇଛନ୍ତି, ସେଥିରେ ସେ କଦାପି ଆଜୀବନ ଚରିତ୍ରହୀନ ହୋଇ ରହିପାରେ ନାହିଁ । (୧୧ଶ ପରିଚ୍ଛେଦ) । ସମୟକ୍ରମେ ପ୍ରବୃତ୍ତିଦ୍ୱାରା ପରିଚାଳିତ ଜଣେ ଆଦର୍ଶ ତଥା ପ୍ରଜାରଞ୍ଜକ ରାଜା ଭାବେ ଚନ୍ଦ୍ରକାନ୍ତ ଉପନ୍ୟାସରେ ଚିତ୍ରିତ ହୋଇଛନ୍ତି ।

 

ରାଜରାଣୀ :-

ଚନ୍ଦ୍ରକାନ୍ତଙ୍କ ପତ୍ନୀ ସୁନ୍ଦରୀ ଏବଂ ଗୁଣବତୀ ହେଲେ ମଧ୍ୟ ସନ୍ତାନହୀନା ହୋଇଥିବାରୁ ସବୁବେଳେ ଦାରୁଣ ଅନ୍ତର୍ଦହନ ମଧ୍ୟରେ ସମୟ ଅତିବାହିତ କରିଛନ୍ତି । ମୁକ୍ତାଗଡ଼ର ଭାବୀ ଉତ୍ତରାଧିକାରୀ ବିହୀନ ହୋଇଯିବାର ଆଶଙ୍କାରେ ସ୍ୱାମୀଙ୍କୁ ସେ ପୁନର୍ବିବାହ ଅଥବା ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପ୍ରବର୍ତ୍ତାଇଛନ୍ତି ମାତ୍ର ଚନ୍ଦ୍ରକାନ୍ତ ତାଙ୍କ ପ୍ରସ୍ତାବକୁ ସମର୍ଥନ କରିପାରି ନାହାନ୍ତି । ବସନ୍ତପଞ୍ଚମୀ ରାତିରେ ସାଧନା ଉଦ୍ୟାନରୁ ଗୌରୀ ପାଇଥିବା ପୁତ୍ର ସନ୍ତାନକୁ ଦେଖିବା ପାଇଁ ତାଙ୍କ ଭିତରର ମାତୃତ୍ୱ ତାଙ୍କୁ ପ୍ରଚୋଦିତ କରିଛି ଏବଂ ସେ ସ୍ୱାମୀଙ୍କ ଅନୁମତି ନେଇ ଗୌରୀ ଘରକୁ ପୁଅଟିକୁ ଦେଖିବାକୁ ଯାଇଛନ୍ତି । ପୁଅକୁ ନିରୀକ୍ଷଣ କରି ଦେଖିବାବେଳେ ସେ ଅକସ୍ମାତ୍ ଚମକି ପଡ଼ିଛନ୍ତି ଏବଂ ଏହା ଭିତରେ ପୁଅକୁ ଚିହ୍ନିପାରିବାର ଅବସ୍ଥାକୁ ଅତ୍ୟନ୍ତ ବ୍ୟଞ୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିଛନ୍ତି ଔପନ୍ୟାସିକ (୪ର୍ଥପରିଚ୍ଛେଦ) । ଶିଶୁଟି ତାଙ୍କ ଅନ୍ତରକୁ ଛୁଇଁଦେଇଛି ଏବଂ ରାତିର ଅନ୍ଧାର ଭିତରେ ସେ କେବଳ ତାର ନିଷ୍ପାପ ରୂପ ହିଁ ଦର୍ଶନ କରିଛନ୍ତି । ଚନ୍ଦ୍ରକାନ୍ତ ଯେତେବେଳେ ପିଲାଟିର ବାପ ମା’ ଅଜ୍ଞାତ ବୋଲି, କହନ୍ତି ସେତେବେଳେ ସେ ତାଙ୍କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁରହନ୍ତି । ଜୀବନର ଶେଷ ମୁହୂର୍ତ୍ତରେ ଚନ୍ଦ୍ରକାନ୍ତଙ୍କୁ ଏକାକୀ ପାଇ ରାଣୀ ବୈଧବ୍ୟ ଯନ୍ତ୍ରଣା ଭୋଗିବା ତାଙ୍କ କପାଳରେ ନାହିଁ ବୋଲି କହିଛନ୍ତି । ଚନ୍ଦ୍ରକାନ୍ତ ତାଙ୍କ ପାଖରେ ଆପଣାର ଅପରାଧ କଥା ବ୍ୟକ୍ତ କରିବା ପାଇଁ ଅଭିଳାଷ ପୋଷଣ କରନ୍ତେ, ରାଣୀ ତାହା ବହୁ ପୂର୍ବରୁ ଜାଣିଛନ୍ତି ବୋଲି କହିଛନ୍ତି ଏବଂ ଗୌରୀଘରେ ପୁଅକୁ ପ୍ରଥମେ ଦେଖିଲାବେଳେ ସେ ଯେ ଚନ୍ଦ୍ରକାନ୍ତଙ୍କ ସନ୍ତାନ ଏଥିରେ ସେ ଦୃଢ଼ ନିଶ୍ଚିତ ହୋଇ ଯାଇଛନ୍ତି । ‘ହଁ ସବୁ ଜାଣେ-ପ୍ରଥମେ ଯେତେବେଳେ ଗୌରୀ ଘରେ ତାକୁ ଦେଖିଲି, ହଠାତ୍ ଚମକି ପଡ଼ିଲି । ତା’ ଆଖି, ନାକ, ଓଠ- ସବୁ ତୁମରି ।’ (୯ମ ପରିଚ୍ଛେଦ) । ରାଣୀଙ୍କର ଏ ଉକ୍ତି ଚନ୍ଦ୍ରକାନ୍ତଙ୍କୁ ବିସ୍ମିତ କରିଛି ଏବଂ ଚନ୍ଦ୍ରକାନ୍ତଙ୍କ ସନ୍ତାନକୁ ନିଜର ସନ୍ତାନ ବୋଲି ଗ୍ରହଣ କରିନେବାର ଉଦାରତାରେ ସେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି । ଶେଷରେ ଚନ୍ଦ୍ରକାନ୍ତଙ୍କ ସମ୍ମୁଖରେ ତାଙ୍କ ଜୀବନଦୀପ ଚିରଦିନ ପାଇଁ ଅସ୍ତମିତ ହୋଇଯାଇଛି ।

 

ସୁନନ୍ଦା :-

ଚନ୍ଦ୍ରକାନ୍ତଙ୍କ ରାଜ ପୁରୋହିତଙ୍କ କନ୍ୟା ହେଉଛି ସୁନନ୍ଦା କୁଳୀନ ବ୍ରାହ୍ମଣ ପରିବାରର ଏହି କନ୍ୟା ଜୀବନରେ ଦୁଃଖକୁହିଁ ଆପଣାର କରିନେଇଛି । ନଅବର୍ଷ ବୟସରୁ ବୈଧବ୍ୟ ଯନ୍ତ୍ରଣା ବରଣ କରି ସେ ନିଜ ପିତ୍ରାଳୟରେ ତାର ଅବଶିଷ୍ଟ ଜୀବନ ଅତିବାହିତ କରିଛି । କଠୋର ଜୀବନଚର୍ଯ୍ୟା ଏବଂ ସମାଜର ଏହି ଅନ୍ଧ ଅନୁଶାସନ ତାକୁ କର୍କଶ ଓ କଠୋର କରିଛି । ଏହା ଫଳରେ ସୌନ୍ଦର୍ଯ୍ୟ ଓ ପୁରୁଷ ସୁଲଭ କଠୋରତା ଏହି ଦୁଇଟିର ଉପାଦାନକୁ ଏକାଧାରରେ ବହନ କରିଛି ସେ । ଔପନ୍ୟାସିକଙ୍କ ଭାଷାରେ, ‘ନାରୀତ୍ୱର ଲାଳିତ୍ୟ ସହିତ ପୁରୁଷର ତୀବ୍ରତା ମିଶି ଚରିତ୍ର ଗଠିତ ।‘ (୫ମ ପରିଚ୍ଛେଦ) ଚନ୍ଦ୍ରକାନ୍ତ ତା’ଠାରୁ ଯଥେଷ୍ଟ ବୟସ୍କ ହୋଇଥିଲେ ମଧ୍ୟ ଅବିବାହିତ ଅବସ୍ଥାରେ ସୁନନ୍ଦାର କୁମାରୀ ଦେହ ବିଶେଷ କରି ତା’ର ଦୁଇଟି ଢଳଢଳ ଆଖିପ୍ରତି ଆକର୍ଷିତ ହୁଅନ୍ତି ଚନ୍ଦ୍ରକାନ୍ତ-। ଏହି ଆକର୍ଷଣ କିଛି ସମୟ ପାଇଁ ନୀରବ ହୋଇଯାଏ । ସମୟକ୍ରମେ ଚନ୍ଦ୍ରକାନ୍ତ ଓ ସୁନନ୍ଦା ଉଭୟେ ବୈବାହିକ ବନ୍ଧନରେ ଆବଦ୍ଧ ହୋଇ ପରସ୍ପରର ଠାରୁ ଦୂରେଇ ଯା’ନ୍ତି । ମାତ୍ର ସୁନନ୍ଦା ପୁଣି ଥରେ ବିଧବା ହୋଇ ପିତ୍ରାଳୟକୁ ଚାଲିଆସନ୍ତି । ଅବଶିଷ୍ଟ ଜୀବନ ମାନବ ସେବା କରିବାର ବ୍ରତ ଧାରଣ କରି ଆୟୁର୍ବେଦ ଅଧ୍ୟୟନ କରେ ସେ ଏବଂ ଖୁବ୍ ଅଳ୍ପସମୟ ମଧ୍ୟରେ ଏକ ଦକ୍ଷ ଚିକିତ୍ସକ ରୂପରେ ଆପଣାକୁ ପ୍ରତିଷ୍ଠିତା କରେ । ଜୀବନର ପୌଢ଼ତ୍ୱରେ ସୁନନ୍ଦା ଷାଠିଏ ବର୍ଷର ବୃଦ୍ଧ ଚନ୍ଦ୍ରକାନ୍ତଙ୍କ ଦ୍ୱାରା ଆକର୍ଷିତ ହୁଅନ୍ତି । ଦାମ୍ପତ୍ୟ ଜୀବନଯାପନ କରୁଥିଲେ ମଧ୍ୟ କୌଣସି ପୁତ୍ର ସନ୍ତାନକୁ କୋଳରେ ଧାରଣ କରିପାରିନଥିବା ଏହି ରାଜଦମ୍ପତ୍ତି ନିଃସନ୍ତାନ ହେବାର ଦୁଃଖରେ ବିଚଳିତ ହୋଇପଡ଼ୁଥିବା ବେଳେ ଚନ୍ଦ୍ରକାନ୍ତ ସୁନନ୍ଦା ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସାଧନା ଉଦ୍ୟାନରେ ଉଭୟଙ୍କର ନିଶିଦ୍ଧ ମିଳନ ହୁଏ । ଏହି ମିଳନର ପରିଚୟ ପୁତ୍ର ରୂପେ ଜନ୍ମଲାଭ କରେ ଏକ ଶିଶୁ ସନ୍ତାନ ଯାହାକୁ ଲୋକପବାଦ ଭୟରେ ବସନ୍ତପଞ୍ଚମୀ ରାତ୍ରୀରେ ସାଧନା ଉଦ୍ୟାନରେ ଗୌରୀ ସ୍ନାନ କରୁଥିବା ଅବସ୍ଥାରେ ଛାଡ଼ିଦେଇ ଆସନ୍ତି ଉଭୟେ ଏବଂ ଗୌରୀ ସେ ସନ୍ତାନକୁ ପାଇ ଆନନ୍ଦରେ ଲାଳନପାଳନ କରେ ।

 

ସନ୍ତାନକୁ ହରାଇବାପରେ ସୁନନ୍ଦାର ମାତୃତ୍ତ୍ୱ ବିଳପି ଉଠେ । ଦୁଇମାସର ଶିଶୁପୁତ୍ର ଅସୁସ୍ଥ ଥିବାର ଖବର ଗୌରୀଠାରୁ ଶୁଣି ପୂଜାକର୍ମକୁ ପଛରେ ପକାଇ ଆଗ ପୁତ୍ରସେବା କରିବାକୁ ବାହାରି ଆସେ ସେ । ଗୌରୀ ସୁନନ୍ଦା ଭିତରେ ଅନ୍ୟ ନାରୀମାନଙ୍କଠାରୁ ଏକ ପାର୍ଥକ୍ୟ ଲକ୍ଷ୍ୟ କରେ, ତାହା ହେଉଛି ତା’ର ଅନାସକ୍ତଭାବ । ଅନ୍ୟମାନେ ପୁଅକୁ ଦେଖିବାକୁ ବ୍ୟାକୁଳ ହୋଇ ଉଠୁଥିବା ବେଳେ ଗୌରୀ ସୁନନ୍ଦା ଭିତରେ ସେ ବ୍ୟାକୁଳତା ଦେଖିବାକୁ ପାଏ ନାହିଁ । ଆପଣାର ସନ୍ତାନକୁ ଏହିପରି ନିରାସକ୍ତ ଭାବରେ ପାଖରେ ପାଇବାର ଅଭିନୟ କ୍ରମେ ଗୌରୀକୁ ଆକର୍ଷିତ କରେ ଓ ସେ ସୁନନ୍ଦା ପ୍ରତି କୌଣସି ସନ୍ଦେହ ପୋଷଣ କରିପାରେ ନାହିଁ । ଦିନେ ଛଡ଼ା ଦିନେ ଆସି ସୁନନ୍ଦା ସନ୍ତାନକୁ ଦେଖିଯାଏ ଏବଂ ଏହାଦ୍ଵାରା ତା’ର ଉଦ୍ଦେଶ୍ୟ ମଧ୍ୟ ପୂରଣ ହୁଏ । କ୍ରମେ ବଡ଼ ହୋଇ ଲଣ୍ଡାବାବୁ ନାମରେ ପରିଚିତ ହୋଇଥିବା ଏହି ଶିଶୁ ଯେତେବେଳେ ଗୌରୀର ମୃତ୍ୟୁପରେ ରାଜଭବନକୁ ଯାଏ, ସେତେବେଳେ ମଧ୍ୟ ସୁନନ୍ଦା ରାଜଭବନକୁ ତାକୁ ଦେଖିବାକୁ ଯାଏ ଏବଂ କ୍ରମେ ଦୁଷ୍ଟ ହୋଇ ଆସୁଥିବା ଏହି ବାଳକଟିକୁ ସେ ବିଭିନ୍ନ ଅନୁଶାସନରେ ବନ୍ଦୀ କରିବାପାଇଁ ଚାହେଁ । ପରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁପରେ ତାଙ୍କ ‘ଆତ୍ମଲିପି’ ଅନୁସାରେ ଲଣ୍ଡାବାବୁ ଶୁଭକାନ୍ତ ପଟ୍ଟଦେବ ନାମରେ ଯେତେବେଳେ ସିଂହାସନ ଆରୋହଣ କରନ୍ତି, ସେତେବେଳେ ରାଜମଦରେ ଘୋର ଉତ୍ସୃଙ୍ଖଳ ହୋଇଉଠନ୍ତି ସେ । ଏହି ଉତ୍ସୃଙ୍ଖଳତା ଉପରେ ଏକ ମାତ୍ର ଅଙ୍କୁଶ ଦେବାର ସାହସ କେବଳ ହିଁ ସୁନନ୍ଦାର ଥାଏ । ବାଲ୍ୟକାଳରେ ଶିକ୍ଷୟତ୍ରୀ ଭଳି ଆକଟରେ ରଖିଥିବା ଏହି ‘କାଚପରି ସ୍ଵଚ୍ଛ ଅଭେଦ୍ୟ ଅନମ୍ର-ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ କିନ୍ତୁ ନତ ହେବ ନାହିଁ ଚରିତ୍ରଟି ପାଖରେ ଶୁଭକାନ୍ତ ସବୁବେଳେ ନୀରବ ହୋଇଯାଇଛନ୍ତି । ତାଙ୍କର କୌଣସି ଆକଟକୁ ଅତିକ୍ରମ ତଥା ଅସ୍ୱୀକାର କରିବାର ସାହସ ସେ ନିଜ ଭିତରେ ସଞ୍ଚୟ କରିପାରିନାହାନ୍ତି (୧୩ଶ ପରିଚ୍ଛେଦ) । ଯେଉଁ ବଳରାମ ପଟ୍ଟନାୟକଙ୍କ ଦ୍ୱାରା ଶୁଭକାନ୍ତ ପ୍ରଜାପୀଡ଼କ ଏବଂ ଉତ୍ସୃଙ୍ଖଳ ହୋଇ ଉଠିଛନ୍ତି ତାଙ୍କୁ ମଧ୍ୟ ସୁନନ୍ଦା ଏହି କର୍ମରୁ ନିବୃତ୍ତ ରହିବାପାଇଁ ତାଗିଦ୍ କରିଛନ୍ତି । ଅନୁଚିତ କରଭାରରେ ଦଣ୍ଡିତ ପ୍ରଜାମାନଙ୍କୁ ଅଧିକ କାୟିକ ଦଣ୍ଡ ନଦେବା ପାଇଁ ସେ ତାଙ୍କର ସମସ୍ତ ସମ୍ପତ୍ତିକୁ ବ୍ୟୟିତ କରିବାକୁ ଦୃଢ଼ ସଂକଳ୍ପ କରିଛନ୍ତି (୧୪ଶ ପରିଚ୍ଛେଦ) । ତ୍ୟାଗ, ସେବା ଏବଂ ମମତାର ତ୍ରିବେଣୀ ସଙ୍ଗମରେ ଏହି ଚରିତ୍ରଟି ପାଠକର ଦୃଷ୍ଟି ସହଜରେ ଆକର୍ଷଣ କରେ ।

 

ଗୌରୀ :-

ଉପନ୍ୟାସର ଆରମ୍ଭ ବେଳକୁ ଗୌରୀ ବିଧବା । ଦରିଦ୍ର ବୈଶ୍ୟଗୃହର କନ୍ୟା ସେ ମାତ୍ର ତା’ର ଅଙ୍ଗସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ରାଜକର୍ମଚାରୀଗଣ ତାକୁ ମୁକ୍ତାଗଡ଼ ରାଜପ୍ରସାଦକୁ ଘେନି ଆସିଛନ୍ତି । ରାଜଅନ୍ତପୁରରେ ଗୌରୀ ଫୁଲବାଇ କର୍ମରେ ନିଯୁକ୍ତ ହୁଏ । ସମୟକ୍ରମେ ପୌଢ଼ାଗୌରୀ ରାଜପରିବାରରୁ ବାହାରିଯାଇ ଛୋଟରାୟ ପରିବାରରେ ଆଶ୍ରୟ ନିଏ । ଛୋଟରାୟ ପରିବାରର ଶେଷ ସ୍ଵାକ୍ଷର ଚିନ୍ତାମଣିଙ୍କ ମୃତ୍ୟୁପରେ ବୃଦ୍ଧାଗୌରୀ ଏକାକୀ ସେହି ଜୀର୍ଣ୍ଣ ଅଟ୍ଟାଳିକା ସ୍ତୁପ ମଧ୍ୟରେ ଛୋଟ କୁଡ଼ିଆଟିଏ କରି ଅବସ୍ଥାନ କରେ । ଚନ୍ଦ୍ରକାନ୍ତ ତାକୁ ଉଆସକୁ ଯିବାକୁ ପ୍ରବର୍ତ୍ତାଇଲେ ମଧ୍ୟ ସେ ଯାଏ ନାହିଁ । ବସନ୍ତପଞ୍ଚମୀ ରାତିରେ ଚନ୍ଦ୍ରକାନ୍ତଙ୍କ ସାଧନା ଉଦ୍ୟାନର ପୁଷ୍କରଣୀରେ ସ୍ନାନ କରିବା ସମୟରେ ଏକ ଶିଶୁ ସନ୍ତାନର କୁଆଁ କୁଆଁ ଶବ୍ଦ ଶୁଣି ତା’ ପାଖକୁ ଛୁଟିଯାଏ ସେ । ପଦ୍ମପତ୍ରରେ ଶୋଇଥିବା ସଦ୍ୟଜାତ ଶିଶୁକୁ ସେ ନିଜ କୋଳକୁ ତୋଳିନିଏ ଓ ତାର ସେବାଯତ୍ନରେ ନିଜର ଅବଶିଷ୍ଟ ଜୀବନକାଳ ବ୍ୟୟିତ କରେ । କେବଳ ଶିଶୁ ସନ୍ତାନକୁ କ୍ଷୀର ପିଆଉଥିବା କୃଷକ ଲଳନା ସୁନା ବ୍ୟତୀତ ଅନ୍ୟକାହାକୁ ଶିଶୁକୁ ଦେଖାଇ ଦିଏ ନୀହିଁ ସେ । ଶିଶୁ ଅସୁସ୍ଥ ହୋଇପଡ଼ିଲେ ସେ ବୈଦ୍ୟଶାସ୍ତ୍ର ସଂପର୍କରେ ଧାରଣା ରଖିଥିବା ସୁନନ୍ଦା ପାଖକୁ ଚାଲିଯାଏ । ତାକୁ ଡାକିଆଣି ସନ୍ତାନର ଚିକିତ୍ସା କରେ । ରାଣୀଙ୍କୁ ମଧ୍ୟ ନିଜର ଏହି ପାଳିତ ସନ୍ତାନକୁ ଦେଖାଇବାକୁ କୁଣ୍ଠିତା ହୁଏ ସେ । ଶିଶୁର ପ୍ରତ୍ୟେକ ଚପଳତାକୁ ଶ୍ରଦ୍ଧାର ସହ ସେ ଅପେକ୍ଷା କରି ରହେ । ଲଣ୍ଡାବାବୁ ନାମରେ ପରିଚିତ ଏହି ପିଲାଟିହିଁ ଗୌରୀର ଆଦରର ଧନ ହୁଏ-। ତା’ର ସମସ୍ତ ଅଳି ଅର୍ଦ୍ଦଳି ସେ ନିର୍ବିକାରରେ ଗ୍ରହଣ କରିଯାଏ । ରାତିରେ ନିଦରୁ ଉଠି ଗୌରୀର ପୂଜା ସରଂଜାମ ଇତସ୍ତତ କରିଦିଏ । ଶିଶୁ ସନ୍ତାନର ଦରୋଟିରୁ ‘ମାଆ’ ଡାକ ଶୁଣି ତା’ର ଜୀବନ ଧନ୍ୟ ହୋଇଯାଏ ଏବଂ ସେ କାୟମନୋବାକ୍ୟରେ ଆପଣାକୁ ସନ୍ତାନର ସକଳ ସେବାଯତ୍ନ ପାଇଁ ସମର୍ପିତ କରିଦିଏ ।

 

କ୍ରମେ ଶିଶୁସୁଲଭ ଉତ୍ସୃଙ୍ଖଳତା ବଢ଼ି ଉଠିବାରୁ ଲଣ୍ଡାବାବୁକୁ ଗୌରୀ ନେଇ ଚାଟଶାଳୀରେ ହାଜିର କରେ । ଚାଟଶାଳୀରେ ତାର ଦୁଷ୍ଟାମୀ ନକମିବାରୁ ଗୌରୀ ମନରେ ଆଶଙ୍କା ଆସେ । ଶିଶୁକୁ ସାତବର୍ଷ ହେବାବେଳେ ଗୌରୀର ଦେହ କ୍ରମଶଃ ଅବଶ ହୋଇ ଆସେ-। ଶୟନ, ସ୍ଵପ୍ନ,ଏବଂ ଜାଗରଣର ସମ୍ପତ୍ତି ଥିବା ଏହି ବାଳକଟିକୁ ଶେଷରେ ଗୌରୀ ସବୁଦିନ ପାଇଁ ଛାଡ଼ି ପରଲୋକକୁ ଚାଲିଯାଏ । ତା’ର ଜୀର୍ଣ୍ଣଶୀର୍ଣ୍ଣ ରୋଗାକ୍ରାନ୍ତ ପାଣ୍ଡୁର ମୁଖରୁ ଶେଷରେ କେବଳ ‘ବାବୁ’ ‘ବାବୁ’ ଡାକ ଶୁଭେ ଏବଂ ପୁତ୍ରକୁ ଦେଖିବାପରେ ଗୌରୀ ଶାନ୍ତି ଲାଭକରେ ଶେଷ ମୁହୂର୍ତ୍ତରେ ପୁଅକୁ ସେ କହିଦେବାକୁ ଚାହେଁ ସେ ତା’ର ମା ନୁହେଁ, ପାଳିତ ମା’ ବୋଲି । ମାତ୍ର ଅଧାରେ ତା କଥା ରହିଯାଏ । ତା କଣ୍ଠରୁ ସ୍ୱତଃ ଉଚ୍ଚାରିତ ହୋଇଯାଏ । ‘ନାନା ତୋ’ର ମା କେହି ନାହିଁ – ‘ମୁଁହି ତୋର ମା’ ତୁ ମୋର ବାବା’ (୮ମ ପରିଚ୍ଛେଦ) ଗୋରୀ ମୁଖ୍ୟତଃ ଏକ ସ୍ନେହ କାଙ୍ଗାଳ ନାରୀ ଚରିତ୍ର, ଯେ ନିଜର ସକଳ ଜୀବନ ରାଜ ଅନ୍ତପୁରର ପରିଚର୍ଯ୍ୟାରେ ବ୍ୟୟିତ କରି ଶେଷରେ ସ୍ନେହ ଓ ମମତାର ନିସଙ୍ଗ ଜୀବନକୁ ଏକ କୁସୁମକୋମଳ ଶିଶୁସହ ଛନ୍ଦିଦେଇ ଶେଷ ନିଦ୍ରା ସ୍ୱୀକାର କରିଛି ।

 

ବଳରାମ ପଟ୍ଟନାୟକ :-

ରାଜା ଚନ୍ଦ୍ରକାନ୍ତଙ୍କ ସମୟରେ କୌଣସି ପ୍ରତିପତ୍ତି ଲାଭ କରିପାରିନଥିବା ବଳରାମ ପଟ୍ଟନାୟକଙ୍କୁ ଶୁଭକାନ୍ତ ରାଜ ସିଂହାସନରେ ବସିବା ପରେ ଛାମୁକରଣର ଦାୟିତ୍ୱ ପ୍ରଦାନ କରନ୍ତି । ବଳରାମଙ୍କ ଦକ୍ଷତା ରାଜା ଶୁଭକାନ୍ତଙ୍କର ସାଧନା ଉଦ୍ୟାନରେ ରାଜରାଣୀ ଚିତ୍ରାଙ୍କ ପାଇଁ ନୂତନ ପ୍ରାସାଦ ନିର୍ମାଣ ଅବସରରେ ସ୍ପଷ୍ଟ ହୋଇଛି । ବେଠି ବେଗାରିରେ ଖଟୁଥିବା ଦରିଦ୍ର ତଥା ନିରୀହ ପ୍ରଜାମାନଙ୍କୁ ଅତ୍ୟଧିକ କର୍ମ ଚାପ ଦେଇ ବଳରାମ ଆସୁରିକ ଶାନ୍ତି ପାଆନ୍ତି । ସାଧାରଣ ଦୋଷ ପାଇଁ କଠିନ ଆର୍ଥିକ ତଥା ଶାରୀରିକ ଦଣ୍ଡ ଦେବାକୁ ଇଚ୍ଛା କରନ୍ତି ସେ । ବିଳାସବ୍ୟସନପାଇଁ ବଳରାମଙ୍କ ପରାମର୍ଶରେ ରାଜା ଶୁଭକାନ୍ତ ବସାଇଥିବା ନିଜସ୍ୱ କରକୁ ପ୍ରଜାବର୍ଗ ଆପଣାର ଦାରିଦ୍ର୍ୟହେତୁ ପ୍ରଦାନ କରି ନ ପାରିଲେ ବଳରାମଙ୍କ ହାତରେ ଅକଥନୀୟ ଯନ୍ତ୍ରଣା ଭୋଗିଛନ୍ତି । କେବଳ ସୁନନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ବଳରାମଙ୍କ ବିରୁଦ୍ଧରେ ରାଜାଙ୍କ ଆଗରେ ସ୍ୱର ଉତ୍ତୋଳନ କରିବାକୁ ସାହାସ କରିପାରି ନାହାନ୍ତି । ଉପରିସ୍ଥଙ୍କୁ ଚାଟୁ କରିବାର କଳାରେ ଦକ୍ଷ ବଳରାମଙ୍କୁ କାଳିନ୍ଦୀଚରଣ ବ୍ୟଙ୍ଗ କରିବାକୁ ଭୁଲି ନାହାନ୍ତି । ପ୍ରଥମତଃ ରାଜା ତାଙ୍କୁ କଦାପି ଅବଜ୍ଞା ନକରିବା, ଦ୍ୱିତୀୟତଃ ରାଜାଙ୍କ ସମ୍ମୁଖରେ ସମାପିକା କ୍ରିୟା ପ୍ରୟୋଗ କରି କୌଣସି ବାକ୍ୟ ସମ୍ପୂର୍ଣ୍ଣ ନ କରିବା, ତୃତୀୟତଃ ହଜୁର, ଶ୍ରୀଛାମୁ, ମଣିମା ଏବଂ ଆଜ୍ଞା ଆଦି ସମ୍ମାନ ସୂଚକ ଶବ୍ଦ ସବୁବେଳେ ପ୍ରୟୋଗ କରିବା ଭିତରେ ବଳରାମ ଚତୁରତାର ସହ ରାଜା ଶୁଭକାନ୍ତଙ୍କୁ ନିଜ କରଗତ କରିଛନ୍ତି ।

 

ଶୁଭକାନ୍ତଙ୍କୁ ବିଳାସବ୍ୟସନରେ ବୁଡ଼ାଇ ରଖି ବଳରାମ ପ୍ରଜାମାନଙ୍କ ସହ ତାଙ୍କର ଆଦୌ ସାକ୍ଷାତ୍‌ କରାଇ ଦେଇନାହାନ୍ତି । ପ୍ରଜାମାନଙ୍କଠାରୁ ବିବିଧ କର ଆଦାୟ କରି ରାଜାଙ୍କୁ ସନ୍ତୁଷ୍ଟ କରିବାର କର୍ମରେ ବ୍ୟସ୍ତଥିବା ବଳରାମ ଅର୍ଥ ଆଦାୟ ପାଇଁ ବହୁ କଠିନ ଦଣ୍ଡବିଧାନ କରନ୍ତି ପ୍ରଜାମାନଙ୍କ ଉପରେ । ନଖ ଭିତରେ ଛୁଞ୍ଚି ଫୋଡ଼ିବା ଠାରୁ ଆରମ୍ଭ କରି ଅତ୍ୟନ୍ତ କାୟାକ୍ଳେଶପ୍ରଦ ପ୍ରତ୍ୟେକ ଦଣ୍ଡର ବ୍ୟବସ୍ଥା କରନ୍ତି ସେ । ଶୁଭକାନ୍ତ ବଳରାମଙ୍କ କାର୍ଯ୍ୟଦକ୍ଷତାରେ ମୁଗ୍ଧ ହୋଇ ତାଙ୍କ ହାତରେ ଶାସନଭାର ଅର୍ପଣ କରନ୍ତି (୧୪ଶ ପରିଚ୍ଛେଦ) । ପ୍ରଜାବର୍ଗଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ଏହି ନିଷ୍ଠୁର ଚରିତ୍ର ଆପଣାର ଚରିତ୍ର ପଞ୍ଜିକା ଆପଣା ମୁଁହରେ ଏହିପରି ଦିଏ ‘ଶୁଖିଲା କାଠରୁ ପାଣି ବାହାର କରିବ ସେ’ (୧୫ଶ ପରିଚ୍ଛେଦ) ମାତ୍ର ଦୁର୍ଭିକ୍ଷ ପ୍ରପୀଡ଼ିତ ତଥା ରାଜ ନିପୀଡ଼ନରେ ସନ୍ତପ୍ତ ପ୍ରଜାବର୍ଗ ନିକଟରେ ବଳରାମଙ୍କ ଏହି ଜୁଲୁମ୍ କଟାଘା’ରେ ଚୂନ ଦେଲାପରି ବୋଧ ହୋଇଛି । ସେମାନଙ୍କ ନୀରବ ଓଠରେ ପ୍ରତିବାଦର ସ୍ୱର ଫୁଟାଇବାକୁ ଚେଷ୍ଟା କରୁଥିବା ସନାତନକୁ ମଧ୍ୟ ବଳରାମ କମ୍ ଭର୍ତ୍ସନା କରିନାହାନ୍ତି । ମାତ୍ର ଶେଷପର୍ଯ୍ୟନ୍ତ ସେ ଶୁଭକାନ୍ତଙ୍କୁ ମୋହାବିଷ୍ଟ କରି ରଖିପାରିନାହାନ୍ତି । ଏହି ଚରିତ୍ରଟି ମୁଖ୍ୟତଃ ଏକ ଖଳ ଚରିତ୍ର ଯେ ଅନ୍ୟକୁ ଦୁଃଖ ଦେଇ ଅନ୍ୟର ତୋଷାମଦି କରିବା ମାଧ୍ୟମରେ ତାର ସର୍ବନାଶ କରି ନିଜେ ପୈଶାଚିକ ଆନନ୍ଦ ଅନୁଭବ କରିଛି ।

 

ସୁନା :-

ଫୁଲବାଇ ଗୌରୀ ସାଧନା ଉଦ୍ୟାନରୁ ଶିଶୁ ସନ୍ତାନ ପାଇ ତା’ର ଲାଳନପାଳନ କରିବା ବେଳେ ସନ୍ତାନଟି ଯାହା କ୍ଷୀରଖାଇ ବଳିଷ୍ଠ ହୋଇଛି ସେ ହେଉଛି ସଦ୍ୟ ସନ୍ତାନହୀନା କୃଷକ ଲନନା ସୁନା । ଆତ୍ମୀୟତାର ବନ୍ଧନରେ ବାନ୍ଧି ହୋଇଯାଏ ସେ ସେହି ଶିଶୁଟିର ମାୟାନ୍ଧରେ । ଦିନରେ ଚାରିପାଞ୍ଚଥର କ୍ଷୀର ନଖୁଆଇଲେ ସେ ନିଜେ ଶାନ୍ତି ପାଏ ନାହିଁ । ଶିଶୁଟି ରାଜା ଶୁଭକାନ୍ତରେ ପରିଣତ ହେଲାପରେ ମଧ୍ୟ ସୁନା ତାଙ୍କ ମନରୁ ଦୂରେଇ ଯାଇପାରେ ନାହିଁ । ତାଙ୍କ ହୃଦୟରେ ଯଦି କାହା ପ୍ରତି ଦୟାଥାଏ ତେବେ ସେ କେବଳ କୃଷକ ରମଣୀ ସୁନା (୧୩ଶ ପରିଚ୍ଛେଦ) କିଛି ଦିନ ପରେ ସ୍ୱାମୀ ତା’ର ଫେରିଆସିଥିଲେ ମଧ୍ୟ ଦାରିଦ୍ର୍ୟହେତୁ ସବୁଦିନେ ସ୍ୱାମୀକୁ ପାଖରେ ପାଇପାରେ ନାହିଁ । ଅର୍ଥାଗମ ପାଇଁ ସ୍ୱାମୀ ବିଦେଶ ଗଲାପରେ ସୁନା ଏକାକିନୀ ବାପଘରକୁ ଚାଲି ଆସେ । ଶୁଭକାନ୍ତଙ୍କୁ କେତେବେଳେ ଦେଖିଦେଲେ ଆତ୍ମତୃପ୍ତିରେ ପୁଲକିତ ହୋଇଉଠେ ସେ । ତୁଣ୍ଡରୁ ତା’ର ସ୍ୱତଃପ୍ରବୃତ୍ତ ଭାବରେ ‘ମଣିମା’ ଶବ୍ଦ ବାହାରିଆସେ । ମଳିନ ତଥା ଛିନ୍ନ ବସ୍ତ୍ରକୁ ମଥାଉପରକୁ ଆଣି ସେ ଲଜ୍ଜାବନତ କଣ୍ଠରେ କେବଳ ମାତ୍ର ଗୋଟିଏ ବାକ୍ୟ ଉଚ୍ଚାରଣ କରେ, ‘ମୋତେ ଆଉ କ’ଣ ପଚାରୁଛନ୍ତି କି ମଣିମା !’ (୧୯ଶ ପରିଚ୍ଛେଦ) । ଏହି ଗୋଟିଏ ବାକ୍ୟଭିତରେ ଲୁଚି ରହିଥାଏ ଶୁଭକାନ୍ତଙ୍କ ପ୍ରତି ତା’ର ସ୍ନେହ ତଥା ଭକ୍ତି । ‘ମଣିମା’ ବ୍ୟତୀତ କେବେ ବି ‘ବାବୁ’ ଡାକରେ ସମ୍ବୋଧନ କରିନାହିଁ ସେ । ଶେଷରେ ଦୁର୍ଭିକ୍ଷର କରାଳ କବଳରେ କବଳିତ ହୋଇ ଶିଶୁ ସନ୍ତାନ ସହ ରାତିର ନୀରବ ମୁହୂର୍ତ୍ତରେ ରାଜନବରକୁ ରାଜା ଶୁଭକାନ୍ତଙ୍କ କରୁଣା ଲାଭ କରିବାକୁ ଆସି, ସେ ଦୂରରୁ ‘ମଣିମା ମଣିମା’ବୋଲି ଦୁଇଥର ଚିତ୍କାର କରିଛି । ଏସ୍‍ରାଜର ସ୍ୱର ସଂଗୀତରେ ସ୍ଵପ୍ନାଳସ ଶୁଭକାନ୍ତ ସେ ସ୍ୱରକୁ ଶୁଣି ମଧ୍ୟ ଶୁଣି ପାରିନାହାନ୍ତି । ସେହି ଦୁଇଟି ଚିତ୍କାରରେ ହିଁ ସୁନାର ଜୀବନଦୀପ ଲିଭିଯାଇଛି । ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନ ଏହି ସୁନାର ଦୁଃଖଦ ମୃତ୍ୟୁଦ୍ଵାରାହିଁ ବହୁପରିମାଣରେ ସମ୍ଭବପର ହୋଇପାରିଛି । ଶୁଭକାନ୍ତଙ୍କ ପଶ୍ଚାତାପ ମଧରେ କାଳିନ୍ଦୀଚରଣ ସୁନା ଚରିତ୍ରର ମହନୀୟତାକୁ ବହୁଭାବରେ ବିକାଶିତ କରିପାରିଛନ୍ତି । ଜୀବନରେ ସବୁ କିଛି ସମର୍ପଣ କରିଦେଇ ଶୁଭକାନ୍ତଙ୍କ ପାଖରେ କେତେବେଳେ ହେଲେ କିଛି ଅଳି କରିନଥିବା ଏହି ଚରିତ୍ରଟି ଉପନ୍ୟାସର ଭାବଭୂମିକୁ ବହୁଳଭାବରେ ଗମ୍ଭୀର ଏବଂ ଅଶ୍ରୁସଜଳ କରିଦେଇଛି ।

 

ଶୋଭା :-

‘ମୁକ୍ତାଗଡ଼ର କ୍ଷୁଧା’ରେ ଶୋଭା ଏକ କ୍ରୀଡ଼ାଚପଳ କିଶୋରୀ ଭାବରେ ଚିତ୍ରିତା । ଜେନା ସାହିର ବୀରବର ମଙ୍ଗରାଜଙ୍କର କନ୍ୟା ସେ । ମାତ୍ର ଗୋଟିଏ ଥର ପାଇଁ (୨୦ଶ ପରିଚ୍ଛେଦ) ସେ ଏହି ଉପନ୍ୟାସରେ ପ୍ରକଟିତ ହୋଇଛି । ‘ଅମର ଚିତା’ରେ ତାର ପୂର୍ଣ୍ଣାଙ୍ଗ ଚରିତ୍ରାୟନ ହୋଇଅଛି । ସେ ଆସନ୍ନ ଯୌବନା ଓ ସୁନ୍ଦରୀ । କାଳିନ୍ଦୀଚରଣଙ୍କ କବିତାମୟୀ ଭାଷାରେ ‘ଶୋଭା ସୁନ୍ଦରୀ-କୁଙ୍କୁମ ପରି ତା’ର ଦେହର ରଙ୍ଗଟି’ ସଦ୍ୟ ପୁଷ୍ପିତ ତା’ର ଯୌବନ ସମସ୍ତ ଅବୟବରେ ଢଳଢ଼ଳ ହୋଇ ଲୋଟୁଛି । ‘ଶୋଭାର ସୌନ୍ଦର୍ଯ୍ୟ ସହିତ ମିଶି ରହିଛି ତା’ର ବାହ୍ୟ ଚପଳତା । ଲଜ୍ଜାର ସ୍ପର୍ଶ ତା’ ଚରିତ୍ରରେ ଦେଖାଯାଏ ନାହିଁ । ସାନଭାଇ ସହିତ ଜାମୁକୋଳି ଖାଇବାକୁ ନିଚ୍ଛାଟିଆ ପୋଖରୀ କୂଳକୁ ରଜଦିନ ଯାଇ ବରଗଛରେ ଚଢ଼ି କୋଳି ଖାଇବା ଏବଂ ସାନଭାଇ ପାଖକୁ କୋଳି ଫିଙ୍ଗିଲା ବେଳେ ତାହା ପାଣିରେ ପଡ଼ିଯିବାରୁ ନିରୁପାୟ ସାନଭାଇର ଅସହାୟତା ଦେଖି ଉଚ୍ଚହାସ୍ୟ କରିବା, ଆଦି ତା’ର ଚପଳ ସ୍ୱଭାବର ପରିଚୟ ଦିଏ । ଏହି ସୁନ୍ଦରୀ କିଶୋରୀ ପ୍ରତିମା ଲଣ୍ଡାବାବୁର ପ୍ରଥମ ପ୍ରେମିକା ପାଲଟିଛି । ସେ ତା’ର ବାଲ୍ୟସାଥି ଏବଂ ବୟସରେ ଦୁଇତିନିବର୍ଷ ବଡ଼ ହୋଇଥିଲେ ମଧ୍ୟ ଅନ୍ୟାୟସରେ ଲଣ୍ଡାବାବୁର ସକଳ ଅଦୌତିକୁ ନିଜ ଭିତରେ ସହି ନେଇଛି । କାଳିନ୍ଦୀଚରଣ ଏହି ଚରିତ୍ରଟି ସୃଷ୍ଟିକରି ମୁଖ୍ୟତଃ ଗାଁ ଗହଳରେ ଏକ ସରଳ, ନିଷ୍କପଟ ନାରୀ ଚରିତ୍ରଟିଏ ପାଠକଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।

 

ରାଜରାଣୀ ଚିତ୍ରା :-

ରାଜରାଣୀ ଚିତ୍ରା ଶୁଭକାନ୍ତଙ୍କ ପତ୍ନୀ ଅତ୍ୟନ୍ତ ସୁନ୍ଦରୀ ଏବଂ ଆଭିଜାତ ରାଜବଂଶର କନ୍ୟା ସେ ଚାରିଭାଇରେ ଗୋଟିଏ ବୋଲି ଭଉଣୀ ହୋଇଥିବାରୁ, ସମସ୍ତଙ୍କ ଆଦର ଯତ୍ନରେ ଜୀବନର ପ୍ରକୃତ ମୂଲ୍ୟବୋଧକୁ ସେ ଉପଲବ୍ଧି କରିବାରୁ ବଞ୍ଚିତା ହୋଇଛନ୍ତି । ତାଙ୍କ ରୂପର ବର୍ଣ୍ଣନା କାଳିନ୍ଦୀଚରଣଙ୍କ ଲେଖନୀରେ ଏହିପରି - ରୂପଟି ଶୁଭ୍ର ଶତଦଳ ପରି ମୁଗ୍ଧକର । ବିଧାତା ଯେପରି ତାଙ୍କ ସହିତ ଚୁକ୍ତିକରି ଅନ୍ୟ ସମସ୍ତ ବିଷୟ ବାଦଦେଇ କେବଳ ଗୋଟିଏ ମାତ୍ର ବସ୍ତୁ ଦାନ କରିଛନ୍ତି - ରୂପ । ଏହି ରୂପହିଁ ତାଙ୍କର ଏକମାତ୍ର ଗର୍ବ’ (୨୦ଶ ପରିଚ୍ଛେଦ) ଏହି ରୂପର ଆକର୍ଷଣରେ ଶୁଭକାନ୍ତ ପାଗଳ ହୋଇ ଯାଇଛନ୍ତି । ସୌନ୍ଦର୍ଯ୍ୟମୟୀ ଚିତ୍ରାଙ୍କ ପାଇଁ ସେ ସମସ୍ତ ରାଜକାର୍ଯ୍ୟକୁ ଜଳାଞ୍ଜଳି ଦେଇଛନ୍ତି । ଚିତ୍ରା ଜନନୀ ହୋଇ ମଧ୍ୟ ଅଖଣ୍ଡ ସୌନ୍ଦର୍ଯ୍ୟ ରକ୍ଷା ନିମନ୍ତେ ନିଜ ସନ୍ତାନର ଲାଳନପାଳନ ନିଜ ହାତରେ କରିନାହାନ୍ତି । ସନ୍ତାନଠାରୁ ଦୂରରେ ରହିବା ଦୁଃଖ ତାଙ୍କୁ କେତେବେଳେ ହେଲେ ମଧ୍ୟ ବ୍ୟଥିତ କରିନାହିଁ । ଶୁଭକାନ୍ତଙ୍କ ଆର୍ଥିକ ସ୍ଥିତିକୁ ବିଚାର ନକରି ରାଜ୍ୟ ତଥା ପ୍ରଜାବର୍ଗଙ୍କ ମଙ୍ଗଳ କାମନା ନକରି ସେ କେବଳ ଶୁଭକାନ୍ତଙ୍କ ରାଜକୋଷ ଆପଣାର ବିଳାସ ସାମଗ୍ରୀ କ୍ରୟରେ ଶୂନ୍ୟ କରିଦେଇଛନ୍ତି । ଦିନରାତି ସ୍ୱାମୀଙ୍କୁ ସଙ୍ଗୀତର ମଧୁର ମୋହରେ ଭୁଲାଇ ରଖି, ସେ ତାଙ୍କୁ ପ୍ରଜାବର୍ଗଙ୍କ ସୁଖଦୁଃଖଠାରୁ ଦୂରେଇ ଆଣିଛନ୍ତି । ତାଙ୍କରି ଅଭିଳାଷକୁ ଚରିତାର୍ଥ କରିବାପାଇଁ ଶୁଭକାନ୍ତ ପିତା ଚନ୍ଦ୍ରକାନ୍ତଙ୍କ ସାଧନାରେ ପବିତ୍ର ସାଧନା ଉଦ୍ୟାନର ଅନେକ ମୂଲ୍ୟବାନ ବୃକ୍ଷକୁ ନିଶେଷ କରି ଗଢ଼ିଛନ୍ତି ନୂତନ ପ୍ରାସାଦ, ଯାହା ଶହଶହ ପ୍ରଜାଙ୍କ ବେଠି ତଥା ବେଗାରୀ ଶ୍ରମ ମାଧ୍ୟମରେ ଅର୍ଦ୍ଧନିର୍ମିତ ହୋଇଛି ଏବଂ ଏଥିପାଇଁ ତାଙ୍କୁ ଅସଂଖ୍ୟ ଭୋକିଲା ମଣିଷଙ୍କୁ ଅମାନୁଷିକ ଭାବେ ଶାରୀରିକ ଏବଂ ଆର୍ଥିକ ଦଣ୍ଡ ବିଧାନ କରିବାକୁ ପଡ଼ିଛି । ଦୁର୍ଭିକ୍ଷର ଭୟାବହତାର ଦର୍ଶନ କରିବା ପରେ, ନିଜର ଅଧିକାର ସମ୍ପର୍କରେ ସଚେତନ ହେବାପରେ ଶୁଭାକାନ୍ତଙ୍କର ଯେତେବେଳେ ପରିବର୍ତ୍ତନ ଘଟିଛି ଏବଂ ରାଜ୍ୟର ସକଳ ଧନସମ୍ପଦ ଯେତେବେଳେ ଦୁଃଖି ପ୍ରଜାବର୍ଗଙ୍କୁ ସମର୍ପଣ କରିଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ସେତେବେଳେ ଏହି ପ୍ରସ୍ତାବକୁ ଅନ୍ତରର ସହ ସମର୍ଥନ କରିପାରିନାହାନ୍ତି ଚିତ୍ରା । ମାତ୍ର ନିରୂପାୟ ହୋଇ କହିଛନ୍ତି ଯେ, ‘ତୁମର ଯାହା ଇଚ୍ଛା ତାହା କର, କିନ୍ତୁ ମୋର ଅଳଙ୍କାର ମୁଁ’ ଦେଇପାରିବି ନାହିଁ । ବାବା ମୋତେ ଯାହା ସବୁ ଯୌତୁକ ଦେଇଛନ୍ତି, ସେ ସମ୍ପତ୍ତିକୁ ଛାଡ଼ି ବାକି ସବୁନେଇ ତୁମର ଯାହା ଇଚ୍ଛା କର । (୨୨ଶ ପରିଚ୍ଛେଦ) ଏoରେ ଚିତ୍ର ପତ୍ନୀ ହୋଇ ମଧ୍ୟ ଶୁଭକାନ୍ତଙ୍କ ସହଧର୍ମିଣୀ ହୋଇପାରିନାହାନ୍ତି । ସ୍ୱାମୀଙ୍କ ଆଚରିତ ମାର୍ଗକୁ ଅନୁସରଣ କରିବାର ତ୍ୟାଗଭିତ୍ତିକ ସାଧନାର ଘୋର ଅଭାବ ରହିଛି ତାଙ୍କ ପାଖରେ । ଫଳରେ ଅନ୍ତିମ ପର୍ଯ୍ୟାୟରେ ‘ଅମରଚିତା’ରେ ସେ ସ୍ୱାମୀଙ୍କ ବ୍ୟତୀତ ବଳରାମଙ୍କୁ ନେଇ ସ୍ଵପ୍ନ ଦେଖିବାକୁ ଭୁଲିନାହାନ୍ତି ଏବଂ ଅନୁଚିତ ବିଳାସ ବିହ୍ୱଳତାର ଏହି ଅପରିଣାମଦର୍ଶୀ ନିଶା ତାଙ୍କୁ ଏକ ଲାଞ୍ଛିତ ତଥା ନିର୍ଯ୍ୟାତୀତ ସ୍ଥିତିକୁ ନେଇଯାଇଛି-

 

ସନାତନ :-

ମୁକ୍ତାଗଡ଼ର ଅନ୍ତବର୍ତ୍ତୀ କଲ୍ୟାଣପୁରର ରଘୁନାଥ ଦୀକ୍ଷିତଙ୍କ ପୁତ୍ର ସନାତନ ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନର ଏକ ପ୍ରମୁଖ ଆଧାରଶୀଳା । ମୁକ୍ତାଗଡ଼ର ରାଜା ଶୁଭକାନ୍ତଙ୍କ ରାଜ୍ୟବାସୀଙ୍କ ପ୍ରତି ଅବହେଳା ତଥା ବିଳାସବ୍ୟସନ ପ୍ରତି ଅନୁଚିତ ଆସକ୍ତି ଦେଖି ତାଙ୍କୁ ରାଜ୍ୟର ପ୍ରଜାବର୍ଗଙ୍କ ଦୁଃଖ ଅବଗତ କରାଇବା ପାଇଁ କେତେକ ପ୍ରଜାକୁ ନେଇ ସେ ରାଜ ପ୍ରାସାଦରେ ଉପସ୍ଥିତ ହୋଇଛନ୍ତି । ମାତ୍ର ତାଙ୍କର ପ୍ରଥମ ପ୍ରତିବନ୍ଧକ ହୋଇଛନ୍ତି ଶୁଭକାନ୍ତଙ୍କ ଛାମୁକରଣ ବଳରାମ ପଟ୍ଟନାୟକ । ଏହି କ୍ଷୀଣକାୟ ତଥା ଅକୁତୋଭୟ ଯୁବକର ସତ୍ୟନିଷ୍ଠା, ସ୍ୱଷ୍ଟବାଦିତାରେ ବିଚଳିତ ହୋଇ ଉଠନ୍ତି ଶୁଭକାନ୍ତ । ଏତେ ଦିନଧରି ତାଙ୍କ ସମ୍ମୁଖରେ ମୁଣ୍ଡ ଉଠାଇ ପଦେବି କହିନଥିବା ମୁକ୍ତାଗଡ଼ର ପ୍ରଜାଙ୍କ ମଧ୍ୟରେ ସନାତନଙ୍କୁ ଏକ ବ୍ୟତିକ୍ରମ ଭାବରେ ଦେଖିଛନ୍ତି ସେ । ବଳରାମଙ୍କ କଟାକ୍ଷରେ ସନାତନ ବାବୁ ସଙ୍ଗରେ ଅଭିଯୋଗ ପାଇଁ ଆସିଥିବା ପ୍ରଜା ନୀରବ ରହିବା ଫଳରେ ସେ ଏଥିରେ ଆଦୌ ବିଚଳିତ ହୋଇ ନାହାନ୍ତି । ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନ ପାଇଁ ସେ ପ୍ରଥମେ ଶୁଭକାନ୍ତ ଏବଂ ତାଙ୍କ ପିତା ଚନ୍ଦ୍ରକାନ୍ତଙ୍କ ରାଜ୍ୟଶାସନର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି । ମହାରାଜ ଚନ୍ଦ୍ରକାନ୍ତଙ୍କୁ ‘ପୁଣ୍ୟଶ୍ଳୋକ’ କହିବା ଅବସରରେ ସନାତନ ମୁଖ୍ୟତଃ ଶୁଭକାନ୍ତଙ୍କ କୁଶାସନର ପରୋକ୍ଷ ଦୃଷ୍ଟାନ୍ତ ସ୍ୱୟଂ ଶୁଭକାନ୍ତଙ୍କ ସମ୍ମୁଖରେ ହିଁ ଉପସ୍ଥାପନ କରିଛନ୍ତି । ଦ୍ୱିତୀୟତଃ ରାଜା ଚନ୍ଦ୍ରକାନ୍ତ ପ୍ରଜା ଋଣ ଦେଇ ନପାରିଲେ ତା’ର ପ୍ରକୃତ ଦୁଃଖକୁ ଅନୁମାନ କରି ତାକୁ ଋଣମୁକ୍ତ କରୁଥିବାର କଥା କହି ଶୁଭକାନ୍ତଙ୍କ କବଳିତ ଅର୍ଥ ଆତ୍ମସାତ ପଦ୍ଧତିର ନିନ୍ଦା କରିଛନ୍ତି । ତୃତୀୟତଃ ଶୁଭକାନ୍ତଙ୍କୁ ‘ହଜୁର’ କିମ୍ବା ‘ମଣିମା’ ଆଦି ତୋଷାମଦ ଯୁକ୍ତ ଶବ୍ଦ ପ୍ରୟୋଗ ନକରି ସିଧାସଳଖ ‘ଆପଣ’ ସମ୍ବୋଧନ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନ କରି ଶୁଭକାନ୍ତଙ୍କ ଭିତରେ ବାସ୍ତବ ସତ୍ୟାନ୍ୱେଷଣ ପ୍ରବୃତ୍ତିକୁ ଜାଗ୍ରତ କରିଛନ୍ତି । ଚତୁର୍ଥତଃ ରାଜା ଏବଂ ରାଜ ସିଂହାସନରେ ସାଧାରଣ ପ୍ରଜାରି ଅବଦାନ ଏବଂ ସେ ଚାହିଁଲେ ରାଜାକୁ ମଧ୍ୟ ସିଂହାସନରୁ ବିତାଡ଼ିତ କରିପାରିବେ, ଏହି ସିଦ୍ଧାନ୍ତ ଶୁଣାଇ ସନାତନ ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନ ଧାରାକୁ ତ୍ୱରାନ୍ୱିତ କରିପାରିଛନ୍ତି । ପଞ୍ଚମତଃ ସେ ଶୁଭକାନ୍ତଙ୍କୁ ରାଜ୍ୟର ଦୁର୍ଭିକ୍ଷ ପ୍ରପୀଡ଼ିତ ପ୍ରଜାବର୍ଗଙ୍କ କରୁଣ ଜୀବନ କାହାଣୀ ଅବଗତ କରାଇ ତାଙ୍କୁ ମାୟିକ ଭୋଗ ଲିପ୍ସାରୁ ଦୂରେଇ ଆସିବାକୁ ଅନୁରୋଧ କରିଛନ୍ତି । ଶେଷରେ ବଳରାମଙ୍କ ପ୍ରରୋଚନାରେ ରାଜାଙ୍କ ଦ୍ଵାରା ପ୍ରଦତ୍ତ ନିଷ୍କାସନ ଦଣ୍ଡକୁ ସ୍ୱୀକାର କରିନେଇ ରାଜାଙ୍କୁ ଶାସକର କର୍ତ୍ତବ୍ୟର ସମ୍ପର୍କରେ ଅବଗତ କରାଇବା ସହିତ ତାଙ୍କ ହୃଦୟରେ ଗଭୀର ପରିବର୍ତ୍ତନ ସଂଘଟନ କରିଛନ୍ତି ।

 

ବଳିଆର ସିଂହ :-

ବଳିଆର ସିଂହଙ୍କ ବ୍ୟକ୍ତିତ୍ୱ ଔପନ୍ୟାସିକଙ୍କ ଦୃଷ୍ଟିରେ ‘ଗୋଟିଏ ସାମରିକ ଜାତିର ଅସ୍ତଗତ ବୀରତ୍ୱର ଶେଷ ଆଭା’ (୨୪ଶ ପରିଚ୍ଛେଦ) । ଶୁଭକାନ୍ତ ରାଜ ସିଂହାସନ ତ୍ୟାଗ କରି ଦୁର୍ଭିକ୍ଷ ପ୍ରପୀଡ଼ିତ ଜନସାଧାରଣଙ୍କ ସେବାପାଇଁ ଆପଣା ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଶୁଣି ସେ ଶୁଭକାନ୍ତଙ୍କୁ ସାକ୍ଷାତ କରିବାକୁ ଧାଇଁ ଆସିଛି । ରାଜ ଅନୁରକ୍ତି ତା’ର ଅସ୍ଥିମଜ୍ଜାଗତ ହୋଇଥିବାରୁ ଶୁଭକାନ୍ତଙ୍କୁ ସେ ‘ହଜୁର’ ତଥା ‘ମଣିମା’ ବୋଲି ସମ୍ବୋଧନ କରିବାକୁ ଭୁଲି ନାହିଁ । ୧୮୧୭ ମସିହାର ପାଇକ ବିଦ୍ରୋହର ସ୍ମାରକୀ ଏହି ଚରିତ୍ରଟି ଭିତରେ ପ୍ରତିଫଳିତ । ଖୋର୍ଦ୍ଧାର ବିଦ୍ରୋହୀ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ବଳିଆର ସିଂହ ପାଞ୍ଚଶହ ପାଇକଙ୍କୁ ନେଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହାର ଫଳଶ୍ରୁତି ସ୍ଵରୁପ ତା’ର ହାତ ଓ ପାଦରେ ତିନୋଟି ଗୁଳିର ଚିହ୍ନ ବହନ କରିଛି ସେ । ଜାତିର ଉନ୍ନତି ପାଇଁ ସେ ଉତ୍କଳୀୟମାନଙ୍କ ସ୍ୱାଭିମାନ ପାଇଁ ଯୌବନରୁ ସଂଗ୍ରାମ କରି ଆସୁଥିବା ଏହି ସତୁରୀ ବର୍ଷର ବୃଦ୍ଧ ଏବେ ମଧ୍ୟ ନିଜ ଭିତରେ ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ ସଞ୍ଚୟ କରି ରଖିଛି । ସୁପୁଷ୍ଟ ଦୀର୍ଘ ଦେହ । ମଥାର ସିନ୍ଦୁର କଲି ଏବଂ ଅନମନୀୟ ରଜୁତା ମଧ୍ୟରେ ଏହି ଚରିତ୍ରଟି ଉତ୍କଳର ପାଇକମାନଙ୍କ ସାମରିକ ଶକ୍ତିର ପରିଚୟ ପ୍ରଦାନ କରିଛି । ଜୀବନର ଆଦ୍ୟ ପାଦରେ ଓଡ଼ିଶାର ଉନ୍ନତିପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ବଳିଆର ସିଂହ ଶେଷ ଭାଗରେ ନିରନ୍ନ ଦୁର୍ଭିକ୍ଷ ପ୍ରପୀଡ଼ିତ ମଣିଷଙ୍କ ସେବାପାଇଁ ଡକାୟତ ଦଳର ସର୍ଦ୍ଦାର ସାଜିଛି ଏବଂ ଗରିବମାନଙ୍କୁ ଲୁଣ୍ଠନ କରି ଅନ୍ୟାୟ ଭାବରେ ଧନ ସଞ୍ଚୟ କରିଥିବା ମଣିଷଙ୍କ ଠାରୁ ଧନ ଛଡ଼ାଇ ନେଇ ଗରିବ ଲୋକଙ୍କୁ ବାଣ୍ଟିଦେବା ପାଇଁ ସେ ସଂକଳ୍ପବଦ୍ଧ ହୋଇଛି । ଦେଶୀ ହାକିମମାନଙ୍କର ନିରନ୍ନ ଖଟିଖିଆ ମଣିଷଙ୍କ ଉପରେ ଜୁଲୁମକୁ ସହିପାରି ନାହିଁ ସେ । ଏଥିପାଇଁ ସେ ଦେଶୀ ହାକିମଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସ୍ୱର ଉତ୍ତୋଳନ କରିବାକୁ ଭୁଲିନାହିଁ । ଏହି ଚରିତ୍ରଟି ପ୍ରକୃତରେ ଅତୀତ ଉତ୍କଳର ସ୍ୱାଭିମାନୀ ସାମରିକ ଐତିହ୍ୟର ପରିଚୟ ପ୍ରଦାନ କରିଥାଏ ।

 

କୃପାନାଥ :-

ତତ୍‌କାଳୀନ ସରକାରୀ କଳର ଏକ ଶୋଷଣ ସର୍ବସ୍ୱ ଅଧିକାରୀ ଚରିତ୍ର ହେଉଛନ୍ତି କୃପାନାଥ । ଅଧ୍ୟୟନର ଶୀର୍ଷତମ ସୀମାରେ ପହଞ୍ଚି ସରକାରୀ ହାକିମ ହେବାର ଗୌରବ ଅର୍ଜନ କରିଛନ୍ତି ସେ । ମାତ୍ର ଅନ୍ତର ଭିତରେ ତାଙ୍କର ମାନବ ସେବା ନୁହେଁ ଭୋଗ ଲାଳସା ହିଁ ମୁଖ୍ୟ ସ୍ଥାନ ଗ୍ରହଣ କରିଛନ୍ତି । ଫଳରେ ଗ୍ରାମଞ୍ଚଳର କେତେଗୋଟି ଦୁର୍ଭିକ୍ଷ ପ୍ରପୀଡ଼ିତ ସାହାଯ୍ୟ କେନ୍ଦ୍ରର ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଅବସ୍ଥାପିତ ଥିବା ଏହି ଦେଶୀ ହାକିମ ଆପଣାର ସ୍ଥିତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସହରର ଚାକଚକ୍ୟପୂର୍ଣ୍ଣ ବିଳାସୀ ଜୀବନକୁ ସ୍ମରଣ କରି ସେ ଆପଣାର ଭାଗ୍ୟକୁ ଦୋଷ ଦେଇଛନ୍ତି । ଦୁର୍ଭିକ୍ଷ ପ୍ରପୀଡ଼ିତ ମଣିଷଙ୍କ ଭିତରେ ଏହି ବିଳାସ ବିହ୍ୱଳ ମଣିଷଟିକୁ ବ୍ୟଙ୍ଗ କରିବାକୁ ଭୁଲି ନାହାନ୍ତି ଔପନ୍ୟାସିକ । ତାଙ୍କ ଶାରୀରିକ ସ୍ଥିତିର ବ୍ୟଙ୍ଗ କରି ସେ କହନ୍ତି ସାଧାରଣ ମଣିଷଙ୍କ ଭିତରେ ତାଙ୍କର ଚେହେରା ‘ମୂଷିକ ବେଷ୍ଟିତ ଗଜାନନ’ଙ୍କ ପରି ଦେଖାଯାଏ । (୨୫ଶ ପରିଚ୍ଛେଦ) । ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟର ବ୍ୟଙ୍ଗ କରି ଔପନ୍ୟାସିକ କହନ୍ତି, ସେ ମଧ୍ୟମପନ୍ଥୀରେ ବିଶ୍ୱାସ କରନ୍ତି ନାହିଁ । ଚରମପନ୍ଥୀ ସେ ସବୁବେଳେ । ଉପରିସ୍ଥ ହାକିମକୁ ତୋଷାମଦ ଓ ସେବା କରିବାରେ ତାଙ୍କୁ କେହି କେତେବେଳେ ଅତିକ୍ରମ କରିପାରନ୍ତି ନାହିଁ । ନିମ୍ନସ୍ଥ ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ତାଙ୍କର ଅନୁନାସିକ ଘୃଣାଭାବ ଚରମସୀମା ସ୍ପର୍ଶ କରିଥାଏ । ଗ୍ରାମାଞ୍ଚଳର ଅସହାୟ ଦୁଃଖଦ ସ୍ଥିତିରେ ତାଙ୍କର ଏକମାତ୍ର ସହାୟକ ତାଙ୍କର ଅଧସ୍ତନ ଦାରୋଗା, ଯେ ତାଙ୍କୁ ମର୍ତ୍ତ୍ୟର ଭଗବାନ ବୋଲି ସମ୍ମାନ କରନ୍ତି ଏବଂ ତାଙ୍କର ପ୍ରତ୍ୟେକ ବିଳାସ ସାମଗ୍ରୀ ପ୍ରଦାନ କରି ତାଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଭୋକିଲା ମଣିଷମାନଙ୍କୁ ବିନା କାରଣରେ ଦଣ୍ଡଦେବା, ସେମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରିବା, ନୀତିନିୟମକୁ ଆପଣାର ସ୍ୱାର୍ଥ ପାଇଁ ବ୍ୟବହାର କରିବା ଏବଂ ସମାଜ ସେବାକୁ ସରକାରୀ ବୃତ୍ତି ମଧ୍ୟରୁ ଦୂରେଇ ରଖିବା ଆଦି ବିଭିନ୍ନ ଅପକର୍ମର ପ୍ରତିମୂର୍ତ୍ତି ଥିଲେ ଏହି କୃପାନାଥ । କେବଳ ଏଥିପାଇଁ ମଣିଷକୁ ଭଲପାଇ ଆସିଥିବା ବଳିଆର ସିଂହ ଭଳି ଚରିତ୍ରମାନଙ୍କୁ ସହିପାରି ନାହାନ୍ତି ସେ । ସାଧାରଣ ମଣିଷମାନଙ୍କ କଥା କହିବାକୁ ଆସିଥିବା ଶୁଭକାନ୍ତଙ୍କୁ ମଧ୍ୟ ଶ୍ରଦ୍ଧା ବା ସମ୍ମାନ କରିପାରି ନାହାନ୍ତି ସେ । ଅହମିକାର ମୂଲ୍ୟହୀନ ସିଂହାସନରେ ଅଭିଷିକ୍ତ ହୋଇ ସେ ଆପଣାର ଅପାରଗତାର କେବଳ ପରିଚୟ ଦେଇଛନ୍ତି ମାତ୍ର । ତାଙ୍କ ପାଖରେ ଶେଷପର୍ଯ୍ୟନ୍ତ ଶୁଭକାନ୍ତ ଓ ଶମ୍ଭୁନାଥ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଏଇ ଚରିତ୍ରଟି ପ୍ରତି ପ୍ରାଥମିକ ଅବସ୍ଥାରେ ଶୁଭକାନ୍ତଙ୍କ କ୍ରୋଧ ଆସିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଏହାର ଅସହାୟତା ବୋଧକୁ ଲକ୍ଷ୍ୟ କରିପାରିଛନ୍ତି ସେ । କ୍ଷମତାର ମୋହରେ ମୋହିତ ହୋଇ ଆପଣାର ମାନବିକତାକୁ ଭୁଲି ବସିଥିବା ଏହି ମଣିଷଟି ପ୍ରତି ଶୁଭକାନ୍ତ ଶେଷରେ ସମ୍ବେଦନଶୀଳ ହୋଇପଡ଼ିଛନ୍ତି ।

 

ନାୟକ ଶୁଭକାନ୍ତ :-

ଉପନ୍ୟାସର ନାୟକ ଶୁଭକାନ୍ତ ରାଜା ଚନ୍ଦ୍ରକାନ୍ତ ପଟ୍ଟଦେବଙ୍କ ମୃତ୍ୟୁପରେ ତାଙ୍କ ‘ଆତ୍ମଲିପି’ ଅନୁସାରେ ସିଂହାସନ ଆରୋହଣ କରନ୍ତି । ସେ ରାଣୀଙ୍କ ପୁତ୍ର ହୋଇ ନଥିବା ହେତୁ ରାଜସିଂହାସନର ପ୍ରତ୍ୟକ୍ଷ ଉତ୍ତରାଧିକାରୀ ହୋଇ ନଥିଲେ ମଧ ଚନ୍ଦ୍ରକାନ୍ତ ଏବଂ ବିଧବା ବ୍ରାହ୍ମଣୀ ସୁନନ୍ଦାଙ୍କ ମିଳନରୁ ଜନ୍ମ ନେଇଥିଲେ ସେ । ଚନ୍ଦ୍ରକାନ୍ତ ଷାଠିଏ ବର୍ଷ ବୟସରେ ନିଜର ସାଧନା ଉଦ୍ୟାନରେ ନୀରବ ପରିବେଶରେ ସୁନନ୍ଦାକ ବ୍ରହ୍ମଚର୍ଯ୍ୟ ଦୀପ୍ତ ନାରୀତ୍ଵ ପ୍ରତି ଆକର୍ଷିତ ହୋଇ ଉଠିଥିଲେ ଏବଂ ଉଭୟଙ୍କ ମିଳନର ସ୍ମାରକୀ ଭାବେ ଜନ୍ମନେଇଥିବା ଶିଶୁପୁତ୍ରକୁ ବସନ୍ତପଞ୍ଚମୀ ରାତ୍ରିରେ ଫୁଲବାଇ ଗୌରୀ ସ୍ନାନ କରୁଥିବା ସମୟରେ ସାଧନା ଉଦ୍ୟାନର ସରୋବର ତଟଦେଶରେ ଶୁଆଇ ଦେଇ ଆସିଥିଲେ । ଏହି ସନ୍ତାନ ପ୍ରଥମ ଅବସ୍ଥାରେ ଗୌରୀର ଲାଳନ ପାଳନରେ ଲଣ୍ଡାବାବୁ ନାମରେ କ୍ରମେ ପରିଚିତ ହୋଇଛି । ରାଣୀଙ୍କ ସ୍ନେହ, ସୁନନ୍ଦାଙ୍କ ପରିଚର୍ଯ୍ୟା, କୃଷକକନ୍ୟା ସୁନାର କ୍ଷୀର ଏବଂ ଗୌରୀର ସେବା ଯତ୍ନରେ ବଢ଼ୁଥିବା ଏହି ବାଳକ ଶେଷରେ ଦୁଷ୍ଟାମିର ଚରମ ସୀମାରେ ପହଞ୍ଚିଯିବାରୁ, ତାଙ୍କୁ ଅବଧାନଙ୍କ ଘରକୁ ପଠାଇଦିଏ ଗୌରୀ । ସେଠାରେ ତା’ର ଦୁଷ୍ଟାମି କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲେ । ଏହି ଅବସରରେ ଗୌରୀ ମୃତ୍ୟୁବରଣ କରେ ଏବଂ ସନ୍ତାନଟିର ଲାଳନ ପାଳନ ଦାୟିତ୍ଵ ରାଜପରିବାରକୁ ଚାଲିଯାଏ । ରାଜ ଅନ୍ତପୁରରେ ବାଳକଟି ଅଧିକ ଉତ୍ସୃଙ୍ଖଳ ହୋଇଉଠେ ଏବଂ କାହାରି ଅନୁଶାସନକୁ ଗ୍ରହଣ କରିବାକୁ ସେ ଆଉ ପ୍ରସ୍ତୁତ ହୁଏ ନାହିଁ । କେବଳ ବ୍ରାହ୍ମଣୀ ସୁନନ୍ଦା ପ୍ରତି ତା’ର ଅନ୍ତରରେ ଆନ୍ତରିକ ଭୟ ଥାଏ-। ଆଦ୍ୟ ଯୌବନରେ ଏହି ଚରିତ୍ର ଆପଣାର ଦୁର୍ବାର ଆଦିମତ୍ୟରେ ଅଧିକ ଆରଣ୍ୟକ ହୋଇଉଠେ । ବୀରବର ମଙ୍ଗରାଜଙ୍କ ଯୁବତୀ କନ୍ୟା ଶୋଭାର ସୌନ୍ଦର୍ଯ୍ୟତାକୁ ବିମୋହିତ କରି ଦିଏ । ବୃଦ୍ଧାବସ୍ଥାରେ ରାଜ୍ୟ ଚନ୍ଦ୍ରକାନ୍ତ ଏହି ‘ଲଣ୍ଡାବାବୁ’ଙ୍କୁ ଆପଣାର ଉତ୍ତରାଧିକାରୀ ଭାବରେ ସ୍ୱୀକାର କରନ୍ତି ଏବଂ ତାଙ୍କର ଦୃଢ଼ ବିଶ୍ୱାସ ଥାଏ ଯେ ପରିବେଶର ପ୍ରଭାବରେ ବିପଥଗାମୀ ହୋଇଯାଇଥିବା ଏହି ଯୁବକଟି ଦିନେ ନା ଦିନେ ସୁପଥକୁ ଫେରିଆସିବ କାରଣ ସେ ଯେଉଁ ଜନନୀର ଗର୍ଭରୁ ଜାତ ହୋଇଛି ସେଥିରେ ସେ କଦାପି ଆଜୀବନ ଚରିତ୍ରହୀନ ହୋଇ ରହିପାରିବ ନାହିଁ’ । (୧୧ଶ ପରିଚ୍ଛେଦ) ଏହି ଭବିଷ୍ୟବାଣୀ ଶୁଭକାନ୍ତଙ୍କ ଜୀବନରେ ପ୍ରତିଫଳିତ ହେବାପାଇଁ ଯଦିଓ ସାମାନ୍ୟ ବିଳମ୍ବ ହୋଇଛି, ତଥାପି ତାହା ତାଙ୍କ ଜୀବନରେ ଏକ ନିର୍ଣ୍ଣାୟକ ରେଖା ହୋଇ ରହିଯାଇଛି ।

 

ଲଣ୍ଡାବାବୁ ଶୁଭକାନ୍ତ ପଟ୍ଟଦେବ ନାମ ଧାରଣ କରି ମୁକ୍ତାଗଡ଼ ସିଂହାସନ ଆରୋହଣ କରିଛନ୍ତି । ଏହି ଠାରୁ ତାଙ୍କ ଜୀବନର ଭିନ୍ନ ଏକ ପର୍ଯ୍ୟାୟ ଗତିଶୀଳ ହୁଏ । ସିଂହାସନ ଆରୋହଣ ପରେ ସେ ଚନ୍ଦ୍ରକାନ୍ତଙ୍କ ରୁଚି ତଥା ନୀତିକୁ ପ୍ରାଚୀନ ବୋଲି ଆଖ୍ୟା କରି ତାକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରିଛନ୍ତି । ପ୍ରଥମତଃ ସେ ଆପଣାକୁ ପାଶ୍ଚାତ୍ୟ ସଭ୍ୟତାରେ ଅନୁଗାମୀ କରାଇ, ପାଶ୍ଚାତ୍ୟର ବିଳାସ ବ୍ୟସନ ପଦ୍ଧତିକୁ ଅନୁସରଣ କରିଛନ୍ତି । ରାଜନବରରେ ବିଦେଶୀ ଅତିଥିମାନଙ୍କୁ ପାଶ୍ଚାତ୍ୟ ଢଙ୍ଗର ବିଭିନ୍ନ ବିଳାସ ବ୍ୟସନରେ ଆପ୍ୟାୟିତ କରିଛନ୍ତି । ଦ୍ୱିତୀୟତଃ ଆପଣାର ପାରମ୍ପରିକ ରାଜକୀୟ ପୋଷାକ ପରିଚ୍ଛଦର ପରିବର୍ତ୍ତନ କରି ପାଶ୍ଚାତ୍ୟ ପୋଷାକରେ ନିଜକୁ ସଜ୍ଜିତ କରିଛନ୍ତି । ତୃତୀୟତଃ ଚନ୍ଦ୍ରକାନ୍ତଙ୍କ ଆଗରୁ ଥିବା ବିଶ୍ୱସ୍ତ ଅଶ୍ୱ ‘ସେବକ’ ବଦଳରେ ବହୁ ଅର୍ଥବ୍ୟୟରେ ଦୁଇଟି ଖର୍ବକାୟ ବିଦେଶୀ ଅଶ୍ଵ ଆଣି ରଖିଛନ୍ତି । ଚତୁର୍ଥତଃ ପ୍ରାଚୀନ ରାଜନଅର ପାଶ୍ଚାତ୍ୟ ବିଳାସ ଚେତନାର ଉପଯୁକ୍ତ ଅନୁଗାମୀ ନଥିବାରୁ ଚନ୍ଦ୍ରକାନ୍ତଙ୍କ ସାଧନା ଉଦ୍ୟାନରେ ଏକ ପାଶ୍ଚାତ୍ୟ ଶୈଳୀର ନୂତନ ରାଜପ୍ରାସାଦର ଶୁଭାରମ୍ଭ କରିଛନ୍ତି । ତାଙ୍କ ଚରିତ୍ରର ଏହି ବିନାଶୀ ଦିଗଟି ଅଧିକ ପରିପୁଷ୍ଟ ହୋଇଛି ବିବାହ ପରେ । ନବାଗତା ପତ୍ନୀ ଚିତ୍ରାଙ୍କର ସୌନ୍ଦର୍ଯ୍ୟରେ କ୍ରମେ ବନ୍ଦୀହୋଇ ପଡ଼ିଛନ୍ତି ଶୁଭକାନ୍ତ । ଅପେକ୍ଷାକୃତ ଅଧିକ ଧନାଢ଼୍ୟ ପରିବାରରୁ ଆସିଥିବା ଏବଂ କଥାକଥାକେ ଆପଣାର ବାପା ତଥା ଭାଇମାନଙ୍କ ଐଶ୍ଵର୍ଯ୍ୟର ବ୍ୟାଖ୍ୟାରେ ଶତମୁଖ ହୋଇ ଉଠୁଥିବା ସୁନ୍ଦରୀ ପତ୍ନୀଙ୍କ ମନସ୍ତୁଷ୍ଟି ପାଇଁ ଶୁଭକାନ୍ତ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ତଥା ପୋଷାକପତ୍ରରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଚିତ୍ରାଙ୍କ ଇଚ୍ଛାନୁସାରେ ନବନିର୍ମିତ ରାଜପ୍ରାସାଦ ଅଧିକ ବ୍ୟୟବହୁଳ ହୋଇଯାଇଛି । ବିବାହ ପରେ ଶୁଭକାନ୍ତ ଚିତ୍ରାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରାଜକାର୍ଯ୍ୟ ପ୍ରତି ସମ୍ପର୍ଣ୍ଣ ଉଦାସୀନ ହୋଇ ଉଠିଛନ୍ତି ଏବଂ କ୍ରମେ ପ୍ରଜା ସମୁଦାୟଙ୍କ ଠାରୁ ଦୂରେଇ ଯାଇଛନ୍ତି । ଶୁଭକାନ୍ତଙ୍କ ଏହି ବିଳାସବ୍ୟସନ ଦ୍ୱାରା ରାଜକୋଷ କ୍ରମେ ଶୂନ୍ୟ ହୋଇଯାଇଛି । ଏହାକୁ ପୂରଣ କରିବା ପାଇଁ ସେ ପ୍ରଜାମାନଙ୍କ ଉପରେ ଅନେକ ନୂତନ କର ବସାଇଛନ୍ତି । ଏ କାର୍ଯ୍ୟରେ ତାଙ୍କର ସହାୟକ ହୋଇଛନ୍ତି ତାଙ୍କ ସମବୟସ୍କ ଯୁବକ ଛାମୁକରଣ ବଳରାମ ପଟ୍ଟନାୟକ । ଅସହାୟ ପ୍ରଜାମାନଙ୍କ ଅର୍ଥନୈତିକ ଅବସ୍ଥା ପ୍ରତି ଦୃଷ୍ଟି ନଦେଇ ବଳରାମଙ୍କ ମନ୍ତ୍ରଣାରେ ଶୁଭକାନ୍ତ ସେମାନଙ୍କ ଉପରେ ଜୁଲୁମ କରିଚାଲିଛନ୍ତି ଏବଂ ଏହାର ପରିଣତି ହୋଇଛି ଜନ ଅସନ୍ତୋଷ । ମୁକ୍ତାଗଡ଼ର ପ୍ରଜାବର୍ଗ ଦୁଃଖ ତଥା ଦୁର୍ଦ୍ଦଶାରେ ରାଜା ଶୁଭକାନ୍ତଙ୍କ ସମସ୍ତ ଅପଶାସନକୁ ସହ୍ୟ କରି ଆସିଛନ୍ତି । ବଳରାମଙ୍କ ଦ୍ୱାରା ଏହି ନିର୍ଯ୍ୟାତନା କ୍ରମେ ଅଧିକରୁ ଅଧିକତର ହୋଇଉଠିଛି । ବିଳାସ ବିହ୍ୱଳ ଶୁଭକାନ୍ତ ପ୍ରଜାବର୍ଗଙ୍କ ଏହି ଦୁଃଖଦସ୍ଥିତିକୁ ଦେଖି ମଧ୍ୟ ନଦେଖିଲା ପରି ରହିଯାଇଛନ୍ତି । ନୂତନ ରାଜପ୍ରାସାଦ ନିର୍ମାଣରେ ପ୍ରଜାବର୍ଗ ବେଠି ତଥା ବେଗାରି ଖଟି ଅଧିକ ଦୁର୍ବଳ ହୋଇଯାଇଛନ୍ତି ଏବଂ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଶେଷରେ ପୂର୍ଣ୍ଣ ଦୁର୍ବଳ କରିଦେଇଛି ସମଗ୍ର ଓଡ଼ିଶାରେ ଦେଖା ଦେଇଥିବା ଭୟାବହ ନଅଙ୍କ ଦୁର୍ଭିକ୍ଷ । ଦୁର୍ଭିକ୍ଷର କରାଳ ଛାୟା ସମଗ୍ର ମୁକ୍ତାଗଡ଼ରେ ପ୍ରତିଫଳିତ ହେଲାପରେ ମଧ୍ୟ ଶୁଭକାନ୍ତଙ୍କର ଚୈତନ୍ୟୋଦୟ ହୋଇନାହିଁ । ପାଶ୍ଚାତ୍ୟ ବିଳାସ ବ୍ୟସନ ମହାରାଣୀ ଚିତ୍ରାଙ୍କ ସୌନ୍ଦର୍ଯ୍ୟ ଏବଂ ବଳରାମଙ୍କ କୁମନ୍ତ୍ରଣା ତାଙ୍କୁ ପ୍ରକୃତ ଜୀବନ ଧାରଣର ମାନଠାରୁ ଯଥେଷ୍ଟ ଦୂରରେ ରଖିଛି ।

 

ସ୍ୱେଚ୍ଛାଚାରୀ ଶୁଭକାନ୍ତଙ୍କର ସମଗ୍ର ରାଜପ୍ରାସାଦରେ ଯଦି କାହା ପ୍ରତି ଦୟା ତଥା ସ୍ନେହଭାବ ଅଛି ତେବେ ସେ ହେଉଛି ସୁନା, ଯାହାର କ୍ଷୀର ପାନ କରି ସେ ବାଲ୍ୟଜୀବନ ଅତିବାହିତ କରିଥିଲେ । ସେ ପ୍ରାସାଦ ମଧ୍ୟରେ କେବଳ ମାତ୍ର ଭୟ କରୁଥିଲେ ବ୍ରାହ୍ମଣୀ ସୁନନ୍ଦାକୁ । ତାଙ୍କର ଅନୁଶାସନ ଦ୍ୱାରା ଶେଷପର୍ଯ୍ୟନ୍ତ ନିୟନ୍ତ୍ରିତ ହୋଇଥିଲେ ଶୁଭକାନ୍ତ । ବିଳାସବିହ୍ୱଳ ସ୍ଥିତି ଭିତରେ କାଳାତିପାତ କରୁଥିଲେ ମଧ୍ୟ ଶୁଭକାନ୍ତଙ୍କ ଭିତରେ ଏକ ପରିବର୍ତ୍ତନ ସଂଘଟିତ ହେଉଥିଲା, ଯାହା ତାଙ୍କ ହୃଦୟ ପରିବର୍ତ୍ତନର ପ୍ରଥମ ପୃଷ୍ଠଭୂମି ଥିଲା । ମହାରାଣୀ ଚିତ୍ରାଙ୍କ ସୌନ୍ଦର୍ଯ୍ୟ, ବିଳାସର ପ୍ରାଚୁର୍ଯ୍ୟ ଏବଂ ବଳରାମଙ୍କ ମନ୍ତ୍ରଣା ଭିତରେ ସେ ଯେପରି ଭିତରେ ଭିତରେ ଭିନ୍ନ ହୋଇ ଆସୁଥିଲେ । ଔପନ୍ୟାସିକଙ୍କ ଭାଷାରେ, ‘କ୍ରମେ ତାଙ୍କର ସକଳ କର୍ମରେ ଗୋଟାଏ ନିର୍ମମ ଔଦାସିନ୍ୟ ଫୁଟିଉଠିଲା । ପୂର୍ବର ତେଜସ୍ୱିତା ଓ କଠୋରତା ବହୁପରିମାଣରେ ହ୍ରାସ ପାଇଲା । କେବଳ ଗତାନୁଗତିକ ଭାବରେ ଅଭ୍ୟାସର ବଶବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟସେ ନିଷ୍ୱର୍ଣ୍ଣ କରିବାକୁ ଲାଗିଲେ । (୧୫ଶ ପରିଚ୍ଛେଦ) । ଏହାହିଁ ତାଙ୍କ ହୃଦୟ ପରିବର୍ତ୍ତନର ପ୍ରାଥମିକ ଅଭାସ ଦିଏ । ଏହାର ମୁଖ୍ୟ କାରଣ ହେଉଛି ସମଗ୍ର ରାଜ୍ୟରେ ଦୁର୍ଭିକ୍ଷର ଛାୟାପାତ । ଶୁଭକାନ୍ତ ମୁକ୍ତାଗଡ଼ର ପ୍ରତିଟି କୋଣ ଅନୁକୋଣରେ ଏହି ବିଷାଦର କାଳିମାକୁ ଲକ୍ଷ୍ୟ କରିପାରିଛନ୍ତି । ଆପଣାର ବିଳାସ ବିହ୍ୱଳ ଜୀବନ ଭିତରେ ଦେଶର ଏପ୍ରକାର ସ୍ଥିତି ତାଙ୍କୁ ବିଚଳିତ କରିଦେଇଛି । ପରିବର୍ତ୍ତନର ପ୍ରବାହ ଏହା ଦ୍ଵାରା କ୍ରମେ ଶୁଭକାନ୍ତଙ୍କ ଭିତରେ ସଂଘଟିତ ହୋଇଛି ।

 

ଦ୍ୱିତୀୟତଃ ଏହି ସ୍ଵର ଅଧିକ ବଳିଷ୍ଠ ହୋଇଛି ସନାତନଙ୍କ ବ୍ୟକ୍ତିତ୍ଵ ଏବଂ ବକ୍ତବ୍ୟ ଦ୍ଵାରା । ରାଜା ସହିତ ପ୍ରଜାର ସମ୍ବନ୍ଧ ନୂତନ ଭାବରେ ଶୁଭକାନ୍ତଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ସେ । ଏହି ସମ୍ବନ୍ଧ ଯେ ମଣିଷ ସହିତ ମଣିଷର ହୃଦୟବଭାର ସମ୍ବନ୍ଧ ଏବଂ ଏହା ଯେ ଆଦୌ ଖାଦ୍ୟ ଖାଦକର ସମ୍ବନ୍ଧ ନୁହେଁ ଏହା ସେ ଶୁଭକାନ୍ତଙ୍କ ନିକଟରେ ସ୍ପଷ୍ଟ କରିଦେଇଛନ୍ତି । ଏପର୍ଯ୍ୟନ୍ତ ରାଜାଙ୍କ ସମସ୍ତ ଅତ୍ୟାଚାରକୁ ମଥାପାତି ନୀରବରେ ସହି ଯାଇଥିବା ପ୍ରଜାବର୍ଗଙ୍କୁ ସନାତନ ନୂତନ ଭାବରେ ଶୁଭକାନ୍ତଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ତାଙ୍କର ଏହି ଜଡ଼ିଭୂତ ସ୍ଥିତି ଯେ ଦିନେନା ଦିନେ ଆପଣାର ଦାବି ପୂରଣ ପାଇଁ ବିଦ୍ରୋହର ସ୍ୱର ଉତ୍ତୋଳନ କରିବ ଅଦ୍ୟାବଧି ଅନାଗତ ଅଥଚ ଅନିର୍ବାଯ୍ୟ ଝଡ଼ ସମ୍ପର୍କରେ ଶୁଭକାନ୍ତଙ୍କୁ ସଚେତନ କରିଦେଇଛନ୍ତି ସେ । ରାଜା କେବଳ ପ୍ରଜାର ପ୍ରଭୁ ନୁହେଁ, ତାହାର ମଧ୍ୟ ଭୃତ୍ୟ, ସନାତନଙ୍କ ଏହି ଉକ୍ତି ଶୁଭକାନ୍ତଙ୍କ ହୃଦୟର ଅନୁଦ୍‍ଘାଟିତ ଦ୍ଵାରକୁ ଗୋଟିଏ ପରେ ଗୋଟିଏ ଖୋଲିଦେଇଛି । ସନାତନଙ୍କ ମୁଖରେ ଆଦର୍ଶ ରାଜା ଅଶୋକଙ୍କ ଉକ୍ତି ‘କାୟତଦ ମତେ ହି ମେ ସବ୍‍ବଲୋକ ହିତମ୍’ ଶୁଭକାନ୍ତଙ୍କ ହୃଦୟରେ ଗଭୀର ରେଖାପାତ କରିଛି ଏବଂ ପ୍ରଜାବର୍ଗଙ୍କ ଉନ୍ନତି ସାଧନ ତଥା ସେମାନଙ୍କ ସୁଖ ଦୁଃଖରେ ଅଂଶୀଦାର ହେବାପାଇଁ ଶୁଭକାନ୍ତଙ୍କ ହୃଦୟରେ ଏକ ଶପଥ ବଦ୍ଧ ଭାବନା ସୃଷ୍ଟି କରିଛି । ପରିବର୍ତ୍ତନର ପ୍ରକ୍ରିୟା ଶୁଭକାନ୍ତଙ୍କ ଚେତନାରେ ଧୀରେ ଧୀରେ ଆରମ୍ଭ ହୋଇ ଯାଇଛି । ପ୍ରଥମେ ସନାତନ ପ୍ରତି ସୃଷ୍ଟି ହୋଇଥିବା କ୍ରୋଧ ଶେଷରେ ବୁମେରାଂ ପରି ତାଙ୍କ ପାଖକୁହିଁ ଫେରି ଆସିଛି-। ସନାତନର ଅକୁତୋଭୟ ନିର୍ଭୀକ ତଥା ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ତାଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଛି । ଜଗତରେ ସମ୍ଭୋଗ ଯେ ପ୍ରକୃତ ସୁଖ ନୁହେଁ, ଅନ୍ୟର ଦୁଃଖକୁ ସାଧ୍ୟାନୁରୂପ ଭାବରେ ଦୂର କରିବାରେ ଯେ ପ୍ରକୃତ ସୁଖ ଅନ୍ତର୍ନିହିତ ହୋଇଅଛି । ଏହା ଅନୁଭବ କରିବସିଛନ୍ତି ଶୁଭକାନ୍ତ । ରାମ, ଯୁଧିଷ୍ଠିର, ବୁଦ୍ଧ ଏବଂ ଅଶୋକଙ୍କ ଜୀବନ ଚର୍ଯ୍ୟାକୁ ବ୍ୟାଖ୍ୟାକରି ସେ ସମ୍ଭୋଗ ଯେ ଜୀବନର ଏକ ମାତ୍ର ଲକ୍ଷ୍ୟ ନୁହେଁ ଏହା ଅନୁଭବ କରିଛନ୍ତି । ମହାପୁରୁଷଙ୍କ ଜୀବନୀ ପୁସ୍ତକ ଅଧ୍ୟୟନ କରି ଜୀବନର ପ୍ରକୃତ ଦିଗକୁ ଜାଣିବାପାଇଁ ସେ ଚେଷ୍ଟା କରିଛନ୍ତି ଏବଂ ଅଶ୍ୱ ପୃଷ୍ଠରେ ରାଜ୍ୟ ଭ୍ରମଣ ଆଦି କରି ପ୍ରଜାମାନଙ୍କ ସହ ଦୁଃଖସୁଖ ହୋଇ ସେ ଶାନ୍ତି ପାଇଛନ୍ତି ।

 

ତୃତୀୟତଃ ହୃଦୟ ପରିବର୍ତ୍ତନର ଅନ୍ତିମ ସୋପାନରେ ଶୁଭକାନ୍ତ ଏପରି ଏକ ଚିତ୍କାର ଆଧାରିତ ସ୍ୱର ଶୁଣିଛନ୍ତି ଯାହା ତାଙ୍କର ସକଳ ଆସକ୍ତିଗତ ସଂଶୟକୁ ଅନ୍ତରମଧ୍ୟରୁ ପୂର୍ଣ୍ଣ ନିଃଶେଷ କରିଦେଇଛି । ରାତ୍ରିର ବିଳମ୍ବିତ ପ୍ରହରରେ ଏସ୍‍ରାଜର ମଧୁର ସ୍ଵରଲହରୀରେ କ୍ରମେ ନିଦ୍ରାର ଶୀତଳ ଶେଯରେ ଶୋଇ ପଡ଼ୁଥିବା ଶୁଭକାନ୍ତ ‘ମଣିମା’ ଡାକରେ ଉଠିପଡ଼ିଛନ୍ତି । କୌଣସି ଏକ ନାରୀ କଣ୍ଠର କରୁଣ କାତର ଏହି ବିଳାପଧ୍ୱନୀ ତାଙ୍କୁ ମୁହୂର୍ତ୍ତକ ପାଇଁ ଜାଗ୍ରତ କରିଦେଇଛି ପରେ ପୁନର୍ବାର ଏସ୍‍ରାଜର ମଧୁର ସ୍ୱର ଲହରୀରେ ସେ ଶୋଇଯାଇଛନ୍ତି । ପ୍ରାତଃ ଭ୍ରମଣରେ ଯିବାବେଳେ ଶୁଭକାନ୍ତ ସେହି ଅଭାଗିନୀର ମୃତ ଶରୀରକୁ ଦେଖିଛନ୍ତି ଏବଂ ଦ୍ଵାରୀଠାରୁ ସେହି ଦୁର୍ଭିକ୍ଷ ଗ୍ରସ୍ତା ଶୀର୍ଣ୍ଣ ରମଣୀଟି ଯେ କୃଷକକନ୍ୟା ସୁନା ଏହି କଥା ବୁଝି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ସେ । ପିତୃମାତୃ ହୀନ ଏକ ଅସହାୟ ଅନାଥଶିଶୁକୁ ଶୈଶବରେ ଯାହାର କ୍ଷୀର ପାନରେ ରାଜା ଶୁଭକାନ୍ତରେ ପରିଣତ ହୋଇଥିଲା, ସେହି ଦୁଃଖିନୀ ନାରୀର ବିକଳ ବିଳାପ ଧ୍ୱନିଯେ ଶେଷ ମୁହୂର୍ତ୍ତରେ ତାଙ୍କ କର୍ଣ୍ଣ କୁହରରେ ପ୍ରବେଶ କରି ତାଙ୍କୁ ସଚେତନ କରିପାରିଲା ନାହିଁ, ଏଥିରେ ସେ ଗଭୀର ମର୍ମାହତ ହୋଇ ପଡ଼ିଛନ୍ତି । ଅବଚେତନର ନୀରବତାରେ ସୁନାର ତ୍ୟାଗଦୀପ୍ତ ଜୀବନ ପ୍ରତି ଶୁଭକାନ୍ତଙ୍କ ଅନ୍ତର୍ବିଳାପର ସ୍ୱର ଏହିପରି- ‘ତୁ ଭିଖାରିଣୀ ନୋହୁ ସୁନା - ଭିଖାରୀ ମୁଁ । ଆହରଣ କଲି, ଆହାର କଲି ; କିନ୍ତୁ ତୋହପରି ଦିନେ ଉପବାସୀ ରହି ଦାନ କରିପାରି ନାହିଁତ ! (୧୯ଶ ପରିଚ୍ଛେଦ) । ସୁନାର ଶବ ସହିତ ଶ୍ମଶାନ ଯାତ୍ରା କରିଛନ୍ତି ସେ । ଫେରିବାପରେ ଚିତ୍ରାଙ୍କ ହସ ହସ ମୁହଁ ତାଙ୍କୁ ପରିବର୍ତ୍ତନ କରିପାରିନାହିଁ ଏକ ସଂକଳ୍ପବଦ୍ଧ ତଥା ପ୍ରତିଜ୍ଞାବିହିତ ଚିତ୍ତବୃତ୍ତି ତାଙ୍କୁ କ୍ରମେ ଇନ୍ଦ୍ରିୟ ଲିପ୍‍ସାର ସୁଖଭୋଗରୁ ଦୂରେଇ ନେଇଛି । ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବାର ମାହେନ୍ଦ୍ର ବେଳା ଉପନୀତ ହୋଇଛି ତାଙ୍କ ଜୀବନରେ ।

 

ଜୀବନରେ କରିଥିବା ଏହି ମହାପାପର ପ୍ରାୟଶ୍ଚିତ ପାଇଁ ଶୁଭକାନ୍ତ ଆପଣାର ରାଜକୋଷ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ ଉନ୍ମୁକ୍ତ କରିଦେଇଛନ୍ତି । ଦୁର୍ଭିକ୍ଷର କରାଳ କବଳରେ ପ୍ରପୀଡ଼ିତ ହେଉଥିବା ମଣିଷମାନଙ୍କ ପାଇଁ ସେ ରାଜ୍ୟର ସକଳ ସଞ୍ଚିତ ଶସ୍ୟ ବିତରଣ କରିଦେଇଛନ୍ତି । ରାଜ ଅନ୍ତପୁରର ମହାର୍ଘ୍ୟ ଆଭୁଷଣ ଏବଂ ମୂଲ୍ୟବାନ ପଦାର୍ଥ ତାଙ୍କୁ ବିଷବତ୍ ପ୍ରତୀତ ହୋଇଛି ଏବଂ ପ୍ରଜାମାନଙ୍କ କଲ୍ୟାଣ ପାଇଁ ସେ ସକଳପଦାର୍ଥକୁ ଅକୁଣ୍ଠିତ ଭାବେ ଦାନ କରିଛନ୍ତି । ରାଜପ୍ରାସାଦର ନିବିଡ଼ ନିଗଡ଼ରେ କ୍ରମେ ରୁଦ୍ଧଶ୍ଵାସ ହୋଇ ଉଠିଛନ୍ତି ସେ । ବଳରାମଙ୍କ ସକଳ ଚାଟୁ ଏବଂ ତୋଷାମଦ ତାଙ୍କୁ ବିଷ୍ଣତୁଲ୍ୟ ବୋଧ ହୋଇଛି । ବଳରାମଙ୍କ ନିକଟରେ ଆପଣାର ପ୍ରକୃତ ବ୍ୟକ୍ତିତ୍ୱର ଉନ୍ମୋଚନ ପାଇଁ ସେ କୁଣ୍ଠିତ ହୋଇ ନାହାନ୍ତି । ସେ ଯେ ଯାତ୍ରାପାଟିରେ ଗୋଟିଏ ଅଭିନେତା ଠାରୁ ଭିନ୍ନ ନୁହେଁ ଏବଂ ଗୌରୀ ତଥା ରାଜା ଚନ୍ଦ୍ରକାନ୍ତଙ୍କ ଅନୁଗ୍ରହ ଲାଭ କରିନଥିଲେ ଯେ ତାଙ୍କ ଜୀବନ ବାର ଦ୍ଵାରରେ ବୁଲି ବୁଲି ଅତିବାହିତ ହୋଇଥାନ୍ତା, ଏହା ବଳରାମଙ୍କ ପାଖରେ ସ୍ପଷ୍ଟ କରିଛନ୍ତି ସେ । ରାଜାଯେ କେବଳ ପ୍ରଜାମାନଙ୍କ ପାଇଁ ଏବଂ ପ୍ରଜାର ହିତ ସାଧନ କରିବାପାଇଁ ରାଜା ଆପଣାର ସବୁକିଛି ସମର୍ପଣ କରିବା ଆବଶ୍ୟକ ଏହି ସିଦ୍ଧାନ୍ତରେ ଅଟଳରହି ଶୁଭକାନ୍ତ ଶେଷରେ ରାଜନବର ତ୍ୟାଗ କରିବା ନିଷ୍ପତ୍ତି ନେଇଛନ୍ତି । ଦେଶର ସେବା, ମଣିଷର ସେବା ଠାରୁ ଯେ ଜୀବନର ଅନ୍ୟ କୌଣସି ମହତ୍ତର ସାଧନା ନାହିଁ, ଏହା କ୍ରମେ ସେ ଦୃଢ଼ ଭାବରେ ଅନୁଭବ କରିଛନ୍ତି (୨୧ଶ ପରିଚ୍ଛେଦ) । ରାଜରାଣୀ ଚିତ୍ର। ଯେତେବେଳେ ଶୁଭକାନ୍ତକ ସର୍ବସ୍ୱଦାନ ଚିନ୍ତାଧାରାକୁ ସ୍ୱୀକାର କରିପାରି ନାହାନ୍ତି ସେତେବେଳେ ଶୁଭକାନ୍ତ ନଗରର ସକଳ ଐଶ୍ୱର୍ଯ୍ୟ ତ୍ୟାଗ କରି ନିରନ୍ନ ଜନତାର ସେବା ପାଇଁ ଆପଣାକୁ ପୂର୍ଣ୍ଣ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କରି ପ୍ରେରଣାରେ ସାଧାରଣ ଜନତାଙ୍କ ସେବା ପାଇଁ ଗଢ଼ାହୋଇଥିବା ସାହାଯ୍ୟ କେନ୍ଦ୍ରର ତତ୍ତ୍ଵାବଧାନ କରିବା ସହିତ ସେ ଜନତାର ସେବା ପାଇଁ ସେବକଦଳ ଗଠନ କରିଛନ୍ତି । ଉତ୍କଳର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଧନିକ ବ୍ୟକ୍ତିମାନଙ୍କ ଠାରୁ ଅର୍ଥ ସାହାଯ୍ୟ ଆଣି ତାହାକୁ ନିରନ୍ନ ଭୋକିଲା ଜନତାଙ୍କୁ ଦାନ କରିଛନ୍ତି । ଦୁର୍ଭିକ୍ଷର ଭୟଙ୍କର ମୁଖ ମଧ୍ୟରେ କ୍ରମେ ନିଃଶ୍ୱେଷିତ ହୋଇଯାଉଥିବା ମଣିଷମାନଙ୍କୁ ଉଦ୍ଧାର ପାଇଁ ଶୁଭକାନ୍ତ ଅଶୋକଙ୍କ ମହତ୍ ଅନୁଶାସନ ‘ସର୍ବ ମୁନିଷା ଣେ ପ୍ରଜା’ କୁ ଅହରହ ସ୍ମରଣ କରି ସେହି ଅନୁସାରେ ଆପଣାକୁ ଜନସେବାରେ ନିୟୋଜିତ କରିଦେଇଛନ୍ତି ।

 

ମାନବସେବା ପାଇଁ ଆପଣାକୁ ପୂର୍ଣ୍ଣଭାବରେ ସମର୍ପିତ କରିଥିବା ଶୁଭକାନ୍ତ ବଳିଆର ସିଂହ ଚରିତ୍ର ଭିତରେ ଅତୀତ ଉତ୍କଳର ସାମରିକ ଐତିହ୍ୟକୁ ଲକ୍ଷ୍ୟକରି ଚାଲିଛନ୍ତି ଏବଂ ମାନବ ସେବା ପାଇଁ ବଳିଆର ସିଂହ ଗ୍ରହଣ କରିଥିବା ଅଭିନବ ପନ୍ଥା ଯାହା ଆପାତ ପକ୍ଷେ ନିନ୍ଦନୀୟ ବୋଲି ଅନୁଭୂତ ହେଉଥିଲେ ମଧ୍ୟ ତାକୁ ଆନ୍ତରିକ ସମର୍ଥନ କରିପାରିଛନ୍ତି । ମଲାଙ୍ଗ ପରି ସମାଜକୁ ଶୋଷଣ କରୁଥିବା ଧନିକମାନକୁ ଲୁଣ୍ଠନ କରି ସେହି ଧନକୁ ଗରୀବମାନଙ୍କ ଭିତରେ ବିତରଣ କରୁଥିବା ବଳିଆର ସିଂହଙ୍କ ବ୍ୟକ୍ତିତ୍ୱକୁ ସେ ଆନ୍ତରିକ ଭାବେ ସମର୍ଥନ କରିଛନ୍ତି । ମାନବସେବା ପାଇଁ ଉଚ୍ଚ ସରକାରୀ ପଦପଦବୀର ଅବସ୍ଥାପିତ ରହି ସ୍ୱାର୍ଥସାଧନ ପାଇଁ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କୃପାନାଥଙ୍କ ପରି ପଦାଧିକାରୀମାନଙ୍କୁ ସେ ଆପଣାର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରି ଦେଇଛନ୍ତି ସେ । ପ୍ରତିବଦଳରେ କୃପାନାଥଙ୍କ ତାଙ୍କ ପ୍ରତି ତାଚ୍ଛଲ୍ୟ ଏବଂ ଅପମାନକୁ ଗୀତାର ‘ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି’ ବାଣୀକୁ ସ୍ମରଣକରି ସେ ସହ୍ୟ କରିଯାଇଛନ୍ତି ଏବଂ ଅତୀତରେ ଆପଣାର କ୍ଷମତାସୀନ ଅନ୍ଧ ଅହମିକାକୁ ମନେପକାଇ ସେ କୃପାନାଥଙ୍କୁ ମନେମନେ କ୍ଷମା କରିଦେଇଛନ୍ତି । ଏହି ପର୍ଯ୍ୟାୟରେ ଶୁଭକାନ୍ତଙ୍କ ଚରିତ୍ରରେ ଏକ ନିରାସକ୍ତ ସନ୍ନ୍ୟାସୀର ସକଳ ତ୍ୟାଗଦୀପ୍ତ ଆଚରଣ ସ୍ପଷ୍ଟ ହୋଇଯାଇଛି ।

 

ଐତିହାସିକତା .-

‘ମୁକ୍ତାଗଡ଼ର କ୍ଷୁଧା’ ଇତିହାସର ପୃଷ୍ଠଭୂମି ଉପରେ ଆଧାରିତ ଊନବିଂଶ ଶତାବ୍ଦୀରେ ସଂଘଟିତ ହୋଇଥିବା ଦୁଇଟି ପ୍ରମୁଖ ଘଟଣା ପାଇକ ବିଦ୍ରୋହ ଏବଂ ନଅଙ୍କ ଦୁର୍ଭିକ୍ଷ ସମଗ୍ର ଉପନ୍ୟାସର କଥାବସ୍ତୁକୁ ନିୟନ୍ତ୍ରିତ କରିଛି । ୧୮୧୭ ମସିହାରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଘଟିତ ହୋଇଥିବା ଅନ୍ତିମ ସାମରିକ ବିଦ୍ରୋହ ହେଉଛି ପାଇକ ବିଦ୍ରୋହ । ଖୋର୍ଦ୍ଧାର ବିଦ୍ରୋହୀ ଯୋଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ହଜାର ହଜାର ପାଇକ ଏହି ଯୁଦ୍ଧରେ ଅଂଶ ଗ୍ରହଣ କରି ଇଂରେଜ ଶକ୍ତିକୁ ଉତ୍କଳର ସାମରିକ ଐତିହ୍ୟର ଉଜ୍ୱଳ ଉଦାହରଣ ପ୍ରଦର୍ଶନ କରିଥିଲେ । କନିକା, କୁଜଙ୍ଗ ଏବଂ ହରିମପୁରରେ ଏହି ବିଦ୍ରୋହର ବହ୍ନି ବ୍ୟାପି ଯାଇଥିଲା । ପାଇକମାନେ ସେମାନଙ୍କ ପାରମ୍ପରିକ ସାମରିକ ପୋଷାକରେ ସଜ୍ଜିତ ହୋଇ ସଂଘଠିତ ଭାବରେ ଇଂରେଜ ଶକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ । ସେହି ଐତିହାସିକ ଆନ୍ଦୋଳନର ଚିତ୍ର ଉପନ୍ୟାସର ଚତୁର୍ଦ୍ଦଶ ପରିଚ୍ଛେଦରେ ବଳିଆର ସିଂହର ବକ୍ତବ୍ୟରେ ପ୍ରକଟିତ ହୋଇଛି ।

 

ସମଗ୍ର ଉପନ୍ୟାସଟି ନଅଙ୍କ ଦୁର୍ଭିକ୍ଷର କରାଳ ପୃଷ୍ଠଭୂମି ଉପରେ ଆଧାରିତ । କାଳିନ୍ଦୀଚରଣ ଦୁର୍ଭିକ୍ଷର ପ୍ରଳୟଙ୍କରୀ ସ୍ୱରୂପର କାଳାନୁକ୍ରମିକ ବର୍ଣ୍ଣନା କରିଛନ୍ତି ଏହି ଉପନ୍ୟାସରେ-। ଦୁର୍ଭିକ୍ଷର ଏକବର୍ଷ ପୂର୍ବରୁ ୧୮୬୫ ମସିହାରେ ଏହାର ଭାବୀ ସୂଚନା ସ୍ପଷ୍ଟ ହୋଇ ଯାଇଥିଲା । ଆକାଶର ସୁଦୂର କୋଣରେ ଦିଶୁଥିବା କୃଷ୍ଣବିନ୍ଦୁ ଦୁର୍ଭିକ୍ଷର ଭାବୀ ବାର୍ତ୍ତାହିଁ ବହନ କରିଆସିଥିଲା । କାଳିନ୍ଦୀଚରଣଙ୍କ ଲେଖନୀରେ ଏ ଚିତ୍ର ଅତ୍ୟନ୍ତ କଳାତ୍ମକ ‘ସେ ଯେପରି କେଉଁ ଏକ ପିଶାଚର ଚକ୍ଷୁ ଡୋଳା- ସେଥିରେ ଆନନ୍ଦ ନାହିଁ, ଅଶ୍ରୁ ନାହିଁ, କାରୁଣ୍ୟ ନାହିଁ - କେବଳ ଗୋଟାଏ ନିର୍ମମ ପିଶାଚର ଲୋଲୁପ ଦୃଷ୍ଟି - ବିଶ୍ୱ ପ୍ରଳୟ ହେଲେ ହେଁ ସେ ଡୋଳା ତରଳ ହୁଏ ନାହିଁ, ସହସ୍ର ରବିକିରଣରେ ତାହାର ଧ୍ୱଂସ ନାହିଁ (୧୭ଶ ପରିଚ୍ଛେଦ) । ସେହିବର୍ଷ ସେପ୍ଟେମ୍ବର ୧୮ ତାରିଖରୁ ବୃଷ୍ଟିପାତ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଗଲା । ବୃଷ୍ଟି ପାଇଁ ବିଭିନ୍ନ ଗ୍ରାମରେ ଧର୍ମାନୁଷ୍ଠାନମାନ ଅନୁଷ୍ଠିତ ହେବାର ଚିତ୍ର ଉପନ୍ୟାସରେ ପ୍ରଦତ୍ତ ହୋଇଛି । ଅକ୍ଟୋବର ୨୦ ତାରିଖ ବେଳକୁ ଏହି ଆତଙ୍କ କ୍ରମେ ଭୀତିପ୍ରଦ ହୋଇ ଉଠେ ଏ ବଂ ଆସନ୍ନ ଦୁର୍ଭିକ୍ଷର ସୂଚନାରେ ଧାନଚାଉଳର କାରବାର କ୍ରମେ ବନ୍ଦ ହୋଇଯାଏ । ପ୍ନୁରୁଣି ସାଗ, ସାରୁପତ୍ର, ବାଉଁଶଧାନ, ତିନ୍ତୁଳିଫୁଲକୁ ଖାଦ୍ୟଭାବରେ ଗ୍ରହଣ କରେ ନିରନ୍ନ ଭୋକିଲା ମଣିଷ । ବସନ୍ତକାଳ ବେଳକୁ ହୁକିଟୋଲା ଏବଂ ଚିଲିକା ପଥରେ ଧାନଚାଉଳ ସରବରାହ ବନ୍ଦ ହୋଇ ଆସିଲା (୨୨ଶ ପରିଚ୍ଛେଦ) । ୧୮୬୬ ମସିହା ମେ ମାସ ବେଳକୁ ଦୁର୍ଭିକ୍ଷ ତା’ର ଭୟଙ୍କର ସ୍ୱରୂପ ପ୍ରକଟିତ କରିଥିଲା । କଲିକତାରୁ ଓଡ଼ିଶାପାଇଁ କେବଳ ମାତ୍ର ଏକହଜାର ଟଙ୍କାର ଅନୁଦାନ ମିଳିଲା ଯାହା ଦ୍ୱାରା ପୁରୀ ସହରରେ ଗୋଟିଏ ଅନ୍ନଛତ୍ର କେନ୍ଦ୍ର ଖୋଲାଯାଇଥିଲା, ଜୁନ ମାସର ମଧ୍ୟଭାଗ ବେଳକୁ ଗୋପାଳପୁରଠାରୁ ଚିଲିକାବାଟେ ଆସୁଥିବା ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଜେଲ୍‍ର ବନ୍ଦୀମାନଙ୍କ ପାଇଁ ଖାଦ୍ୟର ଅଭାବ ଘଟିଲା । ଓଡ଼ିଶାର କୋଣ ଅନୁକୋଣରେ ଫୁଟିଉଠିଥିବା ଦୁର୍ଭିକ୍ଷର ଏହି କରାଳ ମର୍ମନ୍ତୁଦ ଚିତ୍ରର ବର୍ଣ୍ଣନା କାଳିନ୍ଦୀଚରଣଙ୍କ ଲେଖନୀରେ ଅତ୍ୟନ୍ତ କଳାତ୍ମକ ଭାବେ ଉର୍ତ୍ତୀର୍ଣ୍ଣ, ‘ଟଙ୍କା ପଇସା ସୁନା ରୂପା ଲୋକେ ମାଟି ଭଳି ତୁଚ୍ଛ ଜ୍ଞାନ କଲେ-। କେତେ ଜମି ଜମିଦାରୀ ଜଳ ମୂଲ୍ୟରେ ବିକ୍ରୟ ହୋଇଗଲା +++ ତୁମର ବିଦ୍ୟା, ବୁଦ୍ଧି, ତତ୍ତ୍ୱ, ଦର୍ଶନ, ପୁରୁଷର ପୌରୁଷ, ନାରୀର ସତୀତ୍ଵ- ସମସ୍ତ ବିନିମୟରେ ଲୋଡ଼ା କେବଳ ମୁଠିଏ ଅନ୍ନ ।’ (୨୩ଶ ପରିଚ୍ଛେଦ) ।

 

ସାମାଜିକ ସ୍ଥିତି :-

‘ମୁକ୍ତାଗଡ଼ର କ୍ଷୁଧା’ରେ ତତ୍କାଳୀନ ସମାଜ ବ୍ୟବସ୍ଥାର ସ୍ଵର ସ୍ପଷ୍ଟ ରୂପାୟିତ ହୋଇଛି । ଦେଶୀୟ ରାଜ୍ୟ ମୁକ୍ତାଗଡ଼ର ରାଜପରିବାରୁ ଏହାର କଥାବସ୍ତୁ ଆରମ୍ଭ ହୋଇ ନଅଙ୍କ ଦୁର୍ଭିକ୍ଷର ଭୟାବହ ପରିବେଶ ମଧ୍ୟରେ ଏହାର ପରିସମାପ୍ତି ଘଟିଛି । ରାଜାରାଜୁଡ଼। ଅମଳରେ ସମାଜବ୍ୟବସ୍ଥା ତଥା ଜନଜୀବନର ନିଚ୍ଛକ ଚିତ୍ର ଉପନ୍ୟାସର ପ୍ରଥମାର୍ଦ୍ଧରେ ପ୍ରତିଫଳିତ । ତତ୍କାଳୀନ ରାଜ ପରିବାର ତଥା ଅନ୍ୟାନ୍ୟ ସାମନ୍ତଙ୍କ ପରିବାରରେ ପରିଚର୍ଯ୍ୟା ପାଇଁ ଅନେକ ଦାସଦାସୀ ନିଯୁକ୍ତ ହେଉଥିଲେ । ଏମାନଙ୍କ ମଧ୍ୟରୁ ‘ଫୁଲବାଇ’ ମାନେ ଥିଲେ ଏକ ସ୍ୱତନ୍ତ୍ର ସ୍ତରର ସେବିକା ଯେଉଁମାନେ ଆପଣାର ସୌନ୍ଦର୍ଯ୍ୟ ପାଇଁ କିଶୋରୀ ଅବସ୍ଥାରୁ ରାଜ ପରିବାରକୁ ବଳପୂର୍ବକ ଅଥବା ଅର୍ଥାଭାବରୁ ଆନୀତ ହେଉଥିଲେ । ସେମାନେ ଆପଣାର ଯୌବନକୁ ରାଜ ପରିବାରର ସେବାରେ ଅର୍ପଣ କରି ପରିଣତ ବୟସରେ ଉଆସର ବିଭିନ୍ନ କର୍ମରେ ନିଯୁକ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରୁଥିଲେ । ଗୌରୀ ଚରିତ୍ର ମାଧ୍ୟମରେ କାଳିନ୍ଦୀଚରଣ ଏମାନଙ୍କୁ ସ୍ୱୀୟ ଉପନ୍ୟାସରେ ଚିତ୍ରଣ କରିଛନ୍ତି । କୁମାରୀ ଅବସ୍ଥାରୁ ବୈଧବ୍ୟ ଯନ୍ତ୍ରଣା ଭୋଗ କରୁଥିବା ବ୍ରାହ୍ମଣ କନ୍ୟାମାନଙ୍କର ସ୍ଥିତି ମଧ୍ୟ ସମାଜରେ ଅତ୍ୟନ୍ତ ଦୁର୍ବିସହ ଥିଲା । ଏହି କନ୍ୟାମାନେ ପୁନର୍ବିବାହ କରି ପାରୁନଥିଲେ । ଆଜୀବନ ସେମାନଙ୍କୁ କଠୋର ବ୍ରହ୍ମଚର୍ଯ୍ୟ ପାଳନ ତଥା କୁଚ୍ଛ୍ର ସାଧନା ମାଧ୍ୟମରେ ସମୟ ଅତିବାହିତ କରିବାକୁ ପଡ଼ୁଥିଲା । ଯଦିଓ କେତେବେଳେ ବୟସର ଅନୁରୋଧରେ ତା’ର ପାଦ ଖସି ଯାଉଥିଲା, ତାର ଗର୍ଭଜାତ ସନ୍ତାନକୁ ସାମାଜିକ ସ୍ୱୀକୃତି ମିଳୁନଥିଲା । ସୁନନ୍ଦା ଚରିତ୍ରକୁ ଏହାର ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । ଏହିଭଳି ଅବୈଧ ସନ୍ତାନମାନେ ଯଦି ଗୌରୀ ଭଳି ଧାତ୍ରୀ ଏବଂ ରାଣୀ ତଥା ଚନ୍ଦ୍ରକାନ୍ତଙ୍କ ଭଳି ପୃଷ୍ଠପୋଷକ ପାଉଥିଲେ ତେବେ ସେମାନଙ୍କ ଜୀବନ ପରିପୁଷ୍ଟ ହେଉଥିଲା, ନଚେତ୍ ସାମାଜିକ ସ୍ୱୀକୃତି ଲାଭ ନକରି ସେମାନେ ଆଜୀବନ ଆପାଂକ୍ତେୟ ହୋଇ କାଳାତିପାତ କରୁଥିଲେ ।

 

ତତ୍କାଳୀନ ସମାଜର ରାଜପୁରୁଷମାନେ ମୁଖ୍ୟତଃ ସ୍ୱୀୟ ସ୍ୱାର୍ଥଲିପ୍‌ସା ଏବଂ ପ୍ରମାଥ ଇନ୍ଦ୍ରିୟ ସେବାରେ ଆପଣାକୁ ପୂର୍ଣ୍ଣ ନିୟୋଜିତ କରି ରଖୁଥିଲେ । ପ୍ରଜାମାନଙ୍କ ସୁଖ ଦୁଃଖ ବୁଝିବାକୁ ଏମାନଙ୍କ ପାଖରେ ସମୟ ନଥିଲା । ବିଦେଶୀମାନଙ୍କ ସେବା, ଆପଣା ସିଂହାସନର ସୁରକ୍ଷା, ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣର ପ୍ରଦର୍ଶନପ୍ରବୃତ୍ତି, ରାଣୀ ତଥା ରାଜପରିବାରର ପ୍ରିୟ ପରିଜନଙ୍କ ଅନୁଚିତ ଅନୁରୋଧକୁ ସ୍ୱୀକୃତି ଦେଇ କାର୍ଯ୍ୟରେ ପରିଣତ କରାଇ ରାଜକୋଷର ଅପବ୍ୟବହାର କରୁଥିଲେ । ଏହି ସମସ୍ତ କର୍ମରେ ସେମାନେ ସମଗ୍ର କାଳ ବ୍ୟୟିତ କରୁଥିଲେ । ରାଜ୍ୟର ସମସ୍ତ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ରାଜ କର୍ମଚାରୀଙ୍କ ହାତରେ ଦେଇ ଏମାନେ ସ୍ୱାର୍ଥନ୍ୱେଷୀ କର୍ମଚାରୀବର୍ଗଙ୍କ ଅନୁଚିତ ତୋଷାମଦରେ ସନ୍ତୁଷ୍ଟ ହେଉଥିଲେ ଏବଂ ଅହରହ ବିଳାସବ୍ୟସନରେ ବ୍ୟସ୍ତରହି ରାଜକୋଷର ପ୍ରଭୂତ ଅପବ୍ୟୟ କରୁଥିଲେ । ଆପଣାର ପ୍ରମୋଦ ପାଇଁ ଏମାନେ ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟି ନଦେଇ ବ୍ୟୟବହୁଳ ନୂତନ ପ୍ରାସାଦ ନିର୍ମାଣ କରୁଥିଲେ । ଯାହାପାଇଁ ଆବଶ୍ୟକୀୟ ଅର୍ଥକୁ ସେ ବିଭିନ୍ନ ନୂତନ କରି ପ୍ରଜାମାନଙ୍କ ଉପରେ ପ୍ରବର୍ତ୍ତନ କରି ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ । ସେତେବେଳେ ପ୍ରଜାମାନଙ୍କୁ ବିଭିନ୍ନ ବେଠି ବେଗାରି ଖଟିବାକୁ ପଡ଼ୁଥିଲ। ଏବଂ ଏଥିପାଇଁ ଆପଣାର ଅସମର୍ଥତା ପ୍ରକାଶ କଲେ ରାଜକର୍ମଚାରୀମାନଙ୍କଠାରୁ ଏମାନଙ୍କୁ ବିଭିନ୍ନ ଶାରୀରିକ ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଥିଲା । ଦୁର୍ଭିକ୍ଷ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ସମ୍ବଳହୀନ ପ୍ରଜାଙ୍କଠାରୁ ଜୋର ଜବରଦସ୍ତ କର ଆଦାୟ ପାଇଁ ଅନେକ ଶାରୀରିକ ଯନ୍ତ୍ରଣା ଦିଆଯାଉଥିଲା । ସେସମୟରେ ବ୍ରିଟିଶ ସରକାରଙ୍କ ଅଧୀନରେ ଯେଉଁ ଦେଶୀୟ ବ୍ୟକ୍ତିମାନେ ଉଚ୍ଚ ସରକାରୀ ପଦପଦବୀରେ ଅବସ୍ଥାପିତ ଥିଲେ, ସେମାନେ ଜନସେବା ପରିବର୍ତ୍ତେ ଆପଣାର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଅତିରିକ୍ତ ଆଗ୍ରହୀ ଥିଲେ । ସହର ଛାଡ଼ି ସୁଦୂର ପଲ୍ଲୀରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଆଗ୍ରହ ନଥିଲା । କୃପାନାଥ ଚରିତ୍ରରୁ ଏହାର ପ୍ରମାଣ ମିଳିଥାଏ । ଏହି ଧରଣର ଅଧିକାରୀମାନଙ୍କୁ ବିଭିନ୍ନ ଅସଦ୍ ଉପାୟରେ ସନ୍ତୁଷ୍ଟ କରିବାପାଇଁ ତତ୍କାଳୀନ ସମାଜରେ ଅନନ୍ତବାବୁ ଦାରୋଗାଙ୍କ ପରି ନିମ୍ନ ବର୍ଗର କର୍ମଚାରୀମାନଙ୍କ ଅଭାବ ନଥିଲା । ଏ ସମସ୍ତ ସତ୍ତ୍ୱେ ସମାଜରେ ବେଳେବେଳେ ଶୁଭକାନ୍ତଙ୍କ ପରି ଲୋକପ୍ରିୟ ତଥା ଜନକଲ୍ୟାଣକାରୀ ଶାସକମାନଙ୍କ ଆବିର୍ଭାବ ଘଟୁଥିଲା । ଇଂରେଜ ଶାସକଙ୍କ ମଧ୍ୟରେ କୋବରନ୍ ସାହେବଙ୍କପରି କେତେକ ସୁଶାସକ ତତ୍କାଳୀନ ଓଡ଼ିଶାରେ ବିଦ୍ୟମାନ ଥିଲେ, ଯେଉଁମାନେ ବିଭିନ୍ନ ଲେ।କ କଲ୍ୟାଣକର କାର୍ଯ୍ୟକଳାପ ମାଧ୍ୟମରେ ଆପଣାର ନିର୍ମଳ ଭାବମୂର୍ତ୍ତି ପ୍ରତିଷ୍ଠା କରିଯାଇଥିଲେ । କେତେକ ବେସରକାରୀ ସେବା ସଂସ୍ଥା ସେତେବେଳେ ଜନକଲ୍ୟାଣ କାର୍ଯ୍ୟରେ ଆପଣାକୁ ନିୟୋଜିତ କରିଥିଲେ । ଶୁଭକାନ୍ତଙ୍କ ପ୍ରେରଣାରେ ଗଢ଼ି ଉଠିଥିବା ‘ସେବକଦଳ’ ଏହାର ଉଦାହରଣ । ବଳିଆର ସିଂହଙ୍କ ପରି କେତେକ ବ୍ୟକ୍ତି ଆପଣାର ବ୍ୟକ୍ତିଗତ ଉଦ୍ୟମରେ ନିରନ୍ନ ଅସହାୟ, କାଙ୍ଗାଳ ଜିନତାର ସେବାପାଇଁ ବଦ୍ଧପରିକର ଥିଲେ ।

 

ଦାର୍ଶନିକ ସିଦ୍ଧାନ୍ତ :-

‘ମୁକ୍ତଗଡ଼ର କ୍ଷୁଧା’ରେ ମାନବ ତଥା ମାନବ ଜୀବନର ସମ୍ପର୍କିତ ବିଭିନ୍ନ ଦାର୍ଶନିକ ସିଦ୍ଧାନ୍ତ ସ୍ପଷ୍ଟ ଉପଲବ୍ଧ ହୁଏ । ଜୀବନ ଯେ ଏକ ବାସ୍ତବ ଉପଲବ୍ଧ ଏବଂ ଏହା ଆଦୌ କୁହେଳିକା ନୁହେଁ ଏହାକୁ ଉପଲବ୍ଧ କରିଛି ସୁନନ୍ଦ। ଏହା ଏକ ବିରାଟ ମୂର୍ତ୍ତିମନ୍ତ ସତ୍ୟ । ଏହାକୁ କେତେବେଳେ ଉପେକ୍ଷା କରିବା ଅଥବା ଅସ୍ୱୀକାର କରିବା ଉଚିତ ନୁହେଁ (ନବମ ପରିଚ୍ଛେଦ) । ପରିଣତ ବୟସରେ ନିଜ ‘ଆତ୍ମଲିପି’ରେ ଚନ୍ଦ୍ରକାନ୍ତ ଯେତେବେଳେ ଜୀବନକୁ ଅନୁଶୀଳନ କରିଛନ୍ତି, ସେତେବେଳେ ତାହା ତାଙ୍କୁ ଅତ୍ୟନ୍ତ ରହସ୍ୟମୟ ଉପଲବ୍ଧ ହୋଇଛି । ଇନ୍ଦ୍ରିୟ ତଥା ପରିସ୍ଥିତିର ସେ ଦାସ । ବୁଦ୍ଧି ଏବଂ ବିବେକ ତା’ ନିକଟରେ ଲଜ୍ଜିତ ଓ ପରାହତ (୧୧ଶ ପରିଚ୍ଛେଦ) । ଏହି ଜୀବନକୁ ଦୁଇଟି ଦୃଷ୍ଟିକୋଣରୁ ଗ୍ରହଣ କରାଯାଇପାରେ । ପ୍ରଥମତଃ ଜୀବନକୁ ସହଜ ତଥା ଅଗଭୀର ରୂପରେ ଗ୍ରହଣ କରିବା । ଏହି ଦୃଷ୍ଟିରୁ ଗ୍ରହଣ କରିବା ଲୋକ ସୁଖକାମୀ ହୋଇ ଅନ୍ୟର ଚିନ୍ତା, ସୁଖ ଦୁଃଖକୁ ଆଖି ବୁଜିଦିଏ । ଦ୍ୱିତୀୟତଃ ଜୀବନକୁ ଗଭୀର ଭାବରେ ଗ୍ରହଣ କରିବା । ଏହି ଦୃଷ୍ଟିକୋଣରୁ ଗ୍ରହଣ କରିବା ଲୋକ ଆନ୍ତରିକ କ୍ଲେଶ ପାଇଥାଏ । (୧୨ଶ ପରିଚ୍ଛେଦ) । ଜୀବନକୁ ପୂର୍ଣ୍ଣ ଭୋଗିସାରି ପରିଣତ ବୟସରେ ପହଞ୍ଚିଥିବା ମଣିଷଟି ଶିଶୁର ଦରୋଟି ବଚନ ଏବଂ ଚପଳ ପଦପତରେ ଜୀବନକୁ ନୂତନ ଭାବରେ ଉପଲବ୍ଧି କରିବାପାଇଁ ପ୍ରେରଣା ପ୍ରାପ୍ତ ହୋଇଥାଏ । ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିଥିବା ଗୌରୀର ସଂଳାପରୁ ଏହା ସ୍ପଷ୍ଟ ‘ମୁଁ ଆଜି ମୃତ୍ୟୁମୁଖୀ ନୁହେଁ, ଜୀବନ ! ଜୀବନ ! ଚିରନ୍ତନ ଜୀବନ ! ତୋହରି ମଧରେ -ତୋହରି ମଧ୍ୟରେ ମୋର ପୁନର୍ଜନ୍ମ ହୋଇଅଛି’ । (୮ମ ପରିଚ୍ଛେଦ)

 

ଏକ ନିର୍ଦ୍ଦିଷ୍ଟ କାଳର ଅବଧି ମଧ୍ୟରେ ଆପଣାର ଅସ୍ତିତ୍ୱକୁ ଜାହିର କରିଥିବା ଜୀବନ୍ତ ଅବସ୍ଥାର ନାମହିଁ ଜୀବନ । କି ପଶୁ କି ମଣିଷ ସମସ୍ତେ ଏହାର ଅଧୀନ । ମଣିଷ ସେହି ନିର୍ଦ୍ଦିଷ୍ଟ ଜୀବନକାଳ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ନାମ ମାଧ୍ୟମରେ ପରିଚିତ ହୋଇଥାଏ । ମାତ୍ର ସେହି ନାମ ରୂପସହିତ ବିଲୀନ ହୋଇଯାଏ ନାହିଁ । ରୂପର ପରିସମାପ୍ତି ପରେ ତାହା ବର୍ତ୍ତମାନ ମଧ୍ୟରେ ଥାଏ । ଏ ବର୍ତ୍ତମାନତ୍ୱ କିନ୍ତୁ ଚିରନ୍ତନ ନୁହେଁ । ତାହା ପୁଣି କେତେକ ସମୟପାଇଁ । ପ୍ରଥମ ପରିଚ୍ଛେଦରେ ମୁକ୍ତାଗଡ଼ର ନାମୋଲ୍ଲେଖ ଅବସରରେ କାଳନ୍ଦୀଚରଣ ନାମ ଏବଂ ରୂପର ଏହି ଦାର୍ଶନିକ ବ୍ୟାଖ୍ୟା କରିଛନ୍ତି । ମନୁଷ୍ୟକୁ ବିପଥଗାମୀ କରୁଥିବାର ପ୍ରଥମ ଉପାଦାନ ଭାବରେ ଔପନ୍ୟାସିକ କ୍ଷମତାକୁହିଁ ଗ୍ରହଣ କରିଛନ୍ତି କୃପାନାଥ ଚରିତ୍ର ଭିତରେ ଶୁଭକାନ୍ତ କ୍ଷମତାର ଏହି ଦୁର୍ବାର ଯାତ୍ରାକୁ ସହଜରେ ଅନୁଭବ କରିପାରିଛନ୍ତି । ନିଜ ଅତୀତ ଜୀବନର ସ୍ମୃତିଚାରଣ କରି ଶୁଭକାନ୍ତ କ୍ଷମତାର ଅନ୍ଧ ଅତ୍ୟାଚାରକୁ ବେଶ୍ ଉପଲବ୍ଧ କରିଛନ୍ତି । ଯେଉଁମାନେ ସୃଷ୍ଟିର ଆରମ୍ଭରୁ ଏ କ୍ଷମତାକୁ ହାତମୁଠାରେ ରଖିବାର ସୁଯୋଗ ପାଇଛନ୍ତି । ସେମାନେ ଏହାର ଅପବ୍ୟବହାର କରିଛନ୍ତି ଏବଂ ଏହାଦ୍ଵାରା ଆପଣାର କଳଙ୍କିତ ବ୍ୟକ୍ତିତ୍ୱ ନେଇ ଜଗତରେ ଜିଇଁ ରହିଛନ୍ତି । ଏହି କ୍ଷମତା ହିଁ ଈଶ୍ଵରଙ୍କ ପ୍ରତି ବିଶ୍ୱବୋଧକୁ ସଂକୁଚିତ କରିଦେଇଛି । ପାପ ତଥା ପୈଶାଚିକତାର ଅନ୍ଧକାରମୟ ଅଧ୍ୟାୟ ସୃଷ୍ଟିକରିବାରେ ସହାୟକ ହୋଇଛି (୨୬ଶ ପରିଚ୍ଛେଦ) । ଚିରନ୍ତନ ଏହି ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ସନାତନଙ୍କ ବକ୍ତବ୍ୟରେ ଭଗବାନଙ୍କ ପ୍ରକୃତ ସ୍ୱରୂପ ଉନ୍ମୋଚିତ ହୋଇଅଛି । ତାଙ୍କ ବିଚାରରେ ଭଗବାନଙ୍କ ଅପେକ୍ଷା ମଣିଷର ସେବା କୋଟି ଗୁଣରେ ଶ୍ରେୟସ୍କର । ସଂସାରରେ ଯେତେ ଧର୍ମର ଉଦୟ ହୋଇଛି, ସେ ସକଳର ସୃଷ୍ଟିରେ ମୁଖ୍ୟତଃ ମଣିଷର ହିଁ ହାତ ରହିଛି । ସକଳ ମହାମାନବ ଏହି ମଣିଷର ସେବା ପାଇଁ ପରାମର୍ଶ ଦେଇଥିବାରୁ ସନାତନ ମୁଖରେ ଔପନ୍ୟାସିକ ମାନବ ସେବାର ହିଁ ଜୟଗାନ କରିଛନ୍ତି (୧୮ଶ ପରିଚ୍ଛେଦ) ।

 

ଉପନ୍ୟାସର ମୁଖ୍ୟ ଚରିତ୍ର ଶୁଭକାନ୍ତଙ୍କ ସକଳ ପଦକ୍ଷେପକୁ ନିୟନ୍ତ୍ରଣ କରିଛି ଅଶୋକଙ୍କ ଅନୁଶାସନ ତଥା ଶ୍ରୀମଦ୍ ଭଗବତ୍ ଗୀତାର ଅମର ପଂକ୍ତି ସମୂହ । ‘ମୁକ୍ତାଗଡ଼ର କ୍ଷୁଧା’ରେ ଆଶୋକଙ୍କ ଅନୁଶାସନର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲା ବେଳେ ‘ଅମର ଚିତା’ରେ ଗୀତାର ପଂକ୍ତି ଶୁଭକାନ୍ତଙ୍କ ଚରିତ୍ରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିଛି । ‘ମୁକ୍ତାଗଡ଼ର କ୍ଷୁଧା’ରେ ଶୁଭକାନ୍ତ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହୋଇଛନ୍ତି । ଏଥିପାଇଁ ଅଶୋକଙ୍କର ଦୁଇଟି ଅନୁଶାସନାଙ୍କିତ ପଂକ୍ତି ‘କତୟବ ମତେହି ମେ ସବବ୍‍ଲୋକ ହିତମ୍’ ଅର୍ଥାତ୍‌ ସମସ୍ତ ଲୋକଙ୍କ କଲ୍ୟାଣ ସାଧନହିଁ ମୋର ଶ୍ରେଷ୍ଠ କର୍ତ୍ତବ୍ୟ (୧ମ ପରିଚ୍ଛେଦ, ୧୬ଶ ପରିଚ୍ଛେଦ ଓ ୨୦ଶ ପରିଚ୍ଛେଦ) ଏବଂ ‘ସବ ମୁନିଷା ମେ ପଜା’ ଅର୍ଥାତ୍, ସକଳ ମୁନଷ୍ୟ ହିଁ ମୋର ସନ୍ତାନ (୨୩ଶ ପରିଚ୍ଛେଦରେ ଦୁଇଥର ବ୍ୟବହୃତ) ଶୁଭକାନ୍ତଙ୍କ ଚାରିତ୍ରିକ ପରିବର୍ତ୍ତନରେ ଅତ୍ୟନ୍ତ ସହାୟକ ହୋଇଛି । ଏହି ଦୁଇଟି ବାଣୀଙ୍କୁ ଉପନ୍ୟାସର ସୂର୍ଯ୍ୟସମ ବିନ୍ଦୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର କଥାବସ୍ତୁକୁ ଏହି ଦୁଇଟି ପଂକ୍ତି ମୁଖ୍ୟତଃ ନିୟନ୍ତ୍ରଣ କରିଛନ୍ତି । ଅଶୋକଙ୍କ ଅନୁଶାସନ ପରି ଶୁଭକାନ୍ତଙ୍କ ହୃଦୟ ପରିବର୍ତ୍ତନରେ ଗୀତାର ମହନୀୟ ଫକ୍ତିମାନଙ୍କର ଅବଦାନ ମଧ୍ୟ ନ୍ୟୁନ ନୁହେଁ । ସୁଖ ସମ୍ଭୋଗ ଏବଂ ବିଳାସବ୍ୟସନରେ ବୁଡ଼ି ରହି ପ୍ରଜାମାନଙ୍କୁ ସବୁବେଳେ ଉପେକ୍ଷା ପରି ଆସିଥିବା ଶୁଭକାନ୍ତ ପ୍ରାଥମିକ ସ୍ତରରେ ଅଶୋକଙ୍କ ଅନୁଶାସନ ଦ୍ୱାରା ପରିବର୍ତ୍ତିତ ହେବାପରେ ତାଙ୍କ ଶୁଦ୍ଧ ମାନବସତ୍ତାକୁ ଜାଗ୍ରତ କରିଛି ଗୀତାର ଉଦ୍ଦାତ ମହନୀୟ ଫକ୍ତି । ରାଜନବର ପରିତ୍ୟାଗ କରି ସେ ଯେତେବେଳେ ଦୁର୍ଭିକ୍ଷ ପ୍ରପୀଡ଼ିତ ରାଜ୍ୟର ଦାରୁଣ ଦୃଶ୍ୟ ଦର୍ଶନ କରିଛନ୍ତି । ସେତେବେଳେ ଗୀତାର ଏକାଦଶ ଅଧ୍ୟାୟ ବର୍ଣ୍ଣିତ ଭଗବାନଙ୍କ ବିଶ୍ଵରୂପର ଭୟାଭୟ ସତ୍ତା ତାଙ୍କ ସକଳ ଅସ୍ମିତାକୁ ଭୁଲୁଣ୍ଠିତ କରିଛି । ଆପଣାର କର୍ତ୍ତୃତ୍ୱ ଅଭିମାନ କାହିଁ କେଣେ ଲୁଚିଯାଇଛି । ମହାକାଳର କରାଳରେ ସେ ଆପଣାକୁ ଅତ୍ୟନ୍ତ ନ୍ୟୁନ ମନେ କରିଛନ୍ତି । ଗୀତାର ‘ଦଂଷ୍ଟ୍ରା କରାଳାନି ଚ ତେ ମୁଖାନି’ ଅଥବା ‘ଲେଲିହ୍ୟସେ ପ୍ରସମାନ ସମନ୍ତାତ୍’ ଆଦି ଏକାଦଶ ଅଧ୍ୟାୟର ଶ୍ଲୋକ ପ୍ରାଥମିକ ସ୍ତରରେ ଶୁଭକାନ୍ତଙ୍କ ସକଳ କର୍ତ୍ତୃତ୍ଵ ଅଭିମାନକୁ ଦୂର କରି ସାରିଲାପରେ ପରମ ସତ୍ତାକୁ ସେ ମହାକାଳ ବୋଲି ଉପଲବ୍ଧି କରିଛନ୍ତି ଏବଂ ଭାରତର ସେ ପରମ ପିତାଙ୍କୁ (ପିତରସି ଲୋକସ୍ୟ ଚରାଚରସ୍ୟ) ବିଶ୍ୱକଲ୍ୟାଣ ପାଇଁ ବିନମ୍ର ପ୍ରାର୍ଥନା କରିଛନ୍ତି (୨୨ଶ ପରି) ଏହି ଅନୁଭବ ପରେ ଅଳିକ ରାଜବନ୍ଧନ ତାଙ୍କୁ ଆଉ ବଞ୍ଚିରହିବାକୁ ସମର୍ଥ ହୋଇ ପାରିନାହିଁ । ଯାହାବା ସାମାନ୍ୟ ଶକ୍ତି ସେ ବନ୍ଧନର ତଥାପି ବର୍ତ୍ତମାନ ରହିଛି, ତାହା ପୂର୍ଣ୍ଣ ମୂଳୋତ୍ପାଟିତ ହୋଇଛି ‘କୁତସ୍ତ୍ୱା କଶ୍ମଳ ମିଦଂ ବିଷମେ ସମୁପତି ଶ୍ଳୋକର (୨୩ଶ ପରିଚ୍ଛେଦ) । ତାଙ୍କର ମୋହଗ୍ରସ୍ତ ଚିତ୍ତବୃତ୍ତି କ୍ରମେ ମୋହ ଶୂନ୍ୟ ହୋଇ ଉଠିଛି । ରାଜମୋହକୁ ପୂର୍ଣ୍ଣ ପରିତ୍ୟାଗ ପରେ ମଧ୍ୟ ତାଙ୍କ ଭିତରେ ରହିଥିବା ଅହଂକାର ଯାହା କୃପାନାଥ ହାକିମଙ୍କ ଦୁର୍ବ୍ୟବହାରରେ ତାଙ୍କୁ ସାମାନ୍ୟ ବିଚଳିତ କରିଥିଲା, ତାହା ପ୍ରଶମିତ ହୋଇଛି ‘ଯୋ ନ ହୃଷ୍ୟତି ନଦ୍ୱେଷ୍ଟି ନମୋଚତି ନ କାଙ୍‍କ୍ଷତି/ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ୍ ଯଃ ସମେ ପ୍ରିୟ’ ଗୀତାର ଉକ୍ତ ଶ୍ଳୋକଟିର (୨୫ଶ ପରିଚ୍ଛେଦ) ଶୁଭକାନ୍ତଙ୍କ ଜୀବନ ବୃତ୍ତର ପରିବର୍ତ୍ତନ ଘଟିଛି । ଅଶୋକଙ୍କ ଅନୁଶାସନ ଏବଂ ଗୀତାର ଶ୍ଳୋକ ସମୁହ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।

 

ପାରମ୍ପରିକ ଲୋକ ବିଶ୍ୱାସ ଓ ଚଳଣି :-

‘ମୁକ୍ତାଗଡ଼ର କ୍ଷୁଧା’ରେ କାଳନ୍ଦୀଚରଣ ପାରମ୍ପରିକ ଲୋକବିଶ୍ୱାସ ଏବଂ ଲୋକଚଳତିକୁ ଗୁରୁତ୍ୱ ଦେଇଛନ୍ତି । ଶୁଭକାନ୍ତଙ୍କ ବାଲ୍ୟ ଜୀବନରେ ଘଟିଯାଇଥବା ବିଭିନ୍ନ ଦୁଃଖଦ ଦୃଶ୍ୟମାନଙ୍କରେ ଏହି ଲୋକ ବିଶ୍ୱାସର ଉପାଦାନ ସ୍ପଷ୍ଟ । ଶୁଭକାନ୍ତ ଯେତେବେଳେ ଲଣ୍ଡାବାବୁ ନାମରେ ପରିଚିତ ହୋଇ ବିଦ୍ୟାଳୟ ସହାଧ୍ୟାୟୀମାନଙ୍କ ସହ ଅଧ୍ୟୟନ କରୁଥିଲେ ସେତେବେଳେ ସେ ତାଙ୍କ ସାଥିମାନଙ୍କ ଆପଣାର ଦୁଷ୍ଟାମୀ ଦ୍ୱାରା ବହୁ ଭାବେ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ-। ଏହାର ପ୍ରତିବାଦରେ ନିର୍ବଳ ସହାଧ୍ୟାୟୀମାନେ ତାଙ୍କ ବିରୁଦ୍ଧରେ ନାନା ଗାଲ ଗପ ଉଦ୍‍ଭାବନ କରୁଥିଲେ ଯାହା ମୁଖ୍ୟତଃ ଲୋକ ବିଶ୍ୱାସ ଉପରେ ଆଧାରି ତ ଥିଲା । ଲୋକବିଶ୍ୱାସରେ ପରିପୋଷିତ ଏବଂ ଅଦ୍ଭୁତ ମାନସିକ ଚିନ୍ତନରୁ ଉଦ୍‍ବୁଦ କଥା ଭାଗଟି ହେଉଛି, କାଳେ ଲଣ୍ଡାବାବୁଙ୍କର ବାପାମାଆ ନାହାନ୍ତି ଏବଂ ଦୟାନଦୀ ମଝିରେ ହାଣ୍ଡିରେ ଭାସିଆସୁଥିବା ଏହି ବାଳକକୁ ଗୌରୀ ପାଇ ତା’ର ଲାଳନ ପାଳନ କରିଥିଲା (୮ମ ପରିଚ୍ଛେଦ) ଏହି ଧରଣର ଲୋକ ବିଶ୍ୱାସ ସହିତ କେତେକ ପ୍ରଚଳିତ ଲୋକୋକ୍ତି ମଧ୍ୟ ଉପନ୍ୟାସରେ ଲକ୍ଷ୍ୟ କରିହୁଏ । ସେଗୁଡ଼ିକ ହେଲେ, ‘ଚତୁରୀ ରାଧି, ଘଇତାକୁ ଡାକେ ଦାଆଦି ଦାଦି’ (୩ୟ ପରିଚ୍ଛେଦ), ‘ଯୋଗୀ ଘରେ ଢ଼ିଙ୍କି’ (୪ର୍ଥ ପରିଚ୍ଛେଦ) ଓ ‘ଚଷାକି ଜାଣନ୍ତି ପଶାର କଥା ନା ପଇଲେ ବୋଲନ୍ତି ଦଶ’ (୪ର୍ଥ ପରିଚ୍ଛେଦ) ଆଦି ।

 

‘ମୁକ୍ତାଗଡ଼ର କ୍ଷୁଧା’ରେ ପାରମ୍ପରିକ ଲୋକ ବିଶ୍ୱାସ ତଥା ଚଳଣି ପ୍ରତି ସମର୍ଥନର ଚିତ୍ର କେତେକ ପାରମ୍ପରିକ ପର୍ବପର୍ବାଣୀ ପାଳନର ବର୍ଣ୍ଣନାରୁ ଏ ଉପଲବ୍ଧ ହୁଏ । ବସନ୍ତପଞ୍ଚମୀ ଏବଂ ରଜ ଆଦି ଉତ୍ସବ ପାଳନ ଏହାର ଉଦାହରଣ । କାଳନ୍ଦୀଚରଣ ଉପନ୍ୟାସର ତୃତୀୟ ପରିଚ୍ଛେଦରେ ବସନ୍ତପଞ୍ଚମୀର ପାରମ୍ପରିକ ଚିତ୍ର ପ୍ରଦାନ କରିଛନ୍ତି । ପୂର୍ବେ ଉତ୍କଳୀୟ ପରମ୍ପରାରେ କିପରି ବସନ୍ତପଞ୍ଚମୀ ପାଳିତ ହେଉଥିଲା, ଛାତ୍ରମାନେ ଚିତ୍ର ନଡ଼ିଆ ଏବଂ ଭୋଗଧରି ‘ବାରମାସ ମଧ୍ୟେ ଅଟଇ ସାର’ ‘ମାଘ ପଞ୍ଚମୀରୁ ହେଲେ ବାହାର’ ଆଦି ଗୀତଗାଇ କିପରି ଗ୍ରାମ ପରିକ୍ରମା କରୁଥିଲେ ତା’ର ନିଚ୍ଛକ ଚିତ୍ର ଏହି ପରିଚ୍ଛେଦରେ ଔପନ୍ୟାସିକ ପ୍ରଦାନ କରିଛନ୍ତି । ଉପନ୍ୟାସର ଦଶମ ପରିଚ୍ଛେଦରେ ଓଡ଼ିଶାର ଶ୍ରେଷ୍ଠ ପାରମ୍ପରିକ ପର୍ବ ରଜ ଉତ୍ସବର ବର୍ଣ୍ଣନା ଦେଖିବାକୁ ମିଳେ । ଏହି ଉତ୍ସବ ପାଳନର କାରଣ ସଂପର୍କରେ କାଳନ୍ଦୀଚରଣ କହନ୍ତି, “ପୁରୁଷ ଭୂମି ଖନନ କରିବ ନାହିଁ । ନାରୀ ଭୂମିକୁ ସ୍ପର୍ଶ କରିବ ନାହିଁ । ତୃଣ ପର୍ଯ୍ୟନ୍ତ ଛେଦନ କରିବ ନାହିଁ । ପୃଥିବୀ ରଜସ୍ୱଳା । ଏହି ସମୟରୁ ହିଁ ଧରଣୀର ଯୌବନ ଆସେ । ତା’ର ସକଳ ଅଙ୍ଗରେ ନବ ଅଙ୍କୁର ରୂପେ ଲୋମ ଉଦ୍‌ଗତ ହୁଏ । ପ୍ରଥମ ବୃଷ୍ଟିର ମାଟି ଗନ୍ଧ ଜଗତକୁ ମତୁଆଲା କରେ ।” ଏହି ସ୍ୱଭାବସୁନ୍ଦର ବର୍ଣ୍ଣନା ଭିତରେ ଏକ ସଂସ୍କୃତି ସଚେତନ ସ୍ୱର ସ୍ପଷ୍ଟ ଭାବେ ଅନୁଭବ କରିହୁଏ ।

 

ଉପନ୍ୟାସରେ ଲୋକ ବିଶ୍ୱାସର ଅନ୍ୟ ଏକ ଉପାଦାନ ହେଉଛି ଦୁର୍ଭିକ୍ଷ ସମୟର ଏହାର ପ୍ରତିକାର ପାଇଁ ଦେବାର୍ଚ୍ଚନା । ଉପନ୍ୟାସର ପଞ୍ଚଦଶ ପରିଚ୍ଛେଦରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ମେଘ ପାଇଁ ଜଳର ଦେବତା ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କୃଷକ ବଧୂ ତା’ର ସମସ୍ତ ସଞ୍ଚିତ ଶସ୍ୟଭଣ୍ଡାର ମୁକୁଳା କରିଦେଇଛି । ଏତଦ୍‌ବ୍ୟତୀତ ପ୍ରତି ଗ୍ରାମରେ ଶିବଙ୍କର ଶିରରେ ଜଳାଭିଷେକ, ପୁରୀ ଓ ଭୁବନେଶ୍ୱରର ପ୍ରସିଦ୍ଧ ଶୈବ କ୍ଷେତ୍ରମାନଙ୍କରେ ନିମନ୍ତ୍ରିତ ବ୍ରାହ୍ମଣମାନଙ୍କ ଦ୍ଵାରା ଇନ୍ଦ୍ରଯଜ୍ଞର ଆୟୋଜନ ଏବଂ ଇନ୍ଦ୍ରଦ୍ୟୁମ୍ନ ତଥା ବିନ୍ଦୁସାଗର ଆଦି ପବିତ୍ର ସରୋବରରେ ବ୍ରାହ୍ମଣମାନେ ବକ୍ଷ ପର୍ଯ୍ୟନ୍ତ ଜଳମଗ୍ନ ହୋଇ ଗଳବସ୍ତ୍ରରେ ସୂର୍ଯ୍ୟଙ୍କୁ ଜପ ଆଦିର ବର୍ଣ୍ଣନାରେ କାଳିନ୍ଦୀଚରଣଙ୍କ ପାରମ୍ପରିକ ଲୋକବିଶ୍ୱାସ ପ୍ରତି ଗଭୀର ନିଷ୍ଠାର ପରିଚୟ ଦିଏ ।

 

 

ବର୍ଣ୍ଣନାବିଳାସ :-

କାଳିନ୍ଦୀଚରଣ ପ୍ରଥମତଃ କବି । ତାଙ୍କ ଉପନ୍ୟାସମାନଙ୍କ ଶବ୍ଦ ଗୁମ୍ଫନ ରୀତିରେ ଏକ ମଧୁର କାବ୍ୟିକ ବିନ୍ୟାସ ଖୁବ୍ ସହଜରେ ଉପଲବ୍ଧ ହୁଏ । ବାକ୍ୟର ଶବ୍ଦ ଗୁମ୍ଫନ ଅତ୍ୟନ୍ତ ସରଳ । ଦୀର୍ଘ ସମାସାନ୍ତ ପଦମାନଙ୍କ ବ୍ୟବହାର ପ୍ରାୟତଃ ଉପନ୍ୟାସରେ ଲକ୍ଷ୍ୟକରି ହୁଏ ନାହିଁ । ରାଧାନାଥ ତଥା ମଧୁସୂଦନ ରାଓ ପ୍ରମୁଖ ବ୍ୟବହାର କରିଥିବା ପଦ୍ୟଶୈଳୀ ଅଥବା ଫକୀରମୋହନ ବ୍ୟବହାର କରିଥିବା ଗଦ୍ୟଶୈଳୀ ଏ ଉଭୟରୁ କାଳିନ୍ଦୀଚରଣଙ୍କ ଶୈଳୀ ଭିନ୍ନ । ‘ମୁକ୍ତାଗଡ଼ର କ୍ଷୁଧା’ର ଗଦ୍ୟ ଅଭିଧା ଧର୍ମକୁ ଆଶ୍ରୟ କରି ପ୍ରତିଷ୍ଠିତ ହେଲେ ମଧ୍ୟ ଅଧିକାଂଶ ସ୍ଥାନରେ ଅଭିଧାର ଅଭାବାତ୍ମକ ସ୍ଥଳଟିଏ ସୃଷ୍ଟିହୋଇଛି ଏବଂ ସେ ସ୍ଥାନରେ ଲାକ୍ଷଣିକ ତଥା ବ୍ୟଞ୍ଜକ ଅର୍ଥ ସ୍ପଷ୍ଟ ହୋଇଯାଇଛନ୍ତି । କ୍ଲୀଷ୍ଟ ତତ୍‍ସମ ଶବ୍ଦର ବ୍ୟବହାର ପରିବର୍ତ୍ତେ ସରଳ ତତ୍‍ସମ, ସୁବୋଧ୍ୟତ ହେଉଥାଏ । ବହୁ ପ୍ରଚଳିତ ଦେଶଜ ଶବ୍ଦର ବ୍ୟବହାରରେ ଉପନ୍ୟାସଟିର କଳେବର ପରିପୁଷ୍ଟ । ଯେଉଁ ଅଳ୍ପକେତେକ ଯାବନକ ଶବ୍ଦର ବ୍ୟବହାର କରାଯାଇଛି ତାହା ବହୁପରିଚିତ ଏବଂ ବହୁ ବ୍ୟବହୃତ । ଗଦ୍ୟର ଏହି ଶୈଳୀ ମୁଖ୍ୟତଃ ବର୍ଣ୍ଣନାତ୍ମକ । ଉଦାହରଣ ସ୍ୱରୂପ ପ୍ରାଥମିକ ପର୍ଯ୍ୟାୟରେ ଦୁର୍ଭିକ୍ଷର ଚିତ୍ର ଦେବାକୁ ଯାଇ ଉପନ୍ୟାସର ଅଷ୍ଟାଦଶ ପରିଚ୍ଛେଦରେ କାଳନ୍ଦୀଚରଣ ଲେଖନ୍ତି “ପୁରୀର ଅବସ୍ଥା ସବୁଠାରୁ ଅଧିକ ଭୟଙ୍କର ହୋଇଉଠିଲା କୃଷକମାନଙ୍କ ପୂର୍ବରୁ ପ୍ରଥମେ ଆକ୍ରାନ୍ତ ହେଲେ ଦେଶର କାରିଗର ବ୍ୟବସାୟୀ କୁଳ - ଯେଉଁମାନଙ୍କର ଚାଷନାହିଁ ଧାନ ଚାଉଳ କ୍ରୟକରି ଯେଉଁମାନେ ଚଳନ୍ତି - ତନ୍ତୀ, ବଣିଆ, ଗୁଡ଼ିଆ, ତେଲି, କୁମ୍ଭାର ଆଦି । ସେହିମାନେ ହିଁ ପ୍ରଥମେ ଅତିଷ୍ଠ ହୋଇପଡ଼ନ୍ତି । କୌଣସି ବ୍ୟବସାୟ ଚଳିଲା ନାହିଁ । ଆହାରର ଅଭାବଯେ ! ଆଉ ବ୍ୟବସାୟ କରିବ କିଏ ? କାହାକୁ ଘେନି ?”

 

ପରିବେଶ ତଥା ପ୍ରାକୃତିକ ବିଭବର ଚିତ୍ରଣରେ କାଳନ୍ଦୀଚରଣ ଲେଖନୀ ଅପୂର୍ବ ପାରଦର୍ଶିତ ପ୍ରଦର୍ଶନ କରିଛି । ସଂକେତ ଅପେକ୍ଷା ବର୍ଣ୍ଣନା ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେ ମୁଖ୍ୟତଃ ପ୍ରତ୍ୟେକ ପରିବେଶ ତଥା ପ୍ରାକୃତିକ ବିଭବର ଚମତ୍କାର ବର୍ଣ୍ଣନା କରିଛନ୍ତି । ଦ୍ୱିତୀୟ ପରିଚ୍ଛେଦରେ ଛୋଟରାୟ ପରିବାରର ରୁଗ୍‍ଣ ଅବସ୍ଥାର ଚିତ୍ର ପ୍ରଦାନ କଲାବେଳେ ତାଙ୍କ ଲେଖନୀ ମୁଖ୍ୟତଃ କବିତ୍ୱମୟୀ ହୋଇ ଉଠିଛି । ଭଗ୍ନ ଗୃହ ସମୂହ ତା’ଦେହରେ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଥିବା ଇଟାଖଣ୍ଡ, ଏଣେ ତେଣେ ପଡ଼ିଥିବା ପୋକଖିଆ ଭଙ୍ଗା କଡ଼ିବର୍ଗା, ପାଚେରୀ ଫୁଟାଇ ଉଠିଥିବା ଛୋଟ ବର ତଥା ଅଶ୍ୱତ୍ଥ ଗଛ ଆଦିର ବର୍ଣ୍ଣନା ପରିବେଶକୁ କବିତ୍ୱମୟ କରିଦେଇଛି । ଉପନ୍ୟାସର ତୃତୀୟ ପରିଚ୍ଛେଦରେ ସାଧନା ଉଦ୍ୟାନର ବର୍ଣ୍ଣନା କଲାବେଳେ କାଳିନ୍ଦୀଙ୍କ କବିତୂଳୀର ଅପୂର୍ବ ସ୍ପର୍ଶ ଦୃଷ୍ଟିଗୋଚର ହୁଏ । ଉଦାହରଣ ଭାବରେ ଏହି ଫକ୍ତି ଦୁଇଟିକୁ ଗ୍ରହଣ କରାଯାଇପାରେ, ପୁଷ୍କରଣୀର ରକ୍ତପଦ୍ମବନ ମଧ୍ୟରେ ଶ୍ଵେତ ରାଜହଂସ ଗ୍ରୀବା ଉନ୍ନତ କରି କ୍ରୀଡ଼ା କରେ । ଉଦ୍ୟାନ ଭିତରେ ପୋଷ୍ୟ ମୃଗ, ମୟୁର ଆଦି ସ୍ଵଚ୍ଛନ୍ଦରେ ବିଚରଣ କରନ୍ତି ।” ପଞ୍ଚଦଶ ପରିଚ୍ଛେଦରେ ଦୁର୍ଭିକ୍ଷର ସୂଚନା ପ୍ରଦାନ କରୁଥିବା ଆକାଶର ସୁଦୂର କୋଣରେ ଉଦୟ ହୋଇଥିଲା କୃଷ୍ଣବିନ୍ଦୁର ବର୍ଣ୍ଣନା ଅଧିକ କବିତ୍ୱମୟ । ଏହି ବିନ୍ଦୁରୁହିଁ ଭାବୀ ଅମଙ୍ଗଳର ସୂଚନା ସ୍ପଷ୍ଟ ହୋଇଛି । ଏହି ବିନ୍ଦୁଟିର ବର୍ଣ୍ଣନା ଏହିପରି, “ଦର୍ଘ୍ୟ ନାହିଁ, ପ୍ରସ୍ଥ ନାହିଁ - କେବଳ ବିନ୍ଦୁଟିଏ । ସକଳ ବର୍ଣ୍ଣର ଅବସାନହିଁ କୃଷ୍ଣ । ଏ ସେହିପରି କୃଷ୍ଣ ଯାହାପରେ ଆଉ ଗାଢ଼ତର କୃଷ୍ଣର କଳ୍ପନା ଅସମ୍ଭବ । ଲକ୍ଷକୋଟି ବର୍ଷର ଆଲୋକ ଯେ ଦର୍ଶନ ଯେ ଦର୍ଶନ କରିନାହିଁ - ଏ ସେହିପରି କୃଷ୍ଣ । ସେ ଯେପରି କେଉଁ ଏକ ପିଶାଚର ଚକ୍ଷୁ ଡୋଳା - ସେଥିରେ ଆନନ୍ଦ ନାହିଁ, ଅଶ୍ରୁ ନାହିଁ, କାରୁଣ୍ୟ ନାହିଁ - କେବଳ ଗୋଟିଏ ନିର୍ମମ ପିଶାଚର ଲୋଲୁପ ଦୃଷ୍ଟି - ବିଶ୍ୱ ପ୍ରଳୟ ହେଲେ ହେଁ ସେ ଡୋଳା ତରଳ ହୁଏ ନାହିଁ । ସହସ୍ର ରବିକିରଣରେ ମଧ୍ୟ ତା’ର ଧ୍ୱଂସ ନାହିଁ ।” ଏହି ବର୍ଣ୍ଣନା ହିଁ ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରିତ ହୋଇଥିବା ଦୁର୍ଭିକ୍ଷର ସମ୍ପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିଛି । କବିତାର କାୟାକଳ୍ପରେ ଉପନ୍ୟାସଟି ଯେ ଗଠିତ ଏହାର ଅନ୍ୟ ଏକ ଉଦାହରଣ ମିଳେ ଉପନ୍ୟାସର ତୃତୀୟ ପରିଚ୍ଛେଦରେ, ଯେଉଁଠି ଗୌରୀ ବସନ୍ତପଞ୍ଚମୀରେ ଜ୍ୟୋସ୍ନାବିଧୌତ ମୁହୂର୍ତ୍ତରେ ସାଧନା ଉଦ୍ୟାନରେ ନବଜାତ ଶିଶୁଟିର ସନ୍ଧାନ କରିଛି । ଗଛମୂଳରେ ଶୋଇରହିଥିବା ସେହି ସଦ୍ୟଜାତ ଶିଶୁର ଚିତ୍ର ପ୍ରଦାନ କରନ୍ତି କାଳନ୍ଦୀଚରଣ ଏହିପରି, ‘ପ୍ରଭାତ କୋକନବ ସମ ସ୍ନିଗ୍ଧ ସୁକୁମାର ତାର ଅବୟବ ! ଧୀରେ ଧୀରେ ତାହା ସଞ୍ଚାଳିତ ହେଉଅଛି ଏବଂ ଧରଣୀର ଶଯ୍ୟାରେ ଅକଳୁଷ କ୍ଷୁଦ୍ର ବଦନରୁ କ୍ଷୀଣ କ୍ରନ୍ଦନ ବାହାରୁଛି –କ୍ୱାଁ-କ୍ୱାଁ ।” କବିତ୍ଵର ମନ୍ମୟ ମଧୁସ୍ପର୍ଶରେ ଏହି ଫକ୍ତି ଗୁଡ଼ିକ ଯେପରି ଅତ୍ୟନ୍ତ ଉତ୍ତରଳ ।

 

ପ୍ରକୃତିର ବିମଳ ଆଲେଖ୍ୟ ଅଙ୍କନରେ କାଳିନ୍ଦୀଚରଣଙ୍କ ଲେଖନୀ ଅତ୍ୟନ୍ତ ପ୍ରଗଳ୍ଭ । ପ୍ରକୃତିର ଏହି ବିମୋହନ ରୂପ ଶୋଭାର ବର୍ଣ୍ଣନା ଅବସରରେ ବସନ୍ତର ବର୍ଣ୍ଣନା ଦିଅନ୍ତି କାଳିନ୍ଦୀଚରଣ ଉପନ୍ୟାସର ଅଷ୍ଟମ ପରିଚ୍ଛେଦରେ । ବସନ୍ତରେ ପୁରାତନ ପତ୍ରର ପତନ ଏବଂ ନବୀନ ପତ୍ରାବଳୀର ଆବିର୍ଭାବ ଏଇ ପ୍ରସଙ୍ଗକୁ ସେ ଦର୍ଶନର ପୁଟଦେଇ ବୃଦ୍ଧା ଗୌରୀର ଅନ୍ତିମ ଜୀବନର ବିଶ୍ଳେଷଣ କରିଛନ୍ତି । ପୁରାତନ ପଳିତ ପତ୍ରପରି ଗୌରୀ ଧରାପୃଷ୍ଠରୁ ବିଦାୟନେଇ ନୂତନ ପତ୍ରପରି ଚହଟି ଉଠିବାର ସୁଯୋଗ ଦେଇଛି ଲଣ୍ଡାବାବୁଙ୍କୁ, ଜ୍ୟେଷ୍ଠ ମାସର ସନ୍ଧ୍ୟାର ଚିତ୍ର କାଳିନ୍ଦୀଚରଣ ଅଙ୍କନ କରିଛନ୍ତି ଉପନ୍ୟାସର ଛତିଶତମ ପରିଚ୍ଛେଦରେ । ଗ୍ରୀଷ୍ମର ଏହି ସନ୍ଧ୍ୟାରେ ବିର୍ଷିଯାଇଥିବା ଆଦ୍ୟ ଜଳଧାରାର ସ୍ପର୍ଶରେ ମାଟିର ମହମହ ଗନ୍ଧ ଔପନ୍ୟାସିକଙ୍କୁ ନବପୁଷ୍ପିତା ତରୁଣୀର ପ୍ରସାଧନ ଗନ୍ଧପରି ପ୍ରତୀତ ହୋଇଛି । ଧୂସର ବନସ୍ପତି ବକ୍ଷରେ ବର୍ଷାର ଶ୍ୟାମଳ ଅଭିସାର ତାଙ୍କୁ ସୁକୁମାରୀ ବଧୂର ସଦ୍ୟସ୍ମାତ ଅଙ୍ଗରେଖାର ସ୍ମୃତିରେ ଉଚ୍ଚାଟିତ କରିଦେଇଛି ଏବଂ ଆକାଶରେ ଫୁଟି ଉଠିଥିବା ଏକୁଟିଆ ତାରାଟି ବଧୂର କପାଳର ଚିତା ପରି ପ୍ରତୀତ ହୋଇଛି । ତୃତୀୟ ପରିଚ୍ଛେଦରେ ବସନ୍ତ ପଞ୍ଚମୀର ଚନ୍ଦ୍ରର ଚିତ୍ର ପ୍ରଦାନ କଲାବେଳେ କାଳିନ୍ଦୀଚରଣ କାକରରେ ଭିଜିଥିବା ଚନ୍ଦ୍ରର ରୂପଶୋଭାକୁ ନବ ତରୁଣୀର ନୟନର କାରୁଣ୍ୟ ସହ ତୁଳନା କରିଛନ୍ତି-। ସନ୍ଧ୍ୟାପରି ପ୍ରଭାତର ଚିତ୍ର ମଧ୍ୟ ଉପନ୍ୟାସରେ କବିତ୍ୱର କୋମଳ ତୂଳିରେ ଅଙ୍କିତ ହୋଇଛି ଊନବିଂଶ ପରିଚ୍ଛେଦରେ ଶୁଭକାନ୍ତ ପ୍ରଭାତ ଭ୍ରମଣରେ ବାହାରିବା ବେଳେ ସୂର୍ଯ୍ୟୋଦୟର ଯେଉଁ ଚିତ୍ର ଦିଆଯାଇଛି ତାହା ନିରୁତା ବର୍ଣ୍ଣନ ବିଳାସ ଏବଂ ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ଥିତିରେ ପ୍ରକୃତି ଯେ ଆପଣାର କମନୀୟ ସୌନ୍ଦର୍ଯ୍ୟ ବିତରଣ କରିବାରେ ଅକୃପଣ ନୁହେଁ ଏହା ନିମ୍ନୋକ୍ତ ଫକ୍ତିରୁ ସ୍ପଷ୍ଟ ହୋଇଉଠେ, “ବାଳାରୁଣର କନକ ଆଭା ଶିଶିରସିକ୍ତ ଘାସଫୁଲରେ ଅଭିନବ ବର୍ଣ୍ଣବିନ୍ୟାସ କରିଅଛି । ଦୂର ବନାନୀର ପାଦଦେଶରେ ତୁଷାରର ଶୁଭ୍ର ଉତ୍ତରୀୟ ମିଳାଇ ନାହିଁ । କ୍ଷେତ୍ର ମଧ୍ୟରେ ଶୁକ୍ଳ ଗବୀଶ ପୁଷ୍ପଗୁଡ଼ିକ ରବି କରସ୍ପର୍ଶରେ ଅତ୍ୟନ୍ତ ପୂତ ହୋଇ ଉଠିଅଛି ।” ସୁନା ଚାଷୁଣୀର ମୃତ ଦେହ ଏବଂ ଦୁର୍ଭିକ୍ଷର କରାଳ ଛାୟା ମଧ୍ୟରେ ଏ ସୂର୍ଯ୍ୟସ୍ମାତ ଦୂଶ୍ୟ ଯଦିଓ ଅପାତତଃ ବିଷମତା ସୃଷ୍ଟିକରିବା ଭଳି ପ୍ରତୀତ ହେଉଛି ତଥାପି ଏହା ବୈଷମ୍ୟ ନୁହେଁ, କାରଣ ଶୁଭକାନ୍ତଙ୍କ ପାରମ୍ପରିକ ବିଳାସବିହ୍ୱଳ ମନର ଉପାଦାନ ଭାବେ ଔପନ୍ୟାସିକ ଉଷାର ଏହି କମନୀୟ ଆଲେଖ୍ୟ ଅଙ୍କନ କରିଛନ୍ତି, ଯାହା ଶୁଭକାନ୍ତଙ୍କ ଦ୍ୱାରା ଗୃହୀତ ହୋଇପାରିନାହିଁ ବୋଲି କହିବା ଭିତରେ ତାଙ୍କ ଚରିତ୍ରର କ୍ରମ ପରିବର୍ତ୍ତିତ ଦିଗ ସମ୍ପର୍କରେ ହିଁ ପ୍ରକାରାନ୍ତରେ ଔପନ୍ୟାସିକ ସୂଚନା ପ୍ରଦାନ କରିଛନ୍ତି । ପ୍ରକୃତିର କମନୀୟ ଆଲେଖ୍ୟ ଅଙ୍କନରେ ବ୍ୟସ୍ତ ଏହି ଶିଳ୍ପୀ ବେଳେବେଳେ ଜାତୀୟତାର ଭାବଧାରାରେ ଅଭିମନ୍ତ୍ରିତ ହୋଇ ଉତ୍କଳର ଜୟଗାନ କରିବାକୁ ଭୁଲିଯାଇନାହାନ୍ତି । ପଞ୍ଚଦଶ ପରିଚ୍ଛେଦରେ ଉତ୍କଳର ମହିମାମୟ ପ୍ରାକୃତିକ ବିଭବର ଚିତ୍ର ପ୍ରଦାନ ବେଳେ ଏହା ସ୍ପଷ୍ଟହୋଇଯାଏ । ସେ କହନ୍ତି, “ପୌଷ ସନ୍ଧ୍ୟାର କାବ୍ୟ ତାରା କେଉଁ ଆକାଶରେ ଆଉ ଏତେ ମନୋରମ ! କେଉଁ ଆକାଶର ଆଶ୍ୱିନ ଚନ୍ଦ୍ର ଏତେଦୂର ପ୍ରାଣସ୍ପର୍ଶୀ; କେଉଁ ଆକାଶର ଚୈତ୍ର ପ୍ରଭାତ ଏପରି କ୍ଲାନ୍ତ ଶୀତଳ ! କାହାର ପ୍ରଥମ ଆଷାଢ଼ ଏଡ଼େ ମଧୁମୟ କରୁଣ !”

 

ଉପମାର ସାର୍ଥକ ରୂପଚିତ୍ର ଉପନ୍ୟାସର ଅଧିକାଂଶ କ୍ଷେତ୍ରରେ ଅତ୍ୟନ୍ତ କଳାତ୍ମକ ଭାବରେ ପ୍ରଦତ୍ତ । ପଞ୍ଚମ ପରିଚ୍ଛେଦରେ ସୁନନ୍ଦାଙ୍କ ଅଙ୍ଗସୌନ୍ଦର୍ଯ୍ୟର ବର୍ଣ୍ଣନା ଅବସରରେ ଏହା ପ୍ରମାଣିତ । ନାରୀର ସଦ୍ୟସ୍ନାତ ଶୁଭ୍ରଅଙ୍ଗରେ ପଟ୍ଟବସ୍ତ୍ରର ଅବରଣର ଚିତ୍ର ଦେବାକୁ ଯାଇ କାଳିନ୍ଦୀଚରଣ କାଶବନର ଶୁଭ୍ରତାଉପରେ କୁଜ୍‍ଝଟିର ଶୁଭ୍ର ଆବରଣର ପରିକଳ୍ପନା କରିଛନ୍ତି । ସେହିପରି ସୁନନ୍ଦାଙ୍କ ବେଦନା ମିଶ୍ରିତ କରୁଣ ହାସ୍ୟର ଚିତ୍ର ଦେବାକୁ ଯାଇ ସେ ସେହି ପରିଚ୍ଛେଦରେ ଲେଖନ୍ତି “କ୍ଷଣିକ ଆଷାଢ଼ର କୃଷ୍ଣମେଘ ଅବକାଶରେ ସୂର୍ଯ୍ୟର ସ୍ୱର୍ଣ୍ଣ ରଶ୍ମିପରି ଅତି କରୁଣ ଅତି ମୃଦୁ ।’ ଏଠାରେ ହସ ସହ ସୂର୍ଯ୍ୟ କିରଣ ଏବଂ ଦୁଃଖ ସହ ମେଘର ତୁଳନା ଅତ୍ୟନ୍ତ କଳାପ୍ରବଣ । ସପ୍ତଦଶ ପରିଚ୍ଛେଦରେ ଶୁଭକାନ୍ତଙ୍କ ହୃଦୟରେ ଅଙ୍କୁରିତ ହୋଇ ମିଳାଇ ଯାଉଥିବା ଅନେକ ପ୍ରଶ୍ନର ପ୍ରତୀକଭାବେ କାଳିବଡ଼ି ଜଳରେ ପଡ଼ି ମିଳାଇ ଯିବାର ଚିତ୍ରକୁ ଗ୍ରହଣ କରିଛନ୍ତି । ବେଳେବେଳେ ଫକୀରମୋହନଙ୍କ ଶୈଳୀରେ ସେ ବ୍ୟଙ୍ଗାତ୍ମକ ରୀତିରେ ଶୁଦ୍ଧ ହାସ୍ୟରସର ସୃଷ୍ଟିକରିବାକୁ ପଶ୍ଚାତ୍‌ପଦ ହୋଇନାହାନ୍ତି । ଉଦାହରଣ ଭାବେ ଶୋଡ଼ଶ ପରିଚ୍ଛେଦରୁ ଏକ ପଂକ୍ତି ଉଦ୍ଧାର କରାଯାଇପାରେ ଯେଉଁଠି ଦ୍ଵାରୀକୁ ବଳରାମ ରାଜ ଉଆସ ଭିତରକୁ କୋଡ଼ିଏ ତିରିଶ ପ୍ରଜାଙ୍କୁ ଛାଡ଼ିବାକୁ କହିବା ବେଳେ ଦ୍ୱାରୀ ଏକ ଶହରୁ ଉର୍ଦ୍ଧ୍ୱ ପ୍ରଜାଙ୍କୁ ଭିତରକୁ ଛାଡ଼ିଦେଇଛି । ଏହାର କାରଣ ଭାବେ କାଳିନ୍ଦୀଚରଣ ଦ୍ଵାରୀର ଗଣିତ ଜ୍ଞାନକୁ ବ୍ୟଙ୍ଗ କରି କହନ୍ତି, ‘ଦ୍ୱାରୀ କୋଡ଼ିଏ ତିରିଶ ସ୍ଥାନରେ ଏକଶତରୁ ଉର୍ଦ୍ଧ୍ୱ ପ୍ରଜାଙ୍କୁ ନବର ମଧ୍ୟକୁ ଛାଡ଼ିଦେଇ ଅଙ୍କଶାସ୍ତ୍ରରେ ସ୍ୱୀୟ ବ୍ୟୁତ୍ପତ୍ତିର ପରାକାଷ୍ଠା ଦେଖାଇଲା’ ।

 

ଉପସଂହାର :-

‘ମୁକ୍ତାଗଡ଼ର କ୍ଷୁଧା’ କାଳିନ୍ଦୀଚରଣଙ୍କ ଏକ ସଫଳ ସୃଷ୍ଟି । ଅପୂର୍ବ କବି ପ୍ରତିଭାର ଅଧିକାରୀ କାଳିନ୍ଦୀଚରଣ ଇତିହାସ ଏବଂ ବ୍ୟକ୍ତିଗତ ଅନୁଭବର ଆଧାରରେ ଏ ଉପନ୍ୟାସକୁ ରଚନା କରିଛନ୍ତି । ନଅଙ୍କ ଦୁର୍ଭିକ୍ଷର କରାଳ ଆଘାତରେ କ୍ରମକ୍ଷୟିଷ୍ଣୁ ଉତ୍କଳୀୟ ଜନଜୀବନର ସୁରକ୍ଷାପାଇଁ ରାଜସିଂହାସନର ମୋହ ତ୍ୟାଗକରି ତ୍ୟାଗୀ ତଥା ସନ୍ୟାସୀର ଜୀବନଯାପନ କରି ଦେଶ ସେବା ପାଇଁ ଆପଣାର ଅବଶିଷ୍ଟ ଆୟୁକାଳକୁ ବ୍ୟୟିତ କରିଥିବା ଶୁଭକାନ୍ତଙ୍କ ଚରିତ୍ର ଭିତରେ ସେ ଉତ୍କଳର ତ୍ୟାଗପୁତ ଜନନେତାମାନଙ୍କ ପାଇଁ ରୂପକଳ୍ପନା କରିଛନ୍ତି । ଅଶୋକଙ୍କ ଧର୍ମୀୟ ଅନୁଶାସନ ଏବଂ ଗୀତାର ଧର୍ମାନୁମୋଦିତ ତଥା ଜୀବନବାଦୀ କର୍ମଯୋଗ ମାଧ୍ୟମରେ ନିଜର ବ୍ୟକ୍ତିତ୍ୱ ନିର୍ମାଣ କରିଥିବା ଶୁଭକାନ୍ତ ପ୍ରକୃତରେ ‘ମାଟିର ମଣିଷ’ର ଦରଦଠାରୁ ଯେ ଅଧିକ ପ୍ରତିଭାଶାଳୀ ଏବଂ ସମାଜ ଉପଯୋଗୀ ଚରିତ୍ର ଏହା ମୁକ୍ତ କଣ୍ଠରେ ‘ମୁକ୍ତାଗଡ଼ର କ୍ଷୁଧା’ ଏବଂ ‘ଅମର ଚିତା’ ଉପନ୍ୟାସ ଦୁଇଟି ପଢ଼ିବାପରେ ଘୋଷଣା କରିହୁଏ ।

 

ସହାୟକ ଗ୍ରନ୍ଥସୂଚୀ

୧.

ଶତପଥି ଡଃ ନିତ୍ୟାନନ୍ଦ : ସବୁଜରୁ ସାଂପ୍ରତିକ : ଗ୍ରନ୍ଥମନ୍ଦିର : ୧୯୭୯, ପୃ ୨୬

୨ .

ମାନସିଂହ ଡଃ ମାୟାଧର : ଓଡ଼ିଆ ସାହିତ୍ୟର ଇତିହାସ : ଗ୍ରନ୍ଥମନ୍ଦିର: ୧୯୬୭.ପୃ.୩୬୭

୩.

କବିତା ଗଢ଼େ ଏକ ବିରାଟ ସମାଜର । ସବୁରି ପାଇଁ ଯହିଁ ବଖୁରେ ହେଲେ ଘର ।

 

ସକଳେ ଲଭିବାକୁ ମୁଠାଏ ଦୁଧଭାତ । ଯୋଗ୍ୟ ଯେତେ ଯହିଁ ବାଳକ ବାଳିକାତ ।

 

ଦୁଇଟା ଲୁଗାଜାମା ସବୁରିପାଇଁ ମିଳେ । ପଢ଼ିବାପାଇଁ ବାଧା କାହାରି ନାହିଁ ତିଳେ ।

 

ବେକାର ରହିବାକୁ ନାହିଁଟି ଅଧିକାର । ସବୁରି ପାଇଁ କାମ ଯୋଗାଏ ସରକାର ।

 

କହିବାପାଇଁ କଥା ସବୁରି ଦାବୀ ଅଛି । ମୁଁ ସେହି ସମାଜର କବିତା ରଚେବସି

 

(ଆଗାମୀ ସହକାର, ନଭେମ୍ବର ୧୯୪୨)

କାଳିନ୍ଦୀ ରଚନାଚୟ : ଦ୍ୱିତୀୟ ଭାଗ : ମୁକ୍ତାଗଡ଼ର କ୍ଷୁଧା ।

 

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସରକାରୀ ମହାବିଦ୍ୟାଳୟ, ଢେଙ୍କାନାଳ

 

***

 

ଓଡ଼ିଆ ଯାତ୍ରାର ମଞ୍ଚ ସଂରଚନା

ଅଜୟ କୁମାର ମିଶ୍ର

 

ଲୋକନାଟକାଭିନୟ ନିମିତ୍ତ ଅଭିପ୍ରେତ ମଞ୍ଚ ଲୋକମଞ୍ଚ ଅଭିଧାରେ ଚିହ୍ନିତ, ଯାହା ଲୋକନାଟକ ଗୁଡ଼ିକର ପ୍ରକୃତି ଓ ରୂପଗତ ବିବିଧତା ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇଥାଏ । କେତେକ ଲୋକମଞ୍ଚ ପରମ୍ପରାକୁ ଅକ୍ଷୁଣ୍ଣ ରଖିଥିବାବେଳେ, କେତେକ ଲୋକନାଟକ ସମୟ ସହିତ ତାଳଦେଇ ପରିବର୍ତ୍ତିତ ହୋଇଛି । ଓଡ଼ିଶାରେ ସମ୍ରାଟ୍ ଖାରବେଳଙ୍କ କାଳରୁ ପ୍ରତିଷ୍ଠିତ ଖଣ୍ଡଗିରି ଓ ଉଦୟଗିରିର ଯାତ୍ରାତତ୍ୱର, ରାଣୀଗୁମ୍ଫା, ସୀତାବେଙ୍ଗା ଓ ଯେଗୀମାରାଠାରେ ରହିଥିବା ପ୍ରାଚୀନ ପ୍ରେକ୍ଷାଳୟମାନ ନାଟ୍ୟଶାସ୍ତ୍ର ସମ୍ମତ ରୀତିରେ ନିର୍ମିତ, ଏଗୁଡ଼ିକ ବିଦଗ୍ଧ ନାଟ୍ୟାଭିନୟ ନିମିତ୍ତ ଉଦ୍ଦିଷ୍ଟ ଥିଲା । ଏପ୍ରକାରର ରଙ୍ଗାଳୟରେ ସମାଜର ଅଭିଜାତ ବର୍ଗ ନାଟ୍ୟ ଉପଭୋଗ କରୁଥିବାବେଳେ ଅବଶିଷ୍ଟ ବୃହତ୍ତର ଜନସମାଜ ନିମିତ୍ତ ଲୋକନାଟକହିଁ ଥିଲା ମନୋରଂଜନର ମାଧ୍ୟମ । ଲୋକସମାଜର ମଞ୍ଚଶୈଳୀ, ବିଦଗ୍ଧ ସମାଜର ପ୍ରେକ୍ଷାଗାର ଭଳି ବ୍ୟୟସାପେକ୍ଷ ନଥିଲା, ତେଣୁ ସ୍ୱଳ୍ପ ବ୍ୟୟରେ ସ୍ୱଳ୍ପ ସାମଗ୍ରୀ ନେଇ, ଲୋକମଞ୍ଚ ଗୁଡ଼ିକ ବ୍ୟବସ୍ଥିତ ଥିଲା । (୧)

 

ଓଡ଼ିଶାର ଲୋକନାଟକ ଗୁଡ଼ିକର ଧାର୍ମିକ ସଂପୃକ୍ତି ଅତି ଘନିଷ୍ଠ । ତେଣୁ ଦେବାଳୟ ସନ୍ନିକଟ ସ୍ଥାନକୁ ଅନେକ ଲୋକନାଟକ ରଙ୍ଗଭୂମି ରୂପେ ବ୍ୟବହାର କରିଛନ୍ତି । ତେବେ ପାରମ୍ପରିକ ଲୋକମଞ୍ଚ ଗୁଡ଼ିକୁ ନିମ୍ନକ୍ରମରେ ଆକଳନ କରାଯାଇପାରେ । ଯଥା –

 

କ)

ମନ୍ଦିର ପ୍ରାଙ୍ଗଣ ଲୋକମଞ୍ଚ : ଧର୍ମୋତ୍ସବ ଭିତ୍ତିକ ଲୋକନାଟକ ଯଥା - ପାଲା, ଦାସକାଠିଆ, ଗୋଟିପୁଅନାଚ ଇତ୍ୟାଦି ମନ୍ଦିର ପ୍ରାଙ୍ଗଣ ଅଥବା ସନ୍ନିକଟ ସ୍ଥାନକୁ ମଞ୍ଚରୂପେ ଗ୍ରହଣ କରୁଥିଲେ । ନାଟ୍ୟଦଳକୁ ଚତୁଃପାର୍ଶ୍ଵରେ ଘେରିରହୁଥିଲା ଦର୍ଶକ ସମାଜ । ପରେ ପରେ କେତେକ କ୍ଷେତ୍ରରେ ଛାମୁଣ୍ଡିଆ ଇତ୍ୟାଦିର ବ୍ୟବସ୍ଥା କରାଗଲା । (୨)

ଖ)

ଗ୍ରାମଦାଣ୍ଡ ଲୋକମଞ୍ଚ : ଦେବ-ଦେବୀଙ୍କ ଶୋଭାଯାତ୍ରା କାଳରେ କେତେକ ଲୋକନୃତ୍ୟ ମଞ୍ଚସ୍ଥ ହୋଇଥାଏ । ଚନ୍ଦନଯାତ୍ରା, ପଣାଯାତ୍ରା, ସାଇଯାତ୍ରା, ଦୋଳୋତ୍ସବ ପ୍ରଭୃତିରେ ବ୍ୟବସ୍ଥିତ ଶୋଭାଯାତ୍ରା କାଳରେ ନାଗାଯାତ୍ରା, ଗୋଟିପୁଅନାଚ, ସଂକୀର୍ତ୍ତନ, ପାଟୁଆଯାତ୍ରା ପ୍ରଭୃତି ଅଭିନୀତ ହୁଏ । ଘୋଡ଼ାନାଚ, ରଣପାନାଚ ଇତ୍ୟାଦି ଏଇଭଳି ଭାବରେ ମଧ୍ୟ ଅଭିନୀତ ହୋଇଥାଏ ।

ଗ)

ମୁକ୍ତାକାଶୀ ଲୋକମଞ୍ଚ : ମୁକ୍ତାକାଶ ତଳେ ମଧ୍ୟଭାଗରେ ଖଣ୍ଡେ ହେଂସ ପକାଇ କେତେକ ଲୋକନାଟକ ଅଭିନୀତ ହୁଏ । ହୁଳା ବା ମଶାଲ ଆଲୋକ ରୂପେ ବ୍ୟବହୃତ ହୁଏ, ଦର୍ଶକ ସମାଜରୁ କେତେଜଣ ଆଲୋକ ସଂପାତ ଓ ବାଦ୍ୟବାଦନରେ ସହାୟତା କରନ୍ତି । (୩)

*ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲ୍‍କାତାଙ୍କ ମିଳିତ ଆନୁକୂଲ୍ୟରେ ଜଗତ୍‍ସିଂହପୁରଠାରେ ଆୟୋଜିତ ଓଡ଼ିଆ ଯାତ୍ରା ସଂପର୍କିତ ଆଲୋଚନାଚକ୍ରରେ ଭିତ୍ତିପ୍ରବନ୍ଧ ଭାବରେ ପଡ଼ିତ ।

ଘ)

ତ୍ରିମୁଖୀ ଲୋକମଞ୍ଚ : ଛଉନାଚ, ଦେଶୀୟାନାଚ, ମୋଗଲ ତାମସା ପ୍ରଭୃତି କେତେକ ଲୋକନାଟକ ତ୍ରିମୁଖୀ ମଞ୍ଚରେ ଅଭିନୀତ ହୁଏ । ମଞ୍ଚର ତିନିପାଖକୁ ଘେରି ଦର୍ଶକମାନେ ବସନ୍ତି । ତାମସା ମଞ୍ଚ, ତ୍ରିମୁଖୀ ରଙ୍ଗମଞ୍ଚ ବିଶେଷ ପରିପାଟୀ ଗ୍ରହଣ କରେ । ଗୋଟିଏ ପାଖରେ ଉଚ୍ଚସ୍ଥାନ ବ୍ୟବସ୍ଥା ହୁଏ, ଏହା ମୁଖ୍ୟ ଚରିତ୍ର ପାଇଁ ଉଦ୍ଦିଷ୍ଟ । ମଞ୍ଚର ବାମ, ଦକ୍ଷିଣ ଏବଂ ସମ୍ମୁଖ ଭାଗରେ ଦର୍ଶକମାନେ ବସନ୍ତି । (୪)

ଙ)

ପଟାଭାଡ଼ି ମଞ୍ଚ : ପ୍ରହ୍ଲାଦ ନାଟକ ନିମିତ୍ତ ଏଇ ସ୍ୱତନ୍ତ୍ର ମଞ୍ଚ ବ୍ୟବହୃତ । ଏଇ ବୃହଦାକାର ମଞ୍ଚଟି କାଠପଟାଦ୍ଵାରା ସୋପାନୀକୃତ ହୋଇ ନିର୍ମିତ, ଏହାର ଏକ ନିର୍ଦ୍ଦିଷ୍ଟ ଅଂଶ ଦୈତ୍ୟରାଜ ହିରଣ୍ୟକଶିପୁଙ୍କ ସିଂହାସନ ନିମିତ୍ତ ଉଦ୍ଦିଷ୍ଟ, ଏହାର ଉଭୟ ପାର୍ଶ୍ୱରେ ବସନ୍ତି ପାତ୍ର ମନ୍ତ୍ରୀ ଏବଂ ପାରିଷଦବର୍ଗ, ବାମପାର୍ଶ୍ୱ ବାଦ୍ୟକାର ଓ ଗାୟକଙ୍କ ନିମିତ୍ତ ଉଦ୍ଦିଷ୍ଟ । (୫)

ଚ)

ଏକମୁଖୀ ମଞ୍ଚ : ସର୍ବ କ୍ଷୁଦ୍ରାକୃତି ଏଇ ମଞ୍ଚଟି କେବଳ କଣ୍ଢେଇ ନାଚ ନିମିତ୍ତ ଉଦ୍ଦିଷ୍ଟ । ଆପାତତଃ ଚାରିହାତ ଲମ୍ବ, ଦୁଇହାତ ଚଉଡ଼ା ଏବଂ ତିନିହାତ ଉଚ୍ଚତା ବିଶିଷ୍ଟ ଏଇ ମଞ୍ଚର ବାମ ଏବଂ ଦକ୍ଷିଣ ପାର୍ଶ୍ଵ ପର୍ଦ୍ଦା ଏବଂ ପଶ୍ଚାତ୍ ଭାଗ କଳା ପର୍ଦ୍ଦା ଦ୍ଵାରା ଆବୃତ ଥାଏ । କେବଳ ଏହାର ସମ୍ମୁଖ ଭାଗଟି ଦର୍ଶକଙ୍କ ନିମିତ୍ତ ଉଦ୍ଦିଷ୍ଟ । (୬)

ଛ)

ଜନପଥ ରଙ୍ଗମଞ୍ଚ : ବ୍ରହ୍ମପୁର ଠାକୁରାଣୀଯାତ୍ରା, ସମ୍ବଲପୁର ଧନୁଯାତ୍ରା, କଳାହାଣ୍ଡିର ଋଷ୍ୟଶୃଙ୍ଗବରଣ ପ୍ରଭୃତିର ଅଭିନୟ ନିମିତ୍ତ ଯେଉଁ ବିଶେଷ ଜନପଦ ବ୍ୟବହୃତ, ତାହା ଜନପଦ ରଂଗମଞ୍ଚ ରୂପେ ବିବେଚିତ । ସୁବିସ୍ତୀର୍ଣ୍ଣ ଜନପଦ ଏଠାରେ ରଙ୍ଗଭୂମି ରୂପେ ବିବେଚିତ । ସମ୍ବଲପୁର ବରଗଡ଼ର ଧନୁଯାତ୍ରା, ସାରାବିଶ୍ଵର ସୁବିସ୍ତୀର୍ଣ୍ଣ ଜନପଦ ରଙ୍ଗ ଭୂମିରୂପେ ମାନ୍ୟତା ପ୍ରାପ୍ତ । ବିରାଟ ଜନପଦ ରଙ୍ଗଭୂମିରେ ଏବଂ ଜନପଦବାସୀ ନାଟ୍ୟ ଚରିତ୍ରରେ ପରିଣତ ହେବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ । (୭)

 

ଗାୟକ, ବାଦକ, ଅଭିନେତା ଓ ଦର୍ଶକ ସମାଜର ଏକତ୍ର ସମବାୟ ହେଉଛି ଲୋକମଞ୍ଚ । ପାଲା, ଦାସକାଠିଆ, ଘୁମୁରା, ଧୁଡ଼ୁକୀ ନାଚ ଇତ୍ୟାଦିରେ ଅଭିନେତାମାନେ ଗାୟନ-ବାଦନ ସହିତ ସଂପୃକ୍ତ । ଚତୁର୍ମୁଖୀ ଏବଂ ତ୍ରିମୁଖୀ ମଞ୍ଚ-ସଂଯୁକ୍ତ ପୁଷ୍ପପଥର ସମ୍ମୁଖ ଭାଗରେ ଗାୟକ ଓ ବାଦକଙ୍କ ସ୍ଥାନ ସୁରକ୍ଷିତ । ଏକମୁଖୀ ଏବଂ ମଞ୍ଚ ଗୁଡ଼ିକରୁ କେବଳ ଲୀଳାଭିନୟ ଏବଂ ସଖୀନାଟର ଦକ୍ଷିଣ ଭାଗରେ ବାଦ୍ୟକାର ଓ ଗାୟକ ବସନ୍ତି । ପାଟୁଆ ଓ ଘୋଡ଼ାନାଚ ପ୍ରଭୃତିରେ ବାଦକଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ନିୟମ ଅନୁସୃତ ହୁଏ ନାହିଁ । ଡାଲଖାଇ, ପାଟୁଆ ଓ କାଳିକା ନାଟାଦିରେ ଗାୟକ ବାଦକମାନେ ଅଭିନେତାଙ୍କ ସହିତ ଚାଲି ଚାଲି ଅଥବା ଦଣ୍ଡାୟମାନ ହୋଇ ବାଦ୍ୟ ପରିବେଷଣ କରନ୍ତି । ସଖୀନାଟ, ସଂଗୀତଦଳ, ନବରଙ୍ଗ, ଦଣ୍ଡନାଟ ଏବଂ ଲୀଳାଗୁଡ଼ିକ ନିମିତ୍ତ ବେଶଗୃହ ଆବଶ୍ୟକ ହୁଏ । ମଞ୍ଚ ଅଦୂରସ୍ଥ କୌଣସି ନିଭୃତ ସ୍ଥାନ ବେଶଗୃହ ରୂପେ ବ୍ୟବହୃତ ହୁଏ, ଏଇଠାରେ ଅଭିନେତାମାନେ ବେଶରେ ସଜ୍ଜିତ ହୋଇ ମଞ୍ଚକୁ ଆସନ୍ତି । ସୁଆଙ୍ଗ, ଫାର୍ସ, ଚଢ଼େୟା ନାଚରେ ନଟ-ନଟୀ ଏବଂ ଚରିତ୍ରମାନେ ଆତ୍ମପରିଚୟକ୍ରମରେ ପୁଷ୍ପପଥରୁ ଅଭିନୟ ଆରମ୍ଭ କରନ୍ତି-। (୮)

 

ଲୋକନାଟକ ଗୁଡ଼ିକ କେବେ ସୂର୍ଯ୍ୟାଲୋକ, କେବେ ଚନ୍ଦ୍ରାଲୋକ, କେବେ ଦୀପାଲୋକରେ ଅଭିନୀତ ହୁଏ । ଅତୀତରେ ଛାମୁଣ୍ଡିଆ ଖୁଣ୍ଟାରେ ମଶାଲ ବାନ୍ଧି ଦିଆଯାଉଥିଲା, ଏଥିରେ ମଶାଲଚିକରଞ୍ଜ ବା ପୁନାଙ୍ଗ ତେଲ ପକାଉଥିଲେ । ପରେ ପରେ କାରବାଇଟ୍‍ର ଗ୍ୟାସ ଲାଇଟ ଓ ପେଟ୍ରୋମାକ୍ସ ବ୍ୟବହୃତ ହେଲା । ଲୋକନାଟକଗୁଡ଼ିକ ପ୍ରକାଶଭଙ୍ଗୀରେ ସରଳ ହୋଇଥିବାରୁ ଏହା ମଞ୍ଚକଳା ଏବଂ ଶିଳ୍ପ ବିଧିରେ ବିଶେଷ କୌଶଳ ନଥିଲା । ମଞ୍ଚୋପକରଣ ପ୍ରାୟ ଲୋକନାଟକରେ ନଥିବା ବେଳେ, କେବଳ ଖଣ୍ଡେମାତ୍ର ଚୌକିକୁ ସିଂହାସନ, ବୃକ୍ଷ, ପର୍ବତ ଇତ୍ୟାଦି ରୂପେ ବ୍ୟବହାର କରାଯାଏ । (୯)

 

ରାମଲୀଳା, କୃଷ୍ଣଲୀଳା, ପ୍ରହ୍ଲାଦନାଟକ ଓ ମୋଗଲ ତାମସା ପ୍ରଭୃତି ବିବିଧ ଲୋକନାଟକର ଅଭିନୟ ନିମିତ୍ତ ସ୍ଵତନ୍ତ୍ର ମଞ୍ଚର ସାଜସଜ୍ଜାରୁ ଯାତ୍ରା ନିମିତ୍ତ ସ୍ଵତନ୍ତ୍ର ମଞ୍ଚ ବ୍ୟବସ୍ଥିତ ହେଲା । ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟାଏ ଉନ୍ମୁକ୍ତ ସ୍ଥାନରେ ହେଂସ ପଡ଼ୁଥିଲା ଓ ଏହା ଉପରେ ଅଭିନୟ ଚାଲୁଥିଲା । ଏହା ନିକଟରେ ବାଦ୍ୟକାର, ଗାୟକ ଓ ପାଳିଆ ବସୁଥିଲେ । ଏହାର ପରବର୍ତ୍ତୀ କାଳରେ ଆଠ ଦଶହାତ ଆଡ଼ଦୀର୍ଘ ବିଶିଷ୍ଟ ଚାରି କୋଣରେ ଚାରିଗୋଟି ଖୁଣ୍ଟ ପୋତାଯାଇ ଛାମୁଣ୍ଡିଆ ପ୍ରସ୍ତୁତ ହେଲା । ଏହାର ଗୋଟିଏ ପାଖରେ ବାଦ୍ୟକାରମାନେ ବସୁଥିଲେ ଓ ଏହାର ବିପରୀତ ଦିଗରୁ ବେଶ ଗୃହ ପର୍ଯ୍ୟନ୍ତ ରଖାଯାଇଥିବା ପଥ ପୁଷ୍ଠପଥ ରୂପେ ପରିଚିତ ଥିଲା । (୧୦)

 

Image

 

ଗ୍ରାମ୍ୟ ଦେବୋତ୍ସବ, ଧନବନ୍ତ, ସାମନ୍ତ, ମଠାଧୀଶଙ୍କର ସାମୟିକ ମନୋରଞ୍ଜନ, ଭିତ୍ତିରେ ପଲ୍ଲୀ ଅଞ୍ଚଳରେ ଯାତ୍ରାଭିନୟ କରାଯାଉଥିବାରୁ, ମଠ-ମନ୍ଦିର ସନ୍ନିକଟସ୍ଥାନ ଅଥବା ପଲ୍ଲୀଭୂମିର ମଧ୍ୟବର୍ତ୍ତୀ ସ୍ଥାନରେ ଯାତ୍ରାମଞ୍ଚ ପ୍ରସ୍ତୁତ କରାଯାଉଥିଲା । ଏଥିପାଇଁ କେଉଁଠି ମାଟିପକାଇ ଅଥବା ଖଟ ପକାଇ ମଞ୍ଚକୁ ଉଚ୍ଚ କରାଯାଉଥିଲା । ଆଲୋକ ସଂପାତ ନିମିତ୍ତ ହୁଳା ବା ମଶାଲ ବ୍ୟବହୃତ ହେଉଥିଲା । ଛାମୁଣ୍ଡିଆର ଚାରିପଟେ ଚାରିଜଣ ବ୍ୟକ୍ତି ଅଭିନୟ ଶେଷ ପର୍ଯ୍ୟନ୍ତ ମଶାଲ ଧରି ଉପସ୍ଥିତ ରହୁଥିଲେ । ଏମାନଙ୍କୁ ମଶାଲଚି କୁହାଯାଉଥିଲା ଓ ଏମାନେ ଆବଶ୍ୟକସ୍ଥଳେ ରାଜା, ଜମିଦାର, ସାମନ୍ତ ଅଥବା ମହନ୍ତଙ୍କ ନିର୍ଦ୍ଦେଶାନୁଯାୟୀ ଚରିତ୍ରମାନଙ୍କ ଗତିଭଙ୍ଗୀ ସହିତ ଚଳପ୍ରଚଳ ହେଉଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏଇ ହୁଳା ବା ମଶାଲକୁ ଛାମୁଣ୍ଡିଆ ଖୁଣ୍ଟରେ ବାନ୍ଧି ଦିଆଗଲା ଓ ମଶାଲଚିମାନେ ମଧ୍ୟେ ମଧ୍ୟେ ଏଥିରେ ତେଲ ଭରି ଏହାକୁ ପ୍ରଜ୍ଜ୍ୱଳିତ କରି ରଖୁଥିଲେ । (୧୧) “ଆଗରୁ ଦେବୋତ୍ସବ ସହିତ ଯାତ୍ରାଭିନୟ ସଂପୃକ୍ତ ଥିଲା । ତେଣୁ ଏଇ ଧରଣର ମଞ୍ଚର ପୂର୍ବ ଦିଗରେ ଉଚ୍ଚବେଦୀ ଉପରେ ଦିଅଁଙ୍କ ଖଟୁଲି ଅଥବା ବିମାନ ରଖାଯାଉଥିଲା । ବିମାନ ମଣ୍ଡପ ଓ ମଞ୍ଚର ମଧ୍ୟଭାଗରେ ପୁରୋହିତ, ବ୍ରାହ୍ମଣ, ବୈଷ୍ଣବ, ସମ୍ମାନିତ ଅତିଥି, ପାତ୍ର-ମନ୍ତ୍ରୀ, ଜମିଦାରଙ୍କ ଆତ୍ମୀୟ ସ୍ୱଜନମାନେ ବସୁଥିଲେ । ଦକ୍ଷିଣ ପାର୍ଶ୍ଵରେ ବାଦ୍ୟବୃନ୍ଦ, ତାଙ୍କ ପଶ୍ଚାତ୍‍ଭାଗରେ ମହିଳାମାନେ ଏବଂ ପଶ୍ଚିମଉତ୍ତର ପାର୍ଶ୍ଵରେ ଜମିଦାରଙ୍କ କର୍ମଚାରୀ ବସିବାପରେ ଅବଶିଷ୍ଟାଂଶ ସାଧାରଣ ଦର୍ଶକଙ୍କ ବସିବା ନିମିତ୍ତ ଉଦ୍ଦିଷ୍ଟ ଥିଲା ।

 

ବଙ୍ଗଳା ଯାତ୍ରାଦଳ ଓ ବହିରାଗତ କେତେକ ଥିଏଟର ମଞ୍ଚ ଦ୍ୱାରା ଓଡ଼ିଶାର ଯାତ୍ରାମଞ୍ଚ କ୍ରମେ ପ୍ରଭାବିତ ହେଲା । ଲୀଳାଗୁଡ଼ିକୁ ଆକର୍ଷଣୀୟ କରିବା ନିମିତ୍ତ, ଲୀଳାକାରମାନେ ମଞ୍ଚସଜ୍ଜା ପ୍ରତି ଧ୍ୟାନଶୀଳ ହେଲେ । ରାମଲୀଳାରେ ରାବଣ ନିମିତ୍ତ ଉଚ୍ଚାସନ, ଲଙ୍କାପୋଡ଼ି ଦୃଶ୍ୟପାଇଁ ନଡ଼ା ବା କୁଟା ଗଦା ତଥା ବାଣଗଛ ପୋଡ଼ ବ୍ୟବସ୍ଥା, ଏବଂ କୃଷ୍ଣଲୀଳାରେ ଶଗଡ଼ଚକ ଉପରେ ରାସକୁଞ୍ଜ ନିର୍ମାଣ ପ୍ରଭୃତି ବିଶେଷ ଆୟୋଜନ ଦର୍ଶକଙ୍କୁ ପ୍ରଭାବିତ କଲା । ଏଇ ଧରଣର ମଞ୍ଚସଜ୍ଜା ପ୍ରତି ଆଗ୍ରହୀ ଥିବା କେତେଜଣ ଯାତ୍ରାକାର ଥିଲେ କୃଷ୍ଣପ୍ରସାଦ ବସୁ, କାଳୀଚରଣ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶୂରଦେଓ, ବାଳକୃଷ୍ଣ ମହାନ୍ତି ଓ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ । ଲକ୍ଷ୍ମୀକାନ୍ତ ମହାପାତ୍ର, ଶୂରଦେଓ ଓ କାଳୀଚରଣ ପ୍ରମୁଖ ସିନ୍-ସିନେରୀ ଟଙ୍ଗାଇ ମଞ୍ଚକୁ ଆକର୍ଷଣୀୟ କରାଇଲେ ମଧ୍ୟ, ମୁକ୍ତମଞ୍ଚ ପ୍ରତି ଶ୍ରଦ୍ଧାଶୀଳ ଓଡ଼ିଆ ଦର୍ଶକ ଏ ପ୍ରକାରର ତ୍ରିମୁଖୀ ମଞ୍ଚ ବ୍ୟବସ୍ଥାକୁ ଗ୍ରହଣ କଲା ନାହିଁ । ତେଣୁ ବୈଷ୍ଣବ-ବାଳକୃଷ୍ଣ-ରାମଚନ୍ଦ୍ର କୃଷ୍ଣପ୍ରସାଦ ପ୍ରମୁଖଙ୍କ ଅନୁସୃତ ମୁକ୍ତମଞ୍ଚ ହିଁ ଥିଲା ଦର୍ଶକଙ୍କ ପ୍ରଶଂସାଭାଜନ । ବିଂଶ ଶତକର ପ୍ରଥମ ଦୁଇ ଦଶକରେ ମୁକ୍ତ ମଞ୍ଚରେ କିଛି ସାଜସଜ୍ଜା କରାଯାଇଥିଲା ।

 

ବିଂଶ ଶତକର ତୃତୀୟ ଦଶକରେ ଓଡ଼ିଆ ଯାତ୍ରାର ରଚନା ଶୈଳୀ ଓ ପ୍ରକାଶଭଙ୍ଗୀର ପରିବର୍ତ୍ତନ ମଞ୍ଚକଳାକୁ ପ୍ରଭାବିତ କଲା । କାଳୀଚରଣଙ୍କ ଦ୍ଵାରା ପ୍ରତିଷ୍ଠିତ ‘ସାକ୍ଷୀଗୋପାଳ ନାଟ୍ୟ ସଂଘ’ (୧୯୩୦) ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ମଞ୍ଚ ପ୍ରସ୍ତୁତ କରାଇ ଅଭିନୟ ଆରମ୍ଭ କଲା-। ଏତେବେଳେ ବଳଙ୍ଗାର ବନମାଳୀ ପତିଙ୍କ ଥିଏଟର ଦଳ ଗଠିତ ହୋଇ ଅଭିନୟ ପ୍ରଦର୍ଶନ କରୁଥିଲା । ଭଦ୍ରକରେ ଲକ୍ଷ୍ମୀକାନ୍ତ ମହାପାତ୍ର, ଯାଜପୁରରେ କୃଷ୍ଣପ୍ରସାଦ ବସୁ ଏବଂ କେନ୍ଦ୍ରାପଡ଼ାରେ ଶୂରଦେଓଙ୍କ ଦଳ ସହିତ ରଘୁନାଥପୁରର ଜଗୁ ଓଝା ଦଳ, ଜଗତସିଂହପୁରର ରାମଚନ୍ଦ୍ର ସ୍ୱାଇଁଙ୍କ ଜୟନାରାୟଣୀ ଅପେରା, ଏବଂ ଦୟାନିଧି ସ୍ୱାଇଁଙ୍କ ଲହଙ୍ଗାଦଳ ମୁକ୍ତମଞ୍ଚରେ ଅଭିନୟ କରି ପ୍ରଶଂସିତ ହେଉଥିଲେ । ଏଇ ସମୟରେ ଯାତ୍ରା ସହିତ ବ୍ୟବସାୟତା ସଂଯୁକ୍ତ ହେବାରୁ ଯାତ୍ରାକାରମାନେ ମଞ୍ଚ ସଜ୍ଜାପ୍ରତି ଅଧିକ ତତ୍ପରତା ପ୍ରକାଶ କଲେ । ତେଣୁ ମୁକ୍ତମଞ୍ଚର ଛାମୁଣ୍ଡିଆରେ ଅନେକ ସୁଦୃଶ୍ୟ ଚାନ୍ଦୁଆ ଟଙ୍ଗାଇ ଦିଆଗଲା । ପର୍ବତ, ବୃକ୍ଷ, ସିଂହାସନ ପ୍ରଭୃତି ରୂପେ ବ୍ୟବହୃତ ହେଉଥିବା କାଠ ବାକ୍ସ ସ୍ଥାନରେ ଟେବୁଲ୍ ଏବଂ ଚୌକି ଭଳି ମଞ୍ଚୋପକରଣର ବ୍ୟବସ୍ଥା ରହିଲା । କଲିକତାରୁ ପେଟ୍ରୋମାକ୍ସ ଆଲୋକ ଅଣାଯାଇ ଆଲୋକ ସଂପାତ କରାଗଲା । ପଞ୍ଚୁ ଲାଇଟ୍‍କୁ ଟିଣ ଘୋଡ଼ଣିରେ ଘୋଡ଼ାଇ ଓ ରଙ୍ଗବେରଙ୍ଗର ଜରି ଲଗାଇ ରଙ୍ଗିନ ଆଲୋକ ପ୍ରକ୍ଷେପଣ କରାଗଲା ।

 

Image

 

 

ଚଳିତ ଶତକର ଅଷ୍ଟମ ଦଶକରୁ କେତେଜଣ ମଞ୍ଚକଳାକାର ପ୍ରଥମେ ‘ସାରଦା କଳାକୁଞ୍ଜ’ ନଗସପୁର ଦଳରେ ପ୍ରବେଶ କରି ନୂଆ ମଞ୍ଚ ନାମରେ ମୁଖ୍ୟମଞ୍ଚ ସହିତ ଦ୍ୱିତୀୟମଞ୍ଚର ସଂଯୋଗ କରାଇଲେ । ଭୋଳାନାଥ ଦାସ ଓ ସଚ୍ଚିଦାସ ପ୍ରମୁଖ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଦ୍ଵିତୀୟ ମଞ୍ଚଥିଲା ଥିଏଟର ମଞ୍ଚ, ଯାତ୍ରାମଞ୍ଚ ସହିତ ଏହାର ସଂଯୋଗ ଘଟିବାରୁ, ଯାତ୍ରାର ମଞ୍ଚଶୈଳୀଟି ପ୍ରଥମେ ପରିବର୍ତ୍ତିତ ହେଲା । ଦ୍ଵିତୀୟ ମଞ୍ଚରେ ନାଟ୍ୟକାହାଣୀ ବର୍ଣ୍ଣିତ କେତେକ ପ୍ରାକୃତିକ ଦୃଶ୍ୟ, ରାସ୍ତା, ଗୃହ, ପ୍ରଭୃତି ସେଟ୍‍ସିନ୍ ଦ୍ଵାରା ଦର୍ଶାଇ ଦିଆଗଲା । ପାରମ୍ପରିକ ମଞ୍ଚର ଅଭିନୟ ଧାରାରେ ଦ୍ୱୈତମଞ୍ଚ କେତେକ ପରିବର୍ତ୍ତନ କରାଇଲା ଓ ଅଭିନୟ କ୍ଷେତ୍ର ଅଧିକ ବ୍ୟାପ୍ତ ହେଲା ।

 

Image

 

ଦ୍ୱୈତମଞ୍ଚ ୧୯୭୧-୮୦ ମୁଖ୍ୟ ମଞ୍ଚଠାରୁ ସାମାନ୍ୟ ଦୂରତା ରକ୍ଷାକରି ଦ୍ୱିତୀୟମଞ୍ଚ ବା ସାଇକ୍ଲୋରାମା ମଞ୍ଚ ରହିଲା । ସାଇକ୍ଲୋରାମା ମଞ୍ଚର ତିନିପାର୍ଶ୍ଵ କପଡ଼ାଦ୍ଵାରା ଆଚ୍ଛାଦନ କରାଗଲା-। ଏହାର ପଶ୍ଚାତ୍ ଭାଗରେ ରହିଲା ବେଶଗୃହ । ଉଭୟ ମଞ୍ଚର ମଧ୍ୟବର୍ତ୍ତୀ ସ୍ଥାନରେ ବାଦ୍ୟକାରମାନେ ବସିଲେ । ମୁଖ୍ୟମଞ୍ଚଠାରୁ ଦ୍ୱିତୀୟମଞ୍ଚ ଯାଏ ଯାତାୟାତ ନିମିତ୍ତ ଦୁଇଟି ପୁଷ୍ପପଥ ରହିଲା, ମୁଖ୍ୟମଞ୍ଚକୁ ଭୂପୃଷ୍ଠଠାରୁ ଦୁଇ ତିନିଫୁଟ ଉଚ୍ଚତା ବିଶିଷ୍ଟ କରାଗଲା । ଚାନ୍ଦୁଆ ଓ ଝାଲର ପ୍ରଭୃତି ଦ୍ଵାରା ସାଜସଜ୍ଜାରେ ଏଥିରେ ଚାକଚକ୍ୟ ଅଣାଗଲା । ପେଟ୍ରୋମାକ୍ସ ପରିବର୍ତ୍ତେ ମଞ୍ଚରେ ବିଦ୍ୟୁତ୍ ଆଲୋକ ବ୍ୟବହୃତ ହେଲା । ମୁଖ୍ୟମଞ୍ଚରେ ପୂର୍ବ ପର୍ଯ୍ୟାୟରେ ବ୍ୟବହୃତ କାଷ୍ଠାସନ ପରିବର୍ତ୍ତେ କାଷ୍ଠନିର୍ମିତ ତିନିସୋପାନ ବିଶିଷ୍ଟ ଡାଇସ୍ ବ୍ୟବହାର କରାଗଲା । ସଂଭ୍ରାନ୍ତ ବର୍ଗର ଚରିତ୍ରମାନଙ୍କ ଉପବେଶନ ସ୍ଥାନ, ମଧୁଶଯ୍ୟା, ମଦ୍ୟପର ଆସର, ପ୍ରଭୃତି ସ୍ଥାନ ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହେଲା । ଦର୍ଶକ ସମାଜ ଏ ଧରଣର ମଞ୍ଚକୁ ଘେରି ରହିଲେ । ଦ୍ଵିତୀୟ ମଞ୍ଚରେ ବ୍ୟବହୃତ ପର୍ବ୍ଦାରେ, ପ୍ରୋଜେକ୍ଟର ସହାୟତାରେ ବିଭିନ୍ନ ଦୃଶ୍ୟ ପ୍ରତିବିମ୍ବନ ରହିଲା ।

 

ତୃତୀୟ ମଞ୍ଚ : ଯାତ୍ରା ପ୍ରଗତିରେ ସହାୟକ କଲା ତୃତୀୟମଞ୍ଚର ପରିକଳ୍ପନା । ପ୍ରଖ୍ୟାତ ଯାତ୍ରାକାର ଡଃ ରମେଶ ପାଣିଗ୍ରାହୀ ୧୯୮୭ ମସିହାରେ ଜଗତସିଂହପୁର ଜିଲ୍ଲାର ବିଖ୍ୟାତ ଯାତ୍ରା ସଂସ୍ଥା ‘ତୁଳସୀ ଗଣନାଟ୍ୟ’ ଦ୍ଵାରା ତୃତୀୟମଞ୍ଚ ପ୍ରସ୍ତୁତ କରାଇଲେ । ପୂର୍ବପର୍ଯ୍ୟାୟର ଦ୍ୱୈତମଞ୍ଚ ବ୍ୟବସ୍ଥାରେ ତୃତୀୟମଞ୍ଚ ଅନେକ ପରିବର୍ତ୍ତନ ଆଣିଲା । ସାଇକ୍ଲୋରାମା ଓ ମୁଖ୍ୟମଞ୍ଚ ମଧ୍ୟରେ ରଖାଗଲା ୬୦ ଫୁଟ ବ୍ୟବଧାନ; ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ତିନିଚାରିଫୁଟ ଉଚ୍ଚତାରେ ମଧ୍ୟମଞ୍ଚ ସଂସ୍ଥାପିତ ହେଲା । ସାଇକ୍ଲୋରାମାମଞ୍ଚ ଓ ମଧ୍ୟମଞ୍ଚର ମଧ୍ୟଭାଗରେ ବସିଲେ ବାଦ୍ୟକାରବୃନ୍ଦ । ଆଲୋକ ଓ ଶବ୍ଦ ସଂଚାଳକଙ୍କ ନିମିତ୍ତ ମଧ୍ୟମଞ୍ଚ ଏବଂ ମୁଖ୍ୟମଞ୍ଚ ମଧ୍ୟରେ ସୁନିର୍ଦ୍ଦିଷ୍ଟ ସ୍ଥାନ ରହିଲା । ଡଃ ରମେଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ଏଇ ତିନି ମଞ୍ଚରେ ମଞ୍ଚସ୍ଥ ହୋଇଥିବା ପ୍ରଥମ ଯାତ୍ରା ‘ଲକ୍ଷ୍ମଣର ତିନିଗାର’ ଯଥେଷ୍ଟ ପରିମାଣରେ ଦର୍ଶକୀୟ ଆଦୃତି ଲାଭ କଲା । ପରବର୍ତ୍ତୀ କାଳରେ କେତୋଟି ଅଗ୍ରଣୀ ଦଳ ଏ ଧରଣର ବ୍ୟବସ୍ଥାକୁ ଅନୁକରଣ କରି ବସିଲେ । (୧୨)

 

ତୃତୀୟ ମଞ୍ଚରେ ସ୍ମୃତି, ସ୍ୱପ୍ନର ଦୃଶ୍ୟ ଆଲୋକିତ କରିବା କ୍ଷେତ୍ରରେ ଅତି ସୂକ୍ଷ୍ମପର୍ବ୍ଦା ବ୍ୟବହାର କରାଗଲା । ପ୍ରଥମ କରି ତୁଳସୀ ଗଣନାଟ୍ୟରେ ବେଳେବେଳେ ତିନିଗୋଟି ମଞ୍ଚରେ ତିନିପ୍ରକାର ଦୃଶ୍ୟକୁ ଏକ ସମୟରେ ଆଲୋକିତ କରାଗଲା । ତାରିଣୀ ଗଣନାଟ୍ୟ ପ୍ରଯୋଜିତ ‘ରକ୍ତରେ ଲାଗିଛି ନିଆଁ’ ନାଟକରେ ଦୁଇଟି ବିପରୀତ ମୁଖୀ ମଧୁଶଯ୍ୟା ଦୃଶ୍ୟକୁ ଏକ ସମୟରେ ଦେଖାଇ ଦର୍ଶକମାନଙ୍କୁ ଚମତ୍କୃତ କରାଗଲା । (୧୩) ମୁଖ୍ୟମଞ୍ଚ ଓ ମଧ୍ୟମଞ୍ଚକୁ ଘେରି ରହିଲେ ଦର୍ଶକମାନେ, ବିରାଟ ତମ୍ବୁଘେର ମଧ୍ୟରେ ଅସ୍ଥାୟୀ ପ୍ରେକ୍ଷାଗାର ନିର୍ମିତ ହେଲା । ଏହା ଫଳରେ ଯାତ୍ରା ଆଉ ଲୋକନାଟକର ସମ୍ପତ୍ତି ହୋଇ ରହିଲା ନାହିଁ । ଏଣିକି ଯାତ୍ରାର କାହାଣୀକୁ ମଞ୍ଚକଳା ଅନୁଯାୟୀ ପ୍ରସ୍ତୁତ କରାଗଲା । ତିନିମଞ୍ଚରେ ତିନିପ୍ରକାର ମାନସିକତାକୁ ନେଇ ବିଭିନ୍ନ ଦୃଶ୍ୟ ଦର୍ଶାଇ ଦିଆଗଲା । ପ୍ରଦତ୍ତ ଚିତ୍ରସୂଚୀରୁ ତିନିମଞ୍ଚ ସଂପର୍କରେ ଧାରଣା କରାଯାଇପାରିବ ।

 

ତୃତୀୟ ମଞ୍ଚଚିତ୍ର : ଏହି ତିନିମଞ୍ଚ ବିଶିଷ୍ଟ ରଙ୍ଗମଞ୍ଚରେ ରହିଥିବା ମଞ୍ଚଟି ନବମଦଶକର ଶେଷପାଦ ପର୍ଯ୍ୟନ୍ତ ପୂର୍ବରଙ୍ଗୀୟ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ଦିଗରେ ସହାୟତା କରିଆସିଛି ।

 

Image

 

ଏତେବେଳକୁ ପାରମ୍ପରିକ ନୃତ୍ୟନାଟିକା ଅଭିନୟମାନ ଅଚଳ ହୋଇ ପଡ଼ିଲା, ଏହା ପରିବର୍ତ୍ତେ ‘ମେଲୋଡ଼ି ପ୍ରୋଗ୍ରାମ' ଶୀର୍ଷକରେ ସଂଗୀତ ପରିବେଷଣ ରୀତି ଦେଖାଦେଲା । ମଧ୍ୟମଞ୍ଚରେ କଳାକାର ଉପସ୍ଥିତ ହୋଇ ପ୍ରଥମେ ଭକ୍ତିସଂଗୀତ ଓ ପରେ ପରେ ସମକାଳ ଜନପ୍ରିୟ ଚଳଚ୍ଚିତ୍ର ସଂଗୀତ ଗାନ କଲେ । ଅଭିନୀତ ନାଟକର କେତୋଟି ବିଶେଷ ଦୃଶ୍ୟ ମଧ୍ୟ, ମଧ୍ୟମଞ୍ଚରେ ଅଭିନୀତ ହେଲା ।

 

ଚଳମାନ ମଞ୍ଚ : ତୃତୀୟ ମଞ୍ଚ ବ୍ୟବସ୍ଥାରେ ଯାତ୍ରାଭିନୟ ଚାଲୁରହିବା ବେଳେ ଜଗତସିଂହପୁର ଜିଲ୍ଲା ‘ପାର୍ବତୀ ଗଣନାଟ୍ୟ’ର ମୁଖ୍ୟ ପରିଚାଳକ ନୟନ ଆଚାର୍ଯ୍ୟଙ୍କ ଦ୍ଵାରା ଚଳମାନମଞ୍ଚ ବ୍ୟବସ୍ଥା କରାଗଲା । ପୂର୍ବରୀତିରେ ତୃତୀୟମଞ୍ଚରୁ ମଧ୍ୟମଞ୍ଚକୁ ଚଳମାନ କରାଗଲା । ସାଇକ୍ଲୋରାମା ଓ ମୁଖ୍ୟମଞ୍ଚ ସ୍ଥିର ରହିଲା । ମଧ୍ୟମଞ୍ଚଟିକୁ ଲୁହା ଧାରଣା ଉପରେ ଚକ ଲଗାଯାଇ ଚାଲୁକରାଗଲା । ମଞ୍ଚର ଚଳମାନ ବ୍ୟବସ୍ଥାଟି ଅବଶ୍ୟ ଦର୍ଶକଙ୍କୁ କିଛିକ୍ଷଣ ଆନନ୍ଦ ଦେଲା, ମାତ୍ର ଅଭିନୟ କ୍ଷେତ୍ରରେ ସେପରି କୌଣସି ପ୍ରଭାବ ସୃଷ୍ଟି କରିପାରିଲା ନାହିଁ । ଏଇ ମଞ୍ଚ ବ୍ୟବସ୍ଥାଟି ସେଇବର୍ଷ ଅନ୍ୟାନ୍ୟ ଅଗ୍ରଣୀ ଯାତ୍ରାଦଳ ମଧ୍ୟ ଅନୁକରଣ କରିନେଲେ । ବିଦ୍ୟୁତ୍ ଆଲୋକରେ ସୁସଜ୍ଜିତ ଓ ବିଦ୍ୟୁତଚାଳିତ ଏହି ମଞ୍ଚଟି ଆଡ଼ ଦୀର୍ଘରେ ବାରଫୁଟ, ସ୍ୱତନ୍ତ୍ର ସଜ୍ଜୀକରଣ ଦ୍ଵାରା ଏହାକୁ ଆକର୍ଷଣୀୟ କରାଯାଇଛି । ପ୍ରେମ-ପ୍ରଣୟଭିତ୍ତିକ ଦୃଶ୍ୟରେ ସାଇକ୍ଲୋରାମା ମଞ୍ଚର ସେଟ୍‍ସିନ୍ ମଧ୍ୟରୁ ଆଗତ ନାୟକ - ନାୟିକାଙ୍କୁ ମଧ୍ୟମଞ୍ଚଟି ମୁଖ୍ୟମଞ୍ଚରେ ପହଞ୍ଚାଇଦିଏ ଓ କେତେକ ମୃତଚରିତ୍ର ଏହି ମଞ୍ଚଦ୍ୱାରା ବେଶଗୃହକୁ ଅଣାଯାଆନ୍ତି । ଚଳମାନ ମଞ୍ଚର ଅତି ଚାକଚକ୍ୟପୂର୍ଣ୍ଣ ସାଜସଜ୍ଜା ଆକର୍ଷଣୀୟ ହେଲେ ମଧ୍ୟ ଅଭିନୟରେ ପ୍ରଭାବ ରଖିପାରେନାହିଁ ।

 

Image

 

ପଞ୍ଚମ ମଞ୍ଚ : ଜଗତସିଂହପୁର ଜିଲ୍ଲା, ମାଛଗାଁର ‘ବୁଦ୍ଧେଶ୍ଵରୀ ଗଣନାଟ୍ୟ’ ୧୯୯୩ ମସିହାରେ ପାଞ୍ଚଗୋଟି ମଞ୍ଜ ବ୍ୟବସ୍ଥା ମଧ୍ୟରେ ଯାତ୍ରାଭିନୟ ପ୍ରଦର୍ଶନ କଲା । ଚଳନ୍ତି ରୀତିରେ ମୁଖ୍ୟମଞ୍ଚ ମଧ୍ୟମଞ୍ଚ, ସାଇକ୍ଲୋରାମାମଞ୍ଚ, ଏବଂ ଏହାର ବାମ ଓ ଦକ୍ଷିଣ ପାର୍ଶ୍ଵରେ ଦୁଇଗୋଟି ମଞ୍ଚ ବ୍ୟବସ୍ଥା କରି ଯାତ୍ରା ପ୍ରଯୋଜନା କଲା । ମଞ୍ଚସଜ୍ଜାର ବ୍ୟାପକ ଆୟୋଜନ ଦେଖି ଯାତ୍ରା ଦର୍ଶକମାନେ ଆନନ୍ଦିତ ହେଲେ । ମାତ୍ର ପ୍ରେକ୍ଷାଗୃହର ବିଭିନ୍ନ ଅଂଶରେ ବସିଥିବା ଦର୍ଶକ ପ୍ରତ୍ୟେକମଞ୍ଚର ଅଭିନୟକୁ ଭଲଭାବରେ ଉପଭୋଗ କରିପାରିଲେ ନାହିଁ । ପାଞ୍ଚଗୋଟି ମଞ୍ଚ ନିର୍ମାଣ ଦ୍ଵାରା ଅଭିନୟ ଇଲାକା ଆଶାତୀତ ଭାବରେ ବୃଦ୍ଧିପାଇଲା ସତ୍ୟ, ମାତ୍ର ଦୁଇତିନିଗୋଟି ପ୍ରଭାବଶାଳୀ ଦୃଶ୍ୟକୁ ବାଦଦେଇ ଅବଶିଷ୍ଟ ଦୃଶ୍ୟ କିନ୍ତୁ ମୁଖ୍ୟମଞ୍ଚ, ମଧ୍ୟମଞ୍ଚ ଓ ସାଇକ୍ଲୋରାମାମଞ୍ଚରେ ଅଭିନୀତ ହେଲା । ଗୋଟାଏ ଗୋଟାଏ ନାଟକରେ ଦୃଶ୍ୟଗୁଡ଼ିକର ଉତ୍ତମ ସଂଯୋଜନା ପାଞ୍ଚଗୋଟି ମଞ୍ଚରେ ସୁଚିନ୍ତିତ ଭାବରେ ଅଭିନୀତ ନହେବାରୁ ଅଧିକାଂଶ ଦୃଶ୍ୟ ଅସଫଳ ହେଲା । ଯାତ୍ରାଦର୍ଶକ ସଫଳ ଅଭିନୟ ପରିବର୍ତ୍ତେ ଚମକପ୍ରଦ ମଞ୍ଚସଜ୍ଜାହିଁ ଦେଖିଲା । ତେଣୁ ବୁଦ୍ଧେଶ୍ଵରୀ ଗଣନାଟ୍ୟରେ ଏଇଧରଣର ମଞ୍ଚବ୍ୟବସ୍ଥା ଅନୁକରଣୀୟ ହେବା ପରିବର୍ତ୍ତେ ବରଂ ବାମ ଓ ଦକ୍ଷିଣ ମଞ୍ଚଦ୍ୱୟକୁ ଛେଦ କରିବାକୁ ବାଧ୍ୟହେଲା ।

 

Image

 

 

ଚଳନ୍ତିକାଳର କେତେକ ମଞ୍ଚ : ତୃତୀୟ ମଞ୍ଚ ବ୍ୟବସ୍ଥାରେ କେତେକ ନାଟ୍ୟାନୁଷ୍ଠାନ ବିଭିନ୍ନ ପରିବର୍ତ୍ତନ ଆଣିଲେ । ୧୯୯୩ ମସିହା ପରଠାରୁ ଅତ୍ୟାଧୁନିକ ନିର୍ମାଣ କୌଶଳ ପ୍ରୟୋଗରେ ଯାତ୍ରାମଞ୍ଚ ନିର୍ମାଣରେ ଅଭିନବତା ଅଣାଗଲା । ତିନିମଞ୍ଚ ବିଶିଷ୍ଟ, ମଞ୍ଚ ନିର୍ମାଣ କଳାରେ କେତୋଟି ଦଳ ଅବଶ୍ୟ ଘୂର୍ଣ୍ଣାୟମାନ ଡାଇସ୍ ବ୍ୟବହାର କଲେ । କେତୋଟି ଦଳ ମଧ୍ୟମଞ୍ଚ ଉଠାଇଦେଇ, ଚଳମାନ ଡାଇସ୍‍କୁ ମଧ୍ୟମଞ୍ଚ ରୂପେ ଚଳାଚଳ କରାଇଲେ । ଚଳନ୍ତି କାଳର ମଞ୍ଚକଳାରେ ମୁଖ୍ୟତଃ ତିନିପ୍ରକାରର ମଞ୍ଚ ବ୍ୟବସ୍ଥା ଅଗ୍ରଣୀ ଦଳମାନଙ୍କ ଦ୍ଵାରା ଅନୁସୃତ ହୋଇଛି । ତନ୍ମଧ୍ୟରୁ ଏଠାରେ କେତୋଟି ମଞ୍ଚଚିତ୍ରର ନମୁନା ପ୍ରଦାନ କରାଯାଇପାରେ ।

 

Image

 

 

ସାଇକ୍ଲୋରାମାମଞ୍ଚଠାରୁ ମୁଖ୍ୟମଞ୍ଚର ଶେଷାଂଶ ପର୍ଯ୍ୟନ୍ତ ପ୍ରଲମ୍ବିତ ମଞ୍ଚର ଲମ୍ବ ଏକ ଶହରୁ ଏକଶହ କୋଡ଼ିଏ ଫୁଟ ପର୍ଯ୍ୟନ୍ତ ରଖାଗଲା । ଏହାର ପ୍ରସ୍ଥ ଅଠରରୁ କୋଡ଼ିଏ ଫୁଟ ଏବଂ ଉଚ୍ଚତା ଭୂମିଠାରୁ ଚାରିଫୁଟ ଅଧିକ ରଖାଯାଇଛି । ଦଳର ନିଜସ୍ୱ ଲୁହା - କାଠ ଓ ଫାଇବର ନିର୍ମିତ ଏଇ ଧରଣର ମଞ୍ଚ ନିର୍ମାଣ ବ୍ୟୟବହୁଳ ହୋଇପଡ଼ିଲା । ତେଣୁ ଦଳର ମୁଖ୍ୟମଞ୍ଚ ପାଇଁ ମାଟିପକା ମୂଳଦୁଆ ମଧ୍ୟ ଅନାବଶ୍ୟକ ହେଲା । ସାଇକ୍ଲୋରାମାଠାରୁ ମୁଖ୍ୟମଞ୍ଚର ଶେଷପର୍ଯ୍ୟନ୍ତ ଚାରିଫୁଟ ଉଚ୍ଚତାରେ ଦୁଇଟି ଲୌହ ଧାରଣା ଲମ୍ବାଇ ଦିଆଗଲା । ଏହା ଉପରେ ଚକ ସାହାଯ୍ୟରେ ତିନିଥାକ ବିଶିଷ୍ଟ ଡାଇସ୍‍ଟିକୁ ଚଳପ୍ରଚଳ କରାଗଲା । କେତେକ ଦଳ ଚତୁଷ୍କୋଣୀ ଡାଇସ୍ ପରିବର୍ତ୍ତେ ବୃତ୍ତାକାର ଓ କେତେକ ଦଳ ଅର୍ଦ୍ଧବୃତ୍ତାକାର ଡାଇସ୍ ବ୍ୟବହାର କଲେ । ସ୍ଥଳବିଶେଷରେ ବିଦ୍ୟୁତ୍ ଚାଳିତ ଯନ୍ତ୍ର ଦ୍ଵାରା ଡାଇସ୍‍କୁ ଚଳମାନ ଅବସ୍ଥାରେ ମଧ୍ୟ ଘୂର୍ଣ୍ଣନ କରାଗଲା । ଚଳମାନ ଡାଇସ୍ ସହାୟତାରେ କେତେକ ପ୍ରମୁଖ ଦୃଶ୍ୟକୁ ପ୍ରଭାବଶାଳୀ କରିବାର ଯୋଜନା ରହିଲା । କେବଳ ବୃନ୍ଦନୃତ୍ୟ ଏବଂ କେତେକ ବିଶେଷ ଦୃଶ୍ୟକୁ ବିଭାଜିତ କରାଇ ଏହାର କିଛି କିଛି ଅଂଶକୁ ପାର୍ଶ୍ଵମଞ୍ଚ-୧ ଏବଂ ପାଶ୍ୱମଞ୍ଚ -୨ରେ ଅଭିନୀତ କରାଗଲା । ଅନ୍ୟ କେତେକ ଦଳ ଏହି ପାର୍ଶ୍ୱମଞ୍ଚ ଦୁଇଟିକୁ ବାଦଦେଇ, ସାଇକ୍ଲୋରାମାମଞ୍ଚ ସମ୍ମୁଖଭାଗରେ କିଛି ସମଉଚ୍ଚତା ବିଶିଷ୍ଟ ସ୍ଥାନକୁ ମଧ୍ୟମଞ୍ଚ ରୂପେ ବ୍ୟବହାର କଲେ । ‘ତାରିଣୀ ଗଣନାଟ୍ୟ’, ‘ବୀଣାପାଣି କଳାକୁଞ୍ଜ’, ‘ସାତଶଙ୍ଖ ଅପେରା’ ପ୍ରଭୃତି ଏଇ ଧରଣର ମଞ୍ଚ ବ୍ୟବସ୍ଥାରେ ନାଟ୍ୟ ପ୍ରଯୋଜନା କରି ଆସୁଛନ୍ତି । ଏଠାରେ ତାହାର ନମୁନା ଦିଆଗଲା ।

 

ଅଧିକାଂଶ ଦଳ ଏଇ ଧରଣର ମଞ୍ଚ ପ୍ରସ୍ତୁତ କରିଥିଲେ ମଧ୍ୟ ସାଜସଜ୍ଜାରେ କେତେକ ଦଳ ଅତ୍ୟଧିକ ତତ୍ପରତା ପ୍ରକାଶ କଲେ । ମୁଖ୍ୟମଞ୍ଚ ପର୍ଯ୍ୟନ୍ତ ଡାଇସ୍‌‍ର ଚଳାଚଳକୁ କେତେକ ସ୍ଥଗିତ ରଖି ଏହାର ଢାଞ୍ଚାରେ କେତେକ ପରିବର୍ତ୍ତନ ଆଣିଲେ । ଯାଜପୁରର କୋଣାର୍କ ଗଣନାଟ୍ୟ ସାଇକ୍ଲୋରାମାଠାରୁ ମୁଖ୍ୟମଞ୍ଚ ପର୍ଯ୍ୟନ୍ତ ସୁଦୀର୍ଘ ମଞ୍ଚ ବ୍ୟବସ୍ଥା କରିବା ସହିତ ଦୁଇଟି ପାର୍ଶ୍ଵମଞ୍ଚକୁ ପୁନର୍ବାର ଚାଲୁ ରଖିଲା । ପାର୍ଶ୍ଵପଥରୁ କାଠପଟା ସ୍ଥାନାନ୍ତରିତ କରି ଅନେକ ସ୍ଥଳରେ ଲୁହାଜାଲି ରଖି, ମଞ୍ଚତଳୁ ଆଲୋକ ବିକିରଣ ବ୍ୟବସ୍ଥା ରଖିଲା । କେତେକ ବିଶେଷ ଦୃଶ୍ୟର ବିଶେଷ ମୁହୂର୍ତ୍ତରେ ସମଗ୍ର ମଞ୍ଚକୁ ଅନ୍ଧାର କରାଯାଇ, ଚରିତ୍ରମାନଙ୍କ ପାଦତଳକୁ ଆଲୋକ ବିଚ୍ଛୁରିତ ହେଲା-। ପ୍ରେମ-ସ୍ଵପ୍ନ ପ୍ରଭୃତି ଦୃଶ୍ୟଗୁଡ଼ିକୁ ଅଧିକ ରୋମାଂଚକର କରିବା ନିମିତ୍ତ ମୁଖ୍ୟମଞ୍ଚରେ ଚଳମାନ ଡାଇସ୍‍କୁ ଅବସ୍ଥା ଭେଦରେ ଘୂର୍ଣ୍ଣନ କରାଗଲା ।

 

Image

 

ମଞ୍ଚସଜ୍ଜା କ୍ରମଶଃ ବ୍ୟୟବହୁଳ ହେଲା ଓ ଅଧିକରୁ ଅଧିକ ପରିମାଣର ଯନ୍ତ୍ରପାତି ଏବଂ ମଞ୍ଚ ସଂପୃକ୍ତ ବିଶେଷଜ୍ଞମାନଙ୍କର ଆବଶ୍ୟକତା ଅନୁଭୂତ ହେଲା । ଦର୍ଶକ ସମାଜ ଏ ଧରଣର ଚାକଚକ୍ୟପୂର୍ଣ୍ଣ ମଞ୍ଚ ବ୍ୟବସ୍ଥାକୁ ଚଳଚ୍ଚିତ୍ର, ସର୍କସ ଓ ଯାଦୁଖେଳର ମାୟା ମଧ୍ୟରେ ଅଭିନୟ ଉପଭୋଗ କଲେ । ଓଡ଼ିଆ ଯାତ୍ରାର ଏପ୍ରକାର ମଞ୍ଚ ବ୍ୟବସ୍ଥା ଅଭିନୟର ଗୁରୁତ୍ୱକୁ ହ୍ରାସକଲା ଓ ମଞ୍ଚକୌଶଳ ଉପରେ ପ୍ରାଧାନ୍ୟ ଦେଲା । ତଥାପି ଦର୍ଶକମାନଙ୍କୁ ଅଧିକତର ଆଶ୍ଚର୍ଯ୍ୟାନ୍ୱିତ କରିବା ନିମିତ୍ତ ଏବେବି ଯାତ୍ରା ଅନ୍ୟାନ୍ୟ ମଞ୍ଚକୌଶଳ ପ୍ରଦର୍ଶନ ନିମିତ୍ତ ଆଗ୍ରହୀ ।

 

Image

 

 

ସହାୟକ ଗ୍ରନ୍ଥସୂଚୀ

୧.

ଶ୍ରୀ ଜଗଦୀଶ ଚନ୍ଦ୍ର ମାଥୁର - ଲୋକସଂସ୍କୃତି ଅଙ୍କ ସମ୍ମେଳନ-୩୪ ପୃ-୩୩

୨.

ଅଧ୍ୟାପକ ପହ୍ଲାଦ ଚରଣ ମହାନ୍ତି - ଓଡ଼ିଆ ଯାତ୍ରା ଓ ଲୋକନାଟକ - ୧୯୮୪- ପୃ-୧୨-

ଡଃ ହେମନ୍ତ କୁମାର ଦାସ - ଓଡ଼ିଆ ଲୋକନାଟକ (୧୯୮୩) ପୃ-୪୪

୪.

ଡଃ କୃଷ୍ଣ ଚରଣ ବେହେରା - ଓଡ଼ିଆ ଯାତ୍ରା ଓ ପାରମ୍ପରିକ ଲୋକପ୍ରିୟ ନାଟ୍ୟଧାରା -(୧୯୯୭) ପୃ-୧୩୦

୫.

ବିଜୟ କୁମାର ପ୍ରଧାନ - ଦକ୍ଷିଣ ଓଡ଼ିଶାର ଲୋକନାଟ୍ୟ ପ୍ରହ୍ଲାଦନାଟକ - ଓଡ଼ିଶାର ଲୋକନାଟକ ୧ମ ଭାଗ - (୧୯୯୮) ପୃ-୨୬୮

୬.

ବିନୋଦ ରାଉତରାୟ - ଆମ କଣ୍ଢେଇନାଚ ପରିଚୟ – ଓଡ଼ିଆ ଯାତ୍ରା ଓ ଲୋକନାଟକ ପରିକ୍ରମା - ପୃ ୧୧୭

୭.

ଡଃ ମନୀନ୍ଦ୍ର ମହାନ୍ତି – ଓଡ଼ିଶାର ଲୋକମଞ୍ଚ : ଏକ ଚାହାଣି - ଓଡ଼ିଶାର ଲୋକନାଟକ - ୧୯୯୮ ପୃ- ୧୮୬ ।

୮.

ଧୀରେନ୍ଦ୍ରନାଥ ପଟ୍ଟନାୟକ - ଓଡ଼ିଶାର ଲୋକନାଟକ ବିକାଶ ପରମ୍ପରା -- କୋଣାର୍କ ୪୦ସଂ ୧୯୭୯ ପୃ ୬୧ ।

୯.

ଡଃ ଶ୍ୟାମସୁନ୍ଦର ମହାପାତ୍ର - ଲୋକ ସାହିତ୍ୟ ତତ୍ତ୍ୱ – ୧୯୯୫ ପୃ-୧୩୧

୧୦.

ଜଗବନ୍ଧୁ ସିଂହ - ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ - ୧୯୩୭ - ପୃ-୬୮୦୨

୧୧.

ଡଃ ବ୍ରଜମୋହନ ମହାନ୍ତି - ଆମ ଗୀତିନାଟ୍ୟ ପରମ୍ପରା - ଓଡ଼ିଶାର ଲୋକନାଟକ -୧୯୯୮ ପୃଷ୍ଠ – ୬୮

୧୨.

ଡଃ ରମେଶ ପ୍ରସାଦ ପାଣିଗ୍ରାହୀ – ଗଣନାଟକ ଗଣପ୍ରିୟତା ଓ ଗଣପରାବୃତ୍ତ ଗତଦଶାଙ୍କର ଯାତ୍ରା-ନବଲିପି - ଅକ୍ଟୋବର – ୧୯୯୨ ।

୧୩.

ତତ୍ରୈବ ।

 

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ,

ଜଗତ୍‍ସିଂହପୁର

 

***

 

Unknown

ଦିଗ୍‌ବଳୟ ଦିଶାରୀ - ମନୋଜ ଦାସ

ଅରବିନ୍ଦ ଗିରି

 

ମନୋଜ ଦାସ । ଆଧୁନିକ କାଳର ଜାତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ବହୁପରିଚିତ ନାଆଁଟି । ଏବେ ଖୋଜାଲୋଡ଼ା ବ୍ୟକ୍ତିତ୍ୱଟିଏ । ଫକୀରମୋହନ ମାଟିର ବିଶ୍ୱ ମୋହନୀୟ ପ୍ରତିଭାଟି । ଏହି ଜନ୍ମମାଟି, ଜନ୍ମଭୂଇଁ ପାଇଁ ସେ ଯେପରି ଧନ୍ୟ ଆମପାଇଁ ସେପରି ଗର୍ବ ଓ ଗୌରବର ମଣିଷଟିଏ । ସେ ନମସ୍ୟ, ସେ ବନ୍ଦନୀୟ ତାଙ୍କର କାଳଜୟୀ ସୃଷ୍ଟି ସମ୍ଭାରକୁ ନେଇ ଯୁଗଯୁଗକୁ ।

 

ମନୋଜ ଦାସଙ୍କ ସାରସ୍ୱତ ସାଧନା ଉପରେ କଲମ ଧରିବାର ସାହସ ଅଣ୍ଟୁନାହିଁ । ହୃଦୟରେ ଭାଷା ନାହିଁ । ତାଙ୍କର ସାହିତ୍ୟର ଜଣେ ମୁଗ୍ଧ ପାଠକ ହେବା ଯେତେ ସହଜ, ତାଙ୍କ ସାହିତ୍ୟକୃତିକୁ ନେଇ ଆଲୋଚନା ଓ ତର୍ଜମା କରିବା ମୋ ପକ୍ଷରେ ଦୁରୂହ ଓ ଦୁଃସାଧ୍ୟ । ତାଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ହିମାଳୟ ପରି ଯେପରି ଉତୁଙ୍ଗ ଏବଂ ତାଙ୍କ କଳ୍ପନା ଓ ଭାବନା ରାଜ୍ୟ ସେପରି ବର୍ଣ୍ଣିଳ, ଦିଗ୍‌ବଳୟ ଭଳି ଦିଗନ୍ତ ବିସ୍ତୃତ । ପୁଣି ହିମାଳୟ ଗର୍ଭର ଗିରିଗୁହା ଓ ଶିଳା ବନ୍ଧୁର ଅତିକ୍ରମକରି ଝରିଆସିଥିବା ସର୍ପିଳ କଳକଳ ନାଦିନୀ ପୂତ ପବିତ୍ର ଗଙ୍ଗାଧାର ଜଗତରେ ପ୍ଲାବିତ ହୋଇ ଜଗତ୍‌ବାସୀଙ୍କ ପାଇଁ ମଙ୍ଗଳମୟୀ ଓ ଶୁଭଙ୍କରୀ ହେଲାଭଳି, ମନୋଜ ଦାସଙ୍କ ସାରସ୍ୱତ ସ୍ରୋତସ୍ୱିନୀ ବିଶ୍ୱର ସାହିତ୍ୟପ୍ରେମୀଙ୍କ ଚିତ୍ତକୁ ଧୌତକରି ସେମାନଙ୍କ ମନରେ ସାର୍ବଜନୀନ ପ୍ରେମ, ଶାନ୍ତି, ବିଶ୍ୱଭ୍ରାତୃତ୍ୱ ଓ ମାନବବାଦୀ ବିଭୂପ୍ରେମ ସଞ୍ଚାର କରିଥାଏ ।

 

ତାଙ୍କ ଭଳି ଜ୍ଞାନଦୀପ୍ତ, ଅନୁଭୂତି ସର୍ବସ୍ୱ ଅଟ୍ଟାଳିକାସମ ମହାଦ୍ରୁମ, ଅନନ୍ତ ଆକାଶ ଭଳି ପ୍ରଶାନ୍ତ ଓ ବିଶାଳ କାରୁକାର୍ଯ୍ୟମୟ କାବ୍ୟ କୋଣାର୍କ ଭଳି ବିସ୍ମୟ ଏବଂ ଯାହାର ପାଦଦେଶରେ ଦଣ୍ଡାୟମାନ ବାମନଟି ଭଳି ବେକଭାଙ୍ଗି ତାଙ୍କ ସାରସ୍ୱତ ସୌନ୍ଦର୍ଯ୍ୟ ଆହରଣରେ ନିଜ ସତ୍ତାକୁ ହଜାଇ ବସିଲାଭଳି, ତାଙ୍କ ପ୍ରଚଣ୍ଡ ସାରସ୍ୱତ ପ୍ରତିଭାକୁ କଳ୍ପନା କରିବା ଏକ ଦୁରୂହ ସଂକଳ୍ପ । ଏହା ମୋର ଅତିରଞ୍ଜିତ ଉକ୍ତି ନୁହେଁ କି ଆଞ୍ଚଳିକପ୍ରୀତି ବି ନୁହେଁ ବରଂ ନିରୋଳା ହୃଦୟର ଅଭିବ୍ୟକ୍ତିଟି । ବିଶ୍ୱସାରସ୍ୱତ ଜଗତରେ ମନୋଜଦାସଙ୍କ ଭଳି ସୃଷ୍ଟିମାନସ ସୀମାହୀନ ଅନନ୍ତସାଗର ଓ ଆକାଶ ଭଳି ଏତେ ପରିବ୍ୟାପ୍ତ ଯେ, ତାଙ୍କ କଳ୍ପନା ଓ ଚେତନାର ସୀମା ସରହଦକୁ ସ୍ୱୀୟ କଳ୍ପନା ଲୋକରେ ସ୍ପର୍ଶକରିବା ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ନିତାନ୍ତ ଅସମ୍ଭବ ପ୍ରଚେଷ୍ଟା । ସମସ୍ତ ଆଲୋଚନା ଓ ତର୍ଜମାର ଉର୍ଦ୍ଧ୍ୱରେ ତାଙ୍କ ସାହିତ୍ୟ-ଯୁଗଯୁଗ ପାଇଁ, କାଳ କାଳ ପାଇଁ ।

 

ମନୋଜ ଦାସ ବହୁମୁଖୀ ପ୍ରତିଭାର ବ୍ୟକ୍ତିସତ୍ତାଟି । ତୁଳସୀ ଦୁଇ ପତ୍ରରୁ ବାସିଲାଭଳି ଛାତ୍ରଜୀବନରୁ ତାଙ୍କ ସୃଜନଶୀଳ ସାରସ୍ଵତ ଜୀବନର ଆଭାସ ମିଳିଥିଲା । ତାଙ୍କ ଅଗ୍ରଜଙ୍କ ଭାଷାରେ “ବାଲେଶ୍ୱର ଜିଲ୍ଲା ସ୍କୁଲରେ ମ୍ୟାଟ୍ରିକ୍ୟୁଲେସନ୍ ପଢ଼ିବା ସମୟରୁ ମନୋଜ ନିୟମିତ ରୂପେ ଲେଖାଲେଖି ଆରମ୍ଭ କରିଥାଏ । ପଢ଼ାପଢ଼ିରେ ମନ ନଦେଇ ଏପରି କଳ୍ପନା ବିଳାସରେ ମାତିବା ଉଚିତ ନୁହେଁ ବୋଲି ମୁଁ ବାରମ୍ବାର ବିରକ୍ତ ହେଉଥାଏ । ଜାଣିନଥିଲି, ଜନ୍ମଗତ କଳାରୂପେ ଯେଉଁ ପ୍ରତିଭାଟି ମନୁଷ୍ୟର ନିଜସ୍ୱ, ତାହା ଜୀବନର ପ୍ରଥମାବସ୍ଥାରୁ ହିଁ ବିକଶିତ ହୋଇ ଉଠିବ ଏବଂ କ୍ରମେ କ୍ରମେ ମାର୍ଜିତ ଆକାର ଧରିବ ।” ମୋ ସାନଭାଇ : ମନୋଜ (ପ୍ରବନ୍ଧ)- ପ୍ରଫେସର ମନ୍ମଥନାଥ ଦାସ) ।

 

ସାହିତ୍ୟ ସାଧକ ମନୋଜ ଦାସ -ସଂ- ବାଉରୀବନ୍ଧୁ କର (ପୃ-୬) । ଛାତ୍ର ଜୀବନରୁ ସମ୍ପୂର୍ଣ୍ଣ ନାସ୍ତିକ, ବୈପ୍ଳବିକ ମାର୍କସବାଦୀ ଚେତନା ସର୍ବସ୍ୱ ପ୍ରାଣସତ୍ତାଟି ଦସ୍ୟୁରତ୍ନାକରରୁ ମହାମୁନି ବାଲ୍ମୀକି ରୂପାନ୍ତର ଭଳି ସଂମ୍ପୂର୍ଣ୍ଣ ଈଶ୍ୱରବାଦୀ ଆସ୍ତିକରେ ପରିଣତ ହେଲେ । ନିଜ ଅନୁଜଙ୍କ ବିଷୟରେ ଅଗ୍ରଜ ପ୍ରଫେସର ମନ୍ମଥନାଥ ଦାସ କହନ୍ତି, “ସେତେବେଳେ ମନୋଜ ସମ୍ପୂର୍ଣ୍ଣ ନାସ୍ତିକ ଏବଂ ମୁଁ ପ୍ରଗାଢ଼ ଈଶ୍ୱର ବିଶ୍ୱାସୀ - ଆସ୍ତିକ । କିନ୍ତୁ ଆଜି ଜୀବନର ଅରରାହ୍ନରେ ମୁଁ ସମ୍ପୂର୍ଣ୍ଣ ନାସ୍ତିକ, ଅଥଚ ସେ ଜଣେ ପରମ ଆଧ୍ୟାତ୍ମବାଦୀ ଆସ୍ତିକ ।” (ତତୈବ -ପୃ୭) । ତାଙ୍କ ରାଜନୈତିକ ଜୀବନର ସଫଳତାର ସୂର୍ଯ୍ୟୋଦୟ ଘଟି ଆସୁଥିବା ବେଳେ ଅଧ୍ୟାପନା ଜୀବନର କର୍ମ ନିଷ୍ଠା, ଜ୍ଞାନ ଆହରଣ ଲିପ୍‍ସା ତାଙ୍କୁ ପରମ ଆତ୍ମତୃପ୍ତି ଦେଇଥିଲା, ତାଙ୍କ ବୈପ୍ଳବିକ ଛାତ୍ର ଜୀବନରୁ ସାରସ୍ୱତ ଜୀବନର ଶୁଭାରମ୍ଭ ଘଟେ-ଜଣେ ବିପ୍ଳବୀ କବିଟିଏ ଭାବରେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପ୍ରକାଶିତ କାବ୍ୟ ଗ୍ରନ୍ଥ ‘ଶତାବ୍ଦୀର ଆର୍ତ୍ତନାଦ’ (୧୯୪୯) ଏବଂ ‘ବିପ୍ଳବୀ ଫକୀରମୋହନ’ (୧୯୫୦) ଦୁଇଟି ଛାତ୍ର ଓ ପାଠକ ମହଲରେ ବେଶ୍ ଚହଳ ସୃଷ୍ଟି କରିଥିଲା । ଏକଦା କାନ୍ତକବିଙ୍କ ଜନ୍ମମାଟି - ଏ ଜାତିର ତୀର୍ଥକ୍ଷେତ୍ର – ‘ତାଳପଦା’ ଗ୍ରାମରେ କବିଙ୍କ ଘରେ ଆତିଥ୍ୟ ନେବା ଅବକାଶରେ କାନ୍ତକବି ଗଦ୍‍ଗଦ୍ କଣ୍ଠରେ କହିଥିଲେ, “ତୁମର ‘ଶତାବ୍ଦୀର ଆର୍ତ୍ତନାଦ’ ବେଶି ବିକ୍ରି ହୋଇନଥିବ କଦାପି । ବର୍ତ୍ତମାନ ପାଠ ପଢ଼ୁଛ । ପ୍ରେମ, ଯୌବନ, ଏସବୁ ନେଇ ସିନା କବିତା ଲେଖନ୍ତୁ ! ! ତା’ ନଲେଖି ଏତେ ଗୁରୁତର କଥା ଭାବୁଛ, ପରିଣାମ ଏକା ଭଲ ନୁହେଁଟି ।’ ବିଦ୍ରୁପର ଅର୍ଥ ବେଶ୍ ବୁଝିଲି କିନ୍ତୁ ଆଶ୍ଚର୍ଯ୍ୟ ହେଲି ନିହାତି ବେଶି । ବର୍ଷେତଳେ ମୋର ପ୍ରଥମ କବିତା ବହି ‘ଶତାବ୍ଦୀର ଆର୍ତ୍ତନାଦ’ ପଠାଇଥିଲି ନିହାତି ସାଧାରଣ ଭଦ୍ରତା ଖାତିରରେ । କେତେ ବହି ସେମିତି ଆସୁଥିବ, କେତେ ବଡ଼ବଡ଼ ସାହିତ୍ୟିକଙ୍କର ବଡ଼ବଡ଼ ବହି । କିନ୍ତୁ ବଡ଼ ବିସ୍ମୟ, ମୋର ଚଟି ବହିଟା କଥା ବି ଇଏ ମନେରଖିଛନ୍ତି ।” (ଅବିସ୍ମରଣୀୟ (ପ୍ରବନ୍ଧ)-ମନୋଜ ଦାସ/କାନ୍ତକବି ଲକ୍ଷ୍ମୀକାନ୍ତ ସ୍ମରଣିକା (୧୯୭୧) ସଂ-ରବିନାରାୟଣ ସେନାପତି - (ପୃ୯୫) । ମନୋଜବାବୁ ଲେଖିଛନ୍ତି, “ତା’ପରେ ବହୁ ସଂକୋଚ ସହ ମୋର ‘ବିପ୍ଳବୀ ଫକୀରମୋହନ’ ବହି ଖଣ୍ଡିକ ତାଙ୍କ ଆଗରେ ରଖିଦେଲି । ବହିଟି ଉତ୍ସର୍ଗ ହୋଇଥିଲା ତାଙ୍କରି ନାମରେ । ମୋର ଛୋଟ କବିତା ବହିଟି ଗ୍ରହଣ କରି ସେ ଯେମିତି ଖୁସି ହୋଇଥିଲେ, ତାକୁ ପ୍ରକାଶ କରିବା ଭଳି ଭାଷା ଉପରେ ଦଖଲ ବୋଧହୁଏ ଆଜି ଯାଏ ମୋର ଆସିନାହିଁ ।”(ତତୈବ-ପୃ-୯୫) । କାନ୍ତକବିଙ୍କ ଜାତୀୟତାପୂର୍ଣ୍ଣ ବିପ୍ଳବ କବିତା ଛାତ୍ର ମନୋଜଙ୍କ କଲ୍ଲୋଳିତ କିଶୋର ଜୀବନକୁ କିପରି ମୂର୍ଚ୍ଛନା ମୁଖରିତ କରିଥିଲା ତା’ର ଏକ ଝଲକ୍ ହେଉଛି ‘ବିପ୍ଳବୀ ଫକୀରମୋହନ’ ପୁସ୍ତକ । ତାଙ୍କ ଦୃଷ୍ଟିରେ ଫକୀରମୋହନ ଥିଲେ-

 

ତୁମେ ଗୌତମ, ବିଶ୍ଵେ ମଣିଛ ନିଜ ସଂସାର ପରି

ସତ୍ୟହିଁ ତୁମେ ପ୍ରଚାର କରିଛ, ଦୀର୍ଘ ଜୀବନ ଧରି

ଅର୍ଜୁନ ତୁମେ, ଅସ୍ତ୍ରତୁମର ନିର୍ମଳ ମଧୁହାସ

କୃଷ୍ଣହେ, ତୁମ ପାଞ୍ଚଜନ୍ୟେ ଜାଗ୍ରତ ଆଜି ଦେଶ ।

ଲକ୍ଷଯୁଗର ସୁପ୍ତି ଏଡ଼ାଇ, ଲକ୍ଷ ପରାଣେ ମୁକ୍ତି ଜଗାଇ

ତୁମେ ଭଗୀରଥ ଗଙ୍ଗା ଅଣାଇ ଧୌତିଲ, ପାପରାଶି

‘ମୃତ୍ୟୁ’ ଅଧରେ ଫୁଟାଇଲ ତୁମେ ‘ଜୀବନ’ର ମଧୁହାସ ।

କ୍ଷମାକର ତୁମେ, କ୍ଷମାକର ଏହି ଅଜ୍ଞାନ ଜାତିପାଇଁ

ଜୀବନେ ତୁମକୁ ଦେଇନାହିଁ କିଛି ଦେଇବି ପାରିବ ନାହିଁ ।

ଚିରଦିନ ଆଗୋ ଏଦେଶ ମାଟିର ବନ, ଗିରି, ନିର୍ଝର

ସତ୍ତା ତୁମର ରଖିଥିବ ଧରି ବକ୍ଷେ ପୂରାଇ ତା’ର

କହୁଥିବା କଥାତୁମ

ସତ୍ୟଓଶିବ ସୁନ୍ଦର ଆଗୋ ବିଶ୍ୱର ପ୍ରିୟତମ ।

(ବିପ୍ଳବୀ ଫକୀରମୋହନ (୧୯୫୦)-ଶ୍ରୀ ମନୋଜ କୁମାର ଦାସ-ପୃ୯/୨୪)

 

ପରବର୍ତ୍ତୀ କାଳରେ ପଦଧ୍ଵନୀ (୧୯୫୪), ଉପନିବେଶ (୧୯୫୫), ନନ୍ଦାବତୀର ମାଟି (୧୯୫୬) ଆଦି ତାଙ୍କର କାବ୍ୟଗ୍ରନ୍ଥ ପ୍ରକାଶିତ । ଉପରୋକ୍ତ କାବ୍ୟଗ୍ରନ୍ଥ ସନ୍ନିବିଷ୍ଟ କବିତା ଗୁଡ଼ିକରେ କବିଙ୍କ ସାମ୍ୟବାଦୀ ଚେତନାର ସ୍ଵର, ଶ୍ରେଣୀହୀନ, ଶୋଷଣ ମୁକ୍ତ ସମାଜ ଗଠନର ଅଭୀପ୍‍ସା, ମାନବବାଦୀ ସମ୍ବେଦନ, ଜୀବନ ଜିଜ୍ଞାସାର ଅନ୍ୱେଷଣ, ସାମାଜିକ ଆଦର୍ଶବୋଧ, ଅର୍ଥନୈତିକ ଦୁର୍ଗତି, ରୋମାଣ୍ଟିକ୍ ଚିନ୍ତା ତଥା ଆଧ୍ୟାତ୍ମିକ ଅନ୍ୱେଷଣ ଆଦି ସୁନ୍ଦର ଭାବରେ ଚିତ୍ରିତ ହୋଇଛି ।

 

ଜଣେ ସଫଳ ସମ୍ପାଦକ ଭାବରେ ମଧ୍ୟ ନିଜର ଦକ୍ଷତା ଓ ନିଷ୍ଠାର ପରିଚୟ ଦେଇପାରିଛନ୍ତି । ଛାତ୍ର ଜୀବନରେ ସ୍ୱୀୟ ସମ୍ପାଦିତ ‘ଦିଗନ୍ତ’ (୧୯୫୦) ପତ୍ରିକା ସାମୟିକ ଭାବରେ ବାଲେଶ୍ୱରରୁ ପ୍ରକାଶ ପାଉଥିଲେ ବି ଏଥିରେ ସାହିତ୍ୟ ସଂସ୍କୃତି ସମ୍ବନ୍ଧୀୟ ମୌଳିକ ଚିନ୍ତାପ୍ରସୂତ ପ୍ରବନ୍ଧ ସବୁ ସ୍ଥାନ ପାଇଥିଲା । ୧୯୫୯ ବେଳକୁ ‘ଦିଗନ୍ତ’ ମାସିକ ପତ୍ରିକା ଭାବରେ ନିଜ ସମ୍ପାଦନାରେ କଟକରୁ ନିୟମିତ ପ୍ରକାଶ ପାଉଥିଲା ୧୯୬୩ ମସିହା ପର୍ଯ୍ୟନ୍ତ ତାଙ୍କର ଓଡ଼ିଶା ଛାଡ଼ିବା ଯାଏଁ । ପରବର୍ତ୍ତୀ କାଳରେ ସେ World Union (୧୯୬୭-୬୮) ଏବଂ ‘The Heritage’ (୧୯୮୫-୮୮) ଆଦି ପତ୍ରିକାର ସମ୍ପାଦନା ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । 'The Heritage’ ପତ୍ରିକା ଭାରତୀୟ ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକ ଜୀବନ ସନ୍ଦେଶକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା । ଏଦେଶର ଦୁର୍ଭାଗ୍ୟ ପତ୍ରିକାଟି ଗ୍ରାହକ ସଂଖ୍ୟା ଅଭାବରୁ ଏହାର ପ୍ରକାଶନ ମଧ୍ୟ ବନ୍ଦ ହୋଇଗଲା । ବିଶିଷ୍ଟ ହାସ୍ୟ ରସିକ ଫତୁରାନନ୍ଦଙ୍କ ଭାଷାରେ “ସେ (ମନୋଜବାବୁ) ନିଜ ସମ୍ପାଦନାରେ ‘ଦିଗନ୍ତ' ନାମକ ଗୋଟିଏ ପତ୍ରିକା କାଢ଼ିଲେ, ଫଳରେ ମୁଁ ତାଙ୍କର ଖୁବ୍ ପାଖାପାଖି ହୋଇଯାଇଥିଲି । ସମ୍ପାଦକ ହେବାପରେ ତାଙ୍କଠାରୁ ବାହାରୁଥିବା କମ୍ୟୁନିଜିମ୍ ବାମ୍ଫ କମି ଆସିଲା, ସେ ପୂରାପୂରି ସମ୍ପାଦକ ବନିଗଲେ । ତାଙ୍କ ଦେହରୁ ରୀତିମତ ସମ୍ପାଦକ ବାମ୍ଫ ବାହାରିଲା । ‘ଦିଗନ୍ତ’କୁ ସେ ଗୋଟିଏ ଆଦର୍ଶ ପତ୍ରିକା କରିବାକୁ ବଦ୍ଧପରିକର ହୋଇ ଉଠିଲେ । ସେ ଯଦି ସେହିଥରେ ଲାଖି ରହିଥାନ୍ତେ ତେବେ ‘ଦିଗନ୍ତ’ ଯେ ଓଡ଼ିଶାର ସର୍ବଶ୍ରେଷ୍ଠ ପତ୍ରିକା ହୋଇ ବାହାରି ଆସନ୍ତା ଏଥିରେ ସନ୍ଦେହ ନାହିଁ”-। (ସାହିତ୍ୟ ସାଧକ ମନୋଜ ଦାସ-ସଂ. ପ୍ରଫେସର ବାଉରୀବନ୍ଧୁକର -ପୃ୯)

 

ମନୋଜ ଦାସଙ୍କ ଗଳ୍ପ ଜଗତର ଶିଳ୍ପ ସମ୍ପଦ ଓ ଭାବ ବୈଚିତ୍ର୍ୟ, ଦିଗନ୍ତ ବିସ୍ତୃତ । ପୃଥିବୀର ଜଣେ ଶ୍ରେଷ୍ଠ କଥାକାର ଭାବରେ ପରିଚିତ । କବିତା ଅପେକ୍ଷା ଗଳ୍ପ ସାହିତ୍ୟରେ ତାଙ୍କର ସିଦ୍ଧି ସ୍ୱୀକାର୍ଯ୍ୟ । ତାଙ୍କ ସାକ୍ଷାତ୍ ଉକ୍ତିଟି ହେଉଛି, “ଗଳ୍ପରେ ଯେଉଁ ଭାବଟା ପ୍ରକାଶ କରାଯିବ, ସେହି ବକ୍ତବ୍ୟଟା କବିତା ଦ୍ଵାରା ସମ୍ଭବ ନୁହେଁ, ହାବ verse ଦ୍ଵାରା, କିନ୍ତୁ କବିତା ଦ୍ଵାରା ନୁହେଁ । ତେଣୁ ଯେତେବେଳେ ବିଭିନ୍ନ ପ୍ରକାର ପ୍ରେରଣା ଆସିଛି, ସେତେବେଳେ ବିଭିନ୍ନ ପ୍ରକାର ମାଧ୍ୟମର ମୁଁ ଆଶ୍ରୟ ନେଇଛି । ଏକଦା ମୁଁ ବହୁତ କବିତା ଲେଖୁଥିଲି । ସେଇଟା ମନ୍ଦୀଭୂତ ହୋଇଗଲା । xxxxxxxx ମୁଁ ନିର୍ଦ୍ଦିଷ୍ଟ ସ୍ତରରେ ଅନୁଭବ କଲି ଯେ ଗଳ୍ପ ଜରିଆରେ ଯେଉଁ ବାସ୍ତବତା ମୁଁ ପ୍ରକାଶ କରିପାରିବି, ସେଇଟା ବିଶେଷ ଜରୁରୀ । xxxxxxxxx ତଥାପି କବିତାଠାରୁ ଦୂରେଇ ଆସି ଗଳ୍ପ ସାହିତ୍ୟକୁ ଆବୋରି ନେଲି । ଯେତେବେଳେ ଗଳ୍ପ ଲେଖିବାକୁ ଆରମ୍ଭ କଲି ପାଠକମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କଲେ, ସଂପାଦକମାନେ ଲେଖା ବାରମ୍ବାର ଚାହିଁଲେ , ଫଳରେ ସେଇ ସୁଅରେ ପଡ଼ିଗଲି । ପଡ଼ିଯାଇଛିତ ପଡ଼ିଯାଇଛି । ଚାଲିଛି । (ତତୈବ- ପୃ୧୯୫/୧୯୬) । ଦୃଶ୍ୟମାନ ଜଗତର ପ୍ରତ୍ୟେକଟି ଘଟଣା ବସ୍ତୁ ଓ ଦୃଶ୍ୟ ତାଙ୍କ ଗଳ୍ପ ସାମ୍ରାଜ୍ୟର ଉପାଦାନ । ସମାଜର ପଶୁପକ୍ଷୀ ବୃକ୍ଷଲତାଙ୍କ କଥା କହିବା ସହିତ ସମସ୍ୟା ବିଜଡ଼ିତ ମଣିଷ ଜୀବନର ସଂଗୁପ୍ତ ଅସଂଖ୍ୟ ଦୃଶ୍ୟମାନ ବାସ୍ତବ ରହସ୍ୟକୁ ଉନ୍‍ମୋଚନ କରି ସ୍ୱୀୟ ଯାଦୁକରୀ କଥନ ଶୈଳୀରେ ପରିବେଷଣ କରିବା କ୍ଷେତ୍ରରେ ସେ ହେଉଛନ୍ତି ଯଥାର୍ଥ ଶିଳ୍ପୀ । ସମୁଦ୍ରର କ୍ଷୁଧା (୧୯୫୦), ଜୀବନର ସ୍ୱାଦ (୧୯୫୨) ବିଷକନ୍ୟାର କାହାଣୀ (୧୯୫୪), ଆରଣ୍ୟକ (୧୯୬୦), ଶେଷ ବସନ୍ତର ଚିଠି (୧୯୬୬), ମନୋଜ ଦାସଙ୍କ କଥା ଓ କାହାଣୀ (୧୯୭୧), ଲକ୍ଷ୍ମୀର ଅଭିସାର (୧୯୭୪), ଆବୁପୁରୁଷ ଓ ଅନ୍ୟାନ୍ୟ ଗଳ୍ପ (୧୯୭୫) ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ (୧୯୭୭), ମନୋଜ ପଞ୍ଚବିଂଶତି (୧୯୮୩), ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୮), ଚତୁର୍ଥବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦) ଅବୋଲକରା କାହାଣୀ (୧୯୯୧) ଆଦି ତାଙ୍କର ଗଳ୍ପ ପୁସ୍ତକ ।

 

ଉପରୋକ୍ତ ଗଳ୍ପଗୁଡ଼ିକରେ ପ୍ରଚଳିତ ସମାଜର ରାଜନୈତିକ ଜୀବନର ଅଧଃପତନ, ଜାତୀୟ ଜୀବନର ଅଧୋଗତି, ପ୍ରାକୃତିକ ବିପର୍ଯ୍ୟୟର ନିର୍ଯ୍ୟାତନା, ସାମାଜିକ ଅନ୍ଧବିଶ୍ୱାସ ଓ କୁସଂସ୍କାର, ମଣିଷର ଯୌନାକାଂକ୍ଷା, ସାମାଜିକ ଆଦର୍ଶବୋଧ, ଆଧ୍ୟାତ୍ମିକ ସଚେତନତା, ବୈଜ୍ଞାନିକ ଆଭିପ୍‍ସା, କ୍ଷମତା ଓ ଜଡ଼ବାଦୀ ପ୍ରତି ମୋହ ତଥା ଅର୍ଥନୈତିକ ଦୁର୍ଗତି ଆଦି ସଫଳ ଭାବରେ ଚିତ୍ରିତ । ଉତ୍କଳ କେଶରୀ ଡଃ ମହତାବଙ୍କ ଭାଷାରେ “ତା’ ପ୍ରତ୍ୟେକ ଗଳ୍ପ ଏବଂ ପ୍ରବନ୍ଧମାନଙ୍କରେ ଆଧ୍ୟାତ୍ମିକ ଅନୁଭୂତିର ସୂଚନା ମିଳେ । ଆମ୍ଭେମାନେ ଯେପରି ଘଟଣାକୁ ସ୍ଥୂଳଭାବରେ ଦେଖୁ ଓ ବିଚାର କରୁ, ସେ ସେପରି ନକରି ସୂକ୍ଷ୍ମଦୃଷ୍ଟିରେ ଘଟଣାର ଅଦୃଶ୍ୟ ଅଂଶକୁ ନିରୀକ୍ଷଣ କରେ । ଏହି ହେଉଛି ମନୋଜ ଗଳ୍ପମାନଙ୍କର ବିଶେଷତ୍ଵ ।” (ତତୈବ-ପୃ-୨)

 

ତାଙ୍କର ଇଂରାଜୀ ଗଳ୍ପ ପୁସ୍ତକ ଗୁଡିକ ହେଉଛି – ‘short stories by Manoj Das, A song for sunday and other stories, The crocodile's Lady and other stories, Fables and Fantasies for Adults, The vengance and other stories, The sub merged village and other stories ଆଦି ଅନ୍ୟତମ ।

 

ବିଶିଷ୍ଟ ଆଲୋଚକ ଓ ସମୀକ୍ଷକ ଡଃ ଦାଶରଥି ଦାସଙ୍କ ଭାଷାରେ “ସମୃଦ୍ଧ ଓଡ଼ିଆ କ୍ଷୁଦ୍ରଗଳ୍ପର ପରମ୍ପରାକୁ ଅସ୍ୱୀକାର ନକରି ତଥା କ୍ଲାସିକ୍ ଗଳ୍ପ ଲେଖାର ଶୈଳୀକୁ ସମ୍ପୂର୍ଣ୍ଣ ବିସର୍ଜନ ନଦେଇ ଶ୍ରୀ ମନୋଜ ଦାସ ରସର ଉଲ୍ଲାସ ଉତ୍ସମୁକ୍ତ କରି ପାରିଛନ୍ତି । ପ୍ରତ୍ୟେକଟି ଗଳ୍ପ ତାଙ୍କର ସୁଲିଖିତ, ସୁଖପାଠ୍ୟ ଓ ଉପଭୋଗ୍ୟ । ଅଧିକାଂଶ ତ ଦୂଢ଼ ନିବଦ୍ଧ, ରସସଂଭାର ଓ ପ୍ରାଣସ୍ପର୍ଶୀ । ଅଭିଜ୍ଞତାର ଐଶ୍ଵର୍ଯ୍ୟରେ ଯେପରି ମାହିମାନ୍ୱିତ ଠିକ୍ ସେହିପରି ଚିରନ୍ତନ ମାନବିକ ଭାବାବେଗ ଓ ସହାନୁଭୂତିରେ ଛଳଛଳ । ସଂଯମ ସ୍ନିଗ୍‍ଧ ରସିକତା, ସ୍ନେହାତ୍ମକ ବ୍ୟଙ୍ଗ ତଥା ବିଦ୍ୟାବୁଦ୍ଧି ଦୀପ୍ତ ବୈଦଗ୍‍ଧ୍ୟର କୌଣସି ଅଭାବ କେଉଁଠି ନାହିଁ । ନିର୍ମୋହ ବିଜ୍ଞାନ ବୃଷ୍ଟି । ନୈର୍ବ୍ୟକ୍ତିକ ଜୀବନ ତୃଷ୍ଣା, ସୁଗଭୀର ସତ୍ୟାନୁରକ୍ତି ଓ ପରିସୂଷ୍ମ ରସ କୌତୁହଳ ଘେନି ଶ୍ରୀ ଦାସ ଓଡ଼ିଆ ଗଳ୍ପରାଜ୍ୟରେ ପହଞ୍ଚି ଯାଇଛନ୍ତି - ଏତେ ଇଙ୍ଗିତ ତୀକ୍ଷ୍‍ଣ ତିର୍ଯ୍ୟକ୍ ଭାଷା ନିର୍ବାଚନ-କ୍ଷେତ୍ରରେ ତାଙ୍କର ଦକ୍ଷତା ମଧ୍ୟ ଈର୍ଷାଯୋଗ୍ୟ ହୋଇ ଉଠିଛି । ସେ କଥା କହନ୍ତି, କାହାଣୀ ମଧ୍ୟ ବୟାନ କରନ୍ତି ; ଘଟଣାରେ ନାଟକୀୟତା ଆଣନ୍ତି । ଅନେକ ଗଳ୍ପତ ତାଙ୍କର ଏକ ଏକ surprise packet । ଏସବୁ ଦୃଷ୍ଟିରୁ ତାଙ୍କ ଗଳ୍ପ ଏପରି ଏକ ବିଶିଷ୍ଟତା ଲଭିଛି ଯେ, ତାହା ନିକଟରେ କେବେ ବିସୃତ ହେଉନାହିଁ-।’’ (ନାନାନିବନ୍ଧ (୧୯୯୨) ଡକ୍ଟର ଦାଶରଥି ଦାଶ-ପୃ୨୮୫)

 

ଉପନ୍ୟାସ ରଚନା କ୍ଷେତ୍ରରେ ମଧ୍ୟ ମନୋଜ ଦାସ ଜଣେ ସାର୍ଥକ କଥାଶିଳ୍ପୀ । ପ୍ରଭଞ୍ଜନ (୧୯୮୭), କନକ ଉପତ୍ୟକାର କାହାଣୀ, କିଶୋର ଉପନ୍ୟାସ-(୧୯୮୭), ଆକାଶର ଇସାରା (୧୯୯୭), ଚନ୍ଦ୍ରଲୋକର ପ୍ରହରୀ (୨୦୦୦), ଅମୃତ ଫଳ (୨୦୦୧) ଆଦି ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ । ବିଷୟବସ୍ତୁ ଆହରଣର ନୂତନତ୍ୱ, ପ୍ରକାଶ ଭଙ୍ଗୀର ଅଭିନବତ୍ୱ, ତାଙ୍କ ଉପନ୍ୟାସ ଶିଳ୍ପକୁ ସ୍ୱୟଂସିଦ୍ଧ କରିତୋଳିଛି । ଫକୀରମୋହନଙ୍କ କଥାସାହିତ୍ୟ ସୃଜନ ପରମ୍ପରାର ଉତ୍ତର ଦାୟାଦ ଭାବରେ ମନୋଜ ଦାସ ହେଉଛନ୍ତି ଜଣେ ଅନନ୍ୟ କଳାକାର, ତାଙ୍କର ଗଳ୍ପ ସାହିତ୍ୟ ଭଳି ଉପନ୍ୟାସ ସାହିତ୍ୟରେ ମଧ୍ୟ ସମସ୍ୟା ବହୁଳ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମାନ୍ଧତା, ନିରକ୍ଷରତା, ମଣିଷ ଜୀବନର ଆଶା, ନିରାଶା, ପ୍ରେମ, ପ୍ରଣୟ, ଅହମିକା, ଶୋଷଣ, ବିଭୁ ଅନ୍ୱେଷଣ ତଥା ସଂଗୁପ୍ତ ମନଗହନର ଅକୁହା ରହସ୍ୟକୁ ସଫଳ ଭାବରେ ରୂପାୟନ ହୋଇପାରିଛି-। ତାଙ୍କ ଉପନ୍ୟାସ ସମୂହର ଚରିତ୍ର ବିଷୟରେ ଆଲୋଚକ ଦେବୀପ୍ରସନ୍ନ ପଟ୍ଟନାୟକ କହନ୍ତି, “ଅନ୍ତରଙ୍ଗ ମାନବର ମାନଚିତ୍ର ତାଙ୍କ ସୃଷ୍ଟିର ଶ୍ରେଷ୍ଠ ସମ୍ପଦ । ଏତେ ନିକଟରୁ ଏବଂ ଏତେ ଅନ୍ତରଙ୍ଗତାର ସହ ମଣିଷକୁ ଅନୁଧ୍ୟାନ କରିଥିବା ଚିତ୍ର ଖୁବ୍ କମ୍ ସୃଷ୍ଟିରେ ଦେଖିବାକୁ ମିଳେ । ଯୁଗଯୁଗ ଧରି ଆଦର୍ଶ, ନୀତି ତଥା ଧର୍ମ ନାମରେ ଗୋପନ ବା ସଂଗୁପ୍ତ କରି ରଖାଯାଇଥିବା ମାନବଚରିତ୍ରର ଅନାଲୋଚିତ ଓ ଅନାଲୋକିତ ଦିଗକୁ ପ୍ରତିଫଳିତ କରିବା ଦିଗରେ ମନୋଜ ସୃଷ୍ଟି ଯତ୍ନଶୀଳ ।” (ସାହିତ୍ୟ ସାଧକ ମନୋଜ ଦାସ (୨୦୫) ସଂ, ପ୍ରଫେସର ବାଉରୀବନ୍ଧୁ କର - ପୃ୨୦୨) ତାଙ୍କର ଇଂରାଜୀ ଉପନ୍ୟାସ ଭାବରେ cyclone (୧୯୭୦), Tiger of Twilight ଆଦି ତାଙ୍କର ଲୋକପ୍ରିୟ ଉପନ୍ୟାସ ।

 

ଇଣ୍ଡୋନେସିଆ ଅନୁଭୂତି (୧୯୫୭), ଦୂରଦୂରାନ୍ତର (୧୯୭୬), ଅନ୍ତରଙ୍ଗ ଭାରତ (୧୯୯୨) ଆଦି ଭ୍ରମଣ ବୃତ୍ତାନ୍ତ ବା ‘ରମ୍ୟ-ଭ୍ରମଣ-କାହାଣୀ’ ରଚନା କରି ଓଡ଼ିଆ ଭ୍ରମଣ ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ମନୋଜ ବାବୁଙ୍କ ଭାଷାରେ “ତଥ୍ୟସହ କିଛି ଚିନ୍ତା, କିଛି ବ୍ୟକ୍ତିଗତ ଅନୁଭୂତି ଓ କଳ୍ପନା, ଇତିହାସ ସହ କିଛି କାହାଣୀ ଓ କିମ୍ବଦନ୍ତୀ- ଏସବୁ ଉପାଦାନର ସମାବେଶରୁ ସମ୍ଭୂତ ଏ ଲେଖା” (ଭୂମିକା - ଅନ୍ତରଙ୍ଗଭାରତ -ତା ୨୩/୯/୧୯୯୨) ପୁଣି ସେ କହିଛନ୍ତି” ଗୋଟିଏ ଗୋଟିଏ ସ୍ଥାନକୁ କେନ୍ଦ୍ରକରି ମୋର ଚିନ୍ତାଧାରା ଯେପରି ଭାବରେ ପ୍ରଭାବିତ ହେଉଛି, ଯେଉଁ ସବୁ ଘଟଣା ସ୍ମୃତିରେ ଜାଗରିତ ହୋଇଛି, ତାହାରି ଗପସପରେ ସେମାନେ (ପାଠକ ବନ୍ଧୁମାନେ) ପ୍ରୀତ ରହିବେ ।” (ଦୂର ଦୂରାନ୍ତର – ଉପକ୍ରମଣିକା -ପୃ୨) ଅଥଚ ଆଜିର “ବଣିକ-ସଭ୍ୟତା ଓ ବିଜ୍ଞାନ ଦେଶ-ମହାଦେଶ ବ୍ୟାପୀ ବାତାବରଣକୁ ଏକାକାର କରି ଦେଇଛି । କୌଣସି ମହାନଗରୀର ସ୍ଥୂଳଚେହେରାରେ ବୈଚିତ୍ର୍ୟ ନାହିଁ, ବିସ୍ମୟ ନାହିଁ, ଅଥଚ ଏଇ ପୃଥିବୀ ଥିଲା କେତେ ବୈଚିତ୍ର୍ୟମୟ ବିଗତ ଯୁଗର ପର୍ଯ୍ୟଟକ ଆଗରେ” ପୁନଶ୍ଚ “ବିଶେଷତଃ ଭାରତକୁ ନେଇ ପାଶ୍ଚାତ୍ୟର ଆଗ୍ରହ ତୀବ୍ର । ଅତଏବ୍ ଭାରତ କିପରି ଏକ ଅନ୍ଧକାରମୟ ଦେଶ, ଏକଥା ସେ ଲେଖକମାନେ ରସାଳଭାବରେ ବର୍ଣ୍ଣନା କରନ୍ତି । ତମସାଚ୍ଛନ୍ନ ପାଶ୍ଚାତ୍ୟର ପାଠକ ଆଉ ଏକ ତମସାଚ୍ଛନ୍ନ ଭୂଖଣ୍ଡର ଚିତ୍ର ଦେଖି ଆଶ୍ୱସ୍ତ ହୁଏ । xxx ଭାରତବର୍ଷରେ ବି ପାଶ୍ଚାତ୍ୟ ସମ୍ପର୍କରେ ପଢ଼ିବାକୁ ଆଗ୍ରହ ପ୍ରବଳ ।” (ଉପକ୍ରମଣିକା ଦୂରଦୂରାନ୍ତର-ପୃ୧)

 

ଉପରୋକ୍ତ ବର୍ଣ୍ଣନା ଗୁଡ଼ିକରୁ ଏକଥା ସ୍ପଷ୍ଟ ହୁଏ ଯେ, ଲେଖକ ପ୍ରାଚ୍ୟ ଭୂଖଣ୍ଡ ଇଣ୍ଡୋନେସିଆର ବାଲି , ବର୍ଣ୍ଣିଓ, ଜାଭା, ସୁମାତ୍ରା ଦ୍ୱୀପର, ଭାରତବର୍ଷର ରାଜସ୍ଥାନ, ଜୟପୁର, ଉଦୟପୁର, ବିଜାପୁର, ଚିତ୍ତୋର, ମଦୁରାଇ ତଥା ପାଶ୍ଚାତ୍ୟ ଭୂଖଣ୍ଡର ଇଂଲଣ୍ଡ, ଲଣ୍ଡନ, ଏଥେନ୍‍ସ୍, ଇଟାଲୀ, କାଇରୋ, ପ୍ୟାରିସ୍‌, ସୁଇଜରଲ୍ୟାଣ୍ଡ ଆଦି ବିଭିନ୍ନ ଦର୍ଶନୀୟ ସ୍ଥାନର ମହତ୍ତ୍ୱ, ରାଜବଂଶୀ ଓ ରାଜ ପରିବାରର ଇତିହାସ, କିମ୍ବଦନ୍ତୀ, ସାହିତ୍ୟ, ସଙ୍ଗୀତ, କଳା ଭାସ୍କର୍ଯ୍ୟ, ନୃତ୍ୟ, ଧର୍ମ, ଦର୍ଶନ, ଚାଲି ଚଳଣି, ଆଚାର ବ୍ୟବହାର, କବି, ମହାପୁରୁଷ ତଥା ସେମାନଙ୍କ ଶ୍ମଶାନ ତୀର୍ଥ ଆଦି ସାଂସ୍କୃତିକ ଜୀବନଧାରାର ବହୁଅଜ୍ଞାତ ତଥ୍ୟ ଓ ବାସ୍ତବ ଅନୁଭୂତି ନିଜସ୍ୱ ଶୈଳୀରେ ପରିବେଷଣ କରି ପାଠକ ଅନ୍ତରକୁ ରସସିକ୍ତ କରିଛନ୍ତି ।

 

ଜନ୍ମମାଟିର ମୋହ ବ୍ୟକ୍ତିର ଜୀବନ ସୂର୍ଯ୍ୟୋଦୟରୁ ଜୀବନ ସାୟାହ୍ନ ପର୍ଯ୍ୟନ୍ତ । ଗାଁ ଦାଣ୍ଡର ଧୂଳିଖେଳ, ଗାଁ ତୋଟାରୁ ଆମ୍ବ ସାଉଁଟା, ଗାଁ ଗୋହିରୀରୁ ଫୁଲତୋଳା, ଗାଁ,ର ବଣବୁଦାରୁ କୋଳି ସଂଗ୍ରହ, ସହପାଠୀ ମେଳରେ ବାଗୁଡ଼ି ଖେଳ, ପୁଣି ଗାଁର ବାଡ଼ି ବଗିଚା, ପୋଖରୀ ତୁଠ, ନଦୀପଠା ଗାଁର ଯାନି ଯାତ୍ରା, ମେଳା ମହୋତ୍ସବ, ଗାଁ ହାଟ ଓ ଶ୍ମଶାନ, ଶସ୍ୟ କେଦାର ଓ ସମୁଦ୍ର ବେଳାଭୂମିର ଦୃଶ୍ୟାବଳୀ କିଶୋର ଜୀବନର ସ୍ମୃତି ସନ୍ତକ ହୋଇ ସର୍ବଦା ମୋହାଚ୍ଛନ୍ନ କରିଥାଏ । ପ୍ରବାସୀ କର୍ମବ୍ୟସ୍ତ ଜୀବନରେ କ୍ଷଣିକ ଅବକାଶ ପାଇଲା ମାତ୍ରେ ସେ ଜନ୍ମମାଟି ଓ ଆତ୍ମୀୟ ସ୍ୱଜନଙ୍କ ଆକର୍ଷଣରେ ଟାଣିହୋଇ ଆସେ । ସମସ୍ତଙ୍କ ସହିତ ମିଳିତ ହେବାର ଆନନ୍ଦରେ ଆତ୍ମବିଭୋର ହେବାବେଳେ ସମସ୍ତଙ୍କୁ ଆନନ୍ଦ ଦେବାରେ ସେ ଯେଉଁ ଆତ୍ମ ସନ୍ତୋଷ ଓ ସୁଖ ପାଇଥାଏ, ତାହା ଭାଷାରେ ପ୍ରକାଶ କରିବା ଅସମ୍ଭବ । ମନୋଜ ଦାସଙ୍କ “ସମୁଦ୍ର କୂଳର ଏକ ଗ୍ରାମ” (୧୯୯୬) ଯାହା ବାଲେଶ୍ୱର ଜିଲ୍ଲାର ଉତ୍ତର ବାଲେଶ୍ୱର ଅଞ୍ଚଳର ସମୁଦ୍ର ନିକଟବର୍ତ୍ତୀ ଶଙ୍ଖାରି ଗ୍ରାମଟି । ଲେଖକଙ୍କ ନିଜ ଜନ୍ମମାଟି ଓ ଜୀବନ ସ୍ମୃତି କଥାର ପଟ୍ଟଭୂମି । ଏଥିପାଇଁ ତାଙ୍କ କିଶୋର ମନକୁ ଦିନେ ଫକୀରମୋହନଙ୍କ ‘ଆତ୍ମଜୀବନ ଚରିତ’ ଗଭୀର ପ୍ରଭାବ ପକାଇଥିଲା । ସେ ନିଜେ ଲେଖିଛନ୍ତି “ମୋର ଦ୍ୱିତୀୟ ଶ୍ରେଣୀରୁ ମାଆ ମୋତେ ‘ରାଧାନାଥ ଗ୍ରନ୍ଥାବଳୀ’ ପଢ଼ାଇବାକୁ ଲାଗିଲେ । କିନ୍ତୁ ସେ ବଡ଼ କିଟିମିଟିଆ । ମୋର ମନପ୍ରାଣ ରହିଯାଉଥାଏ ଫକୀରମୋହନଙ୍କ ଆତ୍ମଜୀବନୀ ପାଖରେ । ସେହି କଅଁଳିଆ ସୁନ୍ଦର ଭାଷା କେଉଁଝର ପ୍ରଜାବିପ୍ଲବ- ତାଙ୍କର ଲମ୍ବା ବେକ ଉପରେ ଗୋପାଳିଆର ଆକ୍ରୋଶ, ଇତ୍ୟାଦି ଇତ୍ୟାଦି । ଫଳରେ ତାଙ୍କ ଜୀବନୀକୁ ମୁଁ ପଢ଼ିଛି ଦୈନନ୍ଦିନ ଗୀତା ପାଠ ଭଳି ବହୁତ ଥର ।” (ପଦେ ଅଧେ - ବିପ୍ଳବୀ ଫକୀରମୋହନ (୧୯୫୦) ମନୋଜ କୁମାର ଦାସ-ପୃ-୬)

 

ମନୋଜ ଦାସଙ୍କ କଥା ସାହିତ୍ୟ ଭଳି ତାଙ୍କ ପ୍ରବନ୍ଧ ଓ ରମ୍ୟ ରଚନା ସାହିତ୍ୟ ମଧ୍ୟ ବିଭବ ମଣ୍ଡିତ । ବୌଦ୍ଧିକ ଅନ୍ୱେଷା, ଗଭୀର ଅନ୍ତର୍ଦୃଷ୍ଟି, ଯୁକ୍ତିନିଷ୍ଠ ବିଶ୍ଳେଷଣ, ତଥ୍ୟଭିତ୍ତିକ ସୂଚନା, ଶବ୍ଦ ପ୍ରୟୋଗର ଦକ୍ଷତା ଓ ସ୍ୱାଭାବିକ ପ୍ରକାଶଭଙ୍ଗୀ ପ୍ରବନ୍ଧ ଗୁଡ଼ିକୁ ହୃଦୟସ୍ପର୍ଶୀ କରିତୋଳିଛି । କେତେ ଦିଗନ୍ତ (ପ୍ରଥମ, ଦ୍ୱିତୀୟ ଭାଗ-୧୯୮୬), ବିପୁଳାଚ ପୃଥ୍ୱୀ (୧୯୯୪), ଭାରତର ଐତିହ୍ୟ; ଶତେକ ପ୍ରଶ୍ନର ଉତ୍ତର (୧୯୯୮), ସନ୍ଧାନ ଓ ସଙ୍କେତ (୧୯୯୯) ଓ ଅରଣ୍ୟ ଉଲ୍ଲାସ (୧୯୯୯) ଆଦି ଏକ ଏକ ଅନବଦ୍ୟ ସୃଷ୍ଟି ।

 

ଶ୍ରୀ ଦାସ ୧୯୬୬ ମସିହା ବେଳକୁ ‘ଜନଶକ୍ତି’ ସମ୍ବାଦ ପତ୍ରର ରବିବାର ସଂଖ୍ୟାରେ ‘କେତେ ଦିଗନ୍ତ' ଶିରୋନାମାରେ ବ୍ୟକ୍ତି ସ୍ତମ୍ଭଟିଏ ଲେଖି ଯେଭଳି ନୂତନ ପରମ୍ପରା ସୃଷ୍ଟି କରିଥିଲେ, ସେଭଳି ପାଠକମାନଙ୍କର ଖୁବ୍ ପ୍ରୀତିଭାଜନ ହୋଇପାରିଥିଲେ । ମାତ୍ର କୌଣସି କାରଣରୁ ‘ଜନଶକ୍ତି’ ବନ୍ଦ ହୋଇଯିବା ଫଳରେ ‘ସମାଜ’ର ରବିବାର ସଂଖ୍ୟାରେ ‘ସନ୍ଧାନ ଓ ସମୀକ୍ଷା’(୧୯୬୯-୭୪) ନାମରେ ଏବଂ ପରେ ଦୈନିକ ‘ଧରିତ୍ରୀ’ ପୃଷ୍ଠାରେ କେତେ ଦିଗନ୍ତ (୧୯୭୫-୮୪) ଅଗ୍ରଲେଖା ହୋଇ ପ୍ରାୟ ଦଶବର୍ଷକାଳ ପ୍ରକାଶ ପାଇଥିଲା । ପ୍ରାୟ ତିନିଶହ ଉଣେଇଶଟି ଲେଖା ନିର୍ବାଚିତ ହୋଇ ‘କେତେ ଦିଗନ୍ତ' (୧ମ ଓ ୨ୟ ଭାଗ)ରେ ସ୍ଥାନିତ ହୋଇଛି-

 

ଲେଖକ ଏକ ସମୟରେ ମଧ୍ୟ ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ପତ୍ରିକା THOUGHT ରେ ‘Currents and counters’ (୧୯୬୮ - ୭୦), Yuva Bharat ରେ Horizons, ହଂକଂରୁ ପ୍ରକାଶିତ Milestone ରେ ‘On the Tide of Time’, ଦୈନିକ ‘The Times on India’ ରେ ‘On the Tides of Time’ ଏବଂ The Hindustan Times ରେ ‘The Banyan Tree’ 1983)ସାପ୍ତାହିକ ସ୍ତମ୍ଭମାନ ରଚନା କରି ୧୯୮୫ ବେଳକୁ ପାଠକ ମହଲରେ ବହୁଲୋକପ୍ରିୟତା ଅର୍ଜନ କରିଥିଲେ । ସାମ୍ପ୍ରତିକ ସମାଜର ତଥାକଥିତ ରାଜନୈତିକ ବଡ଼ପଣ୍ଡା, ଜାତୀୟ ସ୍ୱାର୍ଥ ନଷ୍ଟକାରୀ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସ୍ୱାର୍ଥସାଧନ ତଥା ପ୍ରଚଳିତ ଭାରତୀୟ ଗଣତନ୍ତ୍ରିକ ବ୍ୟବସ୍ଥା ପ୍ରତି ଯେମିତି ବିମଳ ବ୍ୟଙ୍ଗ ଓ ବିଦ୍ରୁପ କରିଛନ୍ତି, ସେମିତି ମାନବିକ କରୁଣା ଓ ଶ୍ରଦ୍ଧା ଅଜାଡ଼ି ଦେଇ ସେମାନଙ୍କ ଅଜ୍ଞତା ପ୍ରତି ଦୟାଶୀଳ ହୋଇଛନ୍ତି ।

 

‘କେତେଦିଗନ୍ତ’ର ରଚନାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରବନ୍ଧ ବୋଲି କୁହାଯିବ ନାହିଁ । କାରଣ ଲେଖକଙ୍କ ସ୍ୱୀୟ ସ୍ୱୀକାରୋକ୍ତି ହେଉଛି, କେତେବେଳେ ସ୍ତମ୍ଭ ଭିତରକୁ ରମ୍ୟ ରଚନାର ଉପାଦାନ ଆଣିଛିତ “କେତେବେଳେ ଆଣିଛି- ଭ୍ରମଣରସ; କେତେବେଳେ ତଥ୍ୟ ତ କେତେବେଳେ କଳ୍ପନା । ଯେହେତୁ ଏହା ବୃହତ୍ତର ପାଠକଗୋଷ୍ଠୀ ନିମନ୍ତେ ଏହା ପ୍ରବନ୍ଧ ନୁହେଁ କି ରମ୍ୟ ରଚନା ନୁହେଁ, କି ତଥାତ୍ମକ ବିବରଣୀ ମାତ୍ର ନୁହେଁ – ଏହାକୁ ସୁଗମ ନିବନ୍ଧ ଆଖ୍ୟା ଦିଆଯାଇପାରେ । “ଭୂମିକା କେତେଦିଗ ମନୋଜ ଦାସ-ପୃ-୨) । ଏଥିରେ ସନ୍ନିବିଷ୍ଟ ରଚନାଗୁଡ଼ିକ ଜାତୀୟ ତଥା ଆନ୍ତର୍ଜାତୀୟ ଘଟଣାବଳୀ ଉପରେ ଆଧାରିତ । ସମସାମୟିକ ସମାଜର ଶିକ୍ଷା, ସାହିତ୍ୟ, ରାଜନୀତି, ବିଜ୍ଞାନ, ଧର୍ମ, ଦର୍ଶନ, ଅର୍ଥନୀତି, ଇତିହାସ, ସଂଗୀତ, ଶାସନ, ଭ୍ରମଣ ବୃତ୍ତାନ୍ତ, କିମ୍ବଦନ୍ତୀ ଜୀବନୀ, ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି, ଆତ୍ମଜୀବନୀ, ଜୀବନସ୍ମୃତି, ସମସ୍ୟା, ଚଳଚ୍ଚିତ୍ର, ଯୁଦ୍ଧ, ପ୍ରକୃତି ଓ ପରିବେଶ ଆଦି ବିବିଧ ବିଷୟ ଉପରେ ଆଲୋକପାତ କରାଯାଇଛି । ଏଥିରେ ସ୍ଥାନୀତ ସମ୍ବାଦଧର୍ମୀ ଆଲୋଚନାଗୁଡ଼ିକର ଏକ ସ୍ୱତନ୍ତ୍ର ସାହିତ୍ୟିକ ମର୍ଯ୍ୟାଦା ରହିଛି । ଏସବୁ ଆଲୋଚନା ଗୁଡ଼ିକରେ ଲେଖକଙ୍କର ବ୍ୟାପକ ଦୃଷ୍ଟିଭଙ୍ଗୀ, ବିଦଗ୍ଧ ବିଚାରବୋଧ, ଅନ୍ତରଙ୍ଗ ଉପଲବ୍ଧି, ଜୀବନପ୍ରତି ଗଭୀର ମମତାବୋଧ, ସମାଜ ପ୍ରତି ଦାୟିତ୍ୱବୋଧ, ନୂତନତାର ଆକାଂକ୍ଷା, ସମାଜ ସଂସ୍କାରମୁଖୀ ମନୋଭାବ ତଥା ସଂସ୍କୃତି ସଚେତନତାର ବାସ୍ତବ ସ୍ପର୍ଶ ରହିଛି । ‘କେତେ ଦିଗନ୍ତ’ ପୁସ୍ତକର ପ୍ରକାଶଙ୍କ ଭାଷାରେ, ‘ତଥ୍ୟ ସହ ଚିନ୍ତନର ସମନ୍ୱୟଏବଂ କାହାଣୀ ଧର୍ମୀ ଦୃଷ୍ଟାନ୍ତର ଅପୂର୍ବ ପ୍ରୟୋଗ ଫଳରେ ‘କେତେଦିଗନ୍ତ’ର ରଚନାଗୁଡ଼ିକ ଗୋଟିଏ ସ୍ୱତନ୍ତ୍ର ସାହିତ୍ୟ-ସାଣିତ-ସାମ୍ବାଦିକତା ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଯେପରି କୁହାଯାଇପାରେ, ସେହିପରି ସାମ୍ବାଦିକତା ଭିତ୍ତିକ ସାହିତ୍ୟ ସୃଷ୍ଟି କରନ୍ତି ବୋଲି ମଧ୍ୟ କୁହାଯାଇପାରେ ।” (ପ୍ରାକ୍‌କଥନ-କେତେଦିଗନ୍ତ -ପୃ୬) ସପ୍ତରଙ୍ଗ ବିଶିଷ୍ଟ ଇନ୍ଦ୍ରଧନୁ ଭଳି ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ‘କେତେଦିଗନ୍ତ’ ଏକ ନୂତନ ମର୍ଯ୍ୟାଦା ଦାବି କରେ ।

 

’ବିପୁଳାଚ ପୃଥ୍ୱୀ’, ଭାରତର ଐତିହ୍ୟ : ଶତେକ ପ୍ରଶ୍ନର ଉତ୍ତର, ସନ୍ଧାନ ଓ ସଙ୍କେତ ତଥା ‘ଅରଣ୍ୟ ଉଲ୍ଲାସ’ ପୁସ୍ତକ ସନ୍ନିବିଷ୍ଟ ପ୍ରବନ୍ଧଗୁଡ଼ିକ ମଧ୍ୟ ଉପରୋକ୍ତ ଆଦର୍ଶରୁ ବାଦ ପଡ଼ିନାହିଁ । ‘ବିପୁଳାଚ ପୃଥ୍ୱୀ’ରେ ଥିବା ସମସାମୟିକ ସମାଲୋଚନା, କେତେକ ମାରାତ୍ମକ ଧାରା ଓ ଧାରଣା, ସାହିତ୍ୟର ଆଭିମୁଖ୍ୟ, ଅଭିବ୍ୟକ୍ତିର ସମ୍ଭ୍ରମତା, ସାହିତ୍ୟ ଓ ଔଚିତ୍ୟବୋଧ, ବ୍ୟାସ ବାଲ୍ମୀକିଙ୍କ ଉତ୍ତରାଧିକାରୀ, ପ୍ରବନ୍ଧ ଗୁଡ଼ିକ ତଥା ‘ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସ୍ଥାଣୁ ନା ଗତିଶୀଳ’, ‘ଗଳ୍ପରେ ଲେଖକଙ୍କର ଭାଷ୍ୟ’, ସାମ୍ପ୍ରତିକ ସାହିତ୍ୟ ଅନୁସନ୍ଧାନ ଓ ଅଭିପ୍‍ସା’ ଆଦି ସାହିତ୍ୟ ଆଲୋଚନାଧର୍ମୀ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ବୌଦ୍ଧିକ ଦୃଷ୍ଟି ଓ ଜିଜ୍ଞାସା ଖୁବ୍ ତୀବ୍ରତ୍ତର । ମନୁଷ୍ୟର ଅନ୍ୱେଷଣ ପ୍ରବୃତ୍ତି ବିଷୟରେ ଶ୍ରୀ ଅରବିନ୍ଦଙ୍କ ଚିନ୍ତାଧାରାକୁ ବ୍ୟକ୍ତ କରିବାକୁ ଯାଇ କହିଛନ୍ତି, ‘ମଣିଷ ଚିରକାଳ ଅନ୍ୱେଷଣ ରତ । ସେ କାହାର ଅନ୍ୱେଷଣ କରୁଥାଏ, ଏ ପ୍ରଶ୍ନର ଉତ୍ତର ହେବ ବହୁବିଧ; ଯେହେତୁ ମନୁଷ୍ୟର ଜ୍ଞାନ-ଗନ୍ତାଘରେ ବୁଦ୍ଧି ଓ ଦର୍ଶନ ପ୍ରସୂତ ଦିଗ୍‌ଦର୍ଶନର ଅନ୍ତ ନାହିଁ- ଏପରିକି ମନୁଷ୍ୟର ଆଧ୍ୟାତ୍ମିକ ଅଭିଜ୍ଞତା ମଧ୍ୟ ହୋଇଛି ବହୁବିଧ । କିନ୍ତୁ ବୁଦ୍ଧି, ଦର୍ଶନ, ଆଧ୍ୟାତ୍ମିକତା ଇତ୍ୟାଦି ସମସ୍ତ ସ୍ତର ନିର୍ବିଶେଷରେ ଯେଉଁ ଉତ୍ତର ହେବ ସର୍ବାଧିକ ସତ୍ୟାଶ୍ରାୟୀ, ତାହାହେଲା, ମନୁଷ୍ୟ ଖୋଜି ଚାଲିଛି ନିଜର ପରିପୂର୍ଣ୍ଣତା । ଅନ୍ୱେଷଣର ଏହି ଦିଗନ୍ତ ବିସ୍ତାରୀ ମାର୍ଗରେ ଚାଲିଚାଲି ଊନବିଂଶ ଶତାବ୍ଦୀରେ (କିଛିଟା ପରବର୍ତ୍ତୀ କାଳରେ) ମଧ୍ୟ ପହଞ୍ଚି ମଣିଷ ବିଶ୍ୱାସ କରି ନେଇଥିଲା ସେ ବିଜ୍ଞାନ ଓ ବୁଦ୍ଧିର ବିକାଶ ଫଳରେ ହିଁ ତାର ଅବସ୍ଥାରେ ମୌଳିକ ପରିବର୍ତ୍ତନ ସମ୍ଭବପର ହୋଇପାରିବ ଓ ସେ ପରିପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇପାରିବ ।” (ସାମ୍ପ୍ରତିକ ସାହିତ୍ୟ : ଅନୁସନ୍ଧାନ ଓ ଅଭିପ୍‍ସା - ମନୋଜ ଦାସ- ଦିଗନ୍ତ ୮ମ ବର୍ଗ/୭ମ ଓ ୮ମ ସଂଖ୍ୟା – ପୃ୪) ଲେଖକ ବୈଜ୍ଞାନିକ ସାହିତ୍ୟ ପ୍ରସଙ୍ଗରେ କହିଛନ୍ତି “ଏକଦା ବୈଜ୍ଞାନିକ ଆବିଷ୍କାର ସମୂହର ପ୍ରତିଶ୍ରୁତି ଯେଉଁ ପୁଲକ-ଶିହରଣର ସଂଚାର କରୁଥିଲା କାଳକ୍ରମେ ଖୋଦ୍ ସେହି ଆବିଷ୍କାର ଗୁଡ଼ିକ ସେହି ପୁଲକକୁ ବିଲୁପ୍ତ କରିଦେଇଛନ୍ତି । ଅତଏବ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯେଉଁ ସାହିତ୍ୟ ସେହି ପୁଲକର ବାର୍ତ୍ତା ବହନ କରୁଥିଲା, ସେ ସାହିତ୍ୟ ଆଉ ‘ଆଜିର ସାହିତ୍ୟ’ ପଦବାଚ୍ୟ ନୁହେଁ ।” (ତତୈବ ପୃ୪୪) । ଆଜିର ପୃଥିବୀରେ ମନୁଷ୍ୟର ଏକାକିତ୍ୱ’ ଅସହାୟତା ଓ ଆଶାହୀନତା ମନୋଭାବ ବିଷୟରେ କହିବାକୁ ଯାଇ ସୂଚାଇଛନ୍ତି ‘ହତାଶା’ ଓ ‘ଏକାକିତ୍ୱ’ ଅନୁଭୂତିର ଏକ ମୁଖ୍ୟ କାରଣ ହେଉଛି ମନୁଷ୍ୟର ନିଜର ଅବସ୍ଥା ଓ ତା’ର କ୍ରମବର୍ଦ୍ଧମାନ ଜ୍ଞାନର ପରିସର ଭିତରର ବ୍ୟବଧାନ । ସେ ଆଉ ଗୋଟିଏ ଅଞ୍ଚଳ ଅଥବା ଗୋଟିଏ ଦେଶ ଏପରିକି ଏଇ ପୃଥିବୀର ମଧ୍ୟ ଅଧିବାସୀଟିଏ ମାତ୍ର ନୁହେଁ । ଦିନ ପରେ ଦିନ ମହାବିଶ୍ଵର ନବତର ବିସ୍ମୟ ସକଳ ତା’ ଆଗରେ ଉଦ୍‌ଘାଟିତ ହେଉଛି । ଆବିଷ୍କାରର ସୀମାହୀନ ଭାବନା ଆଗରେ, ରହସ୍ୟମୟର ନିୟତ ସଂଙ୍କେତ ଆଗରେ, ମନୁଷ୍ୟର ପ୍ରୟୋଜନ ହେଉଛି ନିଜକୁ ବ୍ୟାପକତର ଓ ମହତ୍ତର କରି ଗଢ଼ିତୋଳିବା । ମନୁଷ୍ୟ କିନ୍ତୁ ତାହା କରିପାରିନାହିଁ । ନିଜର ପୁରୁଣା ସୀମା ଭିତରେ ଛୋଟିଆ ଜୀବଟିଏ ହୋଇ ସେ ରହିଯାଇଛି” । (ତତୈବ-ପୃ୪୫) । ବ୍ୟକ୍ତିର ଧୀମତ୍ତାକୁ ବିଚାର କରିବାକୁ ଯାଇ ସେ କହିଛନ୍ତି “ଧୀମତ୍ତାର ଗୌରବ ପ୍ରକୃତରେ ହ୍ରାସ ହୋଇଛି, କିନ୍ତୁ ତାହା ହୋଇଛି ସମ୍ପୂର୍ଣ୍ଣ ଭିନ୍ନ କାରଣରୁ । ଏକଦା କମ୍ ଲୋକ ଧୀମାନ୍‍ଥିଲେ । ଆଜି ଯେ ଅପେକ୍ଷାକୃତ ଅଧିକ ବ୍ୟକ୍ତି ଧୀମାନ ପଦବାଚ୍ୟ, ସେଥିରେ ସନ୍ଦେହ ନାହିଁ । କିନ୍ତୁ ବ୍ୟାପାର ହେଲା, ପୂର୍ବୋକ୍ତ ସମସ୍ୟାକୁ ସାମନା କରିବାର ଶକ୍ତି ଆଜି ଧୀମତ୍ତାର ନାଇଁ- ସେ ଯେତେ ବିଜ୍ଞତା, ଯେତେ ଯୁକ୍ତି ପରିବେଷଣ କରୁ ନା କାହିଁକି ଧୀମତ୍ତା ଭିତରୁ ନୁହେଁ” (ତତୈବ-ପୃ-୪୮)

 

ତାଙ୍କର ସ୍ମୃତିକଥା ମୂଳକ ପ୍ରବନ୍ଧଗୁଡ଼ିକ ମଧ୍ୟରେ ‘ଅବିସ୍ମରଣୀୟ’, ‘କାଳ ପରିପ୍ରେକ୍ଷୀରେ ଫକୀରମୋହନ ଓ ‘ନମସ୍କାର’ ଆଦି ଅନ୍ୟତମ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସହିତ ତାଙ୍କ ସ୍ୱୀୟ ଜନ୍ମମାଟିରେ ଏକ ଅନ୍ତରଙ୍ଗ ସାକ୍ଷାତ୍ ଅବସରରେ ଯେଉଁ ଆତ୍ମୀୟତା ଘଟିଥିଲା, ତାହା ତାଙ୍କ ଜୀବନରେ ଅବିସ୍ମରଣୀୟ ହୋଇଥିବା ପ୍ରସଙ୍ଗ ଏଥିରେ ବର୍ଣ୍ଣିତ । ମନୋଜ ବାବୁ ସ୍ୱୀକାର କରିଛନ୍ତି-। “ତାଙ୍କର ପ୍ରତ୍ୟେକ କଥା ଭିତରେ ମୁଁ ଅନୁଭବ କରୁଥିଲି କେତେ ବର୍ଷର ସଞ୍ଚିତ ସ୍ନେହ, ସୌହାର୍ଦ୍ଦ୍ୟ ଆଉ ଆତ୍ମୀୟତା’’ । (କାନ୍ତକବି ଲକ୍ଷ୍ମୀକାନ୍ତ ସ୍ମରଣିକା (୧୯୭୧) ସଂପାଦନା- ରବିନାରାୟଣ ସେନାପତି-ପୃ୯୬) । କବିଙ୍କ ସହିତ ମାର୍କସବାଦ ରାଜନୀତି ଆଲୋଚନା ବେଳେ କେତେକ କ୍ଷେତ୍ରରେ ମନୋଜବାବୁଙ୍କ ମତପାର୍ଥକ୍ୟ ଘଟିଥିଲା । ହଠାତ୍ ଦିନେ ସକ୍ଷାତ୍ ହେବାରୁ ସେ କହିଲେ, “ତୁମ ସହିତ ମୋର ଆଉ କିଛି ମତର ପାର୍ଥକ୍ୟ ନାହିଁ ମନୋଜ । ବାସ୍ତବିକ୍ ଏ ଜଗତ ପ୍ରତି ଏକାନ୍ତ ନିଷ୍ଠୁର ଭାବରେ ନିର୍ମମ ଭାବରେ ପ୍ରତିଶୋଧ ନେବା କଥା । ମୁଁ କହିଲି – “ଏ ଜଗତ ପ୍ରତି ନିଷ୍ଣୁର ଆଉ ନିର୍ମମ ଓ ମାର୍କସବାଦ ନୁହେଁ । ଆପଣ ଏକଥା କେମିତି କହୁଛନ୍ତି ? ସେ ଗମ୍ଭୀର ହୋଇଗଲେ । ମୁଁ କିନ୍ତୁ କଥାଟା କହିସାରି ଭାରି ଦୁଃଖିତ ହେଲି । ମଣିଷ ଜାତିକୁ ସଚେତନ କରିବାପାଇଁ ସାରାଜୀବନ ବ୍ୟାପୀ ଯେ କେବଳ ସାଧନାହିଁ କରି ଆସିଛି, ସେ କ’ଣ କେବେ ନିଷ୍ଠୁର ହୋଇପାରେ ?” (ତତୈବ-ପୃ୯୭)

 

ଫକୀରମୋହନ ଓଡ଼ିଆ ସାହିତ୍ୟରେ ଯଗୁଯୁଗ ପାଇଁ ମୃତ୍ୟୁଞ୍ଜୟୀ ହେବେ ଏବଂ ତାଙ୍କ ସାହିତ୍ୟ କାଳଜୟୀ ହେବ, ଏହି ବିଶ୍ୱାସକୁ ନେଇ ତାଙ୍କ ସାହିତ୍ୟକୁ ଆଲୋଚନା କରିବା ଅବସରରେ ତାଙ୍କର ଅଭିମତ ହେଉଛି, ଫକୀରମୋହନଙ୍କ ଉପନ୍ୟାସ ତୁଳନୀୟ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚିତ ହୋଇନାହିଁ ବା ହେବନାହିଁ କି ତାଙ୍କୁ ତୁଳନୀୟ ଗଳ୍ପ ବା ତା’ଠାରୁ ଅଧିକ ଆକର୍ଷଣୀୟ ଗଳ୍ପ ସୃଷ୍ଟି ହୋଇନାହିଁ କି ହେବନାହିଁ, ସେ କଥା ମଧ୍ୟ କେହି କହି ପାରିବେ ନାହିଁ । କିନ୍ତୁ ଫକୀରମୋହନଙ୍କ ସୃଷ୍ଟି ଯେଭଳି ତାତ୍ପର୍ଯ୍ୟପୂର୍ଣ୍ଣ ସେଭଳି ଅନନ୍ୟ । ଏ ପ୍ରସଙ୍ଗରେ ତାଙ୍କର ଉକ୍ତିଟି ହେଉଛି, “ଫକୀରମୋହନଙ୍କ ଠାରୁ ଗୋପୀନାଥ, ମନୋଜଦାସ ପର୍ଯ୍ୟନ୍ତ ଯେତେ ଲେଖକ ଅଛନ୍ତି ସେମାନଙ୍କ ଭିତରେ ପାର୍ଥକ୍ୟ ହେଉଛି ଫକୀରମୋହନଙ୍କ ଆଗରେ ଦୃଷ୍ଟାନ୍ତ ନଥିଲା, ସେ ଦୃଷ୍ଟାନ୍ତ ସୃଷ୍ଟିକଲେ । ଏହି ଦୃଷ୍ଟାନ୍ତ ଅନୁସରଣ କରିଚାଲିଛନ୍ତି ଓଡ଼ିଶାର ଅସଂଖ୍ୟ ଲେଖକ । ଅତଏବ୍ ଏହି ଯେଉଁ ମୌଳିକ ପାର୍ଥକ୍ୟ ତାକୁ ଭୁଲିଯାଇ ଫକୀରମୋହନଙ୍କୁ ମୂଲ୍ୟାୟନ କରିବା କେବେହେଲେ ସମ୍ଭପର ନୁହେଁ ।’’ (ବ୍ୟାସକବି ଫକୀରମୋହନ ସେନାପତି ୫୦ ତମ ଜୟନ୍ତୀ ସମାରୋହ ସ୍ମରଣୀକା) କାଳ ପରିପ୍ରେକ୍ଷୀରେ ଫକୀରମୋହନ (ପ୍ରବନ୍ଧ) - ମନୋଜ ଦାସ-ପୃଷ୍ଠାଙ୍କ ନାହିଁ) ଫକୀରମୋହନଙ୍କ ପ୍ରତିଭା ବିଷୟରେ ସ୍ମରଣ କରିବାକୁ ଯାଇ ଲେଖକ କହିଛନ୍ତି, “ଜଣେ ମଣିଷ କେତେ ପ୍ରଚଣ୍ଡ ପ୍ରାଣର ବଶବର୍ତ୍ତୀ ହୋଇ ଯେଉଁସବୁ ଉପନ୍ୟାସ ଓ ଗଳ୍ପ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି, ସେ ସବୁ କାଳର ପରିପ୍ରେକ୍ଷୀରେ ଯେତେବେଳେ ଆଲୋଚନା କରିବା ସେତେବେଳେ ବିସ୍ମୟ-ବିସ୍ମୟ ବିସ୍ମୟଛଡ଼ା ଆଉ କିଛି ନେଇ ଆମେ ଫକୀରମୋହନଙ୍କ ଆଡ଼କୁ ଦୃଷ୍ଟି ଦେଇ ପାରିବା ନାହିଁ । ସେ ଏକ ବିସ୍ମୟ । ସେ ଏକ ପ୍ରତିଭା । ସେ ଏକ ଅନନ୍ୟ ପ୍ରତିଭା । ସେ ଏକ ପ୍ରେରଣାର ପ୍ରତିମୂର୍ତ୍ତି” । ତାଙ୍କ ସାହିତ୍ୟର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରଭାବ ପ୍ରସଙ୍ଗରେ କହିଛନ୍ତି । “ଯେତେବେଳେ ଚନ୍ଦ୍ରାଲୋକରେ ଆମେ ବସିରହୁଁ ସେତେବେଳେ ଆମେ ବୁଝିପାରୁନା ଯାହାକୁ ଆମେ ଚନ୍ଦ୍ରଲୋକ ବୋଲି କହୁଁଛୁ ସେ ସୂର୍ଯ୍ୟ କିରଣର ପ୍ରତିବିମ୍ବ ମାତ୍ର ଏବଂ ମୋ ଭିତରେ ଗୋପୀନାଥ, କାଳିନ୍ଦୀ, ବାକି ସବୁ ଲେଖକଙ୍କ ମଧ୍ୟରେ ଆପଣ ଫକୀରମୋହନଙ୍କୁ ପାଇବାକୁ ବାଧ୍ୟ କାରଣ ଫକୀରମୋହନଙ୍କ ପ୍ରଭାବକୁ ବାଦ୍‌ଦେଇ କୌଣସି ସାହିତ୍ୟ ଓଡ଼ିଆରେ ସୃଷ୍ଟି ହୋଇ ପାରେନା । ସେ ପ୍ରଭାବ ପ୍ରକାଶ୍ୟ ହୋଇପାରେ, ଅପ୍ରକାଶ୍ୟ ହୋଇପାରେ, କିନ୍ତୁ ସୂର୍ଯ୍ୟର କିରଣକୁ ବିକିରଣ କରି ଚନ୍ଦ୍ର ଏକ ନୂତନ ଭ୍ରମ ସୃଷ୍ଟି କରେ, ଏକ ନୂତନ ଇଲ୍ୟୁଜନ ସୃଷ୍ଟିକରିପାରେ, ଏକ ନୂତନ ଆନନ୍ଦ ସୃଷ୍ଟି କରିପାରେ । କେବଳ ସାହିତ୍ୟ ବା ସୃଜନଶୀଳତା କ୍ଷେତ୍ରରେ ଆମେ ଯେଉଁ ପ୍ରଭାବ କଥା ବୁଝୁ ସେ ପ୍ରଭାବ ଯେମିତି ଆକାଶର ସୂର୍ଯ୍ୟାଲୋକ, ପାଣି, ପ୍ରବନ ପୃଥିବୀର ମାଟିକୁ ନେଇ ଫୁଟିଥିବା ଫୁଲଟିଏ ପରି । ଏସବୁର ପ୍ରଭାବ ଫୁଲ ଉପରେ ରହିଛି ବୋଲି ଫୁଲର କିଛି କମ୍ ଗୁଣ ନାହିଁ । ସେପରି ଯେତେ ସୃଜନଶୀଳ ପ୍ରତିଭା ଫକୀରମୋହନଙ୍କ ଦ୍ଵାରା ପ୍ରଭାବିତ ହୋଇଛନ୍ତି ସେ ସବୁ ପ୍ରତିଭାର ମୂଲ୍ୟ କିଛି କମ୍ ନୁହେଁ । କିନ୍ତୁ ଯେ ଆଧୁନିକ ସାହିତ୍ୟ ପଢ଼ିବ ସେ ପ୍ରତ୍ୟକ୍ଷ ଫକୀରମୋହନଙ୍କୁ ପଢ଼ି ନଥିଲେ ମଧ୍ୟ ତାଙ୍କୁହିଁ ସେ ପଢ଼ୁଛି ।” ପୁନଶ୍ଚ ଫକୀରମୋହନଙ୍କ ଭଳି ସାରସ୍ୱତ ପ୍ରତିଭାର ଉନ୍ମେଷ ବିଷୟରେ ସେ କହିଛନ୍ତି,” ଫକୀରମୋହନଙ୍କ ସାହିତ୍ୟିକ କାର୍ଯ୍ୟକଳାପ ତାଙ୍କ ସାହିତ୍ୟ ସୃଷ୍ଟିର ଆରମ୍ଭ ହୋଇଥିଲା ମହାଭାରତର ଅନୁବାଦ କରିବାରେ ଅର୍ଥାତ୍ ଏକ ମହାକାବ୍ୟର ଚେତନା ଭିତରୁ ସେ ତାଙ୍କର ସୃଜନଶୀଳତାକୁ ଆହରଣ କରିଥିଲେ । ଏ ହେଉଛି ସବୁଠାରୁ ବଡ଼ ସିକ୍ରେଟ । ମହାକାବ୍ୟର ଚେତନା ହେଉଛି ଏଭଳି ଏକ ଚେତନା ଯେଉଁ ଚେତନା ନ୍ୟାୟ, ଅନ୍ୟାୟ, ଭଲମନ୍ଦ, ସୁଖଦୁଃଖ ଏସବୁ ସଂପର୍କରେ ଆମର ଯେଉଁ ସୀମିତ ଦୃଷ୍ଟିକୋଣ ତାକୁ ଭାଙ୍ଗିଦିଏ ଏବଂ ତାକୁ ବ୍ୟାପକତାର, ବହୁପ୍ରସାରିତ କରିଦିଏ ।x x x x । ଫକୀରମୋହନ ଯେହେତୁ ମହାକାବ୍ୟ ଭିତରୁ ତାଙ୍କ ସୃଜନଶୀଳ ପ୍ରେରଣାର-ଉତ୍ସ ଖୋଜି ନେଇଥିଲେ ତେଣୁ କରି ଆମେ ତାଙ୍କ ସାହିତ୍ୟରେ ଦେଖୁ ଏହିସବୁ ଅପୂର୍ବଗୁଣର ସମାବେଶ । ବିଦ୍ରୁପ ସହ ବ୍ୟାପକ ସହାନୁଭୂତି, ବିରକ୍ତି ସହ ସ୍ନେହ ଏବଂ ଧୈର୍ଯ୍ୟଶୀଳତା, ଗୋଟିଏ ଦୃଷ୍ଟାନ୍ତ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛି. ‘ରେବତୀ’ ଯାହାକୁକି ଅନେକେ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଗଳ୍ପ କହିଥାନ୍ତି ବା ‘ରାଣ୍ଡିପୁଅ ଅନନ୍ତା’ ଯାହା ତାଙ୍କର ଦ୍ୱିତୀୟ ଶ୍ରେଷ୍ଠ ଗଳ୍ପ ବୋଲି କଥିତ । ଏଦୁଇଟିର ଯେଉଁ ମହାନ୍ କାହାଣୀ ତା’ ଭିତରୁ ମୁଁ ରେବତୀର କାହାଣୀ କହୁଛି l ଏତେବଡ଼ କ୍ଲାସିକ୍ ଗପ ପୃଥିବୀ ସାହିତ୍ୟ ଇତିହାସରେ ବିରଳ । ଆମକୁ ମନେ ରଖିବାକୁ ପଡ଼ିବ ଟ୍ରାଜେଡ଼ି ଦ୍ୱାରା ଲୋକଙ୍କୁ ମୁଗ୍‍ଧ କରିବା ଅପେକ୍ଷାକୃତ ସହଜ ।xxxx. ରେବତୀ ଗଳ୍ପରେ ଗୋଟିଏ ଗାଉଁଲି ଝିଅ, ଦୂରାଗତ ଶିକ୍ଷକଟିଏର ଚମତ୍କାର ରୋମାନସ୍ ଗୋଟିଏ ମିଳନାନ୍ତକ କାହାଣୀର ଉଷାଲୋକ ବୋଲି କୁହାଯାଇପାରେ । ହଠାତ୍ ଦୁର୍ଭାଗ୍ୟର ଚାବୁକ୍ ସେମାନଙ୍କୁ ଆକ୍ରମଣ କରୁଛି । ସେହି ଚାବୁକର ଆଘାତରେ ଜଣ ପରେ ଜଣେ ଟଳି ପଡ଼ୁଛନ୍ତି । ଶେଷ ପର୍ଯ୍ୟନ୍ତ ବିଚରା ବୁଢ଼ୀଟି ଲୋ ରେବତୀ-ଲୋ ରେବୀ- ଲୋ ନିଆଁ - ଲୋ ଚୁଲ୍ଲୀ ଚିତ୍କାର କରି ତା’ର କଣ୍ଠସ୍ୱର ମଧ୍ୟ ଧୀରେ ଧୀରେ ବିଲୀନ ହୋଇଯାଉଛି । ଏତେବଡ଼ ଟ୍ରାଜେଡି ୟାକୁ ଲେଖିବାପାଇଁ ପ୍ରୟୋଜନ ଏକ ଦାମ୍ଭିକତା, ଏକ ସୃଜନଶୀଳ, ଦାମ୍ଭିକତା । ଗୋଟେ ବିରାଟ ଆତ୍ମବିଶ୍ୱାସ । xxxx ଗଳ୍ପପଢ଼ି ଆପଣଙ୍କ ରସାପ୍ଲୁତ ହୃଦୟରେ ହତାଶାବୋଧ ଆସେନା, ଦୁଃଖ ଆସେ, ସହାନୁଭୂତି ଆସେ କିନ୍ତୁ ହତାଶା ନୁହେଁ, ତା’ର କାରଣ ହେଉଛି ଏ ସମସ୍ତ ଟ୍ରାଜେଡ଼ି ଓ କମେଡ଼ିର ସମାହାରରେ ଯେଉଁ ପୃଥିବୀ ତା’ର ପଟ୍ଟଭୂମିରେ ରହିଛି ଏକ ବିରାଟ ଚେତନା, ସେହି ଚେତନା ଉପରେ ଲେଖକଙ୍କର ବିପୁଳ ଆସ୍ଥା । ଯେଉଁ ଆସ୍ଥା ଥିବା ଯୋଗୁଁ ସେ ଲେଖିବାକୁ ତିଆରି କରୁଛନ୍ତି । ପୃଥିବୀର କୌଣସି ଲେଖକ ସଂମ୍ପୂର୍ଣ୍ଣ ଭାବରେ ହତାଶବାଦୀ ହୋଇ ପାରେନା, ଯଦି ସେ ହତାଶବାଦୀ ହୋଇପାରିଥାନ୍ତା ତେବେ ସେ ଲେଖିବାକୁ ଖାତିର କରନ୍ତା ନାହିଁ । ଯଦି ତା’ର ଆଶାହିଁ ତେବେ ସେ କାହା ପାଇଁ ଲେଖିବ ? xxxx ସିମିତି ଯେତେବେଳେ ଫକୀରମୋହନ ରେବତୀ ଲେଖିଛନ୍ତି ସେତେବେଳେ ସମଗ୍ର ହତାଶବୋଧ ପଛରେ ରହିଛି ଏକ ବିରାଟ ଆସ୍ଥା; ସେ ଆସ୍ଥା ହେଉଛି ମଣିଷ ଭିତରେ ସହାନୁଭୂତିର ଉଦ୍ରେକ । ବିଦ୍ରୁପ ଅଥଚ ମହାନୁଭୂତି । ଯେଉଁ ବୁଢ଼ୀଟି ରେବତୀକୁ ଗାଳି ଦେଇଛି, ଅଭିଶାପ ଦେଉଛି ତା’ ଧାରଣା ରେବତୀ ପାଠ ପଢ଼ି ଶିଖିଲା ବୋଲି ଏଭଳି ଦୁର୍ଦ୍ଦଶା ତା’ର ହେଲା । ହାୟ ! ଆମେ ଜାଣୁ ସେ ବୁଢ଼ୀ କୁସଂସ୍କାରାଚ୍ଛନ୍ନ, କିନ୍ତୁ ଗୋଟାଏ ମୁହୂର୍ତ୍ତରେ ଆପଣ ସେ ବୁଢ଼ୀପ୍ରତି ବିରକ୍ତ ହୋଇ ପାରିବେ ନାହିଁ । (ତତ୍ରୈବ) ଅତଏବ ଯେଉଁ କଥାସାହିତ୍ୟର ପରମ୍ପରା ଦିନେ ଭାରତୀୟ ପଞ୍ଚତନ୍ତ୍ର, କଥାସରିତ ସାଗର, ରାମାୟଣ, ମହାଭାରତ ଆଦି ମହାକାବ୍ୟ, ବୌଦ୍ଧ ଜାତକର କାହାଣୀମାଳା, ଲୋକ କଥା ଦେଇ ଗଢ଼ି ଆସିଥିଲା, ଫକୀରମୋହନଙ୍କ ଲେଖନୀ ସ୍ପର୍ଶରେ ଚାହା ପରିପୁଷ୍ଟ ଓ ପୁଷ୍ପଳ ହୋଇଥିଲା ।

 

ଆଜିର ଫକୀରମୋହନ ମହାବିଦ୍ୟାଳୟ ଅତୀତର ପୁରୁଣା ବାଲେଶ୍ୱର ଜିଲ୍ଲା ସ୍କୁଲ । ଅଧିମଗ୍ନ ତପସ୍ୱୀ ସମ ଏହି ଅନୁଷ୍ଠାନଟିରେ ମନୋଜବାବୁଙ୍କ ସ୍କୁଲ ଜୀବନ ଓ କଲେଜ ଜୀବନର ସ୍ମୃତି ବିଜଡ଼ିତ କେତୋଟି ବର୍ଷ ଅତିବାହିତ ହୋଇଥିଲା । ସେହି ମହାନ୍ ଅନୁଷ୍ଠାନଟି ଯୌବନର ପଚାଶବର୍ଷ ପଦାର୍ପଣ କରିବା ଅବସରରେ ତା’ର ବହୁ କୃତୀ ସନ୍ତାନମାନେ ସେମାନଙ୍କ ହୃଦୟର ସ୍ମୃତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅନୁଷ୍ଠାନର ଦୀର୍ଘାୟୁ କାମନା କରି ନିଜ ନିଜର ପ୍ରଣତି ବାଢ଼ିଛନ୍ତି-। ଏହି ଅବକାଶରେ ଲେଖକ ମଧ୍ୟ ବିଗତ ଜୀବନର ସ୍ମୃତି ପୃଷ୍ଠାକୁ ରୋମନ୍ଥନ କରି ନିଜର ବହୁ ଅନ୍ତରଙ୍ଗ ବନ୍ଧୁ ଅଗ୍ରଜ ଓ ଗୁରୁ ପ୍ରତିମମାନଙ୍କ କଥାକୁ ମନେପକାଇ ଆବେଗଭରା କଣ୍ଠରେ କହିଛନ୍ତି, ଆଜି ଓଡ଼ିଶା ଏବଂ ଭାରତବର୍ଷର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ‘ଶାନ୍ତିକାନନ’ ଏକ କର୍ମମୁଖର ଉଜ୍ଜ୍ୱଳ ପ୍ରତିଷ୍ଠାନ, ତାହା ବାଲେଶ୍ୱରର ସୁଧୀ ସମାଜର ସଚେତନତାର ସାକ୍ଷ୍ୟ । ସେହି କୋଠାକୁ ସେହି ‘ଶାନ୍ତିକାନନ’କୁ ନମସ୍କାର ଜଣାଉଛି । ନମସ୍କାର ଜଣାଉଛି’ ବାଲେଶ୍ଵର ସହରର ଆତ୍ମା-ପୁରୁଷଙ୍କ ଉଦ୍ଦେଶ୍ୟରେ । ସହରର ତତ୍‍କାଳୀନ ବାତାବରଣ ଏ ସାମାନ୍ୟ ଲେଖକର ବିକାଶ ଦିଗରେ ଯେଉଁ ଉଦାର ପୃଷ୍ଠପୋଷକତା କରିଥିଲା, ତାହା ତା’ପାଇଁ ଅମୂଲ୍ୟ, ସେ ଉଦାରତାର ଅଭିବ୍ୟକ୍ତି ଘଟିଥିଲା ଖାଲି ମୋର ସମବୟସ୍କ ବନ୍ଧୁମାନଙ୍କର ପ୍ରୀତି ମାଧ୍ୟମରେ ନୁହେଁ, ବୟସ୍କମାନଙ୍କର ଅପ୍ରତ୍ୟାଶିତ ସ୍ନେହବର୍ଷା ମାଧ୍ୟମରେ ମଧ୍ୟ ।” ସେ ପୁଣି କହିଛନ୍ତି” ମୋର ଅଗ୍ରଜ ସ୍ଥାନୀୟ ଏସମସ୍ତଙ୍କୁ ଆଜି ମୋର ନମସ୍କାର । xxxx ବିକାଶର ଯେଉଁ ପର୍ଯ୍ୟାୟରେ ଅନୁଗତ ବନ୍ଧୁ ପାଇବା ସୌଭାଗ୍ୟ ବିଧି ସେତେବେଳେ ମୋତେ ସୌଭାଗ୍ୟବାନହିଁ କରିଛି । xxxx ଆଜି ଏ ସମସ୍ତଙ୍କୁ ମୋର ନମସ୍କାର ।” ଆଉ ଗୁରୁଜନକୁଳମାନଙ୍କ ପ୍ରତି ଛାତ୍ର ଜୀବନରେ କରିଥିବା ଅନ୍ୟାୟ ଅଧିଶୋଚନା ସ୍ୱୀକାର କରି ଯେଉଁ ଆତ୍ମସନ୍ତୋଷ ଲାଭ କରିଛନ୍ତି, ତାହା ତାଙ୍କ ମହାନ୍ ଗୁରୁଭକ୍ତିର ନିଦର୍ଶନ । ଛାତ୍ର ନେତା ଭାବରେ ଚାଣକ୍ୟ କୁଟନୀତି ପ୍ରୟୋଗ କରି ପି. ଏସ. ସୁନ୍ଦରମ୍‍ଙ୍କ ଭଳି କଠୋରପନ୍ଥୀ ଶାସକ ଅଧ୍ୟକ୍ଷଙ୍କୁ କଲେଜରୁ ବଦଳି କରିବାର ଭୂମିକା ନେଇଥିବା ମନୋଜବାବୁ ଦୀର୍ଘ ପଚିଶ କି ଅଧିକ ବର୍ଷପରେ ବମ୍ବେ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ବତ୍କୃତା ସଭାରେ ଯୋଗଦେବା ଅବସରରେ । ତାଙ୍କ ସହିତ ହଠାତ୍ ସାକ୍ଷାତ୍ ହେବା ପ୍ରସଙ୍ଗକୁ ନିଜ ଭାଷାରେ ବର୍ଣ୍ଣନା କରିଛନ୍ତି । “ସଭା କାର୍ଯ୍ୟ ଆରମ୍ଭ ହେଲା । ସେ ବସିଥାନ୍ତି ପ୍ରଥମ ଧାଡ଼ିରେ । ବହୁ ଦିନ ପରେ ଗୋଟିଏ ବିସ୍ତୃତ ଆତଙ୍କର ଝଲକ ଛାତି ଭିତରେ ଖେଳିଗଲା । ମୁଁ ଠିକ୍ ଇଂରେଜୀ କହୁଛି ତ ? ମାଷ୍ଟ୍ରଙ୍କୁ ଆଗରେ ଦେଖି ଶଙ୍କିଯିବାର ଅବଚେତନ ଅଭ୍ୟାସକୁ ଉତ୍ତୀର୍ଣ୍ଣ ହୋଇ ନଥିଲି । ତାଙ୍କ ନିର୍ଦ୍ଦେଶ ମାନିନେଇ, ପରଦିନ ତାଙ୍କ ବସାକୁ ଯାଇ ତାଙ୍କ ସହ ଦିବାହାର କଲି । ତାଙ୍କ ମନରେ ନିର୍ମଳ ସ୍ନେହଛଡ଼ା ଆଉ କିଛି ନଥିଲା, ତିକ୍ତତା ତ ତିଳେ ବି ନୁହେଁ । ଶିକ୍ଷକ ଜାତିର ମହତ୍ ପରମ୍ପରା ଅନୁସାରେ ସେ ଏ ଛାତ୍ରଟିର ଦୁଷ୍ଟାମି ବହୁକାଳରୁ କ୍ଷମା କରିସାରିଥିଲେ ।” ସେ ପୁଣି ଅଧ୍ୟାପକ ଶ୍ରୀଯୁକ୍ତ ହରେନ୍ଦ୍ର ପ୍ରସାଦ ମହାନ୍ତି ଉପରେ ଅସନ୍ତୁଷ୍ଟ ହୋଇ ଟ୍ୟୁଟୋରିଆଲ୍ କ୍ଲାସରେ ‘ତକିଆର ଆତ୍ମକଥା” ପ୍ରବନ୍ଧ ଲେଖିବା ବିଷୟକୁ ‘ନିଆଖୁଣ୍ଟା’ ପତ୍ରିକା ମାଧ୍ୟମରେ ବିଦ୍ରୁପ କରିବା କଥା ସ୍ୱୀକାର କରି ଲେଖିଛନ୍ତି,” ଅଥଚ ସେଭଳି ବିଷୟବସ୍ତୁ ବରାଦ କରିବାରେ ତାଙ୍କର ମୌଳିକତା ହିଁ ଥିଲା । ସେ ମୋତେ କ୍ଷମା କରିଛନ୍ତି, ମୁଁ କିନ୍ତୁ ନିଜକୁ କ୍ଷମା କରିପାରିନାହିଁ ।” ଜିଲ୍ଲାସ୍କୁଲର ଛାତ୍ରଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ଭି. ଭି. ଜନ୍ । ଦିନେ ଲେଖକ ଜୟପୁରରୁ ଯୋଧପୁର ଯିବା ଅବସରରେ ତାଙ୍କ ସହିତ ସାକ୍ଷାତ୍ ବିମାନଭିତରେ ଘଟିଥିଲା । ସେ ପ୍ରସଙ୍ଗ ଅବତରଣ କରି ଲେଖିଛନ୍ତି । “ଯୋଧପୁର ବିମାନବନ୍ଦରରେ ଅବତରଣ ପରେ ସେ ଓ ମୁଁ ଜାଣିଲୁଁ, ଯେଉଁଥିରେ ସେ ସଭାପତିତ୍ୱ କରିବେ, ତାହା ମୋହରି ପାଇଁ ଆୟୋଜିତ ସଭା । ବକ୍ତାରୂପେ କ’ଣ କହିଥିଲି ମନେ ନାହିଁ; ସଭାପତି ରୂପେ ଭି.ଭି.ଜନ୍ ଯେଉଁ ସ୍ନେହପୂର୍ଣ୍ଣ କଥାଟିମାନ କହିଥିଲେ, ତାହା ଭୁଲି ନାହିଁ । ଗୁରୁଜାତିକୁ ନମସ୍କାର । ନମସ୍କାର ଫକୀରମୋହନ କଲେଜକୁ । ନମସ୍କାର ବାଲେଶ୍ୱର ଜିଲ୍ଲାସ୍କୁଲକୁ” । (ସୁବର୍ଣ୍ଣ ସ୍ମାରକୀ (୧୯୯୫)-ପୃ୫୩/୫୪)

 

ଉପରୋକ୍ତ ପ୍ରବନ୍ଧ ଗୁଡ଼ିକରେ ପାଠକ ଯେପରି ବୌଦ୍ଧିକ ଆତ୍ମତୃପ୍ତି ପାଇଥାଏ, ସେପରି ତା’ ହୃଦୟରେ ଗଭୀର ଅନ୍ୱେଷା ଶକ୍ତି ଜାତ ହୋଇଥାଏ । କାନ୍ତକବି ଓ ବ୍ୟାସକବିଙ୍କୁ ଚିହ୍ନିବା ଓ ତାଙ୍କ ସାହିତ୍ୟ ସମୀକ୍ଷା କରିବାର ଏକ ନୂତନ ପ୍ରେରଣା ପାଠକ ସର୍ବଦା ତାଙ୍କ ପ୍ରବନ୍ଧ ଦୁଇଟିରୁ ପାଇଥାଏ ।

 

ଆଜି ଓଡ଼ିଶା ଏବଂ ଭାରତ ବର୍ଷର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ତଥା ଭାରତ ସରକାର ଯଥା -ଡଗରସମ୍ମାନ (୧୯୬୨), (ଗଳ୍ପବିଭାଗ ପାଇଁ), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୫, ଆରଣ୍ୟକ-ଗଳ୍ପଗ୍ରନ୍ଥ ପାଇଁ) ଝଙ୍କାର ପୁରସ୍କାର (୧୯୭୧ ଗଳ୍ପ ବିଭାଗ ପାଇଁ) ‘ଥଟ’ ସମ୍ବାଦିକତା ପୁରସ୍କାର (୧୯୭୧, ସ୍ତମ୍ଭ ଲେଖା ପାଇଁ), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୧, କଥା ଓ କାହାଣୀ, ପୁସ୍ତକ ପାଇଁ) ପ୍ରଜାତନ୍ତ୍ର ବିଷୁବ ପୁରସ୍କାର (୧୯୮୬), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱିତୀୟ ଥର ପାଇଁ (୧୯୮୯, କେତେ ଦିଗନ୍ତ’ ପ୍ରବନ୍ଧ ସଂକଳନ ପାଇଁ), ସାହିତ୍ୟ ଭାରତୀ ସମ୍ମାନ (୧୯୯୪), ଭାରତୀୟ ଭାଷା ପରିଷଦ ସମ୍ମାନ (କଲିକତା - ୧୯୯୫), ବାପାସି ସମ୍ମାନ - ୧୯୯୮, ଦକ୍ଷିଣ ଭାରତ ବିକ୍ରେତା ଏବ ପ୍ରକାଶକ ସଂସ୍ଥାଦ୍ଵାରା ଶ୍ରେଷ୍ଠ ଭାରତୀୟ ଇଂରାଜୀ ଲେଖକରୂପେ, ‘ପଦ୍ମଶ୍ରୀ’ ସମ୍ମାନ (୨୦୦୧), ସରସ୍ୱତୀ ସମ୍ମାନ ୨୦୦୦-୨୦୦୧, ‘ଅମୃତ ଫଳ’ ଉପନ୍ୟାସ ପାଇଁ ଆଜି ସର୍ବଶ୍ରେଷ୍ଠ ସମ୍ମାନରେ ଭୂଷିତ କରି ତାଙ୍କ ସମୃଦ୍ଧ ସାରସ୍ଵତ କୃତିକୁ ସ୍ୱୀକୃତି ଜଣାଇ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ଉତ୍କଳ କେଶରୀ ମହତାବଙ୍କ ଭାଷାରେ “ସାହିତ୍ୟ କ୍ଷେତ୍ରରେ ମନୋଜ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛି । ଏହା ଭାବିଲେ ମନ ଗର୍ବରେ ଫୁଲି ଉଠେ ।xxxx । ଯାଉ ସେ ଉପରକୁ ଉପରକୁ, ତା’ରି ଦ୍ଵାରା କେବଳ ଓଡ଼ିଆ ସାହିତ୍ୟ ନୁହେଁ ଭାରତୀୟ ସାହିତ୍ୟ ଉଦ୍‌ବୁଦ୍ଧ ହେଉ । ମନୁଷ୍ୟ ଭଗବାନର ଶ୍ରେଷ୍ଠ ସାର୍ଥକତା ସେ ଲାଭକରୁ ।’’ (ସାହିତ୍ୟ ସାଧକ ମନୋଜ ଦାସ -ସ:ଡଃ ବାଉରୀବନ୍ଧୁ କର-ପୃ-୨) ଏହି ଉକ୍ତିରୁ ତାଙ୍କ ବିଶ୍ୱବନ୍ଦନୀୟ ସାରସ୍ଵତ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ । ଭଗବାନ କରନ୍ତୁ, ତାଙ୍କ ତପସ୍ୟା ଓ ସାଧନାର ମାର୍ଗ କୁସୁମିତ ହେଉ । ଭାଗୀରଥୀ ସମ ସାହିତ୍ୟ ରୂପକ ପବିତ୍ର ଗଙ୍ଗାଧାରରେ ଉତ୍କଳ ସାରସ୍ଵତ ଭୂମିକୁ ପୂତ ଓ ସ୍ୱର୍ଗୀୟ କରି ତୋଳନ୍ତୁ । ଈଶ୍ଵରଙ୍କଠାରେ ଏହାହିଁ କାମନା ।

 

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟ

ମିତ୍ରପୁର, ବାଲେଶ୍ୱର

 

***

 

କବିତାରେ ରୂପତତ୍ତ୍ୱ

ପ୍ରଭାତୀ ରଥ

 

ରୂପ କାବ୍ୟାନୁଭବର ଏକ ଉଲ୍ଲେଖନୀୟ ବିଷୟ । ଏହା ମୁଖ୍ୟତଃ ଇନ୍ଦ୍ରିୟଗତ ବ୍ୟାପାର ଏବଂ କବିର ପ୍ରତ୍ୟକ୍ଷାନୁଭୂତିର ସ୍ତର । ଯେଉଁଠାରେ ରୂପ, ସେହିଠାରେ ସୌନ୍ଦର୍ଯ୍ୟର ସମାବେଶ । ଦ୍ରଷ୍ଟାର ଭାବବୋଧକୁ ନେଇ ସୌନ୍ଦର୍ଯ୍ୟର ଲୀଳାଭୂଇଁ ପରିବ୍ୟାପ୍ତ । ସୌନ୍ଦର୍ଯ୍ୟ ବିହିତ ଯେ କୌଣସି ବସ୍ତୁ ସନ୍ଦର୍ଶନ କାଳରେ ତାହା ପ୍ରେମର ସାମଗ୍ରୀ ହୋଇଉଠେ । ଅତଏବ ପ୍ରେମ ଏବଂ ସୌନ୍ଦର୍ଯ୍ୟ ମଧ୍ୟରେ ଏକାତ୍ମ ଭାବହିଁ କଳାକୃତିକୁ ସାର୍ଥକ କରେ । ତେଣୁ ପ୍ରେମ ସଂପର୍କିତ ପ୍ରତ୍ୟେକ ବସ୍ତୁ ଯେତିକି ଆତ୍ମୀୟ ସେହିପରି ପ୍ରଭାବଶାଳୀ ।

 

ଶିଳ୍ପୀର ସୃଷ୍ଟି ପ୍ରକ୍ରିୟା ସହ ସୌନ୍ଦର୍ଯ୍ୟବୋଧ ଜଡ଼ିତ; ସୌନ୍ଦର୍ଯ୍ୟ ବିନା କଳା ନିରର୍ଥକ । ସାହିତ୍ୟ ଉଭୟ ବସ୍ତୁ ଓ ସୌନ୍ଦର୍ଯ୍ୟର ପ୍ରକାଶକ । ଦ୍ରଷ୍ଟାର ଅନ୍ତରାନୁଭୂତି ସହ ଏକ ନିବିଡ଼ ଭାବ ସଂପୃକ୍ତି ଫଳରେ ରୂପର ପ୍ରତିଷ୍ଠା ଘଟେ । ରୂପକୁ ଭିତ୍ତିକରି କ୍ରମଶଃ ସୌନ୍ଦର୍ଯ୍ୟାନୁଭୂତି ପ୍ରକାଶ ପାଏ-। ବସ୍ତୁତଃ ଏକ ଅପୂର୍ବ ରସାନୁଭୂତ ଓ ରସାନନ୍ଦ ଲାଭ ନିମନ୍ତେ କବିତାରେ ରୂପର ପ୍ରୟୋଜନୀୟତା ଅନସ୍ୱୀକାର୍ଯ୍ୟ ।

 

ସୌନ୍ଦର୍ଯ୍ୟ ବୋଧ ବ୍ୟକ୍ତିଗତ ମାତ୍ର ସୌନ୍ଦର୍ଯ୍ୟ ଦୃଷ୍ଟି ସାର୍ବଜନୀନ । ଯାହା ଦେଶ, କାଳ ପାତ୍ର ନିର୍ବିଶେଷରେ ସମସ୍ତଙ୍କର ପ୍ରାଣକୁ ଆକୃଷ୍ଟ କରେ । କୌଣସି ଭୌଗୋଳିକ ସୀମା ମଧ୍ୟରେ ତାହାକୁ ସୀମିତ କରାଯାଇ ପାରେ ନାହିଁ । ସାର୍ଥକ କଳା ସର୍ବକାଳର । ସର୍ବଦେଶର । ଅବଶ୍ୟ ସୌନ୍ଦର୍ଯ୍ୟ ଦର୍ଶନରେ ମାନବୀୟ ଶିକ୍ଷ୍ୟ । ରୁଚି ଓ ହୃଦୟ ଭାବ ଘେନି ଭିନ୍ନତା ପରିଲକ୍ଷିତ ହେବା ସ୍ୱାଭାବିକ ରୂପାନ୍ୱେଷୀ କବି ଚେତନାରେ ପ୍ରକୃତ ସୌନ୍ଦର୍ଯ୍ୟର ମହତ୍ତ୍ୱ ସ୍ୱକୀୟ ହୃଦୟ ବୃତ୍ତିକୁ ପ୍ରକଟିତ କରିଥାଏ । ଆଞ୍ଚଳିକତା ସଂକୀର୍ଣ୍ଣତା ଶିଳ୍ପୀ ପ୍ରାଣର ଭାବାବେଗକୁ ବାନ୍ଧିରଖି ପାରେ ନାହିଁ । ବରଂ ଏହା ଏକ ଅନନ୍ୟ ଅନୁଭବ ମଧ୍ୟରେ ଇନ୍ଦ୍ରିୟ ତୃପ୍ତି ସାଧନରେ ସହାୟକ ହୁଏ । ମନୁଷ୍ୟ ଦେବତ୍ୱ ଲାଭ କରେ । ଏହା ଇନ୍ଦ୍ରିୟଗତ ହେଲେହେଁ ଅତିନ୍ଦ୍ରିୟ ଚେତନା ଫରକ । ସ୍ରଷ୍ଟାର ସୃଜନଶୀଳ ଚେତନାରେ ନିର୍ଦ୍ଦିଷ୍ଟ ସୌନ୍ଦର୍ଯ୍ୟର ଚମତ୍‍କାରିତା ସମୟଗତ ବ୍ୟବଧାନରେ ଖଣ୍ଡିତ ହୋଇନଥାଏ ବରଂ ନିତ୍ୟନୂତନ ଭାବ ନେଇ ସମୁଦ୍‍ଭାସିତ ହୋଇଉଠେ ।

 

ପରିଦୃଶ୍ୟମାନ ଜଗତ ଏକ ବିଚିତ୍ର ଚିତ୍ରଶାଳା । କବି ମଣିଷଟି ବାସ୍ତବ ଜଗତରୁ ସୁନ୍ଦର ଉପାଦାନ ଗ୍ରହଣ କରି ଆପଣାର ମନମଧୁ ମିଶାଇ କବିତାର ରୂପ ଦିଏ । ଅନୁଭୂତିର ନିବିଡ଼ତା, ଜୀବନ ଓ ଜଗତ ସଂପର୍କିତ ବିପୁଳ ଅଭିଜ୍ଞତା । କଳ୍ପନା ପ୍ରବଣତାକୁ ନେଇ କବିତାରେ ନିଜକୁ ଅଭିବ୍ୟକ୍ତ କରେ । ସତ୍ୟ, ଶିବ ଓ ସୁନ୍ଦରର ସମନ୍ୱୟରେ କବିତା କଥା ହୁଏ ଜଗତର କଥା । କବି ବାଣୀରେ ନିତ୍ୟକାଳର ମଣିଷର ଛବି ଦିଶିଯାଏ । ବିଶ୍ୱ ମଣିଷ ମଧ୍ୟରେ ନିଜକୁ ଏବଂ ନିଜ ମଧ୍ୟରେ ବିଶ୍ୱୈକ ପ୍ରାଣତାକୁ ନେଇ ଶିଳ୍ପୀ ହୁଏ କାଳଜୟୀ ।

 

ସୌନ୍ଦର୍ଯ୍ୟ ଏକ ଅନିର୍ବଚନୀୟ ଆନନ୍ଦାନୁଭବ । ଏହା ଆଦର୍ଶ ସ୍ଥାନୀୟ ଏବଂ ମହତ୍ ଭାବାଶ୍ରିତ । ପରିବର୍ତ୍ତିତ ସମୟର ପ୍ରବାହରେ ଆବଶ୍ୟକତାନୁଯାୟୀ କବିତାର ରୂପଭେଦ ଘଟିଥିଲେ ହେଁ ତା’ର ଆତ୍ମିକ ସୌନ୍ଦର୍ଯ୍ୟ ଅପରିବର୍ତ୍ତନୀୟ ଓ ଶାଶ୍ଵତ । ପ୍ରାଥମିକ ସ୍ତରରେ ପ୍ରତ୍ୟେକ ବସ୍ତୁ ଇନ୍ଦ୍ରିୟବେଦ୍ୟ ଥାଏ କିନ୍ତୁ ପର୍ଯ୍ୟାୟ କ୍ରମେ ତାହା ଚେତନାର କଥା କହେ । ସାଧାରଣ ମଧ୍ୟରେ ଅସାଧାରଣ ଭାବକୁ ବ୍ୟଞ୍ଜିତ କରେ । ବୈୟକ୍ତିକ ଭାବନାରେ ହୃଦୟାବେଗକୁ ନିୟନ୍ତ୍ରଣ ପୂର୍ବକ ଏକ ନୈବ୍ୟକ୍ତିକ ସ୍ତରର ପ୍ରତିଷ୍ଠା ଦ୍ଵାରା କବିତା ହୋଇଯାଏ ସାର୍ବଜନୀତ । ତେବେ ରୂପ କହିଲେ କେବଳ ଆକାର ପ୍ରକାରଗତ ବିଷୟ ନୁହେଁ ବରଂ ଏହା ଏକ ସୌନ୍ଦର୍ଯ୍ୟତତ୍ତ୍ୱ ବିଷୟକ ବିଚାର ।

 

ସୌନ୍ଦର୍ଯ୍ୟ ସନ୍ଧାନ ପ୍ରତ୍ୟେକ କଳାକୃତିର ଚରମ ଲକ୍ଷ୍ୟ । ଏହାର ପର୍ଯ୍ୟବେକ୍ଷଣ ନିମିତ୍ତ ଶିଳ୍ପୀଠାରେ ସାମର୍ଥ୍ୟ ଓ ଅନ୍ତର୍ଦୃଷ୍ଟି ଆବଶ୍ୟକ । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଦୃଷ୍ଟିରେ ପ୍ରତିଟି ଶିଳ୍ପସୃଷ୍ଟିର ଶେଷ ପରିଣତିହିଁ ଆନନ୍ଦପ୍ରାପ୍ତି, ଏକ ପରିଶୁଦ୍ଧ ଚିତ୍ତ ପ୍ରଶାନ୍ତି । ଦୃଶ୍ୟମାନ ଜାଗତିକ ଶୋଭାରାଶି ଶିଳ୍ପୀ ପ୍ରାଣରେ କେତେବେଳେ ଭୀତି ସଂଚାର କରେ ପୁଣି କେତେବେଳେ ନିବିଡ଼ ଆତ୍ମୀୟତା ଭାବ ସ୍ଥାପନ କରି ଅନ୍ତରଂଗ ସଖୀ ରୂପେ ପ୍ରତିଭାତ ହୁଏ ।(୧) ଏହି ଅନୁଭବ ଦ୍ରଷ୍ଟାର ଶୋଭାନୁଭାବିକ ଶକ୍ତି ଉପରେ ନିର୍ଭରଶୀଳ । ରୂପଦକ୍ଷ ନହେଲେ ପ୍ରକୃତ ରସାସ୍ୱାଦନରେ ବ୍ୟାଘାତ ଜନ୍ମେ । ରୂପପିପାସୁ କବି ଦୃଷ୍ଟିରେ ବିଭିନ୍ନ ସ୍ଥାନଗତ ଦୃଶ୍ୟାବଳୀର ମହତ୍ତ୍ୱ ସାରସ୍ୱତ କୃତିକୁ ବୈଚିତ୍ର୍ୟ ମଣ୍ଡିତ କରିବା ସହ ଅଶେଷ ଆନନ୍ଦ ପ୍ରଦାନ କରିଥାଏ ।

 

ସୌନ୍ଦର୍ଯ୍ୟଶାସ୍ତ୍ରୀ କ୍ୟାଣ୍ଟଙ୍କ ମତରେ ସମଗ୍ର ସୃଷ୍ଟି ରୂପର ଲୀଳା ନିକେତନ । ଏହାର ବହିଃରଙ୍ଗ ଆମକୁ ଯେତିକି ସହଜରେ ଦେଖାଯାଏ ଅନ୍ତଃଜଗତର ସୌନ୍ଦର୍ଯ୍ୟ ନିମିତ୍ତ ଦିବ୍ୟଦୃଷ୍ଟିର ଆବଶ୍ୟକ ହୋଇଥାଏ । (୨) ଭାବଗତ ସୌନ୍ଦର୍ଯ୍ୟ ପ୍ରତ୍ୟେକ ଶିଳ୍ପ ସୃଷ୍ଟିର ମୌଳିକ ଆଧାର ଯେ କୌଣସି କଳାକୃତିର ବାହ୍ୟରୂପ ଜନମନକୁ ନିମିଷକ ପାଇଁ ଉଲ୍ଲସିତ କରିଥାଏ କିନ୍ତୁ ରୂପ ସଂଜାତ ତାତ୍‍କାଳିକ ଆନନ୍ଦ ସ୍ଥାୟୀ ହୋଇପାରେ ନାହିଁ । ଅପର ପକ୍ଷରେ କଳାକୃତିର ଅନ୍ତଃରୂପ ଶିଳ୍ପୀର କ୍ରାନ୍ତିଦର୍ଶନ କନିତ ସାମର୍ଥ୍ୟବୋଧରେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରେ । ଯାହା ବର୍ଷ ବର୍ଷ ଧରି ସ୍ମୃତିକୋଷରେ ବଞ୍ଚିରହେ । ତାହା ଅକ୍ଷୟ ଓ ଅବିନାଶୀ । ସେଥିପାଇଁ ପ୍ରତ୍ୟକ୍ଷ ପ୍ରମାଣ ପ୍ରକୃତି ଦିନେ ଦିନେ, ମାସେ, ମାସେ, ଋତୁରେ ଋତୁରେ ପର୍ଯ୍ୟାୟକ୍ରମେ କୋଟି କୋଟି ବର୍ଷ ଧରି ନାନାବିଧ ନୈସର୍ଗିକ ପ୍ରସାଧନରେ ନିଜକୁ ଭୂଷିତ କରି ରଖେ । ସେଥିପାଇଁ ଭଗ୍ନ କୋଣାର୍କ ଜାତି ପ୍ରାଣରେ ଚିର ଜୀବନ୍ତ” ।(୩)

 

ରୂପ ଆକର୍ଷଣ ଏକ ସ୍ଵଭାବଗତ ବ୍ୟାପାର । ରୂପାଶ୍ରୟୀ ଚେତନାକୁ ନେଇ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ବହୁ କାହାଣୀ ବର୍ଣ୍ଣିତ । ନୈଷଧୀୟ ପରିକଳ୍ପନାରେ ଦମୟନ୍ତୀ ରୂପର ଉତ୍ସ । (୪) ସେଥିପାଇଁ ଦେବମଣ୍ଡଳୀରେ ରୂପତୃଷ୍ଣାର ଶେଷ ନାହିଁ । ଏହି ଅପୂର୍ବ ସୁନ୍ଦରୀ ନାରୀ ପ୍ରତିମା ଲାଭ ନିମନ୍ତେ ଦେବତାଗଣ ଧରାବତରଣ କରନ୍ତି । ଗ୍ରୀକ୍ ଓ ରୋମାନ୍ ପୃଷ୍ଠପଟରେ ଦେବତା ଜିଅସ୍ ମାନବୋପମ ବାସନାର ଅଧିକାରୀ । ଟ୍ରୋଇଜେନ୍‍ର ରାଣୀ ଆଲ୍‍କାମିନୀଙ୍କୁ ପାଇବାପାଇଁ ଦେବତା ଜିଅସଙ୍କର କାର୍ଯ୍ୟ କଳାପରେ ଦୈବିକ ରୂପତୃଷ୍ଣା ପରିଲକ୍ଷିତ । (୫)

 

ପ୍ରାଚୀନ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ କବିଙ୍କ ରୂପାନୁଭୂତି କାବ୍ୟ ବର୍ଣ୍ଣିତ ଚରିତ୍ରମାନଙ୍କଠାରେ ସୃସ୍ପଷ୍ଟ । ତେଣୁ କାବ୍ୟନାୟକ ରୂପସୀ ନାୟିକା ପ୍ରାପ୍ତି ନିମନ୍ତେ କୃଚ୍ଛ୍ରସାଧନାରେ ବ୍ରତୀ ହୁଏ । (୬) ସମଗ୍ର ପୃଥିବୀରେ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁଠି ଯେତେ ପ୍ରକାର କଳା (ଶିଳ୍ପ, ସଂଗୀତ, ସ୍ଥାପତ୍ୟ, ନୃତ୍ୟ) ସୃଷ୍ଟି ହୋଇଛି ତାହା ଜୀବନ ଓ ପ୍ରକୃତି ଆଧାରିତ । କାରଣ ଜୀବନ ଓ ପ୍ରକୃତି ମଧ୍ୟରେ କଳା ଜୀବନ୍ତ ହୁଏ । ସେହି ସୌନ୍ଦର୍ଯ୍ୟର ମଣ୍ଡପରେ କଳା ସାକାର ହୋଇଉଠେ । ନିରାକାର ଭାବନିଚୟ ମୂର୍ତ୍ତିରୂପରେ ରୂପାୟିତ ହେଲା ପରେ ବସ୍ତୁଗତ ଓ ଭାବଗତ ପାର୍ଥକ୍ୟ ଦୃଷ୍ଟିଗୋଚର ହୁଏ ନାହିଁ । ଦାର୍ଶନିକ ସ୍ୱିନୋଜାଙ୍କ ମତରେ ସୃଷ୍ଟି ସ୍ରଷ୍ଟାର ଏକ ସୁନ୍ଦର ପାଣ୍ଡୁଲିପି । ତେବେ ରୂପ ଚେତନା ବ୍ୟକ୍ତିମାନସର ଏକ ଆନନ୍ଦାନୁଭବ ଜନିତ ବ୍ୟାପାର । ଅନନ୍ତ ନୀଳିମାମୟ ଆକାଶ, ଦିଗନ୍ତ ବିସ୍ତାରୀ ଗିରିମାଳା, ଉର୍ମିଉଚ୍ଛଳ ପାରାବାର, ଶ୍ୟାମଳିମାମୟ ବନାନୀ, ଚିତ୍ର ଖଚିତ ପ୍ରାସାଦ ସବୁଠାରେ ଶିଳ୍ପୀର ସୌନ୍ଦର୍ଯ୍ୟ ବୋଧ ସମନ୍ୱିତ ଏବଂ ଏହା ବାରମ୍ବାର ଜନମାନସକୁ ଆକୃଷ୍ଟ କରେ ।

 

ସୌନ୍ଦର୍ଯ୍ୟାନୁଭବ ଏକାନ୍ତ ଭାବରେ ବ୍ୟକ୍ତିନିଷ୍ଠ । ମଣିଷର ଜୀବନ ପ୍ରକ୍ରିୟାରେ ସୌନ୍ଦର୍ଯ୍ୟାନୁଭୂତି ଦ୍ରଷ୍ଟା ନିକଟରେ ଭିନ୍ନଭାବ ସୃଷ୍ଟିକରେ । ମାନବୀୟ ବୃତ୍ତିର ସ୍ୱାଧୀନ ଅନୁଶୀଳନ ଦ୍ଵାରା ରୂପକୁ ଆବଶ୍ୟକତାଠାରୁ ବିମୁକ୍ତ କରିବା ମୁହୂର୍ତ୍ତହିଁ ସୌନ୍ଦର୍ଯ୍ୟୋପଲବ୍‍ଧି । ଏହା କେତେବେଳେ ପ୍ରାଣରେ ଅବସନ୍ନତା ଆଣେ ନାହିଁ କିମ୍ବା ଜାଗତିକ କଳୁଷ କାଳିମାରେ ସଂକ୍ରମିତ ହୁଏ ନାହିଁ ବରଂ ଅନନ୍ତ ନୀଳିମାମୟ ଆକାଶ ପରି ଚିତ୍ତବୃତ୍ତିକୁ ପ୍ରସାରିତ କରେ । ଅସରନ୍ତି ଆନନ୍ଦର ଉସ୍ଥ ହୋଇ ବ୍ୟକ୍ତି ମାନସକୁ ଚଳଚଞ୍ଚଳ କରିଥାଏ । ଅଜସ୍ର ସମ୍ଭାବନାମୟ ମାର୍ଗ ପ୍ରଦର୍ଶିତ କରାଏ । ଏତାଦୃଶ ଶୁଚିନିଷ୍ଠଭାବ ମଧ୍ୟରେ ଜୀବନର ଗତି ପଥ ଅଗ୍ରାଭିମୁଖୀ ହୁଏ ।

 

କବିତାରେ ରୂପତାତ୍ତ୍ୱିକ ଚେତନା ପରିପ୍ରେକ୍ଷୀରେ ଶିଳ୍ପୀ ମାନସ ରୂପଜଗତ ମଧ୍ୟ ଦେଇ ଅରୂପ ଜଗତକୁ ଯାତ୍ରାକରେ କବିତା ଉଭୟ ବାହ୍ୟଜଗତ ଓ ଅନ୍ତର୍ଜଗତ ମଧ୍ୟରେ ଏକ ସଂଯୋଗ ସେତୁ । ଶିଳ୍ପୀ ମନର ବହୁବିଧ ଭାବନା ପାର୍ଥିବ ବିଷୟକୁ କେନ୍ଦ୍ର କରି କ୍ରମେ ଅପାର୍ଥିବ ଜଗତକୁ ଉତ୍ତରଣ ଘଟାଏ । ପ୍ରାଣରେ ଭାବଗତ ସୌନ୍ଦର୍ଯ୍ୟ ଏକ ଇଙ୍ଗିତ ବା ସୂଚନା । ଏହା ପରିପୂର୍ଣ୍ଣ ଆତ୍ମୋପଲବ୍‍ଧି ମଧ୍ୟ ଦେଇ ଅନନ୍ତ ପଥକୁ ଗତି କରେ । ଏହି ପୂର୍ଣ୍ଣତା ପୁଣି ବିଶ୍ଵସତ୍ତାରେ ସମ୍ମିଳିତ ହୋଇ ଚିରନ୍ତନତା ଲାଭ କରେ ।

 

ସୌନ୍ଦର୍ଯ୍ୟାନୁଭବ ସର୍ବଦା ସହୃଦୟ ହୃଦୟ ସଂବେଦୀ ବସ୍ତୁ ବା ପରିବେଶ ଏକ ହେଲେ ମଧ୍ୟ ରୂପାନ୍ୱେଷୀ କବି ଦୃଷ୍ଟିରେ ତାହା ଭିନ୍ନ ଭାବୋଦୟ ଘଟାଏ । ପଣ୍ଡିତ ନୀଳକଣ୍ଠ ଦାସ କୋଣାର୍କ ମନ୍ଦିରକୁ ଅତୀତର ମୂକସାକ୍ଷୀ ରୂପେ ଚିତ୍ରଣ କଲା ବେଳେ । (୭) ମାନସିଂହଙ୍କ ଦୃଷ୍ଟିରେ ହୋଇଉଠେ ବିଗତ ଯୌବନର ପ୍ରତିମୂର୍ତ୍ତି । (୮) ପୁଣି କବି ସଚ୍ଚିରାଉତରାୟଙ୍କ କବିତାରେ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପର ରୂପ ଦିଶେ । (୯)

 

ବ୍ୟକ୍ତିମାତ୍ରେ ରୂପର ଉପାସକ । ଶିଳ୍ପୀ ଶିଳ୍ପ ସର୍ଜନା କାଳରେ ରୂପଜନିତ ତଦାତ୍ମିକତାରେ ବିଭୋର ନହେଲେ କଳାକର୍ମ ସଂପୂର୍ଣ୍ଣ ହୋଇ ପାରେ ନାହିଁ । ସୌନ୍ଦର୍ଯ୍ୟ ଶାସ୍ତ୍ରୀ ଓସକାର ୱାଇଲଡ଼ଙ୍କ ମତରେ କଳାକାରଟିଏ ସୌନ୍ଦର୍ଯ୍ୟର ସ୍ରଷ୍ଟା । ସେ କଳାକୁ ବ୍ୟକ୍ତ କଲାବେଳେ ନିଜକୁ ସଂଗୋଷିତ କରି ରଖେ । (୧୦) ବସ୍ତୁତଃ ସମଗ୍ର କଳାକର୍ମ ହୁଏ ରୂପର ଏକ ପ୍ରତୀକ ଏବଂ ଏହି ରୂପାତ୍ମକ ଅଭିବ୍ୟକ୍ତି ହିଁ କବିତାରେ ସୌନ୍ଦର୍ଯ୍ୟ ସୃଷ୍ଟି ।

 

ପ୍ରତ୍ୟେକ କଳାସୃଷ୍ଟିର ଆଭିମୁଖ୍ୟ ସୌନ୍ଦର୍ଯ୍ୟକୁ ପ୍ରକଟନ କରିବା । ରାଧାନାଥଙ୍କ ପରି ସୌନ୍ଦର୍ଯ୍ୟାନୁରାଗୀ ପ୍ରାଣରେ ଯେଉଁ ରୂପମାଧୁର୍ଯ୍ୟ ଜଗତ ଜନର ମନହରଣକାରୀ, ତାହା ସବୁବେଳେ ପ୍ରକାଶମାନତାର ଅପେକ୍ଷା ରଖେ । କାରଣ ଅପ୍ରକଟ ରହିବା ପାଇଁ ତା’ର ଚାରା ନଥାଏ । କବିତା ସ୍ଵୟଂପ୍ରକାଶ । ଏହା ସୌନ୍ଦର୍ଯ୍ୟର ଗନ୍ତାଘର । ଏହା ରୂପପାୟୀ କବିଚେତନାରେ କ୍ଷଣକ୍ଷଣକେ ବିବିଧ ରୂପଧାରଣ କରି ସୃଷ୍ଟିକରେ ବିସ୍ମୟର ମହାକାବ୍ୟ ।

 

ଯାହା ସତ୍ୟ ତାହା କବିତା

ମଣିଷର ଜୀବନବୋଧର ଛବି’ତ ।

ତା’ ସ୍ଵୟଂପ୍ରକାଶ

ତଥାପି ପ୍ରକାଶର ଅପେକ୍ଷା ରଖେ ତା’

ଯେପରି ଏଇ ସବିତା (୧୧)

 

ସତ୍ୟ ମିଥ୍ୟା । ମିଥ୍ୟା ଲୀଲା

ତେଣୁ ମିଥ୍ୟା ଏତେଇ ସୁନ୍ଦର

ତା’ର ଇନ୍ଦ୍ରଧନୁ ପକ୍ଷେ ଖରା ଅବା ଛାଇର କୁହୁକ

ସୃଷ୍ଟିକରେ ମହାକାବ୍ୟ ଏତେ ବିସ୍ମୟର । (୧୨)

 

କାମାବେଗରୁ ସୌନ୍ଦର୍ଯ୍ୟାନୁଭବର ପରିପ୍ରକାଶ ଘଟେ । ରୂପଶାସ୍ତ୍ରୀ ଡି.ଏଚ୍ ଲରେନସ୍ ଯୌନ ଓ ସୌନ୍ଦର୍ଯ୍ୟ ଉଭୟର ସହାବସ୍ଥାନକୁ ପ୍ରଜ୍ଜ୍ୱଳିତ ଅଗ୍ନି ଓ ତା’ର ଶିଖା ସହିତ ତୁଳନା କରନ୍ତି । (୧୩)

 

ଯୌନସଂବେଗ ଓ ସୌନ୍ଦର୍ଯ୍ୟ ଚେତନା ପରସ୍ପର ପରସ୍ପରର ପରିପୂରକ । ରୂପ ଆକର୍ଷଣ ଯୌନାବେଗର ମୂଳ ଉତ୍ସ । ନଗ୍ନ ବାନରର ସ୍ଵରୂପ ଚିତ୍ରଣ କାଳରେ ଡେସ୍‍ମଣ୍ଡ ମରିସ କହନ୍ତି ମଣିଷ ଜୀବନ ଚର୍ଯ୍ୟା କ୍ଷେତ୍ରରେ ଯୌନଜୀବନର ତିନୋଟି ପର୍ଯ୍ୟାୟ ରହିଛି । (କ) ଯୋଡ଼ି ମିଳନ (ଖ) ପ୍ରାକ୍ ସଂଗମ କ୍ରିୟା ଓ (ଗ) ସଂଗମ ସମଗ୍ର ଜୀବଜଗତ ଏହି ପ୍ରଣାଳୀଠାରୁ ବିଚ୍ଛିନ୍ନ ନୁହେଁ । ମଣିଷ ସେହି ନଗ୍ନ ବାନରର ଏକ ପରିମାର୍ଜିତ ସଂସ୍କରଣ । ଏଣୁ ମୋରିସ କହିବାକୁ ଚାହାନ୍ତି ଯେ, ଆଜି ମଣିଷର ମାନସିକତାରେ ନଗ୍ନ ବାନରର ଚେତନା ସଂଜୀବିତ । ଜୀବନଚର୍ଯ୍ୟା ମଧ୍ୟରେ କିଛି ପରିବର୍ତ୍ତନ ଘଟି ନାହିଁ ଯଦିଓ ନାମ, ସ୍ଥାନ ଓ ପରିବେଶ ବଦଳି ଯାଇଛି । ଶିକାର କରିବା ପରିବର୍ତ୍ତେ ମଣିଷ ନିଜ କର୍ମରେ ନିୟୋଜିତ । ଶିକାର ସ୍ଥଳୀ ହୋଇଛି ବ୍ୟବସାୟ କେନ୍ଦ୍ର । ବାସ ନିରୂପଣ ହୋଇଛି ଆଜି ଘରର ପରିକଳ୍ପନା ଏବଂ ସେହି ଯୋଡ଼ି ମିଳନର ନୂତନ ରୂପ ଆଜି ବିବାହ ନାମରେ ପ୍ରଚଳିତ । ଏହାକୁ ଭିତ୍ତି କରି ନିର୍ବାଚିତ ସ୍ୱାଧୀନ ହୋଇଛି ପତି କିମ୍ବା ପତ୍ନୀ । ଆଜି ମାନବୀୟ ଇନ୍ଦ୍ରିୟଗ୍ରାହ୍ୟ ଚେତନା ଆମର ସମାଜ ଓ ସଂସ୍କୃତି ଗଠନର ହୋଇଛି ମୂଳଭିତ୍ତି ।

 

ଜୀବବିଜ୍ଞାନୀଙ୍କ ଦୃଷ୍ଟିରେ ପ୍ରତ୍ୟେକ ପଶୁ, କୀଟ, ପତଙ୍ଗଠାରେ ସୌନ୍ଦର୍ଯ୍ୟାନୁଭବର ସଙ୍କେତ ନିହିତ । (୧୪) ଲାର୍କ ପକ୍ଷୀ ଦର୍ପଣ ଦେଖିଲେ ଆତ୍ମବିହ୍ୱଳ ହୋଇଉଠେ । ତେଣୁ ସୂର୍ଯ୍ୟ କିରଣରେ ଦର୍ପଣକୁ ପ୍ରତିବିମ୍ବିତ କରାଯାଇ ଲାର୍କ ପକ୍ଷୀମାନଙ୍କୁ ଧରିବାକୁ ପଡ଼େ । ଡାରଊଇନଙ୍କ ମତରେ ସମଗ୍ର ଜୀବଜନ୍ତୁଙ୍କ ଆକର୍ଷଣ ମୂଳରେ ରୂପାନୁରାଗ ନିହିତ । ମାନବୀୟ ମୌଳ ସଂବେଗ ଜନିତ ଅନୁଭବହିଁ କୀଟପତଙ୍ଗଠାରୁ ପ୍ରାଣିଜଗତ ପର୍ଯ୍ୟନ୍ତ ବିପରୀତ ଲିଙ୍ଗୀ ପ୍ରତି ଅଧିକ ଆକୃଷ୍ଟ କରିଥାଏ । ଏହିପ୍ରକାର ପାରସ୍ପରିକ ପ୍ରକ୍ରିୟା ପ୍ରେମାନୁସଙ୍ଗର ପରିସରଭୁକ୍ତ । ପ୍ରେମ ପ୍ରଣୟର କବି ମାୟାଧର ମାନସିଂହଙ୍କ ଦୃଷ୍ଟିରେ – ପ୍ରେମ ଏକ ସହଜାତ ପ୍ରବୃତ୍ତି । ପ୍ରେମର ଭିତ୍ତିଭୂମି ହେଉଛି ଦେହ ମାତ୍ର ଏହାର ପରିସୀମା ହେଉଛି ଦେହାତୀତ । ଏହାର ପ୍ରକୃତି ସ୍ଥୂଳ ମାତ୍ର ପ୍ରତିକ୍ରିୟା ସୂକ୍ଷ୍ମ । ଏହାର ଅନୁଭୂତି ବ୍ୟକ୍ତିଗତ ମାତ୍ର ଅଭିବ୍ୟକ୍ତି ନିରପେକ୍ଷ । (୧୫) ବସ୍ତୁତଃ ଦେହକୁ ମାଧ୍ୟମ କରି ପ୍ରେମାନୁଭବର ପରିସ୍ଫୁର୍ତ୍ତି ଘଟିଥାଏ । ଦେହ ଭୂଗୋଳର କଥାହିଁ କବିତାର ମୁଖ୍ୟସ୍ୱର । ଓଡ଼ିଶା ମହନୀୟ କାବ୍ୟ ପରମ୍ପରାରେ ନାରୀର ଦେହହିଁ କବିତାର ଚୈତ୍ର ଉପବନ । ନାରୀ କବି ହୃଦୟର କଳ୍ପଲତା, ରୂପର ଅମରାବତୀ । ନାରୀର ରୂପ ଲାବଣ୍ୟରେ ସମଗ୍ର ଅନ୍ଧକାର ଅପସରି ଯାଏ । ତା’ର ରୂପ ସନ୍ଦର୍ଶନରେ କବି ପ୍ରାଣ ଧନ୍ୟ ହୋଇଉଠେ । ଏ ପ୍ରସଂଗରେ ସୁସାନ ରବିନ କହନ୍ତି - ନାରୀର ଶରୀର ଓ ତଜ୍ଜନିତ ଆନନ୍ଦ ପ୍ରତ୍ୟେକ କଳାକୃତି ପ୍ରାଣଭୂମି ଯେଉଁଠି ଶିଳ୍ପୀର ମନନଶୀଳତା ଓ ପ୍ରଜ୍ଞାର ଅଭିଲେଖ ମୁଦ୍ରିତ ।

 

ଜୀବନର ପ୍ରତିଟି ମୁହୂର୍ତ୍ତକୁ ରସୋଚ୍ଛଳ କରିବା ପାଇଁ ବିମଳ ଆନନ୍ଦୋପଲବଧି ପାଇଁ କବିତାରେ ରୂପତାତ୍ତ୍ୱିକ ପ୍ରୟୋଜନୀୟତା ରହିଛି ନିଶ୍ଚୟ । ପୁନଶ୍ଚ ଗୋଟିଏ ସାର୍ଥକ କଳାକୃତି ଉପଯୁକ୍ତ ପାଠକ ଦ୍ଵାରା ସାର୍ବଜନୀନତା ଲାଭ କରିଥାଏ । ସ୍ରଷ୍ଟା ପୁରୁଷ ନିଜର ସାରସ୍ଵତ କର୍ମର ସମୁଚିତ ମୂଲ୍ୟାୟନ ନିମନ୍ତେ ନିରବଧି କାଳ ପ୍ରବାହରେ ସମଧର୍ମ ପାଳନକୁ ଚାହିଁ ବସେ । ସହୃଦୟ ପାଠକର ଦୀର୍ଘାୟୁ କାମନା ପୂର୍ବକ ରୀତି ଯୁଗୀୟ କବି କାଳୋଭୀର୍ଣ୍ଣତାର ଅଧିକାରୀ ହେବାପରେ ଅଭିଳାଷ ପୋଷଣ କରନ୍ତି । (୧୬) ସହୃଦୟ ପାଠକ ନିକଟରେ କବିତା ନବଜନ୍ମ ଲାଭକରେ କବି ମାନସରେ ରୂପର ସ୍ଥିତି । କବିତା ମଧ୍ୟରେ ରୂପର ବ୍ୟକ୍ତି । ଏହାକୁ ଏକ ଦ୍ଵୀପ ସହ ତୁଳନୀୟ । ଏହା ଜଳାବୃତ୍ତ । ଏଥିରୁ ଜଳଭାଗକୁ ବିଛିନ୍ନ କରିଦେଲେ ସେଠି ଦେଖାଯିବ ବ୍ୟକ୍ତି ମାନସର ବହୁପ୍ରସ୍ଥଯୁକ୍ତ ଅନୁଭବର ଝରଣା । ଯାହା ଅନେକ ଦିଗରୁ ଆସି ଏକତ୍ର ସମାହିତ ହୋଇଥାଏ । ବ୍ୟକ୍ତି ମାନସ କ୍ରମେ ସାମୂହିକ ମାନସରେ ପରିଣତ ହୋଇ କବି ଚେତନାରେ ରୂପାଲୋକ ସୃଷ୍ଟିକରେ । କିନ୍ତୁ ତାହା କବି ମାନସରେ ଏକ ଛାୟାଚ୍ଛନ୍ନ ପରିମଣ୍ଡଳରେ ଆବର୍ତ୍ତିତ ହେଉଥାଏ । କ୍ରମେ ତାହା ସୂକ୍ଷ୍ମ ଦୃଷ୍ଟିରେ ଏକରୁ ଅନେକ ଭାବ ତରଙ୍ଗ ସୃଷ୍ଟି କରେ । ଫଳତଃ ଭାବ ଓ ଭଙ୍ଗୀରେ ବିଚିତ୍ର କାବ୍ୟ ଲକ୍ଷ୍ମୀ ଆବିର୍ଭାବ ଘଟେ । ଯେଉଁ ରୂପସତ୍ତାଟି ନୀଳିମାମୟ ଆକାଶ ପରି ଥିଲା ବାୟବୀୟ, ତାହା ଶବ୍ଦ ଚିତ୍ରରେ କବିତାର ରୂପ ଗ୍ରହଣ କରେ । କ୍ରମେ ତାହା ଦାବ୍ୟା ପୃଥିବୀର ମିଳନ ପରି ଭାବାଲୋକ ଓ ରୂପସଂବାହୀ କବିସତ୍ତାର ମହାମିଳନରେ ସୌନ୍ଦର୍ଯ୍ୟ ଚାରୁ ଚିତ୍ରଶାଳା ପରି ଦିଶେ । ରୂପ ହୋଇଯାଏ କବିତା ଏବଂ କବିତା ହୁଏ ରୂପନିଷ୍ଠ ବିଷୟ । କବିତା ଓ ରୂପ ମଧ୍ୟରେ ପାର୍ଥକ୍ୟ ରହେନା । ବସ୍ତୁତଃ କବିତାର ରୂପରେଖ ଓ ସୌନ୍ଦର୍ଯ୍ୟବିଧାନ ରୂପାନୁଭବ ଉପରେ ନିର୍ଭର କରେ ।

 

କବିତା ଚିନ୍ତା ସଂଜାତ ନୁହେଁ ଏହା ସ୍ୱୟଂସଂଭୁତ । ଏକଦା ଡି.ଏଚ୍. ଲରେନସ୍ ବ୍ରଟାଣ୍ଡ ରସେଲଙ୍କୁ ଲେଖିଥିଲେ “କବିତା ଭାଷା ପରି ରୂପ ପ୍ରତିମା ସେ ନିଜେ କବି ମାନସରେ ମୂର୍ତ୍ତି ହୁଏ । (୧୭) ତେବେ କବିତା ଏକ ରୂପାତ୍ମକ ଅଭିବ୍ୟକ୍ତି । ରୂପାନୁଭବ ଏକ ସୌନ୍ଦର୍ଯ୍ୟାଶ୍ରୟୀ ପ୍ରକ୍ରିୟା । ଉଇଲ ଡୁରାଣ୍ଟଙ୍କ ମତରେ ପ୍ରେମରୁ ଯେପରି ସୌନ୍ଦର୍ଯ୍ୟ ଜାତ ହୁଏ ସୌନ୍ଦର୍ଯ୍ୟରୁ ସେହିପରି ପ୍ରେମର ସଂଚାର ଘଟେ । ପ୍ରେମ ହେଉଛି ସୌନ୍ଦର୍ଯ୍ୟର ଜନନୀ । ଏହା ତା’ର ସନ୍ତାନ ନୁହେଁ । ମୌଳ ସୌନ୍ଦର୍ଯ୍ୟର ଉତ୍ସ ହେଉଛି ପ୍ରେମ । (୧୮) ସୌନ୍ଦର୍ଯ୍ୟାଶ୍ରୟୀ ପ୍ରେମ ଆତ୍ମାର ଉତ୍ତରଣ ଘଟାଏ । ଭିନ୍ନ ଦିଗନ୍ତକୁ ଘେନିଯାଏ । ସଂକୀର୍ଣ୍ଣ ପରିଧିକୁ ଅତିକ୍ରମ କରି ଏକ ପରିବ୍ୟାପ୍ତ ଚେତନାର ସନ୍ଧାନ ଦିଏ” ।

 

କବିତା ସହ ରୂପର ସଂପର୍କ ଅବିଚ୍ଛେଦ୍ୟ । ମେଟାମୋର ବଂସିସ୍‍ର ନାୟକ ଗ୍ରେଗର ସାମସା ଥରେ ଗୋଟିଏ ଅଦ୍ଭୁତ ସ୍ଵପ୍ନ ଦେଖିଲେ ଯେ ସେ ଏକ ବିରାଟ ପୋକ ପାଲଟି ଯାଇଛନ୍ତି । ସକାଳୁ ବିଛଣାରୁ ଉଠିଲା ପରେ ତାଙ୍କ ଚେତନାରେ ସେ ଆଉ ମଣିଷ ନୁହନ୍ତି । ପରନ୍ତୁ ଏକ ବିରାଟକାୟ ପୋକର ନୂତନ ସଂସ୍କରଣ । ବ୍ୟକ୍ତିର ଏକ ରୂପାନ୍ତରିତ ପ୍ରକ୍ରିୟା ଦୁଇଟି ଦିଗ ପ୍ରତିକୀତ-। ପ୍ରଥମତଃ ବ୍ୟକ୍ତି ମଣିଷଟି ସାରସ୍ୱତ ସୃଜନ କାଳରେ ନିଜର ନିୟନ୍ତ୍ରଣାଧୀନ ନଥାଏ । ସେ ରୂପସଂପୃକ୍ତି ମଧ୍ୟରେ ଭିନ୍ନ ଲୋକର ମଣିଷ ପରି ଦିଶେ । ଦ୍ୱିତୀୟତଃ ଆଜିର ଜୀବନ ବ୍ୟଙ୍ଗୀକୃତ । ମଣିଷର ମାନବୀୟ ଗୁଣର ବିଲୁପ୍ତି ଘଟିବା ଫଳରେ ଏକ ବିରାଟକାୟ ପୋକ ପାଲଟିଯାଏ । ତେବେ ରୂପ ଓ ରୂପକର ବେଳା ଭୂମି ହିଁ କବିତାର ଆଶ୍ରୟସ୍ଥଳ । ଲେଖକଟିଏ ସ୍ଵପ୍ନ ଭିତରେ କାବ୍ୟିକ ବାସ୍ତବତାକୁ ଦେଖେ । ଜାଁ ପଲ ସାର୍ତ୍ତ କହନ୍ତି ସତ୍ କବିଟିଏ ସବୁବେଳେ ନିଜକୁ ହଜେଇବାକୁ ପସନ୍ଦ କରେ । ଜିଣିବାକୁ ହେଲେ ତାକୁ ଏପରିକି ମୃତ୍ୟୁବରଣ କରିବାକୁ ପଡ଼ିଥାଏ । (୧୯) ଉଲ୍ଲିଖିତ ବକ୍ତବ୍ୟରେ କବିର ରୂପତାତ୍ତ୍ୱିକ ଚେତନା କିପରି ବାରମ୍ବାର ଭାଙ୍ଗେ ଓ ଗଢ଼ି ଉଠେ ତାହା ପ୍ରଦର୍ଶିତ । ଏହା ସର୍ବଦା କ୍ରିୟାଶୀଳ ।

 

କବିତାରେ ରୂପ ପ୍ରତ୍ୟକ୍ଷାଭୂତ ବିଷୟ । ଏହି ସ୍ତରରେ ପ୍ରତ୍ୟେକ ବସ୍ତୁ ଇନ୍ଦ୍ରିୟାଗ୍ରାହ୍ୟ । ଏହିପରି ଇନ୍ଦ୍ରିୟ ତୃପ୍ତି ନିମନ୍ତେ ପ୍ରତ୍ୟକ୍ଷ ବସ୍ତୁ ସହ ମାନସିକ ସତ୍ତାର ସମ୍ବନ୍ଧ ଅନିବାର୍ଯ୍ୟ । ରୂପତାତ୍ତ୍ୱିକ ଅନୁଭୂତି ଯେତିକି ମାର୍ମ୍ମିକ ହୁଏ ସାରସ୍ଵତ କୃତିଟି ତତୋଽଧିକ ତେଜୋଦୀପ୍ତ ଭାବର ଅଧିକାରୀ ହୁଏ ଏବଂ ବିଶ୍ୱକୈନ୍ଦ୍ରିକ ଶୁଭଦୃଷ୍ଟି ଲାଭ କରେ । ଶିଳ୍ପୀ ପ୍ରାଣର ଶକ୍ତିଶାଳୀ ଇନ୍ଦ୍ରିୟାନୁଭୂତି କବିତାକୁ କରିଥାଏ ଅର୍ଥଦୀପ୍ତ ତଥା ଜୀବନ ନିଷ୍ଠ । ଜୀବନ ସହ ପାରସ୍ପରିକ ଭାବଗତ ସମ୍ବନ୍ଧ ନହେଲେ କଳାକୃତି ଜୀବନ୍ତ ହୋଇପାରେ ନାହିଁ ବରଂ ତାହା ନିଷ୍ପ୍ରାଣ, ଜଡ଼ବତ୍ ପ୍ରତୀତ ହୁଏ ।

 

ପ୍ରତ୍ୟେକ ଶିଳ୍ପ ତତ୍ତ୍ୱର ପ୍ରତିଷ୍ଠା ଏବଂ ବିଶେଷତ୍ୱ ମୁଖ୍ୟତଃ ସୌନ୍ଦର୍ଯ୍ୟ ବୋଧର ବିଚାର ଉପରେ ନିର୍ଭର କରେ । ସୌନ୍ଦର୍ଯ୍ୟ ତତ୍ତ୍ୱରୁ ଶିଳ୍ପ ବିଦ୍ୟାର ମୌଳିକ ଧାରଣା ସ୍ସଷ୍ଟ ହୋଇଉଠେ । ଚିତ୍ର, ସଂଗୀତ, କାବ୍ୟ, କବିତା, କଳାକୃତିର ଏକ ଏକ ଅଂଶ ବିଶେଷ । ଏହା ସୌନ୍ଦର୍ଯ୍ୟର ଗୋଟିଏ ଗୋଟିଏ ଅଭିବ୍ୟକ୍ତି । ଯେତେବେଳେ କୌଣସି କଳାକୃତିରେ ଏକ ସାର୍ବଜନୀନ ନିଜର ଅସ୍ତିତ୍ୱ ଘେନି ଆତ୍ମ ପ୍ରକାଶ କରେ ଏବଂ ରୂପ ସ୍ତରରେ ପ୍ରତ୍ୟକ୍ଷାଭୂତ ହୁଏ ସେତେବେଳେ ତାହା ସୁନ୍ଦର ଭାବର ଦ୍ୟୋତକ ହୋଇ ଚିତ୍ତବୃତ୍ତିକୁ ଆବିଷ୍ଟ କରେ । ବୈଦିକ ଋଷିଚେତନାରେ “ଆନନ୍ଦ ରୂପମମୃତଂ ଯଦ୍‍ବିଭାତି” - ଅର୍ଥାତ୍ ଯାହା କିଛି ବ୍ୟକ୍ତ ତାହା ଆନନ୍ଦମୟ ଅମୃତରୂପ ଏବଂ ତାହାହିଁ ସୁନ୍ଦର । ଏହା ହେଉଛି ଅଖଣ୍ଡ ଆତ୍ମବୋଧ ।

 

କବିତାରେ ରୂପତାତ୍ତ୍ୱିକ ଧାରଣା ନିର୍ଦ୍ଦିଷ୍ଟ ହୋଇ ନପାରେ । ଦାର୍ଶନିକ ଦେକାର୍ଡ଼ଙ୍କ ମତରେ କବିର ଭାବାବେଗ ବଳରେ ପ୍ରକୃତି ସୌନ୍ଦର୍ଯ୍ୟକୁ ଉପଲବ୍ଧି କରେ । ଏହା କିଛି ପରିମାଣରେ ଭଲ ପାଇବା ଭାବ ସୃଷ୍ଟି କରେ, ଯେପରି କି ନିଆଁ କିମ୍ବା ବରଫ ସଂପର୍କରେ ଆସିଲେ ଉତ୍ତାପ କିମ୍ବା ଶୀତଳତାକୁ ଅନୁଭବ କରିହୁଏ ଠିକ୍ ସେହିପରି ସୌନ୍ଦର୍ଯ୍ୟ ସହ ଭଲ ପାଇବା ସଂଶ୍ଳିଷ୍ଟ ।

 

ସୌନ୍ଦର୍ଯ୍ୟ ସବୁବେଳେ ସତ୍ୟର ନିକଟବର୍ତ୍ତୀ । ଯେଉଁଠାରେ ସତ୍ୟକୁ ଉପେକ୍ଷା କରି ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦିଆଯାଏ ସେଠାରେ କଳାର ଚମତ୍‍କାରିତା ପ୍ରକାଶରେ ବାଧାପ୍ରାପ୍ତ ହୋଇଥାଏ । ତେଣୁ କବିତାରେ ସୌନ୍ଦର୍ଯ୍ୟର ପ୍ରକାଶ କେବଳ ରୂପଗତ ବା ବସ୍ତୁଗତ ନୁହେଁ ଏହା ମୁଖ୍ୟତଃ ଭାବାଗତ । ସ୍ରଷ୍ଟାର ଆବେଗ ଓ ଅନୁଭୂତି ଭାବଗଠନର ମୂଳ ଉପାଦାନ । ଏଥିରେ କବିର ସ୍ଵକୀୟ ମୌଳିକ ଦୃଷ୍ଟିଭଂଗୀ ପ୍ରତିଫଳିତ ହୁଏ । ଜୀବନ ଆକାଶରେ ବହୁ ଭାବ – ଇନ୍ଦ୍ରଧନୁର ବର୍ଣ୍ଣୋତ୍ସବ ସମଗ୍ର ପରିମଣ୍ଡଳକୁ ଆଲୋକିତ କରିଥାଏ । କବିର ବିସ୍ମୟ ବିହ୍ୱଳ ଅନ୍ତଃସତ୍ତାଟି ରୂପର ପଶାପାଲିରେ ଆଉ ଏକ ସୌନ୍ଦର୍ଯ୍ୟମୟ ଜଗତକୁ ପ୍ରବେଶ କରେ । ସେଠାରେ ରୂପ ନଥାଏ । ସ୍ଥୂଳ ପ୍ରକୃତିର ଚିତ୍ର ନଥାଏ, ଭଙ୍ଗାଗଢ଼ାର ପ୍ରକ୍ରିୟା ନଥାଏ ବରଂ ଥାଏ ଏକ ଶାନ୍ତି ସମାହିତ ଚିତ୍ତବୃତ୍ତି ମଧ୍ୟରେ ବିଦେହର ସ୍ପର୍ଶଜନୀତ ସ୍ୱର୍ଗୀୟାନନ୍ଦ ।

 

ସହାୟକ ଗ୍ରନ୍ଥସୂଚୀ

୧.

ଗୁରୁ ପ୍ରାୟେ ତାକୁ ଦୂରୁ କରି ଭୀତି

 

ସଖି ! ପ୍ରାୟେ ତୋତେ ସ୍ମରୁଥିଲି ନିତି ।

 

‘ରାୟ, ରାଧାନାଥ-ରାଧାନାଥ ଗ୍ରନ୍ଥାବଳୀ’ ଚିଲିକା ପୃ ୩୧୫.

୨.

Cant-Critique of Judgement, P. 54

୩.

ମାନସିଂହ ମାୟାଧର - କବି ଓ କବିତା, କବି ଓ ଲେଖକର ଲକ୍ଷ୍ୟ ପୃ: ୬୨

୪.

ଶ୍ରୀହର୍ଷ - ନୈଷଧ ମହାକାବ୍ୟ

 

ହୃଦସାର ମିବେଳୁ ମଣ୍ଡଳଂ ଦମୟନ୍ତୀ ବଦନାୟ ବେଧସା

 

କୃତ ମଧ୍ୟବିଳଂ ବିଲୋକ୍ୟତେ ଧୃତଗମ୍ଭୀର ଖନୀଖନୀଳିମ୍ ୨/୨୫ ପୃ:୮୮

୫.

ମହାନ୍ତି ଶରତକୁମାର – ଗ୍ରୀକ୍ ଜାତିର ଜୀବନଗାଥା ପୃ:୩୨

୬.

ଭଞ୍ଜ ଉପେନ୍ଦ୍ର - ଲାବଣ୍ୟବତୀ ତପ ତା ଅକଥନୀୟ ଦିବ୍ୟନାରୀ ଶ୍ରଦ୍ଧେ

 

ପଞ୍ଚାଗ୍ନି ବ୍ରତ କରଇ ତପରତୁ ମଧ୍ୟେ ।ପୃ :୧୮

୭.

ଦାସ ନୀଳକଣ୍ଠ । କହ କହ ରାମଚଣ୍ଡୀ ସାକ୍ଷୀ ଏକା ତୁହି

 

କିଭଳି ଏ ଦେଶ ଆସିଛି କାଳ ତରଣୀ ବାହି, ନୀଳକଣ୍ଠ ଗ୍ରନ୍ଥାବଳୀ, କୋଣାର୍କ ପୃ: ୪୧୨

୮.

ମାନସିଂହ ମାୟାଧର - ହେ କୋଣାର୍କ ବିଗତ ଯୌବନା

 

ମୌନ ଦୁଃଖେ ସୈକତ ଶୟନା । ମାନସିଂହ ଗ୍ରନ୍ଥାବଳୀ:୧ମ ଭାଗ, ପୃ:୨୪୭

୯.

ରାଉତରାୟ ସଚ୍ଚି - ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, କୋଣାର୍କ ପୃ:୪୦୨

୧୦.

The artist is the creation of beautiful thing to reavel art and conceal the artist is art aim. Wilde oscar - The preface to the picture of Darian Group P.-212

୧୧.

ରାୟ ରାଧାନାଥ – ଯେ ଅଟେ ଜଗତ ଜନର ମନ ନୟନ ତାରା ଅପ୍ରକଟ ହୋଇ ରହିବା ପାଇ କାହିଁତ ଚାରା । ଚନ୍ଦ୍ରଭାଗା

୧୨.

ରାଉତରାୟ ସଚ୍ଚି – ରାଜଜେମା, ସଚ୍ଚିରାଉତରାୟ ଗ୍ରନ୍ଥାବଳୀ ପୃ:୧୪୧ ତତ୍ରୈବ - ସୁନ୍ଦରମ୍ ପୃ: ୫୧୪

୧୩.

Lawreance. D.H. - Selectal works of D.H. Lawreance

୧୪.

Moris. Desmond - The Naked Ape P-72

୧୫.

ମାନସିଂହ, ମାୟାଧର - କବି ଓ କବିତା ପୃ: ୩୯

୧୬.

ସାମନ୍ତସିଂହାର ଅଭିମନ୍ୟୁ - ବିବେକ ଗ୍ରାହକ କୋଟି କବି ଆୟୁଘେନି

 

ବର୍ତ୍ତିଥିଲେ କବି କବିତ୍ୱ କି ହେବ ମ୍ଲାନି । ବ.ଚି. ପ୍ରଥମ ଚ୍ଛାନ୍ଦ /୩୯ ପଦ ପୃ:୧୦

୧୭.

Durant will - The pleasure of Beauty - P, 128

୧୮.

Sarte. Jan Paul - What is Literature-

୧୯

“The genuine poet choosed to lose even if he has to go so far as to be inorder to win I repeat that I am taking about contemporary poetry’’ P.-215

 

 

ବରିଷ୍ଠ ଅଧ୍ୟାପିକା,

ଉପାଧ୍ୟୁତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସମ୍ବଲପୁର ବିଶ୍ୱବିଦ୍ୟାଳୟ,

ଜ୍ୟୋତି ବିହାର, ବୁର୍ଲା,

ସମ୍ବଲପୁର ।

 

***

 

ଉତ୍ତର ଆଧୁନିକତାର ପ୍ରସ୍ଥ ଓ ପରିଚୟ

ଅନୀଲ୍ କୁମାର ଦାସ

 

ଉତ୍ତର -ଆଧୁନିକତା କଥା ବିଚାର କଲାବେଳେ ଆଧୁନିକତାର ବିଚାର ଅପରିହାର୍ଯ୍ୟ । କାରଣ ଆଧୁନିକତା ସହ ଉତ୍ତର ଆଧୁନିକତାର ସମ୍ପର୍କ ଓ ଦୂରତ୍ୱ, ଉତ୍ତର-ଆଧୁନିକତାର ପରିଚୟକୁ ଦିଏ ନିଜସ୍ୱ ଦୀପ୍ତି । ଆହୁରି ମଧ୍ୟ, ଆଧୁନିକତା ପାଇଁ ହିଁ ଉତ୍ତର-ଆଧୁନିକତାର ବିଚାର ସମୟରେ ଅନେକ ସ୍ଥଳରେ ଦେଖା ଦେଇଥାଏ ବିଚାର ବିଭ୍ରାନ୍ତି ଏବଂ ଏଇ ବିଭ୍ରାନ୍ତି ଅଧିକ ଘନୀଭୂତ ହୋଇଥାଏ ଯେତେବେଳେ ଉତ୍ତର-ଆଧୁନିକତାକୁ ଏକ ସ୍ଵତନ୍ତ୍ର ବିଭାଗ ଭାବେ ବିଚାର କରା ନଯାଇ ଆଧୁନିକତାର ଏକ ପରବର୍ତ୍ତୀ ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଏ ।

 

ଉତ୍ତର-ଆଧୁନିକତା, ଆଧୁନିକତାର ପରବର୍ତ୍ତୀ ଅବସ୍ଥା କି ? ଆଧୁନିକତାର ସମ୍ପ୍ରସାରଣ କି ? ଏହା ଆଧୁନିକତାର ବିରୋଧ କରେ କି ? ଏକ ସମୟରେ ଏହା ଆଧୁନିକତାର ସମର୍ଥନ ଓ ବିରୋଧ କରିବାର ପ୍ରୟାସ କରେ କି ?

 

ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ନିମନ୍ତେ ଉଭୟ ଆଧୁନିକତା ଓ ଉତ୍ତର-ଆଧୁନିକତାର ବୈଶିଷ୍ଟ୍ୟ ସମୂହର ଆଲୋଚନା ଆବଶ୍ୟକ । ତା’ପରେ ଯାଇ ସ୍ପଷ୍ଟ ହେବ ଆମ ସମୟରେ ସେମାନଙ୍କ ଯଥାର୍ଥତା, ସେମାନଙ୍କର ପ୍ରାସଙ୍ଗିକତା ତେବେ ଏଇଠି ଏକଥା ସ୍ପଷ୍ଟ କରିଦେବା ଉଚିତ ଯେ ଆଧୁନିକତା ଓ ଉତ୍ତର-ଆଧୁନିକତାକୁ ପରସ୍ପର ଠାରୁ ଅଲଗା ଓ ସ୍ୱାଧୀନ ଭାବେ ବିଚାର କରିବା ଏକ କଷ୍ଟସାଧ୍ୟ ବ୍ୟାପାର; ଏ କଥା ଏ ଲେଖକ କାହିଁକି ବିଶିଷ୍ଟ ଆଲୋଚକ ଏଣ୍ଡିଅସ୍ ହୁଏସନ୍ ମଧ୍ୟ ବିଶ୍ୱାସ କରନ୍ତି । ଯେତେବେଳେ ସେ କହନ୍ତି ଯେ ଆଧୁନିକତା ଓ ଉତ୍ତର-ଆଧୁନିକତା ମଧ୍ୟରେ ସୀମାରେଖାର ସଂଜ୍ଞା ନିରୂପଣ ଏକ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । ହ୍ୟୁସେନ୍ ସାହେବଙ୍କ ମତରେ ଜଣେ ସମାଲୋଚକ ଯେଉଁଟାକୁ ଉତ୍ତର-ଆଧୁନିକ ବୋଲି ବିବେଚନା କରନ୍ତି ଅନ୍ୟ ଜଣେ ସମାଲୋଚକ ସେଇଟାକୁ ଆଧୁନିକ ଭାବେ ମାନ୍ୟତା ଦିଅନ୍ତି । ଏକଥାକୁ ସମର୍ଥନ କରନ୍ତି ଉତ୍ତର-ଆଧୁନିକତାର ବିଶିଷ୍ଟ ଆଲୋଚକ ଇହାବୀ ହାସନ୍ ।

 

ଠିକ୍ ସେମିତି ଆଲେକ୍‍ସ କାଲିନିକସ୍ ଓ ଡେଭିଡ୍ ହାର୍ଭେ ମଧ୍ୟ ବିଶ୍ଵାସ କରନ୍ତି ଯେ ଆଧୁନିକତା ଓ ଉତ୍ତର-ଆଧୁନିକତା ମଧ୍ୟରେ ସେଭଳି ବିଶେଷ ପାର୍ଥକ୍ୟ ନାହିଁ । ହାର୍ଭେ ସାହେବ କଥାଟିକୁ ଆମ ଆଗରେ ଆଉଟିକେ ସ୍ପଷ୍ଟ କରି ଥୁଅନ୍ତି । ତାଙ୍କ ମତରେ, ଆଧୁନିକତା ଓ ଉତ୍ତର ଆଧୁନିକତା ମଧ୍ୟରେ ବିଚ୍ଛିନ୍ନତା ଅପେକ୍ଷା ପ୍ରବହମାନତା ଅଧିକ । କାରଣ ଉତ୍ତର-ଆଧୁନିକତା ହିଁ ଆଧୁନିକତା ଭିତରେ ଥିବା ଭଗ୍ନାଂଶ ଓ ଅନିତ୍ୟ ଅବସ୍ଥାର ପ୍ରତିନିଧିତ୍ୱ କରୁଥିବା ସ୍ଥଳେ ସେଥିରେ ଥିବା ଶାଶ୍ୱତ ଓ ଅଖଣ୍ଡ ସ୍ଥିତିର ସମ୍ଭାବନାକୁ ଘୋର ଅବିଶ୍ଵାସର ସହ ବିବେଚନା କରେ । ଇହାବ୍ ହାସନ୍, ଆଣ୍ଡ୍ରି ହ୍ୟୁସେନ୍, ଡେଭିଡ୍ ହାର୍ଭେ ଓ କାଲିନିକସ୍‍ଙ୍କ ମତାମତର ଯଥାର୍ଥ ବିଚାର କଲାବେଳେ ଆମେ ଯେତେବେଳେ ଦେଖୁ ଯେ ଭର୍ଜିନିଆ ଉଲ୍‍ଫଙ୍କର ‘ଦି ୱେଭସ୍’ ଓ ଜେମ୍‍ସ ଜଏସ୍‍ଙ୍କ ‘ଫିନିଗାନସ୍ ୱେକ୍’ ଭଳି ଉପନ୍ୟାସମାନଙ୍କୁ ବହୁ ବର୍ଷ ଧରି ଆଧୁନିକ ଉପନ୍ୟାସ ଭାବେ ଗ୍ରହଣ କରାଯାଇଥିଲେ ବି ଗତ ଦଶନ୍ଧିରେ ସେମାନଙ୍କୁ ଉତ୍ତର-ଆଧୁନିକ ଉପନ୍ୟାସ ଭାବେ ବିଚାର କରାଯାଉଛି, ସେତେବେଳେ ଆମମାନଙ୍କର ଆଶ୍ଚର୍ଯ୍ୟ ହେବାର କୌଣସି ଅବକାଶ ରହେ ନାହିଁ । ଜନ୍ ଫ୍ରୋ ନିଜ ପ୍ରବନ୍ଧ, ‘What was postmodermism ?’ ରେ ଯୁକ୍ତି କରନ୍ତି ଯେ ଦୁଇଟି କାରଣରୁ ଉତ୍ତର-ଆଧୁନିକତାର ଅବଧାରଣା ଅସଙ୍ଗତ ଅଟେ । ପ୍ରଥମଟି ହେଲା, କିଏ ପ୍ରକୃତରେ ଜଣେ ଉତ୍ତର-ଆଧୁନିକବାଦୀ ଥିଲେ ସେ ସମ୍ପର୍କରେ କେହି ହେଲେ ଏକମତ ନୁହେଁ । ଦ୍ୱିତୀୟ କାରଣଟି ହେଲା, କେବେ ଉତ୍ତର-ଆଧୁନିକତା ଆରମ୍ଭ ହେଲା କିମ୍ବା କେବେ ଦୃଷ୍ଟିଗୋଚର ହେଉଛି - ସେ ସମ୍ପର୍କରେ କେହି ଏକମତ ହୋଇପାରୁ ନାହାନ୍ତି ।

 

କଥା ହେଲା, ପ୍ରଥମ ବିଶ୍ଵଯୁଦ୍ଧର ବିଭୀଷିକା ପରେ ଭିକ୍ଟୋରିଆନ୍ ମୂଲ୍ୟବୋଧ ପ୍ରତି ବିଭିନ୍ନ ମହଲରେ ମୋହଭଙ୍ଗ ଘଟିଲା ଏବଂ ତା’ପରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିଲା ଓ ପରବର୍ତ୍ତୀ ଦୁଇ ତିନି ଦଶନ୍ଧି ଧରି ପାରମ୍ପରିକ ଶୈଳୀରୁ ମୁକ୍ତ ହେଇ ନୂଆ ନୂଆ form, device ଓ style କୁ ନେଇ ପରୀକ୍ଷା ନିରୀକ୍ଷା କରିବା ପାଇଁ ଶିଳ୍ପୀମାନଙ୍କୁ ପ୍ରରୋଚିତ କଲା, ତାକୁ ଆଧୁନିକତାବାଦ ବୋଲି ଆଖ୍ୟାୟିତ କରାଗଲା । ଆଧୁନିକତାବାଦୀମାନଙ୍କର ମୁଖ୍ୟ ଉପଜୀବ୍ୟ ହେଲା ଏକ ବ୍ୟାପକ ଅଭାବବୋଧ ମୋହଭଙ୍ଗ ଏବଂ ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ଜାତ ହୋଇଥିବା ନୈରାଶ୍ୟବୋଧ । ଯେତେବେଳେ ଅଧିକାଂଶ ଆଧୁନିକ କବି ଓ ଲେଖକ ସଂସାରର ଖଣ୍ଡିତ ରୂପରେଖ ଉପରେ ନିଜର ଦୃଷ୍ଟି ନିବଦ୍ଧ କରିବା ଆରମ୍ଭ କରିଥିଲେ ସେତେବେଳେ ଟି.ଏସ୍ . ଇଲିୟଟ୍ ଏବଂ ଜେମସ୍ ଜଏସ୍ ଏ ବିଭଞ୍ଜନ ବିରୋଧରେ ଅଣ୍ଟାଭିଡ଼ି ଲଢ଼ିବାକୁ ଆସିଲେ । ଏମାନେ ବିଶ୍ୱାସ କରୁଥିଲେ କଳା ହିଁ ଆଧୁନିକ ପୃଥିବୀର ଅନିଶ୍ଚିତତା ବିରୋଧରେ ଏକ ପ୍ରତିଷେଧକ ଭାବେ କାର୍ଯ୍ୟ କରିପାରିବ । ସେଥିପାଇଁ ନିଜ କଳାକୃତି ସବୁରେ ବିଶୃଙ୍ଖଳା ଓ ଅସଂହତି ସମ୍ପର୍କରେ ବର୍ଣ୍ଣନା କରୁଥିଲେ ବି ଏଇ ଆଧୁନିକ ସାହିତ୍ୟ ଶିଳ୍ପୀମାନେ ପ୍ରତୀକ, ମିଥ୍ ଓ ସଙ୍କେତ ସବୁର ବ୍ୟବହାର କରି ନୂଆ ନୂଆ ଶୈଳୀ ସୃଷ୍ଟିକରି ଶୃଙ୍ଖଳା ଆଣିବା ଦିଗରେ ପ୍ରୟାସରତ ଥିଲେ । ଏଇଠି ଉଲ୍ଲେଖ କରାଯାଇପାରେ ଯେ ଲରେନ୍‌ସ ଗାମାଚି ବର୍ତ୍ତମାନ ପ୍ରତି ଆସକ୍ତି, କୃଷି ଓ ଗ୍ରାମ୍ୟ ଜୀବନ ବଦଳରେ ଶିଳ୍ପ ସମୃଦ୍ଧ ସହରୀ ଜୀବନ ସହ ସଂପୃକ୍ତି ଓ ଅତୀତ ଆନୀତ ପୂର୍ବାପର ସଙ୍ଗତିର ଅର୍ଥବିଚ୍ୟୁତି ଇତ୍ୟାଦିକୁ ଆଧୁନିକତାର ଇକ୍ଷଣ ଭାବେ ବର୍ଣ୍ଣନା କଲାବେଳେ ଏଡ୍‍ମଣ୍ଡ ଉଇଲସନ୍ ଓ ରବର୍ଟ ଲଙ୍ଗବଭମ୍ ଇତ୍ୟାଦି ଆଧୁନିକତା ଉପରେ romanticism ର ପ୍ରଭାବ ଲକ୍ଷ୍ୟ କରନ୍ତି ଏବଂ David Forgacs, ନୂତନତ୍ୱ (ଏଜ୍‌ରା ପାଉଣ୍ଡଙ୍କ phrase – ‘make it new’ ସ୍ମରଣୀୟ) ଗଣ ସଂସ୍କୃତିଠାରୁ ଦୂରତ୍ୱ ରକ୍ଷା, ଗଭୀରତା ଇତ୍ୟାଦିକୁ ଆଧୁନିକତାର ବୈଶିଷ୍ଟ୍ୟ ବୋଲି ମତ ବ୍ୟକ୍ତ କରିଥାନ୍ତି ।

 

ଅବଶ୍ୟ ଆଧୁନିକତା ସମ୍ପର୍କରେ ସଂକ୍ଷେପରେ ବିଶିଷ୍ଟ ଆଇରିଶ୍ କବି ଉଇଲିୟମ୍ ବଟ୍‍ଲର୍ ୟେଟସ୍ ଯେତେବେଳେ କହିଥିଲେ : Things fall apart; the Centre cannot hold; Mere anarchy is loosed upon the world.’’ ସେତେବେଳେ ସେ ନବଜାଗରଣର ଯୁଗ ଏବଂ Age of Reason ଭାବେ ପରିଚିତ ଅଷ୍ଟାଦଶ ଶତାବ୍ଦୀର ମୂଲ୍ୟବୋଧ ସବୁର କେନ୍ଦ୍ର - ବିଚ୍ୟୁତ ଘଟିଥିବା କଥା ସୂଚେଇ ଥିଲେ । କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଚିନ୍ତା ନାୟକମାନେ ଆଶା କରୁଥିଲେ ଯେ ଯୁକ୍ତି ଓ ବିଜ୍ଞାନର ସାର୍ବଜନୀତ ମୂଲ୍ୟବୋଧର ସାହାଯ୍ୟ ନେଇ ସେମାନେ ସେଇ ମିଥ୍ ଓ ଧାର୍ମିକ ଭାବ ସବୁରୁ ମଣିଷ ସମାଜକୁ ମୁକ୍ତ କରି ପାରିବେ, ଯାହା ତା’ର ପ୍ରଗତିକୁ ପ୍ରତିହତ କରୁଛି । ଉନ୍ନତ ବିଚାରବୁଦ୍ଧି ସମ୍ପନ୍ନ ବୈଜ୍ଞାନିକ ମନୋବୃତ୍ତି ଦ୍ଵାରା ଉଦ୍‌ବୁଦ୍ଧ ମଣିଷମାନଙ୍କ ଦ୍ଵାରା ମଣିଷ ସମାଜର ଅଗ୍ରଗତି ସମ୍ଭବ ବୋଲି ଯେତେବେଳେ ବେକନ୍ ଚିନ୍ତା କରୁଥିଲେ ସେତେବେଳେ କାର୍ଲମାର୍କ୍ସ ବସ୍ତୁବାଦୀ ବିଜ୍ଞାନ ଦ୍ଵାରା ଏକ ପରିପୂର୍ଣ୍ଣ ପୃଥିବୀର ସ୍ଵପ୍ନ ଦେଖୁଥିଲେ । କିନ୍ତୁ ଏମାନଙ୍କ ଭଳି ଆଶାବାଦୀ ନଥିଲେ ମ୍ୟାକ୍ସ ଓ୍ୱେବର ଓ ଏଡ଼ମଣ୍ଡ ବର୍କଙ୍କ ଭଳି ଚିନ୍ତାନାୟକମାନେ । ୱେବର ଭବିଷ୍ୟତ ବାଣୀ କରିଥିଲେ ଯେ ମଣିଷ ସମାଜର ଭବିଷ୍ୟତ, ଯୁକ୍ତି ଓ ଅମଲାତନ୍ତ୍ରର ଲୌହ କାରାଗାର ମଧ୍ୟରେ ଆବଦ୍ଧ ହେବ । ଫରାସୀ ବିପ୍ଳବର ଅଧୀକ୍ୟ ବର୍କଙ୍କୁ ରୁଷ୍ଟ କରିଥିଲା I

 

ଅବଶ୍ୟ ଏଭଳି ନୈରାଶ୍ୟ ପାଇଁ ଚରମତମ ସମର୍ଥନ ମିଳିଥିଲା ଫ୍ରେଡ଼ରିକ୍ ନିତ୍‍ସେଙ୍କର “Death of God’’ ଭଳି ସଂଘାତଧର୍ମୀ ମତବାଦ ଠାରୁ । ନିତ୍‍ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ଭାଙ୍ଗିରୁଜି ଚୂର୍‍ମାର କରିଦେଲେ ପାଶ୍ଚାତ୍ୟ ଜଗତର କେନ୍ଦ୍ର ଈଶ୍ୱର ନୈତିକତା ଓ ଆଧ୍ୟାତ୍ମିକ ବିଶ୍ୱାସ । ଯୁକ୍ତି, ନୈତିକତା ଏ ଉଚ୍ଚ ମୂଲ୍ୟବୋଧ, ସାର୍ବଜନୀନତା, ଅଗ୍ରଗତି, ଅଧିବିଦ୍ୟା ଇତ୍ୟାଦିକୁ ନିତ୍‍ସେ ସମ୍ପୂର୍ଣ ମୂଲ୍ୟହୀନ ବୋଲି ଚିନ୍ତା କରୁଥିଲେ । ନିତ୍‍ସେ ପାଶ୍ଚାତ୍ୟ ଭାବ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କଲେ ସତ, ମାତ୍ର ତା’ ସ୍ଥାନରେ ସଂସ୍ଥାପିତ କଲେ ତାଙ୍କର ସୁପର୍‍ମ୍ୟାନର ଧାରଣା । ଏଇ ସୁପରମ୍ୟାନ ସବୁ ଭଲ ଓ ମନ୍ଦର ଉର୍ଦ୍ଧ୍ୱରେ । କଳା ମଧ୍ୟ ସବୁ ଭଲ ଓ ମନ୍ଦିର ଉର୍ଦ୍ଧ୍ୱରେ- ଏଭଳି ବିଶ୍ଵାସର ସମର୍ଥନ ମିଳିଲା ଏବଂ ଆଧୁନିକ ଶିଳ୍ପୀ ନିତ୍‍ସେଙ୍କ ସୁପରମ୍ୟାନର ଭୂମିକା ଗ୍ରହଣ କରି ସମସ୍ତ ବିଭଞ୍ଜନ ଓ ବିଶୃଙ୍ଖଳା ମଧ୍ୟରେ ବି କଳାମାଧ୍ୟମରେ ଶାଶ୍ୱତ ମୂଲ୍ୟବୋଧର ସନ୍ଧାନ କରିବାକୁ ଆଗଭର ହେଲା । ଯାହାର ସ୍ଥିତି ସମସ୍ତ ବିଶୃଙ୍ଖଳାର ଉର୍ଦ୍ଧ୍ୱରେ । କ୍ରମଶଃ କେନ୍ଦ୍ର ବିହୀନ ଏକ ପୃଥିବୀରେ ମାନବିକତା, କଳା ଇତ୍ୟାଦି କେନ୍ଦ୍ର ସ୍ଥାନ ଗ୍ରହଣ କଲେ । ବହୁ ପରୀକ୍ଷା ନିରୀକ୍ଷା ଦେଇ ଆଧୁନିକତା ତା’ର ସର୍ବୋତ୍ତମ ଉପଲବ୍ଧି ଆଡ଼କୁ ପ୍ରଭାବିତ ହେବାର ପ୍ରୟାସ କଲା । କ୍ୟୁବିଷ୍ଟ ଶିଳ୍ପୀ ପିକାଶୋ କହିଥିଲେ, “not what you see, but what you know is there’’ ମ୍ୟାନେଟ୍ ଓ ମୋନେଟ୍‌ଙ୍କ ଭଳି impressionist ଚିତ୍ରଶିଳ୍ପୀମାନଙ୍କ ପୃଥିବୀରେ ବସ୍ତୁ ଆଉ କଠିନ ଓ ଘନୀଭୂତ ଅବସ୍ଥାରେ ନ ରହି ଆଲୋକର ବିଭାଜିତ ଅଂଶ ଭାବେ ପ୍ରତୀୟମାନ ହେଲା ।

 

ସାହିତ୍ୟ କ୍ଷେତ୍ରରେ ପୂର୍ବବର୍ଣ୍ଣିତ ଟି.ଏସ୍, ଇଲିୟଟ୍ ଓ ଜେମ୍‍ସ ଜଏସ୍ କେବଳ ନୁହନ୍ତି ଡି.ଏଚ୍. ଲରେନସ୍ ଓ ଉଇଲିୟମ୍ ବଟ୍‍ଲର ୟେଟ୍‍ସଙ୍କ ଭଳି ଶିଳ୍ପୀମାନେ ମଧ୍ୟ ପ୍ରାଚୀ ଧର୍ମ ଓ ଆଦିମ ଅଧିବାସୀଙ୍କ ମିଥ୍ ଏବଂ ନୃତତ୍ତ୍ୱ ବିଜ୍ଞାନର ଆବିଷ୍କାର ସବୁରୁ ଆଦୃତ ବାହ୍ୟିକ ମିଥ୍ ସବୁର ସାହାଯ୍ୟ ନେଇ ଏକ ନୂତନ କେନ୍ଦ୍ର ସୃଷ୍ଟି ଦିଗରେ ପ୍ରୟାସରତ ହେଲେ । ସିଗ୍‍ମଣ୍ଡ୍ ଫ୍ରୟେଡ୍‍ଙ୍କ ଆବିଷ୍କାର ସମୂହରୁ ମଧ୍ୟ ନିଜ ନିଜ ସର୍ଜନାତ୍ମକ ରଚନା ପାଇଁ ଆଧୁନିକ ଶିଳ୍ପୀମାନେ ସଂଗ୍ରହ କରୁଥିଲେ ଉପାଦାନ । ଫ୍ରଏଡ଼୍‍ଙ୍କ ପ୍ରଭାବରେ ଏଇ ଶିଳ୍ପୀମାନଙ୍କ ପାଇଁ ବହିର୍ଜଗତ ଅପେକ୍ଷା ଅନ୍ତର୍ଜଗତ ଧୀରେ ଧୀରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା ଓ ବ୍ୟକ୍ତିନିଷ୍ଠ ଅନୁଭବ, ବସ୍ତୁନିଷ୍ଠ ପୃଥିବୀ ଅପେକ୍ଷା ଅଧିକ ଗୁରୁତ୍ୱ ଲାଭ କଲା । ସବୁଠାରୁ ମଜା କଥାଟି ହେଲା ଏଇଆ ଯେ ଉତ୍ତର- ନିତ୍‍ସେ ଈଶ୍ୱର ବିହୀନ ପୃଥିବୀର ଶୂନ୍ୟତାକୁ ପୂରଣ କରିବା ପାଇଁ ଯେଉଁ ପ୍ରତୀକ ସବୁଠାରୁ ଅଗ୍ରଣୀ ଭୂମିକାର ହକ୍‌ଦାର ହେବାର ସୌଭାଗ୍ୟ ଲାଭ କଲା ତା’ ହେଲା ମେସିନ୍ ବା ଯନ୍ତ୍ର । ଏମିତିକି କବି ଏଜ୍‍ରା ପାଉଣ୍ଡ ଶବ୍ଦ ସବୁକୁ ମେସିନ୍ ବୋଲି ଭାବୁଥିଲେ । ଉଇଲିୟମ୍ କାରଲୋସ୍ ଉଇଲିୟମସ୍ ସମଗ୍ର କବିତାଟିକୁ ଶବ୍ଦ-ଗଠିତ ଯନ୍ତ୍ରଟିଏ ବୋଲି ଗ୍ରହଣ କରିବାକୁ ପଶ୍ଚାତ୍‌ପଦ ହେଲେ ନାହିଁ । ବାସଗୃହ ସବୁକୁ ଆଧୁନିକ ସ୍ଥାପତ୍ୟ, ଯନ୍ତ୍ର ବୋଲି ମନେ କଲା ।

 

ଆଧୁନିକ ମଣିଷ ପାଇଁ ସବୁଠାରୁ ବଡ଼ ବିଡ଼ମ୍ବନାଟି ହେଲା ଏଇଆ ଯେ ବିଜ୍ଞାନ ତା’ ଆଗରେ ଯେମିତି ଅସ୍ଉଇଜ୍, ହୀରୋସୀମା, ନାଗାସାକୀର ବିଭୀଷିକା ପରିବେଷଣ କଲା, କଳା ଓ ସାହିତ୍ୟ ତା’ପାଇଁ ସେମିତି ଦୁର୍ବୋଧ୍ୟ ଓ ଜଟିଳ ହେବାରେ ଲାଗିଲା । ଆଧୁନିକ ଶିଳ୍ପୀ କଳା ଓ ସାହିତ୍ୟ କ୍ଷେତ୍ରରେ ଏକ ବିଭାଜନ ସୃଷ୍ଟି କଲା । ଯାହା କେବଳ ସୀମିତ ସଂଖ୍ୟକ ବୁଦ୍ଧିଜୀବୀଙ୍କ ଦ୍ୱାରା ବୋଧ୍ୟ ଓ ଆଦୃତ ହେଲା, ତାକୁ ଉଚ୍ଚମାନର ଓ ଯାହା ସର୍ବବୋଧ୍ୟ ହେଲା ତାକୁ ନିମ୍ନମାନର ସୃଷ୍ଟିବୋଲି ଆଖ୍ୟାୟିତ କରାଗଲା ।

 

କିନ୍ତୁ ଉତ୍ତର-ଆଧୁନିକ ଶିଳ୍ପୀ ପାଇଁ ଏଭଳି ବିଭାଜନ ମୂଲ୍ୟହୀନ ହୋଇ ପଡ଼ିଲା । କାରଣ ଉତ୍ତର -ଆଧୁନିକ ଶିଳ୍ପୀ ପାଇଁ କେନ୍ଦ୍ର ଅପେକ୍ଷା ପରିଧି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଉଭାହେଲା । ଜଣ ନୁହଁ ଗଣ ହିଁ ପ୍ରାଧାନ୍ୟ ଲାଭ କଲା । ଉଚ୍ଚମାନର ସୃଷ୍ଟି ଓ ନୀଚମାନର ସୃଷ୍ଟି ବୋଲି ବିଭକ୍ତିକରଣ ମୂଳରେ ନିହିତ ରାଜନୈତିକ ଉଦ୍ଦେଶ୍ୟକୁ ସେ ରେଖାଙ୍କିତ କଲା । କାରଣ କୌଣସି ସୃଷ୍ଟିକୁ ନିମ୍ନମାନର ବୋଲି ବିବେଚନା କରିବା ହେଲା ଏକ ଅତ୍ୟାଚାର ମୂଳକ ମନୋବୃତ୍ତି ।

 

ଯେଉଁ କେତେକ ପ୍ରମୁଖ ପୁସ୍ତକ ଆଧୁନିକତାକୁ ତୀବ୍ର ଭାବେ ଆକ୍ରମଣ କରି ଭାବନୟାନ୍ତ କରିବାର ପ୍ରାଥମିକ ପ୍ରଚେଷ୍ଟା କଲେ ସେମାନଙ୍କ ମଧ୍ୟରେ ଜାଁ ପ୍ରାଙ୍କୋୟା ଲିଓଟାର୍ଡ଼ଙ୍କର ‘The postmodern condition : A report on knowledge’ (1979; Manchester, Manchester University Press, 1984) ଅନ୍ୟତମ । ଉତ୍ତର- ଆଧୁନିକତାର ଆଦ୍ୟ ପ୍ରବକ୍ତା ହେଲେ ଲିଓଟାର୍ଡ଼ । ଲିଓଟାର୍ଡ଼ଙ୍କର ପୁସ୍ତକଟିକୁ ଉତ୍ତର-ଆଧୁନିକତାର ବାଇବେଲ୍ ବୋଲି ଗ୍ରହଣ କରାଯାଇପାରେ । ଲି ଓଟାର୍ଡ ଯୁକ୍ତି କରନ୍ତି ଯେ ବିଗତ କେତେ ଦଶନ୍ଧି ଧରି ବିଜ୍ଞାନ, ଭାଷା, ଭାଷାତତ୍ତ୍ୱ , ସମ୍ବାଦ ସରବରାହ, ସାଇବରନେଟିକ୍‍ସ କମ୍ପ୍ୟୁଟର ଏବଂ କମ୍ପ୍ୟୁଟର ଭାଷା, ଡାଟା ବ୍ୟାଙ୍କ୍, ଗୋଟିଏ କମ୍ପ୍ୟୁଟର ଭାଷାକୁ ଆଉ ଏକ ଭାଷାରେ ଅନୁବାଦ କରିବାର ସମସ୍ୟା ପ୍ରଭୃତିକୁ ନେଇ ଅନେକ ଅନୁସନ୍ଧାନ କଲାଣି । ମଣିଷର ଜ୍ଞାନ ଜଗତରେ ଏ ସବୁର ଯେ ବିଶେଷ ପ୍ରଭାବ ପଡ଼ିଛି – ସେ କଥା କହନ୍ତି ଲିଓଟାର୍ଡ଼ । ଲିଓଟାର୍ଡ଼ ୧୯୭୪ ମସିହାରେ ଭବିଷ୍ୟତ ବାଣୀ କରିଥିଲେ ଯେ ଯେଉଁଜ୍ଞାନ କମ୍ପ୍ୟୁଟର ଭାଷାରେ ରୂପାନ୍ତରିତ ହୋଇ ପାରିବ ନାହିଁ ସେ ଜ୍ଞାନ ଦିନେ ନିଃଶେଷ ହୋଇଯିବ । ଶିକ୍ଷକ ନୁହେଁ, ଧୀରେ ଧୀରେ କମ୍ପୁଟର ପାଲିଟିବ ମୁଖ୍ୟ ଶିକ୍ଷାଦାତା । ଖବର ଟବର ପାଇଁ ଆଉ ବ୍ୟକ୍ତି ବିଶେଷ ଉପରେ ନିର୍ଭର କରିବାକୁ ହେବ ନାହିଁ । ଖବର ଉତ୍ପାଦିତ ହେବ, ଖବର ବିକ୍ରି ହେବ । ଖବର ପାଇଁ ଦେଶ ଦେଶ ମଧ୍ୟରେ ଲଢ଼େଇ ହେବ । ଖବରକୁ ଲୋକେ ଚୋରି କରିବାକୁ ଚେଷ୍ଟା କରିବେ । ରାଷ୍ଟ୍ରର ଭୂମିକା ଗୌଣ ହୋଇଯିବ । ରାଷ୍ଟ୍ରର ଦୁର୍ବଳତାର ସୁଯୋଗ ନେଇ ବଡ଼ ବଡ଼ ବହୁଦେଶୀୟ କମ୍ପାନୀ ଆସି ସେମାନଙ୍କର ପ୍ରାଧାନ୍ୟ ବିସ୍ତାର କରିବେ । ତେବେ ବୈଜ୍ଞାନିକ ଜ୍ଞାନର ଦିଗ ସମ୍ପର୍କରେ ଏତେ କଥା କହିଲା ପରେ ବି ଲିଓଟାର୍ଡ଼ କହନ୍ତି ଯେ ବୈଜ୍ଞାନିକ ଜ୍ଞାନ ଏକମାତ୍ର ଜ୍ଞାନ ନୁହେଁ ଏବଂ ଏଇଠି ସେ ବିଜ୍ଞାନଭିତ୍ତିକ ଆଲୋଚନା ଓ କଥନାତ୍ମକ ଆଲୋଚନା ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରନ୍ତି । କଥନାତ୍ମକ ବ୍ୟାଖ୍ୟାନ୍ ନିଜକୁ ନିଜେ ହିଁ ତା’ର ଶ୍ରୋତା ନିକଟରେ ବିଶ୍ୱାସଯୋଗ୍ୟ କରି ତୋଳିଥାଏ-। ଜହ୍ନ ଓ ତାରକାମାନଙ୍କୁ ବୁମ୍ବା କେମିତି ବାନ୍ତି କଲା ସେକଥାର ପ୍ରମାଣ ବୁମ୍ବା ମିଥ୍‍ର ଶ୍ରୋତା ବା ବର୍ଣ୍ଣନାକାରୀଙ୍କର ଆବଶ୍ୟକ ହୁଏନା । ବିଜ୍ଞାନ ଭିତ୍ତିକ ବ୍ୟାଖ୍ୟାନରେ ସର୍ବଦା ପ୍ରମାଣର ଆବଶ୍ୟକତା ରହିଛି । ଲୁଡ୍‍ଉଇଗ୍ ଉଇଟ୍‍ଗେନ୍‌ଷ୍ଟେନ୍‍ଙ୍କର ଭାଷା ଖେଳ (ପ୍ରାର୍ଥନା, ସଂଗୀତ ଗାନ ହସକଥା କହିବା, ପ୍ରତିଜ୍ଞା କରିବା ଗପସପ ହେବା, ମିଛ କହିବା)କୁ ବିଚାରକୁ ନେଇ ଲିଓଟାର୍ଡ ଯୁକ୍ତି କରନ୍ତି ଯେ ବିଜ୍ଞାନଭିତ୍ତିକ ଭାଷା କ୍ରୀଡ଼ା ମିଥ୍‍ର ଭାଷା ଖେଳ ଠାରୁ ଭିନ୍ନ ଏବଂ ଯେହେତୁ ନିଜର ନ୍ୟାଯ୍ୟ ସ୍ଥିତି ହାସଲ ଦିଗରେ ବିଜ୍ଞାନ ନିଜ ଉପରେ ନିର୍ଭରଶୀଳ ହୋଇପାରେନି, ତାକୁ ଦାର୍ଶନିକ ବା ରାଜନୈତିକ କଥନ ଉପରେ ନିର୍ଭର କରିବାକୁ ପଡ଼େ, ଏହାହିଁ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ବିଜ୍ଞାନ-ଭିତ୍ତିକ କଥନ, ଫରାସୀ ବିପ୍ଳବ ଓ Age of reason (ଅଷ୍ଟାଦଶ ଶତାବ୍ଦୀ) ସହ ନିଜକୁ ପ୍ରଥମେ ସଂପୃକ୍ତ କରିଥିଲା । ପୁରୁଣା ଅନ୍ଧବିଶ୍ୱାସ, ଅଜ୍ଞତା, ଧାର୍ମିକ କର୍ତ୍ତୃତ୍ୱ ଅସହିଷ୍ଣୁତା ଇତ୍ୟାଦିକୁ ତ୍ୟାଗ କରି ଯୁକ୍ତିସିଦ୍ଧ ଓ ବୈଜ୍ଞାନିକ ଆବିଷ୍କାର ସବୁ ଦ୍ଵାରା ମଣିଷ ସମାଜର ଉନ୍ନତି ଓ ମୁକ୍ତି ସମ୍ଭବ ହେବ ବୋଲି ଯୁକ୍ତି ଦେଇ ବିଜ୍ଞାନ ନିଜର ସ୍ଥାନ ସୁରକ୍ଷିତ କରିବାର ପ୍ରଚେଷ୍ଟା କଲା ।

 

କେବଳ ଫରାସୀ ବିପ୍ଳବର ରାଜନୈତିକ କଥନ ନୁହେଁ, ଦାର୍ଶନିକ ହିଗେଲ୍‌ଙ୍କ ପ୍ରଦତ୍ତ ଜର୍ମାନ ବୌଦ୍ଧିକ କଥନ ଉପରେ ମଧ୍ୟ ବୈଜ୍ଞାନିକ ନିର୍ଭରଶୀଳ ହେଲା । ହିଗେଲ୍ ଯୁକ୍ତି ବାଢ଼ୁଥିଲେ ଯେ ଅଜ୍ଞତାରୁ ପରିପୂର୍ଣ୍ଣ ଅସ୍ତିତ୍ୱର ଉପଲବ୍ଧି ଆଡ଼କୁ ମଣିଷ ମନର ବିବର୍ତ୍ତନ ଦିଗରେ ଜ୍ଞାନର ପ୍ରମୁଖ ଭୂମିକା ରହିଛି । Frensh enlightenment narrative ଓ ଜର୍ମାନ knowledge narrative କୁ ଲିଓଟାର୍ଡ଼ metanarratives ବା grand narratives ବୋଲି ନାମିତ କଲେ । ସ୍ଵ ଲିଖିତ post modern condition (ପୃଷ୍ଠା-୨୪)ରେ ସେ ଦର୍ଶାଇଲେ ଯେ ପଚାଶ ଦଶକର ଶେଷରେ ଆରମ୍ଭ ହୋଇଥିବା ଉତ୍ତର ଆଧୁନିକ ଯୁଗର ବୈଶିଷ୍ଟ୍ୟ ହେଲା ବିଶେଷ କଥନ ସବୁ ପ୍ରତି ଅବିଶ୍ୱାସ ଏବଂ ‘grand histories’ ସବୁର ବିନାଶ ଏବଂ ସେମାନଙ୍କର ସ୍ଥାନରେ ‘petites histories’ ବା micronarratives (ସାମାନ୍ୟ କଥନ ସବୁ)ର ଉତ୍‍ଥାନ । ଅନ୍ୟ ଭାଷାରେ କହିଲେ ବିଜ୍ଞାନ, ଧର୍ମ ବା ସାମ୍ୟବାଦ ଭଳି ରାଜନୈତିକ ବ୍ୟବସ୍ଥା ପ୍ରଦତ୍ତ ବାସ୍ତବତାର ସାମଗ୍ରିକ ବ୍ୟାଖ୍ୟା ପ୍ରତି ମୋହଭଙ୍ଗ । ‘Answering the Restion : What is postmodernism ?’ ର କୋଡ଼ପତ୍ରରେ ଲିଓଟାର୍ଡ଼ ଦେଇଥିବା ମତାମତ ଏକ ବିରୋଧାଭାଷ ଭଳି ପ୍ରତୀୟମାନ ହୁଏ । ସେ କହନ୍ତି, ‘‘A work can become modern only if it is first postmodern’’ ସୃଷ୍ଟିଟିଏ ଆଧୁନିକ ହୁଏ ଯଦି ତାହା ପ୍ରଥମେ ଉତ୍ତର-ଆଧୁନିକ ହୋଇଥାଏ । ତେବେ ସେ ଉତ୍ତର-ଆଧୁନିକତାକୁ ଏକ ଇତିହାସ ରଚିତ ଯୁଗ ଭାବେ ଗ୍ରହଣ ନକରି ନାନ୍ଦନିକ ପ୍ରଥାଭାବେ ଗ୍ରହଣ କରନ୍ତି । ଉତ୍ତର - ଆଧୁନିକତା ତାଙ୍କ ପାଇଁ ଏକ ମନୋବୃତ୍ତି, ଏକ ସମୟ ଖଣ୍ଡ ନୁହେଁ । ତାଙ୍କ ମତରେ ଯାହା ପରିବେଷଣ ଯୋଗ୍ୟ ନୁହେଁ ତାକୁ ଅତୀତପ୍ରବଣ ନହୋଇ ଉତ୍ତର-ଆଧୁନିକତା ଉପସ୍ଥାପିତ କରିଥାଏ । ଏହା ସତ୍ୟ ସମ୍ପର୍କରେ ଧାରଣା ଦେବାକୁ ଚେଷ୍ଟା ନକରି, ଯାହା ପରିବେଷଣ ଯୋଗ୍ୟ ନୁହେଁ ତା’ ପାଇଁ ସାଙ୍କେତିକ ପରିଭାଷାର ଉଦ୍ଭାବନ ପାଇଁ ପ୍ରୟାସ କରିଥାଏ-। ଜାଁ ଫ୍ରୀଙ୍କୋୟା ଲିଓଟାର୍ଡଙ୍କୁ ଯଦି ଉତ୍ତର-ଆଧୁନିକତାର ଆଦ୍ୟ ପ୍ରବକ୍ତା ବୋଲି ଧରାଯାଏ ତେବେ ଜାଁ ବଦ୍ରିଲାର୍ଡ଼ଙ୍କୁ ତା’ର ଏକ ବିଶିଷ୍ଟ ପୁରୋଧା ଭାବେ ଗ୍ରହଣ କରାଯିବା ଉଚିତ୍ । ବିଶିଷ୍ଟ ଆଲୋଚକ Jim Powell ଙ୍କ ମତରେ, ‘‘Just as Nietzsche once proclaimed the Death of God, Baudrillard’s thought declares the death of modernity, the death of the real, and the death of sex’’

 

ଯଦିଓ ପ୍ରାରମ୍ଭିକ ଅବସ୍ଥାରେ ବଦ୍ରିଲାର୍ଡ଼ ସାମ୍ୟବାଦ ଦ୍ୱାରା ପ୍ରଭାବିତ ହୋଇଥିଲେ, ପରେ ସେ ଉପଲବ୍ଧି କଲେ ଯେ ସାମ୍ୟବାଦ ଦର୍ଶନ, ପରବର୍ତ୍ତୀ ପୁଞ୍ଜିବାଦୀ ସମାଜ ସବୁର ବ୍ୟାଖ୍ୟା ନିମିତ୍ତ ଯଥେଷ୍ଟ ନୁହେଁ । ଏଇ ସମୟରେ ଭାଷାତତ୍ତ୍ୱବିତ୍ ଫର୍ଡିନାଣ୍ଡ ଡି ସସୁରେଙ୍କ ପ୍ରଭାବର ଶିକାର ହେଲେ ସେ । ସସୁରେ ଥିଲେ ଜଣେ ସଂରଚନାବାଦୀ ସେ ବିଶ୍ୱାସ କରୁଥିଲେ ଯେ ବସ୍ତୁ ବା ଅବଧାରଣା ସହ ମେଳ ଖାଉଥିବା ଧ୍ୱନି ସମୂହ ଦ୍ଵାରା ଭାଷାଗତ, ଅର୍ଥ ସୃଷ୍ଟି ହୁଏ ନାହିଁ । ତାଙ୍କ ମତରେ ‘ଘୋଡ଼ା’ ଶବ୍ଦର ଧ୍ୱନି ଓ ‘ଘୋଡ଼ା’ର ଅବଧାରଣା ମଧ୍ୟରେ କୌଣସି ସ୍ୱାଭାବିକ ମେଳ ନାହିଁ-। ଭାଷା ହେଉଛି ଏକ ବିଜ୍ଞାନ । ସସୁରେଙ୍କର ଭାଷାତାତ୍ତ୍ୱିକ ସଂରଚନା ଦ୍ୱାରା ସମ୍ପ୍ରସାରିତ ହୁଏ । ଖ୍ରୀଷ୍ଟିଆନ୍ ଧର୍ମତତ୍ତ୍ଵରେ ଆମେ ଯେଉଁ ସୈତାନ ଶବ୍ଦ ଦେଖୁ ତା ତା’ର ବିପରୀତ ଶବ୍ଦ ‘ଈଶ୍ୱର’, ‘ଈଶ୍ୱରଙ୍କ ଦୂତ’ ଭଳି ଶବ୍ଦ ସବୁ ଦ୍ଵାରା ହିଁ ଅର୍ଥାୟିତ ହୁଏ’ । ବଦ୍ରିଲାର୍ଡ଼ ଯୁକ୍ତି କରନ୍ତି ଯେ ଗଧିଆମାନଙ୍କ ଗହଣରେ ବଢ଼ିଥିବା ପିଲାଟିଏ ଯେମିତି ଗଧିଆ ଭଳି ହୋଇଯାଏ ସେମିତି ଉତ୍ତର-ଆଧୁନିକ ସମାଜରେ ଲୋକେ ବସ୍ତୁବାଦୀ ପୃଥିବୀରେ ବଞ୍ଚି ଅଧିକ ବସ୍ତୁ ସଦୃଶ ହୋଇଯାନ୍ତି । ଯଦିଓ ପଣ୍ୟଦ୍ରବ୍ୟ ସବୁର ବ୍ୟବହାର ଉପରେ ଉତ୍ତର-ଆଧୁନିକ ସମାଜ ନିର୍ଭରଶୀଳ, ଏହି ବ୍ୟବହାର ବା ଉପଭୋଗ ଆମକୁ କେବେ ହେଁ ସୁଖୀ କରି ପାରିବନି ।

 

ବସ୍ତୁର ଯେଉଁ ପ୍ରତୀକାତ୍ମକ ଦିଗକୁ ମାର୍କ୍ସ କରି ନଥିଲେ, ବହ୍ରିଲାର୍ଡ଼ ତାକୁ ଗୁରୁତ୍ୱ ଦେଇଥିଲେ । କଥା ହେଲା, ଜଣେ ଯେତେବେଳେ ମର୍ସିଡ଼ିସ୍ କାର୍‍ଟିଏ କିଣେ ସେତେବେଳେ ସେ କାର୍‍ଟି ତା’ର ଉପଯୋଗିତା ବ୍ୟତୀତ ଉପଭୋକ୍ତାଙ୍କର ସମ୍ମାନ ଓ ସାମାଜିକ ସ୍ଥିତିର ସୂଚକ ହୁଏ । ତେଣୁ ଏଠାରେ କାର୍ ଉପଭୋଗ ଏକ ସାଧାରଣ ଉପଭୋଗ ନୁହେଁ । ଏହା ଏକ ପରିଦୃଶ୍ୟମାନ, ବରଂ ବିଜ୍ଞାପନଧର୍ମୀ ଉପଭୋଗ । କାର୍ କିଣିବା ବ୍ୟତୀତ କାର୍ ମାଲିକଙ୍କୁ ଟେନିସ୍ କ୍ଲବ୍ ଯିବା, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯେଉଁଠି ରହନ୍ତି ସେଭଳି ସ୍ଥାନରେ ରହିବା, ପିଲାମାନଙ୍କୁ ନାମୀ ପ୍ରାଇଭେଟ୍ ସ୍କୁଲରେ ପଢ଼ାଇବା ଇତ୍ୟାଦି ଆହୁରି ଅନେକ କାମ କରିବାକୁ ହୁଏ ନିଜ ଉଚ୍ଚ ସାମାଜିକ ସ୍ଥିତି ବଜାୟ ରଖିବା ପାଇଁ । ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଆବଶ୍ୟକତା ଏଠି ବଡ଼ କଥା ନୁହେଁ । ଏଠି ବଡ଼ କଥା ହେଲା ଅନ୍ୟମାନଙ୍କ ଠାରୁ ନିଜ ସାମାଜିକ ସ୍ଥିତିରେ ଭିନ୍ନତା ସୂଚାଇବା ।

 

ଭାଷାତତ୍ତ୍ୱରେ ଫର୍ଡିନାଣ୍ଡ ଡି ସସୁରେ ଯେଉଁ ପାର୍ଥକ୍ୟ କଥା ସୂଚାଇଥିଲେ, ସାଂସ୍କୃତିକ ପୃଷ୍ଠଭୂମିରେ ତା’ର ମାନ୍ୟତା ସ୍ୱୀକାର କଲେ ବଦ୍ରିଲାର୍ଡ଼ ଗଣମାଧ୍ୟମ ସବୁର ସମାଜ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କଲେ । କୌଣସି ଜନିଷ ବା ଘଟଣାର ଅବିକଳ ନକଲକୁ ସେ simulacrum ବୋଲି ଆଖ୍ୟାୟିତ କଲେ ଏବଂ “The Order of simulacra’’ (Simulacurm ର ବହୁବଚନ simularca) ରେ ବାସ୍ତବ ଓ ନକଲ ମଧ୍ୟରେ ଥିବା ସମ୍ପର୍କ ସମୟ କ୍ରମେ କିଭଳି ପରିବର୍ତ୍ତିତ ହୋଇଛି ତା’ ସେ ଦର୍ଶାଇଛନ୍ତି । ଉତ୍ତର – ଆଧୁନିକ ଯୁଗରେ ନକଲ ହିଁ ବାସ୍ତବରେ ପରିଣତ ହୁଏ ବୋଲି କହନ୍ତି । ବଦ୍ରିଲାର୍ଡ଼ଙ୍କ ମତରେ ଚଳଚ୍ଚିତ୍ର, ଟି.ଭି., ସାଇବର୍‍ବ୍ଲିଜ୍, pop part ଏବଂ ଚାକଚକ୍ୟଭରା ଗଣମାଧ୍ୟମର ଆକର୍ଷକ ପୃଥିବୀର ସଙ୍କେତ ବା ପ୍ରତିଛବି ସବୁର ବାସ୍ତବ ପୃଥିବୀ ସହ କୌଣସି ମେଳ ରହେନାହିଁ । କିନ୍ତୁ ସେମାନେ ନିଜର ଅତିବାସ୍ତବତା ସୃଷ୍ଟି କରନ୍ତି ଏଇ ଅତିବାସ୍ତବତା । ପରିପ୍ରକାଶର ଏମିତି ଏକ କ୍ରମ, ଯାହା ଅବାସ୍ତବ ନୁହେଁ କିନ୍ତୁ ବାସ୍ତବତାକୁ ବଦଳେଇ ଦିଏ ଏବଂ ଏହା ବାସ୍ତବଠାରୁ ଅଧିକ ବାସ୍ତବ, ଅଧିକ ସତ୍ୟଶୀଳ ଭାବେ ଉଭା ହୁଏ ।

 

‘In the shadow of the silent majorities’ ନାମକ ପୁସ୍ତକରେ ବର୍ଦ୍ରିଲାର୍ଡ଼ କହନ୍ତି ଯେ computer networks ଏବଂ electronic, media ଦ୍ଵାରା ପ୍ରଭାବିତ ସମାଜ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପରିବର୍ତ୍ତେ ଟି.ଭି. ଦେଖିବା ଶ୍ରେୟସ୍କର ମଣେ । କାରଣ ଏହା ବିଶ୍ୱାସ କରେ ଯେ କୌଣସି ପରିବର୍ତ୍ତନ ପାଇଁ ଯଦି ଏହା କୌଣସି କାର୍ଯ୍ୟକ୍ରମ ଗ୍ରହଣ କରେ ତେବେ ଗଣମାଧ୍ୟମ ନିଜ ସୁବିଧା ପାଇଁ ତାକୁ ନିଜ କାମରେ ଲଗେଇଦେବ । ତେଣୁ ଲୋକେ ସାମାଜିକ, କାର୍ଯ୍ୟକ୍ରମ ସବୁରୁ ନିଜକୁ ଦୂରେଇ ରଖୁଛନ୍ତି । ‘On Seduction’ ପୁସ୍ତକରେ ବର୍ଦ୍ରିଲାର୍ଡ଼ ଲେଖିଛନ୍ତି ଯେ ମେକ୍‌ଅପ୍, ଫେସନ୍, ଶରୀରର ଅଙ୍ଗପ୍ରଦର୍ଶନ ଭଳି ନାରୀସୁଲଭ ଯୌନ ପ୍ରଲୋଭନ ଯଦି ହୁଏ ‘hot seduction’ ତେବେ ଚଳଚ୍ଚିତ୍ର, ରେଡ଼ିଓ ଇତ୍ୟାଦିରେ ପ୍ରଦର୍ଶିତ ଓ ପ୍ରଚାରିତ ଯୌନକ୍ରିୟାର ନକଲ ହେଲା ‘cool seduction’ । ଚଳଚ୍ଚିତ୍ରରେ ଉତ୍ତେଜକ ଦୃଶ୍ୟ ଦେଖି ଆମେ - ନିଜେ ନିଜକୁ seduce କରୁ ଏବଂ ଏସବୁ ଦ୍ଵାରା ଆମ ପୁରୁଷତ୍ୱ ଅବଦମିତ ହୁଏ । ବର୍ଦ୍ରିଲାର୍ଡ଼ଙ୍କ ବର୍ଣ୍ଣିତ ଉପରୋକ୍ତ ଅଧୋଗତି ସବୁ କେନ୍ଦ୍ର-ବିଚ୍ୟୁତି ନୁହେଁ ତ ଆଉ କ’ଣ ବୋଲି ଆମେ କରିବା ?

 

ଉତ୍ତର-ଆଧୁନିକତାର ଆନ୍ଦୋଳନକୁ ପ୍ରଭାବିତ କରିଥିବା ଅନ୍ୟାନ୍ୟ ଚିନ୍ତାନାୟକମାନେ ହେଲେ ଜ୍ୟାକ୍ ଡେରିଡ଼ା, ମାଇକେଲ୍ ଫୁକୋ, ରୋନାଲଡ୍ ବାର୍ଥସ୍ ଗାଇଲସ୍, ଡିଲ୍ୟୁଜ୍, ଫେଲିକସ୍ ଗ୍ୱାତାରୀ, ଜୁଲିଆ କ୍ରିସ୍ତେଭା । ଏମାନେ ସମସ୍ତେ ଥିଲେ ଉତ୍ତର-ସଂରଚନାବାଦୀ ଆଧିପତ୍ୟ ବା ପ୍ରାଧାନ୍ୟର ଧାରଣାର ବିରୋଧାଚରଣ କରୁଥିବା ଉତ୍ତର-ଆଧୁନିକତାକୁ ଉତ୍ତର-ସଂରଚନାବାଦ, ଭାଷା ଓ ଜ୍ଞାନର ବିଶ୍ଳେଷଣ ଦ୍ଵାରା ତା’ର ସମର୍ଥନ ଜଣାଇ ଅଧିକ ପରିପୁଷ୍ଟ କରିଥାଏ । ବିଶେଷ କଥନ ସବୁର ସାମାନ୍ୟ କଥନଗୁଡ଼ିକ ଉପରେ ମାଲିକାନା ବିରୋଧରେ ଉତ୍ତର-ଆଧୁନିକତାବାଦୀମାନେ ସ୍ୱରଉତ୍ତୋଳନ କଲାବେଳେ ଉତ୍ତର-ସଂରଚନାବାଦୀ ମାନେ ସ୍ୱୀକାର କରନ୍ତି ଯେ ଜ୍ଞାନର ଉଦ୍ଭବ କେବଳ ଅବଧାରଣା ସବୁକୁ ନେଇ ହୁଏ ନାହିଁ, ଶବ୍ଦ ସବୁକୁ ନେଇ ମଧ୍ୟ ହୋଇଥାଏ ।

 

ତେବେ ଏକଥା କହୁଥିବା ବେଳେ ଉତ୍ତର-ସଂରଚନାବାଦୀମାନେ ସ୍ୱୀକାର କରନ୍ତି ଯେ ଭାଷା ଏକ ନିର୍ଭରଶୀଳ ଉପାଦାନ ନୁହେଁ । କାରଣ ଶବ୍ଦ ସବୁ ସେମାନଙ୍କ ବିପରୀତ ଶବ୍ଦମାନଙ୍କ ଦ୍ଵାରା ଆକ୍ରାନ୍ତ ହେଇଥାନ୍ତି । ଯେମିତି ଦିନ, ରାତି ଦ୍ଵାରା ଓ ସତ୍ୟ, ମିଥ୍ୟା ଦ୍ୱାରା । ସଂରଚନାବାଦୀ ମାନେ ଶବ୍ଦ ଭିତରେ ଅର୍ଥଗତ ନିଶ୍ଚିତତାର ସନ୍ଧାନ କରୁଥିଲେ । କିନ୍ତୁ ଉତ୍ତର-ସଂରଚନାବାଦୀମାନେ କହୁଥିଲେ ଯେ ଶବ୍ଦର ଅର୍ଥ ବଦଳି ଚାଲିଥାଏ । ସାହିତ୍ୟ ଓ ଦର୍ଶନରେ ବ୍ୟବହୃତ ଶବ୍ଦ ସବୁ ଯେଉଁ ଅର୍ଥ ପ୍ରଦାନ କରିଥାନ୍ତି ତାହା ଅନେକ ସମୟରେ ଆଭିଧାନିକ ଅର୍ଥ ଠାରୁ ଭିନ୍ନ । Deconstruction ର ମୁଖ୍ୟ ପୁରୋଧା ଜ୍ୟାକ୍ ଡେରିଡା ୧୯୬୬ରେ ଜନ୍ ହପ୍‍କିନ୍‍ସ ବିଶ୍ୱବିଦ୍ୟାଲୟରେ ତାଙ୍କ ଅଭିଭାଷଣ – ‘‘Structure, sign and play in the discourse of the Human Sciences’’ ଦ୍ଵାରା ବୌଦ୍ଧିକ ଜଗତରେ ସୃଷ୍ଟି କରେ ଏକ ବିରାଟ ଝଡ଼ । ଡେରିଡା ବିଶ୍ୱାସ କରୁଥିଲେ, ସମଗ୍ର ପାଶ୍ଚାତ୍ୟ ଜଗତର ଚିନ୍ତା ରାଜ୍ୟ ଏକ କେନ୍ଦ୍ର ଉପରେ ପର୍ଯ୍ୟବସିତ । ଏଇ କେନ୍ଦ୍ର ଅନ୍ୟସବୁକିଛିକୁ ଅବଦମିତ କରେ, ଅବହେଳା କରେ ବରଂ ବଞ୍ଚିତ କରେ । ଯୀଶୁଖ୍ରୀଷ୍ଟ ଯେଉଁ ସମାଜରେ କେନ୍ଦ୍ର ଭାବେ ପରିଗଣିତ ସେହି ଖ୍ରୀଷ୍ଟିୟ ସମାଜରେ ବୌଦ୍ଧ ଧର୍ମାବଲମ୍ବୀ, ମୁସଲମାନ, ଇହୁଦୀ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ବଞ୍ଚିତ ଓ ଅବହେଳିତ ଶ୍ରେଣୀ । ସେମିତି ପୁରୁଷ ପ୍ରଧାନ ସମାଜରେ ନାରୀମାନେ ଅବହେଳିତ । କେନ୍ଦ୍ର ହିଁ କେବଳ ସତ୍ୟ-ଆଧାରିତ ଓ ଅନ୍ୟସବୁ ମତାମତ ଓ ବିଶ୍ୱାସ ମୂଲ୍ୟହୀନ - ଏମିତି ଏକ ଅବଧାରଣାରୁ ପୁରୁଷ-ସ୍ତ୍ରୀ, ଚେତନା-ଜଡ଼ତା, ପ୍ରକୃତି-ସଂସ୍କୃତି, ଗୋରା-କଳା, ଖ୍ରୀଷ୍ଟିଆନ୍-ପାଗାନ୍ ଭଳି ଦ୍ୱିବିଧାତ୍ମକ ପାର୍ଥକ୍ୟ ସବୁର ସୃଷ୍ଟି । Deconstruction କେନ୍ଦ୍ରରେ ଥିବା ଶବ୍ଦକୁ ସ୍ଥିତିଚ୍ୟୁତ କରାଏ ଓ ଅବହେଳିତ ଶବ୍ଦକୁ କେନ୍ଦ୍ରାୟିତ କରି ଶ୍ରେଣୀନାୟକତ୍ୱକୁ ଓଲଟପାଲଟ କରିଦିଏ । ଏହି ପ୍ରକ୍ରିୟାଟି ଚିରନ୍ତନ ଭାବେ ଚାଲିଥାଏ କୌଣସି କଳାକୃତି ଭିତରେ ପରସ୍ପର ଯୁଦ୍ଧରତ ବିରୋଧାତ୍ମକ ଅର୍ଥସବୁ ଭିତରୁ କୌଣସି ନିର୍ଦ୍ଦିଷ୍ଟ ଅର୍ଥକୁ ଅନ୍ୟ ଅର୍ଥସବୁ ଉପରେ ଆଧିପତ୍ୟ ବିସ୍ତାର କରିବାର ସୁଯୋଗ ଦିଏନା । ପାଶ୍ଚାତ୍ୟ ଚିନ୍ତାରାଜ୍ୟରେ ଡେରିଡାଙ୍କ ପ୍ରତିବିନ୍ୟାସ ତତ୍ତ୍ୱ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲେ ବି ମାର୍କ୍ସବାଦୀ ଓ ବାମାବାଦୀମାନେ ଏହାକୁ ସହୃଦୟତାର ସହ ଗ୍ରହଣ କରିପାରି ନାହାନ୍ତି; କାରଣ ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଦୃଢ଼ ମୂଳଦୂଆ ସୃଷ୍ଟି କରିପାରେ ନାହିଁ ବୋଲି ସେମାନେ ବିଶ୍ୱାସ କରନ୍ତି ।

 

ଫ୍ରାନ୍ସରେ ୧୯୨୬ରେ ଜନ୍ମ ଗ୍ରହଣ କରିଥିବା ମନସ୍ତତ୍ତ୍ୱବିଦ୍ ମାଇକେଲ୍ ଫୁକୋ କ୍ଷମତା ଓ ଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରନ୍ତି । କ୍ଷମତାକୁ ସେ ଏକ ରାଷ୍ଟ୍ରାୟତ୍ତ ବୃହତ୍ ଏକକ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ତାଙ୍କ ମତରେ ପାଗଳଗାରଦ, ଚିକିତ୍ସାଳୟ, କାରାଗାର, ବିଶ୍ୱବିଦ୍ୟାଳୟ ଏବଂ ଶୋଇବାଘର ଭଳି ସ୍ଥାନମାନଙ୍କରେ ମଧ୍ୟ କ୍ଷମତା କ୍ରିୟାଶୀଳ ହୁଏ । ଏବଂ ଏକଥା ସତଯେ ସାଧାରଣ ଭାବେ ଗୃହୀତ କୌଣସି ବିଶେଷ ଧରଣର ତତ୍ତ୍ୱଦ୍ଵାରା ଏସବୁର ବ୍ୟାଖ୍ୟା କରାଯାଇ ପାରିବ ନାହିଁ ଆଉ ଗୋଟିଏ କଥା, ଯେଉଁଠି କ୍ଷମତା ଅଛି, ସେଠି ପ୍ରତିରୋଧ ମଧ୍ୟ ଅଛି । ତେଣୁ କ୍ଷମତାକୁ ପ୍ରତିହତ କରିବାକୁ ହେଲେ ଆଞ୍ଚଳିକ ସ୍ତରରେ ବା ଛୋଟଛୋଟ ପରିସରରେ କ୍ରିୟାଶୀଳ ଦମନ ମୂଳକ ପ୍ରଥା, ଚଳଣି ବା କାର୍ଯ୍ୟକ୍ରମ ସବୁକୁ ବିରୋଧ କରାଯିବା ଉଚିତ । କିନ୍ତୁ ବଦ୍ରିଲାର୍ଡ଼ ଫୁକୋଙ୍କର କ୍ଷମତା ସମ୍ପର୍କିତ ମତାମତକୁ ପୁରୁଣାକାଳିଆ କହି ଆଗ୍ରାହ୍ୟ କଲେ ।

 

ଏଇଠି ଉଲ୍ଲେଖ ଯୋଗ୍ୟ ଯେ ଗାଇଲସ୍ ଡିଲ୍ୟୁଜ୍ ଏବଂ ଫେଲିକସ୍ ଗ୍ୱାତାରୀ ନାମଧାରୀ ଦୁଇ ଫରାସୀ ଉତ୍ତର-ସଂରଚନାବାଦୀ ଫ୍ରୟେଡ଼ୀୟ ଅଚେତନ ଅବସ୍ଥାକୁ ଏକ ପୁଞ୍ଜିବାଦୀ ସୌଧ ଭାବେ ବର୍ଣ୍ଣନା କଲେ । ଫ୍ରୟେଡ଼ୀୟ ମନୋବିଶ୍ଳେଷଣରେ ଯୌନ ଇଚ୍ଛାର ଏକ ନକାରାତ୍ମକ ଭୂମିକା ପରିଦୃଷ୍ଟ ହେଲା ବେଳେ ଡିଲ୍ୟୁଜ୍ ଓ ଗ୍ୱାତାରୀ ଯୌନ ଇଚ୍ଛାକୁ ସକାରାତ୍ମକ, ସ୍ଵାସ୍ଥ୍ୟଦାୟୀ ବୋଲି ବର୍ଣ୍ଣନା କରନ୍ତି ଏବଂ ଶରୀରକୁ ଏକ ଇଚ୍ଛାକାମୀ ଯନ୍ତ୍ର ଭାବେ ଗ୍ରହଣ କରନ୍ତି, ଯାହା ସମ୍ପୂର୍ଣ ସୀମା-ବିମୁକ୍ତ ଭାବେ ସ୍ଵୀକୃତ ହୁଏ । ଡିଲ୍ୟୁଜ୍ ଓ ଗ୍ୱାତାରୀ ସମର୍ଥିତ ସ୍ମିଜୋଆନାଲିସିସ୍ ପ୍ରାଣ ପ୍ରବାହର ମୁକ୍ତି ଓ ନୂଆ ନୂଆ ଇଚ୍ଛାକାମୀ ବିଷୟର ସୃଷ୍ଟି ଚାହୁଁଥିବାରୁ ତାକୁ ଉତ୍ତର-ଆଧୁନିକ ବୋଲି ବିଚାର କରାଯାଇ ପାରିବ । ଶରୀର ଓ ଯୌନ ଇଚ୍ଛାର ପୂର୍ତ୍ତି ସମୟରେ ଦୃଢ଼ ଯୁକ୍ତି ଉତ୍‍ଥାପନ କରନ୍ତି ଡିଲ୍ୟୁଜ ଓ ଗ୍ୱାତାରୀ ।

 

କିନ୍ତୁ ସବୁଠାରୁ ସ୍ପଷ୍ଟ ଭାବେ ଯଦି କେହି ଆଧୁନିକତା ଓ ଉତ୍ତର ଆଧୁନିକତା ମଧ୍ୟରେ ପାର୍ଥକ୍ୟର ରେଖା ସ୍ପଷ୍ଟ ଭାବେ ଟାଣିଥାନ୍ତି ସେ ହେଲେ ଇହାବ୍ ହାସନ୍ ତାଙ୍କ ମତରେ ଆଧୁନିକତାବାଦୀମାନେ ଉଦ୍ଦେଶ୍ୟ, କର୍ତ୍ତୃତ୍ୱ, ଦୂରତ୍ୱ, ଉପସ୍ଥିତି, ପାରାନୋଇଆ, ନିର୍ଦ୍ଦିଷ୍ଟତା, କ୍ରମିକତା, କେନ୍ଦ୍ରମୁଖୀନତା, ଶୃଙ୍ଖଳା, ଯୁକ୍ତି, ଦାର୍ଶନିକତା, ଲେଖକୀୟ କୃତି ଉତ୍ତୀର୍ଣ୍ଣତା, ପିତା ପରମେଶ୍ୱର, ସର୍ଜନାତ୍ମକତା, ବିଶ୍ୱଦୃଷ୍ଟି ଇତ୍ୟାଦିକୁ ଗ୍ରହଣ କରୁଥିବା ବେଳେ ଉତ୍ତର-ଆଧୁନିକବାଦୀମାନେ ଯଥାକ୍ରମେ ନିରୁଦ୍ଦେଶ୍ୟ, ଅରାଜକତା, ଅଂଶଗ୍ରହଣ, ଅନୁପସ୍ଥିତି, ସ୍କିଟ୍‍ସୋଫ୍ରେନିଆ, ଅନିର୍ଦ୍ଦିଷ୍ଟତା, କ୍ରମବିହୀନତା, ବିକ୍ଷିପ୍ତତା, ଶୃଙ୍ଖଳାହୀନତା, ଅଯୌକ୍ତିକତା, ଶ୍ଳେଷ, ପାଠକୀୟ କୃତି, ତାତ୍‍କାଳୀକତା, ପବିତ୍ର ଆତ୍ମା, ପ୍ରତିବିନ୍ୟାସ, ଆତ୍ମମଗ୍ନତା ଇତ୍ୟାଦିକୁ ଗ୍ରହଣ କରିଥାନ୍ତି ।

 

ତେଣୁ ଏଇଠି ସ୍ପଷ୍ଟ ଯେ ଆଧୁନିକତା ଯେତେବେଳେ ସଂହତି, ସାମଗ୍ରିକତା, ଏକତା ଓ ବିଶ୍ୱଦୃଷ୍ଟି ଇତ୍ୟାଦିକୁ ସମର୍ଥନ କରେ ଉତ୍ତର- ଆଧୁନିକତା ସେତେବେଳେ ଅଯୌକ୍ତିକତା, ଅନିର୍ଦ୍ଦିଷ୍ଟତା, ବହୁମୁଖୀନତାକୁ ଆଦରରେ ଗ୍ରହଣ କରେ । ଆଦର୍ଶ, ନୈତିକତା, ପ୍ରମାଣ ଓ ମାନବୀୟ ମୂଲ୍ୟବୋଧ ଇତ୍ୟାଦିକୁ ଉତ୍ତର-ଆଧୁନିକତା ଅସ୍ଵୀକାର କରେ । ବରଂ ଅପାଙ୍‍କ୍ତେୟ ଓ ଗୌଣ ମନେ ହେଉଥିବା ବସ୍ତୁ ବା ଚିନ୍ତନ ପ୍ରତି ଏହା ଅଧିକ ଆଗ୍ରହ ଦେଖାଇଥାଏ କୌଣସି ସାହିତ୍ୟ କୃତିର ଆରମ୍ଭ, ମଧ୍ୟଭାଗ ଓ ସମାପ୍ତି ଭଳି ପ୍ରକରଣ ଓ ଦୀର୍ଘ ବର୍ଣ୍ଣନା ଶୈଳୀ ବଦଳରେ ଉତ୍ତର-ଆଧୁନିକତା ପ୍ରସଙ୍ଗ-ବିଚ୍ୟୁତି, ମାନକ-ମିଶ୍ରଣ ଓ ଖଣ୍ଡିତ ବର୍ଣ୍ଣନା ଶୈଳୀକୁ ଆପଣେଇ ଥାଏ-

 

ଉତ୍ତର - ଆଧୁନିକ କବିତା ତେଣୁ ଭାଷା ଓ ଭାବର ସଜ୍ଜୀକରଣତାକୁ ନିୟନ୍ତ୍ରିତ କରୁଥିବା ପୂର୍ବାନୁମୋଦିତ ଆଙ୍ଗିକ ସବୁ ବିରୋଧରେ ମୁଣ୍ଡ ଟେକି ଠିଆ ହୁଏ । ଏକକ ସ୍ୱର ବଦଳରେ ଏହା ବହୁବିଧ ସ୍ଵରର ପ୍ରତିନିଧତ୍ୱ କରେ । ଉତ୍ତର-ଆଧୁନିକ ଉପନ୍ୟାସ ସବୁ କେବଳ ବ୍ୟଭଞ୍ଜନର କଥା କହନ୍ତିନି, ସେମାନେ ନିଜ ସମ୍ପର୍କରେ ମଧ୍ୟ ଆଲୋଚନା କରନ୍ତି । ଏହି ଉପନ୍ୟାସ ସବୁରେ ଗୌଣ ପାଠ, ମୁଖ୍ୟ ପାଠ୍ୟର ବହୁ ସ୍ଥଳରେ ବିରୋଧ କରିଥାଏ । Delillo ଙ୍କ ଉପନ୍ୟାସ White Noise ରେ ଏକଥା ସାବ୍ୟସ୍ତ ହୁଏ ଯେ ବାସ୍ତବ ଘଟଣା ସବୁର ନକଲ ଉଦ୍ଦେଶ୍ୟରେ ପୂର୍ବାଭିନୟ ଭାବେ ବ୍ୟବହୃତ ହୁଏ । ଉତ୍ତର-ଆଧୁନିକ ସମାଲୋଚକମାନେ ଶ୍ଳେଷକୁ ପୁରୋଭାଗରେ ପ୍ରତିଷ୍ଠା ଦେଇ ଅତୀତଚାରଣ କରନ୍ତି । ଆଧୁନିକତାବାଦୀମାନଙ୍କର ଅତୀତ ପ୍ରବଣତା ଏମାନଙ୍କର ନଥାଏ-। ସେମାନେ ଅନ୍ତର୍ପାଠ୍ୟଗତ ଉପାଦାନ ସବୁର ବିଶ୍ଳେଷଣ କରୁଥିବା ସ୍ଥଳେ parody, pastiche allusion ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥାନ୍ତି ।

 

ସାହିତ୍ୟ ଜଗତ ବାହାରେ ଉତ୍ତର-ଆଧୁନିକତାର ଉପଚାର କଥା ଚିନ୍ତା କଲେ ପ୍ରଥମେ ମନକୁ ଆସେ Blade runner ନାମକ ଚଳଚ୍ଚିତ୍ରର କଥା ଯେଉଁଠି ଆମେ ଦେଖୁ ଜିନ୍ ସୃଷ୍ଟ କେତେକ ମଣିଷ ଯେଉଁମାନଙ୍କୁ ଅତି ବଳଶାଳୀ, ବୁଦ୍ଧିମାନ୍ ଓ କୁଶଳୀ କ୍ରୀତଦାସ ଭାବେ ସୃଷ୍ଟି କରାଯାଇଛି । ପୃଥିବୀ ବାହାରେ ଥିବା ଗ୍ରହମାନଙ୍କରେ ଉପନିବେଶ ସ୍ଥାପନ ପାଇଁ ସେମାନଙ୍କୁ ପଠା ଯାଉଛି । ମାତ୍ର ଚାରି ବର୍ଷର ପରମାୟୁ ପାଇଥିବାରୁ ଏହି ଅଦ୍ଭୁତ ମଣିଷମାନେ ଉତ୍ୟକ୍ତ ହେବାରୁ ସେମାନଙ୍କୁ ବୁଝେଇ ଦିଆଯାଇଛି ଯେ ସେମାନଙ୍କ ପରମାୟୁ ସ୍ୱଳ୍ପ ହୋଇପାରେ, ହେଲେ ସେମାନଙ୍କ ସୀମିତ ଜୀବନକୁ ସେମାନେ ତୀବ୍ର ଭାବେ’ ପ୍ରାଣ ପ୍ରାଚୁର୍ଯ୍ୟର ସହ ବଞ୍ଚୁଛନ୍ତି William Gibson ଙ୍କ Neuromancer ଭଳି ଏକ cyberpunk novel ସେ ମଧ୍ୟ ସେହିଭଳି ଆମେ ଦେଖୁ କେଶ୍‍ଭଳି ଏକ ଚରିତ୍ରକୁ ଯିଏ କମ୍ପ୍ୟୁଟର୍ ଓ ଡାଟା ଚୋରି କରିଥିବାରୁ ତା’ର ସ୍ନାୟୁକୋଷ ସବୁକୁ ଜାଳି ଦିଆଯାଏ । କିନ୍ତୁ ପରେ ପରେ ତା’ର ସ୍ନାୟୁକୁସଜଡ଼ାଯାଏ ଓ କେଶ୍‍କୁ ଚୋରି କାର୍ଯ୍ୟରେ ପୁଣି ନିଯୁକ୍ତି କରାଯାଏ । Neuromancer ରେ ମୌଳିକ ବସ୍ତୁ ଓ ତା’ର ନକଲ, କମ୍ପୁଟର ଓ ମଣିଷ, ପ୍ରକୃତି ଓ ଶିଳ୍ପଶାସ୍ତ୍ର ସବୁ ମଝିରେ ଥିବା ପାର୍ଥକ୍ୟ ଭୁଷୁଡ଼ି ପଡ଼େ । ଆଉ ଏକ କଥା, ଆଧୁନିକ ସ୍ଥାପତ୍ୟ, ଶୈଳୀର ନିୟମ ସବୁର ପବିତ୍ରତା ଓ ସ୍ୱାତନ୍ତ୍ର୍ୟକୁ ପ୍ରାଧାନ୍ୟ ଦେଉଥିଲା ବେଳେ, ଉତ୍ତର-ଆଧୁନିକତା, ସ୍ଥାପତ୍ୟ ବହୁବିଧ ଶୈଳୀ, ପରମ୍ପରା ଓ ବିଧିର ଉପଯୋଗ କରିଥାଏ । ଏହି ବିବିଧତା ହିଁ ଉତ୍ତର-ଆଧୁନିକ ସ୍ଥାପତ୍ୟର ସ୍କିଜୋଫ୍ରେନିକ୍ ଦିଗ ସମ୍ପର୍କରେ ସୂଚିତ କରିଥାଏ ବୋଲି ତତ୍ତ୍ୱବିଦ୍‍ମାନେ ମତ ଦେଇଥାନ୍ତି ।

 

ଉତ୍ତର-ଆଧୁନିକତା କଥା ଆଲୋଚନା କଲାବେଳେ ଆଉ ଦୁଇଟି ପ୍ରମୁଖ ସାଂସ୍କୃତିକ ଆନ୍ଦୋଳନ ସହ ତା’ର ସମ୍ପର୍କ ସମ୍ବନ୍ଧରେ ସାମାନ୍ୟ ସୂଚନା ଦେବା ଜରୁରୀ । ଉତ୍ତର-ଉପନିବେଶବାଦ, ଉତ୍ତର-ଆଧୁନିକତା ଭଳି ଉପନିବେଶବାଦୀ ଶକ୍ତିମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଏ । Frontz Fanon ତାଙ୍କର ‘The Wretched of the Earth’ ପୁସ୍ତକରେ ଉପନିବେଶବାଦ, ଅଧ୍ୟୁଷିତ ଅଞ୍ଚଳର ଲୋକେ ସେମାନଙ୍କର ଅତୀତର ପୁନଃ ଅଧିକାର ପାଇଁ ଆହ୍ୱାନ ଦେଉଥିଲା ବେଳେ Edward said ତାଙ୍କ ‘Orientalism’ ପୁସ୍ତକରେ ପ୍ରାଚ୍ୟକୁ ନ୍ୟୂନ ଦୃଷ୍ଟିରେ ଦେଖି ଆସିଥିବା ୟୁରୋପୀୟ ସଂସ୍କୃତିକ ପରମ୍ପରାର ନିନ୍ଦା କରିଛନ୍ତି । ହେମି ଭାଭା ପ୍ରାଚ୍ୟ ଓ ପାଶ୍ଚାତ୍ୟ, କେନ୍ଦ୍ର-ପରିଧି, ଭଳି ପରସ୍ପର ବିରୋଧୀ ଶକ୍ତି ମଧ୍ୟରେ ଥିବା ସମ୍ପର୍କର ପ୍ରତିବିନ୍ୟାସ ପାଇଁ ପ୍ରୟାସ କରନ୍ତି ଓ ବର୍ଦ୍ଧିଷ୍ଣୁ ସାଂସ୍କୃତିକ ସଂକରତ୍ୱର ଅନୁସନ୍ଧାନ କରନ୍ତି ।

 

ବାମାବାଦୀମାନଙ୍କ ସହ ଉତ୍ତର-ଆଧୁନିକତାବାଦୀମାନଙ୍କର ସମ୍ପର୍କ ସେତିକି ବେଳେ ସମ ସ୍ତରରେ ପ୍ରତିଷ୍ଠିତ ହୁଏ ଯେତେବେଳେ ଉଭୟେ ଲିଙ୍ଗ ପ୍ରାଧାନ୍ୟକୁ ଅସ୍ୱୀକାର କରନ୍ତି । ପଠନ କ୍ରିୟାକୁ ଏକ ରାଜନୈତିକ କାର୍ଯ୍ୟ ଭାବେ ବିବେଚନା କରୁଥିବା ଏବଂ ପିତୃପ୍ରଧାନ ସମାଜର ପ୍ରାଧାନ୍ୟ ବିରୋଧରେ ଲଢ଼େଇ କରୁଥିବା ବାମାବାଦୀମାନେ ଜୀବନ ଓ ପାଠ୍ୟବସ୍ତୁ ମଧ୍ୟରେ ବିରାଜମାନ କରନ୍ତି । କିନ୍ତୁ ଏଇ ବାମାବାଦୀମାନେ ଯେତେବେଳେ ଯୁକ୍ତିର ସହାୟତାରେ ସମ୍ମିଳିତ ଭାବେ ସମଗ୍ର ନାରୀ ଜାତିର ଦାସତ୍ୱମୋଚନ କଥା ଚିନ୍ତା କରନ୍ତି ସେତେବେଳେ ସେମାନେ ଉତ୍ତର-ଆଧୁନିକତା ଅପେକ୍ଷା ଆଧୁନିକତାର ଅଧିକ ନିକଟବର୍ତ୍ତୀ ହୋଇଥାନ୍ତି । କାରଣ ଆଧୁନିକତାକୁ ଉଦ୍ଦେଶ୍ୟଧର୍ମୀ ଏକ ପ୍ରକଳ୍ପ ଭାବେ ଅନେକ ଗ୍ରହଣ କରିଥାନ୍ତି ।

 

ଉତ୍ତର-ଆଧୁନିକତାର ବିରୋଧ କରୁଥିବା ଆଲୋଚକମାନଙ୍କ ମଧ୍ୟରେ ଯେଉଁମାନଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ ସେମାନେ ହେଲେ ଫ୍ରେଡ଼୍‍ରିକ୍ ଜେମ୍‍ସନ୍ ଓ ଜୁର୍ଗନ୍ ହାବରମାସ୍ । ଉତ୍ତର-ଆଧୁନିକତାର ଉପରଠାଉରିଆ ଓ ଗାମ୍ଭୀର୍ଯ୍ୟହୀନ ଦିଗକୁ ଜଣେ ମାର୍କ୍ସବାଦୀ ଭାବେ ସମାଲୋଚନା କରୁଥିଲା ବେଳେ ଫ୍ରେଡ଼୍‍ରିକ୍ ଜେମ୍‍ସନ୍ ଏକଥା ବିଶ୍ୱାସ କରୁଥିଲେ ଯେ ଐତିହାସିକ ଶକ୍ତି ସବୁ ଦ୍ଵାରା ସଂସାର ଚାଲିଥାଏ । ଉତ୍ତର ଆଧୁନିକତା, ଐତିହାସିକ ଚେତନାର ପରିସମାପ୍ତି ଘୋଷଣା କରିଥାଏ । ଜେମ୍‍ସନ୍ ମତ ଦିଅନ୍ତି ଯେ ମାର୍କ୍ସବାଦ ଭଳି ବିଜ୍ଞାନର ଆବଶ୍ୟକତା ଆମମାନଙ୍କ ଜୀବନରେ ରହିଛି, ଯାହା ଆମମାନଙ୍କୁ ସୂଚେଇ ଦେଇ ପାରିବ କେଉଁଟା କାଳ୍ପନିକ ଓ କେଉଁଟା ବାସ୍ତବ, ଯାହା ପ୍ରକୃତ ଐତିହାସିକ ସଚେତନତା ଓ ସ୍ୱାଭାବିକତାର ପୁନରୁଦ୍ଧାର କରି ପାରିବ ।

 

ଜର୍ମାନ୍ ଦାର୍ଶନିକ ଜୁର୍ଗନ୍ ହାବରମାସ୍ ତାଙ୍କର ‘Modernity An Incomplete Project’ ରେ ଉତ୍ତର- ଆଧୁନିକତାର ନିନ୍ଦାବାଦ କରିଛନ୍ତି । ହାବରମାସ ‘universal pragmatics’ କଥା କହନ୍ତି । ସେ ବିଶ୍ୱାସ କରନ୍ତି ଯେ ଏହାରି ମାଧ୍ୟମରେ ବୁଝାମଣାର ଏକ ସାର୍ବଜନୀନ ପରିସ୍ଥିତି ସୃଷ୍ଟି କରାଯାଇପାରିବ । ହାବରମାସଙ୍କ ମତରେ ଆଧୁନିକତାର ମୃତ୍ୟୁ ଘୋଷଣା କରିବା ହିଁ ପ୍ରକୃତରେ ଏକ ନବ୍ୟ-ରକ୍ଷଣଶୀଳ, ପ୍ରତିକ୍ରିୟାଶ୍ରୟୀ ଯୁକ୍ତି ଯାହା ଆଧୁନିକତାର ଗଣତାନ୍ତ୍ରିକ ଓ ମୁକ୍ତିଦାୟୀ ସାମର୍ଥର ଅବମାନନା କରିଥାଏ । ସାମାଜିକ ମୂଲ୍ୟବୋଧ ସବୁକୁ deconstruction ଅବଜ୍ଞା କରୁଥିବାରୁ ହାବରମାସ୍ ତାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ।

 

ଆଲୋଚନାକୁ ଆଉ ଆଗକୁ ଅଧିକ ନ ବଢ଼ାଇ ପରିଶେଷରେ କେବଳ ଏତିକି କୁହାଯାଇପାରେ ଯେ ଉତ୍ତର-ଆଧୁନିକତା ଏକ ଅବଧାରଣା, କୌଣସି ସମୟ-ଖଣ୍ଡର ସୂଚକ ନୁହେଁ । ଏହା ଏକ ଆନ୍ଦୋଳନ, କୌଣସି ସୀମାବଦ୍ଧ ବିଶ୍ଳେଷଣ ନୁହେଁ ଯେ ଉତ୍ତର-ଆଧୁନିକତାର ବୈଶିଷ୍ଟ୍ୟାଶ୍ରୟୀ ଓଡ଼ିଆ କବିତା, ଗଳ୍ପ ବା ଉପନ୍ୟାସ ଏଯାବତ୍ ଏ ଲେଖକର ଦୃଷ୍ଟିଗୋଚର ହୋଇନାହିଁ । ଉତ୍ତର-ଆଧୁନିକ କବିତା ସମ୍ପର୍କିତ ଯେଉଁ ଅଳ୍ପ କେତୋଟି ଆଲୋଚନା ଦୃଷ୍ଟିଗୋଚର ହୋଇଛି ସେସବୁ ବିଭ୍ରାନ୍ତିକର ମନେ ହୋଇଛି । କଥା ହେଲା, ‘ଉତ୍ତର-ସତୁରି’ ବା ‘ଉତ୍ତର-ଅଶୀ’ ଦଶକର କବିତା ଏବଂ ଉତ୍ତର-ଆଧୁନିକ ବୋଲି କୁହାଯାଉଥିବା କବିତା ମଧ୍ୟରେ ପାର୍ଥକ୍ୟ ରହିଛି । ଏଇ ପାର୍ଥକ୍ୟ ସମ୍ପର୍କରେ ଆମେ ବେଳ ହୁଁ ସଚେତନ ହେବା ଅବଶ୍ୟ ଜରୁରୀ ।

 

 

ପ୍ରାଧ୍ୟାପକ,

ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ,

ନେତାଜୀ ସୁଭାଷଚନ୍ଦ୍ର ବୋଷ ଜୁନିୟର ମହାବିଦ୍ୟାଳୟ,

ସମ୍ବଲପୁର

 

***

 

Unknown

ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟ-ବଳୟ

ରଶ୍ମିତା ତ୍ରିପାଠୀ

 

ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର (୧୯୨୦-୧୯୯୨) ଆଧୁନିକ ଓଡ଼ିଆ ନାଟ୍ୟଧାରାରେ ଜଣେ ବହୁ ପରିଚିତ ତଥା ସଫଳ ନାମ । ସମୟ, ସମୟର ଅଭିବ୍ୟକ୍ତି ଏବଂ ସାମାଜିକ ଜୀବନହିଁ ତାଙ୍କ ନାଟକକୁ ଦେଇଛି ଗୋଟିଏ ବ୍ୟାପ୍ତି । ସାମାଜିକ ମଣିଷର ନାନାବିଧ ସମସ୍ୟା ଏବଂ ତା’ର ସମାଧାନକୁ ନେଇ ତାଙ୍କ ନାଟକର ପରିମଣ୍ଡଳର ସର୍ଜନା ।

 

ରାମଚନ୍ଦ୍ର ମିଶ୍ର ପ୍ରଥମେ କବି ଓ ପରେ ନାଟ୍ୟକାର ବୋଲି ଜଣାପଡ଼େ । ବାଣପୁରର ‘ବନଫୁଲ’ (୧୯୩୬) ପତ୍ରିକାରେ ପ୍ରକାଶ ପାଇଥିବା ଏକ କବିତା ‘ଫେରିବେକି ?’ ଦ୍ୱାରା ସେ ପ୍ରଥମାବସ୍ଥାରେ କବିର ସ୍ଥାନ ପାଇବା ସଙ୍ଗେ ସଙ୍ଗେ ଗାଳ୍ପିକର ମଧ୍ୟ ସ୍ଥାନ ପାଇଛନ୍ତି । ‘ଅକୁହାକଥା’, ‘ଫୁଲ’ ଓ ‘ପୂର୍ଣ୍ଣାହୁତି’ ଇତ୍ୟାଦି ତାଙ୍କର ଗଳ୍ପ ସମୂହ ‘ରଶ୍ମି’ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଥିଲା, କିନ୍ତୁ ଶ୍ରୀ ମିଶ୍ରଙ୍କର ସାହିତ୍ୟିକ ଜୀବନର ଆଦ୍ୟ ଓଁକାର ଥିଲା ସେହି ପ୍ରଥମ କବିତାଟି ।

 

୧୯୪୨ ମସିହା ପରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ନାଟକ ରଚନାରେ ମନଦେଇଥିଲେ-। କାଳିଚରଣଙ୍କର ‘ଗାର୍ଲସ୍କୁଲ’ ଓ ‘ଚୁମ୍ବନ’ ନାଟକ ମନ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଫଳରେ ସେହି ପ୍ରତିକ୍ରିୟା ସ୍ୱରୂପ ସେ ନାଟକ ସୃଷ୍ଟିରେ ମନୋନିବେଶ କଲେ ।

 

ନାଟ୍ୟକାର ଶ୍ରୀ ମିଶ୍ର ନାଟ୍ୟ ଜଗତକୁ ପ୍ରବେଶ କରନ୍ତି ‘ଅଭିମାନ’ (୧୯୪୩) ନାଟକ ମଧ୍ୟଦେଇ । ପରେ ପରେ ‘ମ୍ୟାନେଜର’ (୧୯୪୫), ‘ମୂଲିଆ’ (୧୯୪୬), ‘କବିସୂର୍ଯ୍ୟ’ (୧୯୪୬), ‘ଘରସଂସାର’ (୧୯୫୦), ‘ସାଇପଡ଼ିଶା’ (୧୯୫୩), ‘ଭାଇଭାଉଜ’ (୧୯୫୪), ‘ସେବିକା’ (୧୯୫୫), ‘ମମତା’ (୧୯୫୬), ‘ଚାବୁକ୍’ (୧୯୫୮), ‘ପୁଆଣିଘର’ (୧୯୬୨), ‘ପରପୁରୁଷ’ (୧୯୬୮), ‘ଗୋଧୂଳିଲଗ୍ନ’ (୧୯୬୮) ‘ନରୋତ୍ତମଦାସ କହେ’ (୧୯୬୯), ‘କିସ ପୁଣି ଦେଖାନଯାଏ’ (୧୯୭୨), ‘ନାଟକ ରୀତିମତ’ (୧୯୫୩), ‘ମଉଡ଼ ମଣି’ ? (୧୯୫୨) । ନାଟକ ଗୁଡ଼ିକର ସର୍ଜନା ସହ ।

 

ରାମଚନ୍ଦ୍ର ମିଶ୍ର ପ୍ରଥମେ ଯଦିଓ ମଞ୍ଚପାଇଁ ନାଟକ ସୃଷ୍ଟିରେ ସମାଜର ଘଟଣାବଳୀକୁ ଆଖିଆଗରେ ରଖି ନାଟକ ରଚନା କରିବାରେ ବ୍ରତୀଥିଲେ ମାତ୍ର ପରବର୍ତ୍ତୀ ସମୟରେ ସେ ବେତାର ନାଟ୍ୟକାର ଭାବେ ସ୍ଵୀକୃତି ଲାଭ କରିଛନ୍ତି । ସେ ମଞ୍ଚସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ-। ନାଟ୍ୟକାର ପ୍ରଥମେ ସରକାରୀ ଚାକିରି କରୁଥିଲେ । ପରେ ସ୍ୱାଧୀନ ଭାବରେ ଓକିଲାତି ବୃତ୍ତିଟିକୁ ଗ୍ରହଣ କରିନେଇଥିଲେ କୌଣସି ଏକ ପରିସ୍ଥିତିରୁ । ଏହି ସ୍ୱାଧୀନ ବୃତ୍ତିଟି ତାଙ୍କୁ ନାଟକ ରଚନା କରିବାରେ ଆଣିଦେଇଥିଲା ଅଦମ୍ୟ ଉତ୍ସାହ । ତେଣୁ ଏଠାରେ ଲକ୍ଷ୍ୟ କରାଯାଏ :

 

:

ପ୍ରଥମତଃ ନାଟ୍ୟକାରଙ୍କ ସ୍ୱାଧୀନ ବୃତ୍ତିଟି ନାଟକ ରଚନାର ମୁଖ୍ୟ ଅସ୍ତ୍ର ।

:

କବି, ଗାଳ୍ପିକ ଏବଂ ସମାଲୋଚକ ହୋଇଥିବାରୁ ନାଟକ ସୃଷ୍ଟିରେ ଯୋଗେଇଥିଲା ଅଶେଷ ପ୍ରେରଣା !

:

ଇଂରାଜୀ, ବଙ୍ଗଳା, ହିନ୍ଦୀ ଇତ୍ୟାଦି ନାଟ୍ୟଧାରା ପ୍ରତି ବିଶେଷ ଭାବେ ଅନୁରାଗୀ ।

 

ଶ୍ରୀ ମିଶ୍ରଙ୍କର ନାଟକ ଗୁଡ଼ିକରେ ସର୍ବଦା ଗୋଟିଏ କଥା ଉପଲବ୍ଧି କରାଯାଏ । ସେଗୁଡ଼ିକ ହେଲା ସାମାଜିକ ବିଷୟବସ୍ତୁଭିତ୍ତିକ ପାରିବାରିକ ଓ ସମସ୍ୟାମୂଳକ । ତାଙ୍କର ପ୍ରଥମ ନାଟକ ‘ଅଭିମାନ’ (୧୯୪୨) ଯଦିଓ ଅପ୍ରକାଶିତ ତଥାପି ଏହା ମଞ୍ଚୋପଯୋଗୀ ହୋଇପାରିଛି । ‘ଭାରତୀ ଥିଏଟର୍ସ’ ଦ୍ଵାରା ଏହି ନାଟକଟି ଅଭିନୀତ । ଗୋଟିଏ ସ୍ପଷ୍ଟ ସୁସ୍ଥ ସମାଜ ଗଠନ କିପରି କରାଯାଇପାରିବ ତାହାର ଗୋଟିଏ ସ୍ପଷ୍ଟ ଆଲୋଖ୍ୟ ଏଥିରେ ପ୍ରଦାନ କରାଯାଇଛି । ସମକାଳୀନ, ସମାଜର ସମସ୍ୟାଗୁଡ଼ିକ ସବୁଠାରେ ଦେଖିବାକୁ ମିଳିଥାଏ । ପରିବାର, ସମାଜ, ରାଜନୀତି ଓ ଅଫିସ୍ ବଜାର ଇତ୍ୟାଦି ସବୁଠାରେ ମଣିଷ ପ୍ରତିମୁହୂର୍ତ୍ତରେ ଗୋଟିଏ ବିଶୃଙ୍ଖଳିତ ଜୀବନକୁ ଅନୁଭବ କରିଥାଏ । ସମାଜ ସମସ୍ୟାମୂଳକ, ରାଜନୀତିକ, ଚରିତଧର୍ମୀ ମନୋବିଶ୍ଳେଷଣାତ୍ମକ ଇତ୍ୟାଦି କେତେଗୁଡ଼ିଏ ନାଟକ ନାଟ୍ୟକାରଙ୍କର ସୃଷ୍ଟି ସମୂହର ପରିଚୟ ଦିଏ । ଏଥିରୁ ଉପଲବ୍ଧି ହେଉଥିବା ବିଷୟଟି ଏହିଭଳି :

 

:

ପରମ୍ପରା ପ୍ରତି ଗୁରୁତ୍ୱ ଓ ସୁସ୍ଥ ସମାଜର ପ୍ରତିଷ୍ଠା

:

ଆଧୁନିକ ମଣିଷର ସମସ୍ୟା ଓ ସେଗୁଡ଼ିକର ସମାଧାନ ।

:

ସମଗ୍ରଭାବେ ନାଟ୍ୟକାରଙ୍କ ନାଟକ ସମୂହକୁ ଏହିଭଳି ଦେଖାଯାଇପାରେ ।

:

ସାମାଜିକ ଓ ପାରିବାରିକ ଘଟଣାବସ୍ତୁ ଗୁଡ଼ିକର ଉପସ୍ଥାପନ ।

:

ରାଜନୀତିକ ଘଟଣାବଳୀ ତଥା କ୍ଷମତାର ବଶବର୍ତ୍ତୀ ମଣିଷର ଅବସ୍ଥା ।

:

ବ୍ୟକ୍ତି ମଣିଷର ଚରିତ୍ର ଓ ମନକୁ ବିଶ୍ଳେଷଣ କରିବାର ଅହେତୁକ ଇଚ୍ଛା ।

 

ନାଟ୍ୟକାର ଶ୍ରୀ ମିଶ୍ର ସଚେତନ ଭାବରେ ବାରମ୍ବାର ପାରିବାରିକ ତଥା ସାମାଜିକ ସମସ୍ୟାଗୁଡ଼ିକ ନିଜ ନାଟକରେ ସ୍ଥାନଦେଇ ପରୀକ୍ଷା ନିରୀକ୍ଷା କରିଛନ୍ତି । ‘ମ୍ୟାନେଜର’, ‘ଭାଇଭାଉଜ’ , ‘ମୂଲିଆ', ‘ଗୋଧୂଳି ଲଗ୍ନ’, ‘ମଉଡ଼ମଣି’, ‘ଚାବୁକ୍’, ‘ପୁଆଣିଘର’, ‘ଅର୍ଥଅନର୍ଥ’, ‘ନରୋତ୍ତମଦାସ କହେ’, ‘ମୃତଆସାମୀ’ ପ୍ରଭୃତି ନାଟକ ସେହିଧରଣର ।

 

‘ମ୍ୟାନେଜର’ ନାଟକରେ ନାଟ୍ୟକାର ଏକ ପାରିବାରିକ ସତ୍ୟ କିମ୍ବା ଶପଥକୁ ଅବଲମ୍ବନ କରି ରଚନା କରିଛନ୍ତି । ଏହି ନାଟକରେ ବିଶେଷ ସାମାଜିକ ସମସ୍ୟା ଦେଖା ଯାଇନାହିଁ । ଗୋଟିଏ ଦିଗରେ ଆଦର୍ଶ ଓ ଅନ୍ୟଦିଗରେ ବାସ୍ତବତା ଉଭୟଙ୍କର ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘର୍ଷ ଉପୁଜିଛି ଏବଂ ଶେଷରେ ଜୟହୋଇଛି ଆଦର୍ଶର । ଜମିଦାରୀ ଶାସନରେ ସଂସ୍କାର ଆଣିବା, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନ୍ୟାୟ ପ୍ରତିଷ୍ଠା କରିବା ଜାତିଭେଦ ପ୍ରଥାର ଉଚ୍ଛେଦନ ଇତ୍ୟାଦି ବହୁଦିଗ ପ୍ରତି ନାଟ୍ୟକାର ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

 

‘ଭାଇଭାଉଜ’ ନାଟକଟି ଶ୍ରୀ ମିଶ୍ରଙ୍କର ତିନୋଟି ପରିବାରର କାହାଣୀକୁ ନେଇ ରଚିତ । ତିନି ପୁରୁଷ ଧରି କାହାଣୀର ବ୍ୟାପ୍ତି ରହିଛି । ସଂଚୟଭୋଗ, ଶୂନ୍ୟତା ପ୍ରଭୃତି ପାରମ୍ପରିକ ବିଶ୍ୱାସ ଏହି ନାଟକରେ ଲିପିବଦ୍ଧ । ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ନିମନ୍ତେ ସହରକୁ ପରିତ୍ୟାଗ କରି ଗ୍ରାମକୁ ଫେରିଯିବାର ଏକ ଆହ୍ୱାନ ଏବଂ କୃଷି ଓ କୃଷକର ଗୁଣଗାନ ଏହି ନାଟକରେ କରାଯାଇଛି, ଯୋଗୀ, ଅଇଁଠା, ମହୀ ଇତ୍ୟାଦି ଚରିତ୍ରମାନଙ୍କରେ କ୍ରମଶଃ ଗୋଟିଏ ଗୋଟିଏ ପରିଚିତ ରୂପ ଦେଖିବାକୁ ମିଳେ ।

 

ଆଧୁନିକ ଶିକ୍ଷାର ପ୍ରଚାର ଓ ପ୍ରସାର ଫଳରେ ସମାଜ ଜୀବନରେ ଯେଉଁ ବିରାଟ ଶୂନ୍ୟତା ସୃଷ୍ଟିକରିଥିଲା ନାଟ୍ୟକାର ଶ୍ରୀ ମିଶ୍ର ତାଙ୍କର ରଚିତ ‘ମୂଲିଆ’ ନାଟକଟି ସେହି ବିଷୟବସ୍ତୁକୁ ଧାରଣ କରିଛି । ଆଦର୍ଶର ବିଜୟ ସହ ନାଟକଟି ସଂପୂର୍ଣ୍ଣଭାବେ ବାସ୍ତବଧର୍ମୀ ହୋଇ ପାରିଛି । ‘ରାଜକିଶୋର’ ସହରର ଚାକଚକ୍ୟ ମଧ୍ୟରେ ନିଜକୁ ହଜେଇଦେଇ ଭୁଲିଯାଇଛି ନିଜର ପ୍ରିୟପରିଜନଙ୍କୁ, ଭୁଲିଯାଇଛି ତା’ର ପିତୃପ୍ରତିମ ଭାଇକୁ ଯିଏକି ମୁଣ୍ଡଝାଳ ତୁଣ୍ଡରେ ମାରି ସାନ ଭାଇକୁ ମଣିଷ କରିବା ପାଇଁ ମୂଲିଆରେ ପରିଣତ ହେବା ବିଷୟଟି ରାଜକିଶୋରକୁ ନାଟକର ପରିଣତିରେ ସଚେତନ କରାଇ ଗ୍ରାମାଭିମୁଖୀ କରାଇଛି । ଏହି ଉକ୍ତିଟି ନାଟକରେ ଦେଖାଦେଇଥିବା ସମସ୍ୟା ଆଦିକୁ ନାଟ୍ୟକାର ନାଟକରେ ସମାଧାନ କରିଛନ୍ତି । ଯେମିତି ‘ମ୍ୟାନେଜର’ ରେ ପ୍ରତାପବାବୁଙ୍କର ପରିବର୍ତ୍ତନ ଜମିଦାର ବୈକୁଣ୍ଠ ବାବୁଙ୍କର କ୍ଷମାପ୍ରାର୍ଥନା ଓ ଶେଷରେ ସୁରେନ୍ଦ୍ରବାବୁଙ୍କୁ ନିଜର କନ୍ୟା ସୁଷମାକୁ ଅର୍ପଣ ଇତ୍ୟାଦି ଏହିସବୁ ଘଟଣା ନୂଆମୋଡ଼ ସୃଷ୍ଟି କରିଛି । ‘ଭାଇଭାଉଜ’ ଓ ‘ମୂଲିଆ’ ମଧ୍ୟ ସେହି ଧରଣର । ଗାଁ ଟାଉଟର ଶୋଷଣ, ଭ୍ରଷ୍ଟାଚାର, ଖଟିଖିଆଙ୍କର କରୁଣଜୀବନର ଚିତ୍ର ଇତ୍ୟାଦି ବର୍ଣ୍ଣିତ । ଏଠାରେ ନାଟକ ଗୁଡ଼ିକୁ ଏଇଭଳି ଲକ୍ଷ୍ୟ କରାଯାଇପାରେ :

 

:

ସତ୍ୟ, ନ୍ୟାୟ ଓ ଆଦର୍ଶର ପ୍ରତିଷ୍ଠା

:

ପରମ୍ପରାକୁ ସମ୍ମାନଦେବା ଏବଂ ତ୍ୟାଗର ବିଶ୍ଵାସବୋଧ ।

 

ଏକ ନୂତନ ସ୍ୱାଦର ରଚିତ ନାଟକ ରାମଚନ୍ଦ୍ରଙ୍କର ‘ଗୋଧୂଳି ଲଗ୍ନ’ ବିଂଶଶତାବ୍ଦୀର ହତ୍ୟା, ଚକ୍ରାନ୍ତ, ସ୍ୱାର୍ଥପରତା ବିଶେଷକରି ବ୍ୟର୍ଥତାର ଆଲେଖ୍ୟ ପ୍ରଦତ୍ତ ହୋଇଛି ଏହି ନାଟକଟିରେ । ‘ସୁବାସ’ର ବିଶ୍ୱବିଦ୍ୟାଳୟର ଡିଗ୍ରୀ କୌଣସି କାମରେ ଆସିନାହିଁ । ଶିଳ୍ପପତି, ମିଲ୍‍ମାଲିକ, କୋଟିପତି, ଏମାନଙ୍କ ନିକଟରେ ତା’ର ସାର୍ଟିଫିକେଟ୍ ଶସ୍ତା ଖେଳନାରେ ପରିଣତ ହୋଇଛି । ଆଦର୍ଶ ଶିକ୍ଷିତ ଯୁବକର ଜଟିଳ ଜୀବନ ସମସ୍ୟାପ୍ରତି ନାଟ୍ୟକାର ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ପରିଣତିରେ ସେହି ଅସାମାଜିକ ମିଲ୍‍ମାଲିକଙ୍କ କନ୍ୟା ଅତି ନିଃଶ୍ୱାର୍ଥପର ଭାବରେ ସୁବାସଙ୍କୁ ସହାୟ ହୋଇଛି । ‘ଗୋଧୂଳିଲଗ୍ନ’ ନାଟ୍ୟକାରଙ୍କର ଏହା ପ୍ରଥମ ଟ୍ରାଜେଡ଼ି ନାଟକ ବୋଲି ସୂଚିତ । ମାତ୍ର ମୃତ୍ୟୁ ବିଭୀଷିକାର ଚିତ୍ର ଥିଲେ ଯେ ବିୟୋଗାନ୍ତକ ନାଟକହେବ ତାହା କହିବା ଠିକ୍ ହେବନାହିଁ । କାରଣ ନାଟକଟି ଘଟଣାର ଅନ୍ତଃସ୍ଵରରୁ ପରିସ୍ଫୁଟ ହେବାର ଆବଶ୍ୟକତା ରହିଛି । ଯେମିତି ସେକ୍‍ସପିଅରଙ୍କ ‘ହାମଲେଟ୍’, ‘ଅଥେଲୋ’, ‘କିଲିଂୟର’ ପ୍ରଭୃତି ନାଟକକୁ ଦୃଷ୍ଟିଦେଲେ ଜାଣିହେବ ।

 

ଗଣତନ୍ତ୍ରର ପ୍ରତିଷ୍ଠାକୁ ନେଇ ନାଟ୍ୟକାର ‘ମଉଡ଼ମଣି’ ନାଟକ ରଚନା କରିଛନ୍ତି । ସ୍ୱାର୍ଥ, ଅଂଧରାଜତ୍ଵ, ଅବିଶ୍ୱାସ, ଅତ୍ୟାଚାର ନାଟକରେ ବହୁଳଭାବେ ଦେଖାଯାଏ । ଗୋଟିଏ ପକ୍ଷରେ ସୁଚତୁରରାଣୀ (ରାଜମାତା) ଏବଂ ଅନ୍ୟପକ୍ଷରେ କ୍ଷମତାନ୍ଧ ପୁତ୍ର କୁମାର ଓ କନ୍ୟା ଲିଲି । ଏମାନଙ୍କ ଦୌରାତ୍ମ୍ୟରେ ଗ୍ରାମବାସୀମାନେ ଅଶାନ୍ତିରେ ଛଟପଟ ହୋଇଛନ୍ତି । ମାତ୍ର ପରବର୍ତ୍ତୀ ଅବସ୍ଥାରେ କେତେଜଣ ଟାଉଟରଙ୍କ ମୁଖାଖୋଲି ଦିଆହୋଇଛି ଓ ଶେଷରେ ଗ୍ରାମବାସୀମାନେ ନିଜ ନିଜର ସୁବିଧା ହାସଲ କରିଛନ୍ତି ଏବଂ ଅତ୍ୟାଚାରୀମାନେ କ୍ଷମା ପ୍ରାର୍ଥନ କରିଛନ୍ତି । ତେଣୁ ଏଠାରେ ନ୍ୟାୟର ବିଜୟ ଓ ଅନ୍ୟାୟର ପରାଜୟ ହୋଇଛି ।

 

‘‘ଚାବୁକ୍’’ ରାମଚନ୍ଦ୍ର ମିଶ୍ରଙ୍କର ଅନ୍ୟ ଏକ ସାମାଜିକ ନାଟକ । ଏଥିରେ ‘ଜେନେରେସନ୍‌ଗ୍ୟାପ୍‍’ର କଥା କୁହାଯାଇଛି । ସମାନ୍ତରାଳ ଚରିତ୍ର ସୃଷ୍ଟିରେ ସେକ୍‌ସପିୟରୀୟ କୌଶଳ ଏହି ନାଟକରେ ବ୍ୟବହୃତ ହୋଇଛି । ଚରିତ୍ରମାନେ ସଂଗୃହୀତ ହୋଇଛନ୍ତି ଗ୍ରାମ୍ୟ ଓ ସହର ଜୀବନରୁ । ବଳିୟାର ସିଂଙ୍କ ସହିତ ଦାସସାହେବ, ଜୟୀବୋଉଙ୍କ ସହିତ ମିସେସ୍ ନାୟକ ଏବଂ କନକ ସହିତ ତନୁଜା ପ୍ରଭୃତିଙ୍କର ତୁଳନାରେ ଉଭୟ କ୍ଷେତ୍ରରେ ଚାରିତ୍ରିକ ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଏ । ତତ୍କାଳୀନ ସମାଜରେ ଅନ୍ୟାୟ, ଅତ୍ୟାଚର ତଥା ଶୋଷଣ ଓ ପ୍ରତାରଣାକୁ ‘ଚାବୁକ୍' ନାମକ ଏକ ପତ୍ରିକା ମାଧ୍ୟମରେ ଜନସାଧାରଣଙ୍କୁ ଦର୍ଶାଇଥିବା ଘଟଣାହିଁ ନାଟ୍ୟକାରଙ୍କର ‘ଚାବୁକ୍’ ନାଟକ ।

 

ଶିକ୍ଷିତ ନାରୀସମାଜ ସ୍ୱେଚ୍ଛାଚାରିତାକୁ ଅନ୍ଧଭାବରେ ଗ୍ରହଣ କରି କିପରି ଆମ ଭାରତୀୟ ଆଦର୍ଶକୁ ତିଳତିଳ କରି ହତ୍ୟା କରାଯାଇଛି ତାହାର ଏକ ପ୍ରମାଣ ନାଟକରେ ‘ତନୁଜା’ ଚରିତ୍ର ।

 

ଏହି ନାଟକ ଗୁଡ଼ିକର ଆଭିମୁଖ୍ୟକୁ ଲକ୍ଷ୍ୟକଲେ ଏହିଭଳି :

 

:

ପ୍ରାଚ୍ୟ ସଂସ୍କୃତିର ମହାନଦୀ ଏବଂ ପାଶ୍ଚାତ୍ୟ ସଂସ୍କୃତିର ଆତ୍ମକୈନ୍ଦ୍ରିକତା ।

:

ସାହିତ୍ୟ କେବଳ ସମାଜର ପ୍ରତିଛବି ନୁହେଁ, କଲମର ତୀକ୍ଷ୍ମମୁନ ମଧ୍ୟ ଏ ସମାଜର ପ୍ରଧାନ ଅସ୍ତ୍ର ।

:

ସତ୍ୟ ଓ ଆଦର୍ଶର ପ୍ରତିଷ୍ଠା ।

 

ନାଟ୍ୟକାର ଶ୍ରୀ ମିଶ୍ରଙ୍କର ‘ପୁଆଣିଘର’ ଗୋଟିଏ ଭିନ୍ନ ସ୍ଵାଦର ନାଟକ । ନାଟ୍ୟକାର ଯଦିଓ ଏଠାରେ ଆଦର୍ଶର କଥା କହିନାହାନ୍ତି ତଥାପି ଏହା ଯେତିକି ବାସ୍ତବ ତତୋଽଧିକ ନାଟକୀୟ-। ତତ୍କାଳୀନ ସମାଜର ଏକ ନିନ୍ଦନୀୟ, କୁସ୍ଥିତ, ଅସାମାଜିକ ବିଶେଷକରି ଓଡ଼ିଶୀ ସଂସ୍କୃତିର ଅଶୋଭନୀୟ ଘଟଣା ଶ୍ରୀମିଶ୍ର ତାଙ୍କ ନାଟକରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶୀ ନିରୀହା ସରଳ ବିଶ୍ୱାସୀ ତରୁଣୀମାନଙ୍କୁ ଗାଁର ଟାଉଟରମାନେ କିପରି କଲିକତା ପଠେଇ ଦିଅନ୍ତି ଏବଂ ସେମାନେ ନିଷ୍ପେଷିତ ହୋଇ ସାରାଜୀବନ ପଡ଼ି ରହିଥାନ୍ତି ତା’ର ଏକ ଜ୍ଵଳନ୍ତ ଉଦାହରଣ ଏହି ନାଟକରେ ଚରିତ୍ର ‘ଶଶୀ’, ‘ତାରା ଓ ‘ଚନ୍ଦ୍ରା’ । ଗାଁର ଜଣେ ଟାଉଟର ଏମାନଙ୍କୁ ମୃତ ବୋଲି ଘୋଷଣାକରି କଲିକତାକୁ ଚାଲାଣ କରିଛି, ‘ପୁନି’କୁ ମଧ୍ୟ ସେହି ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଛି । କିନ୍ତୁ ଶେଷରେ ଶଶିଦ୍ଵାରା ପୁନି ଉଦ୍ଧାର ପାଇଛି ଏବଂ ନବଘନବାବୁ ନିଜର କୃତକର୍ମପାଇଁ କ୍ଷମାଭିକ୍ଷା କରିଛନ୍ତି ।

 

ତେଣୁ ଆଲୋଚ୍ୟ ନାଟକକୁ ଅନୁଧ୍ୟାନ କଲାବେଳେ ଦେଖାଯାଏ ଏଥିରେ ଉଭୟଗ୍ରାମ ଆଉ ସହରର ତୁଳନାତ୍ମକ ଚିତ୍ର ରହିଛି । ଚକ୍ରାନ୍ତ, ସନ୍ଦେହ, ଅବିଶ୍ଵାସ, ପ୍ରଣୟ, ସ୍ନେହ, ମମତା ଏବଂ ଲାମ୍ପଟ୍ୟ ସହିତ ସହନଶୀଳତା ଇତ୍ୟାଦିର ଭିତ୍ତିଭୂମି ଉପରେ ନାଟକଟି ଦଣ୍ଡାୟମାନ ।

 

ସାଂପ୍ରତିକ ଅର୍ଥ ସର୍ବସ୍ୱ ମଣିଷ ନିଜସ୍ୱାର୍ଥପାଇଁ କେତେଯେ ଅନର୍ଥ ସୃଷ୍ଟି କରିପାରେ ତାହାହିଁ ନାଟ୍ୟକାର ମିଶ୍ର ‘ଅର୍ଥ, ଅନର୍ଥ’ ନାଟକରେ ଦେଖେଇଛନ୍ତି । ଶିକ୍ଷିତ ଯୁବ ସମାଜପ୍ରତି ଏହା ଏକ ଆହ୍ୱାନ, କାରଣ ଏହା ରୁଗ୍‍ଣ ସାମାଜିକ ବ୍ୟାଧିକୁ ସୁସ୍ଥ କରିବାର ଏକ ମାଧ୍ୟମ । ନାଟକରେ ବିଶେଷ କିଛି ନୂଆକଥା ନଥିଲେ ମଧ୍ୟ ଏକ ସାର୍ବଜନୀତ ଆବେଦନ ରହିଚି । ସ୍ୱାର୍ଥହିଁ ସର୍ବସ୍ୱ ହୋଇ ପଡ଼ିରହିଛି । ଗାଁର ମୁନୁଭାଇ ଭାଉଜଙ୍କ ନିକଟରେ ମଣିଷ ହୋଇଛି ଓ ସିଂ ବାବୁଙ୍କର ସଂସ୍ଥାକୁ ଆଗକୁ ଆଗେଇ ନେଇଛି । ମାତ୍ର ଗାଁର ଜଣେ ଖଳ ଚରିତ୍ର ଗୁଣମହାନ୍ତି ଏସବୁକୁ ସହ୍ୟ କରିନପାରି ନାନା ଅନର୍ଥ ସୃଷ୍ଟି କରିବାରେ ପଛାଇନାହିଁ । କିନ୍ତୁ ସେହି ଗୁଣ ମହାନ୍ତିଙ୍କ କନ୍ୟା ‘ଜଲି’ ଦ୍ଵାରା ସମସ୍ୟା ସମାଧାନ ହୋଇଛି । ଏଠାରେ ‘ମୁନୁ' ଓ ‘ଜଲି’ର ମହନୀୟତା ପ୍ରକାଶ ପାଇଛି ।

 

ଶ୍ରୀ ମିଶ୍ରଙ୍କର ‘ନରୋତ୍ତମଦାସ କହେ’ ନାଟକଟି ଭିନ୍ନଧରାର ନାଟକ । ନିଜେ ନାଟ୍ୟକାର ନରୋତ୍ତମ ଚରିତ୍ର ଭିତ୍ତିରେ ଆତ୍ମଗୋପନ କରି କହିଛନ୍ତି ଯେ - ‘ମୋର ଯାହା କହିବାର କଥା, ତାହା ନରୋତ୍ତମ ଦାସ କହୁଥିବାରୁ ମୁଁ ନିରବ ରହିଲି ,’’ । (ପୃ-୧୪), ଏକ ବ୍ୟକ୍ତିଗତ ସଂଘର୍ଷକୁ ନେଇ ନାଟକର ପରିକଳ୍ପନା ଏଠାରେ କରାଯାଇଛି । ମି. ଦାସ ଯାଦବ ଓ ମାଧବ ଭାଇ ତିନିଜଣ ଉଚ୍ଚପଦସ୍ଥ କର୍ମଚାରୀ ଓ ସ୍ଵଚ୍ଛଳ ଅବସ୍ଥା ହୋଇଥିବାରୁ ନିଜ ନିଜ ମଧ୍ୟରେ ଈର୍ଷାନ୍ୱିତ ହୋଇପଡ଼ିଛନ୍ତି-। ମି.ଦାସଙ୍କ ପତ୍ନୀ ବନ୍ଦନା ଜଣେ ମା’ ହୋଇ ମଧ୍ୟ ପିଲାମାନଙ୍କ ଜଞ୍ଜାଳ ନବୁଝି ନିଜ ଉଚ୍ଛୃଙ୍ଖଳ ଜୀବନର ଅଧୀନତ୍ୱ କରାଇବାପାଇଁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଛନ୍ତି । ପରିବାରର ଜଣେ ଜଣେ ପ୍ରତିଦ୍ଵନ୍ଦୀ ହୋଇ ଲାଞ୍ଚ, ମିଛ, ଶୋଷଣ, ଦୁର୍ନୀତି, ଅପମିଶ୍ରଣ ସବୁକିଛିକୁ ଆଶ୍ରୟ ଦେବାରେ ସାମାନ୍ୟ ଦ୍ୱିଧାବୋଧ କରିନାହାନ୍ତି । ଫଳରେ ସଂଘର୍ଷର ସୂତ୍ରପାତ ଦେଖାଦେଇଛି । ‘ନରୋତ୍ତମଦାସ’ ଯେକି ସତ୍ୟ, ନ୍ୟାୟ ଆଦର୍ଶର ପ୍ରତୀକ ହୋଇ ଏମାନଙ୍କ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲେ ତାଙ୍କର କଥା ମଧ୍ୟ ବ୍ୟର୍ଥ ହୋଇଛି । ଗାନ୍ଧିବାଦୀ ଆଦର୍ଶ ଏକାବେଳକେ ଅକାମୀ ହୋଇଯାଇଛି । ମାଧବ ନାନା କୁକର୍ମରେ ଲିପ୍ତ ରହିଛି ;ମାତ୍ର ସବୁଠାରେ ଭଲ ଭାଷଣ ଦେଇ ବିଜୟ ହାସଲ କରିଛି ।

 

ନାଟ୍ୟକାର ଆଲୋଚ୍ୟ ନାଟକରେ ଯେଉଁ ଆଦର୍ଶ ପ୍ରତିଷ୍ଠାର ସ୍ଵପ୍ନ ଦେଖୁଥିଲେ ତାହା ଏହି ନାଟକରେ ପରିତ୍ୟାଗ କରି ଧୂଳିମାଟିର ବାସ୍ତବ ଜଗତକୁ ସ୍ପଷ୍ଟ ରୂପ ଦେଇଛନ୍ତି ଏବଂ ସଫଳ ହୋଇଛନ୍ତି ।

 

ହତ୍ୟାସମ୍ବଳିତ ଗୋଟିଏ ଘଟଣାର ସତ୍ୟତା ତାଙ୍କ ନ୍ୟାୟାଳୟରେ ଓକିଲ, ମହକିଲ, ସାକ୍ଷୀ ତଥା ଜଜ୍‌ଙ୍କର ତର୍କ ବିତର୍କ ହିଁ ଶ୍ରୀ ମିଶ୍ରଙ୍କର ‘ମୃତ ଆସାମୀ’ ନାଟକର ଘଟଣା ପ୍ରବାହ । ସତ୍ୟକୁ ଯଦିଓ ଏଠାରେ ଗୁରୁତ୍ୱ ଦିଆଯାଇଛି ମାତ୍ର ତାହା ଶେଷ ପର୍ଯ୍ୟନ୍ତ ସମସ୍ତଙ୍କର ସାମ୍ନାରେ ଝୁଲିବା ଅବସ୍ଥାରେ ରହିଯାଇଛି । ନିଜ ଦେଶର ଲୋକହୋଇ ମଧ୍ୟ ବାହାର ଦେଶର ଲୋକଙ୍କ ପାଇଁ କିପରି ଗୁପ୍ତ ଭାବରେ ନିଜ ଦେଶର ସନ୍ଦେଶ ଦେଇ ସ୍ୱାର୍ଥହାସଲ କରୁଛନ୍ତି ତାହାହିଁ ନାଟକରେ ଦର୍ଶିତ । ପ୍ରକୃତ ଦୋଷୀ କିନ୍ତୁ ଶେଷରେ ଆତ୍ମସମର୍ପଣ କରିଛି ଓ ଆତ୍ମହତ୍ୟା କରିଛି । ‘ଉର୍ବଶୀ’ ଚରିତ୍ରର ଏହି ଅବସ୍ଥାହୋଇଛି । ହତ୍ୟା ଘଟଣାର ହତ୍ୟାକାରୀଭାବେ କୁମାର ମହାପାତ୍ରଙ୍କୁ ପୂର୍ବରୁ କୁହାଯାଉଥିଲା ; ମାତ୍ର ‘ଉର୍ବଶୀ’ କଥାରୁ ସତ୍ୟାସତ୍ୟ ଜାଣି ମି. ମହାପାତ୍ରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏଠାରେ ନାଟ୍ୟକାର ସତ୍ୟର ସଂଧାନ କରିଛନ୍ତି ଏବଂ ଜଣେ ଗୁପ୍ତଚରକୁ ସତ୍ୟର ସାମ୍‍ନା କରିବାକୁ ବାଧ୍ୟ କରାଇଛନ୍ତି । ଏହି ସବୁ ନାଟକକୁ ଅନୁଶୀଳନ କଲେ ଦେଖାଯାଏ ଯେ :

 

:

ଭାରତୀୟ ସଂସ୍କୃତିର ସୁରକ୍ଷାପାଇଁ ନାଟ୍ୟକାର ଅଙ୍ଗୀକାରବଦ୍ଧ ।

:

ଗୋଟିଏ ଶାନ୍ତି, ମୈତ୍ରୀ ଓ ପ୍ରୀତିର ସମାଜ ଗଠନ ପାଇଁ ସର୍ବଦା ଚେଷ୍ଟିତ ।

:

ତ୍ୟାଗ, ସହନଶୀଳତା ଓ ନିଃଶ୍ୱାର୍ଥପରତା ପ୍ରଭୃତି ମହାଭାରତୀୟ ଆଦର୍ଶର ପରିପନ୍ଥୀ ହୋଇ ସତ୍ୟ ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ।

 

କବିସୂର୍ଯ୍ୟ ବଳଦେବରଥ ଜୀବନ ଚରିତ୍ରକୁ ନେଇ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ‘କବିସୂର୍ଯ୍ୟ’ ନାଟକ ରଚନା କରିଛନ୍ତି । ଇତିହାସର ସତ୍ୟଉପରେ ଆଧାର କରି କିମ୍ବଦନ୍ତୀ ଓ କଳ୍ପନା ବିଳାସର ଚିତ୍ରଣ କରିଛନ୍ତି ନାଟ୍ୟକାର । ବଳଦେବଙ୍କ ଜୀବନର ଦୁଇଟି ଦିଗ ରାଜନୀତିକ ଓ କବି ଜୀବନ ଉଭୟ ଦିଗକୁ ନାଟ୍ୟକାର ନାଟକର ରୂପ ଦେଇଛନ୍ତି । ବିଦ୍ୟାଧର, ମିଛୁମହାନ୍ତି, ଦେବାନ, ଆନନ୍ଦ, ଲଳିତା ଏବଂ ଚନ୍ଦ୍ରକଳା ପ୍ରଭୃତି ଚରିତ୍ରମାନେ ନାଟକୀୟ ଦ୍ୱନ୍ଦ୍ୱ ଘଟାଇବା ସଙ୍ଗେ ସଙ୍ଗେ ନାଟକକୁ ଗତିମୁଖର କରିଛନ୍ତି । ମୋଟାମୋଟି ଭାବେ ଶ୍ରୀଯୁକ୍ତ ମିଶ୍ରଙ୍କର ‘କବିସୂର୍ଯ୍ୟ’ ନାଟକରେ ସତ୍ୟ, ନ୍ୟାୟ, ଧର୍ମର ବୈଜୟନ୍ତୀ ଉଡ଼ାଇ ଜ୍ଞାନୀ, ଗୁଣୀ ଓ ପାଣ୍ଡିତ୍ୟର ପୂଜା ଆରାଧନାରେ ଉଦ୍ଦେଶ୍ୟ ସଫଳ କରାଇଛନ୍ତି । ଏଥିରେ ଅଲୌକିକତା କିଞ୍ଚିତଭାବରେ ସ୍ଥାନପାଇଛି । ଏହି ନାଟକକୁ ‘ଚରିତ’ ନାଟକ ଭାବେ ଗ୍ରହଣ କରାଯାଇପାରେ ।

 

ନାଟ୍ୟକାର ସାମାଜିକ ସମସ୍ୟାମୂଳକ ନାଟକ ଓ ଚରିତ୍ର ନାଟକ ପରି କେତେକ ପାରିବାରିକ ନାଟକର ସୃଷ୍ଟି କରିଛନ୍ତି । ତାଙ୍କର ପ୍ରଥମ ସୃଷ୍ଟି ‘ଅଭିମାନ’ ନାଟକ ଏକ ପାରିବାରିକ କାହାଣୀକୁ ନେଇ ରଚିତ । ଏହି ନାଟକରେ ସୁସ୍ଥ ସମାଜ ଗଠନ ଦିଗରେ ଆଲୋକପାତ କରିଛନ୍ତି ନାଟ୍ୟକାର । ପାରିବାରିକ ସଂଘର୍ଷ ଦେଖାଦେଇଛି ଓ ପରେ ନିଜ ନିଜର ମହନୀୟତା ଯୋଗୁଁ ସମସ୍ତେ ପରିବାରକୁ ଧ୍ୱଂସ ମୁଖରୁ ରକ୍ଷାକରିପାରିଛନ୍ତି । ଏଠାରେ ସତ୍ୟର ଉଦ୍‌ଘାଟନ ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ଘଟି ଶାନ୍ତିର ପ୍ରତିଷ୍ଠା ହୋଇଛି । ଏହି ‘ଅଭିମାନ’ ନାଟକଟି ତାଙ୍କର ସମଗ୍ର ନାଟକର ମୁଖବନ୍ଧ କହିଲେ ଭୁଲହେବ ନାହିଁ ।

 

‘ଘର ସଂସାର’ ରାମଚନ୍ଦ୍ର ମିଶ୍ରଙ୍କର ଅନ୍ୟ ଏକ ପାରିବାରିକ ନାଟକ । “ଜୀବନକୁ ହତ୍ୟାକରି ସଂସାର ଗଢ଼ାଯାଏନା, ଗଢ଼ାଯାଏ ଜୀବନକୁ ଉତ୍ସର୍ଗ କରି ।” (ପୃ-୨୭) ନାଟକରେ ଏହି ଉକ୍ତିଟି ମୁଖ୍ୟ ସ୍ୱର ହୋଇ ଉଠିଛି । ଆଧୁନିକ ଇଂରାଜୀ ସଭ୍ୟତାର ଉଚ୍ଛୃଙ୍ଖଳ ମନୋବୃତ୍ତି, ଅନିମା ଓ ମି.ବର୍ମା ଚରିତ୍ର ମାଧ୍ୟମରେ ପ୍ରକାଶ ପାଇଛି । ଶୃଙ୍ଖଳିତ ଭାରତୀୟ ପାରିବାରିକ ଜୀବନର ଉଦାରତା ସହନଶୀଳତା ଆଦି ଶାରଦା, ରତି, ତାରାମଣି ଏବଂ ଗୋପଚୌଧୁରୀ ପ୍ରଭୃତି ଚରିତ୍ରମାନଙ୍କଠାରେ ପ୍ରତିଫଳିତ ହୋଇଛି । ‘ବିନୋଦ’ର ସ୍ତ୍ରୀ ‘ଅନିମା’ର ପ୍ରରୋଚନାରେ ପ୍ରଭାବିତ ହୋଇ ଘରଛାଡ଼ି ସହରାଭିମୁଖୀ ହୋଇଛି କିନ୍ତୁ ଅସୁସ୍ଥତା କାରଣରୁ ଘରକୁ ଫେରିଆସିଛି । ଆଦର୍ଶ, ତ୍ୟାଗ ଓ ନ୍ୟାୟର ପ୍ରତୀକ ଗୋପବାବୁ, ଶାରଦାଦେବୀ ପରିବାରରେ ଶାନ୍ତି, ପ୍ରତିଷ୍ଠାପାଇଁ ସମସ୍ତ ଯନ୍ତ୍ରଣା, କଷ୍ଟକୁ ନୀଳକଣ୍ଠ ପରି ପାନକରିଛନ୍ତି । ମଙ୍ଗୁମହାନ୍ତି, ଓ ଅନାଦିଦାସ ଏମାନେ ଦଣ୍ଡ ପାଇଛନ୍ତି । ମି. ବର୍ମା ଭାରତୀୟ ନାରୀର ମହନୀୟତା, ଆଦର୍ଶ ଓ ପରମ୍ପରାକୁ ‘ଶାରଦା’ଠାରେ ଲକ୍ଷ୍ୟକରି ସମ୍ମାନଦେବା ସଙ୍ଗେ ସଙ୍ଗେ ପ୍ରଶଂସା ନକରି ରହିପାରିନାହାନ୍ତି । ଏଠାରେ ଗୋପବାବୁଙ୍କ ଚରିତ୍ର ମାଧ୍ୟମରେ ଗାନ୍ଧିବାଦୀ ଆଦର୍ଶର ପରିପ୍ରକାଶ କରିଛନ୍ତି ନାଟ୍ୟକାର । ଭାରତୀୟ ନାରୀ ବିଷୟରେ କହିବାକୁ ଯାଇ ବିଲାତ ଫେରନ୍ତା ମି.ବର୍ମା କହିଛନ୍ତି “ସ୍ୱୀକାର କରୁଛି ଅନୀମା; ବିଲାତରେ ମୁଁ ପ୍ରାୟ ଅଧିକାଂଶ ଜାଗାରେ ଦେଖିଛି ସ୍ତ୍ରୀ ଜାତିର ପ୍ରାଧାନ୍ୟ, କିନ୍ତୁ ଏ ଦେଶକୁ ଆସି ସେ ଧାରଣା ଥିଲା ନାରୀକେବଳ ଭୋଗ ବିଳାସର ସାମଗ୍ରୀ, ମାତ୍ର ସେଦିନ ତୁମ ଘରେ ମୁଁ ଯେଉଁ ନାରୀର ଜ୍ଵଳନ୍ତ ମୂର୍ତ୍ତି ଦେଖିଛି ସେଥିରେ ମୋର ଆଖି ଝଲସି ଯାଇଛି, .............. ମୋର ମୁଣ୍ଡ ସେଦିନ ଆପେ ଆପେ ନଇଁ ଯାଇଛି ତା’ରି ଆଗରେ ................... ମାତ୍ର ମୁଁ ଜାଣେ ତା’ ତୁଳନାରେ ତୁମେ କେତେ ଦୁର୍ବଳ ! ଶାସନ କରିବାକୁ କେଡ଼େ ଅଯୋଗ୍ୟ ।”

 

‘ସାଇ ପଡ଼ିଶା’ ନାଟକଟି ନାନ୍ୟକାରଙ୍କ ସରଳ ବିଶ୍ୱାସର ଭିତ୍ତିଉପରେ ଆଧାରିତ । ଦେଶର ଉନ୍ନତି ପାଇଁ ଗ୍ରାମାଞ୍ଚଳର ଉନ୍ନତି ଆବଶ୍ୟକ ବୋଲି ଏଠାରେ ନାଟ୍ୟକାର ପ୍ରକାଶ କରିଛନ୍ତି ନାଟକଟିରେ । ଆଦର୍ଶ ଓ ତ୍ୟାଗର କଥା କୁହାଯାଇଛି, ଯାହାକି ‘ନିମାଇଁବାବୁ’ଙ୍କ ଚରିତ୍ରରୁ ଅନୁମାନ କରାଯାଏ । ନିମାଇଁବାବୁ ବଂଧୁ ଶଙ୍କରକୁ ସର୍ବଦା ସାହାଯ୍ୟ କରିଥିଲେ ହେଁ ଗାଁ ଟାଉଟର ଭଜହରିଙ୍କ ପ୍ରରୋଚନାରେ ସ୍ତ୍ରୀ ନିରୂପମା ନିମାଇଁବାବୁଙ୍କୁ ବିପଦରେ ପକାଇଛନ୍ତି । ପର ମୁହୂର୍ତ୍ତରେ ନିଜର ଭୁଲ୍‍ପାଇଁ ପଶ୍ଚାତାପ କରିଛନ୍ତି । ଶ୍ରୀ ମିଶ୍ରଙ୍କର ନାଟକଟି ମିଳନାନ୍ତକ ହୋଇଛି ।

 

‘ପଡ଼ୋଶୀ’ ବେତାର କେନ୍ଦ୍ରରୁ ପ୍ରଚାରିତ ଶ୍ରୀ ମିଶ୍ରଙ୍କର ଗୋଟିଏ ଛୋଟନାଟକ । ଭାଉଜଙ୍କର ସରଳ ତଥା ନିରାଡ଼ମ୍ବର ଜୀବନ କିପରି ପ୍ରଭାବିତ ହୋଇଛି ପାଶ୍ଚାତ୍ୟ ଦେଶର ଉଚ୍ଛୃଙ୍ଖଳିତ ସଂସ୍କୃତି ଦ୍ଵାରା ତାହାହିଁ ନାଟକର ମୁଖ୍ୟ ସ୍ୱର ।

 

‘ବସନ୍ତ ବାବୁ ଓ ସ୍ତ୍ରୀ ମୀନା’ ପାଶ୍ଚାତ୍ୟପରିପନ୍ଥୀ, ‘ଆନନ୍ଦ ବାବୁ’ ଓ ସ୍ତ୍ରୀ ସୀତା ପ୍ରାଚ୍ୟପରିପନ୍ଥୀ ଥିଲେ । କିନ୍ତୁ ସୀତାଦେବୀ ମୀନାଦେବୀଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସ୍ୱାମୀଙ୍କର ଅବାଧ୍ୟ ହୋଇପଡ଼ିଛନ୍ତି । ଶ୍ୱଶୁରଙ୍କ ଅସୁସ୍ଥତା ସତ୍ତ୍ୱେ ଦେଖିଯିବାର ଅନିଚ୍ଛା ପ୍ରକାଶ କରିଛନ୍ତି । ଫଳରେ ଆନନ୍ଦବାବୁ ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ତେଣୁ ମଣିଷ ମନର ଅବସ୍ଥା ପାରିପାର୍ଶ୍ୱିକ ଅବସ୍ଥାରୁ ନିୟନ୍ତ୍ରିତ ହୋଇଥାଏ ବୋଲି ‘ପଡ଼ୋଶୀ' ନାଟକରେ ନାଟ୍ୟକାର ଜଣେଇଛନ୍ତି ।

 

ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଭାରତରେ ନାରୀ ସ୍ୱାଧୀନତା ଓ ତା’ର ସ୍ୱେଚ୍ଛାଚାରିତା ଭାରତୀୟ ସଂସ୍କୃତିକୁ କିପରି କୁସଂସ୍କାର ଗ୍ରସ୍ତ କରାଇଛି ତା’ର ଏକ ଅବିକଳ ଚିତ୍ର ନାଟ୍ୟକାର ଶ୍ରୀ ମିଶ୍ରଙ୍କର ‘କିସ ପୁଣି ଦେଖାନଯାଏ’ ନାଟକ । ନାଟକଟି ଔପନ୍ୟାସିକ ‘ପ୍ରଫୁଲ୍ଲଚନ୍ଦ୍ର ନାୟକ’ଙ୍କ ‘ବଗୁଲୀଗଡ଼ାଏ ଲୁହ’ ଉପନ୍ୟାସର ନାଟ୍ୟରୂପ । ରଜତ୍ ଏବଂ କାକଳୀର ପ୍ରେମ ବିବାହ, କାକଳୀକୁ ନେଇ ପରିବାରରେ ଅଶାନ୍ତି, ସନ୍ତାନର ମୃତ୍ୟୁଖବର, ରଜତ ଯକ୍ଷ୍ମାରୋଗରେ ଆକ୍ରାନ୍ତ । ବଳବନ୍ତରାୟଙ୍କ ପ୍ରତାରଣା ଏବଂ କାକଳୀ ସର୍ବହରା ହୋଇ ରୋଗଗ୍ରସ୍ତା ଅବସ୍ଥା ପ୍ରଭୃତି ନାଟକରେ ମୁଖ୍ୟ କଥାବସ୍ତୁ ଭାବେ ସ୍ଥାନ ପାଇଛି । ଏହିସବୁ ପାରିବାରିକ ନାଟକଗୁଡ଼ିକ ଅନୁଧ୍ୟାନ କଲେ ଯାହା ଉପଲବ୍ଧି କରାଯାଏ :

 

:

ମଣିଷ ଜାତି ପ୍ରତି ଘୃଣା ଏବଂ ଅବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ ।

:

ମଣିଷ ଜାତିର ପାରସ୍ପରିକ ତିକ୍ତ ସଂପର୍କ ରୂପାୟନ ।

:

ରକ୍ଷଣଶୀଳତାର ମୂଲ୍ୟବୋଧ ଜନିତ ସଂଘର୍ଷ ଏବଂ ପ୍ରତିଷ୍ଠିତ ଶାଶ୍ୱତ ମୂଲ୍ୟବୋଧର ବିଜୟ ।

:

ପ୍ରାଚ୍ୟ ସଂସ୍କୃତି ଭାରତୀୟ ଆଦର୍ଶ ଓ ପରମ୍ପରା ପ୍ରତି ସମ୍ମାନ ।

 

ଆଧୁନିକ ଓଡ଼ିଆ ନାଟକରେ ମନୋବିଶ୍ଳେଷଣ-ଧର୍ମୀ ନାଟକର ଧାରା ବହୁ ପୂର୍ବରୁ ପ୍ରଚଳିତ ହେଲେ ମଧ୍ୟ ନାଟ୍ୟକାର ଶ୍ରୀ ମିଶ୍ରଙ୍କର ଯୁଗଧର୍ମୀ ଲେଖନୀ ପରମ୍ପରାକୁ ସୁଦୃଢ଼ କରିପାରିଛି । ‘ନାଟକ ରୀତିମତ’, ‘ସେବିକା’, ‘ପରପୁରୁଷ’, ‘ପ୍ରତୀକ୍ଷା’, ‘ଆବିଷ୍କାର’, ‘ରଜତଜୟନ୍ତୀ’ ପ୍ରଭୃତି ମନୋବିଶ୍ଳେଷଣଧର୍ମୀ ନାଟକମାନ ଦେଖିବାକୁ ମିଳେ ।

 

‘ନାଟକ ରୀତିମତ’ରେ ନାଟ୍ୟକାର ଜଣେ ଡାକ୍ତରଙ୍କ ଦାୟିତ୍ୱବୋଧ କର୍ତ୍ତବ୍ୟନିଷ୍ଠା, ଆଦର୍ଶବାଦ ଇତ୍ୟାଦି ସମାଜ ଜୀବନରେ କିଭଳି ପ୍ରୟୋଜନୀୟ ତାହା ଦର୍ଶାଇଛନ୍ତି । ଉଦୟକୁ ପ୍ରେମିକା ‘ସାଧନାର’ ଅସୁସ୍ଥତା ବ୍ୟଥିତ କରିଛି । ମେଡ଼ିକାଲ୍ କଲେଜ ନାଟକର ନାୟକ ‘ଉଦୟ’ ବିଳମ୍ବରେ ଫେରିଛି ଓ ନାଟକ ଆରମ୍ଭ ହୋଇଛି । ନାଟକର ନାୟିକା ‘ସଚିତ୍ରା’ ପ୍ରତି ‘ସାଧନା’ ଈର୍ଷାନ୍ୱିତ ହେବା ଫଳରେ ତା’ର ଅସୁସ୍ଥତା ଦୂର ହୋଇଯାଇଛି । ଏହି ଧରଣର ପ୍ରତିକ୍ରିୟାକୁ ଆରିଷ୍ଟଟଲଙ୍କ ମତରେ ‘Catharsis’ ବୋଲି କୁହାଯାଇପାରେ । ଏଠାରେ ‘ଉଦୟର’ ଆଦର୍ଶବାଦ ଓ ‘ସୁଚିତ୍ରା’ ଚରିତ୍ରର ତ୍ୟାଗ ମନୋଭାବ ପ୍ରକାଶ ପାଇଛି ।

 

ପାରମ୍ପରିକ ରୀତିରେ ତ୍ୟାଗ ଓ ନିଃସ୍ୱାର୍ଥପରତାର ପ୍ରତୀକ ହେଉଛି ନାଟ୍ୟକାର ମିଶ୍ରଙ୍କ ନାଟକ ‘ସେବିକା’, ବଧୂ ଓ ପ୍ରେମିକାର ମଧ୍ୟରୁ ବାହାରି ଆସିଛି ଭାରତୀୟ ନାରୀର ଚିରନ୍ତନ ‘ସେବିକା’ ରୂପଟି, ଯାହାର ଜାତିଧର୍ମନାହିଁ, ଯାହା ଜୟନ୍ତୀ ଚରିତ୍ରରୁ ସୂଚିତ ହୁଏ । ଅନ୍ଧ ବିକାଶଙ୍କୁ ବିବାହ ନକରି ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ବିବାହ ଓ ପରେ ବିକାଶର ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀ ସହିତ ସକ୍ଷାତ ହେଉଛି ଏହାର ଘଟଣାପ୍ରବାହ । ନାଟ୍ୟକାର ଏଠାରେ ନାୟକ ଓ ନାୟିକାର ମନୋବିଶ୍ଳେଷଣର ସୁଯୋଗ ନେଇଛନ୍ତି । ଶଶାଙ୍କ ଓ ଜୟନ୍ତୀର କଥୋପକଥନ ପ୍ରସଂଗରେ ଗୋଟିଏ ସଂଳାପ ଏଠାରେ ଉଦ୍ଧାର କରାଯାଇପାରେ ।

 

“ଜୟନ୍ତୀ :- କିନ୍ତୁ ହୃଦୟର କ୍ଷୁଧା କେବେ କ’ଣ ମେଣ୍ଟିପାରିବ !

 

ଶଶାଙ୍କ :- ହୁଁ ପରସ୍ପରକୁ ସେବାକରି । ନାରୀ ପତ୍ନୀ ରୂପରେ ତା’ର ପତିକୁ ସଂସାରର ପିଛିଳ ପଥରୁ ଉଦ୍ଧାର କରେ । ପୁଣି ମା’ ରୂପରେ ସନ୍ତାନ ସନ୍ତତିଙ୍କୁ ପାଳନ କରେ । ଘରଣୀ ଭାବରେ ଘରର ସମସ୍ତ ଦୁଃଖକୁ ନିଜର କରି ହସହସ ମୁଁହରେ ସବୁ ସହ୍ୟକରେ । ଏଇତ ଆମ ସମାଜର ଆଦର୍ଶ, ନାରୀ ଧର୍ମ ”

 

ନାଟ୍ୟକାରଙ୍କ ପରପୁରୁଷ ନାଟକରେ ଦେଖିବାକୁ ମିଳେ ସ୍ୱାମୀ ସ୍ତ୍ରୀ ସଂପର୍କ ଦୈନନ୍ଦିନ ଘଟଣା ଉପରେ ଗଢ଼ିଉଠୁଥିବା ସନ୍ଦେହର ଜୀବନ କିପରି ସଂପର୍କକୁ ଛାରଖାର କରିଦିଏ । ବିଭୂତି ପଟ୍ଟନାୟକଙ୍କ ‘ପରପୁରୁଷ’ ଉପନ୍ୟାସର ଏହା ଏକ ରୂପାୟନ । ଏଥିପାଇଁ ନାଟ୍ୟକାର ସୂଚନା ଦେବାକୁ ଯାଇ କହିଛନ୍ତି “କଲମି ଗଛରେ ଫଳ ଚଞ୍ଚଳଧରେ, ଫଳବି ମିଠାହୁଏ । ସେଥିପାଇଁ ଉପନ୍ୟାସର ବିଷୟବସ୍ତୁକୁ ନେଇ ନାଟ୍ୟରୂପ ଦେଇଛି ।” (ପୃ-୧୨, ନିଜକଥା) ସନ୍ଦେହରୁ ସଂଘର୍ଷ ଓ ସଂଘର୍ଷରୁ ନାଟ୍ୟକାରଙ୍କ ନାଟକ ସୃଷ୍ଟି । ନାୟକ ଶ୍ୟାମଳବାବୁଙ୍କର ସନ୍ଦେହ ନିଜ ପତ୍ନୀ ବନାନୀ ପ୍ରତି ଓ ନିଜର ଏକମାତ୍ର ପୁତ୍ରର ମୃତ୍ୟୁ ଏବଂ ବନାନୀକୁ ଛାଡ଼ପତ୍ର ଓ ପରେ ଫେରି ଆସିବାର ପ୍ରୟାସ ହେଉଛି ଏହି ନାଟକର ବିଷୟବସ୍ତୁ । ଏଠାରେ ରୁଗ୍‍ଣ ମାନସିକତା ସଂପନ୍ନ, ‘ଶ୍ୟାମଳ’ ଚରିତ୍ରଟି ଏକାନ୍ତ ବାସ୍ତବ ହୋଇଉଠିଛି । ନାଟ୍ୟକାରଙ୍କ ଦର୍ଶକପ୍ରତି ସଚେତନତା ଆଣିଦେଇଛି ନାଟକରେ ସାର୍ଥକତା ।

 

ଉଚ୍ଚଶିକ୍ଷିତ ଭାରତୀୟମାନଙ୍କର ଛଳନାପୂର୍ଣ୍ଣ ଜୀବନଧାରାପ୍ରତି କଠୋର ସମାଲୋଚନା ହେଉଛି ନାଟ୍ୟକାରଙ୍କ ‘ଆବିଷ୍କାର’ ନାଟକ, ଭାରତୀୟ ସଂସ୍କୃତି ସଭ୍ୟତା ତଥା ପାରିବାରିକ ପବିତ୍ର ସଂପର୍କକୁ ପ୍ରଶଂସା କରିଛନ୍ତି ଆମେରିକାର ପ୍ରଧ୍ୟାପକ । ଓଡ଼ିଶାର ଜଣେ ଅଧ୍ୟାପକ ଆମେରିକାରେ ସେହି ପ୍ରଧ୍ୟାପକଙ୍କ ନିକଟରେ ଗବେଷଣାରତ ସମୟରେ ତାଙ୍କର ପ୍ରାପ୍ତବୟସ୍କା କନ୍ୟା ସଙ୍ଗେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମାତ୍ର ଓଡ଼ିଶା ଫେରିଆସି ଆମେରିକାର କଥା ସଂପୂର୍ଣ୍ଣ ଭୁଲିଗଲେ । ହଠାତ୍ ସେହି ପ୍ରଧ୍ୟାପକଙ୍କ ସଙ୍ଗେ ଦେଖାହୋଇଛି ଏବଂ ସେ ଅଧ୍ୟାପକଙ୍କ ଘରକୁ ଆସି ଦେଖିଛନ୍ତି ଭାରତୀୟ ପରମ୍ପରାର ସ୍ୱରୂପ । ଏଇଠି ସେ ଭାରତୀୟ ପରମ୍ପରାକୁ ଆବିଷ୍କାର କଲାପରି କହିଛନ୍ତି ଶହଶହ ବର୍ଷଧରି ଯେକେହି ଶାସନ କରୁନା କାହିଁକି ଭାରତ ତା’ର ସଂସ୍କୃତି, ପରମ୍ପରାକୁ ଭୁଲିନାହିଁ । ପରମ୍ପରା ସଂସ୍କୃତି ଗୋଟିଏ ପରିବାରକୁ କିଭଳି ବାନ୍ଧି ରଖିଛି ତାହା ଏହି ନାଟକରେ ସ୍ୱଷ୍ଟ ପରିଲକ୍ଷିତ ହୁଏ ।

 

ନାଟ୍ୟକାରଙ୍କ ଅନ୍ୟ ଗୋଟିଏ ପରୀକ୍ଷାଧର୍ମୀ ନାଟକ ‘ରଜତଜୟନ୍ତୀ’ । ଏହି ନାଟକରେ ସତ୍ୟ, ଧର୍ମ, ନ୍ୟାୟର କଥା କୁହାଯାଇଛି । ମଣିଷ ଯେତେବେଳେ ଅହଂଭାବକୁ ଭୁଲେ ନାହିଁ ସେତେବେଳେ ତା’ର ପତନ ଆରମ୍ଭ ହୋଇଯାଏ ଯାହାକି ନାଟକର ‘ଜୟନ୍ତୀ’ ଚରିତ୍ରରେ ଦେଖିବାକୁ ମିଳେ, ଜୟନ୍ତୀ ନିଜ ସ୍ୱାର୍ଥପାଇଁ ରଜତକୁ ବିବାହ ନକରି ଅନ୍ୟଜଣକୁ ବିବାହ କରିବି, କିନ୍ତୁ ପତିକୁ ହରାଇ ପୁନର୍ବାର ‘ରଜତ’ ନିକଟକୁ ଫେରି ଆସିବାର ପ୍ରୟାସ କରିଚି ମାତ୍ର ରଜତ୍ ଦୁଃଖ ସହିବାର ଶକ୍ତି ଭଗବାନ୍ ତୁମକୁ ଦିଅନ୍ତୁ କହି ଦୂରକୁ ଚାଲିଯାଇଛି । ନାଟକଟି ହୋଇଛି ହୃଦୟସ୍ପର୍ଶୀ ଓ ବାସ୍ତବଧର୍ମୀ । ସ୍ୱାର୍ଥକୁ କିଛି କ୍ଷଣପାଇଁ ନାଟ୍ୟକାର ଜୟନ୍ତୀ ଚରିତ୍ର ମାଧ୍ୟମରେ ଦେଖେଇଛନ୍ତି, ନାଟ୍ୟକାର ସାଂପ୍ରତିକ ଜୀବନରେ ପ୍ରେମିକ, ପ୍ରେମିକାର ପ୍ରେମ ଓ ପ୍ରତାରଣା ଇତ୍ୟାଦିକୁ ଗୁରୁତ୍ୱ ଦେଇଛନ୍ତି । ଏ ସବୁ ନାଟକ ଗୁଡ଼ିକୁ ଅନୁଧ୍ୟାନ କଲେ ଦେଖିବା

 

:

ଉଭୟ ନାରୀ ଓ ପୁରୁଷର ମନକୁ ବିସ୍ତୃତଭାବେ ବିଶ୍ଳେଷଣ ।

:

ପ୍ରେମ ସର୍ବଦା ସ୍ଵର୍ଗୀୟ ଓ ସନାତନ

:

ସାମ୍ପ୍ରତିକ ମାନବର ସ୍ୱରୂପ ଉପସ୍ଥାପନ ।

 

ନାଟ୍ୟକାର ନାଟକରେ କେଉଁଠି ରାଜନୀତିକୁ କିଞ୍ଚିତାଂଶରେ ଆଧାରକରିଥିବା ସ୍ଥଳେ ଆଉ କେତେକ ନାଟକରେ ସମଗ୍ର ରୂପକୁ ରାଜନୀତି ଦ୍ୱାରା ଆଚ୍ଛନ୍ନ ରଖିଛନ୍ତି । ‘ଆଶା ନିରାଶା’, ‘ମନ୍ତ୍ରୀ ଆସିବେ’ ଓ ‘ଭୋଟ ସଂସାର' ସେହି ଧରଣର ରାଜନୀତିକ ନାଟକ । ‘ମନ୍ତ୍ରୀଯୁଗ’ ନାଟକ ଏହି ତିନୋଟି ନାଟକର ସମାହାର । ଏଥିରେ ଭାରତୀୟ କଳୁଷିତ ରାଜନୀତିର ନଗ୍ନ ରୂପକୁ ସଂକ୍ଷେପରେ ଏହି ନାଟକ ଗୁଡ଼ିକରେ ବର୍ଣ୍ଣନା କରାଯାଇଛି ।

 

‘ଆଶା ନିରାଶା’ ନାଟକରେ ସ୍ୱାଧୀନତା ପୂର୍ବର ସ୍ୱରୂପକୁ ଦେଖିବାକୁ ମିଳେ । କ୍ଷମତାର ଅନ୍ଧ ‘ସୁବାସ’ ଭୁଲିଯାଇଛି ସମସ୍ତ ପ୍ରତିଶ୍ରୁତିକୁ, ଭୁଲି ଯାଇଛି ବେତ୍ରାଘାତ ସତ୍ତ୍ୱେ ‘ଜୟଭାରତ ମାତାକି ଜୟ’ର ସ୍ଲୋଗାନ । ସେ ସ୍ୱାର୍ଥସର୍ବସ୍ୱ ହୋଇପଡ଼ିଛି । ମନ୍ତ୍ରୀ ହେଲାପରେ ବଂଧୁ ‘ମୋହନ’ ଓ ‘ସୟଦ’ଙ୍କ ପ୍ରତିବାଦ ପାଇଁ ସେମାନଙ୍କୁ ଆରେଷ୍ଟ କରିବାପାଇଁ ଆଦେଶ ଦେବାକୁ ପଛାଇ ନାହିଁ । କିନ୍ତୁ ଯେତେବେଳେ ମନ୍ତ୍ରୀଙ୍କ ଉପରୁ ପୋଲିସ୍ ପ୍ରୋଟେକ୍‍ସନ୍ ଉଠେଇ ରାଷ୍ଟ୍ରପତି ଶାସନ ଜାରୀ କରିଚି ସେଇ ମୁହୂର୍ତ୍ତରେ ‘ସୁବାସ’ ପାଗଳପ୍ରାୟ ହୋଇଉଠି ଜନତାଙ୍କ ଭିତରୁ ପୁଣି ନିଜକୁ ଆବିଷ୍କାର କରିଛି ଏବଂ କୃତକର୍ମପାଇଁ ଅନୁତାପ କରିଛି, ଗୋଷ୍ଠୀ ସ୍ୱାର୍ଥ ବଦଳରେ ବ୍ୟକ୍ତିସ୍ୱାର୍ଥର ମୋହ ନିଜକୁ କିପରି ବିପଥଗାମୀ କରାଏ ତା’ର ଏକ ନିଚ୍ଛକ ପ୍ରତିଛବି ଏହି ଆଶା ନିରାଶା ନାଟକ-

 

ନାଟ୍ୟକାର ‘ମନ୍ତ୍ରୀ ଆସିବେ’ ନାଟକଟି ମନ୍ତ୍ରୀ ଆସିବାର ବ୍ୟସ୍ତତାକୁ ନେଇ ରଚନା କରିଛନ୍ତି । କୁଜିନେତା ସଦାନନ୍ଦ ଓ ନିତ୍ୟାନନ୍ଦ ସଭାର ଆୟୋଜନରେ ବ୍ୟସ୍ତ ଏବଂ ଆକସ୍ମିକଭାବେ କାଞ୍ଚନର ଅପହରଣ ହେବା କଥା ପୋଲିସ୍‍ଠାରୁ ଜଣାପଡ଼େ ଯାହାକି କାଞ୍ଚନର ନିଜମାଆର କଲାକର୍ମ । ଏହି ନାଟକରେ ନାଟ୍ୟକାର ସମାଜର ଭ୍ରଷ୍ଟ ଦୁର୍ନୀତିର ଶବକୁ ସୁନ୍ଦର ଭାବରେ ବ୍ୟବଚ୍ଛେଦ କରେଇପାରିଛନ୍ତି ।

 

ନାଟ୍ୟକାରଙ୍କ ‘ଭୋଟ ସଂସାର’ ଅନ୍ୟଗୋଟିଏ ରାଜନୀତିକ ନାଟକ, ଯେଉଁଥିରେ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପ୍ରସଂଗ ବର୍ଣ୍ଣିତ । ଯେଉଁଠି ଜବରଦସ୍ତ ଭୋଟପାଇବାର ଇଚ୍ଛାକୁ ରୋକାଯାଇ ପାରିନାହିଁ । ପଞ୍ଚାୟତ ନିର୍ବାଚନରେ ଏକ ପକ୍ଷରେ ‘ଲିଲିରାଉତ’ ଅନ୍ୟପକ୍ଷରେ ଶଙ୍କରବୋଉ ତଥା ନଟଦାସଙ୍କ ସ୍ତ୍ରୀ ଦୁହିଁଙ୍କର ଲଢ଼େଇ ହୋଇଛି । ଏକ ପକ୍ଷରେ ଆଦର୍ଶବାଦର ହତ୍ୟା ଓ ଅପରପକ୍ଷରେ ଗଣତନ୍ତ୍ରର ନଗ୍ନରୂପକୁ ଖୁବ୍ ଖୋଲାଖୋଲି ଭାବରେ ଜନତାଙ୍କ ଦରବାରରେ ପେସ୍ କରିଛନ୍ତି । ଏହିସବୁ ରାଜନୀତିକ ନାଟକ ଗୁଡ଼ିକରେ ଯାହା ଲକ୍ଷ୍ୟ କରାଯାଏ :

 

:

ଭାରତୀୟ ଲୋକତନ୍ତ୍ରର ସ୍ଵରୂପର ଉଦ୍‌ଘାଟନ ।

:

ନେତା ମନ୍ତ୍ରୀଙ୍କର ଶୋଷଣର ଚିତ୍ର ସର୍ବତ୍ର ପ୍ରକାଶିତ ।

:

ସମକାଳରେ ଭ୍ରଷ୍ଟ କଳୁଷିତ ରାଜନୀତିର ଚିତ୍ର ଉପସ୍ଥାପିତ ।

:

ଜନମତକୁ ସମ୍ମାନ ନଦେଇ ଜୋର ଜବରଦସ୍ତ ଜନତାଙ୍କଠାରୁ ଭୋଟ ଆଦାୟ ।

 

ନାଟ୍ୟକାର ଶ୍ରୀ ମିଶ୍ର ‘ପ୍ରତୀକ୍ଷା’ (୧୯୫୮) ଓ ‘ପ୍ରବାସୀ’ (୧୯୫୯) ଦୁଇଟି ଛୋଟ ନାଟକର ମଧ୍ୟ ସୃଷ୍ଟିକର୍ତ୍ତା ।

 

ଆଲୋଚ୍ୟ ‘ପ୍ରତୀକ୍ଷା’ ନାଟକରେ ନାଟ୍ୟକାର ନାରୀ ମନସ୍ତତ୍ତ୍ୱକୁ ନେଇ ରଚନା କରିଛନ୍ତି । ଜଣେ ନାରୀ ତା’ର ଈପ୍‍ସିତ ମଣିଷ ପାଇଁ ଶେଷ ପର୍ଯ୍ୟନ୍ତ ପ୍ରତୀକ୍ଷା ହିଁ ପ୍ରତୀକ୍ଷା ନାଟକ । ଯାହା ନାୟିକା ‘ବାସନ୍ତୀ ଚରିତ୍ର ଦେଇ ଉଦ୍‍ଭାସିତ । ଉପନ୍ୟାସ ‘ଛଳନାମୟୀ’ ହିଁ ସ୍ଵାମୀ ‘ଅଜିତ୍’ ଓ ‘ବାସନ୍ତୀ’ ଜୀବନର ପୂର୍ଣ୍ଣଚ୍ଛେଦ ଟାଣିଦେଇଛି । ‘ବାସନ୍ତୀ’ କୁମାରୀ ଜୀବନର ପ୍ରତିଛବି ହେଉଛି ସେହି ଛଳନାମୟୀ ଉପନ୍ୟାସ । ଫଳତଃ ବାସନ୍ତୀ ଅସୁସ୍ଥତା ଆଡ଼କୁ ଟାଣି ହୋଇ ଯାଇଛି ଓ ପରିଶେଷରେ ତା’ର ମୃତ୍ୟୁ ହୋଇଛି । ନାଟକର ଶେଷରେ ବାସନ୍ତୀର ଯେଉଁ ସଂଳାପଟି ନାଟକୀୟ କାରୁଣ୍ୟ ସୃଷ୍ଟି କରେ ତାହା ଏହିଭଳି : ‘ମନୋଜବାବୁ ମୋତେ ଭୁଲ୍ ବୁଝିଲେ ମୋତେ ହରାଇ ସେ ହିଂସ୍ର ହୋଇ ଉଠିଲେ । ଯାହା ଫଳରେ ଲେଖିଲେ ଛଳନାମୟୀ xxx xxx xxx ଏବେବି ମୁଁ ତାଙ୍କରି ଅପେକ୍ଷାରେ । ଏତିକି ଭିକ୍ଷା ମୋର ଅଜିତ୍‍ବାବୁ ଏତିକି ଭିକ୍ଷା (ପୃ-୧୯) ନାଟକଟି ଆକାଶବାଣୀ କେନ୍ଦ୍ରରୁ ପ୍ରଚାରିତ ହୋଇ ବହୁ ପ୍ରଶଂସିତ ହୋଇଛି ।

 

‘ପ୍ରବାସୀ’ ନାଟକଟି ଶ୍ରୀ ମିଶ୍ରଙ୍କ ପାରଂମ୍ପରିକ ଭାବନା ଏବଂ ଦେଶ - ଜାତିର ମୋହକୁ କେନ୍ଦ୍ରକରି ଲିଖିତ । ଏହା ଆକାଶବାଣୀ ଦ୍ୱାରା ପ୍ରଚାରିତ । ଯେଉଁଠି ବିଶୁବାବୁଙ୍କର ପୁଅ ଝିଅଠାରେ ଜନ୍ମମାଟି ପ୍ରତି ଅହେତୁକ ମୋହ ଓ ନିଜର ତୀବ୍ର ଜାତୀୟତା ଦେଖିବାକୁ ମିଳେ । ଯାହାକି ସ୍ତ୍ରୀ ସୁମିତା ଦେବୀଙ୍କୁ ପରିବର୍ତ୍ତନ କରିପାରିଛି । ତୀବ୍ର ଜାତୀୟତାକୁ କେନ୍ଦ୍ରକରିଥିବା ବିଶୁବାବୁଙ୍କର ଗୋଟିଏ ସଂଳାପ ଏଠାରେ ଦିଆଗଲା – “ହଁ ଖାଲି ଶୁଣିନାହିଁ ଜୟୀ ବୋଉ, ମୁଁ ଦିବ୍ୟ ଦୃଷ୍ଟିରେ ଦେଖିପାରୁଛି, xxx xxx xxx ଏଇ ମାଟିର ମଣିଷ ହୋଇ ଏଇମାଟି ଉପରେ ଠିଆ ହୋଇ ଆଉ ଆମେ କହିବା ପାଇଁ ନାହିଁ ଆମେ ପ୍ରବାସୀ” (ପୃ-୨୨)

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ନାଟକରେ ସଂଳାପ ସଂଯୋଜନା ବେଳେ ଢଗଢମାଳିର ପ୍ରୟୋଗ କରିଛନ୍ତି । ଏଠାରେ କେତୋଟି ଜଗଢମାଳିର ଉଦାହରଣ ଦିଆଗଲା :

 

“ବିନାଶକାଳେ ବିପରୀତ ବୁଦ୍ଧି’’ (ମ୍ୟାନେଜର, ପୃ-୩୯)

 

“ଅଗସ୍ତି ଦେଲେ ଦାନ ନା ମୂଷା ନଣ୍ଡି ପରିମାଣ” (ମୂଲିଆ, ପୃ-୪୦)

 

“ସରଗକୁ ନିଶୁଣୀ ନାହିଁ, ବଡ଼ ଲୋକକୁ ଉତ୍ତର ନାହିଁ ।” (ଘରସଂସାର, ପୃ-୪୧)

 

“ହଇହେ ଭାଇଗ ଭେଣ୍ଡା ଦୁଃଖୀତ ନୁହେଁ କଦଳୀ ଗଛ କେମିତି ଛାଡ଼ିଲା ଭଣ୍ଡା”

 

(ଭାଇଭାଉଜ, ପୃ-୪୨)

 

“ଠାକୁରଙ୍କ ସିଂହାସନରେ ମୁଣ୍ଡ ଲଗାଇବା ଆଗରୁ ଗରୁଡ଼ଙ୍କଠି ଆଗ ମୁଣ୍ଡ ଲଗାଇବାକୁ ହୁଏ”

(ସେବିକା, ପୃ-୬୪)

 

“ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି,”

(ଗୋଧୂଳିଲଗ୍ନ, ପୃ-୪୩)

 

“ଲୁଚିଛିନା ଗୋଡ଼ ଦୁଇଟା ଦିଶୁଛି”

(ପୁଆଣି ଘର, ପୃ.୪୫)

 

“କରାଣ୍ଡିକୁତ ଲୋଭ କରିବ, ଆଉ ବାଳିଆ ମାଡ଼ି ବସିବ କେମିତି”,

(ନରୋତ୍ତମଦାସ କହେ, ପୃ-୪୬)

 

ନାଟ୍ୟକାର ସିଧାସଳଖଭାବେ ନକହି ନାଟକରେ ଏହିଭଳି ଢଗଢମାଳି ଆପ୍ତବାକ୍ୟ ଦ୍ଵାରା ସଂଳାପ ପ୍ରଯୋଜନା କରିଛନ୍ତି । ଯାହାକି ନାଟକରେ କଥାଂଶ ଏବଂ ସଂଳାପକୁ ଗୋଟିଏ ବ୍ୟାପ୍ତି ଦାନ କରିଛି । ବଡ଼ କଥାଟିଏ କହିବା ପାଇଁ ଅଳ୍ପକେ କହି ନାଟକୀୟତାକୁ ସୁଦୃଢ଼ କରିପାରିଛନ୍ତି । ଯାହା ତାଙ୍କ ନାଟକରେ ଗୋଟିଏ ପ୍ରଶଂସିତ ଦିଗ ।
 

ନାଟକରେ ସଂଗୀତର ପ୍ରୟୋଗ ନୂଆକଥା ନୁହେଁ । ଏକଦା ସମଗ୍ର ନାଟକକୁ ସଂଗୀତହିଁ ଧାରଣ କରୁଥିଲା । ସେହି ଧାରାରୁ ଶ୍ରୀ ମିଶ୍ରଙ୍କ ନାଟକ ବାହାରକୁ ଯାଇପାରିନାହିଁ । ନାଟ୍ୟକାର ଅନେକତ୍ର ସଂଗୀତ ସଂଯୋଜନା କରିଛନ୍ତି । ଯାହାର ଗୋଟିଏ ସ୍ୱତନ୍ତ୍ର ଆଭିମୁଖ୍ୟ ରହିଛି । ନିମ୍ନରେ କେତୋଟି ସଂଗୀତର ଉଦାହରଣ ଦିଆଗଲା :

 

“ଏଡ଼େ ବଡ଼ଘର ବଡ଼ ଗୁମର କଥାଲୋ ମିତ କାନ ଦେଇଥା

ହରିବୋଲ ଭାଇ ଗୋବିନ୍ଦ ବୋଲ ଭାସିଲା ପଥର ବଡ଼ିଲା ସୋଲ ।

xxx xxx xxx xxx xxx xxx

ଯା’ମନ ଯାହାଠି ରସିଲା ତାକୁ କିଆଫୁଲ ପରି ବାସିଲା

ଓଡ଼ିଆ ଘରେ ମେମ୍ ସାଇବ ବୁଝି ଚପଲ ବାଲୀ

ଗାଲରେ ନାଲି ଓଠରେ ନାଲି ଦଶ ହଜାରି ଚାଲି ।”

(ଘରସଂସାର ,ପୃ-୫୬)

“ଚଲା ବାଦଲରେ ! ଘେନିଯା

ତୋ ସାଥେ ମୋ ବେଦନା – ବିନ୍ଦୁଧାରା

ପରଦେଶେ ରହିଲେ ସେ, ନିଷ୍ଠୁର ଚିତ୍ତଚୋରା

ସାଥୀହରା ପଲକର ନଲାଗେ ଦୁନିଆ ସାରା ।” (ମୂଲିଆ, ପୃ-୫୬)

“ନାହିଁ କରିନାହିଁ ଯାହାତ ଦେଇଛ ନେଇଛି ମୁଁ ମଥାପାତି

ତୁମ କୁହାମାନି ଚାଲିଛି ନ ମାନି ବାଦଲ ବରଷା ରାତି ।” (ଚାବୁକ୍)

“ଘର ଜୁଆଁଇ ଏଡ଼ିକି ହୀନ, ହଁ............ ଧିକ ଜୀବନ

xxx xxx xxx xxx xxx xxx

ହଁ– ପୋଡ଼ୁ ପେରମ ଏଡ଼ିକି ନିରାଶୀ ମୁହିଁ, ଏହା ବଂଧୁନୁ ଫେଡ଼ିବ ।” (ମଉଡ଼ମଣି, ପୃ-୬୭)

“ଫୁଟିଲା ଝଡ଼ିଲା ବେଳେ, କିଏ ରଖୁଚି ଖବର

ମଝିକାଳେ କଥାଟିକକ ସାର

କାହାର କି କଲୁ ମନେ ହେଜ ତୁ ବାଉଳାରେ

ସେତିକି ତୋ ସାଇତା ପସରାରେ

ସାଥୀକି ତୋ ସେଇ ଏକ ଭେଳା”

(ସାଇପଡ଼ିଶା, ପୃ-୬୮)

“ବାଆ ସିରିସିରି ବୋହିଲା, ଅନା ବାଆ ସିରିସିରି ବୋହିଲା

ଛାଇତଳେ ଦିହ ଶୀତେଇ ଉଠିଲା ଖରାକଟେ ସାତଗୁଣ

କ୍ଷୀରଖିଆ କେଣ୍ଡା ଦୋହଲି ଉଛୁଳି ପଡ଼ିଲା କେନା,”

(ଭାଇଭାଉଜ, ପୃ-୭୦)

“ସତ୍ୟନୀଳ ସାଗରରେ ଢ଼େଉ

କେତେ ଗଣି ସାରା ହେବି ଆଉ

ଆଶା ବାଲି ବନ୍ଧ କେତେ ସହିବି ଗୋ

ହତାଶ ବତାସ ଦାଉ ।”

(ସେବିକା,ପୃ-୭୪)

“ବାଧା ନ ମାନି ଚାଲେ ତୋ ସଂସାର ସଜାଡ଼ି

ଆସୁ ଚାନ୍ଦରାତି ଅବା ଉଆଁସ ଅନ୍ଧାରରେ,”

(ମମତା, ପୃ-୭୬)

“କହିବି କାହାର ମନ ବେଦନା

ନିରବଧି ନୀରଧାରେ ଗିରିଝରଣା ।”

(ପୁଆଣୀଘର, ପୃ-୭୯)

“ଅନ୍ଧକରି ଆଖିତାରା ସବୁସୁଖ ନେଲହରି

ତୁମେ କି ପାଇଲ କୁହ ଭଗବାନ୍ ଗରିବ ଦୁନିଆ ଜାଳି

ଭଙ୍ଗାମନ ମରେ ଝୁରି ।”

(ପରପୁରୁଷ, ପୃ-୮୧)

“ଦିନ ଗୋପ ଗୋଦର ଡକାଡକି ହୋଇ

ଚଳିଲେ ଯମୁନା ତୀରେ

xxx xxx xxx xxx xxx xxx

ଶୁଣିଲା ଏକାଳେ କଦମ୍ବତରୁ ମୂଳେ

ନବଘନ ଶ୍ୟାମ ବଂଶୀ ଧ୍ୱନି ।”

(ନରୋତ୍ତମ ଦାସ କହେ, ପୃ-୮୩)

“ବନ ନିଆଳୀର ସଉରଭ ଗୋରା ଗୋରା

ବୋଳିଯାଏ ଉନ୍ମାଦନା ଅପାସୋରା

ମନ ହରିଣୀ କି ଖୋଜିଯାଏ

ନୟନର ସୀମା ସେପାରି ।”

(କିସ ପୁଣି ଦେଖାନଯାଏ, ପୃ-୮୮)

“ବାଧିଲା ଜାଣିକ୍ଷମା, ଜୟ ଜଗବଂଧୁ ଦୀନବଂଧୁ

xxx xxx xxx xxx xxx xxx

ଗଲାଣିତ ଗଲା କଥା, xxx xxx xxx

କେହି ସରିକି

xxx xxx xxx

ପ୍ରଭୁ ପଣେ ନୀଳାଦ୍ରିକି ।”

(କବିସୂର୍ଯ୍ୟ)

 

ତତ୍କାଳୀନ ନାଟ୍ୟକାରମାନଙ୍କର ନାଟକ ଗୁଡ଼ିକ ପ୍ରାୟ ସଂଗୀତ ବହୁଳଥିଲା । ଶ୍ରୀ ମିଶ୍ର ତାଙ୍କ ନାଟକରେ ସଂଗୀତର ପ୍ରୟୋଗ କରିବାକୁ ଆଦୌ ଭୁଲିନାହାନ୍ତି । ତାଙ୍କ ରଚିତ ନାଟକରେ ସଂଗୀତ ଗୁଡ଼ିକ ଜୀବନ୍ତ ଓ ସ୍ୱତନ୍ତ୍ର । ଯାହା ଗୋଟିଏ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ନୃତ୍ୟଭରା ସଂଗୀତ ରଚନା ବେଶ୍ ହୃଦୟସ୍ପର୍ଶୀ ଓ ମନୋମୁଗ୍‍ଧକର ହୋଇଛି ତାଙ୍କ ନାଟକ ଗୁଡ଼ିକରେ । ସଂଗୀତ ଗୁଡ଼ିକ ମୌଳିକ ଓ ଓଡ଼ିଶୀ ଜନଜୀବନ ସହ ଏକାତ୍ମ ସର୍ବୋପରି ସରଳ ଓ ଭାବଗର୍ଭକ ।

 

ରାମଚନ୍ଦ୍ର ମିଶ୍ର ଯେଉଁ ସମୟରେ ନାଟକ ଲେଖାରେ ହାତ ଦିଅନ୍ତି, ସେତେବେଳକୁ ଓଡ଼ିଆ ନାଟ୍ୟ ଜଗତରେ ସମାଜ ଜୀବନର ରୂପର ଆବିର୍ଭାବ ହୋଇସାରିଲାଣି । ଯେଉଁଠି ତତ୍କାଳୀନ ଓଡ଼ିଶାର ଗ୍ରାମ-ସହରର ଜୀବନର ନାନାବିଧ ସମସ୍ୟାକୁ ନେଇ ନାଟକ ଲେଖା ଯାଉଥିଲା । ସେ ତାଙ୍କର ନିଜ ନାଟକରେ ସେହି କଥା କହିଥିଲେ ହେଁ ଘଟଣାର ସଂଯୋଜନା ଏବଂ ଉପସ୍ଥାପନା ପାଇଁ ନିଜର ସ୍ଵତନ୍ତ୍ର ପରିଚୟଟିଏ ପାଇପାରିଲେ । ୧୯୪୩ ମସିହାଠାରୁ ଲେଖା ଆରମ୍ଭକରି ଜୀବନକାଳ ମଧ୍ୟରେ ତାଙ୍କର ସମଗ୍ର ନାଟକ ସଂଖ୍ୟା ସତର ଖଣ୍ଡ । ମାତ୍ର ସତରଟି ଯା’କ ନାଟକ ନିଜ ନିଜ ଜାଗାରେ ସ୍ୱତନ୍ତ୍ର ଏବଂ ସଫଳ । ତାଙ୍କ ସାମ୍ନାରେ ‘ଅଶ୍ୱନୀକୁମାର’ଙ୍କ ନାଟକ ଭଣ୍ଡାରଥିଲା ଏବଂ ସମକାଳୀନ କାଳୀଚରଣଙ୍କ ନାଟକରେ ପ୍ରଭାବିତ ଗୋଟିଏ ସମୟଥିଲା । ଫଳତଃ ଅନେକତ୍ର ଆମେ କାଳୀଚରଣଙ୍କ ପ୍ରଭାବ ତାଙ୍କଠାରେ ଦେଖିବାକୁ ପାଉଁ । ‘ଅଭିମାନ’ ନାଟକଟି କାଳୀଚରଣଙ୍କ ‘ଗାର୍ଲସ୍କୁଲ୍.....’ ଓ ‘ଚୁମ୍ବନ’ ନାଟକର ପ୍ରତିକ୍ରିୟାହିଁ ପ୍ରତିଯୋଗୀର ମନ ଏବଂ ନାଟକ ଲେଖିବାର ଅହେତୁକ ମୋହ ତାକୁ ଚିହ୍ନିତ କଲା ନାଟ୍ୟକାର ଭାବରେ ।

 

“ମୂଲିଆ”, “ଭାଇଭାଉଜ”, “ଘରସଂସାର”, “କିସପୁଣି ଦେଖାନଯାଏ” ଆଦି ନାଟକରେ ଆମେ ନାଟ୍ୟକାରଙ୍କୁ ଭିନ୍ନ ଗୋଟିଏ ରୂପରେ ଦେଖୁଁ । ଯେଉଁଠି ତାଙ୍କର ଅଭିପ୍ରାୟଟି କେବଳ ସମାଜ ଅଭିମୁଖୀ । ଶିକ୍ଷିତ ସମାଜକୁ ସେ ସଚେତନ କରାଇଛନ୍ତି । ପରମ୍ପରା, ଆଦର୍ଶ ଏବଂ ମୂଲ୍ୟବୋଧର ଭିତ୍ତିରେ ଚରିତ୍ରମାନେ ବିଜୟୀ ହୋଇଛନ୍ତି । ଭ୍ରଷ୍ଟ ପାଶ୍ଚାତ୍ୟ ପ୍ରଭାବିତ ସମାଜ କିଭଳି ଯୌଥ ପରିବାର ସବୁକୁ ଭାଙ୍ଗି ଦେଇଛନ୍ତି ଏବଂ ଅଶାନ୍ତିର ଝଡ଼ ସୃଷ୍ଟି କରିଛନ୍ତି ତାହା ଅନେକତ୍ର ଉପଲବ୍ଧ ।

 

ଘରସଂସାର ନାଟକରେ ନାରୀଶିକ୍ଷାର ଆହ୍ୱାନଟି, ପ୍ରମୁଖ ସ୍ୱର ଭାବେ ଆସିବ । ଯାହା ‘ଶାରଦା’ ଚରିତ୍ର ଦେଇ ଉପସ୍ଥାପିତ । ‘ମୂଲିଆ', ‘ଭାଇଭାଉଜ’, ‘ଗୋଧୂଳିଲଗ୍ନ’ ଆଦି ନାଟକରେ ବ୍ୟକ୍ତିର ବିବର୍ତ୍ତିତ ରୂପଟିଏ ଦେଖିବାକୁ ମିଳେ । ଯେଉଁଠି ଖଳ ଚରିତ୍ରମାନେ ନିଜର ଦୁଷ୍କର୍ମ ଦ୍ଵାରା ନାଟକୀୟ ଦ୍ଵନ୍ଦ୍ୱକୁ ବଢ଼ାଇଥିଲେ ହେଁ ପରିଶେଷରେ ଆତ୍ମଦହନରେ ଜଳିଛନ୍ତି ।

 

ତାଙ୍କର ପଶ୍ଚାତାପହିଁ ତାଙ୍କୁ ଧୋଇମାଜି ନିର୍ମଳ କରିଛି । ଗୋଟିଏ କଥା ଏହି ପ୍ରସଂଗରେ କୁହାଯାଇପାରେ ନାଟ୍ୟକାର ସର୍ବତ୍ର ଆଶାବାଦୀ’ ହୋଇଛନ୍ତି । ମଣିଷକୁ ପରିବର୍ତ୍ତିତ ହେବାର ମଉକା ଦେଇଛନ୍ତି । ମଣିଷଠାରେ ସମ୍ଭାବନାଟିଏ ଦେଖେଇଛନ୍ତି ।

 

ସଂଳାପ ସଂଯୋଜନା କ୍ଷେତ୍ରରେ ନାଟ୍ୟକାର ସଚେତନ । ପ୍ରତ୍ୟେକଟି ସଂଳାପ ସେ ଅଭିବ୍ୟଞ୍ଜିତ କରିଛନ୍ତି ନାଟକରେ । ଯେଉଁଠି ତାଙ୍କ ଲକ୍ଷ୍ୟ କେବଳ ସମାଜପାଇଁ ହୋଇଛି ଅତିଷ୍ଠ ଏବଂ ଆକୁଳ ଶସ୍ତା ହାସ୍ୟରସ ଧର୍ମୀ ସଂଳାପ ସଂଯୋଜନା ତାଙ୍କ - ନାଟକରେ ମୂଲ୍ୟକୁ ହ୍ରାସ କରିନାହିଁ ।

 

ପୂର୍ବବର୍ଣ୍ଣ ଏବଂ ତତ୍କାଳୀନ ନାଟକରେ ସଂଗୀତର ବହୁଳ ପ୍ରଭାବ ଥିବା ସତ୍ତ୍ୱେ ନାଟ୍ୟକାର ଏ କ୍ଷେତ୍ରରେ ସଚେତନ । ଯେଉଁଠି କାଳୀଚରଣଙ୍କ ଭଳି ନାଟ୍ୟକାରମାନେ ସଂଗୀତକୁ ନେଇ ନାଟକର ମୂଲ୍ୟ ନିରୂପଣ କରୁଥିଲେ, ନାଟ୍ୟକାର ଶ୍ରୀ ମିଶ୍ର ତାହାର ବ୍ୟବହାରରେ ସ୍ୱଳ୍ପତାକୁ ନଜର ଦେଇଛନ୍ତି । ଶେଷରେ ଜଣାପଡ଼େ ଶ୍ରୀ ମିଶ୍ର ଅତିସାଧାରଣ ତଥା ମାନବୀୟ ଢଙ୍ଗରେ ଉଚ୍ଚତର ତଥା ଗଭୀରତାର ଚେତନାରଧାରା ସୃଷ୍ଟିଦିଗରେ ତାଙ୍କର ସମସ୍ତ ନାଟକ ଓଡ଼ିଆ ନାଟ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

 

 

ଗବେଷିକା,

ଉପାଧ୍ୟୁତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ,

ପଶ୍ଚିମବଙ୍ଗ, ୭୩୧୨୩୫

 

***

 

ଅନୁବାଦ ସାହିତ୍ୟ

ହୀରୋସୀମା ପେନେଲ୍‍ସ୍

ଏକ ଗୁଚ୍ଛ ଜାପାନୀ କବିତା

 

ଦୀର୍ଘ ତିନି ଚାରି ଦଶକ ଧରି ଦୁଇଜଣ ଜାପାନୀ ଚିତ୍ରକର ତୋଷି ଓ ଇରୀ ମାରୁକୀ ସେମାନଙ୍କ ଚିତ୍ରାବଳୀ ମାଧ୍ୟମରେ ହୀରୋସୀମାରେ ପରମାଣୁ ବୋମା ବିସ୍ଫୋରଣର ଭୟାବହତାକୁ କ୍ରମାଗତ ଭାବରେ ଚିତ୍ରଣ କରି ଆସୁଛନ୍ତି । ଏକ ବିସ୍ଫୋରଣରେ ନିମିଷକରେ ୨,୬୦,୦୦୦ ଟି ଜୀବନଦୀପ ସାଉଁଟି ନେଲା । କେବଳ ତାହା ନୁହେଁ, ଯେଉଁମାନେ ବଞ୍ଚିରହିଲେ ଓ ସେମାନଙ୍କର ଉତ୍ତର ଦାୟାଦ ଆଜି ମଧ୍ୟ ସେ ପ୍ରଭାବରୁ ମୁକ୍ତ ହୋଇ ପାରିନାହାନ୍ତି । ବିଚିତ୍ର ରୋଗ, ବିକଳାଙ୍ଗ ଅବୟବ ନେଇ ଯନ୍ତ୍ରଣା ମୃତ୍ୟୁରେ ଜର୍ଜରିତ ।

 

ଏଇ ଦୁଇଜଣ ଶିଳ୍ପୀ ବନ୍ଧୁଙ୍କ ଛାତିରେ ବୋମା ମାଡ଼ର ନାରକୀୟ ବିଭୀଷିକା ଆଜିବି ପ୍ରଜ୍ଜ୍ୱଳିତ । ବୋମା ମାଡ଼ର ଠିକ୍ ତିନିଦିନ ପରେ ଏମାନେ ହୀରୋଶିମାରେ ପହଞ୍ଚିଲେ । ସେହି ଦିନଠାରୁ ସେମାନଙ୍କ ରଙ୍ଗ ଓ ତୂଳୀର ଜୀବନ-ଦର୍ଶନ ବଦଳିଗଲା; ପରମାଣୁ ଯୁଦ୍ଧର ଭୟାବହତା ହଁ ଆଜି ସେମାନଙ୍କ ଚିତ୍ରକଳାର ମୂଳ ବିଷୟବସ୍ତୁ । ବୋମା ବିଧ୍ୱସ୍ତ ହୀରୋଶିମାରେ ଚିତ୍ରିତ ସେମାନଙ୍କ ‘ହୀରୋସୀମା ପେନେଲସ୍‌’ ଚିତ୍ରାବଳୀ ଆଜି ସମଗ୍ର ମାନବ ସମାଜ ପାଇଁ ଏକ ସତର୍କ ଘଣ୍ଟି । ଏ ଗ୍ରହରେ ଆଉ କେବେ ସେଭଳି ବିଭୀଷିକା ସୃଷ୍ଟି ନହେଉ ସେଇ ଆବେଦନରେ ସେମାନଙ୍କ ଚିତ୍ରାବଳୀ ଅନୁରଞ୍ଜିତ । ପୃଥିବୀର ବିଭିନ୍ନ ଦେଶରେ ତାଙ୍କର ଏହି ଚିତ୍ରାବଳୀ ପ୍ରଦର୍ଶିତ ହେଉଛି । ସେମାନଙ୍କ ଚିତ୍ରାବଳୀ ନିମନ୍ତେ ଲିଖିତ କେତୋଟି ପରିଚୟାତ୍ମକ କବିତାର କୋଣାର୍କ ପତ୍ରିକା ପାଇଁ ଓଡ଼ିଆ ଅନୁବାଦ କରିଛନ୍ତି ସ୍ନେହ ମିଶ୍ର ।

 

।। ପ୍ରେତ ।।

 

ପ୍ରେତର ଶୋଭାଯାତ୍ରା ଏ

ବିସ୍ଫୋରଣରେ ବିବସ୍ତ୍ର ମଣିଷ ଦେହ

ଦେହସାରା ପୋଡ଼ା ଘା’

ନାଲି ନାଲି ଅଧାସିଝା ଚମ

ଯେମିତି ଏଇଲାଗେ ଉତୁରି ଯିବ

ପିନ୍ଧାଲୁଗା ପରି

କାକୁସ୍ଥ ଦୁଇହାତ ଟେକି

ପରମାଣୁ ନର୍କପୁରୀରୁ

ମାଡ଼ି ଆସୁଥିବା

ଅସଂଖ୍ୟ ଅଶରୀର ପ୍ରେତର ଶୋଭାଯାତ୍ରା ଏ

ହୃଦୟଟା ଭାରି ହେଇ ଆସେ

ମନଟା ବି ଦବିଯାଏ

ପାଦସବୁ ଥକିପଡ଼େ

ଆଉ ଏମିତି ଯନ୍ତ୍ରଣାର ଶିଡ଼ିରେ ପାଦ ରଖୁରଖୁ

ସେମାନେ ଢଳି ପଡ଼ନ୍ତି ଆଗ ପଛ ହେଇ

ସେ ମଝିଟାରେ କିଏ ସେ ?

ପାହାଚ ଉପରେ କାହାର ସେ ଧଳାଛାଇ ?

ଛ’ ହଜାର ଡିଗ୍ରୀ ତାପମାତ୍ରାରେ

ଦେହ ତା’ର ଯେମିତି ଘନୀଭୂତ ?

ଥମ୍ ଥମ୍ ସେ ମୁହୂର୍ତ୍ତଟା

ସମସ୍ତେ ସନ୍ଦିଗ୍ଧ

ବିବର୍ଣ୍ଣ ମୁହଁସବୁ ଅପରକୁ ଚିହ୍ନିବା ଅପଚେଷ୍ଟା କରୁଥିଲେ

ଆଉ ସେ ଅପଚେଷ୍ଟାରେ

ଖଣ୍ଡିତ ସ୍ୱରମାନେ ବି ନିଜକୁ ସାମିଲ୍‍ କରୁଥିଲେ

ସେଠି କେଉଁ ଅକ୍ଷତ ଶିଶୁଟିଏ-

ମାଆ ତା’ର ଘୋଡ଼େଇ ରଖିଥିବ

ତା’ କଅଁଳ କୋଳରେ

ତା’ କାନି ପଣତରେ

ସେ ନିଷ୍ପାପ ମୁହଁକୁ

ଫୁଲ ପାଖୁଡ଼ା ଦେହକୁ

ସେ ଯେମିତି ଚେଇଁଉଠି ଗୁରୁଣ୍ଡିବ

ଶାନ୍ତିର ସ୍ପର୍ଶରେ

 

।। ନିଆଁ ।।

 

ଓଃ ଏ ଯନ୍ତ୍ରଣା କହିବାର ନୁହେଁ

ଅନୁଭୂତିର ପରିଧି ବାହାରେ

ଚାରିଆଡ଼େ ଜମାଟ ବନ୍ଧା ଅନ୍ଧକାର

ହଠାତ୍ ତାକୁ ରଟ୍‍ରାଟ୍ ଭାଙ୍ଗିଦେଇ

ବାହାରି ଆସିଲା ଜ୍ୱାଳାମୁଖୀ ଶିଖାଟିଏ

ମରୁଭୂମିର ନିଥର ଛାତିଟା ବି

ଜଳିଗଲା ଦପ୍ ଦପ୍ ହେଇ

ଏ ସର୍ବଗ୍ରାସୀ ନିଆଁର ମୁହଁରେ

ରାସ୍ତା ଉପରେ ଖାଲି

ପଙ୍ଗୁ ଆଉ ଅଥର୍ବର ଭିଡ଼

କା କପାଳରୁ ନାଲି ରକ୍ତ ଝରେ

କା’ପେଟରେ କାଚ ଗଳିଯାଏ

ଧ୍ୱଂସର ପ୍ରଳାପ କରି

କିଏ ଅବା ମୂର୍ଚ୍ଛା ଚାଲିଯାଏ

ଦରଦୀ କିଏ ଜଣେ ଖାଲି ତଣ୍ଟି ଫଟାଇ ଚିତ୍କାର କରେ

ଶୀଘ୍ର ବାହାରି ଆସ !

“ଆ ମୁଁ ପାରୁନି !” ଦାବାଗ୍ନିର ବିଜୟ ଭିତରୁ

ମାଆର ଏ କଣ୍ଠସ୍ୱର

‘ଆଗେ ନିଜେ ଚାଲିଆସ....... ପରେ ଛୁଆ ।

ନା ମୁଁ ଯିବିନି - ତମେ ଚାଲିଯାଅ

ମରିବି ଯଦି-

ମୋ ଛୁଆ ସାଙ୍ଗରେ

ମତେ ଛାଡ଼ି ସେ ରହିବ କେମିତି

ହଠାତ୍-

ଏକ ରକ୍ତାଭ ଶିଖାତଳେ

ସବୁ ମିଶିଗଲେ

 

।। ଜଳ ।।

 

ଶବ-ଶବ-ଶବ

ଚାରିଆଡ଼େ କୁଢ଼ କୁଢ଼ ଶବ

ଉପରୁ ଆଦେଶ ନାମା

ଦେହରକ୍ଷୀ ଶବ କୁଢ଼େଇବ

ଯା ଦେହରେ ଦିନେ ନାଗରିକ ଛାପ ଥିଲା

ସେମାନଙ୍କ ଶବକୁ ପୋଡ଼ିବ

ଏଠି ଖାଲି ପଚାମାଂସର ପାହାଡ଼

କାହାର ସେ ହଲ୍‍ଚଲ୍ ଆଖି ଡୋଳା ?

ମୃତ ନା ଜୀବନ୍ତ ?

ମଲା ମୁହେଁ ସାଲୁବାଲୁ ପୋକ

ଥରେ ଥରେ

ଜୀବନର ଭ୍ରମ ସୃଷ୍ଟି କରେ

ଏ ମୃତ୍ୟୁର ସହରରେ

ଆଃ କିଏ ଅଛ ପାଣି ଟିକେ ପାଣି

ମାଆର ବିକ୍ଷତ ସ୍ୱର ପୁଣି ଥମିଯାଏ

ହାତରେ ତା ଜନ୍ମିତ ଶିଶୁ

ଖୋଜେ ଖାଲି ନିରାପଦ କୋଣଟିଏ

ଦେବାପାଇଁ କ୍ଷୀର ଟୋପେ

ତା’ ଶୋଷିଲା ଓଠରେ

ଆଖିବୁଜି ଏକମୁହାଁ ହୋଇ

ସିଏ ଖାଲି ଧାଉଁଥାଏ ନଈତୁଠ ଆଡ଼େ

ପଡ଼ି ଉଠି ଧାଇଁ ସେ ଦେଖିଲା

ତା’ ଛାତିରେ ଅମୃତ ଶେଷିବାକୁ

ତା’ ଦେହରେ ଜୀବନ ନଥିଲା ।

ଯାହାକୁ ସେ ଅନ୍ତଫାଡ଼ି ଜନ୍ମ ଦେଇଥିଲା

ଆଜି ଏଠି ଛିଡ଼ାହୁଏ ହତାଶାର ମୂର୍ତ୍ତିଟିଏ

ଏ ଶତାବ୍ଦୀର ମାଆ ଶିଶୁ

ତଥାପି ମୁଁ କହେ - ହତାଶାର ସ୍ୱରଯାଉ ଛିଣ୍ଡି

ଦେଇଥରେ ଆଶାର ସଙ୍କେତ ।

 

।। ଉଦ୍ଧାର।।

 

ବନ୍ଧୁ ଜଣେ ଥରେ କହୁଥିଲେ

ଅନେକ ଆତ୍ମଗ୍ଲାନି ନେଇ-

ଦେଖ, ମାଆକୁ ମୁଁ କହିଲି

ମତେ ତୁ କ୍ଷମା କରିଦେ ମା’

ଦୟାକରି, ତୁ ମତେ କ୍ଷମା କରିଦେ

ଏଠି ଆଉ ଅନ୍ୟବାଟ ନାଇଁ

ତା'ପରେ-

ମୋ ଜନ୍ମଦାତ୍ରୀକୁ ଛାଡ଼ି ଦେଇ ମରଣ ଗର୍ଭରେ

ମୁଁ ଚାଲି ଆସିଲି ଜୀବନ ଆଶାରେ

ଦେଖ୍ ୟା ଛଡ଼ା ମୁଁ ଅବା କ’ଣ କରିପାରିଥାନ୍ତି ଯେ-

ଏତେ ସର୍ବଗ୍ରାସୀ ମାରଣାସ୍ତ୍ର

ଏବେ ଏଠି ସାହାଯ୍ୟଟା ବି

ଆଉ ଏକ ଦିବାସ୍ୱପ୍ନ

 

।। ଶିଶୁ ଓ ଜନନୀ ।।

 

ବିଚିତ୍ର ଏ ମାରଣା ଲୀଲା !

ବାପା-ମା’ ଛୁଆ ଛାଡ଼ିଗଲେ

ବାତ୍ସଲ୍ୟ – ମମତା ସବୁ ଫାଙ୍କା ଶୁଭୁଥିଲା

ସ୍ୱାମୀ ସ୍ତ୍ରୀକୁ ଛାଡ଼ିଲା

ପୁରୁଷ ଶବ୍ଦଟା ଖାଲି ଲୁଚି ବସୁଥିଲା

ସ୍ତ୍ରୀ ଛାଡ଼ି ଚାଲିଗଲା ପରକାଳ ଦେବତା ସ୍ୱାମୀକୁ

ପତିବ୍ରତା – ବ୍ରତ ସବୁ ପାଞ୍ଜିରେ ରହିଲା

ଯିଏ ଯେଉଁଠି ଧାଇଁ ପଲାଇଲେ

ଆତ୍ମରକ୍ଷା ! ଇଏ ଖାଲି ଏକମାତ୍ର ପନ୍ଥା

 

।। ଶାନ୍ତି ଲାଗି ଆହ୍ୱାନ ।।

 

ଧ୍ୱଂସ ହେଉ ପରମାଣୁ ବୋମା ।

ଲୀନ ହେଉ ହାଇଡ୍ରୋଜେନ୍ ବୋମା

ଯୁଦ୍ଧର ବିରତି ହେଉ

ବିପର୍ଯ୍ୟସ୍ତ ଟୋକିଓର

ଆବାଳ ବୃଦ୍ଧ ବନିତା, ଖଟିଖିଆ ଶ୍ରମିକର

ବଳବତୀ ଇଚ୍ଛାର ଏ ଆବେଦନ

ପ୍ରଥମ ଥର ପାଇଁ

ବିକ୍ଷତ ଜାପାନୀ ହୃଦୟର

ଏ ନୀରବ ପ୍ରତିବାଦ

ଶାନ୍ତିକାମୀ ବିଶ୍ୱବାସୀଙ୍କର

ଅତୁଟ ସ୍ୱର ।

 

[Courtesy, New Perspective, Journal of the World Peace Council, Vol12, No 61/1982]

 

 

ବରିଷ୍ଠ ଅଧ୍ୟାପିକା,

ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ,

ଗଙ୍ଗାଧର ମେହେର ଜୁନିୟର ମହାବିଦ୍ୟାଳୟ,

ସମ୍ୱଲପୁର

 

***

 

Unknown

ପୁସ୍ତକ ସମୀକ୍ଷା

ଆକାଶ ମୁହାଁ ମଣିଷ, ନିଜ ମାଟି ଅରାକ ଖୋଜୁଛି

ସନ୍ତୋଷ କୁମାର ରଥ

 

‘ଆକାଶ ଖୋଜା’ କବି ଭାଗୀରଥି ମିଶ୍ରଙ୍କ ପ୍ରଥମ କବିତା ସଂକଳନ । ଓଡ଼ିଆ କବିତାର ପାଠକମାନଙ୍କ ପାଇଁ କବି ଭାଗୀରଥି ନୂଆ ନୁହଁନ୍ତି । ଗତ କୋଡ଼ିଏ ବର୍ଷରେ ସେ ଅନେକ କବିତା ଲେଖିଛନ୍ତି, ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ କରିଛନ୍ତି, ପାଠକୀୟ ଆଦୃତିବି ପାଇଛନ୍ତି । ନଭେମ୍ବର ୧୯୮୮ରୁ ଅକ୍ଟୋବର ୧୯୯୧ ଭିତରେ ଲେଖିଥିବା ଅନେକ କବିତା ଭିତରୁ ପଇଁତିରିଶଟି କବିତାକୁ ନେଇ ଏଇ ସଂକଳନ ‘ଆକାଶ ଖୋଜା’ । ସଂକଳନଟିର ପ୍ରକାଶନ ସଂପର୍କରେ କବି କହନ୍ତି : ଚାରିବର୍ଷ ତଳେ ଓଡ଼ିଶାର ଏକ ପ୍ରମୁଖ ସାହିତ୍ୟିକ ଅନୁଷ୍ଠାନର ଅନୁରୋଧରେ ପାଣ୍ଡୁଲିପି ପ୍ରସ୍ତୁତ କରିବା ବେଳେ ମୁଁ ମୋର ସବୁ କବିତାକୁ ପଢ଼ି ଦେଖିଛି । ଏକ ବିଚିତ୍ର ଉପଲବ୍ଧିରେ ଅବାକ୍ ହୋଇଯିବାବେଳେ ଆକାଶ, ଅଲୌକିକ ଆକାଶ ମତେ ଘାରିଛି । ଆଉ ତହିଁରୁ ଜନ୍ମ ନେଇଛି ଏ ‘ଆକାଶ ଖୋଜା’ ମୋର ପ୍ରଥମ ସଂକଳନ ।

 

ମାଟି ଓ ଆକାଶ ପ୍ରତି କାବ୍ୟିକ ପ୍ରବଣତା କିଛି ନୂଆ କଥା ନୁହେଁ । ଅଥଚ ପ୍ରତିଟି କବିର ଆକାଶ ସ୍ଵକୀୟ ମହକରେ ଭରା । ତା' ପ୍ରତି କବିର ଆସକ୍ତି ଓ ଆକର୍ଷଣର କାରଣ ମଧ୍ୟ ନିଜସ୍ୱ । କେବଳ କବି କାହିଁକି ସଭିଏଁ ସବୁଠି ସବୁବେଳେ ନିଜ ନିଜ ନିଆରା ଆକାଶ ଖୋଜିବାରେ ବ୍ୟସ୍ତ ବୋଲି ବିଶ୍ୱାସ କରନ୍ତି କବି ଭାଗୀରଥି । ତାଙ୍କ କବିତାରେ ନିଜ ଆକାଶ ଖୋଜା ତ ରହିଛି ତା ସହ ରହିଛି ନିଜ ଆକାଶଠୁଁ ଅପର ଆକାଶମାନଙ୍କର ଦୃଶ୍ୟ । ପରିଦୃଷ୍ଟ ଆକାଶ ଓ ଅଦୃଷ୍ଟ ଆକାଶର ଭିନ୍ନ ଭିନ୍ନ ଉପଲବ୍‍ଧି, ପୁଣି ଦୃଶ୍ୟ ଓ ଅଦୃଶ୍ୟ ଆକାଶ ପ୍ରତି ଅପୂର୍ବ ଉନ୍ମୁଖତା ।

 

ପଇଁତିରିଶଟି ଛୋଟ ଛୋଟ କବିତା ଭିତରେ ଭାଗୀରଥି ଆମକୁ ପରିଦୃଶ୍ୟ ଆକାଶର ବ୍ୟାପ୍ତିକଥା ବେଶି କହି ନାହାନ୍ତି, ଆକାଶରେ ଅଂଧାର ଓ ଆଲୁଅ, ରୂପ ଓ ଋତୁ ଯେଉଁ ବର୍ଣ୍ଣାଳୀ ସୃଷ୍ଟି କରେ, ସେ କଥାବି ବେଶି କହିନାହାନ୍ତି । ଆମ ସ୍ଵପ୍ନ, ପ୍ରେମ, ଜିଜ୍ଞାସା ଓ ଜୀବନାନୁଭବରେ ଅହରହ ଖୋଲିଖୋଲି ଯାଉଥିବା ଅଦୃଶ୍ୟ ଆକାଶର କଥା ହିଁ ସେ କହିଛନ୍ତି । ମଥା ପୋତିଲେ ମାଟି, ମୁହଁ ଟେକିଲେ ଆକାଶ । ଅଥଚ ଏହି ସଦାସହଜ ପ୍ରାପ୍ତ ଆକାଶକୁ ଖୋଜୁନାହାନ୍ତି କବି । ଦୃଶ୍ୟ ଓ ଦୃଶ୍ୟାନ୍ତରରେ, ଶବ୍ଦ ଓ ଶବ୍ଦାନ୍ତରରେ, ସମୟ ଓ ସମୟାନ୍ତରରେ, ଯେଉଁ ଅପହଁଚ ଦୂର ଅନୁଭବ ରହିଯାଏ ତାହା ହିଁ ତାଙ୍କ ପାଇଁ ଖୋଜୁଥିବା ଆକାଶ । ବେଳେବେଳେ ମନେ ହେଉଛି ପ୍ରତି ମୁହୂର୍ତ୍ତରେ ଆମେ ଭେଟୁଛୁଁ ଆକାଶ । ଅନୁଭବିବା ଆଗରୁ ଯଦି ଓ ନୂଆ ଆକାଶଟିଏ ଆକ୍ରାନ୍ତ କରୁଛି ଆମକୁ । ସାରାଜୀବନ ଆକାଶ ଖୋଜା, ଜୀବନ ଓ ଆକାଶ ଏକାତ୍ମ ଯେମିତି : “ଅନେକ ଆକାଶ ଦେଖିଛି ମୁଁ/ମୋ ନିଜ ହାତରେ ଛୁଇଁଛି/ପ୍ରତିଟି ଭରାତିରେ/ସକାଳ ହେବା ବେଳକୁ/ଦୁଃସ୍ୱପ୍ନ ପରାଏ ସବୁକିଛି/ମୋ ନିଜ ଭିତରେ/’’ x x ଆଂଜୁଳା ପାତି ରହିଛି ମୁଁ ପୁଣିଥରେ/ନିରୋଳା ଆଖିରେ ମୋର/ନିଆରା ପ୍ରତିବିଂବ/ମାଗୁଛି ଆତୁରେ/ଆଜୁଂଳାଏ ଆକାଶ ଦିଅ ମତେ/ସୂର୍ଯ୍ୟ-ଚନ୍ଦ୍ର-ତାରକା ବିହୀନ/ଏକାନ୍ତ ଜୀବନ/ ।

 

କବି ଭାଗୀରଥିଙ୍କ ଆକାଶ କେବେକେବେ ମନେହୁଏ ଯେମିତି ଆଦ୍ୟ ପ୍ରାରୂପିକ ବାପା, ମାଟି ଯେପରି ମା । ଆକାଶ ଦୂରରେ ଅଥଚ ଆତୁର ଅନ୍ତରଙ୍ଗତାରେ ଆମକୁ ଉଲ୍ଲସିତ କରୁଥାଏ । ଯେମିତି ମାଟି ଆମକୁ କୋଳରେ ଧରି ବଢ଼ାଏ ଗଢ଼େ ଓ ଶେଷରେ ସମାହିତ କରିନିଏ । ସଂକଳନର ପ୍ରଥମ ଓ ଦ୍ୱିତୀୟ କବିତା ‘ଝର୍କା ଖୋଲିଲେ ଆକାଶ’ ଏବଂ ‘ନିଆରା ଆକାଶ’ ସେଇ ମାଟି ଓ ଆକାଶର କଥା କହେ । ଆକାଶର ପ୍ରତିଟି ଚାହାଣି/ମା’ର କାହାଣୀ କହେ/ଘନଘୋର ଅଂଧାର କେବେତ/ଆଉ କେବେ ସ୍ୱଚ୍ଛ ତାରକିତ ସ୍ରୋତ-ଉତ୍ସହୀନ ଶୁଖିଲା ଭୂଇଁ ଯେମିତି/ନିଜର ଟାଂଗରା କପାଳରେ/କୋମଳ ଚାରାର କଅଁଳ ପିକପରି/ନିରିମାଖି ସ୍ଵପ୍ନ ଦେଖି ଦେଖି/ପ୍ରତି ମୁହୂର୍ତ୍ତର ଦାରୁଣ ଆଘାତକୁ/ନୀରବରେ ସହେ/xx ଏବେ କେବଳ/ଝର୍କା ଖୋଲିଲେ ଆକାଶ/କବାଟ ଖୋଲିଲେ ମା’/ନିତି ପ୍ରତି ଜୀବନରେ ଆମର/ସଦ୍ୟ ଜାତ ମୃତ୍ୟୁର ପ୍ରତିମା/ ।

 

ସଂକଳନର କାବ୍ୟ ପୁରୁଷ ଜୀବନାନୁଭବରେ ପୁଷ୍ଟ ହୋଇ ଚାଲିଛି ଆହୁରି ଆହୁରି । ଜାଗତିକ ପିତୃତ୍ଵ ଓ ମାତୃତ୍ଵର ବଂଧନରୁ ମୁକୁଳି ଏବେ ତିରିଶ ବର୍ଷର କାବ୍ୟ ପୁରୁଷ ମାଟି ଓ ଆକାଶର ବଂଧନରେ : “ଏରୁଣ୍ଡି ଡେଇଁଲେ ଅଗଣା, ତା’ପରେ ଆକାଶ ଆଡ଼କୁ କ୍ରମଶଃ ଅରଣା” (ପୃ-୨୭) ।’ ଶୈଶବ ପାଶୋର ଯାଏ’, ‘ସ୍ଵପ୍ନର ଅରଣ୍ୟ ଭିତରେ ନିଖୋଜ ହୁଏ ଜୀବନ’, ଅଥଚ ‘ପାଦକୁ ଧରି ରଖିଥାଏ ମାଟି, ମଥା ଉପରେ ନିର୍ବିକାର ଚାହାଣିରେ ଅସରନ୍ତି ଆକାଶ’ (ପୃ-୪୪) । ସେଦିନ ରାଜଜେମାର/ସ୍ୱପ୍ନ ଭିତରକୁ/ଉହୁଙ୍କି ଚାହିଁଥିଲା/ସେଦିନଠୁ ଅଂଧ ହୋଇ/ନିଜକୁ ଖୋଜୁଛି/ଘଟ, ଘର, ବାରଦ୍ଵାର/ସଦା ଅଣ୍ଡାଳୁଛି’ (ପୃ-୫୨) । କାଁଭାଁ ଏଠି ସେଠି ଜଣେ ଅଧେ ଲୋକ, ନିଜପାଇଁ ଯଥେଷ୍ଟ ନିଜ ଜୀବନ ଅରାକ (ପୃ-୫୫) କାବ୍ୟ ନାୟିକା ସହ ଦେଖାହୁଏ, ନାୟିକା ପତ୍ନୀ ହୋଇ ଘରବୀଣାରେ ରାଗ ସଂସାର ବଜାଏ, ପୂର୍ବ ଦିଗର ସୂର୍ଯ୍ୟପରି ଆକାଶରେ ବଢ଼ି ବୁଢ଼େଇ ଅସ୍ତଆଡ଼କୁ ପାଦ ପକାଉଥାଏ କାବ୍ୟ ନାୟକ । ସେତେବେଳେ ‘ଚଉରା ମୂଳର ସଂଜଦୀପ/ମୋର ମା/ଶୂନ୍ୟକୁ ହାତ ଗୋଡ଼ ଛାଟି/ଶେଯରେ ଚିତ୍ ଦୁଇମାସିଆ ଜୀବନ/ମୋର ବାପା/ଅଂଧାର ଆକାଶର ଆକସ୍ମିକ ଉଲ୍‌କା/ଆମର ଛୋଟ ପରିବାର/ପିତୃତ୍ଵ କାବ୍ୟ ନାୟକକୁ କରେ ଆଉ ଏକ ଆକାଶ । ସେଦିନଠୁ ଫେରିନି ଆକାଶ/ଆଉ ପୁଅ ତା’ ସହ ଖେଳିବାକୁ । ଋଷି ବସିଛି/ମାଟି ଦେଖିବାକୁ ମନାକରୁଛି/ଝିଅର ଆକାଶ ଖୁବ୍ ନିଆରା/ଯେମିତି ଆମର ମଧୁର, ପାହାନ୍ତି/ଆଉ ନିରୋଳା ସଞ୍ଜର ତାରା/ ଦିନେ ତାକୁ ଆକାଶ/ହାତଠାରି ଡାକିଥିଲା ପରା/ଶେଷରେ ପିତାମାତା, ପତ୍ନୀ ପୁତ୍ରଙ୍କ ଆପଣା ଆପଣା ଆକାଶର ଦ୍ୟୁତି ଓ ଦୀପ୍ତି ଦେଖି ଦେଖି ଆକାଶୋପମ କାବ୍ୟନାୟକ ମାଟିରେ ଆଉ ରହିପାରେନା । ମାଟିରୁ ଆକାଶକୁ ଉଡ଼ାଣର ସ୍ଵପ୍ନ ଦେଖେ । ‘ମୁଁ ବିଳିବିଳେଇ ଉଠେ/ଅଧାରାତିର ନିଦରୁ/କ୍ରମଶଃ ନୀଳ ହୋଇ ଆସୁଥାଏ/ମୋର ଶରୀର/ଖୁବ୍ ହାଲୁକା ଲାଗୁଥାଏ ହାତ ପାଦ/ନଥିବା ନଥିବା ଭାବଟିଏ/ଉକୁଟି ଉଭେଇ ଯାଉଥାଏ/, କ୍ରମଶଃ...../ଫାଙ୍କା ବିଛଣାରେ ପଡ଼ିରହିଥାଏ/ମଣିଷ ଆକୃତିର/ଏକ ନିଶ୍ଚଳ ଆକାଶ/କବି ଭାଗୀରଥିଙ୍କ ଆକାଶ ଖୋଜାର କାହାଣୀ ସରେ ଏମିତି । ପ୍ରତିଟି ପାଠକ ଭିତରେ ଅସରନ୍ତି ଆକାଶ ଖୋଜାର କାହାଣିଟିଏ ଅନୁଭବେଇ ଏଣୁ ସେ ‘ଯେ’ ଯାହାର ଦିଗନ୍ତ ନେଇ’ କଥନରେ କହନ୍ତି: ‘ଆମର ଆରମ୍ଭମୟ ପ୍ରତ୍ୟେକ ମୁହୂର୍ତ୍ତ ଆକାଶପରେ ଆକାଶ ଯେମିତି । ଅନ୍ତହୀନ ଆକାଶ ଖୋଜାରେ ପାଇବା ନପାଇବା, ପାଇ ହଜାଇବା ହଜାଇ ଖୋଜିବାରେ, ସବୁଠି ସବୁବେଳେ ଅସୀମ ଆକାଶ ଆମର ପ୍ରିୟ ସହଚର ! ତଥାପି ସାରିଯାଇନି ନିଜ ନିଜର ନିଆରା ଆକାଶ ଖୋଜା ଆମର ।

 

ଆକାଶ ଖୋଜା ସଂକଳନରେ କବିତା ସବୁର ବିନ୍ୟାସ ପଢ଼ିଲେ ମନେହୁଏ, ଏହା ଯେମିତି ରଚନା କ୍ରମରେ ନୁହେଁ ବା ଘଟଣା କ୍ରମରେ ନୁହେଁ, ବୟଃକ୍ରମରେ ସଜ୍ଜିତ । ଜନ୍ମରୁ ଅନିର୍ବଚନୀୟ ମୃତ୍ୟୁର ସ୍ୱପ୍ନଯାଏଁ, ପିତୃତ୍ୱର ଆକାଶରୁ ଆଉଏକ ପିତୃତ୍ୱର ଆକାଶ ଯାଏଁ ଏହାର ଦୀର୍ଘତା । ମଝିରେ ଥିବା ଜୀବନସ୍ଥାନ ହିଁ ଆକାଶ । ଆକାଶ ଖୋଜାକୁ ଏଣୁ ପଇଁତିରିଶଟି କବିତାର ସଂକଳନ ନ କହି କହିହେବ କାବ୍ୟୋପମ ବିନ୍ୟାସରେ ସଜ୍ଜିତ ଏକ ଦୀର୍ଘ କବିତା, ଯେଉଁଠି ଆକାଶର ଅନ୍ୱେଷଣରେ କାବ୍ୟ ନାୟକ ଆତୁର । ସାରା ପୃଥିବୀର ସମସ୍ତ ଦୃଶ୍ୟ, କାଳ, ଓ ଅଦୃଶ୍ୟର ଜଗତ ଆକାଶମୟ କବିଙ୍କ ପାଇଁ ।

 

କବି ଭାଗୀରଥି ମିଶ୍ରଙ୍କ କବିତା ଭ୍ରାନ୍ତ ଚାତୁରୀ ଓ କୁତ୍ରିମ ଚମକ ଶୂନ୍ୟ । କବିତା ଯେମିତି ନିରୋଳା ଅନୁଭବରୁ ସ୍ୱତଃ ପ୍ରବାହିତ ଝରଣା । ପ୍ରବାହରେ ଈଷତ୍ ଗମ୍ଭୀର , ଅଳ୍ପ ରହସ୍ୟମୟତାରେ ଦୁର୍ବୋଧ୍ୟ ଓ ବ୍ୟକ୍ତିଗତ ଦର୍ଶନରେ ଆକ୍ରାନ୍ତ । କଥନର ବୈଚିତ୍ର୍ୟ ପାଠକକୁ ଆକ୍ରାନ୍ତ ରଖିବାକୁ ଯେମିତି ସମର୍ଥ କଥ୍ୟର ନୂତନତା ପାଠକକୁ ସେମିତି ଲୁଚକାଳି ଖେଳିବାକୁ ଆହ୍ୱାନରତ । ଏ ସଂକଳନରେ ପାଠକକୁ ଯାହା ବେଶି ଆକୃଷ୍ଟ କରେ, ତାହା ହେଉଛି ବିମଳ ଶବ୍ଦ, ଅପୂର୍ବ ବାକ୍-ଭଙ୍ଗିମା ଓ ବିରଳ ଯତିପାତ । କବି ଯେ ଜଣେ ଶବ୍ଦ ଓ ଅର୍ଥର ଶିଳ୍ପୀ, ଶବ୍ଦ ଓ ବାକ୍ୟବିନ୍ୟାସରେ ପରିଚିତ ଶବ୍ଦମାନଙ୍କୁ ଗଢ଼ି ପାଠକକୁ ଦୂର ଅପରିଚିତ ଅନୁଭବର ଜଗତକୁ ନେଇଯାଇପାରେ । ଆକାଶ ଖୋଜା ତା’ର ଏକ ଆକର୍ଷଣୀୟ ଉଦାହରଣ । ଭାଗୀରଥି ମିଶ୍ରଙ୍କ କବିତାର ପ୍ରଥମ ଆକର୍ଷଣ ଋଜୁ ଶବ୍ଦମାନଙ୍କର ଲକ୍ଷ୍ୟ ଆଡ଼କୁ ଶୋଭାଯାତ୍ରା । ହଁ ଶୋଭାଯାତ୍ରା ହିଁ କୁହାଯାଉ, କାହିଁକିନା କ୍ଲିଷ୍ଟ ଉପମାଟିଏ ହୋଇ ନୁହେଁ ସଳଖ ଅର୍ଥଟିଏ ହୋଇ ସେମାନେ ଲକ୍ଷ୍ୟାଭିମୁଖ । କୌଣସି କଥ୍ୟକୁ ରୂପକଳ୍ପରେ ସଜ୍ଜିତ କରିବାକୁ, ରୂପକଳ୍ପମାନଙ୍କୁ ନେଇ କବିତାଟିଏ ଗଢ଼ି ତୋଳିବାକୁ ଭଲ ପାଆନ୍ତି ନାହିଁ ଭାଗୀରଥି, ସାରା କଥ୍ୟକୁ ଏକ ରୂପକଳ୍ପ ରୂପେ ତୋଳିଧରିବାକୁ ସେ ବେଶି ପ୍ରବଣ । ଯଦିଓ ଆଜିକୁ ଦଶ ବାରବର୍ଷ ତଳେ ଲିଖିତ ଏଇ କବିତାମାନଙ୍କରେ ପୌନ ପୌନିକ ଭାବେ ଆସୁଥିବା କେତେକ ଶବ୍ଦ ପାଠକକୁ ଆଜି ଖଟ୍‌କା ଲାଗେ । ଯେମିତି ‘ପାଗଳ ଘୋଡ଼ା’ କ୍ରମଶଃ ଉହ୍ୟ, ପ୍ରବେଶ ପ୍ରସ୍ଥାନହୀନ ଦ୍ୱାର....... ଏମିତି ଅନେକ । ବିଗତ ଦଶକର ରାଜେଂନ୍ଦ୍ରୀୟ ଅନୁଭବ ଓ ସଂସ୍କୃତାୟିତ କାବ୍ୟଶୈଳୀ ଆଜି ପୁଣି ଥରେ ଶୁଭେ । ସ୍ୱତଃ ମନେ ପଡ଼ିଯାଏ କବିତାର ପରମ୍ପରା ଏକ ମନୋହର ରିଲେ ରେସ୍ ।

 

ଶିଳ୍ପୀ ସରୋଜ କୁମାର ମହାପାତ୍ରଙ୍କ ବ୍ୟଞ୍ଜନାତ୍ମକ ପ୍ରଚ୍ଛଦ ଚିତ୍ର ଏ ସଂକଳନର ଆଉ ଏକ ଆକର୍ଷଣ । କବିତା ନିକଟକୁ ଯିବା ଆଗରୁ ଯାହା ପାଠକ କବିତା ସଂପର୍କରେ କହିବା ଆରମ୍ଭ କରିଥାଏ । ଓଡ଼ିଆ କବିତାର ଏଇ ପରିବର୍ତ୍ତନଶୀଳ କାଳରେ କବି ଭାଗୀରଥି ମିଶ୍ରଙ୍କ ‘ଆକାଶ ଖୋଜା’ ଗତ ଦଶକର ଏକ କାବ୍ୟ ସ୍ମୃତି । ଏବଂ ଶେଷରେ ଆମ ସଭିଙ୍କ ଅଜାଣତରେ କାହିଁ କେଉଁଠି ନିରୋଳାରେ କବିତା ଲେଖୁଥିବା ମଣିଷଟିଏ ସେହିଭଳି ଅଜ୍ଞାତ ହୋଇ ରହିଯିବା ବିଚିତ୍ର ନୁହେଁ । ତା’ସହିତ ଆମର ଯୋଗାଯୋଗର ସୂତ୍ର ଯୋଡ଼ିବାର ଦାୟିତ୍ୱ କେଜାଣି କାହାର ! କବିଙ୍କର ଏଇ ପ୍ରଶ୍ନର ସହଜ ଅନୁକ୍ରିୟାରେ ବଲାଙ୍ଗିର ସାରସ୍ୱତ ଅନୁଷ୍ଠାନ ‘ରଚନା’, ତା’ର ଦାୟିତ୍ୱବଦ୍ଧ ପଦକ୍ଷେପ ପାଇଁ ଆମ ସମସ୍ତଙ୍କର ଧନ୍ୟବାଦାର୍ହ, ଯେମିତି ପାଠକକୁ ଭିନ୍ନ ଭିନ୍ନ ଆକାଶର ଅନୁଭବ ଦେଇଥିବା କବି ଭଗୀରଥି ମିଶ୍ର ।

 

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆଭାଷା ଓ ସାହିତ୍ୟ ବିଭାଗ,

ଜବାହର କଲେଜ, ପାଟଣାଗଡ଼,

ବଲାଙ୍ଗୀର

 

***

 

ସାହିତ୍ୟ ସମାଚାର

ଏକାଡେମୀ ସମାଚାର

 

ଓଡ଼ିଶା ସାହିତ୍ୟ ଏକାଡେମୀ ଆମ ରାଜ୍ୟର ଏକ ପ୍ରମୁଖ ସାରସ୍ୱତ ଅନୁଷ୍ଠାନ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ତଥା ଉନ୍ନତିକଳ୍ପେ ସଂକଳ୍ପବଦ୍ଧ ଏହି ଅନୁଷ୍ଠାନ ତା’ର ନିର୍ଣ୍ଣିତ ଗତିପଥରେ ବିଗତ ଚାରିଦଶନ୍ଧି ଧରି କାର୍ଯ୍ୟରତ । ସୃଜନଶୀଳ ସାହିତ୍ୟର ଧାରାକୁ ପ୍ଲାବିତ କରି, ଲେଖକୀୟ ପ୍ରଜ୍ଞାକୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ, ସର୍ବୋପରି ଓଡ଼ିଆ ଭାଷାର ମୂଲ୍ୟବୃଦ୍ଧି ପାଇଁ ବହୁ ଉପାଦେୟ ପାଣ୍ଡୁଲିପିର ପ୍ରକାଶନ ଓ ସାହିତ୍ୟିକ ବିନିମୟ ମାଧ୍ୟମରେ ଭାଷାଗତ ଭାବର ଐକ୍ୟ ପ୍ରତିଷ୍ଠା ଇତ୍ୟାଦି ଏହି ପ୍ରବାହର ଆବେଗଦୀପ୍ତ ଉଚ୍ଚାରଣ । ସୁଧୀ ସମାଜରେ ସାରସ୍ୱତ ଧାରାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଏକାଡେମୀର ସାହିତ୍ୟ ମୁଖପତ୍ର ‘କୋଣାର୍କ’ ପ୍ରତିଶ୍ରୁତିବଦ୍ଧ । ଏଥିରେ ସନ୍ନିବେଶିତ ଏକାଡେମୀ ବହୁମୁଖୀ ଆଭିମୁଖ୍ୟର ସଫଳ ରୂପାୟନର ପ୍ରାଞ୍ଜଳ ଆଲେଖ୍ୟ ଏକାଡେମୀ ସମାଚାର ଏକ ସୁଖପାଠ୍ୟ ବିଭବ ।

 

କୁନ୍ତଳାକୁମାରୀ ସାବତ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ସହଯୋଗରେ ଗତ ତା ୮.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥ କେଶରୀ ହୋଟେଲ ସମ୍ମିଳନୀ କକ୍ଷରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତକ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜୟନ୍ତୀ ସଭାରେ ଶ୍ରୀମତୀ ବୀଣାପାଣି ମହାନ୍ତି ମୁଖ୍ୟଅତିଥି, ଶ୍ରୀମତୀ ଆଦରମଣି ବରାଳ ସମ୍ମାନନୀୟା ଅତିଥି, ଡକ୍‍ଟର ରେଖା ମହାନ୍ତି ମୁଖ୍ୟବକ୍ତା, ଡକ୍‍ଟର ବିଦ୍ୟୁତ୍‍ପ୍ରଭା ନାୟକ ଓ ଡକ୍‍ଟର ସଂଯୁକ୍ତା ରାଉତ ସମ୍ମାନନୀୟା ବକ୍ତା ଭାବରେ ଯୋଗଦାନ କରି କୁନ୍ତଳାକୁମାରୀଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ-। ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକ ଉକ୍ତ ଜୟନ୍ତୀ ସଭାରେ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ଲେଖିକା ସଂସଦର ସଂପାଦିକା ଡକ୍‍ଟର ଶକୁନ୍ତଳା ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
 

ଭକ୍ତକବି ବଳରାମ ଦାସ ଶ୍ରାଦ୍ଧୋତ୍ସବ

ଭକ୍ତକବି ବଳରାମ ଦାସ ଶ୍ରାଦ୍ଧୋତ୍ସବ ଗତ ତା ୧୨.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ପୁରୀ ଜିଲ୍ଲାସ୍ଥ ଏରବଂଗ ବିଦ୍ୟା ମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ଶ୍ରାଦ୍ଧସଭାରେ ଡକ୍‍ଟର ନରେନ୍ଦ୍ରନାଥ ମିଶ୍ର ମୁଖ୍ୟ ଅତିଥି, ଡକ୍‍ଟର ଶଙ୍କରଲାଲ ପୁରୋହିତ ଓ ଡକ୍‍ଟର ହୃଷୀକେଶ ମଲ୍ଲିକ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନକରି ମଧ୍ୟଯୁଗୀୟ ପଞ୍ଚସଖାମାନଙ୍କ ମଧ୍ୟରେ ଜ୍ୟେଷ୍ଠସଖା ମହାପୁରୁଷ ଭକ୍ତକବି ବଳରାମଙ୍କ ଜୀବନାଦର୍ଶ ଓ ସାରସ୍ଵତ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଡାକ୍ତର ମିଲନ୍‌ ମିତ୍ର ପୌରୋହିତ୍ୟ କରି ମହାନ ଭକ୍ତକବି ବଳରାମଙ୍କୁ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ନିଷ୍ଠାପର ସାଧକ ବୋଲି ଅଭିହିତ କରିଥିଲେ । ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦର ଉପସଭାପତି ଶ୍ରୀ ପ୍ରଦୀପ୍ତ ମହାନ୍ତି ଏଥିରେ ଉପସ୍ଥିତ ଥିବା ସଜ୍ଜନମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଶ୍ଵେତପଦ୍ମାଙ୍କ ମିଳିତ ଆନୁକୂଲ୍ୟରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜୟନ୍ତୀପାଳନ ଅବସରରେ ଗତ ତା ୧୨.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ପାରଳାଖେମୁଣ୍ଡିସ୍ଥିତ ଶ୍ୟାମସୁନ୍ଦର ରାଜଗୁରୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଶ୍ରୀମତୀ ବିଧୁପ୍ରଭା ରଥ ମୁଖ୍ୟବକ୍ତା, ଶ୍ରୀ କାହ୍ନୁଚରଣ ପାଢ଼ୀ ଓ ଶ୍ରୀ ହରିହର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶ୍ୟାମସୁନ୍ଦର ରାଜଗୁରୁଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପୌରୋହିତ୍ୟକରି ରାଜଗୁରୁଙ୍କୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ ଭାବରେ ପ୍ରତିପାଦିତ କରିଥିଲେ ।

 

ସାହିତ୍ୟ ସମାରୋହ ଓ ଆଲୋଚନାଚକ୍ର

ରାଜ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲେଖିକା ସଂସଦ ଏବଂ ଉତ୍କଳ ସାଂସ୍କୃତିକ ସମାଜ, ବିଶାଖାପାଟଣାଙ୍କ ମିଳିତ ଆନୁକୂଲ୍ୟରେ ଗତ ଫେବୃୟାରୀ ମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଆନ୍ଧ୍ରପ୍ରଦେଶସ୍ଥିତ ବିଶାଖାପାଟଣାର ଚିଲ୍‍ଡ୍ରେନସ୍ ଥିଏଟର ଠାରେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

 

ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ଶରତ କୁମାର କର ଉଦ୍‍ଘାଟକ, ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର.ବାଲ୍‍କ୍ରିଷ୍ଣନ୍ ସମ୍ମାନନୀୟ ଅତିଥି ଓ ବରିଷ୍ଠ ସାହିତ୍ୟିକ ଶ୍ରୀ ଚନ୍ଦ୍ରଶେଖର ରଥ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ସାହିତ୍ୟିକ ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ଅତିଥିବର୍ଗଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ବିଶାଖାପାଟଣାସ୍ଥିତ ଉତ୍କଳ ସାଂସ୍କୃତିକ ସମାଜର ସଭାପତି କମାଣ୍ଡର ଏସ୍.କେ. ମହାପାତ୍ର ପୌରୋହିତ୍ୟ କରିଥିଲେ । ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ‘‘ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି” ଶୀର୍ଷକ ଭିତ୍ତିପ୍ରବଂଧ ଉପସ୍ଥାପନ କରିଥିଲେ ଶ୍ରୀ ରମେଶ ପଟ୍ଟନାୟକ । ପଠିତ ପ୍ରବନ୍ଧ ଉପରେ ଶ୍ରୀ ଚନ୍ଦ୍ରଶେଖର ରଥ, ଡକ୍ଟର ଶକୁନ୍ତଳା ବଳିଆରସିଂହ ଓ ଡକ୍ଟର ପ୍ରଭାତୀ ରଥ, ପ୍ରମୁଖ ଆଲୋଚନା କରିଥିଲେ । ଏହି ଅଧିବେଶନରେ ବିଶିଷ୍ଟ ଗାଳ୍ପିକା ଶ୍ରୀମତୀ ବୀଣାପାଣି ମହାନ୍ତି ପୌରୋହିତ୍ୟ କରିଥିଲେ । ଶେଷ ଅଧିବେଶନ ଏକାଡେମୀର ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ନରସିଂହ ମିଶ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ପଠିତ ପ୍ରବନ୍ଧ ଉପରେ ଆଲୋଚନାରେ ଶ୍ରୀ ବାଇଧର ବିଶ୍ୱାଳ, ଡକ୍ଟର ଲାବଣ୍ୟ ନାୟକ, ଶ୍ରୀମତୀ ଅମିୟବାଳା ପଟ୍ଟନାୟକ ଓ ଶ୍ରୀମତୀ ଜ୍ୟୋସ୍ନା ରାଉତରାୟ ପ୍ରମୁଖ ଭାଗଦେଇଥିଲେ । ଏହି ଅବସରରେ ଶ୍ରୀମତୀ ପୁଣ୍ୟପ୍ରଭାଦେବୀଙ୍କ ଲିଖିତ ଉପନ୍ୟାସ ‘ସୁଦୂର ସୈକତ’ ଏବଂ ତେଲୁଗୁରେ ଅନ୍ୟ ଏକ ଓଡ଼ିଆ କବିତା ସଂକଳନ ‘ଅମୃତା’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଲେଖିକା ସମାବେଶରେ ଓଡ଼ିଶାରୁ ୧୨୦ ଜଣ ନାରୀ ଲେଖିକା ଯୋଗଦେଇ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଉତ୍ସବର ସଫଳତା ନିମନ୍ତେ ସମସ୍ତଙ୍କର ଅକୁଣ୍ଠ ସହଯୋଗ ଲାଗି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକର ଏକ ମନୋଜ୍ଞ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଯାହା ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା ।

 

କବି ବ୍ରଜରାଜ ସିଂହଦେବ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେବଙ୍କ ଜୟନ୍ତୀ ପାଳନ ଅବସରରେ ଗତ ତା ୧୭.୨.୨୦୦୨ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଖଡ଼ିଆଳସ୍ଥ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ୱତ ସ୍ମୃତିସଭାରେ ଶ୍ରୀ ଜିତାମିତ୍ର ସିଂହଦେଓ ସମ୍ମାନନୀୟ ଅତିଥି, ଡକ୍‍ଟର ନିରଞ୍ଜନ ସାହୁ ମୁଖ୍ୟବକ୍ତା, ଶ୍ରୀ ଏ.ଏନ୍. ତିୱାରୀ ଓ ଶ୍ରୀ ଅଶୋକ କୁମାର ମହାପାତ୍ର ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି କବି ବ୍ରଜରାଜ ସିଂହଦେବଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଗଭୀର ଆନ୍ତରିକତା ଓଡ଼ିଆ ସାହିତ୍ୟକୁ ପରବର୍ତ୍ତୀକାଳରେ ବ୍ୟାପକ ଓ ସମୃଦ୍ଧ କରିବାରେ ସହାୟକ ହୋଇଥିଲା ବୋଲି ଦର୍ଶାଇଥିଲେ । ଖଡ଼ିଆଳ ସାହିତ୍ୟ ସମିତିର ସଂପାଦକ ଶ୍ରୀ ଅଭୟ କୁମାର ଚଲାଣ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ଏହି ଜୟନ୍ତୀ ସଭାରେ ପୌରୋହିତ୍ୟ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ପୁଷ୍କଳ କରିଥିବା ବରପୁତ୍ରମାନଙ୍କର ସ୍ମୃତିରକ୍ଷାପାଇଁ ଏକାଡେମୀର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇଥିଲେ ।

 

ମଧୁସୂଦନ ରାଓ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ପୁରୀଙ୍କ ମିଳିତ ସହଯୋଗରେ ଭକ୍ତକବି ମଧୁସୂଦନ ରାଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଗତ ତା ୧୭.୨.୨୦୦୨ ରିଖ ପବିତ୍ର ଶ୍ରୀପଞ୍ଚମୀ ତିଥିର ସଂଧ୍ୟା ୬ ଘଣ୍ଟା ସମୟରେ ପୁରୀସ୍ଥ ପୁରୀହୋଟେଲ ସମ୍ମେଳନ କକ୍ଷରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଡକ୍‍ଟର ବଳରାମ ଦାସ ଓ ଅଧ୍ୟାପକ ଶ୍ରୀ ଉପେନ୍ଦ୍ର ମିଶ୍ର ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଭକ୍ତକବିଙ୍କ ସାରସ୍ଵତସାଧନା ଓ ଜୀବନଚର୍ଯ୍ୟା ସମ୍ପର୍କରେ ଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ । ଏକାଡେମୀର ସଦସ୍ୟ ଡକ୍‍ଟର ଶୁଭେନ୍ଦୁ ମୁଣ୍ଡ ଏଥିରେ ପୌରୋହିତ୍ୟ କରି ଭକ୍ତ କବି ଓଡ଼ିଆ ସାହିତ୍ୟର ଜଣେ ଦାର୍ଶନିକ ଓ ଋଷିପ୍ରତିମ ସାରସ୍ୱତ ସାଧକ ଥିଲେ ଏବଂ ତାଙ୍କ ସୃଷ୍ଟି ବହୁଳଭାବରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁଷ୍କଳ କରିଛି ବୋଲି ମତପ୍ରକାଶ କରିଥିଲେ ।

 

ଆଦିକବି ସାରଳା ଦାସ ଶ୍ରାଦ୍ଧୋତ୍ସବ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ଉପଲକ୍ଷେ ଗତ ତା ୧୯.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଲିପଦାସ୍ଥ କବିଙ୍କ ସମାଧିପୀଠ ମୁନିଗୋସେଁଇ ମଠ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଅଛି ।

 

ଏଥିରେ ଡକ୍‍ଟର ଧନେଶ୍ୱର ମହାପାତ୍ର ମୁଖ୍ୟ ଅତିଥି, ଡକ୍‍ଟର ବାଉରୀବନ୍ଧୁ ସାହୁ ମୁଖ୍ୟ ବକ୍ତା, ଇଂ. ପ୍ରଭାକର ସ୍ୱାଇଁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ସାହିତ୍ୟର ଉନ୍ମେଷକାଳରେ ଆଦିକବି ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ, ଚଣ୍ଡିପୁରାଣ, ବିଲଙ୍କା ରାମାୟଣ ପ୍ରଭୃତି ରଚନାକରି ଓଡ଼ିଆ ସାହିତ୍ୟର ପ୍ରଭୁତ ଉନ୍ନତି ସାଧନ କରିଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଶ୍ରାଦ୍ଧୋତ୍ସବରେ ଏକାଡେମୀର ସଦସ୍ୟ ଡକ୍‍ଟର ଅଜୟ କୁମାର ମିଶ୍ର ପୌରୋହିତ୍ୟ କରି ସାରଳା ଦାସଙ୍କୁ ବାସ୍ତବରେ ଓଡ଼ିଆ ସାହିତ୍ୟର ଆଦିକବି ବୋଲି ଅଭିହିତ କରି ଏକ ସମୃଦ୍ଧ ଭାଷା ସାହିତ୍ୟର ବିକାଶ ନିମନ୍ତେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ ।

 

ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କବିଙ୍କ ଜନ୍ମପୀଠ ଯାଜପୁର ଜିଲ୍ଲାସ୍ଥ ଅଭିମନ୍ୟୁ ବାଲିଆଠାରେ ଗତ ତା ୧୯.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ବିଦଗ୍ଧ କବି ଅଭିମନ୍ୟୁ ଜୟନ୍ତୀ ଉପଲକ୍ଷେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସ୍ମୃତି ସଭାରେ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍‍ଟର - ଦେବପ୍ରସାଦ ସାମଲ ପୌରୋହିତ୍ୱ କରିଥିଲେ । ବରିଷ୍ଠ କବି ଶ୍ରୀ ପ୍ରଭାକର ଶତପଥୀ ମୁଖ୍ୟବକ୍ତା ଓ ଅଧ୍ୟାପକ ଡକ୍‍ଟର ରବୀନ୍ଦ୍ର ବିହାରୀ ସମ୍ମାନିତ ବକ୍ତାଭାବରେ ଯୋଗଦାନ କରି ଅଭିମନ୍ୟୁ ସାହିତ୍ୟରେ ରସତତ୍ତ୍ୱର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ରବି ରାୟ ପ୍ରାରମ୍ଭିକ ସୂଚନାଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସଂପାଦକ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଅଚ୍ୟୁତାନନ୍ଦ ଦାସ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଅଚ୍ୟୁତ ଯୁବ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ସିଦ୍ଧସାଧକ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ କବିଙ୍କ ଆବିର୍ଭାବ ପୀଠ ତିଳକଣାଠାରେ ଗତ ତା ୨୩.୨.୨୦୦୨ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସ୍ମୃତି ସଭାରେ ବରିଷ୍ଠ ସାହିତ୍ୟିକ ବାଗ୍ମୀ ଡକ୍ଟର ରତ୍ନାକର ସାହୁ ମୁଖ୍ୟ ଅତିଥି, ବରିଷ୍ଠ କବି ଶ୍ରୀ ସଦାଶିବ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଅଚ୍ୟୁତାନନ୍ଦଙ୍କୁ ଜଣେ ରହସ୍ୟବାଦୀ ଦାର୍ଶନିକ ଭାବରେ ବର୍ଣ୍ଣନାକରି ତାଙ୍କ ସାହିତ୍ୟ ସମାଜରୁ ଅଜ୍ଞତା ଓ କୁସଂସ୍କାର ଦୂରକରିବାରେ ସହାୟକ ହୋଇଥିଲା ବୋଲି ଦର୍ଶାଇଥିଲେ । ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ରବି ରାୟ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ଦେଇଥିଲେ । ଏକାଡେମୀର ସଦସ୍ୟ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଜୟ କୁମାର ମିଶ୍ର ଏଥିରେ ପୌରୋହିତ୍ୟକରି ଅଚ୍ୟୁତାନନ୍ଦଙ୍କ ସାହିତ୍ୟର କେତେକ ଅନାଲୋଚିତ ପ୍ରସଙ୍ଗ ଉପରେ ଆଲୋକପାତ କରି ଅଚ୍ୟୁତାନନ୍ଦଙ୍କୁ ଓଡ଼ିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀଭାବରେ ଅଭିହିତ କରିଥିଲେ । ଶ୍ରୀ ଅଚ୍ୟୁତ ଯୁବପରିଷଦର ସଂପାଦକ ଶ୍ରୀ ବିଜୟ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

କୋଣାର୍କ ଓ ଆଜିର ପିଲାମାନେ :

ଓଡ଼ିଶା ସାହିତ୍ୟ ଏକାଡେମୀ, ରାଜ୍ୟ ପର୍ଯ୍ୟଟନ ବିଭାଗ, ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷଠାରେ ଗତ ତା ୩.୩.୨୦୦୨ ପୂର୍ବାହ୍ନ ୧୦ ଘଣ୍ଟାରେ “କୋଣାର୍କ ଓ ଆଜିର ପିଲାମାନେ” ଶୀର୍ଷକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ସମାବେଶରେ ବରିଷ୍ଠ କବି ଶ୍ରୀ ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଏବଂ ଔପନ୍ୟାସିକା ଡକ୍‍ଟର ପ୍ରତିଭା ରାୟ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆମ ସଂସ୍କୃତିର ଉଜ୍ୱଳ ସ୍ଵାକ୍ଷର “କୋଣାର୍କ” ପାଇଁ ଆମେ ଆଜି ବିଶ୍ଵଦରବାରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛୁ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନ୍ୟାସନାଲ ବୁକ୍ ଟ୍ରଷ୍ଟର ଅଧ୍ୟକ୍ଷ ଓ ବରିଷ୍ଠ କବି ସୀତାକାନ୍ତ ମହାପାତ୍ର ପୌରୋହିତ୍ୟ କରି ଓଡ଼ିଆ ସାହିତ୍ୟ ସଂସ୍କୃତି, ପରମ୍ପରା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଆଜିର ପିଲାମାନେ ତାର ରକ୍ଷଣାବେକ୍ଷଣ ଓ ମାନବୃଦ୍ଧି ପାଇଁ ସତତ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଶିଶୁ ସାହିତ୍ୟିକ ଦାଶ ବେନହୁର ଓ ଶ୍ରୀ ବୀରେନ୍ଦ୍ର କୁମାର ମହାନ୍ତି ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଉପସ୍ଥିତ ଶିଶୁମାନଙ୍କୁ ଓଡ଼ିଆ ସଂସ୍କୃତିର ମୂକସାକ୍ଷୀ କୋଣାର୍କ ସଂପର୍କରେ ତାଙ୍କର ସୁଚିନ୍ତିତ ମତ ପ୍ରକାଶ କରିଥିଲେ ।

 

ଭୀମଭୋଇ ଶ୍ରାଦ୍ଧୋତ୍ସବ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟଙ୍କ ମଳିତ ସହଯୋଗରେ ଗତ ତା ୨୬.୨.୨୦୦୨ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ସାରସ୍ୱତ ଉତ୍ସବ ସୋନପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସୁରେନ୍ଦ୍ରକୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ନରେନ୍ଦ୍ର କୁମାର ମିଶ୍ର ଉଦ୍‌ଘାଟକ, ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ଓ ଶ୍ରୀ ଉତ୍ତମ କୁମାର ପ୍ରଧାନ ସମ୍ମାନନୀୟ ଅତିଥି, ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଭୀମଭୋଇଙ୍କ ଜୀବନାଦର୍ଶ ଓ ସାରସ୍ୱତ କୃତି ସଂପର୍କରେ ଆଲୋଚନା କରିଥିଲେ । ସୋନପୁର ଉପଜିଲ୍ଲାପାଳ ଶ୍ରୀ ଭରତଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉତ୍ସବ ଶେଷରେ ଶ୍ରୀ ସଦାନନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରାମାୟଣ ସଂପର୍କିତ ତର୍କ ପ୍ରତିଯୋଗିତା :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାଙ୍କ ମିଳିତ ସହଯୋଗରେ ଗତ ତା ୨୪.୩.୨୦୦୨ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟସ୍ତରୀୟ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାମାୟଣ ସଂପର୍କିତ ତର୍କ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ଓ ସାରସ୍ୱତ ସଭା ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ମୟୁରଭଞ୍ଜର ଜିଲ୍ଲାପାଳ ଶ୍ରୀ ଡି.କେ. ସିଂହ ସମ୍ମାନିତ ଅତିଥି, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ନିମାଇଁ ଚରଣ ମହାନ୍ତି, ଡକ୍ଟର ରତ୍ନାକର ଚଇନି ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନନୀୟ ବକ୍ତାଭାବରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

 

ଓଡ଼ିଆ ଲୋକନାଟ୍ୟ ଓ ଏହାର ଭବିଷ୍ୟତ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାଙ୍କ ମିଳିତ ସହଯୋଗରେ ଗତ ତା ୩୦.୩.୨୦୦୨ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବୌଦ୍ଧଜିଲ୍ଲା ସ୍ଥିତ ଟାଉନହଲଠାରେ ଓଡ଼ିଆ ଲୋକନାଟ୍ୟ ଓ ଏହାର ଭବିଷ୍ୟତ ସମ୍ପର୍କରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଏକାଡେମୀର ସଦସ୍ୟ ଶ୍ରୀ ଧ୍ରୁବଚରଣ ଘିବେଲାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ହରିହର ପ୍ରଧାନ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଓ ଶ୍ରୀ ଭୂପେନ ମହାପାତ୍ର, ଶ୍ରୀ କେଦାର ନାଥ ମିଶ୍ର, ଶ୍ରୀ ବନମାଳୀ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ବହିଦାର ପ୍ରମୁଖ ଆଲୋଚନାରେ ଭାଗନେଇ ଓଡ଼ିଆ ଲୋକନାଟ୍ୟର ଭବିଷ୍ୟତ ସଂପର୍କରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଆଲୋଚନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅପରାହ୍ନ ଅଧିବେଶନରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ବହୁ ବରିଷ୍ଠ ତଥା ନବୀନ ପ୍ରତିଭାଧର କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

 

ବଜ୍ରନାଥ ବଡ଼ଜେନା ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀପାଳନ ଅବସରରେ ଗତ ତା ୧୪.୪, ୨୦୦୨ ରିଖ ସଂଧ୍ୟା ୬.୩୦ ସମୟରେ ଢେଙ୍କାନାଳସ୍ଥ ଗୋପବନ୍ଧୁ ଟାଉନହଲଠାରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ପ୍ରଫେସର ନିଶାମଣି ମିଶ୍ର ମୁଖ୍ୟବକ୍ତା, ଡକ୍‍ଟର ନରେନ୍ଦ୍ରନାଥ ମିଶ୍ର ମୁଖ୍ୟ ଅତିଥି, ଶ୍ରୀ ହୁସେନ୍ ରବିଗାନ୍ଧୀ ସମ୍ମାନନୀୟ ବକ୍ତାଭାବରେ ଯୋଗଦାନକରି କବି ବ୍ରଜନାଥ ବଡଜେନାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ବିଶଦ୍‌ ଆଲୋଚନା କରିଥିଲେ । ଏଥିରେ ଏକାଡେମୀର ସଦସ୍ୟ ଶ୍ରୀ ଶରତ ମିଶ୍ର ପୌରୋହିତ୍ୟ କରି କବି ବ୍ରଜନାଥ ବଡଜେନାଙ୍କୁ ଏକାଧାରରେ ଜଣେ କବି, ସଂଗୀତଜ୍ଞ, ଭାଷାବିଦ୍ ଭାବରେ ବର୍ଣ୍ଣନାକରି ତାଙ୍କର ସୃଷ୍ଟି ସମୂହ ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି ବୋଲି ପ୍ରକାଶ କରିଥିଲେ ।

 

ଲୋକକବି ଜଗନ୍ନାଥ ପାଣି ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜଗନ୍ନାଥ ପାଣି ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଆଦିଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ଗତ ତା ୧୫.୪.୨୦୦୨ ରିଖ ସଂଧ୍ୟା ୬.୩୦ ସମୟରେ ଭୁବନେଶ୍ୱରସ୍ଥ ହୋଟେଲ କେଶରୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

 

ଏଥିରେ ଶ୍ରୀ ଯୁଗଳକିଶୋର ପଟ୍ଟନାୟକ ଓ ସେକ୍ ମତଲୁବ୍ ଅଲ୍ଲୀ ସମ୍ମାନିତ ଅତିଥି, ଡକ୍‍ଟର ଉପେନ୍ଦ୍ର ପ୍ରସାଦ ନାୟକ, ଡକ୍‍ଟର ପ୍ରସନ୍ନ କୁମାର ମହାନ୍ତି ଓ ଶ୍ରୀ ଅଭୟ ଦ୍ଵିବେଦୀ ସମ୍ମାନନୀୟ ବକ୍ତାଭାବରେ ଯୋଗଦାନକରି ଲୋକକବି ଜଗନ୍ନାଥ ପାଣିଙ୍କ ସାରସ୍ୱତ କୃତି ଏବଂ ତାଙ୍କର ଅଭିନୟ କଳା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକ ଜଗନ୍ନାଥ ପାଣିଙ୍କୁ ଓଡ଼ିଆ ନାଟ୍ୟସାହିତ୍ୟର ଯୁଗସ୍ରଷ୍ଟା ସାଧକ ବୋଲି ଅଭିହିତ କରି କବିଙ୍କ ଦ୍ୱାରା ଲିଖିତ ଗୀତିନାଟ୍ୟ ଆମ ସମାଜରୁ କୁସଂସ୍କାର ଦୂର କରିବାରେ ବିଶେଷ ସହାୟକ ହୋଇପାରିଛି ବୋଲି ଦର୍ଶାଇଥିଲେ । ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ମଧ୍ୟରେ ଲୋକକବି ଜଗନ୍ନାଥ ପାଣିଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଦାସୁମନ ଅର୍ପଣ କରିଥିଲେ ।

 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି-ଆଲୋଚନାଚକ୍ର ଓ ତାମିଲ-ଓଡ଼ିଆ କବିତା ପାଠୋତ୍ସବ :

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଆସୋସିଏସନ୍, ଚେନ୍ନାଇଙ୍କ ମିଳିତ ଆନୁକୂଲ୍ୟରେ ଚେନ୍ନାଇସ୍ଥ ମ୍ୟୁଜିୟମ୍ ଥିଏଟର, ଏଗ୍‍ମୋର ଠାରେ ଗତ ତା ୨୧.୪.୨୦୦୨ ରିଖ ଦିନ ଆଲୋଚନାଚକ୍ର, ତାମିଲ-ଓଡ଼ିଆ କବିତା ପାଠୋତ୍ସବ ଓ ଉଦ୍‌ଯାପନୀ ପର୍ବ ଅନୁଷ୍ଠିତ ହୋଇଥିଲା । ସାନ୍ଧ୍ୟ ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଏମ୍.ଏମ୍. ରାଜେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଭୟ ଓଡ଼ିଆ ଓ ତାମିଲ୍ ସାହିତ୍ୟ କେଉଁଭଳି ପ୍ରାଚୀନ ଓ ମହାନ୍ ତା ଉପରେ ଆଲୋଚନା କରିଥିଲେ । ଏଥିରେ ଓଡ଼ିଶାର ବାଚସ୍ପତି ଶ୍ରୀ ଶରତ କୁମାର କର ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଓ ବଳଭଦ୍ର କେଉଁଭଳି ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କ ସହିତ କାଞ୍ଚି ଅଭିଯାନରେ ବାହାରି ସେଠିକାର ରାଜକୁମାରୀ ପଦ୍ମାବତୀଙ୍କ ସଂଗରେ ଆଣି ତାଙ୍କର ପାଣିଗ୍ରହଣ କରିଥିଲେ ତାର ଉଦାହରଣ ଦେଇଥିଲେ । ଓଡ଼ିଶା ସହିତ ଦାକ୍ଷିଣାତ୍ୟ ବିଶେଷତଃ ତାମିଲ୍‍ନାଡ଼ୁର ସମ୍ପର୍କ କିଭଳି ଯୁଗଯୁଗର ତାହା ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀ ଆର. ବାଲକ୍ରିଷ୍ଣନ୍, ତାମିଲ୍‍ନାଡ଼ୁ ସରକାରଙ୍କ ତାମିଲ୍ ବିକାଶ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀ ପି. ଏ. ରାମିୟା ଏହି ସଭାରେ ଯୋଗଦାନ କରି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ବାଲ୍‍କ୍ରିଷ୍ଣନ୍ ପୁରୁଣା ଓଡ଼ିଆ ଓ ତାମିଲ୍ ନାମକରଣକୁ ନେଇ ଉଭୟ ରାଜ୍ୟମଧ୍ୟରେ ସଂସ୍କୃତିର ସେତୁ କିଭଳି ଯୁଗଯୁଗ ଧରି ନିର୍ମିତ ହୋଇଆସିଛି, ତାହାର ବିଶଦ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି ଡାକ୍ତର କବିପ୍ରସାଦ ମିଶ୍ର ଓଡ଼ିଆ ଭାଷା, ଶିକ୍ଷା ଓ ତାହାର ପ୍ରଚାର ପାଇଁ ଅତ୍ୟାଧୁନିକ ସି.ଡି. ରମ୍ ତଥା ଓଡ଼ିଆ ଟେପ୍ ନିର୍ମାଣ ଉପରେ ସରକାର ଧ୍ୟାନ ଦେବା ଉଚିତ୍ ବୋଲି କହିଥିଲେ । ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ନଳିନୀ ମୋହନ ମହାନ୍ତି ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଏ ଭଳି ଆୟୋଜନର କିଭଳି ପ୍ରୟୋଜନୀୟତା ରହିଛି ତାହା ବର୍ଣ୍ଣନା କରିଥିଲେ । ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକ ଏଥିରେ ପୌରହିତ୍ୟ କରି ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଉତ୍କର୍ଷତା ସମ୍ପର୍କରେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ମଞ୍ଚାସୀନ ଅତିଥିବର୍ଗ ତଥା ଉପସ୍ଥିତ ସାହିତ୍ୟାନୁରାଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓଡ଼ିଆ-ତାମିଲ୍ ଓ ଇଂରାଜୀର ତ୍ରିଭାଷିକ “କବିତାୟନ” ପୁସ୍ତକ ଉନ୍ମୋଚନ କରିଥିଲେ । ନୃତ୍ୟ ପଟ୍ଟୟସୀ ଅରୁଣା ମହାନ୍ତି ଏବଂ ତାଙ୍କ ଦଳ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା : ଓଡ଼ିଶୀ ନୃତ୍ୟ (ଆହେ ନୀଳ ଶଇଳ, ଶିବପାର୍ବତୀ ନୃତ୍ୟ) ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

 

ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ “ଓଡ଼ିଶା ବାହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ସଂସ୍କୃତି” ଓ “ଓଡ଼ିଶା ବାହାରେ ଓଡ଼ିଆ ପରିବାରରେ ଭାଷା ସମସ୍ୟା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ଶ୍ରୀ ମନୋଜ ଦାସ ଆଲୋଚନାଚକ୍ରକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିବା ସହିତ ଓଡ଼ିଆ ମାସିକ ସାହିତ୍ୟ ପ୍ରତ୍ରିକା “ବିଶ୍ଵମୁକ୍ତି”ର ସ୍ୱତନ୍ତ୍ର ଓଡ଼ିଆ-ତେଲୁଗୁ ବିଶେଷାଙ୍କକୁ ଉନ୍ମୋଚନ କରିଥିଲେ । ଏହି ଅଧିବେଶନରେ ଡାକ୍ତର କବିପ୍ରସାଦ ମିଶ୍ର ଓ ଶ୍ରୀ ଆଶୁତୋଷ ସାମନ୍ତସିଂହାର ଭିତ୍ତିପ୍ରବନ୍ଧ ପାଠ କରିଥିଲେ ଏବଂ ଆଲୋଚକ ଭାବରେ ବ୍ରଜନାଥ ରଥ, ବରେନ୍ଦ୍ରକୃଷ୍ଣ ଧଳ, ଅର୍ଜ୍ଜୁନ ରଞ୍ଜନ ପଣ୍ଡା, ବିଜୟାନନ୍ଦ ସିଂହ, ଗୋପୀନାଥ ମହାନ୍ତି, ଶରତ ମିଶ୍ର, ଜୟକୃଷ୍ଣ ପାଣିଗ୍ରାହୀ, ହରେକୃଷ୍ଣ ନାୟକ, ଗଣପତି ମନ୍ତରା, ସତ୍ୟନାରାୟଣ ପ୍ରଧାନ, ରାମପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗନେଇ ନିଜନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଶ୍ରୀ ଦାସ ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ତାଙ୍କ ବକ୍ତବ୍ୟରେ ଜଣେ ଶିଶୁ ଦୁଇ ବା ତିନୋଟି ଭାଷା ଗ୍ରହଣ କରିବା ପାଇଁ କେଉଁଭଳି ଯୋଗ୍ୟ, ତାହାରି ବୈଜ୍ଞାନିକ ବିଶ୍ଳେଷଣକୁ ସୂଚାରୁ ରୁପେ ପ୍ରତିପାଦିତ କରିଥିଲେ । ଉଭୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ଏବଂ ଶ୍ରୀ ପି. ରାମୟା ଓ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ନଳିନୀ ମୋହନ ମହାନ୍ତି ସେମାନଙ୍କ ଅଭିଭାଷଣରେ ପ୍ରସ୍ତାବିତ ଭାଷା ସମସ୍ୟା ଉପରେ ତୀକ୍ଷ୍‍ଣ ଆଲୋଚନା କରିଥିଲେ ।

 

ଅପରାହ୍ନରେ ଅନୁଷ୍ଠିତ ତାମିଲ୍-ଓଡ଼ିଆ କବିତା ପାଠୋତ୍ସବରେ ଗୋପାଳକୃଷ୍ଣ ରଥ, ଫନୀ ମହାନ୍ତି, ଇନ୍ଦ୍ରନ, ଗିରିବାଳା ମହାନ୍ତି, ଶତ୍ରୁଘ୍ନ ପାଣ୍ଡବ, ଜ୍ଞାନକୁଥନ୍, ରଞ୍ଜିତା ନାୟକ, ଆର୍. ବାଲକ୍ରିଷ୍ଣନ୍, ଅଜୟ ପ୍ରଧାନ, ମନୋରମା ମହାପାତ୍ର ବିଶ୍ୱାଳ, ଅବ୍‍ଦୁଲ ରହମନ୍, ଟି. ପାଲାମଲାଇ, ହୁସେନ୍ ରବିଗାନ୍ଧୀ, ପ୍ରଦୀପ ବିଶ୍ୱାଳ ପ୍ରଭୃତି କବିମାନେ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ-। ଶ୍ରୀ ବ୍ରଜନାଥ ରଥ ଏହି କବିତା ପାଠୋତ୍ସବରେ ସଭାପତିତ୍ୱ କରିଥିଲେ ଏବଂ ଶୁଭେନ୍ଦୁ ମୁଣ୍ଡ, ଭଗବାନ ଜୟସିଂହ ଓ ତାମିଲ୍ କବି ଇନ୍ଦ୍ରନ୍ ଏହାକୁ ସଂଯୋଜନା କରିଥିଲେ । ସାମଗ୍ରିକ ଭାବରେ ଏହି ଉତ୍ସବଟି ପ୍ରବାସରେ ଥିବା ଓଡ଼ିଆମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବାରେ ଏକ ସଫଳ ଉଦ୍ୟମ ବୋଲି ମତ ପ୍ରକାଶ ପାଇଥିଲା ।

 

ଭକ୍ତକବି ଦୀନକୃଷ୍ଣ ଦାସ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତିପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀପାଳନ ଅବସରରେ ଗତ ତା ୨୧.୪.୨୦୦୨ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଜଳେଶ୍ୱରସ୍ଥ ଟାଉନହଲରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସ୍ମୃତିସଭାରେ ଡକ୍‍ଟର ବିଜୟ କୁମାର ମହାନ୍ତି ମୁଖ୍ୟବକ୍ତା, ଡକ୍‍ଟର ଅରବିନ୍ଦ ଗିରି ଓ ଡକ୍‍ଟର ବସନ୍ତ କୁମାର ସାହୁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଦୀନକୃଷ୍ଣଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ବିପିନ୍ ବିହାରୀ ବିଶ୍ୱାଳ ପୌରୋହିତ୍ୟ କରି କବି ଦୀନକୃଷ୍ଣଙ୍କୁ ବୈଷ୍ଣବ ପରମ୍ପରାର ଏକ ମହାନ ସନ୍ଥ ବୋଲି ଅଭିହିତ କରିଥିଲେ । ତାଙ୍କର କାବ୍ୟରେ ବୈଷ୍ଣବୀୟ ଭାବଚେତନା ଓ ସଂସ୍କାରଧର୍ମୀ ଉପଦେଶ ସୁସ୍ପଷ୍ଟ ବୋଲି ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ-। ଏକାଡେମୀର ସହସଂପାଦକ ଶ୍ରୀ ଅତ୍ରାହୀଭଞ୍ଜନ ପ୍ରଧାନ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏକାଡେମୀର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ।

 

***